କୋଦଳାରେ ୭୨ ତମ ବନ ମହୋତ୍ସବ ପାଳିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କୋଦଳା) – ସ୍ଥାନୀୟ କୋଦଳା ଦମକଳ କେନ୍ଦ୍ର ଠାରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ସଚିନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦମକଳ କେନ୍ଦ୍ର କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷର ଅଭାବ ଯୋଗୁଁ ବେଳେବେଳେ ବର୍ଷାର ଘୋର ଅଭାବ ଦେଖାଦେଉଛି ବୋଲି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ।

ଏହି ଉତ୍ସବରେ ବନପାଳ ଶ୍ରୀ କୋରା ପ୍ରସାଦ ଜେନା (କୋଦଳା), ବନପାଳ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ (ପୋଲସରା), ବନରକ୍ଷୀ ଶ୍ରୀମତୀ ଲିଲି ମଲ୍ଲିକ (କୋଦଳା), ବନରକ୍ଷୀ ଶ୍ରୀ ସୁବୋଧ କୁମାର ବେହେରା, ବନରକ୍ଷୀ ଶ୍ରୀ ରମାକାନ୍ତ ହୋତା (ପୋଲସରା), ଫାୟାର ଅଫିସର ସୁଜୟ କୁମାର ହେମରମ (କୋଦଳା) ସମେତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡ କୁ ଆର୍ଥିକ ସହାୟତା।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି କୁମାର ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବ୍ରହ୍ମପୁର) – କରୋନା ମହାମାରୀର ଦ୍ୱିତୀୟ ଲହର ସାରାବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଜାରି ରଖିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାରେ ଓଡ଼ିଶାରେ ଉଦ୍ୟମ ଅବ୍ୟାହତ ରହିଛି। ଗୁରୁତ୍ଵ ପୁର୍ଣ ବିଷୟ ହେଉଛି ଏଠାରେ ଓଡ଼ିଆ ଲୋକମାନେ ବିଦେଶରେ ରହି ମଧ୍ୟ ଓଡ଼ିଶା ବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି। ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯ କୁ ୩ ଲକ୍ଷ ୮୨ହଜାର ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି। ଏହି ଡ୍ରାଫ୍ଟ ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନର ସମ୍ପାଦକ ସମ୍ପଦ କୁମାର ବଳଙ୍କ ସମେତ ହିମାଂଶୁ ବଳ ଏବଂ ସଞ୍ଜିତ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ। ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ତରଫରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଜନହିତକର କାର୍ଯ୍ୟକୁ ନେଇ କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏ ଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଶ୍ରୀ ସମ୍ପଦ କୁମାର ବଳଙ୍କ ତତ୍ୱାବଧାନରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେ ଓମାନରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ କଥାବାର୍ତ୍ତା କରି ସଂଯୋଜନା କରିଥିଲେ। ଏହି ମହତ କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ। ତେବେ ଏହି ପରିପେକ୍ଷୀରେ ଏହି ସାଧୁ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି।

ପାରଳାଖେମୁଣ୍ଡି ଠାରେ ନିମୋକୋକାଲ କଞ୍ଜୁଗେଟ (ପିସିଭି) ଟୀକାକରଣର ଶୁଭାରମ୍ଭ।

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ ୫ ବର୍ଷ ବୟସରୁ କମ୍ ବୟସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଟୀକା ଥିବା ନିମୋକୋକାଲ କଞ୍ଜୁଗେଟ ଟୀକା(ପିସିଭି)ର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟସେବା ବିଭାଗ ନିର୍ଦ୍ଦେଶକ ଡାଃ ବିଜୟ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ନିମୋକୋକସ କଞ୍ଜୁଗେଟ ଟୀକାକରଣର ଶୁଭାରମ୍ଭ କରିଥିଲେ ।

