ୱେବ୍ ସିରିଜ ପାଇଁ ସଜବାଜ ମିସେସ୍ ବଚ୍ଚନ…!

ଏଥର ସମ୍ଭାଳ ବ୍ୟୁରୋ(ମୁୁମ୍ବାଇ)- ରାଜନୀତି ପରେ ଏବେ ଆଉ ଏକ ନୂଆ ଦୁନିଆରେ ପାଦ ରଖିଛନ୍ତି ବଲିଉଡରେ ବର୍ଷିଆନ୍ ଅଭିନେତ୍ରୀ ଜୟା ବଚ୍ଚନ। ସ୍ୱାମୀ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପରେ ମା’ ଜୟ ବଚ୍ଚନ ଏବେ ଡିଜିଟାଲରେ ଡେବ୍ୟୁ କରିବେ। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ରିପୋର୍ଟ ମୁତାବକ, ଜୟା ବଚ୍ଚନ ୱେବ୍ ସିରିଜରୁ ଡିଜିଟାଲରେ ଡେବ୍ୟୁ କରିବେ। ଏହି ୱେବ୍ ସିରିଜର ଅସ୍ଥାୟୀ ନାଁ ‘ସଦାବାହାର’ ରଖାଯାଇଛି। ଏଥିରେ ତାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ। ଏହି ୱେବ୍ ସିରିଜ ପାଇଁ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜୟା, ଏଥିପାଇଁ ସୁଟିଂ ଆରମ୍ଭ କରିଦେଇଥିଲେ । ତେବେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସୁଟିଂକୁ ଅଧାରୁ ଅଟକାଇବାକୁ ପଡିଥିଲା। ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ୱେବ୍ ସିରିଜର ସୁଟିଂ ଆରମ୍ଭ ହୋଇଛି। ବାୟୋ ବବଲ୍ ଫର୍ମାଟରେ ଏହାର ସୁଟିଂ ଚାଲିଛି। ଏହି ୱେବ୍ ସିରିଜ ଜରିଆରେ ଦୀର୍ଘ ୫ ବର୍ଷ ପରେ ପୁଣି ଜୟା ବଚ୍ଚନଙ୍କୁ ପରଦାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ସେ କରିନା କପୁର ଖାନ୍ ଓ ଅର୍ଜୁନ କପୁର ଅଭିନୀତ ଫିଲ୍ମ ‘କି ଆଣ୍ଡ କା’ରେ ନଜର ଆସିଥିଲେ। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ ଗେଷ୍ଟ ଏପିୟରେନ୍ସ ଦେଇଥିଲେ।

୨୭ ଜୁନ୍‌, ରବିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ।

ବୃଷ: ଜନସେବାରେ ନିଜକୁ ନିୟୋଜିତ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି।

ମିଥୁନ: ସହକର୍ମୀମାନେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ସନ୍ତାନଙ୍କ ପକ୍ଷରୁ ରହିଥିବା ଚିନ୍ତା ଦୂର ହେବ। ଆକସ୍ମିକ ଅର୍ଥଲାଭ ହେବ। ସମ୍ମାନ ବୃଦ୍ଧିହେବ।

ସିଂହ: ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

କନ୍ୟା: ସହଜରେ କୌଣସି କଠିନ ସମସ୍ୟାର ସମାଧାନ ହୋଇଯିବ। ଏଥିରେ ଆତ୍ମୀୟଙ୍କ ସହଯୋଗ ପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା: ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ।

ଧନୁ: ପୁରୁଣା ରୋଗରୁ ଉପଶମ ମିଳିବ। ଆୟ ବୃଦ୍ଧି ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର: ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ। ମାନସିକ ଅଶାନ୍ତି ଦୂରହେବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ।

କୁମ୍ଭ: ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ।

ମୀନ: ବନ୍ଧୁଙ୍କ ଠାରୁ ଉପହାର ପ୍ରାପ୍ତି ହେବ। ଶତ୍ରୁମାନେ ପରାଜିତ ହେବେ। କମ୍ ପରିଶ୍ରମରେ ଭଲ ଫଳ ପାଇବେ।

