ରାଜ୍ୟ ସରକାରଙ୍କ ଟିକା ଟେଣ୍ଡର ଫେଲ ପରେ ଏମିତି କହିଲେ ଅପରାଜିତା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବା ଏକ ଅପରିପକ୍ୱ ନିଷ୍ପତ୍ତି।  ଖୋର୍ଦ୍ଧାରେ ଏକ ରକ୍ତଦାନ ଶିବିର ଉଦ୍‌ଘାଟନ ଅବସରରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କରୋନା ଟିକାର ଖୋଲା ବଜାର ବ୍ୟବସ୍ଥା କରାଗଲା । ହେଲେ ବର୍ତ୍ତମାନ କହୁଛନ୍ତି କେନ୍ଦ୍ର ସରକାର ଏହା କରନ୍ତୁ । ତାମାନେ ରାଜ୍ୟ ସରକାରଙ୍କ ଅପାରଗତା ରହିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଚିଠି ଉପରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ ତାହା ଆଗକୁ ଜଣାପଡିବ ବୋଲି କହିଛନ୍ତି ଅପରାଜିତା । ତେବେ ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି। ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ୱ୍ୟ ମନ୍ତ୍ରୀ ଡଃ ହର୍ଷବଦ୍ଧନଙ୍କୁ ଚିଠି ଲେଖି ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡରରେ ଶିରମ ଇନଷ୍ଟିଚ୍ୟୁଟ(କୋଭିଶିଲଡ) ଓ ଭାରତ ବାୟୋଟେକ(କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି ବୋଲି ଜଣାଇଛନ୍ତି। ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହୋଇ ନାହାନ୍ତି। ତା’ଛଡ଼ା ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋଭିଡ୍ ଟିକା କ୍ରୟ କଲେ ତାହା ତ୍ୱରିତ୍ ଓ ଅପେକ୍ଷାକୃତ କମ୍ ଦରରେ ସମ୍ଭବପର ହୋଇପାରିବ। ଓଡ଼ିଶା ସରକାର ଏହି ଟିକାବାବଦ ଖର୍ଚ୍ଚ ନିଜ ସମ୍ବଳରୁ ଦେବାକୁ ରାଜି ଅଛନ୍ତି । ତେଣୁ ଟିକା ଦାନ ନୀତିରେ ରାଜ୍ୟକୁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଢଙ୍ଗରେ ଟିକାକରଣ କରିବାକୁ ସୁଯୋଗ ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ରାଜ୍ୟର ଅଧିକାଂଶ ପାହାଡ଼ିଆ ଅଂଚଳ ହୋଇଥିବାରୁ ସେଠାରେ ଇଣ୍ଟରନେଟ ନଥିବାରୁ ବାଧ୍ୟତାମୂଳକ ଅନଲାଇନ ପଞ୍ଜିକରଣ ନିୟମକୁ କୋହଳ କରିବା ସହ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ସରକାରୀ ସ୍କୁଲ ଜମିରେ ନିର୍ମାଣ ହେବ ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସରକାରୀ ସ୍କୁଲ ଖେଳ ପଡ଼ିଆ ଉପରେ ପଡ଼ିଛି ଆଇଏଏସ୍ ଅଫିସର ସଂଘର ନଜର। ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣ ପାଇଁ ସ୍କୁଲ ହତାକୁ ଚଞ୍ଚକତା କରି ହଡ଼ପ ଉଦ୍ୟମ ଚିତ୍ର ସାମ୍ନାକୁ ଆସିଛି। ରାଜଧାନୀରେ ଥିବା ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ହତାର ପ୍ରାୟ ଦେଢ଼ ଏକର ଜାଗାକୁ ଅଦରକାରୀ ଦର୍ଶାଇ ଏଠି ପାଚେରି ଗଢୁଛି ବିଡିଏ। ଏହି ହତାର ପ୍ରାୟ ଦେଢ଼ ଏକର ଜାଗାରେ ନିର୍ମାଣ ହେବ ଆଇଏଏସ୍ ଅଫିସର ଟ୍ରାନଜିଟ୍ ହାଉସ୍। ଯାହାକୁ ନେଇ ସ୍କୁଲର ଆଲମୁନି ସଂଘ ସହ ଓଡ଼ିଶା ଅଭିଭାବକ ମହାସଂଘ କଡ଼ା ଆପତ୍ତି ଉଠାଇଛି। ଏମିତିକି ଉଭୟ ସଂଘ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ତୀବ୍ର ବିରୋଧ କରିବା ସହ ତୁରନ୍ତ କାମ ବନ୍ଦ ଲାଗି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ବି ନେଇଛନ୍ତି। ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ସ୍କୁଲ ହତାରେ ବିଡିଏ ପାଚେରୀ ନିର୍ମାଣ ଆରମ୍ଭ କରିଥିଲା। ସ୍କୁଲର ପୁରାତନ ଛାତ୍ର ସଂଘ ତତକ୍ଷଣାତ ତାକୁ ବିରୋଧ କରିଥିଲା। ଏମିତିକି ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପୁରାତନ ସରକାରୀ ସ୍କୁଲ ଜମିରେ କୌଣସି ପ୍ରକାର ନିର୍ମାଣ ବନ୍ଦ ରଖିବାକୁ ବି ନିବେଦନ କରିଥିଲା। କୋର୍ଟ ମାମଲାକୁ ଗ୍ରହଣ କରି ସଂପୃକ୍ତ ଜମି ଉପରେ ଷ୍ଟାଟସ୍-କୋ ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏଭଳି ଅର୍ଡର ସତ୍ତ୍ୱେ ବିଡିଏର କାମ ଅଟକିନଥିଲା। ଏମିତିକି ୟୁନିଟ୍-୬ ବାଳକ ବିଦ୍ୟାଳୟ ନାଁ ଛାଡ଼ି ସେ ସ୍ଥାନକୁ ୟୁନିଟ୍-୬ ବାଳିକା ସ୍କୁଲର ଅବ୍ୟବହୃତ ଜମି ବୋଲି ଦର୍ଶାଇ ପୁଣି ପାଚେରି କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ୟୁନିଟ୍-୬ ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘ ମଧ୍ୟ ସାଂଘାତିକ ଷଡ଼ଯନ୍ତ୍ର ବୋଲି ଦର୍ଶାଇବା ସହ ସିଧା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରାଜଧାନୀରେ ଷ୍ଟେଟ୍ ଗେଷ୍ଟ ହାଉସ୍ ଓ ସ୍ପେଶାଲ୍ ସର୍କିଟ୍ ହାଉସ୍ ଭଳି ଅନେକ ଅତିଥି ଭବନ ରହିଥିବାବେଳେ, ଏକ ପୁରାତନ ସ୍କୁଲର ଖେଳ ପଡ଼ିଆକୁ ଅବ୍ୟବହୃତ ଜମି ଦର୍ଶାଇ କାହିଁକି ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣରେ ଏତେ ତତ୍ପରତା ଦେଖାଉଛି ବିଏମସି? ଏନେଇ ବିଡିଏ ଉପାଧ୍ୟକ୍ଷ ପରୋକ୍ଷରେ କହିଛନ୍ତି, ମୁଁ ଭାବିପାରୁନି, ସେ କାମ ଏବେ ବି ଚାଲିଛି। ତେଣେ ପୂର୍ବତନ ପ୍ରଶାସକ ମଧ୍ୟ କହିଛନ୍ତି, ଆଇନର ରକ୍ଷକ ହୋଇ ଆଇଏଏସ୍ ଅଫିସର୍ସ ସଂଘ ଆଇନକୁ ଏଭଳି ହାତକୁ ନେବା ଠିକ୍ ନୁହେଁ।

ମୋଦି ସରକାରଙ୍କ ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି ଶିଳ୍ପପତି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍‌ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି। ସହରାଞ୍ଚଳର ୬୧% ଲୋକ ଏଥିରେ ଏକମତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗ୍ରାମାଞ୍ଚଳର ୬୫.୯% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା କର୍ପୋରେଟ ହାଉସ ଗୁଡ଼ିକ ଲାଭବାନ ହେଉଥିବା କଥା କହିଛନ୍ତି।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧୬.୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛୋଟଛୋଟ ବ୍ୟବସାୟୀମାନେ ଲାଭାନ୍ୱିତ ହେଉଥିବା ମତଦେଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ୭.୪% ଲୋକ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦ୍ୱାରା ଦରମାପ୍ରାପ୍ତ କର୍ମଚାରୀମାନେ ଆର୍ଥିକ ସ୍ତରରେ ଲାଭ ପାଉଥିବା କଥା କହିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୮.୬% ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୮% ରହିଛି। ଯାହା ଅତ୍ୟନ୍ତ ନିରାଶାଜନକ। କେବଳ ୧୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀ ଓ ଶ୍ରମିକ ଗୋଷ୍ଠୀର ସଦସ୍ୟମାନେ ଲାଭବାନ ହେଉଥିବା କଥା କହିଛନ୍ତି। ସହରାଞ୍ଚଳରେ ରହୁଥିବା ୧୪.୨% ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀ ଓ ଶ୍ରମିକଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଥିବା କଥା କହୁଥିବା ବେଳେ ଗ୍ରାମାଞ୍ଚଳର ୧୧.୧% ଲୋକ ସମାନ କଥା କହିଛନ୍ତି। ଏବିପି-ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ସର୍ଭେ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି।