ରାଜ୍ୟ ନିର୍ଦ୍ଦେଶକ ଡାଃ ମହାପାତ୍ରଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ,ଏଡିପିଏଚଓ:(ପରିବାର କଲ୍ୟାଣ) ଡାଃ ଏମ୍ ଏସ୍ ମୁନୀର , ଡିଏମଓ: ଡାଃ ପ୍ରମୋଦ କୁମାର ପଣ୍ଡା , ଡିପିଏଚଓ: ଡାଃ ଏମ: ମୁବାରକ ଅଲି , ଡିପିଏମ: ସୌମ୍ୟରାଣୀ ଗୌଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଏଏନଏମ: ଶାନ୍ତିଲତା ବିଶ୍ବାଳ ଏବଂ ସନ୍ତୋଷି କୁମାରୀ ଜେନା ଆସିଥିବା ସମସ୍ତ ଲାଭାର୍ଥୀ ଛୁଆ ମାନଙ୍କୁ ଟୀକା ଦେଇଥିଲେ । ଏହି ଟୀକାକରଣ ସମ୍ପର୍କରେ ଅଧିକ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ମହାପାତ୍ର କହିଥିଲେ ଯେ , ନିମୋନିଆ ମୁଖ୍ୟତଃ ୫ ବର୍ଷରୁ କମ ବୟସର ପିଲାଙ୍କର ମୃତ୍ୟୁ ହେବାରେ ଏକ ପ୍ରମୁଖ କାରଣ ହୋଇଥାଏ । ଏହି ନିମୋନିଆ ହେବାର ମୁଖ୍ୟ କାରଣ ନିମୋକୋକାସ ଜୀବାଣୁ ସଂକ୍ରମଣ ଅଟେ । ନିମୋକୋକାଲ ରୋଗ ହେଲେ ପିଲାକୁ ଡାକ୍ତରଖାନା ନେବାକୁ ପଡିପାରେ ଏମିତିକି ପିଲାର ମୃତ୍ୟୁ ବି ହୋଇପାରେ । ପିସିଭି ଟୀକା ୫ ବର୍ଷରୁ କମ ବୟସର ପିଲାଙ୍କ ନିମୋକୋକାସ ଜୀବାଣୁ ଜନିତ ନିମୋନିଆରୁ ସୁରକ୍ଷା ପ୍ରଦାନ କରିବାର ଏକ ସଫଳ ମାଧ୍ୟମ ଅଟେ ।

ଏହି ଟୀକା ପିଲାମାନଙ୍କୁ ନିମୋକୋକାସ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବାରେ ବେଶ ସହାୟକ ହୋଇଥାଏ ।ପିସିଭି ଟୀକା ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ବିନା ମୂଲ୍ୟରେ ପ୍ରଦାନ କରାଯିବ । ଯାହାକି ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି ବୋଲି କହିଥିଲେ ।ପିସିଭିର ଏହି ୩ ଟୀକା ପିଲାଙ୍କୁ ମୁଖ୍ୟତଃ ପ୍ରଥମ ଟୀକା ଦେଢ ମାସରେ , ଦ୍ଵିତୀୟ ଟୀକା ସାଢ଼େ ୩ ମାସରେ ଏବଂ ତୃତୀୟ ତଥା ବୁଷ୍ଟର ଟୀକା ୯ ମାସରେ ଦେବାକୁ ହେବ । ଏହି ରୋଗରୁ ସର୍ବାଧିକ ସୁରକ୍ଷା ପାଇବା ପାଇଁ ପିସିଭି ଟୀକାର କୌଣସି ବି ମାତ୍ର ତଥା ଟୀକା ଯେପରି ବନ୍ଦ ନ ହୁଏ , ତାହା ସୁନିଶ୍ଚିତ କରିବାକୁ ହେବ ବୋଲି କୁହା ଯାଇଥିଲା ।ନେତ୍ରାନନ୍ଦ ଶତପଥୀ ଏବଂ ଡିଏମ୍ଆରସିଏଚ ଶୁଶାନ୍ତ ପ୍ରସାଦ ନାୟକ ଓ ଶୁରେଶ କୁମାର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ ଆଲୋଚନା, ଦୋକାନବଜାର ଖୋଲିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ।

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାୟଗଡ଼) – ମହାମାରୀ କରୋନା ସଂକ୍ରମଣ ହାର ରାୟଗଡ ଜିଲ୍ଳାରେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ହାର ହ୍ରାସ ହେବା ପରେ ରାଜ୍ୟ ସରକାର ଆଂଶିକ ଲକଡାଉନ କଟକଣା ଅବଧୀ ସୀମା ଆସନ୍ତା ଜୁଲାଇ  ୧୬ ତାରିଖ ଯାଏଁ ବୃଦ୍ଧି କରିବା ସହ କଟକଣାରେ ଆଂଶିକ ଭାବେ କୋହଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଏବଂ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଆଜି ସହରର ମୁଖ୍ୟ ବଜାର ସହ ଅନ୍ୟାନ୍ୟ ସ୍ଥାନଗୁଡିକ ପରିଦର୍ଶନ କରି କୋଭିଡ ସ୍ଥିତିର ଅନୁଧ୍ୟାନ କରିଥିଲେ ।

ପରେ ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଆଲୋଚନା କରିଥିଲେ । ଯେହେତୁ ରାଜ୍ୟ ସରକାର ରାୟଗଡ ସମେତ ଅନ୍ୟ ୨୦ ଟି ଜିଲ୍ଳାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ଖୋଲିବା ସମୟ ପରିବର୍ତନ କରି ଆସନ୍ତା ୧୬ ଦିନ ପାଇଁ ସକାଳ ୬ ଟାରୁ ସଂଧ୍ୟା ୬ ଘଂଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି ଏଥି ନିମନ୍ତେ ଦୋକାନବଜାରରେ ପୂର୍ବ ଅପେକ୍ଷା ଅଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ରହୁଛି ।ତେଣୁ ଦୋକାନ ବଜାର ଖୋଲିବା ସମୟରେ କୋଭିଡ-୧୯ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରି ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ବ୍ୟବସାୟୀମାନେ ବିଶେଷ ଗୁରୁତ୍ୱ ଦେବା ପାଇଁ ରାୟଗଡ ବଣିକ ସଂଘ କୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । କୌଣସି ଦୁକାନରେ କୋଭିଡ ନିୟମ ନମlନନ୍ତି ତାହାହେଲେ ଦୁକାନୀ ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି, ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ଦୋକାନରେ ଅଧିକ ଜନ ଗହଳି ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଦୋକାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଟୀକାକରଣ ନିମନ୍ତେ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ଡିପିଏମ୍ ରାଜେଶ୍ୱର ପଟ୍ଟନାୟକଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେବା ସହ ପର୍ଯ୍ୟାୟ କ୍ରମେ ଉଠା ବ୍ୟବସାୟୀ, ପରିବା ବ୍ୟବସାୟୀ, ଅଟୋ ଚାଳକ ସଂଘ ଆଦି ଅନ୍ୟାନ୍ୟ ସମସ୍ତଙ୍କୁ ଟୀକାକରଣରେ ସାମିଲ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ସଂଘ କାର୍ଯ୍ୟକର୍ତାଙ୍କୁ କହିଥିଲେ । ଏହି ବୈଠକରେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ରମ ପ୍ରସାଦ ସାହୁ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବଣିକ ସଂଘର ସଭାପତି ସୁରେନ୍ଦ୍ରନାଥ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ବାଲିଗୁଡା ବନ ଖଣ୍ଡରେ ୭୨ତମ ବନମହୋତ୍ସବ ପାଳିତ

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ସୁରେଶ ପାଣିଗ୍ରାହୀଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କନ୍ଧମାଳ) – ବାଲିଗୁଡା ବନ ଖଣ୍ଡରେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ବାଲିଗୁଡା ଡିଏ ଫ ଓ ବିଶ୍ୱନାଥ ନିଳନମ୍ବର ମୁଖ୍ୟ ଅତିଥି ରୂପେ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ନୁଆସାହି ସ୍ଥିତ ମେଗା ନର୍ସରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବୃକ୍ଷ ରୋପଣ କରିଥିଲେ। ଏଥି ସହିତ ବାଲିଗୁଡା ବନଖଣ୍ଡ ତରଫରୁ ଚାରା ବିତରଣ କେନ୍ଦ୍ର ଖୋଲାଯାଇ ୭୫ ପ୍ରକାର ଜଙ୍ଗଲ ଜାତ ବୃକ୍ଷ,ଓଷଧ୍ୟ୍ୟ ଜାତୀୟ ବୃକ୍ଷ, ଫଳ ଗଛ ଗୁଡିକୁ ବିକ୍ରୟ କରାଯାଇଛି । ପ୍ରତି ଗଛପିଛା ଏକ ଟଙ୍କାରେ ବିକ୍ରୟ କରାଯାଇଛି । ବାଲିଗୁଡା ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ ତ୍ବତାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବନପାଳ ମାନସ କୁମାର ସାହୁ, ବନରକ୍ଷୀ ସତ୍ୟ ନାରାୟଣ ମହାନ୍ତି, ବାଲିଗୁଡା ଫାୟାର ଅଧିକାରୀ ଯୋଗଦେଇଥିଲେ ।

