ସାଢ଼େ ୩ କୋଟି ଟଙ୍କାର କୃଷି ସବ୍‌ସିଡି ଜାଲିଆତି, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ଖୋଳତାଡ଼

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟରେ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡିକୁ କିଛି ଅସାଧୁ ବ୍ୟବସାୟୀ ଓ ଲୋକମାନେ ଲୁଟି ଖାଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗକୁ ସରକାର ଏଡ଼ାଇ ଯାଉଥିବାବେଳେ ଏବେ ବରଗଡ଼ର ଜଣେ ବ୍ୟବସାୟୀଙ୍କୁ ସାଢ଼େ ୩କୋଟି ଟଙ୍କାର କୃଷି ସବସିଡି ଜାଲିଆତିରେ କ୍ରାଇମବ୍ରାଂଚ ଗିରଫ କରିଛି। ଏହି ବ୍ୟବସାୟୀ ଗିରଫ ହେବା ପରେ ରାଜ୍ୟରେ କୃଷି ଯନ୍ତ୍ରାଂଶ ଓ ଉପକରଣରେ ଚାଷୀଙ୍କୁ ମିଳୁଥିବା ସବସିଡିରେ ହେଉଥିବା ଜାଲିଆତି ପଦାକୁ ଆସିଛି। କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖ।। ବୁଧବାର ବରଗଡ଼ର ବ୍ୟବସାୟୀ କମଲଜିତ୍ ସିଂ(୨୩ ବର୍ଷ)କୁ ଗିରଫ କରିଛି ଓ ଅନ୍ୟତମ ଅଭିଯୁକ୍ତ ତା’ର ବଡ଼ଭାଇ ହରପାଲ(୨୭) ଏବେ ଫେରାର ରହିଛି।

ସୂଚନା ଅନୁସାରେ, ଏହି ଦୁଇ ଭାଇ କେରଳସ୍ଥିତ କୃଷି ଯନ୍ତ୍ରାଂଶ ଉତ୍ପାଦନକାରୀ ଏକ କମ୍ପାନୀ ରେଡଲ୍ୟାଣ୍ଡ ଆସଲିନ୍ ମୋର୍ଟସ ପିଏଲସିର ବରିଷ୍ଠ ଅଧିକାରୀ ଭାବେ ନିଜକୁ ଚିତ୍ରଣ କରି ଏହି ଜାଲିଆତି କରିଛନ୍ତି। ସେମାନେ କମ୍ପାନୀର ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ଅଥରାଇଜଡ୍ ଡିଲର ଭାବେ ରାଜ୍ୟ କୃଷି ବିଭାଗରୁ ପଞ୍ଜିକରଣ ପ୍ରମାଣପତ୍ର ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହି ଅଭିଯୁକ୍ତ ଦ୍ୱୟ ବରଗଡ଼, ସମ୍ବଲପୁର, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୭୮ଜଣ ଚାଷୀଙ୍କୁ ଧାନ ଟ୍ରାନ୍ସପ୍ଲାଣ୍ଟର ମେସିନ୍ ବିକ୍ରିର ଜାଲ୍ ଦସ୍ତାବିଜକୁ ରାଜ୍ୟ ସରକାରଙ୍କ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି)ରେ ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଅପଲୋଡ୍ କରିଛନ୍ତି। ଏପରିକି ସେମାନେ ଉକ୍ତ ମେସିନର ଜାଲ୍ ଇଞ୍ଜିନ ଓ ଚେସିସ୍ ନମ୍ବର ସହ ହିତାଧିକାରୀଙ୍କ ଫଟୋଗ୍ରାଫ ମଧ୍ୟ ସରକାରୀ ପୋର୍ଟାଲରେ ଅପଲୋଡ୍ କରଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏହି ଦସ୍ତାବିଜଗୁଡ଼ିକର ସତ୍ୟାସତ୍ୟ ଯାଂଚ ନକରି ୨୭୮ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ଲକ୍ଷରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଅର୍ଥ ଟ୍ରାନ୍ସଫର କରିଛନ୍ତି।