ମାଗି ନିର୍ମାତା ନେସଲର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କମ୍ପାନୀ ସ୍ୱୀକାର କରିଛି। ନେସଲେ କମ୍ପାନୀ ଭାରତରେ କିଟକାଟ୍ ଚକୋଲେଟ, ଆଇସ କ୍ରିମ୍, ଦୁଗ୍ଧ ଜାତ ସାମଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। ବିଶ୍ୱରେ ନେସଲେ ଏକ ବଡ଼ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ। କମ୍ପାନୀର ଭାମମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ଭାବମୂର୍ତ୍ତି ସଜାଡିବାକୁ ପ୍ରୟାସ କରିଛି ଏହି କମ୍ପାନୀ। ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା।ନେସଲେ କହିଛି ଏବେ ତାର ସାମଗ୍ରୀରେ କେତେ ପୁଷ୍ଟିକର ମୂଲ୍ୟ ରହିଛି ତାର ପରୀକ୍ଷା କରୁଛି। ସମଗ୍ର ରଣନୀତି ବଦଳାଇବାକୁ ପ୍ରସ୍ତୁତି ଚାଲିଛି। ଉତ୍ପାଦଗୁଡିକ ଯଥାସମ୍ଭବ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପ୍ରତି ହିତକାରକ କରିବାକୁ ପ୍ରୟାସ ଚାଲିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ନେସଲେର ୩୭ ପ୍ରତିଶତ ଖାଦ୍ୟ ଏବଂ ପାନୀୟଜଳର ରେଟିଂ ୩.୫ ରହିଛି। ଏହା ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଜାରି କରାଯାଇଛି। ଏହି ସିଷ୍ଟମ୍ ଅଧୀନରେ ଉତ୍ପାଦର ମୂଲ୍ୟାୟନ ମୋଟ ୫ ଷ୍ଟାର ଯାଏ ଦିଆଯାଏ। ଏହି ରେଟିଂକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାର ନଜିର ରହିଛି। କମ୍ପାନୀ କହିଛି ଯେ କେତେକ ଉତ୍ପାଦ ଏପରି ଯେ ଚାହା ଯେତେ ଚେଷ୍ଟା କଲେ ବି ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇପାରିବ ନାହିଁ। ତଥାପି କମ୍ପାନୀ ସମସ୍ତ ଉତ୍ପାଦର ପୋର୍ଟଫୋଲିଓ ଉପରେ ଦୃଷ୍ଟି ରଖିଛି। ଲୋକମାନେ କିଭଳି ସୁରକ୍ଷିତ ଓ ସନ୍ତୁଳିତ ଖାଦ୍ୟ ପାଇପାରିବେ ତାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ନେସଲେର ମୁଖପାତ୍ର କହିଛନ୍ତି। କମ୍ପାନୀ କହିଛି ପୂର୍ବରୁ କୌଣସି ଉତ୍ପାଦ ଉପରେ ଅଭିଯୋଗ ଆସିଲେ କମ୍ପାନୀ ତାର ପୋର୍ଟଫୋଲିଓ ବଦଳ କରେ। ଉଦାହରଣ ସ୍ୱରୂପ ଭାବରେ କମ୍ପାନୀ କହିଛି ଆମେ ଆମର ଉତ୍ପାଦରେ ଚିନି ଏବଂ ସୋଡିୟମ୍ ପରିମାଣକୁ କମାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି କାମ ମୁଖ୍ୟତଃ କରାଯାଇଛି। ଗତ ୭ ବର୍ଷ ମଧ୍ୟରେ ଚିନି ଏବଂ ସୋଡିୟମର ପରିମାଣ ୧୪-୧୫ ପ୍ରତିଶତ ହ୍ରାସ କରିଛି ନେସଲେ। କମ୍ପାନୀ କହିଛି ଏହାର ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ  ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ। କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି। ସେହିପରି ୬୦ ପ୍ରତିଶତ ଦୁଗ୍ଧଜାତ ଦ୍ରବ୍ୟ ଏବଂ ୮୨% ଜଳ ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ୩.