ଡାକ୍ତର ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବୟାନ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ଜାତୀୟ ଡାକ୍ତର ଦିବସରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାରୁ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରିବାରେ ଡାକ୍ତରଙ୍କ ଭୂମିକାକୁ ସେ ମନେ ପକାଇବ ସହ ତାଙ୍କ ସରକାର ମହାମାରୀର ମୁକାବିଲା ପାଇଁ ସବୁବେଳେ ସ୍ୱାସ୍ଥ୍ୟଭୂମିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି। ଏଥିସହ ଏବେ ଦେଶ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଡାକ୍ତରମାନେ ଦିନ ରାତି ଏକ କରି ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। କରୋନା ରୋଗୀଙ୍କୁ ରକ୍ଷା କରିବା ପାଇଁ ଅନେକ ଡାକ୍ତର ପ୍ରାଣ ହରାଇଛନ୍ତି। ତଥାପି ସେମାନେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଡାକ୍ତରମାନଙ୍କୁ ଖାଲିଟାରେ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ ନାହିଁ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କର ଜୀବନ ବଞ୍ଚାଉଥିବାରୁ ସେମାନଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଲୋକଙ୍କ ଜୀବନ ବଞ୍ଚାଇବାର ପୁଣ୍ୟ କାମ କରି ଅନେକ ଡାକ୍ତର ସେମାନଙ୍କ ଜୀବନ ଦେଇଛନ୍ତି ବୋଲି ମୋଦି କହିଛନ୍ତି। ଏହାବାଦ ଯୋଗକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ନେବାକୁ ସେ ଆଇଏମଏକୁ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି, ଭାରତ ଆଜି ଲକ୍ଷାଧିକ ଦେଶବାସୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛି। ଏହାର ସମସ୍ତ ଶ୍ରେୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଯାଉଛି। ଦେଶରେ ଦୀର୍ଘ ଦଶନ୍ଧି ଧରି କେମିତି ସୀମିତ ସ୍ୱାସ୍ଥ୍ୟଭୂମି ଥିବା ସେ ବିଷୟରେ ମଧ୍ୟ ମୋଦି ଏହି ଅବସରେ କହିବାକୁ ପଛାଇ ନାହାନ୍ତି। ପୂର୍ବରୁ ମେଡିକାଲ ଭିତ୍ତିଭୂମିକୁ ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ମୋଦି କହିଛନ୍ତି, “ଆମ ଦେଶର ଜନସଂଖ୍ୟା ସୀମିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମସ୍ୟା ପ୍ରତି ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରି ଆସିଛି। କିନ୍ତୁ ବିକିଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ପ୍ରତି ଲକ୍ଷେ ଲୋକରେ ସଂକ୍ରମିତ ଓ ମୃତ୍ୟୁହାର ବେଶ ଭଲ ରହିଛି। ଜଣଙ୍କର ବି ଜୀବନ ଯିବା ବେଶ ଯନ୍ତ୍ରଣାଦାୟକ। ତଥାପି ଭାରତ କରୋନା ଭାଇରସରୁ ଲକ୍ଷାଧିକ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ସକ୍ଷମ ହୋଇଛି। ଏହାର ଶ୍ରେୟ କଠିନ ପରିଶ୍ରମ କରିଥିବା ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଖକୁ ଯାଉଛି।” ନିଜ ସରକାରଙ୍କ ସମ୍ପର୍କରେ ମୋଦି କହିଛନ୍ତି, “ଆମ ସରକାର ସବୁବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଗତବର୍ଷ କରୋନାର ପ୍ରଥମ ୱେଭ ବେଳେ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୧୫ ହଜାର କୋଟି ଟଙ୍କା ଦେଇଥିଲେ। ଚଳିତ ବର୍ଷ ଏହା ୨ ଲକ୍ଷ କୋଟି ଟପି ଯାଇଛି। ୨୦୧୪ ସୁଦ୍ଧା ଦେଶରେ କେବଳ ୬ଟି ଏମ୍ସ ଥିଲା। ୭ ବର୍ଷ ମଧ୍ୟରେ ୧୫ଟି ନୂଆ ଏମ୍ସରେ କାମ ଆରମ୍ଭ ହୋଇଯାଇଛି। ମେଡିକାଲ କଲେଜ ସଂଖ୍ୟା ମଧ୍ୟ ଦେଢ଼ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ସେବାର ସୁବିଧା ନଥିବା ସ୍ଥାନଗୁଡ଼ିକ ପାଇଁ ସରକାର ୫୦ ହଜାର କୋଟିର କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ଆଣିଛନ୍ତି। ଆମ ସରକାର ସବୁବେଳେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଗତବର୍ଷ ଡାକ୍ତରଙ୍କ ବିରୋଧରେ ହେଉଥିବା ହିଂସାକାଣ୍ଡକୁ ରୋକିବା ପାଇଁ ଏକାଧିକ ଆଇନ ଅଣାଯାଇଥିଲା। ଆମେ ଆମ କୋଭିଡ ଯୋଦ୍ଧାଙ୍କ ପାଇଁ ମାଗଣା ବୀମା ସୁବିଧା କରିଛୁ। ଡାକ୍ତରମାନେ ଯେଉଁଭଳି କାମ କରି ଚାଲିଛନ୍ତି, ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ୧୩୦ କୋଟି ଲୋକଙ୍କ ପକ୍ଷରୁ ମୁଁ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।”

