ଜାଲିଆତି କରି ଧରାପଡ଼ିଲେ କେନ୍ଦ୍ରାପଡ଼ା ସାଂସଦଙ୍କ ପିତା, ଉଚ୍ଚଶିକ୍ଷା ବିଭାଗ କଲା ଭର୍ତ୍ସନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ କରି ଦେଇଛନ୍ତି। ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତକାଲି(ଜୁନ୍ ୧)ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୨୧ ଏପ୍ରିଲ ୭ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି,ଯାହାକି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏସବୁ ପ୍ରକ୍ରିୟା ସରିବାପରେ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ଆବଶ୍ୟକ ପ୍ରାପ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ ବୋଲି ରାୟ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ପରେ ବିଭାଗ ପକ୍ଷରୁ ଏହାର ଯାଂଚ କରାଯାଇଥିଲା । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଦସ୍ତଖତରେ ଗତକାଲି ଜାରି ନିର୍ଦ୍ଦେଶନାମା ଅନୁସାରେ, ଶ୍ରୀ ମହାନ୍ତି କନ୍ଦରପୁର କଲେଜରେ ସିନିୟର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ୧୯୯୭ ଜାନୁୟାରୀ ୨ତାରିଖରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଏଥିପାଇଁ ୨୦୦୮ ମେ’ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ରିଡର ପାହ୍ୟାକୁ ପଦୋନ୍ନତି ନିମନ୍ତେ ଅତିକମରେ ୪ ସପ୍ତାହର ୨ଟି ରିଫ୍ରେସର କୋର୍ସ ପ୍ରଶିକ୍ଷଣ ନେବା ଜରୁରୀ ଥିଲା । ସେହି ସମୟରେ ଶ୍ରୀ ମହାନ୍ତି ଏହି କୋର୍ସ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ, ଯାହା ଆଧାରରେ ତାଙ୍କୁ ପଦୋନ୍ନତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା ।କିନ୍ତୁ ପରେ ବିଭାଗକୁ ଅଭିଯୋଗ ମିଳିଲା ଯେ, ଅଧ୍ୟାପକ ଶ୍ରୀ ମହାନ୍ତି ଜାଲ୍ ରିଫ୍ରେସର କୋର୍ସ ସାର୍ଟିଫିକେଟ ଦେଇ ରିଡର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ୨୦୦୯ ମାର୍ଚ୍ଚ ୨୭ତାରିଖରେ ତାଙ୍କର ପଦୋନ୍ନତିଜନିତ ସମସ୍ତ ବକେୟାକୁ ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗର ଉପନିର୍ଦ୍ଦେଶକ ଏହି ଅଭିଯୋଗର ତଦନ୍ତ କରି ୨୦୦୯ ଅଗଷ୍ଟ ୨୯ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଏବଂ ଶ୍ରୀ ମହାନ୍ତି ଦାଖଲ କରିଥିବା ରିଫ୍ରେସର କୋର୍ସ ସାଟିଁଫିକେଟ୍ ଜାଲ୍ ଓ ପ୍ରାୟୋଜିତ ବୋଲି ଦର୍ଶାଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୯୩ ଡିସେମ୍ବର ୧ରୁ ୨୮ତାରିଖ ପର୍ଯ୍ୟନ୍ତ କୌଣସି ରିଫ୍ରେସର କୋର୍ସ ପାଇଁ ସାଟିଁଫିକେଟ୍ ଶ୍ରୀ ମହାନ୍ତିଙ୍କୁ ଦିଆଯାଇନାହିଁ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ତେବେ ଅଧ୍ୟାପକ ଶ୍ରୀ ମହାନ୍ତି ଯୁକ୍ତି ବାଢ଼ିଥିଲେ ଯେ ୟୁଜିସି ନିୟମ ଅନୁସାରେ ଚାକିରିରୁ ଅବସର ନେବାର ୩ବର୍ଷ ଭିତରେ ପଦୋନ୍ନତି ନିମନ୍ତେ କୌଣସି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ । ତେଣୁ ତାଙ୍କୁ ରିଡର ପାହ୍ୟାର ସମସ୍ତ ସୁବିଧାସୁଯୋଗ ଦିଆଯାଉ । ମାତ୍ର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଶ୍ରୀ ମହାନ୍ତି ୨୦୧୦ ମେ’ ୩୧ତାରିଖରେ ଅବସର ନେଇଥିବାବେଳେ ତା’ର ୧୩ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ ଜାନୁୟାରୀ ୨ରୁ ତାଙ୍କୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ତେଣୁ ୟୁଜିସି ସର୍କୁଲାର ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ସେ ରିଡର ପାହ୍ୟାକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହଁନ୍ତି। ତେଣୁ ଶ୍ରୀ ମହାନ୍ତିଙ୍କ ରିଫ୍ରେସର କୋର୍ସ ସାର୍ଟିଫିକେଟ(ଜାଲ୍‌) ଆଧାରରେ ତାଙ୍କୁ ୧୯୯୭ ଜାନୁୟାରୀରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ନେଇ ୨୦୦୮ ମେ’ ୩ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ରଦ୍ଦ କରାଗଲା ଓ ରିଡର ସ୍କେଲରେ ତାଙ୍କୁ ପେନସନ ଦେବା ପାଇଁ ଦାବିକୁ ମଧ୍ୟ ଖାରଜ କରାଗଲା ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି । ଏହାସହିତ ଶ୍ରୀ ମିଶ୍ର ତାଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଶ୍ରୀ ମହାନ୍ତି ଜଣେ କଲେଜ ଶିକ୍ଷକତା ଭଳି ମହତ ପେଷାରେ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ମୁଣ୍ଡାଇ ଥିଲେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ଏଭଳି ଜାଲିଆତି କରିଛନ୍ତି । ଯାହାକି ତାଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଖରାପ ଉଦାହରଣ ସୃଷ୍ଟି କରିଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ରହିଥିବାବେଳେ ସେ ଏବେ ତାଙ୍କ ଅଭିନେତ୍ରୀ ପତ୍ନୀଙ୍କଠୁ ଛାଡ଼ପତ୍ର ପାଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ସମୟରେ ତାଙ୍କ ପିତାଙ୍କ ଜାଲିଆତି ମଧ୍ୟ ପଦାକୁ ଆସିଛି।

ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାରବିମର୍ଶ କରୁଛନ୍ତି : ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ଓ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉରକେଲାରେ ୧୦୦ ବେଡ୍ ବିଶିଷ୍ଟ ‘ଇସ୍ପାତ ନିଦାନ କେନ୍ଦ୍ର’କୁ ଲୋକାର୍ପଣ କରିବା ଅବସର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖୋଲାବଜାରରେ ଟିକା ଉପଲବ୍ଧି ପାଇଁ ଗତ ଏପ୍ରିଲ ମାସ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏହାପରେ ଅନେକ ରାଜ୍ୟ ମଧ୍ୟ ଖୋଲା ବଜାରରେ ଟିକା ଉପଲବ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଭାରତ ସରକାର ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ମତାମତକୁ ସମ୍ମାନ ଦେଇ ଟିକାକରଣ ନୀତିର ବିକେନ୍ଦ୍ରୀକରଣ କଲେ। ଏବେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକା ଉପଲବ୍ଧ କରାଯାଉ ବୋଲି ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି କହିଛନ୍ତି। ସେ ଓଡ଼ିଶାକୁ କେନ୍ଦ୍ର ସରକାର ଦେଇଥିବା କୋଭିଡ୍ ଟିକା ସମ୍ପର୍କରେ ତଥ୍ୟ ଦେଇ କହିଛନ୍ତି ଯେ, ଜନସଂଖ୍ୟା ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଟିକା ଯୋଗାଉଛନ୍ତି। ଭାରତର ଜନସଂଖ୍ୟା ଆଧାରରେ ଓଡ଼ିଶାର ଜନସଂଖ୍ୟା ୩.୧% ଥିବାବେଳେ ଓଡ଼ିଶାକୁ ଏବେସୁଦ୍ଧା ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି। ଓଡ଼ିଶାକୁ ମୋଟ ୮୫ଲକ୍ଷ ୧୭ହଜାର ୯୫୦ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏବେ ୫୦ ପ୍ରତିଶତ ଟିକା ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଉଥିବାବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ୨୫ ପ୍ରତିଶତ ଟିକା ଶିଳ୍ପ ଜଗତ ସେମାନଙ୍କର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଲଗାଇବାର ନିଷ୍ପତ୍ତିି ନେଇଛନ୍ତି ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ, ଖୁବ ଶୀଘ୍ର ଇସ୍ପାତ୍ ନିଦାନ କେନ୍ଦ୍ରରେ ଶଯ୍ୟା ସଂଖ୍ୟା ୫୦୦ କୁ ବୃଦ୍ଧି କରାଯିବ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସେଲ୍ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

