‘ଜୁଲାଇ-ଅଗଷ୍ଟ ମଧ୍ୟରେ ଛୋଟ ଛୁଆ ନେବେ ଟିକା’ …!

ଏଥର ସମ୍ଭାଳ (ନୂଆଦିଲ୍ଲୀ) :  କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନିଜେସନର ମୁଖ୍ୟ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ ଜାଇଡସ କ୍ୟାଡିଲା ଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷା ପ୍ରାୟ ଶେଷ ହୋଇଛି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ୧୨-୧୮ ବର୍ଷ ବୟସର ପିଲାଙ୍କୁ ଏହି ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହାପୂର୍ବରୁ ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍‌ରେ କହିଛନ୍ତି ଯେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା ଦ୍ୱାରା ତିଆରି ହୋଇଥିବା ଏହି ଟିକା ଖୁବ୍ ଶୀଘ୍ର ୧୨-୧୮ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ ହେବ।

ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି ଜାଣିବାକୁ ପାଇଛି ଯେ ତୃତୀୟ ଲହର ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ ଆମର ୬-୮ ମାସ ଅଛି। ଆଗାମୀ ଦିନରେ, ଆମେ ପ୍ରତିଦିନ ୧ କୋଟି ଡୋଜ ଦେବାକୁ ଲକ୍ଷ୍ୟ ରଖିଛୁ।

ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ନୋଭାଭାକ୍ସର ପ୍ରୋଟିନ୍ ଆଧାରିତ ଟିକା କୋଭୋଭାକ୍ସ ତିଆରି ଆରମ୍ଭ କରିଛି। କମ୍ପାନୀ ଜୁଲାଇରୁ ପିଲାମାନଙ୍କ ପାଇଁ ନୋଭାକ୍ସର କ୍ଲିନିକାଲ୍ ପରୀକ୍ଷା ମଧ୍ୟ ଆରମ୍ଭ କରିବ। ନିକଟରେ କ୍ଲିନିକାଲ ଟ୍ରାଏଲ -୩ ପରୀକ୍ଷଣରେ, କୋଭୋଭାକ୍ସର ସଫଳ ହାର ୯୦% ରହିଛି।

ଆମେରିକାନ୍ ପ୍ୟାଟେଣ୍ଟରେ ତିଆରି ହୋଇଥିବା ଏହି ଟାକ କୋଭିଡରେ ସଂକ୍ରମିତ ମଧ୍ୟମ ଏବଂ ଗୁରୁତରଙ୍କ କ୍ଷେତ୍ରରେ ଏହା ଡବଲ ଜୋଜ ଶତ ପ୍ରତିଶତ ସୁରକ୍ଷା ପ୍ରଦାନ କରିବ ବୋଲି କୁହାଯାଉଛି। ସେରନ ଦ୍ୱାରା ହୋଇଥିବା କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାୟରେ ୯୨୦ ଏବଂ ତୃତୀୟ ପର୍ଯ୍ୟାୟରେ ୪୬୦ ପିଲାଙ୍କୁ ଟିକା ଦିଆଯାଇଥିଲା। ଏମାନଙ୍କ ବୟସ ୧୨-୧୭ ବର୍ଷ ଏବଂ ୨-୧୧ ବୟସ ବର୍ଗରେ ବୋଲି ଜଣାପଡ଼ିଛି।

ସେହିପରି ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକରେ ଦୁଇଟି ଟିକା ମଧ୍ୟ କୋଭାକ୍ସିନ ଏବଂ BBV154 ନାମକ ଏକ ନାଜାଲ ଟିକା ଉପରେ ପରୀକ୍ଷା ଚାଲିଛି। ଅନ୍ୟପଟେ ଆମେରିକାର ପିଫାଇଜର ଏବଂ ମୋଡର୍ନାକୁ ଆଇନଗତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସରକାର ବିଚାର କରୁଛନ୍ତି। ପିଫାଇଜର ଘୋଷଣା କରିଛି ଯେ ଏହାର ଟିକା ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ନିରାପଦ।

ଜମ୍ମୁରେ ଡ୍ରୋନ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ !

ଏଥର ସମ୍ଭାଳ (ଶ୍ରୀନଗର) : ଜମ୍ମୁରେ ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲ ବିଲ୍ଡିଂ ଏବଂ ବାୟୁସେନାର ବେସରେ ଛିଡ଼ା ହୋଇଥିବା ଏମଆଇ-୧୭ ହେଲିକପ୍ଟର ଟାର୍ଗେଟ ଥିଲା। ହେଲେ ଆତଙ୍କବାଦୀଙ୍କ ଟାର୍ଗେଟ ଲକ୍ଷ୍ୟଚ୍ୟୁତ ହୋଇଛି। ନହେଲେ ବଡ଼ ଧରଣର ଆକ୍ରମଣ ହୋଇଥାନ୍ତା ବୋଲି କୁହାଯାଉଛି। ଜମ୍ମୁରେ ଥିବା ଭାରତୀୟ ବାୟୁସେନା ବେସ ଉପରେ ରବିବାର ଡ୍ରୋନ ଜରିଆରେ ଆକ୍ରମଣ ହୋଇଛି। ଏହି ମାମଲାରେ ତଦନ୍ତ ବେଳେ ପ୍ରାଥମିକ ଭାବରେ ଏଭଳି ନିର୍ଯାସ ଆସିଛି। ଡ୍ରୋନରେ ବିସ୍ଫୋଟକ ସାମଗ୍ରୀ ଖଞ୍ଜା ଯାଇ ଆତଙ୍କବାଦୀ ମାନେ ପଠାଇଥିଲେ ବୋଲି ସନ୍ଦେହ କରାଯାଉଛି।

ରବିବାର ମଧ୍ୟାହ୍ନରେ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରଥମ ବିସ୍ଫୋରଣ ପ୍ରାୟ ଦିନ ୧ଟା ୪୦ ସମୟରେ ଘଟିଥିଲା। ଏଥିରେ ବିମାନ ବନ୍ଦରର ଥିବା ଏକ କୋଠାର ଛାତ ଭୁଶୁଡି ପଡିଥିଲା। ପରେ ପାଞ୍ଚ ମିନିଟ୍ ପରେ ଦ୍ୱିତୀୟ ବିସ୍ଫୋରଣ ଲକ୍ଷ୍ୟଚ୍ୟୁତ ହୋଇ ଭୂମିରେ ପଡ଼ିଯାଇଥିଲା। ବିସ୍ଫୋରଣରେ ଦୁଇ ବାୟୁସେନା କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଜମ୍ମୁ କଶ୍ମୀର ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ସନ୍ଦେହ କରି ଅଟକ ରଖିଛି। ବାୟୁସେନା ଓ ଏନଆଇଏ ମଧ୍ୟ ତଦନ୍ତରେ ନିୟୋଜିତ ଥିବା ସୂଚନା ରହିଛି।

ସୂଚନାନୁସାରେ, ଆତଙ୍କବାଦୀଙ୍କ ପ୍ରକୃତ ଟାର୍ଗେଟ ଥିଲା ଜାମ୍ମୁରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ବିଲଡିଂ ଏବଂ ଏୟାର ଫୋର୍ସ ବେସରେ ଛିଡ଼ା ହୋଇଥିବା ଏମଆଇ-୧୭ ହେଲିକପ୍ଟର। ଏହି ଦୁଇଟିକୁ ଟାର୍ଗେଟ କରି ଡ୍ରୋନ୍ ଜରିଆରେ ଆକ୍ରମଣ କରାଯାଇଥିଲା। ଏଥି ମଧ୍ୟରୁ ଗୋଟିଏ ଡ୍ରୋନ୍ ଏଟିସି ବିଲଡିଂ ଠାରୁ ପ୍ରାୟ ୧୦୦ ମିଟର ବିସ୍ଫୋରଣ ହୋଇଥିଲା। ଦ୍ୱିତୀୟ ଡ୍ରୋନ୍ ମଧ୍ୟ ଲକ୍ଷ୍ୟଚ୍ୟୁତ ହୋଇ ବିସ୍ଫୋରଣ କରିଛି।

ଏହି ଆକ୍ରମଣରେ ବ୍ୟବହାର ହୋଇଥିବା ଡ୍ରୋନରେ ୫ କିଲୋଗ୍ରାମର ଟିଏନଟି ବୋମା ଖଞ୍ଜାଯାଇଥିଲା। ଦ୍ୱିତୀୟ ଡ୍ରୋନରେ ଅଳ୍ପ ପରିମାଣର ବିସ୍ଫୋରକ ଖଞ୍ଜା ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ଦିଲ୍ଲୀରୁ ଜମ୍ମୁକୁ ଏନଏସଜିର ଏକ ଟିମ୍ ପଠାଇଛନ୍ତି।