ଏମଏସ୍‌ସି ସ୍କାମ: ଅଜିତ ପାୱାର ଓ ତାଙ୍କ ପତ୍ନୀଙ୍କ ଚିନି କଳକୁ ସିଜ୍‌ କଲା ଇଡି …!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସି) ଦୁର୍ନୀତି ଘଟଣାରେ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ଇଡି ପକ୍ଷରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନିୟନ୍ତ୍ରଣରେ ଥିବା ଗୋଟିଏ ଫାର୍ମ ସହ ଦୁର୍ନୀତି ଘଟଣାରେ ମୋଟ ୬୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି।

ଏହି ଜବତ ସମ୍ପତ୍ତି ମଧ୍ୟରେ ସାତାରାରେ ଥିବା ଜରାନଦେଶ୍ୱର ସହକାରୀ ଚିନି କାରଖାନାର ଜମି, ବଲଡିଂ, ପ୍ଲାଣ୍ଟ ଓ ଯନ୍ତ୍ରପାତି ରହିଛି। ୨୦୧୦ରେ ଏହାକୁ ୬୫.୭୫ କୋଟି ଟଙ୍କାରେ କିଣା ଯାଇଥିଲା। ଏହା ବର୍ତ୍ତମାନ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃ ନାଁରେ ରହି ଥିବା ବେଳେ ଏହାକୁ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଲିଜ୍‌ରେ ଦିଆଯାଇଥିଲା।

ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃର ସିଂହ ଭାଗ ସ୍ପାରକଲିଙ୍ଗ ସଏଲ ପ୍ରା.ଲିଃ ନାଁରେ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ ସ୍ପାରକଲିଙ୍ଗ କମ୍ପାନୀ ଅଜିତ ପାୱାର ଓ ତାଙ୍କ ପତ୍ନୀ ସୁନେତ୍ରାଙ୍କ ସମ୍ପର୍କ ରହିଛି। ତେବେ ଅଜିତ ପାୱାର ଇଡି ପକ୍ଷରୁ କୌଣସି ପ୍ରକାରର ନୋଟିସ ପାଇ ନଥିବା କହିଛନ୍ତି। ଏଥିସହ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଇଡି ଜବତ କରିଛି ବୋଲି ମଧ୍ୟ ସେ ଜାଣି ନାହାନ୍ତି।