୩ ଜୁନ୍‌, ଗୁରୁବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବୃଷ: କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ ସହଯୋଗ ମିଳିବ। ସାଂସାରିକ ଜୀବନ ସୁଖମୟ ହେବ।

ମିଥୁନ: କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ମହିଳାମାନଙ୍କ ପାଇଁ ଦିନଟି ବେଶ୍ ଫଳପ୍ରଦ ହେବ।

କର୍କଟ: ସନ୍ତାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ଆର୍ଥିକ ଉନ୍ନତି ଘଟିବ। ପାରିବାରିକ ସମସ୍ୟା ଦୂର ହେବ।

ସିଂହ: ମାନସମ୍ମାନ ବଢ଼ିବ। ସଞ୍ଚୟ ବଢ଼ାଇବାକୁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

କନ୍ୟା: ଅବସାଦ ଭିତରେ ରହିବ। ମନ ଭାରାକ୍ରାନ୍ତ ହେବ। ପରିବାର ଲୋକଙ୍କ ସହିତ ଭାବ ବିନିମୟ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କିଛି କ୍ଷତି ସହିବାକୁ ପଡ଼ିପାରେ। କୃଷି କ୍ଷେତ୍ରରେ ଉନ୍ନତି କରିବେ। ବ୍ୟବସାୟରେ ଭଲ ଲାଭ ହେବ।

ବିଛା: ଦିନଟି ବହୁତ ଭଲରେ କଟିବ। ଆର୍ଥିକ ଅଭିବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ।

ଧନୁ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନମାନଙ୍କର ତଥା ସାଙ୍ଗସାଥୀଙ୍କ ପରାମର୍ଶ ନିଅନ୍ତୁ। ବୃତ୍ତିଗତ କାର୍ଯ୍ୟରେ ସଫଳତା ପାଇବେ।

ମକର: ଅସୁସ୍ଥ ଅନୁଭବ କରିବ। ଅତ୍ୟଧିକ ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

କୁମ୍ଭ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଗୁପ୍ତ ଶତୃମାନେ ପରାଜିତ ହେବେ। ପରିବାରରେ ମହିଳାମାନେ ନିଜର ସ୍ଥିତି ସୁଦୃଢ଼ କରିବେ।

ମୀନ: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ନିଜକୁ ଯେକୌଣସି କାର୍ଯ୍ୟରେ ନିୟୋଜିତ କରନ୍ତୁ।

‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ କଲେ ଜିଲ୍ଳାପାଳ, ସୁଲଭ ମୂଲ୍ୟରେ ମିଳୁଛି ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ;ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ ସହ ବଜାରୀକରଣ ବ୍ୟବସ୍ଥାର ରହିଛି ଲକ୍ଷ୍ୟ..! 