୫ର ଗୁଣାତ୍ମକ ପୂରଣ କରୁଛି। ଏହି ରିପୋର୍ଟକୁ ଦୃଷ୍ଟିରେ ରଖି କମ୍ପାନୀ କହିଛି ଯେ ଏହାର ସମ୍ପୂର୍ଣ୍ଣ ଉତ୍ପାଦ ପୋର୍ଟଫୋଲିଓରେ ବିଶେଷ କରି ଖାଦ୍ୟ ଏବଂ ପାନୀୟ ବିଭାଗରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି। ଏହି ଉତ୍ପାଦଗୁଡ଼ିକର ପୁଷ୍ଟିକର ପ୍ରୋଫାଇଲ୍ କରାଯିବ ଏବଂ ଏହା ଉନ୍ନତ ହେବ। କମ୍ପାନୀ କହିଛି ଯେ ଲୋକମାନଙ୍କୁ ସ୍ୱାଦିଷ୍ଟ ଏବଂ ସୁସ୍ଥ ଆହାର ଯୋଗାଇବା ପାଇଁ ପ୍ରୟାସ ପୂର୍ବରୁ ଯେମିତି ଚାଲିଥିଲା ସେମିତି ଜାରି ରହିବ। ଆଗାମୀ ଦିନରେ କିଭଳି ତ୍ରୁଟି ପରିଲିକ୍ଷିତ ହୋଇଥିବା ଖାଦ୍ୟ ସାମଗ୍ରୀକୁ ସ୍ୱାସ୍ଥ୍ୟକର କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ।

ମମତା ବାନାର୍ଜୀଙ୍କୁ ମିଛେଇ କହିଲେ କେନ୍ଦ୍ର ସରକାର….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଶୁକ୍ରବାର ମୋଦି ବାତ୍ୟା ୟାସର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଯାଇଥିଲେ। ତେବେ ଏହି ବୈଠକରେ ମମତା ଯୋଗଦେଇ ନଥିଲେ। ଏହାପରେ ସେ ମୋଦିଙ୍କୁ ଭେଟି କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରିଥିଲେ ଓ ତାଙ୍କ ଅନୁମତି କ୍ରମେ ସେ ଦିଘା ଗସ୍ତରେ ଯାଇଥିବା ମମତା କହିଥିଲେ। ହେଲେ ମମତାଙ୍କ ଏଭଳି ବୟାନକୁ ମିଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି। ମମତା ବାନାର୍ଜୀ ସଂପର୍ଣ୍ଣ ଭାବେ ମିଥ୍ୟା ବିବୃତି ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେବାକୁ ସହମତି ହେବା ପରେ ଏହାକୁ ବୟକଟ କରିଥିବା କେନ୍ଦ୍ର ସରକାର କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ଘଟଣା ସମ୍ପର୍କରେ ମମତା କରିଥିବା ଦାବିକୁ କେନ୍ଦ୍ର ସରକାର ଏକାଧିକ ପଏଣ୍ଟ ମାଧ୍ୟମରେ ମିଛ ବୋଲି କହିଛନ୍ତି। ସୂଚନା ଅନୁସାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସମୀକ୍ଷା ବୈଠକ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଦୌ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅନୁମତି ଦେଇ ନଥିଲେ। ଏ ସମ୍ପର୍କରେ ମମତା ବାନାର୍ଜୀ ମିଛ କହୁଛନ୍ତି। ହଠାତ୍‌ ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ମିଳିଥିବା ମମତା କହିଥିଲେ। ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି, ବାତ୍ୟା ଆସିବା ପୂର୍ବରୁ କୌଣସି ପ୍ରକାରର ସୀମକ୍ଷା ବୈଠକ ପାଇଁ ତାରିଖ ଧାର୍ଯ୍ୟ ହୋଇ ନଥାଏ। ବାତ୍ୟା ଆସିବା ପରେ ହିଁ ସୀମକ୍ଷା ବୈଠକ କରାଯାଏ। ମମତା ବାନାର୍ଜୀ ବାରମ୍ବାର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୋଦିଙ୍କ ଗସ୍ତର ସମୟସୀମା ଆଜି କେନ୍ଦ୍ର ପକ୍ଷରୁ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସୂତ୍ରରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ମୋଦି କଲାଇକୁଣ୍ଡାରେ ୧.୫୯ରେ ପହଞ୍ଚିଥିଲେ। ମମତା ବାନାର୍ଜୀ କଲାଇକୁଣ୍ଡାରେ ମୋଦିଙ୍କ ଆସିବା ପରେ ଅର୍ଥାତ ୨.୧୦ରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦି ହିଁ ମମତା ବାନାର୍ଜୀଙ୍କୁ ଅପେକ୍ଷା କରିଥିଲେ।କାରଣ ତାଙ୍କ ପୂର୍ବରୁ ସେ ପହଞ୍ଚିଥିଲେ। ଜଣେ ଟିଏମସି ସାଂସଦ ମଧ୍ୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଅପେକ୍ଷା କରିବା କୌଣସି ବଡ଼ କଥା ନୁହେଁ ବୋଲି କହିଥିଲେ। ହେଲିକପ୍ଟର ପହଞ୍ଚିବା ପରେ ମମତା ୫୦୦ ମିଟିର ଦୂରରେ ଥିବା ବୈଠକ ଗୃହ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପରେ ୨.