ବିଜେଡି କନ୍ଦଳ: ସଞ୍ଜୟ ଆଉଟ୍‌, ପ୍ରମିଳାଙ୍କ ଆଶା ମଉଳିଲା ଓ ବଲାଙ୍ଗିର ରାଜପରିବାର ବି ନିରାଶ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଧିମେଇ ଯାଇଥିବା ଦଳୀୟ ସଂଗଠନକୁ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣିଥରେ ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଆଜି ୨୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ସଂଗଠନ ସହ ଜଡ଼ିତ ବହୁ ପୁରୁଖା ନେତାଙ୍କୁ ବାଦ୍ ଦେଇ ୧୨ଜଣ ମନ୍ତ୍ରୀ ଓ ୨ଜଣ ସାଂସଦଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ଦଳ, ହାତଗଣତି ନେତାମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ ଚାଲିବ ବୋଲି ସନ୍ଦେଶ ଦେଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତିରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣବଙ୍କ ତାଲିକାକୁ ମଧ୍ୟ ଦଳ ଅଗ୍ରାଧିକାର ଦେଇଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିରେ ଏବେ ଏକଚାଟିଆ ନିଷ୍ପତ୍ତି ପ୍ରଭାବୀ ହେଉଛି। ନିଜର ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ହତାଦର କରି କିଛି ଅନଭିଜ୍ଞ ନେତାଙ୍କୁ ମଧ୍ୟ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବାକୁ ଦଳ ପଛାଇ ନାହିଁ ।

ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଯାଇଛି, କିନ୍ତୁ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପ୍ରଣବପ୍ରକାଶ ନିଜ ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କିମ୍ବା ସରକାରରେ କୌଣସି ଦାୟିତ୍ୱ ଦେବା ସପକ୍ଷରେ ନଥିବାରୁ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି।

ସୂତ୍ର ଅନୁସାରେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଶା ବାନ୍ଧି ବସିଥିବାବେଳେ ତାଙ୍କୁ ପର୍ଯ୍ୟବେକ୍ଷକ କରାଯିବାପରେ ତାଙ୍କର ଏହି ଆଶା ଆଶାରେ ରହିଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। କଳିକେଶ ସିଂହଦେଓ, ଏୟୁ ସିଂହଦେଓଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇନି।

ଇଞ୍ଜିନିୟରରୁ ନେତା ପାଲଟିଥିବା ନଳିନୀକାନ୍ତ ପ୍ରଧାନଙ୍କୁ ନିଜେ ଲଢ଼ିଥିବା ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି । ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଶ୍ରୀ ପ୍ରଧାନ ପରାଜିତ ହୋଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିଲା, ଯାହାକୁ ଜାରି ରଖାଯାଇଛି। ସେହିପରି ଉଷା ଦେବୀ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଯିବା ସମ୍ଭବପର ନଥିବାରୁ ତାଙ୍କ ପୁଅ ଓ ଦିଅର ଏବେ ସେଠାରେ ତାଙ୍କ ପ୍ରତିନିଧି ଭାବେ କାମ କରୁଥିବାବେଳେ ତାଙ୍କୁ ବି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବାକୁ ବିଜେଡି ପଛାଇ ନାହିଁ।

ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ, ଚନ୍ଦ୍ରସାରଥୀ ବେହେରାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ପ୍ରଣବପ୍ରକାଶ ନିଜେ ଖଣିଜ ସମୃଦ୍ଧ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନିଜ ପାଖରେ ରଖିଛନ୍ତି। ସେହିପରି ମହିଳାଙ୍କୁ ସମ୍ମାନ ଓ ୩୩ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି ଏହି ୩୨ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ ମାତ୍ର ୨ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ଏପରିକି ଏପର୍ଯ୍ୟନ୍ତ ଦଳ ନିଜର ମହିଳା ୱିଙ୍ଗର ସାଂଗଠନିକ ପୁର୍ନବିନ୍ୟାସ କରିପାରିନି।

ଏବେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିବା ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ ଓ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଏକାଧିକ ବିଭାଗର ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଅଧିକ ଲୋଡ୍ ଦିଆଯାଇଛି। ଯଦିଓ ଦଳରେ ଅଭିଜ୍ଞତା ସମ୍ପନ୍ନ ପୁରୁଖା ନେତା, ବିଧାୟକ ଓ ସାଂସଦଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଏହି ତାଲିକାରୁ ଦୂରେଇ ରଖାଯାଇଛି।