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ) – କୋଭିଡ ସୁରକ୍ଷା ନିୟମ ପାଳନ କରି ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ଆଜି ଜୁନ ୨ ବୁଧବାର ଠାରୁ ଆରମ୍ଭ ହୋଇଛି ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ‘ଗାଁ ଆମ୍ବ ପସରା’ । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଏହାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଳାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଂଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଆମ୍ବ ଦ୍ୱାରା ଜୈବିକ ପଦ୍ଧତିରେ ଆମ୍ବସୋଡା ଓ ଆମ୍ବୁଲ ଆଦି ପ୍ରସ୍ତୁତ କରି ଏହାର ଦର ନିର୍ଦ୍ଧାରଣ କରି ଜାତୀୟ ବଜାରରେ ଆଗାମୀ ଦିନରେ ବଜାରୀକରଣ ବ୍ୟବସ୍ଥା ଉପରେ ପ୍ରଶାସନର ପ୍ରୟାସ ଜାରି ରହିଛି ବୋଲି ମଧ୍ୟ କହିଥିଲେ । ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ର୍ରୟାସ କରାଯାଇଛି ।

ରାୟଗଡ ଜିଲ୍ଳାରେ ବର୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଚାଷି ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷିଭାଇମାନେ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ୍ବ ମହୋତ୍ସବରେ ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ,ହେମସାଗର,ଲେଙ୍ଗଡା,ମଲ୍ଳିକା ସମେତ ଆହୁରି ଅନେକ କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ରାୟଗଡ ବଜାରରେ ଛୋଟ ମୋଟ ଆମ୍ବ ବ୍ୟବସାୟୀମାନେ ଆମ୍ବ କେଜି ପିଛା ୫୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ଗାଁ ଆମ୍ବ ପସରାରେ ୩୦ଟଙ୍କାରୁ ୫୦ଟଙ୍କା ମଧ୍ୟରେ ବିଭିନ୍ନ କିସମର ସୁଆଦିଆ ଆମ୍ବ ମିଳୁଥିବାରୁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ଏହି ଆମ୍ବ ପସରାରେ ମୁନିଗୁଡା,କଲ୍ୟାଣସିଂହପୁର ଓ କାଶିପୁର ବ୍ଳକର ଉତ୍ପାଦକ ଗୋଷ୍ଠୀ, ଡିିଏଫପିସିଏଲ,ରାୟଗଡ,ଉଦ୍ୟାନ କୃଷି ବିଭାଗ, ମିଶନ ଶକ୍ତି,ରାୟଗଡ,ଓଡିଶା ଜୀବିକା ମିଶନ ଓ ଓରମାସ ଅଧିନରେ ଥିବା ବିଷମକଟକ ଓ ମୁନିଗୁଡାର ଡଙ୍ଗରିଆ ଚାଷୀଙ୍କ ସମେତ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରିୟ କେନ୍ଦ୍ର ଖୋଲାଯାଇଛି । ଆଜି ପ୍ରଥମ ଦିନରେ ସମସ୍ତ ଉତ୍ପାଦକ ଗୋଷ୍ଠୀ ଓ କୃଷକଙ୍କ ପକ୍ଷରୁ ୭୮କ୍ୱିଂଟାଲ ଆମ୍ବ ଅଣାଯାଇଥିବା ବେଳେ ୨୫.୭୫ କ୍ୱିଂଟାଲ ଆମ୍ବ ବିକ୍ରି କରାଯାଇ ୧ଲକ୍ଷ ତିନି ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ ,ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ର,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜ,ମିଶନ ଶକ୍ତିର ନିରଂଜନ ମଲ୍ଳିକ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି,ଗତବର୍ଷ ମହାମାରୀ କରୋନା ସଂକ୍ରମଣର ଭୟଭୟତାକୁ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇ ପାରି ନ ଥିଲା । ତେବେ ଚଳିତ ବର୍ଷ ଜୁନ ମାସରେ ସଂକ୍ରମଣ ସଂଖ୍ୟା ଏକ ପ୍ରକାର ନିୟନ୍ତ୍ରଣାଧୀନ ଥିବାରୁ କୋଭିଡ ନିୟମ ପାଳନ କରି ଗ୍ରାହକଙ୍କୁ ଆମ୍ବ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି ।