ପାଂଜାବାଲି ଗାଁର କଇଁଶୀ ତିରାଳିଙ୍କୁ 12 ବର୍ଷ ହେଲା ମିଳୁନି ବିଧବା ଭତ୍ତା।

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଘମଟଗୁଡା ପଂଚାୟତ ଅନ୍ତର୍ଗତ ପାଂଜାବାଲି ଗାଁର ୬ଜଣ ବିଧବାଙ୍କୁ ମିଳୁନି ବିଧବାଭତ୍ତା।ଏନେଇ ସମ୍ପୃକ୍ତ ମହିଳାମାନେ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀମାନଙ୍କୁ ଆବେଦନ କରି କରି ନୟାନ୍ତ ହୋଇଗଲେଣି ସିନା,କେହି ଗୁହାରୀ ଶୁଣି ପଦକ୍ଷେପ ନେଉନଥିବା ବିଷୟ ମହିଳାମାନେ ଗଣମାଧ୍ୟମ ଆଗରେ କହିଛନ୍ତି।ଆମ ସମାଜରେ ଜଣେ ବିଧବା ମହିଳାର ବେସାହାରା ପରିସ୍ଥିତି, ସମାଜର ଅନେକ କଟକଣା ଓ ଦୈନ୍ୟତାକୁ ଲକ୍ଷକରି ସରକାର ସହାୟତା ସ୍ୱରୂପ ତାପାଇଁ ଭତ୍ତା ବ୍ୟବସ୍ଥା ରଖିଛନ୍ତି।କିନ୍ତୁ ଦୁଃଖର କଥା କେତେଜଣ ବୈମାତୃକ ମନୋଭାବ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ପାଇଁ ଅବହେଳିତ ମହିଳାମାନେ ଆହୁରି ଦୁଃଖର ଦରିଆ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି।ଏହିଭଳି ଘଟଣା ଘଟିଛି ପାଂଜାବାଲି ଗାଁର ଛଅ ଜଣ ଗରିବ ବିଧବା ମହିଳାଙ୍କ ପରିବାରରେ।ଏହି ଗାଁର ମହିଳା ଯମୁନା ଗୁଲାଙ୍କସ୍ୱାମୀ ଇନ୍ଦ୍ର ଗୁଲା ୪ବର୍ଷ ପୂର୍ବରୁ ମରିଗଲେଣି।ନିଜ ନାଁରେ ଘରପଟ୍ଟା ନଥିବାରୁ ମିଳିଥିବା ଆବାସ ଯୋଜନା ଫେରିଗଲା ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ସାଇବାଣୀ ୩ବର୍ଷ ତଳରୁ ବିଧବା ଭତ୍ତା ପାଇଁ ଗୁହାରି କରିଥିଲେ।ଡ଼ମୁଣି ଆର୍ଯ୍ୟର ସମାନ ଅବସ୍ଥା,କଇଁସି ତିରାଳି ଆଜକୁ୧୨ବର୍ଷ ହେବ ବିଧବା ହୋଇ ସରକାରୀ ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଆଶା ଛାଡ଼ିଦେଲେଣି।ଦେବା ବେଉରା ଓ ପୁଷ୍ପା ବସାରି ୩ବର୍ଷ ହେବ ବିଧବା, ଏହିଭଳି ମହିଳାମାନେ ଭତ୍ତା ନ ପାଇବା ଅତ୍ୟନ୍ତ ହୃଦୟସ୍ପର୍ଶୀ।ୱାର୍ଡ ସଭ୍ୟ ଡମ୍ବୁରୁ କିମା ପ୍ରକାଶ କରିଛନ୍ତି ଯେ,ସବୁ କାଗଜପତ୍ର ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି, ମାତ୍ର କାହିଁକି ହୋଇପାରିନି,ତାଙ୍କୁ ହିଁ ଜଣା।ଏହିଭଳି ନିରାଶ୍ରୟା ମହିଳାଙ୍କୁ ଭତ୍ତା ମିଳିବା ନିହାତି ଦରକାର ବୋଲି ଗ୍ରାମବାସୀ କହିଛନ୍ତି।