ଏହି ଅଭିଯୁକ୍ତ ଦ୍ୱୟ ମଧ୍ୟ ସମ୍ପୃକ୍ତ ୨୭୮ଜଣ ଚାଷୀଙ୍କୁ ଭୁଆଁ ବୁଲାଇବା ସହ ୫ହଜାର ଟଙ୍କା ଲେଖାଏ ଦେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥକୁ ଉଠାଣ କରି ଦେବାକୁ ପ୍ରବର୍ତ୍ତାଇ ସଫଳ ହୋଇଥିଲେ । କେତେକ ଟେକନିକାଲ କାରଣରୁ ସେମାନଙ୍କର ସମ୍ପର୍କୀୟ ପଠାଇଥିବା ଟଙ୍କା ଭୁଲବଶତଃ ଚାଷୀଙ୍କ ଆକାଉଣ୍ଟକୁ ଆସିଛି । ତେଣୁ ୫ହଜାର ଟଙ୍କା ନେଇ ଉକ୍ତ ଟଙ୍କା ଉଠାଣ କରି ଦେବାକୁ ଅନୁରୋଧ କରିଥିଲେ । ଗରିବ ଚାଷୀମାନେ ମଧ୍ୟ ମାଗଣାରେ ୫ହଜାର ଟଙ୍କା ଫାଇଦା ପାଉଥିବାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇ ଏହି ଦୁଇ ଅଭିଯୁକ୍ତ ଭାଇଙ୍କୁ ଦେଇଥିଲେ । ତେବେ ଏହାପଛରେ ଏଭଳି ଜାଲିଆତି ଓ ଷଡ଼ଯନ୍ତ୍ର ହୋଇଥିବା ସମ୍ପର୍କରେ ଚାଷୀମାନେ କିଛି ବି ଜାଣିନଥିଲେ । ଏହି ଦୁଇ ଭାଇ କୌଣସି କୃଷି ଯନ୍ତ୍ରାଂଶ ନକିଣି ୩.୪୯କୋଟି ଟଙ୍କାର ସରକାରୀ ସବସିଡିକୁ ଲୁଟ୍ କରିବାରେ ସକ୍ଷମ ହୋଇଥିଲେ । ସରକାର ପରବର୍ତ୍ତୀ ସମୟରେ ଏହି କଳା ତାଲିକାଭୁକ୍ତ ସଂସ୍ଥା ରେଡଲ୍ୟାଣ୍ଡ ଆସଲିନ୍ ମୋର୍ଟସ ପିଏଲସି ସମ୍ପର୍କରେ ଖୋଳତାଡ଼ କରିଥିଲେ । ଆଉ କେରଳସ୍ଥିତ ଏହି କମ୍ପାନୀ ମଧ୍ୟ ଅନୁରୂପ ଜାଲିଆତି ସମ୍ପର୍କରେ ଜାଣିବା ପରେ ଚଳିତବର୍ଷ ଏପ୍ରିଲ ମାସରେ ରାଜ୍ୟ ଅର୍ଥନୀତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ କରିଥିଲେ । ଏହାସହିତ ରାଜ୍ୟ କୃଷି ବିଭାଗକୁ ମଧ୍ୟ ସମ୍ପୃକ୍ତ କେରଳ କମ୍ପାନୀ ପକ୍ଷରୁ ଏଭଳି ଜାଲିଆତି ସମ୍ପର୍କରେ ଅବଗତ କରାଯାଇଥିଲା । ଯାହା ଆଧାରରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଏହାର ତଦନ୍ତ କରି କୃଷି ସବସିଡି ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ ।

କେବଳ ବରଗଡ଼ ନୁହେଁ ପୂର୍ବରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଚାଷୀଙ୍କ ନାଁରେ କୃଷି ସବସିଡି ବ୍ୟାପକ ଭାବେ ହରିଲୁଟ୍ ହେଉଥିବା ଅଭିଯୋଗ ଆସିଥିଲା । କିନ୍ତୁ ସରକାର ସେଥିପ୍ରତି ଦୃଷ୍ଟି ଦେଇନଥିଲେ । ଏବେ କ୍ରାଇମବ୍ରାଂଚ ଏସବୁ ଅଭିଯୋଗର ମଧ୍ୟ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି ।