ଏମଏସ୍‌ସି ସ୍କାମକୁ ନେଇ ୨୦୧୯ରେ ମୁମ୍ବାଇ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ଏଫଆଇଆର ରୁଜୁ କରିଥିଲା। ଏହାପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଡି ଦାବି କରିଛି ଯେ ଏମଏସ୍‌ସି ୨୦୧୦ରେ ଜରାନଦେଶ୍ୱର ସହକାରୀ ଚିନି କାରଖାନାର ନିଲାମୀ ବଜାର ଦାମଠାରୁ କମ ମୂଲ୍ୟରେ ଡାକିଥିଲା।

ଏହି ସମୟରେ ନିଲାମ ପାଇଁ କୌଣସି ପ୍ରକାରର ନିୟମର ପାଳନ କରାଯାଇ ନଥିଲା। ସେହିପରି ଏମଏସ୍‌ସିବି ବୋର୍ଡରେ ଅଜିତ ପାୱାର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ। ସହକାରୀ ଚିନି କାରଖାନାକୁ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃ କିଣିଥିଲା ଓ ତୁରନ୍ତ ଏହାକୁ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃ ଲିଜ୍‌ରେ ଦେଇଥିଲା।

ଏବେ ଏହି କମ୍ପାନୀ ଜରାନଦେଶ୍ୱର ସହକାରୀ ଚିନି କାରଖାନାକୁ ଚଳାଉଥିଲା। ସହକାରୀ ଚିନି କାରଖାନାକୁ କିଣିବା ପାଇଁ ଅଧିକାଂଶ ଟଙ୍କା ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃରୁ ଆସିଥିଲା। ଏହି ସଂସ୍ଥା ପ୍ରକୃତରେ ସ୍ପାରକଲିଙ୍ଗ ସଏଲ ପ୍ରା.ଲିଃ ଠାରୁ ଟଙ୍କା ଆଣିଥିଲା। ସ୍ପାରକଲିଙ୍ଗ ସହ ଅଜିତ ପାୱାରଙ୍କ ସମ୍ପର୍କ ରହିଛି।

ସହକାରୀ ଚିନି କାରଖାନାକୁ କିଣିବା ପାଇଁ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃକୁ କେବଳ ଗୋଟିଏ ଡମି ଭାବେ ବ୍ୟବହାର କରାଯାଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି।

କଶ୍ମୀର ପ୍ରସଙ୍ଗରେ ଆମେରିକାର ସହାୟତା ଲୋଡ଼ିବା କେବଳ ମୁର୍ଖତା: ପିଓକେ ପ୍ରଧାମନନ୍ତ୍ରୀ …!

ଏଥର ସମ୍ଭାଳ ବ୍ୟୁରୋ (ମୁଜାଫରବାଦ) : ପାକିସ୍ତାନକୁ ତେର୍ଚ୍ଛାବାଣ ମାରିଛନ୍ତି ପାକ୍‌ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର। ଯଦି ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବ, ତା’ହେଲେ ଏହା କେବଳ ମୁର୍ଖତା ଓ ନିର୍ବୋଧର ପରିଚୟ ହେବ ବୋଲି ପିଓକେ ପ୍ରଧାନମନ୍ତ୍ରୀ କହିଛନ୍ତି।