ଆନ୍ଧ୍ର -ଓଡିଶା ବଂଶଧାରା ନଦୀ ଜଳ ବିବାଦ; ବଂଶଧାରା ନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଦାବି…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ୨୦୦୬ ମସିହାରୁ ଲାଗି ରହିଥିବା ଅନ୍ଧ୍ର-ଓଡିଶା ବଂଶଧାରା ନଦୀ ଜଳ ବିବାଦ କୁ ମାନ୍ୟବର ସୁପ୍ରିମକୋର୍ଟ ର ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ କୁ ସବୁଜ ସଙ୍କେତ ଦେବା ପରେ ଏହାକୁ ନେଇ ଓଡିଶା ସରକାର ଙ୍କ କିଛି ପ୍ରତିକ୍ରିୟା ନଥିଲେ ହେଁ ଏହାକୁ ଗୁଣପୁର ସହର ବାସୀ ସହଜ ରେ ହଜମ କରିପାରୁ ନାହାନ୍ତି । ଏହାକୁ ନେଇ ଆଜି ଗୁଣପୁର ସହର ବାସୀ ଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଭେଙ୍କେଟେଶ୍ୱର ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ନବ ନିର୍ମାଣ ସମିତି ର ଅଧ୍ୟକ୍ଷ ଅକ୍ଷୟ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବଂଶଧାରା ନଦୀ ଅବବହିକା ସୁରକ୍ଷା ସମିତି ର ଦୀର୍ଘ ଦିନ ଧରି ଦାବୀ କରିଆସୁଥିବା କୌଣସି ଦାବି ସରକାର ପୂରଣ କରିନଥିବା ବିଶେଷ କରି ବଂଶଧାରା ନଦୀ କୁ ରାଜ୍ୟ ସରକାର ସଦବିନିଯୋଗ ଜରିନଥିବା ରୁ ଏହି ଅଂଚଳର କୃଷି ଓ କୃଷକ ଙ୍କ ବିକାଶ ହୋଇ ପାରୁନାହିଁ ତେଣୁ ତୁରନ୍ତ ଟ୍ରିବ୍ୟୁନାଲ ଦେଇଥିବା ରାୟ କୁ ସମ୍ମାନ ଜଣାଇ ବଂଶଧାରା ନଦୀ ଜଳ ର ସଦ ବିନିଯୋଗ କରିବା ପାଇଁ ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ ଜରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦେବାକୁ ବୈଠକରେ ନିଷ୍ପତ୍ତି ହେବା ସହ ଏହି ଦାବି ପତ୍ର ଦେବା ପରେ ଯଦି ସରକାର କିଛି ନିର୍ଯାସ ନ କାଡନ୍ତି ତେବେ ପରବର୍ତ୍ତୀ ସମୟରେ ଆନ୍ଦୋଳନ କରାଯିବ ନେଇ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ଦାବିପତ୍ର ଗୁଣପୁର ଓକିଲ ସଂଘକୁ ପ୍ରସ୍ତୁତ କରିବ ଓଏହାକୁ ସହରବାସୀ ଙ୍କ ପକ୍ଷରୁ ଆସନ୍ତା ସୋମବାର ଦିନ ଉପ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନବ ନିର୍ମାଣ ସମିତି ର ସମ୍ପାଦକ ରଂଜୀତ ପାଢ଼ୀ ଙ୍କ ଆବାହକ ତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ସଭାପତି ଉମା ଶଙ୍କର ଦାସ ବୈଠକ ର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଓକିଲ ସଂଘ ର ସଭାପତି ବରିଷ୍ଠ ଓକିଲ ଡ଼ି:ବ୍ରହ୍ମା ନନ୍ଦ ପଟ୍ଟନାୟକ ,ଉମା ପଟ୍ଟନାୟକ ,ପୂର୍ବତନ ନଗରପାଳ ଶିବ ପ୍ରସାଦ ଗୌଡ଼ ,କଂଗ୍ରେସ ନେତା ଏସ:ବାବା ପ୍ରସାଦ ,ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡା , ବିଜେଡି ର ଯୁବ ନେତା ମୁନା ପାଣି ସମେତ ବହୁ ଯୁବକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।ଏଠାରେ ଉଲେଖ ଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ରର ଏହି ନେରେଡି ପ୍ରକଳ୍ପ କୁ ବିରୋଧ କରି ଗୁଣପୁର ବସି ପୂର୍ବଦିନ ଗୁଡିକ ରେ ବହୁ ବାର ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଗୁଡ଼ାରି ରେ ପାଣି ଡଙ୍ଗର ମୀନା ଝୋଲା ରେ ଋଷିକୂଲ୍ୟା -ବଂଶଧାରା ନଦୀ ସଂଯୋଗୀକରଣ ଯୋଜନ ରେ ସାମିଲ କରି ଏକ ସର୍ଭେ ଉପଖଣ୍ଡ କାର୍ଯ୍ୟାଳୟକୁ ବିଜେଡି ସରକାର ର ରବି ନାରାୟଣ ନନ୍ଦ ଜଳସେଚନ ବିଭାଗର ମନ୍ତ୍ରୀ ଥିବା ବେଳେ ଉଦ୍ଘାଟନ କରିଥିଲେ ।ତେବେ ତାହାସବୁ କାହିଁକି ଓ କୁଆଡେ ଗଲା ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