ହାଣ୍ଡଭଙ୍ଗା ଗ୍ରାମବାସୀ ଙ୍କ ତରଫରୁ ନିଯୁକ୍ତି ଓ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି ସିଲିଯୋଡା ଦେବବ୍ରତ ବେହେରା ଖଣି କମ୍ପାନୀ ଙ୍କୁ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର)- ସଂପ୍ରତି କରୋନା ମହାମାରୀ କାଳରେ ଏଠାକାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ନୂତନ ଖଣି ସରକାର ଙ୍କ ଠାରୁ ଅନୁମତି ପାଇଥିବା ଖଣି ମାଲିକ ବର୍ତ୍ତମାନ ସୁଦ୍ଧା ଆଗ୍ରହ ଦେଖାଇ ନାହାନ୍ତି ଆଞ୍ଚଳିକ ବିକାଶ ପାଇଁ ! ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ଆଇରନ ଓ ମାଙ୍ଗାନିଜ ଖଣି ରେ କାର୍ଯ୍ୟ କରି ଆସୁଥିବା ମାଙ୍ଗିଲାଲ ରୁଙ୍ଗଟା ଙ୍କ ବଦାନ୍ୟତା ସର୍ବ ଆଦୃତ ଅଟେ ! ଏବଂ ତାଙ୍କରି କାର୍ଯ୍ୟ କାଳରେ ଏଠାକାର ସ୍ଥାନୀୟ ଜନସାଧାରଣଙ୍କର କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ବିକାଶ ଦିଗରେ ବିଶେଷ ପ୍ରାଥମିକତା ଦେଇଥିଲେ ! ଯାହା ବର୍ତ୍ତମାନ ସରକାର ଙ୍କ ଅନୁମୋଦିତ ଦେବବ୍ରତ ବେହେରା ଖଣି ଠାରୁ ଆବଶ୍ୟକ କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଏଠାକାର ସ୍ଥାନୀୟ ଅଧିବାସୀ ଆଶା କରୁଛନ୍ତି ! ଏହି ପରିପ୍ରେକ୍ଷୀରେ ଉକ୍ତ ଖଣି କର୍ତ୍ତୃପକ୍ଷ ଙ୍କ ସହିତ ସୌଜନ୍ୟତା ମୂଳକ ସାକ୍ଷାତ ହୋଇ ସମସ୍ତ ବିଷୟ ରେ ଆଲୋଚନା ହୋଇ ସାରିଛି ! ଏବଂ ସେମାନେ ଆଶା କରୁଛନ୍ତି ଆଗାମୀ ଦିନରେ ଉକ୍ତ ଖଣି ମାଲିକ ଏଠାକାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ! କିନ୍ତୁ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଅବସ୍ଥା କୁ ଅଣଦେଖା କରି ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ପରିବହନ କାର୍ଯ୍ୟ ଟେକି ଦେଇଥିବାରୁ ତାଙ୍କର ଉଦ୍ଦେଶ୍ୟ ପ୍ରତି ଆଶଙ୍କା ମଧ୍ୟ ବ୍ୟକ୍ତ କରାଉଛି ! ତେଣୁ ଏଥିପ୍ରତି ଖଣି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏଠାକାର ଖଣି କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଜନ ସାଧାରଣ ଙ୍କ ଉନ୍ନତି ହୋଇ ପାରନ୍ତା ବୋଲି ଜନ ସାଧାରଣ ରେ ଦାବି ହେଉଛି !