ହାଇଦର କହିଛନ୍ତି, ପାକିସ୍ତାନ ଅଧିକାରୀମାନେ ନିୟମିତ ଭାବେ ଆମେରିକା କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରୁ ବୋଲି ଦାବି କରିବା ଠିକ୍‌ ନୁହେଁ। କାଣର ଏହା ପ୍ରକୃତ କଶ୍ମୀର ପ୍ରସଙ୍ଗର ବିରୋଧୀ। କଶ୍ମୀରବାସୀଙ୍କ ହାତରେ ବିବାଦର ସମାଧାନର ରାସ୍ତା ରହିଛି। ସେମାନଙ୍କ ଭବିଷ୍ୟତ କ’ଣ ହେବ, ତା’ର ନିଷ୍ପତ୍ତି ନେବାର ଅଧିକାର କେବଳ ସେମାନଙ୍କ ହାତରେ ରହିଛି। ଭାରତ ସରକାର ଅଗଷ୍ଟ ୫ରେ କଶ୍ମୀରକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିବା ପରେ ପାକିସ୍ତାନ ଏହାକୁ ଏପରି ଭାବେ ପରିଚାଳନା କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ହାଇଦର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା କହିଛନ୍ତି। ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଯଦି ସେମାନେ ଅତୀତକୁ ଭୁଲି ଯିବାକୁ ଚାହୁଁଛନ୍ତି, ତା’ହେଲେ ଭୁଲି ଯାଆନ୍ତୁ। ହେଲେ ଆମେ କେବେ ହେଲେ ଅତୀତକୁ ଭୁଲିବୁ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କିଏ କଶ୍ମୀରର ମାନଚିତ୍ର ବଦଳାଇବାକୁ କ୍ଷମତା ଦେଲା?” ହାଇଦର ପାକିସ୍ତାନ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବାକୁ ମନା କରିଛନ୍ତି।

ଏପରି ଦାବି କଶ୍ମୀରବାସୀଙ୍କ ଦାବିକୁ ଗୌଣ୍ୟ କରିଦେବ ବୋଲି ସେ ଆଶଙ୍କା କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କଶ୍ମୀରରେ ନେଉଥିବା ବଡ଼ବଡ଼ ପଦକ୍ଷେପକୁ ରୋକିବା ପାଇଁ ଇମ୍ରାନ ଖାନଙ୍କୁ ଅନୁରୋଧ କରିଛନ୍ତି। କେବଳ ବୟାନବାଜୀ କଲେ କିଛି ହେବ ନାହିଁ ବୋଲି ହାଇଦର କହିଛନ୍ତି।

ଜୁଲାଇ ୩୦ରୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ସେଥିପାଇଁ ଜୁଲାଇ ୩୦ ତାରିଖରୁ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବାକୁ ପଡ଼ିବ। ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ। ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି।

ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।

ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କେତେକ ଛାତ୍ରଛାତ୍ରୀଙ୍କର ଆଶାଠାରୁ କମ୍‌ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସମଗ୍ର ରାଜ୍ୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରିକି ଛାତ୍ରଛାତ୍ରୀମାନେ କଟକସ୍ଥିତ ବୋର୍ଡ ଅଫିସ ଘେରାଉ କରିଥିଲେ। ବିବାଦ ମୁଣ୍ଡ ଟେକିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା।

ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ, ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି କହିଥିଲେ।

ରଘୁନାଥଙ୍କ ବଂଶରେ ଧର୍ମପଦର ଆବିର୍ଭାବ, ମୁଣ୍ଡ ଟେକିବ ଦ୍ୱିତୀୟ କୋଣାର୍କ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ? କରୋନା ପୁରା ପରିବାରକୁ ଶୋକାକୂଳ ଅବସ୍ଥାକୁ ଠେଲି ଦେଇଛି । ଏଭଳି କଠିନ ସମୟରେ ଜେଜେଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ମନୋବଳ ଦୃଢ କରି ଆଗକୁ ଆସିଛନ୍ତି ତାଙ୍କ ନାତି । ରଘୁନାଥଙ୍କ କର୍ମଶାଳାରେ ଏବେ ପୁଣି ଶୁଭିଲାଣି ଠକ୍ ଠକ୍ ଶବ୍ଦ । ତେବେ ସରକାରଙ୍କ ବିନା ପ୍ରୋତ୍ସାହନରେ ଏହା କାଠିକାର ପାଠ ବୋଲି ମତ ଦେଇଛନ୍ତି ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ। 