ଆଜିଠାରୁ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାରେ ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ , ସାରା ବିଶ୍ବ ତଥା ଭାରତ ବର୍ଷରେ କରୋନା ମହାମାରୀର ଭୟାବହତାକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୧ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ ସମୟ ଧରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପ୍ରଭୃତି କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଉଭୟ ଜୀବନ-ଜୀବିକାକୁ ନେଇ ବହୁଳ ଭାବେ ବିଭିନ୍ନ ସମୟରେ ତର୍କ-ବିତର୍କ ହୋଇ ଭାରତ ତଥା ଓଡିଶାର ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣର ବୃଦ୍ଧି ଉପରେ ମୁକାବିଲା କରି ଏଥିରେ ରୋକ ଲଗାଇବା ପାଇଁ ବସ୍ ଓ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି । ଏହା ହେବା ଦ୍ୱାରା ବହୁ ବ୍ୟକ୍ତି ବିଶେଷ ଗମନା ଗମନର ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୨୦୨୦ ମସିହାରେ ଜୁଲାଇ ମାସ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପରେ କରୋନାର ପ୍ରାଦୁର୍ଭାବ କିଛିଟା କମିଯିବା ଫଳରେ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମର ନିର୍ଦ୍ଦେଶାବଳୀ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ କରିଥିଲା । ଚଳିତବର୍ଷ ଦେଖା ଦେଇଥିବା କରୋନା ମହାମାରୀର ଦ୍ଵିତୀୟ ଲହରରେ ମଇ ମାସ ୫ ତାରିଖ ଠାରୁ ମଇ-୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକ୍ ଡାଉନ୍ , ପୁଣି ମଇ ମାସ ୨୦ ତାରିଖରୁ ମଇ-୩୧ ତାରିଖ ପର୍ଯ୍ୟନ୍ତ ୨ୟ ଲକ୍ ଡାଉନ୍ ଓ ଜୁନ ମାସ ୧ ତାରିଖରୁ ଜୁନ-୧୬ ତାରିଖ ପର୍ଯ୍ୟନ୍ତ ୩ୟ ଲକ୍ ଡାଉନ୍ ଏବଂ ଜୁନ-୧୭ ତାରିଖ ଠାରୁ ଜୁନ-୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି । ଏମିତିକି , ଏହାର ପ୍ରଥମ ଲକ୍ ଡାଉନ୍ ଅର୍ଥାତ ମଇ-୫ ତାରିଖ ଠାରୁ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ନୌପଡା-ଗୁଣୁପୁର ରେଳପଥ ଅନ୍ତର୍ଗତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଦେଇ ସମୁଦାୟ ୪ ଯୋଡ଼ା ଟ୍ରେନ ଯଥା:- ରାଉରକେଲା-ଗୁଣୁପୁର , ପୁରୀ-ଗୁଣୁପୁର , ବିଶାଖାପାଟଣା-ଗୁଣୁପୁର ଓ ପଲାସା-ଗୁଣୁପୁର ଟ୍ରେନ ସବୁ ଚଳାଚଳ କରୁଥିଲା । ମହାମାରୀ କରୋନାର କୋଭିଡ୍ ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ସେହି ପ୍ରକାରେ ରେଳ ବିଭାଗ ପକ୍ଷରୁ ପ୍ରଥମେ ଗୁଣୁପୁର-ବିଶାଖାପାଟଣା ଓ ପରେ ପୁରୀ-ଗୁଣୁପୁର ଟ୍ରେନକୁ ଚଳାଚଳ କରାଇଥିଲେ । କିନ୍ତୁ ରାଉରକେଲା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ଦୁଇ ଟ୍ରେନର ଚଳାଚଳକୁ ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ପରେ ଅଞ୍ଚଳବାସୀଙ୍କ ବାରମ୍ବାର ଟ୍ରେନ ଚଳାଚଳ କରାଯିବାକୁ ଦାବୀ କରାଯିବା ଫଳରେ ବିଳମ୍ବରେ ହେଲେ ମଧ୍ୟ ଚଳିତ ମାସର ଆସନ୍ତା(ଜୁନ)୨୭ ତାରିଖ ଠାରୁ ଏହି ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ ୨୭ ତାରିଖ ଦିନ ଚଳାଚଳ କରିବାକୁ ଥିବା ଏହି ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନର ସମସ୍ତ ଟିକଟ ଅନଲାଇନରେ ହିଁ ମିଳିପାରିବ । ଏହି କୋଭିଡ୍ ସ୍ପେସିଆଲ ଟ୍ରେନ ସପ୍ତାହକୁ ୩ ଦିନ ଅର୍ଥାତ ରାଉରକେଲାରୁ (୧)-ରବିବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ସୋମବାର ମଧ୍ୟାହ୍ନରେ (୨) ରାଉରକେଲାରୁ ମଙ୍ଗଳବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ବୁଧବାର ମଧ୍ୟାହ୍ନରେ ଏବଂ (୩)-ରାଉରକେଲାରୁ ଗୁରୁବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ଶୁକ୍ରବାର ମଧ୍ୟାହ୍ନରେ ପହଞ୍ଚିବ । ଏହି ଟ୍ରେନ ମୁଖ୍ୟତଃ ସପ୍ତାହକୁ ମାତ୍ର ୩ ଦିନ ଚଳାଚଳ କରିବାକୁ ଥିବା ବେଳେ ଏହା ୩ ଦିନ ଯାକ ରାଉରକେଲାରୁ ରାତି ୯-୫୦ ଘଣ୍ଟା ସମୟରେ ବାହାରି ତା ପରଦିନ ଅର୍ଥାତ ସୋମବାର ସକାଳ ୬ଟାରେ ଭୁବନେଶ୍ୱର , ସକାଳ ୮-୨୯ରେ ବ୍ରହ୍ମପୁର , ପୂର୍ବାହ୍ନ ୧୧-୫୩ରେ ପାରଳାଖେମୁଣ୍ଡି ଏବଂ ମଧ୍ୟାହ୍ନ ୧-୫୫ ରେ ଗୁଣୁପୁର ଠାରେ ପହଞ୍ଚିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି । କରୋନା ମହାମାରୀ ସମୟରେ ଏହି ନୌପଡା-ଗୁଣୁପୁର ରେଳପଥରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ପୁଣି ଆସନ୍ତା ଏହି ଜୁନ-୨୭ରେ ଏହି ରେଳପଥର ରାଉରକେଲା-ଗୁଣୁପୁର ଟ୍ରେନ ଚଳାଚଳ କରିବା ଦ୍ୱାରା ଗମନାଗମନ ବିହୀନ ଏହି ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ଆଦିବାସୀ ବହୁଳ ଗଜପତି ଓ ରାୟଗଡା ଜିଲ୍ଲାବାସୀ କିଛି ମାତ୍ରାରେ ଏହାଦ୍ୱାରା ବେଶ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା ; ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିରେ ଏଭଳି ନିଆରା ଦେବସ୍ନାନ ଯାତ୍ରା ଯୁଗ-ଯୁଗରୁ ଅନୁଷ୍ଠିତ ହୋଇ ଆସୁଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିର ପାଦ-ଦେଶରେ ଥିବା ଆଦିବାସୀ ବହୁଳ ଦୁର୍ଗମ ଭରା ଖମାରୀ ସାହି ଗ୍ରାମରେ । ଗ୍ରାମରେ ତଥା ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ଥିବା ପାହାଡ଼ ଉପରେ ଥିବା ଏକ ବିରାଟକାୟ ଜିଡ଼ ବଟବୃକ୍ଷ ତଳେ କେଉଁ ଯୁଗ ଯୁଗରୁ ଶବର ଆଦିବାସୀ ମାନଙ୍କ ଦ୍ୱାରା ପୂଜା ପାଇ ଆସୁଅଛନ୍ତି ପାଷାଣ ଜଗନ୍ନାଥ । ସେଠାରେ ତାଙ୍କର ପୂଜାର୍ଚ୍ଚନା ସହ ଦେବସ୍ନାନ ଯାତ୍ରା ନିଆରା ଢଙ୍ଗରେ ସମ୍ପନ୍ନ ହୋଇଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶବର ଆଦିବାସୀ ମାନେ ନୂଆ ପୋଷାକ ପରିଧାନ କରି ସଂକୀର୍ତ୍ତନ ମଣ୍ଡଳୀ ସହ ବାଜା-ଢ଼ାମ୍ପ , ଘଣ୍ଟ ଗିନୀ ବଜାଇ ପ୍ରଥମେ ପାଷାଣ ଜଗନ୍ନାଥ ଥିବା ପାହାଡ଼ ଉପରକୁ ଯାଇ ସେଠାରେ ପାଷାଣ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ବେଳେ ତିନି ଠାକୁରଙ୍କୁ ବନ୍ୟଜାତ ଫଳ ଯଥା:- ପଣସ , ଆମ୍ବ , ସପୁରୀ , ଖଜରା , କଦଳୀ ସହ ବିଭିନ୍ନ ପ୍ରକାରର ଔଷଧୀୟ ଡାଳ-ଚେର ପ୍ରଭୃତି ଦେଇ ରଖି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ । ତା’ ପରେ ସେଠାରେ ଥିବା ଶ୍ରୀମନ୍ଦିରକୁ ଯାଇ ଦାରୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ପରେ ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ଠାରେ ଥିବା ଦେବସ୍ନାନ ମଣ୍ଡପକୁ ଦାରୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଶବର ଆଦିବାସୀ ମହିଳା ମାନେ ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀକୁ ଯାଇ ସେଠାରୁ ୧୦୮ କାଳସୀରେ ଜଳ ଆଣି ଗ୍ରାମ ପରିକ୍ରମା କରି ପରେ ପାହାଡ଼ ଉପରକୁ ଯାଇ ସେଠାରେ ଥିବା ତିନି ଠାକୁରଙ୍କ ଜଳାଭିଷେକ ତଥା ସ୍ନାନ କରିଥିଲେ । ସ୍ନାନ ପରେ ମହିଳା ଓ ଅନ୍ୟମାନେ ପାରମ୍ପରିକ ନାଚରେ ମସଗୁଲ ହୋଇ ପଡ଼ିଥିଲେ । ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀବାବା ତଥା ସନ୍ଥ ସରସ୍ୱତୀ ଭାସ୍କର ତୀର୍ଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପୂଜକ ଦ୍ବୟ କୌଶିକ ଶବର ଓ ଭାସ୍କର ଶବରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ପାଷାଣ ଜଗନ୍ନାଥଙ୍କ ପୂଜା ପରମ୍ପରା ପ୍ରକାରେ ଜଣାଯାଏ ଯେ , ପ୍ରାୟ ୧ ହଜାର ବର୍ଷ ପୂର୍ବେ ବିଶ୍ୱାବସୁ ଶବର , ନୀଳ ମାଧବଙ୍କୁ ନୀଳ କନ୍ଦରରେ ପୂଜାର୍ଚ୍ଚନା କରିବା ସମୟରେ ଶବର ମାନେ ପଥର ଜଗନ୍ନାଥଙ୍କୁ ପୂଜା କରି ଆସୁଥିଲେ ।ତା’ପରେ ଦାରୁବ୍ରହ୍ମ , ପୁରୀ ଶ୍ରୀମନ୍ଦିରକୁ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରୁ ଦାରୁ ରୂପେ ସ୍ୱତଃ ଯାଇଥିଲେ ଏବଂ ଶ୍ରୀମନ୍ଦିରରେ ୩ଟି ଦାରୁ ବିଗ୍ରହ ହୋଇ ପୂଜା ପାଇଲେ । ସେହି ସମୟରୁ ଏହି ମହେନ୍ଦ୍ରଗିରି ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ୩ଟି ପଥରର ପୂଜା ପରମ୍ପରା ଚାଲି ଆସୁଥିବା ଜଣାଯାଏ । ଅନ୍ୟ ପକ୍ଷରେ ଏହି ପୂଜା ପରମ୍ପରା ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଏହି ଦିନରେ ଶବର ମହିଳା ମାନେ ଶ୍ରୀଜଗନ୍ନାଥଙ୍କୁ ପ୍ରତ୍ୟହ ଶ୍ରୀଗୁଣ୍ଡିଚା ରଥଯାତ୍ରା ପର୍ଯ୍ୟନ୍ତ ବନ୍ୟଜାତ ଦ୍ରବ୍ୟ ଫଳ ,ଫୁଲ ଓ ଔଷଧୀୟ ଡାଳ ମୂଳ ଫଳ ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି । ପରେ ସେହି ସବୁ ଭୋଗ ହେବାପରେ ପ୍ରାସାଦ ଭାବେ ତାହାକୁ ଖାଉଛନ୍ତି ।
ଏହି ପରମ୍ପରା ବହୁ ଯୁଗରୁ ଏ ଅଞ୍ଚଳରେ ଚାଲି ଆସୁଛି ବୋଲି ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀ ବାବା ତଥା ସରସ୍ୱତୀ ଭାସ୍କରତୀର୍ଥ କହିଛନ୍ତି ।