ସେହିପରି ଗତ କିଛିମାସ ଧରି ସାଂଗଠନିକ କାର୍ଯ୍ୟରୁ ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଅଣଦେଖା କରାଯାଉଥିବାବେଳେ ଆଜି ତାଙ୍କୁ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିିତ୍ୱରୁ ବାଦ୍ ଦିଆଯାଇଛି । ମଇ ୨୯ ମିଡନାଇଟ୍ ଅପରେସନ ସମୟରେ ସଞ୍ଜୟ ନିଜର ସାଂଗଠନିକ ଦକ୍ଷତା ଓ ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ପ୍ରକଟ କରି ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ନିକଟରେ ସଞ୍ଜୟ ରାୟଗଡ଼ା ଜିଲ୍ଲା ଗସ୍ତ କରି କୋଭିଡ୍ ଟିକା ନେବାକୁ ରାଜି ହେଉନଥିବା ଡଙ୍ଗରିଆ କନ୍ଧ ସମୁଦାୟର ଲୋକଙ୍କୁ ପ୍ରବର୍ତ୍ତାଇ ଏହି ଅଭିଯାନରେ ସାମିଲ କରାଇ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ। ତଥାପି ତାଙ୍କୁ ଦଳ ଏବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେବାପରେ ଦଳୀୟ କନ୍ଦଳ ପଦାରେ ପଡ଼ିଛି।

ଏବେ ଦଳ ଓ ସଂଗଠନ ହାତଗଣତି ୨-୪ଜଣ ବ୍ୟକ୍ତିଙ୍କ ପାଖରେ ରହିଥିବା ତଥା ସବୁକ୍ଷେତ୍ରରେ ଏକଚାଟିଆ ନିଷ୍ପତ୍ତି ନିଆଯାଉଥିବାରୁ ଦଳରେ କନ୍ଦଳ, ଅସନ୍ତୋଷ ଓ ଛକାପଞ୍ଝା ଚରମସୀମାରେ ପହଂଚିଛି। ତେବେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ଓ କାର୍ଯ୍ୟାନୁଷ୍ଠାନ ଭୟରେ ନେତାମାନେ ନିରବ ରହଛନ୍ତି। ଅନ୍ୟପକ୍ଷରେ ଆଜିର ଏହି ଥଇଥାନ ମାଧ୍ୟମରେ ଶାସକ ବିଜେଡି ଆଗାମୀ ଦିନରେ ରାଜନୀତିକ ଓ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରାଇବ ବୋଲି ମଧ୍ୟ ସଙ୍କେତ ଦେଇଛି।

 

ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି। ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି।

ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ- ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ। ସେହିପରି ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ସେମାନେ ହେଉଛନ୍ତି- ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି।

କସ୍ତୁରୀ ମହାପାତ୍ର ମହାସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ କୋଷାଧ୍ୟକ୍ଷ ଦାୟିତ୍ୱ ଜୟଶ୍ରୀ ଦାସଙ୍କୁ ଦିଆଯାଇଛି। ସେହିପରି ମାନସୀ ସୁନ୍ଦରରାୟଙ୍କୁ ସୋଶାଲ୍ ମିଡିଆ ସଂଯୋଜକ କରାଯାଇଛି।

୭ ଜଣଙ୍କୁ ଜୋନ୍‌ ସଭାପତି କରାଯାଇଛି। ଭୁବନେଶ୍ୱର ଜୋନ୍‌ ପାଇଁ ରଞ୍ଜୁଲତା ରାୟଙ୍କୁ ସଭାପତି କରାଯାଇଥିବା ବେଳେ ଶୁଭଶ୍ରୀ ଦାସଙ୍କୁ କଟକ, ବୀଣାପାଣି ସାହୁଙ୍କୁ ବାଲେଶ୍ୱର, ସବିତା ଆଚାର୍ଯ୍ୟଙ୍କୁ ସମ୍ବଲପୁର, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗିର, ମମତା ବିଷୋୟୀଙ୍କୁ ଗଞ୍ଜାମ ଓ ରୀତା ପାଣିଗ୍ରାହୀଙ୍କୁ କୋରାପୁଟ ଜୋନ୍‌ର ସଭାପତି କରାଯାଇଛି।

ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୨୭ ଜଣଙ୍କୁ ଉପସଭାପତି କରାଯାଇଛି। ସନ୍ଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକ ପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲ ଓ ଉମିଲତା ଦାସ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ପାଇଛନ୍ତି।

ସେହିଭଳି ୩୫ ଜଣଙ୍କୁ ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଜୁ ଜନତା ଦଳ ପକ୍ଷରୁ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତେବେ ଏଥିରୁ ଅରୁଣ ସାହୁ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ନେତାଙ୍କୁ ବାଦ୍ ଦିଆଯାଇଛି। ସେହିପରି ବଲାଙ୍ଗିର ରାଜପରିବାର ମଧ୍ୟ ନିରାଶ ହୋଇଛି।