ସେବା ସପ୍ତାହ ଅବସରରେ ବି. ନୂଆପଲ୍ଲୀ ରେ ମାସ୍କ ବଣ୍ଟନ…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରଦାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୃତ୍ତି ପୂରଣ ଉପଲକ୍ଷେ ଭାରତୀୟ ଜନତାପାର୍ଟି ତରଫରୁ ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ବି. ନୂଆପଲ୍ଲୀ ଗ୍ରାମରେ ସିମାଞ୍ଚଳ ମହାନ୍ତିଙ୍କ ନେତୃତ୍ବରେ ମାସ୍କ, ସାବୁନ ବଣ୍ଟନ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଅରୁଣ କୁମାର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ମିସ୍ତ୍ରୀ, ଜନସେନ ପରିଡ଼ା, ଚନ୍ଦ୍ରମୋହନ ଜେନା, ରାମକୃଷ୍ଣ ଜେନା, ପ୍ରସନ୍ନ କୁମାର ଶତପଥି, ଆଲୋକ କୁମାର ଶତପଥି, ପବିତ୍ର ମୋହନ ନାୟକ, ସୁଶାନ୍ତ କୁମାର ଜେନା ସମେତ ଅନ୍ୟମାନେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ବିବାଦକୁ ଟାଣିଲା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ? କୋଭିଡ ନିୟମ ଭାଙ୍ଗି ବିବାଦରେ କବିସୂର୍ଯ୍ୟନଗର ବିଧାୟିକା ଲାତିକା ପ୍ରଧାନ ଭାଇରଲ ହେଉଛି ଭିଡ଼ିଓ, କେବେ ହେବ କାର୍ଯ୍ୟାନୁଷ୍ଠାନ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ କଡାକଡି କରି ସରକାର ନିୟମ ଉଲ୍ଲଙ୍ଘନ ପାଇଁ ଜୋରିମାନାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେତାମାନେ ଏହି ନିୟମକୁ ଖାତିର କରୁନାହାନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ପି. ନୂଆଁଗାଁ ଠାରେ ରବିବାର କବିସୂର୍ଯ୍ଯନଗର ବିଧାୟିକା ଲତିକା ପ୍ରଧାନ ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ନେଇ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି । କିନ୍ତୁ କାହା ମୁହଁରେ ମାସ୍କ ନାହିଁ ଏବଂ ସାମାଜିକ ଦୂରତା ମଧ୍ୟ ନାହିଁ । କୋଭିଡ କଟକଣା ବଳବତର ଥିବା ବେଳେ ବିଧାୟିକାଙ୍କ ଏପରି କାର୍ଯ୍ୟକ୍ରମ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକାଠି ହୋଇଥିବାର ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ରାଜ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିଧାୟିକାଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ଏକ ଅପମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଲୋକ ପ୍ରତିନିଧି ହୋଇଥିବାରୁ ସେ କୋଭିଡ ନିୟମ ମାନି ଅନ୍ୟମାନଙ୍କୁ ପ୍ରେରଣା ଦେବା ବାହାନାରେ କୋରନା ବାଣ୍ଟୁଛନ୍ତି ବିଧାୟିକା । ଯାହାର ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ସାଧାରଣ ଜନତା ନିୟମ ଭାଙ୍ଗିଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏଠି ନିୟମ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବିଧାୟିକାଙ୍କ ବିରୋଧରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା । ଭିଡ଼ିଓକୁ ବିଜେପି ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶନୀ ଓ ବିଜେପି ଯୁବ ନେତା ପ୍ରମୋଦ କୁମାର ପଣ୍ଡା ଫେସବୁକରେ ଅପଲୋଡ଼ କରି ବିଧାୟିକାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲାଗି ବିରୋଧୀ ଦାବି କରିଛନ୍ତି ।