ପାରଳାଖେମୁଣ୍ଡି ଠାରେ ଲିକ୍ୟୁଡ଼ ମେଡିକାଲ ଅକ୍ସିଜେନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍ ମୋଡରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାରେ କରୋନା ମାହାମାରି ସମୟରେ ସ୍ୱାସ୍ଥ୍ୟ ସେବାରେ ବିଶେଷ ଉନ୍ନତି ଆଣିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସିଙ୍ଗ ତଥା ଭର୍ଚୁଆଲ୍ ମୋଡରେ “ଲିକ୍ୟୁଡ଼(ତରଳ) ମେଡିକାଲ ଅକ୍ସିଜେନ” ର ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍‌ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଯାଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ । ଅନ୍ୟପକ୍ଷରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର ମଧ୍ୟ ବିଶେଷ ସଫଳ ହୋଇପାରିବେ । ଯାହାକି , ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିଶେଷ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ଫଳରେ ଜିଲ୍ଲାବାସୀ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ ଏବଂ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୃଢ଼ୀକରଣ ମଧ୍ୟ ହୋଇପାରିବ ।

ମୁଖ୍ୟତଃ କୋଭିଡ୍ ମାହାମାରି ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ଅକ୍ସିଜେନର ନିଶ୍ଚିତ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଇ ରାଜ୍ୟର ଅନେକ ଚିକିତ୍ସା କେନ୍ଦ୍ର ସମେତ ଗଜପତି ଜିଲ୍ଲାର ସମସ୍ତ କେନ୍ଦ୍ରକୁ ଠିକ ସମୟରେ ଅକ୍ସିଜେନ ଯୋଗାଇ ଦେବାରେ ଏହା ବେଶ ସହାୟକ ହୋଇପାରିବ ।
ଏହି ଲିକ୍ୟୁଡ଼ ମେଡିକାଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରକଳ୍ପ ସ୍ଥାପନ ହେବାଦ୍ୱାରା ଜିଲ୍ଲାର ଚିକିତ୍ସାଳୟ ମାନଙ୍କରେ ଦେଖା ଯାଉଥିବା ଅକ୍ସିଜେନ ଅଭାବ ଜନିତ ସମସ୍ୟାର ଅନେକ ପରିମାଣରେ ଦୂର ହୋଇ ପାରିବ ବୋଲି କୁହାଯାଇଛି ।

ଏହି ଅବସରରେ ମୋହନା ବ୍ଳକ କାଳିଆପଟା ଠାରେ ଥିବା କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ଥାବିତ ୧୦ଟାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଆଇ୍ ସି ୟୁ ଶଯ୍ୟା ଯୋଗାଇ ଦେବାକୁ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା , ଉପାଧ୍ୟକ୍ଷା ଶ୍ରୀ ବିଜୟ କୁମାର , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର , ଡିପିଏମ ସୌମ୍ୟରାଣୀ ଗୌଡ଼ , ଡାଃ ପ୍ରମୋଦ କୁମାର ପଣ୍ଡା , ଡାଃ ଏମ୍ ଏସ୍ ମୁନୀର ପ୍ରମୁଖଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।

୨୬ ଜୁନ୍‌, ଶନିବାର: ଆଜିର ରାଶିଫଳ …!