ଦୁଇ-ତିନି ମାସରେ ଭାଙ୍ଗିଯିବ ଏନଡିଏ ସରକାର: ତେଜସ୍ୱୀ ଯାଦବ

ଏଥର ସମ୍ଭାଳ (ପାଟଣା) : ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ରାଜ୍ୟରେ ଏନଡିଏ ସରକାର ଦୁଇ-ତିନି ମାସରେ ଭାଙ୍ଗିଯିବ। ମେଣ୍ଟରେ ଅନେକ ସମସ୍ୟା ରହିଛି। ଏନଡିଏ ନେତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ରହିଛନ୍ତି। ସେମାନେ ଏବେ ଆରଜେଡି ଲିଙ୍କରେ ରହିଛନ୍ତି। ନିକଟରେ ଆରଜେଡିର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ପାଟଣା ଫେରିବା ପରେ ଏବଂ ଏଲଜେପିରେ କନ୍ଦଳ ସୃଷ୍ଟି ହେବା ପରେ ତେଜସ୍ୱୀ ଯାଦବଙ୍କ ଏପରି ମନ୍ତବ୍ୟ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ରାଜନୀତିରେ ଝାଞ୍ଝି ପବନ ବୋହିବା ଆରମ୍ଭ କରିଛି। ଶାସକ ଦଳ କିନ୍ତୁ ପାଲଟା ଜବାବ ଦେଇ କହିଛି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେହି ନୀତୀଶ ସରକାରକୁ ଭାଙ୍ଗିପାରିବେ ନାହିଁ। ଶାସକ ଦଳ ଜେଡିୟୁ ପାଲଟା ଜବାବ ଦେଇ ଶାସକ ଦଳକୁ ଘେରିଛି।

କରୋନା ମହାମାରୀ ବେଳେ ତେଜସ୍ୱୀ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀ ଆସୁନଥିଲେ। ଏହା ପରେ ତେଜସ୍ୱୀ ନିଖୋଜ ବୋଲି ତେଜସ୍ୱୀଙ୍କ ନିର୍ବାଚନ ମଣ୍ଡଳୀରେ ପୋଷ୍ଟର ମରାଯାଇଥିଲା। ଏହି ପୋଷ୍ଟର ପପୁ ଯାଦବଙ୍କ ନେତୃତ୍ୱାଧୀନ ଜନ ଅଧିକାରା ପାର୍ଟି (ଜେଏପି) ମାରିଥିଲା। ଏବେ କରୋନା ମହାମାରୀର ପ୍ରକୋପ କମିବା ପରେ ତେଜସ୍ୱୀ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀ ଆସିଥିଲେ। ଏହି ଅବସରରରେ ସେ ମେଣ୍ଟ ସରକାରକୁ ଟାର୍ଗେଟ କରି କହିଥିଲେ ଦୁଇ-ତିନି ମାସରେ ନୀତୀଶ ସରକାର ଭାଙ୍ଗିଯିବ।

ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ୍ ଥିବା କଂଗ୍ରେସ ନେତା କୁନ୍ତଲ କୃଷ୍ଣ କହିଛନ୍ତି, ତେଜସ୍ୱୀ ସରକାର ଭାଙ୍ଗିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ଗମ୍ଭୀରତା ରହିଛି। ଏନଡିଏ ନେତା ବିରୋଧୀ ଦଳ ସହ ସଂଯୋଗରେ ରହିଛନ୍ତି। ସେମାନେ ସରକାରକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି।

ତେବେ ଜେଡିୟୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଗୁଜବ ଖବରରେ ବିଶ୍ୱାସ ନକରିବାକୁ କହିଛି। କୌଣସି ଶକ୍ତି ନୀତୀଶ ସରକାରକୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦୋହଲାଇପାରିବନି। ତେଜସ୍ୱୀ ଯଦି ଏପରି କହୁଛନ୍ତି ତାହେଲେ ସେ ଜାଣି ରଖିବା ଉଚିତ ଯେ ବିରୋଧୀ ଦଳର ଅନେକ ନେତା ଜେଡିୟୁ ଲିଙ୍କରେ ରହିଛି। ଅନେକ କଂଗ୍ରେସ ନେତା ଜେଡିୟୁରେ ସାମିଲ୍ ହେବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

ବିଜେପି ନେତା ତଥା ଦଳର ମୁଖପାତ୍ର ପ୍ରେମ ରଞ୍ଜନ ପଟେଲ କହିଛନ୍ତି ତେଜସ୍ୱୀ ପ୍ରଥମେ ନିଜ ଦଳର ନେତୃତ୍ୱକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ପ୍ରଥମେ ଦେବା ଦରକାର। ଲୋକମାନେ ତାଙ୍କୁ ଭୋଟ୍ ଦେଇ ବିଧାୟକ କରିଛନ୍ତି। ଯେତେବେଳେ ଲୋକଙ୍କର ଆବଶ୍ୟକ ଥିଲା ସେତେବେଳେ ତେଜସ୍ୱୀ ନିଖୋଜ ଥିଲେ। ସେ ଯାହା ହେଉ ଏବେ ତାଙ୍କ ସ୍ଥାନକୁ ଫେରିଛନ୍ତି କହି ତେଜସ୍ୱୀଙ୍କୁ ବାଣ ମାରିଛି ବିଜେପି। ତେଜସ୍ୱୀ ଯାହା କହୁଛନ୍ତି ତାହା କାଳ୍ପନିକ ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

୨୮ ଜୁନ୍‌, ସୋମବାର – ଆଜିର ରାଶିଫଳ

!!! ପ୍ରବାଚକ॰ଜଗଦୀଶ ପ୍ରସାଦ !!!