ସରିଲା ସର୍ବଦଳୀୟ ବୈଠକ, ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସବୁ ଦଳର ନେତାମାନଙ୍କୁ କହିଥିବା ଜଣାପଡ଼ିଛି। ତେବେ ଠିକ୍‌ ସମୟରେ ଉପତ୍ୟକାକୁ ପୁଣି ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ସେ କହିଛନ୍ତି। ଏଥିସହ ଦିଲ୍ଲୀ ଓ ଦିଲ୍‌ ମଧ୍ୟରେ ଦୂରତା କମାଇବାକୁ ମଧ୍ୟ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକରେ ୫ଟି ଦାବି ଉପସ୍ଥାପନ କରାଯାଇଛି। ବୈଠକରେ କୌଣସି ନେତା ପାକିସ୍ତାନ ସହ ଆଲୋଚନା କରିବାର ପ୍ରସ୍ତାବ ଦେଇ ନଥିବା ବିଶେଷ ସୂତ୍ରରୁ ସାମ୍ନାକୁ ଆସିଛି। ୨୦୧୮ରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ସେହିପରି ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉପତ୍ୟକାକୁ ଦୁଇ ଭାଗରେ ବିଭକ୍ତ କରିବା ସହ ଧାରା ୩୭୦ ଧାରା ଉଚ୍ଛେଦ କରିଥିଲେ। ଏହାପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ୧୪ ଜଣ ନେତାଙ୍କ ସହ ମୋଦି ବୈଠକ କରିଛନ୍ତି। ଏଥିରେ ଉପତ୍ୟକାର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ମୋଦି ବୈଠକରେ ସୀମା ପୁନଃ ନିର୍ଦ୍ଧାରଣ, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ନିର୍ବାଚନ ପ୍ରସଙ୍ଗରେ ସବୁ ଦଳର ନେତାମାନଙ୍କ ସହ କଥା ହୋଇଛନ୍ତି। ବୈଠକ ବେଳେ ସରକାରଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ କରାଯାଇଥିବା ବିକାଶମୂଳକ ଯୋଜନା ଓ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ମୋଦି ଉପତ୍ୟକାରେ କରୁଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବିକାଶ ଜମ୍ମୁ-କଶ୍ମୀରବାସୀଙ୍କ ମନରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ରାଜନୀତିକ ମତପାର୍ଥକ୍ୟ ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ଜାତୀୟ ସ୍ୱାର୍ଥ ପାଇଁ ସମସ୍ତେ ଏକାଠି କାମ କରିବା ଦରକାର। ଜମ୍ମୁ-କଶ୍ମୀରବାସୀ କେମିତି ଲାଭ ପାଇବେ, ତା’ର ବ୍ୟବସ୍ଥା ଆମ ସମସ୍ତଙ୍କୁ କରିବାକୁ ପଡ଼ିବ। ଜମ୍ମୁ-କଶ୍ମୀରର ସମସ୍ତ ବର୍ଗର ସୁରକ୍ଷା ପାଇଁ ଉପଯୁକ୍ତ ପରିବେଶ ଦରକାର ବୋଲି ମୋଦି ବୈଠକରେ କହିଥିବା ସରକାରୀ ସୂତ୍ରରେ କୁହାଯାଇଛି। ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ସରିବା ମାତ୍ରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ଉପତ୍ୟକାରେ ଗଣତାନ୍ତ୍ରି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତେ ଗୁରୁତ୍ୱ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ବୈଠକରେ ଯୋଗଦେଇଥିବା ଗୁଲାମ ନବୀ ଆଜାଦ ମୋଦିଙ୍କ ଆଗରେ ୫ଟି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବି ଗୁଡ଼ିକ ମଧ୍ୟରେ ଜମ୍ମୁ-କଶ୍ମୀରକୁ ତୁରନ୍ତ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା, ଯଥା ଶୀଘ୍ର ବିଧାନସଭା ନିର୍ବାଚନ କରିବା, କଶ୍ମୀର ପଣ୍ଡିତଙ୍କୁ ଉପତ୍ୟକାକୁ ଫେରାଇ ଆଣି ସେମାନଙ୍କୁ ସୁରକ୍ଷିତ ଭାବେ ଅବସ୍ଥାପିତ କରିବା, ୨୦୧୯ ଅଗଷ୍ଟ ୫ ଠାରୁ ଅଟକ କିମ୍ବା ଗିରଫ ହୋଇଥିବା ସମସ୍ତ ରାଜନୀତିକ ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ଏବଂ ଜମି ଉପରେ ଅଧିକାର ଓ ସରକାରୀ ଚାକିରି କ୍ଷେତ୍ରରେ ସ୍ଥାନୀୟ ବାସୀଙ୍କୁ ଅଗ୍ରାଧିକାର ଦେବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କଂଗ୍ରେସ ନେତା ଗୁଲାମ ନବୀ ଆଜଦ ଦାବି କରିଛନ୍ତି। ବୈଠକରେ ଯୋଗଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ-କଶ୍ମୀରର ସର୍ବାଙ୍ଗିନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜମ୍ମୁ-କଶ୍ମୀରର ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି। ସୀମା ପୁନଃ ନିର୍ଦ୍ଧାରଣ ଓ ଶାନ୍ତିପୂର୍ଣ୍ଣ ବିଧାନସଭା ନିର୍ବାଚନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାଦ୍ୱାରା ହିଁ ସଂସଦରେ ପ୍ରତିଶ୍ରୁତି ମୁତାବକ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ସହଜ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପିଡିପି ମୁଖ୍ୟ ମେହବୁବା ମୁଫତି ଧାରା ୩୭୦ ଲାଗୁ କରିବା ଜରୁରୀ ଓ ଉପତ୍ୟକାର ପରିଚୟ ବୋଲି କହିଛନ୍ତି। ଏଥିପାଇଁ ଶାନ୍ତିପୂର୍ଣ୍ଣ ସଂଘର୍ଷ ଜାରି ରହିବ ବୋଲି ମଧ୍ୟ ମୁଫତି ବୈଠକ ପରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।

ଟ୍ୱିଟର ମୁଖ୍ୟଙ୍କୁ ହାଇକୋର୍ଟରୁ ମିଳିଲା ସୁରକ୍ଷା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗାଜିଆବାଦର ମାରପିଟ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଛନ୍ତି। ଲୋନି ମାରପିଟ ଘଟଣାରେ ଗାଜିଆବାଦ ପୁଲିସ୍‌ ମନୀଷଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବେଙ୍ଗାଲୁରୁରେ ରହୁଥିବା ମନୀଷଙ୍କୁ ଗାଜିଆବାଦ ପୁଲିସ ୪ ଦିନ ମଧ୍ୟରେ ୨ଥର ହାଜର ହେବାକୁ ନୋଟିସ କରିଥିଲା। ଆଜି ଦିନ ୧୧.୩୦ ସୁଦ୍ଧା ତାଙ୍କୁ ଲୋନି ବର୍ଡର ପୁଲିସ୍‌ ଷ୍ଟେସନ ନିକଟରେ ହାଜର ହେବାକୁ ନୋଟିସରେ କୁହାଯାଇଥିଲା। ହେଲେ କାଳେ ପୁଲିସ୍‌ ତାଙ୍କୁ ବୟାନ ରେକର୍ଡ ପାଇଁ ଡାକି ଗିରଫ କରିନେବ, ସେଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ଜଣେ ମୁସିଲିମ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏହି ଭିଡିଓ ନକଲି ବୋଲି ପୁଲିସ୍‌ କହିବା ସହ ଏହାକୁ ଶେୟାର କରିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସହ ଟ୍ୱିଟର ବିରୋଧରେ ମାମଲା କରିଛି। ସୋମବାର ଗାଜିଆବାଦ ପୁଲିସ ମନୀଷଙ୍କୁ ପଠାଇଥିବା ନୋଟିସ୍‌ରେ ବ୍ୟକ୍ତିଗତ ଭାବେ ଜୁନ୍‌ ୨୪ରେ ଲୋନି ବର୍ଡର ପୁଲିସ୍‌ ଷ୍ଟେସନରେ ହାଜର ହେବାକୁ କହିଥିଲା। ଗତ ସପ୍ତାହରେ ସିଆରପିସିର ସେକସନ ୧୬୬ ଅନୁଯାୟୀ ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ପୁଲିସ୍‌ ନୋଟିସ ପଠାଇଥିଲା। ମାହେଶ୍ୱରୀ ତାଙ୍କ ଜବାବରେ କହିଥିଲେ ଯେ ସେ ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତରେ ସାମିଲ ହେବାକୁ ଚାହାନ୍ତି। ତେବେ ଏହାକୁ ପୁଲିସ୍‌ ଅଗ୍ରାହ୍ୟ କରିଥିଲା। ଦ୍ୱିତୀୟ ନୋଟିସରେ ତାଙ୍କୁ ୨୪ ତାରିଖ ଦିନ ୧୧.୩୦ରେ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବାକୁ କୁହାଯାଇଥିଲା।

