ବିଜେପିରେ ମିଶିଥିବା ନେତା ଏବେ ଟିଏମସିକୁ ଫେରିବାକୁ ବିକଳ, ନିଷ୍ପତ୍ତି ନେବେ ମମତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଅଧିକାଂଶ ନେତା ଏବେ ଘରାବାହୁଡ଼ା ପାଇଁ ଉଦ୍ୟମ କରୁଛନ୍ତି। ସେମାନେ ଟିଏମସିରେ ମିଶିବାକୁ ବିକଳ ହେଉଥିବା ବେଳେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ତେବେ ଟିଏମସି ସୁପ୍ରିମୋ କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ଦଳରେ ପୁନଃ ସାମିଲ କରିବାକୁ ଚାହୁଁଛନ୍ତି। କାରଣ ୨୦୨୪ ଲୋକସଭା ନିର୍ବାଚନ ବେଳେ ଏହାର ପ୍ରଭାବ କ୍ୟାଡରଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେଣୁ ମମତା ଭାବିଛିନ୍ତି ଗୋଟି ଚାଳନା କରୁଛନ୍ତି। ଜଣେ ବରିଷ୍ଠ ଟିଏମସି ନେତା ନିଜ ନାଁ ଗୋପନରଖି କହିଛନ୍ତି, ନେତାଙ୍କ ଘର ବାହୁଡ଼ା ଉପରେ ନିଷ୍ପତ୍ତି କେବଳ ଟିଏମସି ସୁପ୍ରିମୋ ନେବେ। ବର୍ତ୍ତମାନ ଆମେ କୋଭିଡ-୧୯ ମହାମାରୀ ଓ ବାତ୍ୟା ୟାସର କ୍ଷୟକ୍ଷତିରେ ପ୍ରଭାବିତଙ୍କୁ ଥଇଥାନ କରିବାରେ ଲାଗିଛୁ। ଏହି କାମ ସରିବା ପରେ ବିଜେପିରୁ ଟିଏମସିକୁ ଆସିବାକୁ ଚାହୁଁଥିବା ନେତାଙ୍କ ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ଏକାଧିକ ବିଧାୟକ ଏବେ ଟିଏମସି ଛାଡ଼ିବା ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି। ଏମାନଙ୍କ ମଧ୍ୟରେ ଦୀପେନ୍ଦୁ ବିଶ୍ୱାସ ଓ ସୋନାଲି ଗୁହା ମଧ୍ୟ ରହିଛନ୍ତି। ସେମାନେ ଟିଏମସିକୁ ଚିଠି ଲେଖି ପୁଣି ଦଳକୁ ଫେରିବାକୁ ଚାହୁଁଥିବା କହିଛନ୍ତି। ଏକଦା ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଗୁହା କ୍ୟାମେରା ଆଗରେ ବିଜେପିରେ ମିଶିଥିବାରୁ ଅନୁତାପ କରିଥିଲେ। ଏଥିସହ ଦିଦି ତାଙ୍କୁ କ୍ଷମା କରି ଦିଅନ୍ତୁ ବୋଲି କହିଥିଲେ। ଦକ୍ଷିଣ ୨୪ ପ୍ରଗଣାର ସନ୍ତଗାଛିରୁ ୪ଥର ବିଧାୟକ ହୋଇଥିବା ଗୁହା ଚିଠି ଲେଖି ଦିଦିଙ୍କ ବିନା ସେ ବଞ୍ଚିପାରିବେନି ବୋଲି କହିଥିଲେ। ଅନ୍ୟପକ୍ଷରେ ଟିଏମସିର ଅନ୍ୟତମ ପ୍ରତିଷ୍ଠାତା ମୁକଲ ରୟ ମଧ୍ୟ ବିଜେପି ଛାଡ଼ି ଦଳକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହସ୍ପିଟାଲରେ ଥିବା ମୁକଲ ରୟଙ୍କ ପତ୍ନୀଙ୍କୁ ଭେଟିବା ସହ ତାଙ୍କ ପୁଅ ସହ ମଧ୍ୟ କଥା ହୋଇଥିଲେ। ତେଣୁ ସେ ମଧ୍ୟ ଟିଏମସିକୁ ଫେରିବାର ସମ୍ଭାବନା ରହିଛି।