ମେଷ: କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ।

ବୃଷ: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜମି, ଜାଗା, ବାସଗୃହ ବା ଯାନବାହାନ କ୍ରୟ କରିବାର ସୁଯୋଗ ପାଇବେ।

ମିଥୁନ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଶାଜନକ ଫଳପ୍ରାପ୍ତି ହେବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହାସ ବାନ୍ଧିବେ।

ସିଂହ: ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ବଢ଼ିବ।

ବିଛା: କମ୍ ପରିଶ୍ରମରେ ଭଲ ସଫଳତା ପାଇବେ। ଘର ପାଇଁ କିଛି ଦାମୀ ଜିନିଷ କିଣିପାରନ୍ତି।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ମିଳିବ।

ମକର: ଦିନଟି ଭଲରେ କଟିବ। ଆୟକୁ ନେଇ ସନ୍ତୁଷ୍ଟ ରହିବେ। ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବାକୁ ପ୍ରୟାସ କରିବେ।

କୁମ୍ଭ: ବିରୋଧୀମାନେ ହଇରାଣ କରିପାରିବେ ନାହିଁ। ଅନେକ ସୂତ୍ରରୁ ଧନ ପାଇବାର ଯୋଗ ଅଛି। ଜମିଜମା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।

ମୀନ: ସରକାରୀ କର୍ମଚାରୀଙ୍କର ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗରୁ ଉପଶମ ମିଳିବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।

୫ ରାଜ୍ୟର ନିର୍ବାଚନ ପାଇଁ ବିଜେପିର ମାନସମନ୍ଥନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତାବର୍ଷ ଆରମ୍ଭରୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ଏଥିପାଇଁ ଆଜି ଦଳର ମୁଖ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠରେ ସ୍ୱରାଷ୍ଟ୍ର ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ, କରିଣ ରିଜ୍ଜିଜୁ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟେଲ ଓ ସ୍ମୃତି ଇରାନୀଙ୍କ ସହ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତାମାନେ ବୈଠକରେ ସାମିଲ ହୋଇଥିଲେ। ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ହିଁ ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିଥିଲା ବୋଲି ଜଣେ ନେତା କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହି ୫ ରାଜ୍ୟ ମଧ୍ୟରୁ କେବଳ ପଞ୍ଜାବକୁ ଛାଡ଼ି ବିଜେପି ସବୁ ସ୍ଥାନରେ କ୍ଷମତାରେ ରହିଛି। ତେଣୁ କ୍ଷମତା ବଜାୟୀ ରଖିବା ପାଇଁ କ’ଣ ସବୁ କରିବାକୁ ହେବ, ତା’ ଉପରେ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି। ବିଶେଷ କରି ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ପ୍ରଶମିତ କରି କେମିତି ଭୋଟ ବ୍ୟାଙ୍କ ତିଆରି କରାଯିବ, ସେ ବିଷୟରେ ମାନସମନ୍ଥନ କରାଯାଇଛି।

 