ଫାଇନାଲରେ ହାରିବା ପରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଲେ ବିରାଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପୁଣି ଗୋଟିଏ ଆଇସିସି ଇଭେଣ୍ଟରେ ପରାସ୍ତ ହୋଇଛି ବିରାଟ ବାହିନୀ। ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ୬ ଦିନ ଧରି ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିବା ପରେ ଟିମ୍‌ ଇଣ୍ଡିଆ ଶେଷରେ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ତ ବିଶ୍ୱ ଟେଷ୍ଟର ନୂଆ ଚାମ୍ପିୟନର ଆଖ୍ୟା ପାଇଛି।ତେବେ ଏହି ପରାଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାର ସଙ୍କେତ ଦେଇଛନ୍ତି। ଫାଇନାଲରେ ଭୁଲକୁ ଠାବ କରି ସୁଧାରିବା ଦିଗରେ ମଧ୍ୟ ସେ କହିଛନ୍ତି। ସାଉଥାମ୍ପଟନରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍‌ ସମସ୍ତଙ୍କୁ ନିରାଶ କରିଛି। ପ୍ରଥମ ଦୁଇ ଦିନ ବ୍ୟାଟିଂ କରିବା କଷ୍ଟକର ଥିଲା ସତ, ହେଲେ ଏହାପରେ ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଇଥିଲା। ବିଶେଷ କରି ଶେଷ ଦିନ ଆରମ୍ଭରୁ ଖରା ଲାଗି ରହିଥିଲା। ତଥାପି ଭାରତୀୟ ବ୍ୟାଟସମ୍ୟାନ ଆଦୌ ଭଲ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ଦଳ ୧୭୦ ରନ୍‌ରେ ଅଲଆଉଟ ହୋଇ ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୩୯ ରନ୍‌ର ଟାର୍ଗେଟକୁ ବେଶ ଚମତ୍କାର ଢଙ୍ଗରେ ଚେଜ୍‌ କରି ବିଜୟୀ ହୋଇଥିଲା। ୨୧ ବର୍ଷ ପରେ କ୍ୱିୱି ଟିମ୍‌ କୌଣସି ଆଇସିସି ଟ୍ରଫି ଜିତି ରେକର୍ଡ ସୃଷ୍ଟି କରିଛି। ମ୍ୟାଚ୍ ପରେ ଆୟୋଜିତ ପ୍ରେସ କନଫରେନ୍ସରେ ବିରାଟ କୋହଲି କହିଛନ୍ତି, ଆମେ ଆଗକୁ ମଧ୍ୟ ଦଳକୁ ସଶକ୍ତ କରିବାକୁ ପ୍ରୟାସ କରିବୁ। ଦଳରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ କ’ଣ ସବୁ ପରିବର୍ତ୍ତନ ଆବଶ୍ୟକ, ତା’ର ଆଲୋଚନା ମଧ୍ୟ ଆଗକୁ ଜାରି ରହିବ। ଆମେ ସବୁବେଳେ ଗୋଟିଏ ପ୍ରକାରର ପାର୍ଟନ କିମ୍ବା ଦୃଷ୍ଟିକୋଣକୁ ନେଇ ଆଗକୁ ଯିବୁ ନାହିଁ। ଦଳର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯିବ। ଆମେ କେବେ ହେଲେ ଗୋଟିଏ ବର୍ଷ ଅପେକ୍ଷା କରିବୁ ନାହିଁ। ଆମକୁ ବହୁତ ଆଗରୁ ସବୁ କିଛି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆପଣ ଯଦି ଆମ ସୀମିତ ଓଭର ଟିମକୁ ଦେଖିବେ, ତା’ହେଲେ ସେଥିରେ ଗଭୀରତା ରହିଛି। ସବୁ ସଦସ୍ୟ ନିଜ ଉପରେ ବିଶ୍ୱାସ ରଖିଛନ୍ତି ଓ ଭଲ ପ୍ରଦର୍ଶନ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛନ୍ତି। ଏବେ ଟେଷ୍ଟ ଟିମରେ ସେମିତି କିଛି କରିବାକୁ ହେବ। ଆମକୁ ସବୁ କିଛି ପୁଣି ଯୋଜନା କରିବାକୁ ପଡ଼ିବ। ଆମକୁ ଠିକ୍‌ ଲୋକଙ୍କୁ ଚିହ୍ନଟ କରି ଠିକଣା ସମୟରେ ପ୍ରଦର୍ଶନ କରିବାର ମାନସିକତା ରଖିଥିବା ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ହେବ। ବ୍ୟାଟିଂ କରିବା ବେଳେ କେମିତି ରନ୍‌ ସଂଗ୍ରହ କରିବାକୁ ହେବ, ତା’ ଉପରେ କାମ କରିବାର ରହିଛି ବୋଲି କୋହଲି କହିଛନ୍ତି। ବିରାଟ ଠିକ୍‌ ଲୋକଙ୍କୁ ଟିମ୍‌କୁ ଆଣିବାର ସମୟ ଆସିଛି ବୋଲି କହିଥିବାରୁ ଆଗକୁ ଦଳରେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ସର୍ବୋଚ୍ଚ ସ୍ଥାନରେ ରବୀନ୍ଦ୍ର ଜାଡେଜା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତକୁ ହରାଇ ଟେଷ୍ଟ କ୍ରିକେଟର ଚାମ୍ପିୟନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କୌଣସି ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ ହେଁ ଆଇସିସି ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି। ଏବେ ସେ ଟେଷ୍ଟ କ୍ରିକେଟର ଅଲରାଉଣ୍ଡର ତାଲିକାରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ସର୍ବୋଚ୍ଚ ସ୍ଥାନ ଦଖଲ କରିଛନ୍ତି। ୨୦୧୭ ଅଗଷ୍ଟ ପରେ ଜାଡେଜା ଏହି ସ୍ଥାନକୁ ପୁଣି କମବ୍ୟାକ କରିଛନ୍ତି। ତାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ହୋଲ୍ଡରଙ୍କ ପଏଣ୍ଟ ସଂଖ୍ୟା ୩୮୪ ରହିଛି। ପୂର୍ବଭଳି ବେନ ଷ୍ଟୋକ୍ସ ୩ନଂ ସ୍ଥାନରେ ରହିଥିବା ବେଳେ ଭାରତର ରବି ଅଶ୍ୱିନ ୪ନଂ ଓ ସାକିବ ଅଲ ହାସନ ୫ନଂ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଘରୋଇ ୱେଷ୍ଟଇଣ୍ଡିଜକୁ ୨-୦ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ୱିଣ୍ଟନ ଡି’କକ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ସେ ଏବେ ୭୧୭ ପଏଣ୍ଟ ସହ ୧୦ନଂ ସ୍ଥାନରେ ରହିଛନ୍ତି। ଷ୍ଟିଭ ସ୍ମିଥ, କେନ ୱିଲିୟମସନ ଓ ମାର୍ନସ ଲାବୁଶେନ ଯଥାକ୍ରମେ ୧ରୁ ୩ ମଧ୍ୟରେ ରହିଛନ୍ତି। ବିରାଟ କୋହଲି ୪ନଂରେ, ୫ନଂରେ ଜୋ ରୁଟ, ୬ନଂରେ ଋଷଭ ପନ୍ତ, ୭ନଂରେ ରୋହିତ ଶର୍ମା, ୮ନଂରେ ହେନେରି ନିକୋଲ୍ସ ଓ ୯ନଂରେ ଡେଭିଡ ୱାର୍ଣ୍ଣର ରହିଛନ୍ତି।

୨୫ ଜୁନ୍, ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବାଚକ ॰ ଜଗଦୀଶ ପ୍ରସାଦ !!!

ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ। ବିଳାସ ବ୍ୟସନ ଓ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ।

ବୃଷ: ପରିବାର ଲୋକଙ୍କ ସହିତ ଭଲ ସଂପର୍କ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାର ପ୍ରଶଂସିତ ହେବେ।

ମିଥୁନ: ଶୁଭଫଳ ପାଇବେ। ଆୟର ନୂଆ ପନ୍ଥା ମିଳିପାରେ। ମିଳିବ। ସହକର୍ମୀ ମାନଙ୍କ ଦ୍ୱାରା ବିଶେଷ ଭାବେ ଲାଭବାନ୍ ହେବେ।

କର୍କଟ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅଧିକରୁ ଅଧିକ ଅର୍ଥ ସଞ୍ଚୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟାର ସମାଧାନ ବୁଝାମଣା ମଧ୍ୟରେ ହୋଇଯିବ।

ସିଂହ: ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ଉତ୍ତମ ବାତାବାରଣ ଦେଖାଦେବ।

କନ୍ୟା: କିଛି ନୂଆ ଦାମୀ ଜିନିଷ କିଣିପାରନ୍ତି। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ।

ତୁଳା: ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଜମିବାଡ଼ି ନେଇ ଥିବା କେତେକ ସମସ୍ୟାର ସମାଧାନ ହୋଇପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବିଛା: ମିତ୍ରମାନଙ୍କ ପରାମର୍ଶ କାମରେ ଲାଗିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ସହକର୍ମୀ ମାନଙ୍କ ସହଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସିକ ଶାନ୍ତି ମିଳିବ। ସୁସମ୍ବାଦ ପ୍ରାପ୍ତି ହେବ।

ମକର: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଯେକୌଣସି ନୂଆ କାମ ଆରମ୍ଭ କରିପାରିବେ।

କୁମ୍ଭ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନୂଆ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ବିନା ଭକ୍ତ ରେ ମହାସମାରୋହରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର – ସ୍ଥାନୀୟ ପ୍ରଶାସନ ର କଟକଣା ମଧ୍ୟରେ ବିନା ଭକ୍ତ ରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମହାସମାରୋହରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା। କରୋନା ସଂକ୍ରମଣ ରୁ ଜନ ସାଧାରଣ ଙ୍କୁ ଦୁରେଇ ରଖିବା ନିମନ୍ତେ ଓଡିଶାର ବିଭିନ୍ନ ସ୍ଥାନରେ ବିନା ଭକ୍ତ ରେ ଦେବସ୍ନାନ ପୂର୍ଣ୍ଣିମା ପାଳନ କରିବା ନେଇ ରାଜ୍ଯ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ସରକାର ଙ୍କ ନିୟମ ସମୂହ କ୍ରମେ କେବଳ କିଛି ମାତ୍ର ସେବାୟତ ଓ ପୂଜକ ଙ୍କୁ ନେଇ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

ଦେବସ୍ନାନ ନୀତିକାନ୍ତି ପାଳନ ପୂର୍ବରୁ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ଏବଂ ସକାଳ ୬ ଘଣ୍ଟିକା ଠାରୁ ରାତ୍ର ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମନ୍ଦିର ମଧ୍ୟରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ଡ଼ାକବାଜି ମାଧ୍ୟମରେ ସୂଚନା ଦିଆଯାଇଥିଲା । ଗତ ବର୍ଷ କୋଭିଡ଼ ନିୟମକୁ ଉଲ୍ଲଂଘନ କରି ମନମାନି ଭାବେ କରାଯାଇଥିବା ରଥ ଯାତ୍ରା ପାଳନ ବ୍ୟବସ୍ଥା ରେ ବହୁ ବିଶୃଙ୍ଖଳା ପରିଲକ୍ଷିତ ହୋଇଥିବା ବିଭିନ୍ନ ଗଣ ମାଧ୍ୟରେ ଖବର ପ୍ରକାଶ ପାଇବା ହେତୁ ବର୍ତ୍ତମାନ ଏଭଳି କଟକଣା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଶୃଙ୍ଖଳିତ ଭାବେ ମହାସମାରୋହରେ ପାଳିତ ଯାତ୍ରା ଉତ୍ସବ ପୂର୍ବ ଅପେକ୍ଷା ସଂକ୍ରମଣକୁ ପ୍ରତିହତ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ଅମାନିଆଙ୍କୁ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଏହି କ୍ରମରେ ଗୁଣପୁର ଠାରେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ମନ୍ଦିର ର ୧ କିଲୋମିଟର ପରିସରକୁ ୧୪୪ ଧାରା ଜାରି କରିଥିଲେ। ଏହାଙ୍କ ପତ୍ର ନମ୍ବର ୨୭୨୮/୨୧ କ୍ରମେ ତା ୨୩/୦୬/୨୧ ରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ସ୍ଥାନୀୟ ଦେବୋତ୍ତର ବିଭାଗ ଅଧିକାରୀ ତଥା ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ନିଷିଦ୍ଧାଞ୍ଚଳ କୁ ବେରିକେଟ ଦେଇ ଆବଦ୍ଧ କରିଥିଲେ।