ରାମ ମନ୍ଦିର ସହ ରାଷ୍ଟ୍ରବାଦକୁ ମିକ୍ସ କରି ଲୋକଙ୍କୁ ନିଜ ଆଡ଼କୁ ଆଣିବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବା ବେଳେ ଦଳ ଉତ୍ତର ପ୍ରଦେଶରେ କେମିତି କ୍ଷମତା ପୁଣି ଦଖଲ କରିବ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥର ନିର୍ବାଚନରେ ବିଜେପି ପୂର୍ବଭଳି ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦକୁ ହିଁ ଗୁରୁତ୍ୱ ଦେବ। ରାଷ୍ଟ୍ରବାଦ ସହ ଅଯୋଧ୍ୟରେ ହେବାକୁ ଥିବା ରାମ ମନ୍ଦିର କଥାକୁ ମଧ୍ୟ ଦଳ ମିକ୍ସି କରି ଲୋକଙ୍କ ମନରୁ କରୋନାର ଭୟ ଦୂର କରିବାକୁ ଚେଷ୍ଟା କରିବ। ଏଥିସହ କରୋନା ଯୋଗୁ ଖରାପ ହୋଇଥିବା ଦଳର ଛବିକୁ ସୁଧାରିବାକୁ ଚେଷ୍ଟା କରିବ। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଏଥିରୁ ଲୋକଙ୍କୁ ଡାଇଭର୍ଟ କରିବା ପାଇଁ ଦଳ ରାମନ୍ଦିର ଓ ବିକାଶକୁ ପାଥେୟ କରିବ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ ଦଳ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଜେପିର ସବୁଠାରୁ ବଡ଼ ଉପଲବ୍ଧି ବୋଲି ଦର୍ଶାଇବ। ସେହିପରି ଯୋଗୀ ଆଦିତ୍ୟନାଥ ସରକାର ପବିତ୍ର ଅଯୋଧ୍ୟାର ବିକାଶ ପାଇଁ କରିଥିବା ମାଷ୍ଟରପ୍ଲାନ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ସୂତ୍ର ଅନୁସାରେ, ବିଜେପି କର୍ମକର୍ତ୍ତା ଓ ନେତାମାନେ ‘ଅଯୋଧ୍ୟା କେବଳ ଗୋଟିଏ ଝଲକ। କାଶୀ ଓ ମଥୁରା ବାକି ଅଛି’ ବୋଲି ନାରା ଦେଇ ହିନ୍ଦୁ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିବେ। ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି, “କାଶୀରେ ଗୋଟିଏ ସ୍ଥାନୀୟ କୋର୍ଟ ଉଚ୍ଛେଦ ପାଇଁ ଅନୁମତି ଦେଇ ସାରିଛନ୍ତି। ବହୁପ୍ରତିକ୍ଷୀତ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ୨୦୨୧ ନଭେମ୍ବର ସୁଦ୍ଧା ରେଡ୍ଡୀ ହୋଇଯିବ। ଏହା ବିଶ୍ୱରେ ଥିବା ସମସ୍ତ ହିନ୍ଦୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ମନ୍ଦିର କମ୍ଲେକ୍ସର ଦୃଶ୍ୟ ଏମିତି ପ୍ରସ୍ତୁତ କରାଯିବ ଯେ ତା’କୁ ଦେଖିବା ପରେ ଲୋକମାନେ ମହାମାରୀର କଷ୍ଟ ଭୁଲିଯିବେ।” ବର୍ତ୍ତମାନ ସ୍ଥିତିରେ ବିଜେପି କର୍ମକର୍ତ୍ତାମାନଙ୍କୁ ‘ସେବା ହିଁ ସଂଗଠନ’ ଅଭିଯାନ ଉପରେ ଫୋକସ କରିବାକୁ କୁହାଯାଇଛି। ଏହି ଅଭିଯାନ ଜରିଆରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଖରେ ବିଜେପି ନେତା ପହଞ୍ଚିବେ ଓ ବିରୋଧୀ ଯୋଗୀ ସରକାରଙ୍କ ଉପରେ କରୁଥିବା ହମଲାକୁ ପ୍ରଶମିତ କରିବେ। ଏହାବାଦ ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ରାଷ୍ଟ୍ରବାଦ କାର୍ଡ ମଧ୍ୟ ବିଜେପି ଖେଳିବ। ପୂର୍ବରୁ ମଧ୍ୟ ରାଷ୍ଟ୍ରବାଦ କାର୍ଡ ଖେଳି ବିଜେପି ସଫଳତା ହାସଲ କରିବାର ନଜିର ରହିଛି। ତେଣୁ ଦଳ ୟୁପିରେ ମଧ୍ୟ ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ କାର୍ଡ ଚଳାଇ ସଫଳ ହେବ ବୋଲି ଆଶା ରଖିଛି।