୩୫ରେ ଅନ୍ୟତ୍ର ଯାତ୍ରା ଆରମ୍ଭ କରିଥିଲେ। ୨.୧୦ରେ ପହଞ୍ଚିବା ପରେ ସେ ୫୦୦ ମିଟିର ଯିବା ଆସିବା କଲେ ଓ ୨.୩୫ ମିନିଟ୍‌ରେ ବାହାରି ଗଲେ। ସେ ମାତ୍ର ୨୫ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ନିଜର ପରବର୍ତ୍ତୀ ଯାତ୍ରା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ ସେ ସ୍ଥାନ ଛାଡ଼ିଥିଲେ। ଏହା ପ୍ରୋଟୋକଲ ବିରୋଧୀ। ତେଣୁ ଅପେକ୍ଷା କରିଥିବା ନେଇ ମମତା ବାନାର୍ଜୀ ଦେଇଥିବା ବୟାନ ସଂପୂର୍ଣ୍ଣ ମିଛ। ସେ ହିଁ ପ୍ରଧାନମନ୍ତ୍ରୀଙ୍କୁ ବସାଇ ରଖିଥିଲେ।” ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିବାକୁ ରାଜି ହୋଇଥିଲେ। ହେଲେ ବୈଠକରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା(ଶୁଭେନ୍ଦୁ ଅଧିକାରୀ) ଯୋଗଦେଉଥିବା ଜାଣି ସେ ଏହାକୁ ବୟକଟ କରିଥିଲେ। ସରକାରଙ୍କ ଦ୍ୱାରା ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। କେବଳ ବାତ୍ୟା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ସମସ୍ତଙ୍କର ଉଦ୍ଦେଶ୍ୟ ରହିଥିଲା। ସମୀକ୍ଷା ବୈଠକ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ତାଙ୍କୁ କୁହାଯାଇଥିଲା। କାରଣ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ପ୍ରଧାନମନ୍ତ୍ରୀ ବେଙ୍ଗଲ ଆସିଛନ୍ତି। ଏଥିପାଇଁ ମମତାଙ୍କୁ ସମୀକ୍ଷା ବୈଠକ ଶେଷ ହେବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ସେ ତୁରନ୍ତ ଅନ୍ୟ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ ବାରଣ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ପ୍ରସ୍ତାବିତ ସମୀକ୍ଷା ବୈଠକକୁ ବାତିଲ କରିଥିଲେ। ହେଲେ ମମତା ଘଟଣାକୁ ନେଇ ମିଛ କହୁଥିବା ଏହି ସୂତ୍ରରେ କୁହାଯାଇଛି।

ଥମିନି ବିବାଦ: ଅଲପନଙ୍କୁ ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)- କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକରେ ସେ କାହିଁକି ଯୋଗ ଦେଲେ ନାହିଁ, ତାର ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି କେନ୍ଦ୍ର ସରକାର। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଏହି ନୋଟିସ୍ ଜାରି କରାଯାଇଥିବା ବେଳେ ୩ ଦିନ ଭିତରେ ଉତ୍ତର ଦେବାକୁ ଅଲପନଙ୍କୁ କୁହାଯାଇଛି। ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକକୁ ମମତା ବାନାର୍ଜୀ ଓ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଡେରିରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସେମାନେ ଅଧାଘଣ୍ଟା ଅପେକ୍ଷା କରାଇଥିଲେ। ପୁଣି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି ଏକ ଦାବିପତ୍ର ଦେଇ ଅଲଗା ବୈଠକ ଅଛି କହି ସଙ୍ଗେ ସଙ୍ଗେ ସେଠାରୁ ଚାଲି ଯାଇଥିଲେ। ଅଲପନ ମଧ୍ୟ ମମତାଙ୍କ ସହ ଚାଲି ଯାଇଥିଲେ। ଏହା ପରେ ଅଲପନଙ୍କୁ ଦିଲ୍ଲୀ ଡକା ଯାଇଥିଲା। ରାଜ୍ୟ ସରକାର ତାଙ୍କୁ ଦାୟିତ୍ୱ ମୁକ୍ତ କରି କେନ୍ଦ୍ରକୁ ପଠାଇବାକୁ ଚିଠି କରାଯାଇଥିଲା। ଗତ ସୋମବାର ସୁଦ୍ଧା ଡିପାର୍ଟମେଣ୍ଟ ଅଫ୍ ପର୍ସନାଲରେ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଅପଲନଙ୍କୁ ରିଲିଭ କରି ନଥିଲେ। ବାତ୍ୟା ଓ କରୋନା ଚ୍ୟାଲେଞ୍ଜର ମୁକାବିଲା ଚାଲିଥିବା ବେଳେ ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିପାରିବେ ନାହିଁ ବୋଲି କହି ମମତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।