ମେଷ:  ଆର୍ଥିକ ସମସ୍ୟା ଦୂର ହୋଇ ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ ।  ବହୁ ଦିନର ଆଶା ପୂରଣ ହେବ। ସୁଖ ସମୃଦ୍ଧି ଓ ଯଶମାନ ବୃଦ୍ଧିହେବ।  ପ୍ରତିକାର-ମା’ବାପା , ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:  ବିଭିନ୍ନ ଆଡ଼ୁ ଚାପ ପଡିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର: କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ: ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ମିତ୍ରମାନଙ୍କ ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ବ୍ୟବସାୟ କ୍ଷେତ୍ରରେ ଶତୃ ବୃଦ୍ଧି ହୋଇ ବାଧା ଉପୁଜି ପାରେ। ପ୍ରତିକାର: ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 କର୍କଟ: ବ୍ୟବସାୟରେ ସଫଳତା ଅର୍ଜନ କରିବା ଫଳରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଉଚ୍ଚପ୍ରଶଂସା ଲାଭ, ଦମ୍ଭ, ସାହସ ବୃଦ୍ଧି,  ଯଶ ପ୍ରାପ୍ତି   ହେବେ।  ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି। ପ୍ରତିକାର: ମିଠା ଦହି ଖାଇ ଘରୁ ବାହାରନ୍ତୁ।

ସିଂହ: ସାମାଜିକ ପତିଆରା ଅମଳିନ ରହିବା ସହ ଉଚ୍ଚଆଶା ସଫଳ ହୋଇପାରେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ରାସ୍ତା ଘାଟରେ  ସତର୍କତାର ସହ ଯାତାୟାତ କରିବା ଉଚିତ୍। ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କନ୍ୟା:ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଉନ୍ନତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତିକାର: କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା: କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ ଓ ବିରୋଧୀମାନେ ଅପଦସ୍ଥ ହେବେ। ପ୍ରତିକାର: ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

ବିଚ୍ଛା: ସମୟକୁ ହାତ ଛଡ଼ା ନ କରିବା ଉଚିତ ।  ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ।

ଧନୁ:ସନ୍ତାନର  ପାଠପଢ଼ାରେ ଉନ୍ନତି ଖବର ପାଇ ଖୁସି ହେବେ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ଗୃହରେ ଭାତୃବିବାଦ, ପଡ଼ୋଶୀ କଳହ, ଜମି ପାଇଁ ଥିବା ସମସ୍ୟାର ସମାଧାନ ହେବ । ପତି ପତ୍ନିଙ୍କ ମଧ୍ୟରେ ମାନ ମନାନ୍ତର ଦୂର ହୋଇ ମଧୁର ସଂପର୍କ ଦୃଢ ହେବ। ପ୍ରତିକାର: କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର: ଶୁଭ ସମ୍ବାଦପାଇ ଉଚ୍ଚ ଆଶାରେ ଆଗେଇବେ ଓ ପୁରାତନ ରୋଗର ଉପଶମ ଯୋଗେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଭାବୁଥିବା କଥା ଅଚାନକ ପୂରଣ ହେବ।

କୁମ୍ଭ:  ମାନସିକ ସ୍ଥିରତା ଦେଖାଦେବ ।  କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତା ଆଦି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବ। ପ୍ରତିକାର: କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଶାରୀରିକ ଅସୁସ୍ଥତା ଦୂର ହେବା ସହ ଶତ୍ରୁମାନେ ମିତ୍ରତାର କାର୍ଯ୍ୟ କରିବେ । ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ  ଓ କାର୍ଯ୍ୟ ସିଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଆଶାତୀତ ଫଳ ପାଇବେ।

ଫୋକସରେ ବସ୍ତି ଭୋଟର, ୨୫% ଅର୍ଥ ଖର୍ଚ୍ଚ କରିବେ ପୌର ସଂସ୍ଥା …!