ପୁଣି ଜାଗିଲା ଦ୍ୱିତୀୟ କୋଣାର୍କର ଆଶା। ଜେଜେ ଯେଉଁଠୁ ଛାଡ଼ିଥିଲେ, ସେଇଠୁ ଆରମ୍ଭ କରିବେ ନାତି। ଓଡ଼ିଆଙ୍କ କଳା ଭାସ୍କର୍ଯ୍ୟର ସର୍ବଶ୍ରେଷ୍ଠ କୃତି ସୂର୍ଯ୍ୟ ମନ୍ଦିର ଭଳି ଅବିକଳ ମନ୍ଦିରଟିଏ ତୋଳିବାକୁ ଜେଜେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ୱପ୍ନରେ ତାଙ୍କ ଅବର୍ତ୍ତମାନରେ ଡେଣା ଖଞ୍ଜିବାକୁ ଆଗେଇ ଆସିଛନ୍ତି ତାଙ୍କ ନାତି ସ୍ମିତେଶ ମହାପାତ୍ର। କେଇ ଦିନ ତଳେ ମହାମାରୀ କରୋନା ଜେଜେ ରଘୁନାଥଙ୍କ ସମେତ ବାପା ଯଶୋବନ୍ତ ଆଉ ଦାଦା ପ୍ରଶାନ୍ତଙ୍କୁ ନେଇ ପୂରା ପରିବାର ଉପରେ ଯେଉଁ ଦାରୁଣ ଖେଳ ଖେଳିଲା, ସେହି ଦୁଃଖରୁ ସ୍ମିତେଶ ଏଯାଏଁ ବାହାରି ପାରିନାହାନ୍ତି ସତ  ହେଲେ ପଣ କରିଛନ୍ତି ଜେଜେଙ୍କ ସ୍ବପ୍ନକୁ, ପରିବାରର କୌଳିକବୃତ୍ତିକୁ ସେ ହିଁ ଆଗକୁ ନେବେ । ସେଇଥିପାଇଁ ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ରଘୁନାଥଙ୍କ ଓ୍ୱାର୍କସପ୍ରେ ଧୀରେ ଧିରେ ପୁଣି ଶୁଭିବାକୁ ଲାଗିଲାଣି ନିହାଣ ଆଉ ହାତୁଡ଼ିର ଶବ୍ଦ । କଥା କହିବାକୁ ଆରମ୍ଭ କଲେଣି ପଥର।

ଦ୍ୱିତୀୟ କୋଣାର୍କ ବା ଆଦିତ୍ୟ ନାରାୟଣଙ୍କ ମନ୍ଦିର ଲାଗି ସ୍ୱର୍ଗତ ରଘୁନାଥ ମହାପାତ୍ର ପୁରୀ-ଭୁବନେଶ୍ୱର ରାସ୍ତାରେ ପାଖାପାଖି ୫୦ ଏକର ଜମି କିଣିସାରିଥିଲେ।  ଆହୁରି ୧୫୦ ଏକର ଆବଶ୍ୟକତା ଥିଲା । ଏଥିପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ଲୋଡିଥିଲେ । କୋଣାର୍କ ଚକ୍ର ସହ କାରୁକାର୍ଯ୍ୟ ସମ୍ପନ୍ନ ଖମ୍ବ ବି ତିଆରି ଚାଲିଥିଲା । ଆଶା ରଖିଥିଲେ ୭-୮ ବର୍ଷ ଭିତରେ ସମ୍ପୂର୍ଣ୍ଣ କାମ ସରିଥାନ୍ତା । କିନ୍ତୁ ତା ପୂର୍ବରୁ ସବୁ ଓଲଟପାଲଟ କରିଦେଲା ମହାମାରୀ । ହେଲେ ଯେଉଁ ନାତିର ହାତ ଧରି ସେ କାମ ଶିଖାଇଥିଲେ, ଯାହାଙ୍କୁ ସାଙ୍ଗରେ ଧରି ଦ୍ୱିତୀୟ କୋଣାର୍କ କାମର ଅନୁକୂଳ କରାଇଥିଲେ,ପରିବାରର ସେଇ ଏକମାତ୍ର ଦାୟାଦ ଏବେ ରଘୁନାଥଙ୍କ ସ୍ୱପ୍ନ ଶାକାର କରିବା ପାଇଁ ଲାଗି ପଡ଼ିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏତେବଡ଼ ପ୍ରକଳ୍ପ କଣ ବିନା ସରକାରୀ ପ୍ରୋତ୍ସାହନରେ ସମ୍ଭବ?ବିଶିଷ୍ଟ ଭାସ୍କଯର୍ୟଶିଳ୍ପୀଙ୍କ ମତରେ ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଢ଼ି ଏଦିଗରେ ପଦକ୍ଷେପ ନିଅନ୍ତୁ।