ନିର୍ବାଚନ ପାଇଁ ବିଜେପିର କସରତ, ଗୁରୁ ଦାୟିତ୍ୱ ନେବେ ମୋଦିଙ୍କ ଘନିଷ୍ଠ ସହଯୋଗୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଠିକ୍‌ ଭାବେ କରୋନାକୁ ନିୟନ୍ତ୍ରଣ କରିପାରି ନଥିବାରୁ ଦଳ ମଧ୍ୟରୁ ତାଙ୍କ ବିରୋଧରେ ସ୍ୱର ଉଠୁଛି। ଲୋକମାନେ ମଧ୍ୟ ବିଜେପିକୁ ବିରୋଧ କରୁଛନ୍ତି। ଏହା ବିଜେପିର ରଣନୀତି ଉପରେ ମଧ୍ୟ ପ୍ରଭାବ ପକାଉଥିବାରୁ ନିର୍ବାଚନ ପୂର୍ବରୁ ଦଳର ସାଂଗଠିନ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କୁହାଯାଉଥିଲା। ହେଲେ ବିଜେପି କୌଣସି ପରିବର୍ତ୍ତନ ସପକ୍ଷରେ ନାହିଁ। କିନ୍ତୁ ଯୋଗୀଙ୍କ କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ଖୁବଶୀଘ୍ର ହେବ ବୋଲି ଜଣାପଡ଼ିଛି। ଦଳର ବିଦ୍ରୋହୀଙ୍କୁ ମନାଇବାକୁ ବିଜେପି ଏପରି କରିବାକୁ ଯାଉଥିବା କୁହାଯାଉଛି। ସେହିପରି ବିଦ୍ରୋହୀଙ୍କୁ ଚେକ୍‌ ଦେବା ପାଇଁ ପୂର୍ବତନ ପ୍ରଶାସନିକ ଅଧିକାରୀ ଏକେ ଶର୍ମାଙ୍କୁ ଉତ୍ତର ପ୍ରଦେଶ ସରକାରରେ ଗୁରୁତ୍ୱ ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏକେ ଶର୍ମା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ। ତାଙ୍କୁ ଗୁରୁଦାୟିତ୍ୱ ଦେଇ ବିଜେପି ଦଳରେ ଥିବା ମତପାର୍ଥକ୍ୟରେ ତାଳି ପକାଇବାକୁ ଲକ୍ଷ୍ୟ ରଖିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ନେତୃତ୍ୱରେ ଲଢ଼ିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଦୁଇ ଦିନ କାଳ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜାତୀୟ ନେତା ଓ ରାଜ୍ୟସ୍ତରୀୟ ନେତାଙ୍କ ମଧ୍ୟରେ ମାରଥନ ବୈଠକ ଚାଲିଥିଲା। ଶେଷରେ ସାଂଗଠନିକ ସ୍ଥିତିରେ କୌଣସି ପରବର୍ତ୍ତନ ନ କରିବାକୁ ସମସ୍ତେ ରାଜି ହୋଇଛନ୍ତି। ତେବେ ଚଳିତ ମାସରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଜାତି ଓ ଆଞ୍ଚଳିକବାଦ ଢାଞ୍ଚାରେ କିଛି ନୂଆ ମୁହଁ ସାମିଲ ହେବେ। ସେହିପରି ପଞ୍ଚାୟନ ନିର୍ବାଚନରେ ବିଜେପି ତା’ର ଗଡ଼ରେ ହାରିଥିବାରୁ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପଞ୍ଚାୟତ ନିର୍ବାଚନରେ କେଉଁଠି ଭୁଲ ରହିଲା, ସେ ବିଷୟରେ ଦିଲ୍ଲୀରୁ ଯାଇଥିବା ନେତାମାନେ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। କେବଳ ବିଜେପି ନୁହେଁ, ଆରଏସଏସ ମଧ୍ୟ ନିର୍ବାଚନ ପୂର୍ବରୁ ଫିଡବ୍ୟାକ ନେବା ଆରମ୍ଭ କରିଛି। ଗତ ସପ୍ତାହରେ ଆରଏସଏସ୍ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବୋଲେ ଲକ୍ଷ୍ନୌ ଯାଇଥିଲେ। ସେ ଏହି ସମୟରେ ବିଜେପି ଓ ଆରଏସଏସ କର୍ମକର୍ତ୍ତାଙ୍କ ଠାରୁ ଗ୍ରାଉଣ୍ଡ ରିପୋର୍ଟ ମଧ୍ୟ ଆଣିଛନ୍ତି। ଆସନ୍ତା ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉତ୍ତର ପ୍ରଦେଶ ଯାଇ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ।