ଏଥର ସମ୍ଭାଳ (ଭୁବନେଶ୍ଵର) -ପୌର ନିର୍ବାଚନ ପୂର୍ବରୁ ବସ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ଏବେ ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ପାଣ୍ଠିର ୨୫ ପ୍ରତିଶତ ଅର୍ଥକୁ ବସ୍ତି ଅଂଚଳର ବିକାଶ ପାଇଁ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ପୌର ଆଇନରେ ସଂଶୋଧନ ମଧ୍ୟ ଆଣିଛନ୍ତି।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ପୌର ପ୍ରଶାସକଙ୍କୁ ଚିଠି ଲେଖି ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦକୁ ଦିଆଯାଇଥିବା ମୋଟ ପାଣ୍ଠିର ୨୫ ପ୍ରତିଶତ ଅର୍ଥକୁ ବସ୍ତି ଅଂଚଳରେ ବ୍ୟୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରେ ବସ୍ତି ଅଂଚଳର ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ।

ଶ୍ରୀ ନାୟକ ଲେଖିଛନ୍ତି ଯେ, ଓଡ଼ିଶା ସରକାର ମ୍ୟୁନିସପାଲଟି ଆଇନ-୧୯୫୦ ଓ ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ରେ ସଂଶୋଧନ ଆଣିବା ସହ ଏହାକୁ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି। ସେହି ଅନୁଯାୟୀ ପୌର ସଂସ୍ଥାଗୁଡ଼ିକ ସେମାନଙ୍କ ବାର୍ଷିକ ବଜେଟ ଅର୍ଥର ୨୫ ପ୍ରତିଶତ ବସ୍ତି ଅଂଚଳର ଭିତ୍ତିଭୂମି ବିକାଶ ଓ ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ବ୍ୟୟ କରିବେ। ଏହି ବ୍ୟୟ କିଭଳି ହେଉଛି ତାହାର ତ୍ରୈମାସିକ ଲକ୍ଷ୍ୟଧାର୍ଯ୍ୟ କରିବା ସହ ଏହି ନିୟମକୁ କଡ଼ାକଡ଼ି ଯାଂଚ କରିବା ପାଇଁ ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହିତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମସ୍ତ ମହାନଗର ନିଗମ, ମ୍ୟୁନିସପାଲଟି ଓ ଏନଏସିଗୁଡ଼ିକୁ ମଞ୍ଜୁର ହୋଇଥିବା ପାଣ୍ଠିର ତାଲିକା ସହିତ ୨୫ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ମଧ୍ୟ ଶ୍ରୀ ନାୟକ ତାଙ୍କ ଚିଠିରେ ସଂଲଗ୍ନ କରିଛନ୍ତି।

ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ …!

ଏଥର ସମ୍ଭାଳ (ଆନନ୍ଦପୁର) – ସୁସ୍ଥ ହୋଇଥିବା ଜଣେ କୋଭିଡ ଆକ୍ରାନ୍ତଙ୍କୁ ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ିଦେଲା ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ବ୍ୟକ୍ତିଜଣକ। ଏଭଳି ଅଭାବନୀୟ କାଣ୍ଡ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି।

ଆନନ୍ଦପୁର ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତି କେନ୍ଦୁଝରରେ ରହି ଚିକିତ୍ସିତ ହେଉଥିଲା । ସୁସ୍ଥ ହେବା ପରେ ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଥିଲା। ମାତ୍ର ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ପ୍ରାୟ ୪୦ କିମି ଦୂର ଜଙ୍ଗଲ  ମଝିରେ ଛାଡି ଚାଲିଗଲା  ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ।

୨୦ ନଂ ଜାଜୀୟ ରାଜପଥର ଅଟେଇ ଜଙ୍ଗଲ ଅଧୀନ  କୁମୁଡ ଛକଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଦେଇ ଗାଡି ଧରି ପଳାଇଲା ଡ୍ରାଇଭର।   ବ୍ୟକ୍ତିଜଣକ ପ୍ରାୟ ୨ ଘଣ୍ଟା ପାଖାପାଖି ଅପେକ୍ଷା କରିବା ପରେ ମଧ୍ୟ ଡ୍ରାଇଭରଙ୍କ ପତ୍ତା ପାଇଲା ନାହିଁ। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷପ ଫଳରେ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରୁ ଅନ୍ୟ  ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ନେଇ ଘରେ ଛାଡ଼ିଛି।

ଏନେଇ  ଭାସ୍କର ସାହୁ  କହିଛନ୍ତି,  କେନ୍ଦୁଝରରେ ଥିଲି। ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ  ଶୋଇ ପଡ଼ିଲା। କିଛି ସମୟରେ ଉଠି ପୁଣି କୁଆଡ଼େ ପଳାଇଲା। ମୁଁ ଅପେକ୍ଷା କରିଛି, ଆଉ ତା’ର ଦେଖା ମିଳୁନି।

ରୋଗୀଜଣକ କୁମୁଡ ଛକଠାରେ ଛିଡ଼ା ହୋଇଥିବା ଖବର ପାଇ ଏଠାକୁ ଆସିଛି। ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ିବି ବୋଲି କହିଛନ୍ତି ଘରେ ପହଞ୍ଚାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ବିନୋଦ ବିହାରୀ ସାହୁ।

ଆମ୍ବୁଲାନ୍ସ ଚଳାଇବା ପରି ଗୁରୁଦାୟିତ୍ୱ ନ୍ୟସ୍ତ ଥିବା ସତ୍ତ୍ୱେ ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବା ଏକ ସ୍ପର୍ଶକାତର ଘଟଣା। ଏପରି କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।