ଏହି ବାଦବିବାଦ ମଧ୍ୟରେ ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅଲପନ। ତାଙ୍କ କାର୍ଯ୍ୟକାଳ ଆହୁରି ୩ ମାସ ବଢ଼ା ଯାଇଥିଲେ ବି ସେ ଗତକାଲି ଅବସର ନେଇ ଯାଇଥିଲେ। ଆଉ ଅବସର ନେବା ପରେ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ।

 

‘ଶୋଲେ’ର ଡାଇଲଗ ମାରି କେନ୍ଦ୍ର ବିରୋଧରେ ସ୍ୱର ଉଠାଇବାକୁ ବିପକ୍ଷ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ମମତାଙ୍କ ଆହ୍ୱାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)-  ‘ଜୋ ଡରତେ ହେଁ, ୱ ମରତେ ହେଁ’। ସୋମବାର ସତୁରୀ ଦଶକର ବ୍ଲକ୍‌ବଷ୍ଟର ଫିଲ୍ମ ‘ଶୋଲେ’ର ଏହି ଡାଇଲଗ ମାରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ‘ଏକଛତ୍ରବାଦୀ’ ବୋଲି କହିବା ସହ ଭୟଭୀତ ନହୋଇ ଏକାଠି ମିଶି ସ୍ୱର ଉଠାଇବାକୁ ସେ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ଆମେ ସେମାନଙ୍କ (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର) ଧମକକୁ ଡରୁ ନାହୁଁ। ପଶ୍ଚିମବଙ୍ଗ କେବେ ହାରିବା ଶିଖି ନାହିଁ। ଆମେ ସର୍ବଦା ମୁଣ୍ଡ ଟେକି ଚାଲିବୁ। ସେ କହିଛନ୍ତି, ମୁଁ ଭାବୁଛି ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନେ ଏକାଠି ହେବା ଉଚିତ୍ ଓ ସ୍ୱର ଉଠାଇବା ଉଚିତ୍। ସେମାନଙ୍କୁ (କେନ୍ଦ୍ର ସରକାରଙ୍କୁ) ସବୁ ରାଜ୍ୟ ମାନିବା ଉଚିତ୍ ନୁହେଁ। କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ ମଧ୍ୟରେ ସବୁବେଳେ ଏକ ଲକ୍ଷ୍ମଣରେଖା ରହିବା ଉଚିତ୍‌। ଜବାହାରଲାଲ ନେହରୁ ଓ ବି ଆର ଆମ୍ବେଦକର ଏହା ଉପରେ ସର୍ବଦା ଗୁରୁତ୍ୱ ଦେଇଥିଲେ। ମମତା କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ଦିନେ ସେମାନେ ପଶ୍ଚାତାପ କରିବେ। କେନ୍ଦ୍ର ସରକାର କେବଳ କୋଭିଡ୍‌ ପରିଚାଳନାଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ବିଫଳତା ଲୁଚାଇବାକୁ ଓ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଯୋଗ ନଦେବା ପରଠାରୁ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି।

ନାକା ଗେଟରେ ଯାଞ୍ଚ ପ୍ରକ୍ରିୟା ଢିଲା; କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି ନିଯୁକ୍ତି ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କରୋନା ସଂକ୍ରମଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ମଧ୍ୟରୁ ନାକା ଗେଟ ସ୍ଥାପନ ଅନ୍ୟତମ । ବାହାର ରାଜ୍ୟରୁ ସଂକ୍ରମିତଙ୍କ ପ୍ରବେଶ କୁ ରୋକିବା ନିମନ୍ତେ ସୀମାନ୍ତ ଅଞ୍ଚଳ ରେ ନାକା ଗେଟ ମାନ ଖୋଲି ଏଠାରେ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ଯାଞ୍ଚ କରିବା ଦାୟୀତ୍ୱ ଦିଆଯାଇଛି । ଏହି କ୍ରମରେ ଗୁଣପୁର ବ୍ଲକ ଅଧୀନସ୍ଥ ସିଙ୍ଗୁବାଇ ଏବଂ ଗୋଠଲ ପଦର ଠାରେ ସ୍ଥାପନ କରାଯାଇ ଥିବା ଦୁଇଟି ଗେଟ ରେ ପୋଲିସ ବିଭାଗ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଦୁଇଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ ଦିଆଯାଇ ଯାଞ୍ଚ କଡାକଡି କରିବା ନିର୍ଦ୍ଦେଶ ଦିଆଯାଇଛି ।

