କେନ୍ଦ୍ରର ନୋଟିସକୁ ନେଇ ମୁହଁ ଖୋଲିଲେ ଅଲପନ ବନ୍ଦୋପାଧ୍ୟୟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ କଳିରେ ଫିସିଥିବା ପ୍ରଶାସନିକ ଅଧିକାରୀ ଅଲପନ ବନ୍ଦୋପାଧ୍ୟୟ ଶେଷରେ ମୁହଁ ଖୋଲିଛନ୍ତି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟାସ ବାତ୍ୟାର ସମୀକ୍ଷା ବୈଠକରେ ସେ ଯୋଗ ଦେଇ ନଥିବାରୁ ତାଙ୍କୁ କେନ୍ଦ୍ର ସରକାର ନୋଟିସ୍‌ କରିଥିଲେ। ଏବେ ବେଙ୍ଗଲର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟୟ ଏହାର ଜବାବ ଦେଇଛନ୍ତି। ସେ କେନ୍ଦ୍ରକୁ ଚିଠି ଲେଖି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ୟାସ ସମୀକ୍ଷା ବୈଠକରେ ଆଦୌ ଅନୁପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ଥିବା ଯାଏ ସେ ସେଠାରେ ଉପସ୍ଥିତ ରହିଥିଲେ। ଅଲପନ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ସେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଛାଡ଼ିଥିଲେ। ଏହାପରେ ଦିଘା ସହରକୁ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ। କେନ୍ଦ୍ରରୁ ଅଲପନ ପଠାଇଥିବା ଚିଠିରେ ସେ ଏକଥା ଲେଖିଥିବା ପିଟିଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଶୁକ୍ରବାର ବୈଠକରେ ଅଲପନ ଯୋଗ ନଦେବାରୁ ତାଙ୍କୁ କେନ୍ଦ୍ରକୁ ବଦଳି କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ସେ ଅବସର ନେବାର ଥିଲା। କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ମମତା ବାନାର୍ଜୀ ବ୍ୟୁରୋକ୍ରାଟ ଅଲପନଙ୍କୁ ରିଲିଜ୍‌ କରିବାକୁ ମନା କରିଥିଲେ। ଏଥିସହ ସେ ୩୧ ତାରିଖରେ ଅବସର ନେବା ପରେ ତାଙ୍କୁ ମମତା ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ତାଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ। କାହିଁକି ସେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ, ତା’ର କାରଣ କହିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଲପନଙ୍କୁ ନୋଟିସ କରିଥିଲା।

କମଳା ହାରିସଙ୍କ ସହ ଫୋନରେ କଥା ହେଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଉପ ରାଷ୍ଟ୍ରପତି କମଳା ହାରସିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। କରୋନା ଟିକା ସପ୍ଲାଏକୁ ନେଇ ସେ କମଳାଙ୍କ ସହ କଥା ହୋଇଛନ୍ତି। ଆମେରିକା ସରକାର ଭାରତକୁ ସବୁ ପ୍ରକାରର ସହାୟତା ଦେଇଥିବାରୁ ମୋଦି ଆଜି କମଳାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପିଏମଓ ପକ୍ଷରୁ ଜାରି ବିବୃତି ଅନୁସାରେ, ଉପ ରାଷ୍ଟ୍ରପତି କମଳା ହାରିସ ଆମେରିକା ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ଟିକାକରଣ ସମ୍ପର୍କରେ କରାଯାଇଥିବା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। ଆମେରିକା ବନ୍ଧୁ ଭାରତ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ଯୋଗାଇ ଦେବାକୁ Strategy for Global Vaccine Sharing ବ୍ୟବସ୍ଥା କରିଛି। ଆମେରିକାର ଏପରି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିବା ସହ ବିଭିନ୍ନ ସହାୟତା ପାଇଁ କମଳା ହାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତକୁ ନିକଟରେ ଆମେରିକା ପଠାଇଥିବା ବିଭିନ୍ନ ସହାୟତା ଓ ଆମେରିକାରେ ଥିବା ଭାରତୀୟଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ପ୍ରଶଂସା ମଧ୍ୟ କରିଥିଲେ। ଦୁଇ ନେତା ସ୍ୱାସ୍ଥ୍ୟ ସପ୍ଲାଏ ଚେନ୍‌କୁ ମଜଭୁତ କରିବା ପାଇଁ ମଧ୍ୟ କଥା ହୋଇଛନ୍ତି। ବିଶେଷ କରି ଟିକା ଉତ୍ପାଦନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଦି ମଧ୍ୟ ଟ୍ୱିଟ କରି କମଳା ହାରିସଙ୍କ ସହ ଆଲୋଚନା ସକାରାତ୍ମକ ରହିଥିବା କଥା କହିଛନ୍ତି। ଭାରତକୁ ଟିକା ପଠାଇବାକୁ କମଳା ହାରିସ ପ୍ରତିଶ୍ରୁତି ଦେଇଥିବାରୁ ମୋଦି ଏହାକୁ ସ୍ୱାଗତ କରିଥିବା କଥା କହିଛନ୍ତି।

ପୁଣି ଲୋକଙ୍କ ସମସ୍ୟାର ସମାଧାନ କରିବେ ସାଂସଦ ଅପରାଜିତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପୁଣି ଆରମ୍ଭ ହେଲା ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କ ସଂସଦୀୟ କାର୍ଯ୍ୟାଳୟରେ ଜନସାଧାରଣଙ୍କ ସମସ୍ୟା ଏବଂ ଅଭିଯୋଗ ଶୁଣିଛନ୍ତି। ସେସବୁ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ପ୍ରୟାସ କରିଛନ୍ତି ସାଂସଦ। ଆଗାମୀ ଦିନରେ ଏହି ଜନ ଅଭିଯୋଗ ଶୁଣାଣି ନିୟମିତ ଭାବେ ଜାରି ରହିବ ବୋଲି କହିଛନ୍ତି ଅପରାଜିତା। କରୋନା କଟକଣା ଯୋଗୁଁ ଗତ କିଛି ଦିନ ଧରି ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲା। କୋଭିଡ୍‌ ଆଇନ୍‌ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଗତବର୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ସିଲ କରିଥିଲା। ଏହା ପରେ ଅପରାଜିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଅଫିସ ସିଲ୍ ହେବା ପରେ ସାଂସଦ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମକଦ୍ଦମା ଧମକ ଦେବା ପରେ ସପ୍ତାହକ ପରେ ଅପରାଜିତାଙ୍କ ଅଫିସ୍‌‌ ଖୋଲିଥିଲା ବିଏମ୍‌ସି।

ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି।  ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏଥିଲାଗି ପ୍ରାକ୍ ପ୍ରସ୍ତୁତି କରି ନ ଥିଲା । ମନମୋହନ ଆହୁରି କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏବେ ମଧ୍ୟ ବହୁ ଲୋକ ପାଣିଘେରରେ ଅଛନ୍ତି । ଏବେ ବି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିନାହିଁ  । ଆରଆଇ ପହଞ୍ଚି ନାହାନ୍ତି । ରାସ୍ତା ପୁନରୁଦ୍ଧାର ହୋଇପାରିନାହିଁ।  ଏଥିଲାଗି ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି । ପ୍ରଧାନମନ୍ତ୍ରୀ ୮ ଲକ୍ଷରୁ ଅଧିକ ପକ୍କାଘର ଘୋଷଣା କରିଛନ୍ତି । ରାଜ୍ୟ ସରକାର ବାତ୍ୟାଞ୍ଚଳ ଗୁଡ଼ିକରେ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାନ୍ତୁ ବୋଲି ଦାବି କରିଛି ଦଳ । ସେହିପରି ଫସଲ ନଷ୍ଟ ବାବଦକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ଘରଭଙ୍ଗା ଟଙ୍କା ୧୪ ଦିନ ଭିତରେ ପ୍ରଦାନ କରିବା ସହ ବାତ୍ୟା ଅଞ୍ଚଳରେ କୃଷକଙ୍କ ପାଇଁ ଋଣ ଛାଡ ଏବଂ ଅଗ୍ରୀମ ଋଣ ପ୍ରଦାନ ତଥା ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୂରଣ ପାଇଁ ବିଜେପି ଦାବି କରିଛି । ତେବେ ବିଜେପି ଅଭିଯୋଗକୁ ନେଇ ରାଜ୍ୟ ସରକାର କିମ୍ବା ବିଜ଼େଡିର ପ୍ରତିକ୍ରିୟା ମିଳିପାରିନାହିଁ।

ବିଜୟନ୍‌ଙ୍କ ପରେ ନବୀନ: କୋଭିଡ୍ ଟିକା ପାଇଁ ଚାପ, ଲୋଡ଼ିଲେ ସବୁ ରାଜ୍ୟର ସହଯୋଗ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ୱାନ କରିଥିବା ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡ଼ିକର ଅନାଗ୍ରହ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କେନ୍ଦ୍ର ସରକାର କୋଭିଡ୍ ଟିକା କ୍ରୟ କରନ୍ତୁ ଓ ରାଜ୍ୟ ଏହାର ଆର୍ଥିକ ବୋଝ ଉଠାଇବ ବୋଲି ଲିଖିତ ଭାବେ ରାଜ୍ୟ ସରକାର ଜଣାଇବାର ୨୪ଘଣ୍ଟା ନପରୁଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବୋଚ୍ଚ ପ୍ରାଥମିକତା ଓ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣକୁ ରାଜ୍ୟ ସରକାରମାନେ ଗ୍ରହଣ ନକରିବା ଯାଏ କେହି ନିରାପଦ ନୁହଁନ୍ତି ବୋଲି କହବା ସହ ଭାରତ ସରକାର ନିଜେ ଟିକା କ୍ରୟ କରି ରାଜ୍ୟଗୁଡ଼ିକ ବଣ୍ଟନ କରନ୍ତୁ, ଯାହାକି ନାଗରିକମାନଙ୍କର ତ୍ୱରିତ୍ ଟିକାକରଣ ସମ୍ଭବପର କରାଇବାର ଏକମାତ୍ର ବିକଳ୍ପ ବୋଲି ନବୀନ କହିଛନ୍ତି। ଏହାସହିତ ପରୋକ୍ଷରେ ରାଜ୍ୟ ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଲା ବୋଲି ସରକାର ସ୍ୱୀକାର କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏହି ଟିକା କ୍ରୟ ପ୍ରସଙ୍ଗରେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଓଡ଼ିଶା ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିବାର ୩ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତନିର୍ବିଶେଷରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଟିକା କ୍ରୟ ପାଇଁ ରାଜ୍ୟଗୁଡ଼ିକ ନିଜ ଭିତରେ ପ୍ରତିଯୋଗିତା ନକରି ପରୋକ୍ଷରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ଅଧିକ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ଇସାରା ଦେଇଛନ୍ତି। ସୂଚନା ଅନୁସାରେ, ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ମଧ୍ୟ ତା’ ପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୌଣସି ଉତ୍ପାଦନକାରୀ କମ୍ପାନୀ ଆଗ୍ରହ ଦେଖାଉନଥିବା ସ୍ପଷ୍ଟ କରିଥିଲେ। ଏହାସହିତ ଗ୍ଲୋବାଲ ଟେଣ୍ଡର ଫେଲ୍ ମାରୁଥିବା ନେଇ ମଧ୍ୟ ପରୋକ୍ଷରେ ସୂଚନା ଦେଇ କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟକୁ ଦିଅନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଗତକାଲି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟିକାକରଣ ଓ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ଆଲୋଚନା କରିବା ପରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ସ୍ୱାଧୀନତା ପରେ କରୋନା ମହାମାରୀ ସମଗ୍ର ଦେଶ ଆଗରେ ଏକ ବିରାଟ ଚ୍ୟାଲେଞ୍ଜ ପାଲଟିଛି । ରାଜନୀତିକ ଓ ଅନ୍ୟ ଯାହାବି ମତଭେଦ ରହିଥିଲେ ମଧ୍ୟ ଲୋକଙ୍କ ମୂଲ୍ୟବାନ ଜୀବନ ଓ ସେମାନଙ୍କର କଷ୍ଟଲବ୍ଧ ଜୀବିକାକୁ ବଂଚାଇବା ପାଇଁ ସମସ୍ତେ ସଂଘୀୟ ସହଭାଗିତାର ବାସ୍ତବ ମନୋଭାବ ନେଇ ଏକଜୁଟ ହେବେ ବୋଲି ମୁଁ ନିଶ୍ଚିତ । ଏବେସୁଦ୍ଧା କରୋନା ମହାମାରୀର ଦୁଇଟି ଲହରୀକୁ ଦେଶ ସମ୍ମୁଖୀନ ହୋଇଛି । ତେଣୁ ଭବିଷ୍ୟତରେ ଲୋକଙ୍କୁ ସୁରକ୍ଷା ଦେବାର ବାଟ ହେଉଛି ସେମାନଙ୍କର ଟିକାକରଣ କରାଇବା। ଯେଉଁସବୁ ଦେଶ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସେଠାରେ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିଛି। ଟିକାକରଣକୁ ସର୍ବୋଚ୍ଚ ପ୍ରାଥମିକତା ଓ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ନକଲେ ରାଜ୍ୟଗୁଡ଼ିକ ନିରାପଦ ନୁହଁନ୍ତି। ତେଣୁ ଟିକା କ୍ରୟ ପାଇଁ ରାଜ୍ୟଗୁଡ଼ିକ ନିଜ ପ୍ରତିଯୋଗିତା କରିବା ଅନୁଚିତ୍। ନବୀନ ନିଜ ରାଜ୍ୟର ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ ଏତେ ସଂଖ୍ୟକ ଟିକା ଯୋଗାଣ କରିବାରେ ପ୍ରତିବଦ୍ଧ କି ସକ୍ଷମ ନୁହଁନ୍ତି। ବିଦେଶୀ ଟିକା କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଟିକା ଯୋଗାଣ କରିବାକୁ ଅନିଚ୍ଛୁକ। ସେମାନେ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି। ତେଣୁ ଏଭଳି ସ୍ଥିତିରେ ସବୁଠୁ ଭଲ ଉପାୟ ହେଉଛି ଭାରତ ସରକାର ଟିକା ନିଜେ କ୍ରୟ କରି ରାଜ୍ୟଗୁଡ଼ିକ ବଣ୍ଟନ କଲେ ନାଗରିକମାନଙ୍କର ତୁରନ୍ତ ଟିକାକରଣ ହୋଇପାରିବ। ଏହାସହିତ ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକ ପାଇଁ କେତେକ ସର୍ତ୍ତାବଳୀକୁ କୋହଳ କରିବାର ଆବଶ୍ୟକତା ରହିଛି। ପାହାଡ଼ିଆ ଅଂଚଳରେ ଇଣ୍ଟରନଟେ ନଥିବାରୁ ଅନଲାଇନ ପଞ୍ଜିକରଣକୁ କୋହଳ କରିବା, ଆଦିବାସୀ ବର୍ଗଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଆଦି ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ଦର୍ଶାଇ ନବୀନ ସମସ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ଓ ସମସ୍ୟାର ଆଗୁଆ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ତୃତୀୟ ଲହର ଆସିବା ପୂର୍ବରୁ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ଥିବା ନବୀନ କହିଛନ୍ତି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଆଜି ଏହି ଚିଠି ଲେଖିଛନ୍ତି। ଚିଠିରେ ଟିକା କିଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କଥା ସିଧାସଳଖ ଉଲ୍ଲେଖ ନଥିଲେ ମଧ୍ୟ ପରୋକ୍ଷରେ ନବୀନ ରାଜ୍ୟଗୁଡ଼ିକୁ ଏକଜୁଟ କରାଇ ଟିକା ପାଇଁ ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ଏହି ବିପତ୍ତି ସମୟରେ ସମସ୍ତ ରାଜ୍ୟ ସରକାର ଯେଭଳି ଦଳମତ ନିର୍ବିର୍ଶେଷରେ ଏକଜୁଟ ହେବେ ସେଥିପାଇଁ ମଧ୍ୟ ଉଦ୍ୟମ କରିଛନ୍ତି। ଆଉ ପରୋକ୍ଷରେ ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡରର ଭବିଷ୍ୟତ ଅନ୍ଧକାରମୟ ବା ଫେଲ୍ ମାରିବାକୁ ଯାଉଥିବା ଗତକାଲି ଓ ଆଜିର ଚିଠିରୁ ସ୍ପଷ୍ଟ ହୋଇଛି।

ବଢ଼ିଲା ରାମଦେବଙ୍କ ଅଡ଼ୁଆ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ସମନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ ମହାମାରୀ କରୋନାକୁ ମାତ୍‌ ଦେଇପାରୁଛି ବୋଲି ଦାବି କରି ନିଜର ବ୍ୟବସାୟ ବୃଦ୍ଧି କରୁଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। କରୋନିଲ କିଟ୍‌ ସମ୍ପର୍କରେ ରାମଦେବ ମିଥ୍ୟା ପ୍ରଚାର କରୁଥିବାରୁ ଦିଲ୍ଲୀ ମେଡିକାଲ ଆସୋସିଏସନ(ଡିଏମଏ) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଆଧାର କରି ରାମଦେବଙ୍କୁ ହାଜର ହେବାକୁ ସମନ କରିଛନ୍ତି। ଡିଏମଏ ତା’ ଆବେଦନରେ କରୋନିଲ କିଟକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବାକୁ କହିଛି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ। ସେ ଯାଏ ରାମଦେବ କୌଣସି ପ୍ରକାରର ଉତ୍ତେଜନା କିମ୍ବା ଉସକାଇବା ଭଳି ବୟାନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଓକିଲଙ୍କୁ କହିଛନ୍ତି। ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ କରୋନାକୁ ମାତ ଦେବାରେ ସକ୍ଷମ ବୋଲି ରାମଦେବ ଦାବି କରିଥିଲେ। ହେଲେ ଏହା କୌଣସି ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ଆଧାରିତ ନୁହେଁ ଓ ଏହା କେମିତି କରୋନାକୁ ମାତ ଦେଉଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାମଦେବ ଏହା କରୋନା ବିରୋଧୀ ଔଷଧ ବୋଲି କହିବା ସହ ଏହାର ପ୍ରଚାର କରୁଛନ୍ତି। ଡିଏମଏ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏଲୋପା‌ଥିକୁ ନେଇ ରାମଦେବ ଭୁଲ ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଇଏମଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।ଆଇଏମଏ ଆଇପି ଇଷ୍ଟେଟ ପୁଲିସ୍‌ ଷ୍ଟେସନରେ କରିଥିବା ଏଫଆଇଆରରେ କହିଥିଲା ଯେ ରାମଦେବ ଜାଣିଶୁଣି କୋଭିଡ ଚିକିତ୍ସାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଇଏମଏ ଦାବି କରିଛି।

ଯୋଗୀଙ୍କ ନିର୍ଦ୍ଦେଶ ପରେ ରୋଗୀଙ୍କ ପରିବାରକୁ ଟଙ୍କା ଫେରାଇଲା ‘ଲୁଟେରା ହସ୍ପିଟାଲ’..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୋଭିଡ୍ ମହାମାରୀ ବେଳେ ଚିକିତ୍ସା ନାଁରେ ଅଧିକରୁ ଅଧିକ ଟଙ୍କା ନେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏହାକୁ ନେଇ ବାରମ୍ୱାର ଅଭିଯୋଗ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡରେ। ଯେଉଁ ହସ୍ପିଟାଲ ନାଁରେ ଏଭଳି ଅଭିଯୋଗ ଆସୁଛି ସମସ୍ତ ହସ୍ପିଟାଲର ହିସାବ ମାଗିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ହସ୍ପିଟାଲ କର୍ତ୍ତୃପକ୍ଷ ବେଆଇନ୍ ଭାବରେ ପଇସା ନେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ପ୍ରଶାସନ କହିଛି। ଏମିତିକି ୪୬ ଆକ୍ରାନ୍ତଙ୍କ ପରିବାରକୁ ପ୍ରଶାସନ ହସ୍ପିଟାଲ ପାଖରୁ ପଇସା ଆଣି ଫେରାଇଛି। ହାପୁଡରେ ଥିବା ହସ୍ପିଟାଲ ସରକାରଙ୍କ ନିୟମ ବାହାରକୁ ଯାଇ ଆକ୍ରାନ୍ତଙ୍କ ପାଖରୁ ପଇସା ନେଇଥିବା ଅଭିଯୋଗ ହୋଇଥିଲା। ସେହିପରି ମରେଠରେ ୪୯ଟି ଅଭିଯୋଗ ପ୍ରଶାସନ ପାଖରେ ଦାୟର ହୋଇଥିଲା। ପରେ ୧୮ଟି ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ଜଣାପଡ଼ିଥିଲା। ଏଥିମଧ୍ୟରୁ ଦୁଇଟି ବଡ଼ ବଡ଼ ହସ୍ପିଟାଲରୁ ୪ ଲକ୍ଷ ଲେଖାଏଁ ପଇସା ପ୍ରଶାସନ ଫେରାଇ ଆଣିଥିବା ବେଳେ ତିନୋଟି ହସ୍ପିଟାଲ ବାବଦରେ ତଦନ୍ତ ଚାଲିଛି। କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଏହି ନିର୍ଦ୍ଦାରିତ ଦର ଧାର୍ଯ୍ୟ କରିଛନ୍ତି। ଆଇସୋଲେସନରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଠାରୁ ୪୮୦୦, ଆଇସିୟୁ ପାଇଁ ୭୮୦୦ ଏବଂ ଆଇସିୟୁ ଭେଣ୍ଟିଲେଟର ପାଇଁ ୯୦୦୦ ଟଙ୍କା ଇତ୍ୟାଦି ଦର ସରକାର ସ୍ଥିର କରିଛନ୍ତି। ହେଲେ ଘରୋଇ କୋଭିଡ ଡାକ୍ତରଖାନାରେ ରୋଗୀଙ୍କଠାରୁ ମନଇଚ୍ଛା ମୂଲ୍ୟ ଫି ନିଆ ଯାଉଥିଲା। ଏ ସମ୍ପର୍କରେ ଅଭିଯୋଗ କ୍ରମାଗତ ଭାବରେ ପ୍ରଶାସନରେ ପହଞ୍ଚୁଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ହାପୁଡର ଜିଲ୍ଲାପାଳ ଦୁଇଟି କୋଭିଡ ଡାକ୍ତରଖାନାକୁ ନୋଟିସ କରିଥିଲେ। ଏହାପରେ ପ୍ରଶାସନ ବିଭିନ୍ନ ହସ୍ପିଟାଲରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା।

ନୂଆ କୌଶଳରେ ଲୋକଙ୍କୁ ଗୋପନୀୟତା ନୀତି ଗ୍ରହଣ କରାଉଛି ହ୍ୱାଟସଆପ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ସଂସ୍ଥା ହ୍ୱାଟସଆପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଜାନୁଆରୀ ମାସ ଠାରୁ ହ୍ୱାଟସଆପ୍ ଆରମ୍ଭ କରିଥିବା ଗୋପନୀୟତା ନୀତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଭାରତ ସରକାର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ବିଭିନ୍ନ ନୂଆ କୌଶଳ ପ୍ରୟୋଗ କରି ହ୍ୱାଟସଆପ୍‌ ଲୋକମାନଙ୍କୁ ତା’ର ଗୋପନୀୟତା ନୀତି ଗ୍ରହଣ କରାଇବାକୁ ଚେଷ୍ଟା କରୁଛି। ଅପଡେଟ୍‌ ପଲିସି ଜରିଆରେ ଗୋପନୀୟତା ନୀତିକୁ ଲୋକଙ୍କ ଉପରେ ଥୋପି ଦିଆଯାଉଛି। ଏହାକୁ ତୁରନ୍ତ ବନ୍ଦ କରାଯିବା ଦରକାର ବୋଲି ଭାରତ ସରକାର ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଭାରତର ସରକାର ଗୁରୁବାର ଦାଖଲ କରିଥିବା ନୂଆ ସତ୍ୟପାଠରେ କହିଛନ୍ତି, ଫେସବୁକ ମାଲିକାନାର ଥିବା ମେସଜିଂ ଆପ୍‌ ହ୍ୱାଟସଆପ୍‌ ବ୍ୟବହାରକାରୀ ନିରୋଧୀ କାର୍ଯ୍ୟ କରି ବ୍ୟବହାରୀଙ୍କୁ ଗୋପନୀୟତା ନୀତି ଗ୍ରହଣ କରାଇବାକୁ ଲାଗି ପଡ଼ିଛି। କିଛି ଏଭଳି ଟ୍ରିକ ହ୍ୱାଟସଆପ୍‌ ବ୍ୟବହାର କରୁଛି, ଯାହାକୁ ସାଧାରଣ ଲୋକ ନ ବୁଝି ସହମତି ପ୍ରକାଶ କରୁଛନ୍ତି। ଏହାକୁ ଆଧାର କରି ହ୍ୱାଟସଆପ ନିଜର ଗୋପନୀୟତା ନୀତିକୁ ଲୋକଙ୍କ ଉପରେ ଥୋପି ଦେଉଛି। ହ୍ୱାଟସଆପ୍‌ ତା’ର ଡିଜିଟାଲ ଏକପର୍ଟିଜକୁ ବ୍ୟବହାର କରି ସେବା ବ୍ୟବହାର କରୁଥିବା ଲୋକଙ୍କୁ ନୂଆ ପ୍ରାଭେସୀ ପଲିସି ଗ୍ରହଣ କରାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ସରକାର କହିଛନ୍ତି। ତେଣୁ ହ୍ୱାଟସଆପ୍‌ ଗ୍ରାହକମାନଙ୍କୁ ତା’ର ୨୦୨୧ ଗୋପନୀୟତା ନୀତି ‘ଅପ୍‌ଡେଟ୍‌’ କରିବା ନିମନ୍ତେ କୌଣସି ନୋଟିଫିକେସନ ପଠାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାବାଦ୍‌ ଗୋପନୀୟତା ନୀତି ‘ଅପ୍‌ଡେଟ୍‌’ କରାଇବା ଲାଗି ଦିନକୁ କେତେ ନୋଟିଫିକେସନ ଗ୍ରାହକମାନଙ୍କ ପାଖକୁ ପଠାଯାଉଛି, ତା’ର ରେକର୍ଡ ମଧ୍ୟ ହ୍ୱାଟସଆପ୍‌ ଦାଖଲ କରିବାକୁ ଭାରତ ସରକାର କୋର୍ଟଙ୍କୁ ନିବେଦନ କରିଛନ୍ତି।

ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ । ରୀତିନୀତି ଅନୁଯାୟୀ ଆଜି ଭଉଁରୀ ତଥିରେ ତିନି ରଥର ଚକ ଅଖ ଡେରା ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୩ ରଥର ଚକ ଅଖ ଡେରା ହୋଇଛି । ୩ ରଥର ୬ଟି ଚକ ଡେରା ହେବା ସହ ଅନ୍ୟ ଚକ କାମ ମଧ୍ୟ ଜାରି ରହିଛି। ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ । କୋଭିଡ୍ କଟକଣା ଭିତରେ ରୀତିନୀତି ଅନୁଷ୍ଠିତ ହେଉଛି । ଆଜି ବାହାର ଚନ୍ଦନ ଚାପର ଶେଷ ଦିନ । ଭଉଁରୀ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।  ପରମ୍ପରା ଅନୁଯାୟୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ସମେତ ଅନ୍ୟ ଦେବାଦେବୀଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ଠାକୁରମାନେ ବିଜେ କରିଥାନ୍ତି  । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡିଥାନ୍ତି।

କୋରାପୁଟ ସାଂସଦଙ୍କୁ ନୂଆ ଦାୟିତ୍ୱ ଦେଲେ ସୋନିଆ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋରାପୁଟର ଯୁବ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସପ୍ତଗିରିଙ୍କୁ ଛତିଶଗଡ଼ ଦାୟିତ୍ୱ ଦେ‌ଇଛି କଂଗ୍ରେସ।। ସପ୍ତଗିରିଙ୍କୁ ଛତିଶଗଡ଼ ଇନଚାର୍ଜ ଭାବେ ନିଯୁକ୍ତି ଦେଲେ କଂଗ୍ରେସ ଅଧ୍ୟକ୍ଷ॥ ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ନିଯୁକ୍ତି ସହ ଛତିଶଗଡ଼ ଇନଚାର୍ଜ ଦାୟିତ୍ୱ ନେଲେ । ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସରକାରଙ୍କ ବୈଦେଶିକ, ‌ଅର୍ଥନୀତ ଏବଂ ସୁର‍କ୍ଷା ନୀତିର ସମୀ‍କ୍ଷା ପାଇଁ ଗତ ବର୍ଷ ସୋନିଆ ଗାନ୍ଧି ୩ଟି କମିଟି ଗଠନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୩ଟି ଯାକ କମିଟିର ଅଧ୍ୟକ୍ଷ ରହିଥିଲେ। ଅର୍ଥନୈତିକ ପ୍ରସଙ୍ଗରେ ଗଠିତ କମିଟିରେ ପି ଚିଦମ୍ବରମ, ମଲ୍ଲିକାର୍ଜୁନ ଖଡ଼୍‌ଗେ ଓ ଦିଗ୍‌ବିଜୟ ସିଂହ ସଦସ୍ୟ ରହିଥିବାବେଳେ ଜୟରାମ ରମେଶ ଆବ‌ାହକ ଥିଲେ। ସେହିଭଳି ବୈଦେଶିକ ବ୍ୟାପାର କମିଟିରେ ଆନନ୍ଦ ଶର୍ମା, ଶଶୀ ଥରୁର୍‌ ଓ କୋରାପୁଟର ସାଂସଦ ସପ୍ତଗିରି ଉଲାକା  ସ୍ଥାନ ପାଇଥିଲେ। ଏବେ  ସପ୍ତଗିରିଙ୍କୁ ନୂଆ ଦାୟିତ୍ୱ ତାଙ୍କ ପାଇଁ ବେଶ ଗୁରତ୍ୱପୂର୍ଣ୍ଣ ହୋଇଥିବା ବେଳେ କୋରାପୁଟ ପାଇଁ ଗର୍ବର ବିଷୟ।