ମନ୍ଦିର ମଧ୍ୟକୁ ଭକ୍ତ ଙ୍କ ପ୍ରବେଶ ନିଷେଧ ଓ କେବଳ ସେବାୟତ ଓ ପୂଜକ ଙ୍କ ଦ୍ଵାରା ରୀତିକାନ୍ତି ପରିଚାଳନା କରିବା ନିର୍ଦ୍ଦେଶ କୁ ପାଳନ କରିବାକୁ ଯାଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ, ଆଦର୍ଶ ଥାନା ଅଧିକାରୀ ଶ୍ରୀ ଜସୱନ୍ତ ହିଆଲ୍ ନିଷିଦ୍ଧାଞ୍ଚଳ ରେ କଡ଼ା ପହରାର ବନ୍ଦୋବସ୍ତ କରି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ଯ ସରକାର ଙ୍କ ନିର୍ଦ୍ଦେଶ କୁ ମାନିବାକୁ ଯାଇ ଦେବୋତ୍ତର ଅଧିକାରୀ ଏବଂ ଶୃଙ୍ଖଳା ରକ୍ଷାକାରୀ ପୋଲିସ୍ ବିଭାଗୀୟ କର୍ମକର୍ତ୍ତା ମଧ୍ଯ ମନ୍ଦିର ଭିତରକୁ ପ୍ରବେଶ କରିନଥିଲେ। ସ୍ଥାନୀୟ ପ୍ରଶାସକଙ୍କ ଏଭଳି କଡ଼ା ଆଭିମୁଖ୍ୟ କୁ ସ୍ଥାନୀୟ ବୁଦ୍ଧିଜିବୀ ପ୍ରସଂଶା କରିଛନ୍ତି।

ପରନ୍ତୁ ସମ୍ବାଦିକ ଙ୍କୁ ମଧ୍ଯ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରାଯାଇନଥିବାରୁ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା। ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ନାୟକ ଦେବସ୍ନାନ ପୂର୍ଣ୍ଣିମା ସମୟରେ ଘଟିଥିବା ସମସ୍ତ ଘଟଣାବଳୀର ଚିତ୍ର ଉତ୍ତୋଳନ କରି ସାମ୍ବାଦିକମାନଙ୍କ ନିକଟରେ ପହଞ୍ଚାଇ ଦେବା ନିମନ୍ତେ ପ୍ରତିଶୃତି ଦେବା ସହ କେବଳ ସେବାୟତ ଓ ପୂଜକ ଙ୍କୁ କାର୍ଯ୍ୟକ୍ରମ ସମ୍ପାଦନ୍ କରିବା ନିମନ୍ତେ ଅନୁମତି ଥିବାରୁ ପ୍ରଶାସନ ଅଧିକାରୀ ମାନେ ମଧ୍ଯ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରିନଥିବା ଦର୍ଶାଇ ଥିଲେ। ପରବର୍ତ୍ତୀ ସମୟରେ ଖବର ପ୍ରସାରଣ ନିମନ୍ତେ ଫଟୋ ଏବଂ ଭିଡିଓ ର ଆବଶ୍ୟକତା ରହିଥିବା କୁହାଯାଇଥିବାରୁ ଏଗୁଡିକ ସାମ୍ବାଦିକ ଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଗୁଣପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀମତୀ ରଶ୍ମି ରାଣୀ ନିମାକା ଙ୍କ ସହଯୋଗ ରେ ଏହା ସମ୍ପାଦନା କରାଯାଇଥିଲା।

ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମରେ ଗୁପ୍ତେଶ୍ଵର ରଥଶର୍ମା ପୂଜା କାର୍ଯ୍ୟ ଆରମ୍ଭ କରିବା ପରେ ପୂଜକ ମନୋଜ ପାଢ଼ୀ, ସୁଦାମ ପଣ୍ଡା ଓ ଅନ୍ୟ ସେବାୟତ ମାନଙ୍କୁ ନେଇ ୧୦୮ ଗରା ପାଣିରେ ଶ୍ରୀଜୀଉ ଙ୍କ ସ୍ନାନଯାତ୍ରା ପାଳନ ହୋଇଥଲା । ପ୍ରଶାସକ ଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ଼ – ୧୯ ନିୟମକୁ ମାନି ମନ୍ଦିର ପରିସର ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିବା ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ସୂଚନା ଦେଇଛନ୍ତି।

ବିନା ଭକ୍ତରେ ସ୍ନାନ ବେଦୀକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ପାଇଁ ପୂର୍ବ ବର୍ଷ ଇତିହାସର ପୁନରାବୃତ୍ତି ହୋଇଛି।  ବିନା ଭକ୍ତରେ ଖାଁ ଖାଁ ବଡ଼ ଦାଣ୍ଡରେ  ଆୟୋଜିତ ହେଉଛି ସ୍ନାନଯାତ୍ରା ।  ସମ୍ପୂର୍ଣ୍ଣ ରୀତିନୀତି ସହ  ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।  ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ । ୧୦୮ ଗରା ସୁବାସିତ ଜଳରେ ହେବ ମହାପ୍ରଭୁଙ୍କର ମହାସ୍ନାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ ପରେ ବଢି ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେଉଛି ସ୍ନାନ ବିଧି  । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ। ତେବେ ଗଲାବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦେଖି ଛେରାପହଁରା ପାଇଁ ଆସିବେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ମୁଦିରସ୍ତ ପରମ୍ପରା ରକ୍ଷା କରିବେ । ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଗତ ରାତି ୧୦ଟାରୁ ଲାଗୁ ହୋଇଛି ୧୪୪ ଧାରା। ଏହା ଆସନ୍ତା କାଲି ଯାଏ ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପିକେଟିଂ କରୁଛି । ଏହି କଟକଣା ସମ୍ପର୍କରେ ପୁରୀ ପ୍ରଶାସନ ସହରବାସୀଙ୍କୁ ଅବଗତ କରାଇବା ସହ ସହଯୋଗ କରିବାକୁ ନିବେଦନ କରିଛନ୍ତି   ଉପ ଜିଲ୍ଲାପାଳ ଭବତାରଣ ସାହୁ । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଚେତାନୀ ମଧ୍ୟ ଦିଆଯାଇଛି।

ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା।  ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ମନ୍ଦିର ଚତୁପାର୍ଶ୍ୱ, ରଥଦାଣ୍ଡ ସମେତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଧାରା ୧୪୪ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ କରାଯିବ। ତେବେ ବଳଦେବଜୀଉଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମନ୍ଦିର ଠାରୁ ୧ କିଲୋମିଟର ପର୍ଯ୍ୟନ୍ତ କୌଣସି ପ୍ରକାର ଭିଡ଼ ଅଥବା କୋଳାହଳ କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ  । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

୨୪ ଘଣ୍ଟାରେ ସୋଶାଲ ମିଡିଆରୁ ଫେକ ୟୁଜର ଆଇଡି ହଟାଇବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ର ସରକାର ନୂଆ ଆଇଟି ନିୟମରେ କହିଛନ୍ତି ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଥିବା ଫେକ୍ ଆଇଡି ଅକାମି ହେବା ଦରକାର। ଅନେକ ବଡ଼ ବଡ଼ ବ୍ୟକ୍ତି, କମ୍ପାନୀଙ୍କ ନାଁ ଏବଂ ଫଟୋ ଲଗାଇ ମଧ୍ୟ ସୋଶାଲ ମିଡିଆରେ ୟୁଜର ଆଇଡି ତିଆରି ହୋଇଛି। ଏବେ ଏହି ସବୁ ଆକାଉଣ୍ଟକୁ ସୋଶାଲ ମିଡ଼ିଆରୁ ହଟାଇବା ଦରକାର। ଏ ନେଇ କେନ୍ଦ୍ର ସରକାର ସୋଶାଲ ମିଡିଆ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୨୪ ଘଣ୍ଟାର ମହଲତ ମଧ୍ୟ ଦେଇଛନ୍ତି ସରକାର। ଏଭଳି ହେଲେ ସେଶାଲ ମିଡିଆରେ ଘୂରି ବୁଲୁଥିବା ବିଭିନ୍ନ ଗୁଜବ ଉପରେ ରୋକ୍ ଲାଗି ପାରିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି କୌଣସି ରାଜନେତା, ବ୍ୟୁରୋକ୍ରାଟ, କ୍ରିକେଟର, ସିନେ ତାରକାଙ୍କ ଫଟୋକୁ ପ୍ରୋଫାଇଲ ଇମେଜ ଭାବରେ ରଖି ନିଜର ସୋଶାଲ ମିଡିଆ ଫଲୋଅର ବଢ଼ାଇବାକୁ ଚେଷ୍ଟା କରୁଥାନ୍ତି। ଆଉ ପ୍ରୋଫାଇଲ ଇମେଜ ଯାହାର ସିଏ ଏହାକୁ ନେଇ ଆପତ୍ତି ଉଠାଇବେ ତାହେଲେ ତୁରନ୍ତ ସେହି ଆକାଉଣ୍ଟକୁ ଡିଆକ୍‌ଟିଭ୍ କରିବା ଦରକାର। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ସରକାର ତାଙ୍କ ନିୟମରେ କହିଛନ୍ତି, ଏବେ ବିଭିନ୍ନ ବଡ଼ ବଡ଼ ବ୍ୟକ୍ତିତ୍ୱ ବା ଲୋକପ୍ରିୟ ବ୍ୟକ୍ତିଙ୍କ ନାଁକୁ ବ୍ୟବହାର କରି ସୋଶାଲ ମିଡିଆରେ ଆଇଡି ତିଆରି ହେଉଛି। ଏଭଳି ଅନ୍ୟ ଜଣେ କରିବା ଦ୍ୱାରା ସେହି ଲୋକଙ୍କର ବିଭିନ୍ନ ସମୟରେ ସମ୍ମାନହାନୀ ହେଉଛି। ଆଉ କିଛି ସେହି ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟାନ୍ୟ କାମ କରୁଛନ୍ତି। ଏଭଳି କରି ଅନେକ ଲୋକଙ୍କ ନାଁରେ ଚାନ୍ଦା ଉଠାଉଥିବାର ମଧ୍ୟ ନଜିର ରହିଛି। ମୁଖ୍ୟତଃ ଫେକ୍ ଆଇଡି ଜରିଆରେ ଏଭଳି କାମ ସୋଶାଲ ମିଡିଆରେ ହେଉଛି। ତେଣୁ ଆଇଟି ନିୟମ ଅନୁଯାୟୀ ଜଣେ ୟୁଜରଙ୍କୁ ତାର ଆକାଉଣ୍ଟ ଭେରିଫାଇ କରିବାକୁ ସୁଯୋଗ ଦିଆଯିବା ଦରକାର ବୋଲି ସରକାର କହିଛନ୍ତି। କିନ୍ତୁ କମ୍ପାନୀ ଏଭଳି ଭେରିଫାଇ କରିବାକୁ ଦେବ କି ନାହିଁ ତାହା ତାର ଇଚ୍ଛାଧୀନ।