ରଥଯାତ୍ରା ପାଇଁ କତା ଶିଳ୍ପୀ ଯୋଗାଇଲେ ରଥ ଦଉଡ଼ି ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଆଜି କତା ନିଗମ ପକ୍ଷରୁ ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ଏଥିରେ ୧୪ଟି ରଥଟଣା ଦଉଡ଼ି ରହିଛି। ତା ମଧ୍ୟରେ ରହିଛି ୨୨୦ଫୁଟ ଲମ୍ବ ସହ ୮ଇଞ୍ଚ ଗୋଲେଇ ଦଉଡ଼ି ରହିଛି। ସେହିପରି ୩ଟି ଆଉଟର କର୍ଡନ ଦଉଡ଼ି ରହିଛି, ଯାହାର ଲମ୍ବ ୪୫୦ ଫୁଟ ଏବଂ ୪ ଇଞ୍ଚ ଗୋଲେଇ ରହିଛି। ୧୦୦ ମିଟର ଲମ୍ବର ଇନର କର୍ଡନ ୪ ଇଞ୍ଚ ଗୋଲେଇ ଦଉଡି ରହିଛି। ଏହାକୁ ପୂରା ନିଷ୍ଠାର ସହ ତିଆରି କରିଛନ୍ତି କତା ଶିଳ୍ପୀ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ। ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ କାମ ଏବେ ଜୋର ସୋରରେ ଚାଲିଛି। ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟି ଚକର କାର୍ଯ୍ୟ ଶେଷ ହୋଇଛି। ଏବେ ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ସାନ୍ନ ପୂର୍ଣ୍ଣିମା ନୀତି ବିଧିବିଧାନ ମୁତାବକ କରାଯାଇଥିଲା। ଏଥର ମଧ୍ୟ କରୋନା କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ହାତରେ କମ୍ ସମୟ ରହିଛି। ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ। ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନାର ଦ୍ୱିତୀୟ ଲହର ଯୋଗୁ ଏଥର ମଧ୍ୟ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଏହାରି ଭିତରେ ପୁରୀ ରଥଖଳାରୁ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ।

ଏକାମ୍ର କାନନ ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗ, ଷ୍ଟାଟସ୍ କୋ ଜାରି ରଖିବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀରେ ଏକାମ୍ର କାନନରୁ ୨୦ ଏକର ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗରେ ଷ୍ଟାଟସ କୋ ଜାରି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଏନଜିଟି। ଏଥିସହ ୪ ଜଣିଆ କମିଟି ଗଠନ ସହ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳ, ଉଦ୍ୟାନକୃଷି ନିର୍ଦ୍ଦେଶକ, ଚନ୍ଦକା ଡିଏଫଓ ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ କମିଟି ଗଠନ ହୋଇଛି। ପିଟିସନରେ ଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଜୁନ ୩୦ରେ ପରବର୍ତ୍ତୀ ଶୁଣାଣି ହେବ। ଗତ ବର୍ଷ ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଯାହା ପରେ ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ଉଦ୍ୟାନରେ କଙ୍କ୍ରିଟ୍ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତିରୁ ଓହରିଛି ଉଦ୍ୟାନ କୃଷି ବିଭାଗ। ଏକାମ୍ର କାନନରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ । ୨୦ ଏକର ୧୯୨ ଡିସିମିଲ୍ ଜମିକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିବାକୁ ଚିଠି ହେବା ଖବର ପ୍ରଚାରିତ ହେବା ପରେ ବିଜେପି, କଂଗ୍ରେସ, ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍ ଏହାକୁ ପ୍ରବଳ ବିରୋଧ କରିଥିଲେ ।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ । ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ ଜୋର ସୋରରେ ଚାଲିଛି କାମ । ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି । ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।କୋଭିଡ୍ କଟକଣା ଭିତରେ ରୀତିନୀତି ସଂପନ୍ନ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯିବ। ଏଥିସହ ଜନ ସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ପୁରୀ ଏସ୍ପି । ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁଲିସ ପକ୍ଷରୁ ପ୍ରଥମ ବୈଠକ ହୋଇଛି । ଭଉଁରୀ ପରମ୍ପରା ଅନୁଯାୟୀ ଏହି ତିଥିରେ ତିନି ରଥର ଚକ ଅଖ ଡ଼େରା କାର୍ଯ୍ୟ ସମ୍ପନ୍ନ ହେବ। ସେଥିପାଇଁ ତିନିଟି ରଥର ତିନିଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବେଳେ ଅନ୍ୟ ଅଖ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ । ଏହା ପରେ ବିଶ୍ୱକର୍ମାମାନେ ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡ଼େରା କାର୍ଯ୍ୟ ସଂପନ୍ନ କରିବେ ।