କୋଭିଡ ଯୋଗୁଁ ଅନାଥ ୧୨ ପିଲାଙ୍କୁ ମିଳିବ ଭତ୍ତା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ ଯୋଗୁଁ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ପିଲା ପାଇବେ ଭତ୍ତା। ସେହିପରି ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଭତ୍ତା ପାଇବେ  । ଅନାଥ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହଯୋଗ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବ ପେନସନରେ ସାମିଲ କରାଯିବ। ସମ୍ପର୍କରେ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ।  ଏ ନେଇ  ତତ୍ପର ହୋଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। କରୋନା କାଳରେ ଅନାଥ ହୋଇଥିବା ଶିଶୁଙ୍କ ତଥ୍ୟ ବ୍ଲକ ସ୍ତରରେ ରହିଛି।ଅନାଥଙ୍କୁ ସେବା ଯୋଗାଇବା ଲାଗି ମଧୁବାବୁ ପେନସନ ଯୋଜନାରେ ଯୋଡି ହୋଇଛି। ଆଉ ଏକ ସେକ୍ସନ ଯାହା MBPY-COVID ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମାସିକ ୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ।

୫ ଜୁନ୍‌, ଶନିବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ବ୍ୟକ୍ତି ଝଗଡ଼ା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ।

ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। କୌଣସି ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ।

ମିଥୁନ: ଯେତେ ପରିଶ୍ରମ କଲେ ବି ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଶାନ୍ତ ରୁହନ୍ତୁ। କାହା ସହିତ ଯୁକ୍ତି କରନ୍ତୁ ନାହିଁ।

କର୍କଟ: ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ସିଂହ: ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ ଓ ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝି ପାରନ୍ତି। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।

କନ୍ୟା: ବନ୍ଧୁଙ୍କ ସହ ମତାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ନୂଆ ବ୍ୟବସାୟ ପାଇଁ ପରାମର୍ଶ ପାଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସୁଖଶାନ୍ତି ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ବିଛା: ନିଜ ଆୟକୁ ନେଇ ଚିନ୍ତିତ ରହିବେ। ନୂତନ ସମ୍ପର୍କ ସ୍ଥାପନ ହେବ। ଯାତ୍ରା କରନ୍ତୁ ନାହିଁ।

ଧନୁ: ଶରୀର ସୁସ୍ଥ ରହିବ। ଅଫିସ୍‌ରେ କୌଣସି କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶି ଯାଇପାରନ୍ତି।

ମକର: ଦିନଟି ଶୁଭ ଫଳ ଦେବ। ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ। ଘରର କୌଣସି ନିର୍ମାଣାଧୀନ କାର୍ଯ୍ୟ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ମୀନ: କାର୍ଯ୍ୟବ୍ୟସ୍ତ ରହିବେ। ନିଜ ଲକ୍ଷ୍ୟ ପୂରଣ କରିବେ। ଖୁସି ରହିବେ।

ବାଦ୍‌ଶାହାଙ୍କ ରାପ୍‌ରେ ଝୁମିବେ ଜ୍ୟାକ୍‌ଲିନ୍‌..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ରାପର୍ କିଙ୍ଗ ବାଦ୍‌ଶାହା ଓ ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟୁଜିକ ଆଲବମ୍ ‘ଗେନ୍ଦା ଫୁଲ୍‌’ର ଏଯାଏଁ ସରିନି କ୍ରେଜ୍। ବିବାହ ହେଉ ଅବା କୌଣସି ଫଙ୍କସନ୍ ସବୁଠୁ ଛାଇ ଯାଏ “ବଡ ଲୋକର ବେଟି…”। ଏହି ଗୀତର ତାଳେ ତାଳେ ନାଚିବାକୁ ପସନ୍ଦ କରନ୍ତି ଯୁବପିଢ଼ୀ । ଗୀତରେ ଅଭିନୟ କରିଥିବା ଜ୍ୟାକ୍‌ଲିନ୍ ଓ ବାଦ୍‌ଶାହାଙ୍କ ଯୋଡିକୁ ବି ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏବେ ପୁଣିଥରେ ବାଦ୍‌ଶାହାଙ୍କ ରାପ୍‌ରେ ଝୁମିବାକୁ ଯାଉଛନ୍ତି ଜ୍ୟାକ୍‌ଲିନ୍। ଖୁବଶୀଘ୍ର ଆସିବାକୁ ଯାଉଛି ଉଭୟଙ୍କ ଆଉ ଏକ ଦମ୍‌ଦାର ମ୍ୟୁଜିକ ଆଲବମ ‘ପାନି ପାନି’। ନିକଟରେ ଏହି ମ୍ୟୁଜିକ ଆଲବମ୍‌ରେ ଫାଷ୍ଟଲୁକ୍ ରିଲିଜ ହୋଇଛି। ଏଥିରେ ବାଦ୍‌ଶାହା ଓ ଜ୍ୟାକ୍‌ଲିନଙ୍କ ରୋମାଣ୍ଟିକ୍ ଲୁକ୍ ଦେଖିବାକୁ ମିଳିଛି। ପୁରା ଦେଶୀ ଲୁକ୍‌ରେ ଜ୍ୟାକ୍‌ଲିନ୍ ନଜର ଆସିଛନ୍ତି। ଏହି ପୋଷ୍ଟରକୁ ଦେଖି ଅନୁମାନ କରାଯାଉଛି ଯେ, ବାଦ୍‌ଶାହାଙ୍କ ଏହା ରୋମାଣ୍ଟିକ ଗୀତ ହୋଇଥିବ। ଏହି ପୋଷ୍ଟରକୁ ଜ୍ୟାକ୍‌ଲିନ୍ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଆମେ ପୁଣି ଆସୁଛୁ। ସୂଚନା ମୁତାବକ ୨୦୦୧ରେ ଫିଲ୍ମ ‘ଆଲାଦିନ’ରୁ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ସେ ଆଉ ପଛକୁ ବୁଲି ଚାହିଁନାହାନ୍ତି। ଏବେ ବଲିଉଡର ସେ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ।ଲକ୍‌ଡାଉନ୍ ପରେ ସେ ତିନି ତିନିଟି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ଏବେ ଚାଲିଛି ‘ଭୂତ ପୋଲିସ’। ଏଥିରେ ଜ୍ୟାକଲିନ୍‌ଙ୍କ ବିପକ୍ଷର ନାୟକ ଅଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଏହାବ୍ୟତୀତ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସର୍କସ୍‌’ରେ ଜ୍ୟାକଲିନ୍ ରଣବୀର ସିଂହଙ୍କ ନାୟିକା ସାଜୁଛନ୍ତି। ସେମିତି ଜ୍ୟାକଲିନ୍ ଜନ୍ ଆବ୍ରାହମ୍‌ଙ୍କ ସହ ଯୋଡ଼ି ସାଜିଛନ୍ତି ନୂଆ ସିନେମା ‘ଆଟାକ୍‌ରେ’। ଅଳ୍ପଦିନର କ୍ୟାରିୟର୍ ଭିତରେ ଇଣ୍ଡଷ୍ଟ୍ରିରେ ଜ୍ୟାକ୍‌ଲିନ୍‌ଙ୍କ ଡିମାଣ୍ଡ ବେଶ୍ ବଢ଼ିଯାଇଛି।

ଟାଇଗର ଓ ଦିଶାଙ୍କ ବିରୋଧରେ ମାମଲା ରୁଜୁ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡ୍‌ ଅଭିନେତା ଟାଇଗର ଶ୍ରୋଫ୍ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା କାରଣରେ ନିୟମ ଉଲ୍ଲଂଘନ କରି ଉଭୟ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଅଭିଯୋଗ ହୋଇଛି। କଟକଣା କୋହଳ ସମୟ ପରେ ସନ୍ଧ୍ୟାରେ ଟାଇଗର ଓ ଦିଶା ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିଲା। ସେମାନେ କେଉଁ କାରଣରୁ ଘରୁ ବାହାରିଛନ୍ତି ବୋଲି ପୁଲିସ୍ ପଚାରିଥିଲା। ତେବେ ସେମାନେ କୌଣସି ସନ୍ତୋଷଜନକ କାରଣ ଦର୍ଶାଇ ପାରି ନଥିଲେ। ତା’ପରେ ପୁଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ଦୁଇ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଟିକେ ନିଆରା ଢଙ୍ଗରେ ପୁଲିସ୍ ଏହି ଟ୍ୱିଟ୍ କରିଛି। ଏଥିରେ ଦୁଇ ଷ୍ଟାରଙ୍କ ନାଁ ଉଲ୍ଲେଖ ନାହିଁ। କିନ୍ତୁ ସେମାନଙ୍କ ଫିଲ୍ମର ନାଁ ବ୍ୟବହାର କରିଛି। ଏହା ସହିତ ବିନା କାରଣରେ ବାହାରକୁ ନ ଆସିବାକୁ ମୁମ୍ବାଇବାସୀଙ୍କୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି। ପୁଲିସ୍ ପକ୍ଷରୁ ଲେଖାଯାଇଛି ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ, ଯାହା ଆପଣମାନଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ।

୩୦୦୦ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ‘କେଜିଏଫ୍‌’ ଷ୍ଟାର ୟଶ୍..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- କେଜିଏଫ୍ ସୁପରଷ୍ଟାର୍ ୟଶ୍। ତାଙ୍କ ଅଭିନୟ ଏବଂ ଷ୍ଟାଇଲ୍‌କୁ ଦେଖି ଫ୍ୟାନ୍‌ମାନେ ପାଗଳ। ୟଶ୍ ତାଙ୍କ ପ୍ରତିଟି ଫ୍ୟାନ୍‌ମାନଙ୍କର ସମ୍ମାନ କରନ୍ତି ଏବଂ ତାଙ୍କର ଯତ୍ନ ମଧ୍ୟ ନିଅନ୍ତି। କେବଳ ଫ୍ୟାନ୍‌ମାନଙ୍କ ନୁହଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକଙ୍କୁ ମଧ୍ୟ ସେ ବଶେ୍ ସମ୍ମାନ କରନ୍ତି। ଏବେ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀର କର୍ମଚାରୀଙ୍କ ପାଇଁ ଆଗେଇ ଆସିଛନ୍ତି ୟଶ୍। ସେମାନଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ।କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ୟଶ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ବନ୍ଦ ହୋଇପଡିଛି। ଏଭଳି ସ୍ଥିତିରେ ସେଠାରେ କାମ କରୁଥିବା ଦୈନିକ ଶ୍ରମିକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କ ସଙ୍କଟ ଦୂର କରିବା ପାଇଁ ସୁପରଷ୍ଟାର ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ୩ ହଜାରରୁ ଅଧିକ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ୟଶ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି, ‘କୋଭିଡ -୧୯ ଏପରି ଏକ ଅଦୃଶ୍ୟ ଶତ୍ରୁ ଯାହା ଦେଶର ଅନେକ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ମୋର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୋଭିଡ ସମୟରେ କଠିନ ସମୟ ଦେଇ ଗତି କରୁଛି । ଏହି ସମୟରେ, ମୁଁ ନିଷ୍ପତ୍ତି ନେଇଛି ଯେ ଆମ ଫିଲ୍ମ ଇଣ୍ଡଷ୍ଟ୍ରୀର ୨୧ ଟି ବିଭାଗର ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁଁ ମୋର ରୋଜଗାରରୁ ପାଞ୍ଚ ହଜାର ଟଙ୍କା ଲେଖାଁଏ ସେମାନଙ୍କ ଆକାଉଣ୍ଟରେ ପଠାଇବି। ମୁଁ ଜାଣେ ଏହି କଷ୍ଟ ସମୟରେ ଆପଣମାନେ ଯେଉଁ କ୍ଷତି ସହିଛନ୍ତି, ତାହା ପୂରଣ କରିବାରେ ଏହା ସକ୍ଷମ ହେବ ନାହିଁ କିନ୍ତୁ ଏହା ଏକ ଆଶାର କିରଣ ।  ଖୁବ୍ ଶୀଘ୍ର ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୨’ରେ ୟଶ ନଜର ଆସିବେ। ଏଥିରେ ସଞ୍ଜୟ ଦତ୍ତ ମୁଖ୍ୟ ଭିଲେନ୍ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। ଆସନ୍ତା ଜୁଲାଇ ୧୬ରେ ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବ ବୋଲି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ କହିଛନ୍ତି।

ଯୋଗ କର କି ନ କର, କିନ୍ତୁ ଗୋଟିଏ କାମ ଜରୁରୀ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ଏବଂ ଫ୍ୟାନଙ୍କ ସହ ଫଟୋ ଓ ଭିଡିଓ ଶେଆର୍ କରନ୍ତି। ହରଭଜନ ସିଂହ ଅନେକ ଥର ନିଜ ଟୁଇଟ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ଏବେ କୋଭିଡ୍-୧୯ର କଠିନ ସମୟରେ ଅସହାୟଙ୍କୁ ସହାୟତା କରିବା ପାଇଁ ଅପିଲ୍ କରିଛନ୍ତି। ହରଭଜନ ଏହାକୁ ସାଧାରଣ ଜୀବନ ସହ ଯୋଡ଼ିଛନ୍ତି।ହରଭଜନ ଗୁରୁବାର ଏକ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଜୀବନ ଯେତେ ସରଳ ହେବ, ଚାପ ସେତେ କମ୍ ହେବ। ଯୋଗ କର କି ନ କର, ଆବଶ୍ୟକ ପଡ଼ିଲେ ପରସ୍ପରକୁ ସହଯୋଗ ନିଶ୍ଚିତ କରନ୍ତୁ। ହରଭଜନଙ୍କ ଏହି ଟୁଇଟକୁ ଖୁବ୍ ପ୍ରଶଂସା କରାଯାଉଛି। ଭାରତ ନାମକ ଜଣେ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହି ଦୁନିଆରେ ଲୋକେ ଏବେ ପରସ୍ପରକୁ ସହାୟତା କରିବା କଥା ଭୁଲି ଗଲେଣି। ଆଉ ଜଣେ ୟୁଜର୍ ଲେଖିଛନ୍ତି, ଯୋଗ ବି କର ଏବଂ ପରସ୍ପରକୁ ସହାୟତା ମଧ୍ୟ କରନ୍ତୁ। ଆଉ ଜଣେ ଲେଖିଛନ୍ତି, ଏହା ହିଁ ଜୀବନର ମୂଳ ଚାବି କାଠି, କିନ୍ତୁ କିଛି ଲୋକେ ଅର୍ଥ ଲାଳସାରେ ଏହାକୁ ଭୁଲି ଯାଇଛନ୍ତି। ସୂଚନାଯୋଗ୍ୟ, ହରଭଜନ ସିଂହ ଆଇପିଏଲର ୧୪ଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଖେଳୁଛନ୍ତି। କିନ୍ତୁ କୋଭିଡ୍ କାରଣରୁ ଚଳିତ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ହରଭଜନ ନିଜ କ୍ୟାରିୟରରେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪୧୭, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୫ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ୧୭୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୮୦ ୱିକେଟ୍ ରହିଛି ।

ଇଂଲଣ୍ଡ ଯିବା ପୂର୍ବରୁ କ’ଣ କହିଲେ କ୍ୟାପଟେନ୍ କୋହଲି…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ରାତିରେ ତିନିମାସର ଇଂଲଣ୍ଡ ଗସ୍ତ ପାଇଁ ବାହାରିବ। ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। ଗସ୍ତ କରିବା ପୂର୍ବରୁ ମୁମ୍ବାଇରେ କ୍ୟାପଟେନ୍ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମିଡିଆ ସହ ଆଲୋଚନା କରିଛନ୍ତି। କ୍ୟାପଟେନ୍ କୋହଲି ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବା ନେଇ କହିଛନ୍ତି ଯେ ଭାରତୀୟ ଟିମ୍ ଗତ ୪-୬ ବର୍ଷର ପରିଶ୍ରମର ଫଳ ପାଇଛି। ଅନ୍ୟପକ୍ଷରେ କୋଚ୍ ରବି ଶାସ୍ତ୍ରୀ ଏହି ଫର୍ମାଟର ଫାଇନାଲକୁ ଗୋଟିଏ ବଦଳରେ ୩ଟି ମ୍ୟାଚ୍ କରାଯିବା କଥା କହିଛନ୍ତି। କୋହଲି ମଧ୍ୟ ଇଂଲଣ୍ଡ ଗସ୍ତରେ କୌଣସି ପ୍ରକାରର ଚାପକୁ ଖାରଜ କରିଛନ୍ତି। କୋହଲିଙ୍କ ମତରେ ଏହି ଟାଇଟଲ୍ ମୁକାବିଲା ସହଜ ହେବନି ଏବଂ ଉଭୟ ଦଳ ପାଇଁ ଚ୍ୟାଲେଞ୍ଜିଂ ହେବ। ସେଠାକାର ପାଣିପାଗ ଅଲଗା, କିନ୍ତୁ ପେସାଦାର ଟିମ୍ ଭାବେ ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୋହଲି କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପରେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଲମ୍ବା ଟେଷ୍ଟ ସିରିଜ୍ ଖେଳିବ। ହେଲେ ଏହି ସିରିଜ୍ ପାଇଁ ଭାରତକୁ ଲମ୍ବା ବିରତି ମିଳିବ। ଏହି ସମୟ ମଧ୍ୟରେ ଟିମ୍ ଖେଳ ଉପରେ ଏକାଗ୍ରତା ସହ ଆରାମ କରିବା ଏବଂ ସ୍ୱତନ୍ତ୍ର ଭାବେ ବୁଲିବା ପାଇଁ ଉପଯୁକ୍ତ ହେବ ବୋଲି କୋହଲି କହିଛନ୍ତି। କୋହଲି ଆହୁରି କହିଛନ୍ତି, ଇଂଲଣ୍ଡ ବିପକ୍ଷ ସିରିଜ୍ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଆମକୁ ପୁଣିଥରେ ଏକଜୁଟ୍ ହେବାକୁ ସମୟ ମିଳିବ। ଭାରତୀୟ ଟିମ୍ ମୁମ୍ବାଇରେ ୧୪ ଦିନର କ୍ୱାରେଣ୍ଟାଇନ୍ ଅବଧି ପରେ ୟୁକେରେ ପହଞ୍ଚିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆଜିଠାରୁ ଇଂଲଣ୍ଡ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ଆରମ୍ଭ କରିଦେଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଇଂଲଣ୍ଡରେ ମୋଟ ୬ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଅଗଷ୍ଟ ମାସରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ନଟ୍ଟିଂହାମରେ ଅଗଷ୍ଟ ୪ରୁ ୮, ଦ୍ୱିତୀୟ ଟେଷ୍ଟ ଲର୍ଡସରେ ଅଗଷ୍ଟ ୧୨ରୁ ୧୬, ତୃତୀୟ ଟେଷ୍ଟ ଲିଡ୍ସରେ ଅଗଷ୍ଟ ୨୫ରୁ ୨୯, ଚତୁର୍ଥ ଟେଷ୍ଟ ଓଭାଲରେ ସେପ୍ଟେମ୍ବର ୨ରୁ ୬, ପଞ୍ଚମ ଟେଷ୍ଟ ମାଞ୍ଚେଷ୍ଟରରେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଯାଏ ଖେଳାଯିବ।