ପରନ୍ତୁ ଏହା କିଭଳି କାର୍ଯ୍ୟକ୍ଷମ ହେଉଛି ଗତକାଲି ର ଘଟଣାରୁ ତାହା ସ୍ପଷ୍ଟ ହୋଇ ପଡିଛି । ଗେଟରେ କାର୍ଯ୍ୟରତ କର୍ମଚାରୀ ଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ ବୋଲି ଉଠିଥିବା ଅଭିଯୋଗ ପରେ ଏନେଇ ଖବର ସଂଗ୍ରହ କରିବା ନିମନ୍ତେ ଆମ୍ଭ ପ୍ରତିନିଧି ଗୋଠଲ ପଦର ଗେଟ ଠାରେ ପହଞ୍ଚିବା ପରେ ସେଠାରେ ମାତ୍ର ଦୁଇଜଣ କର୍ମଚାରୀ କାର୍ଯ୍ୟ ରତ ଥିବା ଦେଖିବାକୁ ମିଳିଥିଲା ।ବୁଝିବାରେ ଜଣାପଡିଛି ସେଠାରେ ଡ୍ୟୁଟି କରିବା ନିମନ୍ତେ ନିର୍ଦ୍ଦେଶ ପାଇଥିବା ଦୁଇଜଣ ଶିକ୍ଷକ ଙ୍କ ମଧ୍ୟରୁ ପଞ୍ଚାନନ ଜେନା ଏଠାକୁ କାର୍ଯ୍ୟ କରିବା ପାଇଁ ଆସି ନାହାନ୍ତି । ଶିକ୍ଷକ ଙ୍କ ଅନୁପସ୍ଥିତ ର କାରଣ ନେଇ ବୁଝିବାରେ ଶିକ୍ଷକ ଶ୍ରୀଜେନା କାର୍ଯ୍ୟ କରୁଥିବା ସିଙ୍ଗି ପଦର ପ୍ରାଥମିକ ବିଦ୍ୟାଳୟ ଗ୍ରାମରେ ଏପରିକି ଗୁଣପୁର ଠାରେ ଦୀର୍ଘ ମାସ ଧରି ଅନୁପସ୍ଥିତ ଅଛନ୍ତି । କୋଭିଡ ଡ୍ୟୁଟି ରେ ନିୟୋଜିତ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଥିବା ବେଳେ କିଭଳି ଏହି ଶିକ୍ଷକ ଜଣକ ସୁଦୂର ଭଦ୍ରକ ଠାରେ ରହି ଦରମା ପାଉଛନ୍ତି ଏହା ଆଶ୍ଚର୍ଯ୍ୟ କରିଛି । ଶ୍ରୀ ଜେନା ଙ୍କ ଅନୁପସ୍ଥିତ ଖବରକୁ ସଂପୃକ୍ତ ସିଆରସିସି ଘଣ୍ଟ ଘୋଡାଇ ରଖୁଥିବା ଅଭିଯୋଗ ହେଉଛି । ଯାଞ୍ଚ କରିବାରୁ ଜଣାଯାଇଛି ଏହି ଶିକ୍ଷକ ଜଣଙ୍କୁ ଏହାର ପୂର୍ବ ଦିନ ଏହି ସ୍ଥାନରେ କାର୍ଯ୍ୟ କରିବାପାଇଁ ନିୟୋଜିତ କରାଯାଇଥିଲେ ସୁଦ୍ଧା ସେ ଏଠାରେ କାମ କରିନଥିଲେ । କିନ୍ତୁ ସେ ଏଠାରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିବା ଭଳି ଦସ୍ତଖତ ହୋଇଛି। ଶିକ୍ଷକ ଙ୍କ ଅନୁପସ୍ଥିତ ବିଷୟ ନେଇ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ଙ୍କ ସହ ଯୋଗାଯୋଗ କରିବାରୁ ଶିକ୍ଷକ ଶ୍ରୀ ଜେନାଙ୍କ ହେଡକ୍ୱାଟର ରେ ଅନୁପସ୍ଥିତି, କାର୍ଯ୍ୟରେ ଅବହେଳା ଏବଂ ତାଙ୍କ ବଦଳରେ ରେଜିଷ୍ଟ ର ରେ ଅନ୍ୟ ଜଣେ ଦସ୍ତଖତ କରିଥିବା ଘଟଣା ନେଇ ସେ କୌଣସି କଥା ଜାଣିନଥିବା ପ୍ରକାଶ କରିଛନ୍ତି ।

ଘଟଣା ଗୁଡିକ ସ୍ପଷ୍ଟ କରୁଛି ଏଠାରେ ଯାଞ୍ଚ ପ୍ରକ୍ରିୟା ,ତଦାରଖ ଓ ସୁପରଭିଜନ କିଭଳି ଚାଲିଛି । ଏମିତି ଚାଲିଲେ ଜିଲ୍ଲାପାଳ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ଦ୍ଦେଶ ଦେଇଛନ୍ତି ତାହା କିଭଳି ଫଳପ୍ରଦ ହେବବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