‘ପ୍ରତିଟି ଭାରତୀୟଙ୍କ ଦ୍ୱାରା ଓ ଭାରତୀୟଙ୍କ ପାଇଁ ଅଯୋଧ୍ୟା ସହର’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶରେ ଥିବା ଅଯୋଧ୍ୟାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଅଯୋଧ୍ୟା ଆମ ସଂସ୍କୃତିର ସବୁଠାରୁ ଭଲ ଓ ବିକାଶର ଶ୍ରେଷ୍ଠ ସହର ଭାବେ ପରିଚୟ ଲାଭ କରିବ। ଏଥିସହ ଅଯୋଧ୍ୟା ପ୍ରତିଟି ଭାରତୀୟଙ୍କ ପାଇଁ ଓ ଭାରତୀୟଙ୍କ ଦ୍ୱାରା ଗଠିତ ହୋଇଥିବା ସହର ବୋଲି ମୋଦି ଏହି ସମୟରେ କହିଛନ୍ତି। ଏହି ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟ ମୋଦିଙ୍କ ଆଗରେ ଉପସ୍ଥାପନ କରିଥିଲେ। ଉନ୍ନିତ ରାସ୍ତା, ଭିତ୍ତିଭୂମି, ରେଳ ଲାଇନ ଓ ଗୋଟିଏ ଏୟାରପୋର୍ଟ ଅଯୋଧ୍ୟାରେ ତିଆରି ହେବ ବୋଲି ଯୋଜନା ହୋଇଥିବା ସେ କହିଥିଲେ। ମୋଦି ଏହି ସମୟରେ କହିଛନ୍ତି, ଅଯୋଧ୍ୟା ସହ ପ୍ରତିଟି ଭାରତୀୟଙ୍କ ସଂସ୍କୃତି ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ଅଯୋଧ୍ୟା ଗୋଟିଏ ଧାର୍ମିକ ସ୍ଥଳ। ଏଠାରେ ଭିତ୍ତିଭୂମିର ବିକାଶ ଏମିତି ହେବା ଦରକାର ଯାହା ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସହ ସମସ୍ତଙ୍କୁ ଲାଭ ଦେଉଥିବ। ଦୂର ଭବିଷ୍ୟତ ପର୍ଯ୍ୟନ୍ତ ଅଯୋଧ୍ୟାର ବିକାଶ କାମ ଅବ୍ୟାହତ ରହିବ। ଅଯୋଧ୍ୟା ହେଉଛି ପ୍ରତିଟି ଭାରତୀୟଙ୍କ ପାଇଁ ଓ ଭାରତୀୟଙ୍କ ସହର ବୋଲି ସେ କହିଛନ୍ତି। ମୋଦି ଓ ଯୋଗୀଙ୍କ ବ୍ୟତୀତ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ମୋଟ ୧୩ ଜଣ ସଦସ୍ୟ ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ୧୨୦୦ ଏକର ବୈଦିକ ସହର ଓ ୮୪ କୋସ ପରିକ୍ରମା ରାସ୍ତାର ବିକାଶ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା କରାଯାଇଛି। ୮୪ କୋସ ପରିକ୍ରମା ହେଉଛି ୩୦୦ କିମି ରାସ୍ତା। ଏହି ରାସ୍ତାରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲିଚାଲି ପ୍ରଭୁ କୃଷ୍ଣଙ୍କ ସହ ଜଡ଼ିତ ତୀର୍ଥ ସ୍ଥାନକୁ ଯାଇଥାଆନ୍ତି। ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟକୁ କିଛି ପ୍ରଖ୍ୟାତ ସନ୍ଥଙ୍କ ସହ ୫ ହଜାର ଲୋକଙ୍କ ମତାମତକୁ ନେଇ ପ୍ରସ୍ତୁତ କରାଯାଇଛି। ଅଯୋଧ୍ୟାରେ ନିଯୁକ୍ତି, ସ୍ଥାନୀୟ ଦ୍ରବ୍ୟର ବ୍ରାଣ୍ଡିଂ ଓ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ପ୍ରସାର ଏହି ଭିଜନ ଡକ୍ୟୁମେଣ୍ଟର ଅଂଶବିଶେଷ ରହିଛି। ଏହାବାଦ ଅଯୋଧ୍ୟାର ସର୍ବାଙ୍ଗିନ ବିକାଶ କରିବାକୁ ଭିଜନ ଡକ୍ୟୁମେଣ୍ଟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ଜୋରଦାର ହେବ ଚାଷୀଙ୍କ ଆନ୍ଦୋଳନ, ବିଶାଳ ଟ୍ରାକ୍ଟର ରାଲି ପାଇଁ ଦେଲେ ଡାକରା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ କରୁଥିବା ଆନ୍ଦୋଳନ ଆହୁରି ଜୋରଦାର ହେବ। ଆଜି ଚାଷୀମାନେ କରୁଥିବା ଆନ୍ଦୋଳନକୁ ୭ ମାସ ପୂରିଛି। ଏହି ଅବସରରେ ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ବଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ନିଜର ହକ ପାଇଁ ଚାଷୀମାନେ ଆସନ୍ତାମାସରେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଦୁଇଟି ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ସେ କହିଛନ୍ତି। ଦିଲ୍ଲୀର ଗାଜିପୁର ସୀମାନ୍ତରେ ବିକ୍ଷୋଭ କରୁଥିବା ଚାଷୀଙ୍କ ନେତୃତ୍ୱ ନେଉଥିବା ଟିକାୟତ କହିଛନ୍ତି, ଆଜିର ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୯ରେ ଉତ୍ତର ପ୍ରଦେଶର ଶାମଲିରୁ ଗୋଟିଏ ଦଫାରେ ଶତାଧିକ ଚାଷୀ ସିଙ୍ଘୁ ସୀମାକୁ ଆସିବେ। ଏହାପରେ ସମାନ ଧରଣର ଟ୍ରାକ୍ଟର ରାଲିରେ ଚାଷୀମାନେ ବିଜନୋରରୁ ବାହାରି ମୀରଟ ଦେଇ ଗାଜିପୁର ସୀମାରେ ପହଞ୍ଚିବେ। ଦିଲ୍ଲୀ ଅଭିମୁଖେ ୪ ଲକ୍ଷ ଟ୍ରାକ୍ଟର ଓ ୨୫ ଲକ୍ଷ ଚାଷୀ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଶତାଧିକ ଚାଷୀମାନେ ଶୋଭାଯାତ୍ରାରେ ଯାଇ ରାଜଭବନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି ବୋଲି ସେ କହିଛନ୍ତି। ଆଜି ଉତ୍ତର ପ୍ରଦେଶ ଓ ହରିଆଣା ସୀମାରେ ଚାଷୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକ ରଖିଥିବା ଖବର ମିଳିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

 

ପାୱାରଙ୍କ ସହ ସ୍ୱର ମିଳାଇଲେ ସଞ୍ଜୟ ରାଉତ, କଂଗ୍ରେସ ସମ୍ପର୍କରେ ଦେଲେ ଏମିତି ବୟାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଶରଦ ପାୱାରଙ୍କ ପରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି। ଜାତୀୟ ସ୍ତରରେ ସମସ୍ତ ବିରୋଧୀଙ୍କୁ ଏକାଠି କରାଯାଉଛି। ତେବେ କଂଗ୍ରେସ ବିନା ବିରୋଧୀଙ୍କ ଏହି ମେଣ୍ଟ ଅସଂପୂର୍ଣ୍ଣ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ଶକ୍ତିଶାଳୀ ବିକଳ୍ପ କଂଗ୍ରେସ ଯୋଗାଇ ପାରିବ। ଏହି ବରୋଧୀଙ୍କ ମେଣ୍ଟରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ ଶ୍ରୀ ରାଉତ ଆଜି କହିଛନ୍ତି। ୪ ଦିନ ତଳେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଘରେ ଟିଏମସି, ସପା, ଆପ, ଆରଏଲଡି ଓ ବାମପନ୍ଥୀ ଭଳି ୮ଟି ବିରୋଧୀ ଦଳର ନେତାମାନେ ବୈଠକ କରିଥିଲେ। ସେମାନେ ଦେଶରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ କଂଗ୍ରେସ ଯୋଗ ଦେଇ ନଥିବାରୁ ବିରୋଧୀଙ୍କ ଏହି ମେଣ୍ଟକୁ ତୃତୀୟ ସାମ୍ମୁଖ୍ୟ ଭାବେ ବିଶେଷଜ୍ଞମାନେ ଦେଖିଥିଲେ। ଏସବୁ ଭିତରେ ସଞ୍ଜୟ ରାଉତ ଏପରି ବୟାନ ଦେଇଛନ୍ତି। ଗତକାଲି ଶରଦ ପାୱାର ମଧ୍ୟ କଂଗ୍ରେସକୁ ବାଦ୍‌ ଦେଇ କୌଣସି ବିକଳ୍ପ ମେଣ୍ଟ କଥା ଚିନ୍ତା କରାଯାଇ ପାରିବ ନାହିଁ ବୋଲି କହିଥିଲେ। ସଞ୍ଜୟ ରାଉତ ଆଜି କହିଛନ୍ତି, କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା ଅନ୍ୟ କୌଣସି ଫ୍ରଣ୍ଟର ଆବଶ୍ୟକ ନାହିଁ। ଶରଦ ପାୱାର ଏକଥା ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି। ଶିବସେନା ମଧ୍ୟ ଦଳୀୟ ମୁଖପତ୍ର ସାମ୍ନାରେ ସମାନ କଥା କହି ସାରିଛି। ମୁଁ ମଧ୍ୟ ଜାଣିବାକୁ ପାଇଛି ଯେ କଂଗ୍ରେସ ବି ଏଥିରେ ଏକମତ ହୋଇଛି। ବିରୋଧୀଙ୍କ ମେଣ୍ଟରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ସ୍ଥିତିରେ ଏହା ଏକ ଶକ୍ତିଶାଳୀ ବିକଳ୍ପ ହେବ। ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଏବେ ପ୍ରୟାସ ଚାଲିଛି। କଂଗ୍ରେସ ଏହି ମେଣ୍ଟରେ ସାମିଲ ନ ହେବା ଯାଏ ଏହା ଅସଂପୂର୍ଣ୍ଣ ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।