ଜୁନ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ ସମୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍‌ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍‌ ନୁହେଁ। ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ। ମନ୍ଦିର ମଧ୍ୟ ବନ୍ଦ ରୁହେ। ଏହି ସୂର୍ଯ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ। ଭାରତରେ ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ। ସୂର୍ଯ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ। ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ। ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ। ଜୁନ୍‌ ୧୦ ତାରିଖ ଦିନ ୧.୪୨ରୁ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବ। ଏହା ସନ୍ଧ୍ୟା ୬.୪୧ ଯାଏ ଚାଲିବ। ଏହି ସମୟ ପାକ ନିଷେଧ କରିବକୁ ହେବ।

ନବୀନଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ୍ ଟିକା ପାଇଁ ଏକଜୁଟ ହେବେ କି ଅଣବିଜେପି ଶାସିତ ରାଜ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାମୁହିକ ଟିକାକରଣ ମାଧ୍ୟମରେ କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ କୋଭିଡ୍ ଟିକା ଅଭାବ ଏବେ ଚିନ୍ତାରେ ପକାଇଛନ୍ତି। ଏଭଳି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ମାଗଣା କୋଭିଡ୍ ଟିକା ଯୋଗାଇ ଦେବା ନିମନ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ବିଜୟନ୍ ଦୁଇ ପୃଷ୍ଠାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ମାଗଣା ଟିକାକରଣ ନିମନ୍ତେ କୋଭିଡ୍ ଟିକା କ୍ରୟ କରିବାର ନିଜର ଦାୟିତ୍ୱ ଓ ସଂଘୀୟ ସହଭାଗିତାର ଭାବନାରୁ କେନ୍ଦ୍ର ସରକାର ଓହରି ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର କିଭଳି ତୁରନ୍ତ ଟିକା କ୍ରୟ କରି ସମସ୍ତ ରାଜ୍ୟକୁ ଦେବେ ସେ ନେଇ ମିଳିତ ଭାବେ ଚାପ ପକାଇବାର ସମୟ ଏବେ ଆସିଛି । କେନ୍ଦ୍ର ସରକାର ନିଜେ କୋଭିଡ୍ ଟିକା କ୍ରୟ କରି ସେଗୁଡ଼ିକ ମାଗଣାରେ ରାଜ୍ୟଗୁଡ଼ିକ ଯୋଗାଇ ଦିଅନ୍ତୁ, ଯାହାଫଳରେ ତାହା କମ୍ ଖର୍ଚ୍ଚରେ ସମ୍ଭବପରହେବ ବୋଲି ଶ୍ରୀ ବିଜୟନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ଟିକା କ୍ରୟ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମିଳିତ ଚାପ ପକାଇବାର ଆବଶ୍ୟକତା ରହିଛି । ଏବେ କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ନିଜର ଆର୍ଥିକ ଫାଇଦା ପାଇଁ ଟିକା ଯୋଗାଣର ଅଭାବ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କୋଭିଡ୍ ଟିକା ଯୋଗାଣ ନେଇ ରାଜ୍ୟଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁନାହାନ୍ତି । ତେଣୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ବିକଳ୍ପକୁ ଚୟନ କରିବାର ଆବଶ୍ୟକତା ରହିଛି । ଯଦି ରାଜ୍ୟଗୁଡ଼ିକ ଉପରେ କୋଭିଡ୍ ଟିକା କ୍ରୟର ସମସ୍ତ ଆର୍ଥିକ ବୋଝ ରୁହେ ତା’ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯିବ । ଏବେ ମାତ୍ର ଦେଶର ୩.୧ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି । ତେଣୁ ଅଧିକ ସଂଖ୍ୟାରେ ସାମୁହିକ ଟିକାକରଣ ନହେବା ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି ଓ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଚିତ୍ । ଯାହାଫଳରେ କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ପାରିବେ ଓ ଏହି ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ।