ଭାରତର ଭୁଲ୍‌ ମାନଚିତ୍ରକୁ ହଟାଇଲା ଟ୍ୱିଟର, ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନିଜ ୱେବସାଇଟ୍‌ର ‘ଟ୍ୱିପ ଲାଇଭ୍‌’ ସେକ୍ସନରେ ଭାରତର ମାନଚିତ୍ରକୁ ଭୁଲ ଭାବେ ଦର୍ଶାଇ ପୁଣି ଥରେ ବିବାଦ ଘେରକୁ ଠେଲି ହୋଇ ପଶିଥିବା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଶେଷରେ ଏହାକୁ ହଟାଇ ଦେଇଛି । ଏହି ମାନଚିତ୍ରରେ କେନ୍ଦ୍ରଶାସିନ ଅଞ୍ଚଳ ଜମ୍ମୁ, କଶ୍ମୀର ଓ ଲଦାଖକୁ ଭାରତଠାରୁ ଅଲଗା ବୋଲି ଦର୍ଶାଇଥିଲା ଟ୍ୱିଟର।  ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ ହୋଇଛି।  ବଜରଙ୍ଗ ଦଳର ଜଣେ କର୍ମୀଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି। ଜଣେ ୟୁଜର ଏପରି ସାଂଘାତିକ ଭୁଲ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଚାରି ଆଡ଼ୁ ସମାଲୋଚନାର ଶିକାର ହୋଇ  ଶେଷରେ  ଭାରତର ଭୁଲ ମ୍ୟାପକୁ  ହଟାଇ ଦେଇଛି ଟ୍ୱିଟର । ଏହି ଭୁଲ ପାଇଁ ଟ୍ୱିଟର ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କାରଣ କୌଣସି ସାର୍ବଭୌମ ଦେଶର ମାନଚିତ୍ରକୁ ଭୁଲ ଦର୍ଶାଇବା ଏକ ଗୁରୁତର ଅପରାଧ । ଏଥିପାଇଁ ଜୋରିମାନା ସହିତ  ଟ୍ୱିଟର ଅଧିକାରୀଙ୍କୁ ୭ ବର୍ଷ ଜେଲ୍ ମଧ୍ୟ ହୋଇପାରେ । ଏପରିକି ଏହି ୱେବସାଇଟକୁ ଭାରତରେ ବନ୍ଦ ମଧ୍ୟ କରାଯାଇପାରେ। ସୋଶାଲ ମିଡ଼ିଆ ପାଇଁ ଲାଗୁ ନୂଆ ନିୟମକୁ ନେଇ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ଘନେଇବା ଆଶଙ୍କା କରାଯାଉଛି। ନୂଆ ନିୟମକୁ ଠିକ୍‌ ଭାବେ ଅନୁପାଳନ କରୁ ନ ଥିବା ଅଭିଯୋଗରେ ଭାରତ ସରକାର ଏହି ସାଇଟ୍‌କୁ ପୂର୍ବରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ସାରିଛନ୍ତି। ଏଇଟା ପ୍ରଥମ ଘଟଣା ନୁହେଁ,  ଗତବର୍ଷ ଲଦାଖରେ ଆସୁଥିବା ଲେହ ଚୀନର ଅଂଶ ବୋଲି ଦର୍ଶାଇଥିଲା ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ।  ଏହାକୁ ନେଇ ଭାରତ ସରକାର ଟ୍ୱିଟର ସିଇଓଙ୍କୁ କଡ଼ା ଚେତାବନୀ ଦେଇଥିଲେ।  ନୂଆ ଆଇଟି ନିୟମକୁ ନେଇ ଆଗରୁ ଭାରତ ସରକାରଙ୍କ ସହିତ  ଟ୍ୱିଟରର ବିବାଦ ଚାଲିଛି  । ଜାଣିଶୁଣି ନିୟମ ପାଳନ କରୁ ନ ଥିବା ଅଭିଯୋଗରେ ଟ୍ୱିଟର ବିରୋଧରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର।

 

ମୋଦି ଡାକିଲେ ମନ୍ତ୍ରିପରିଷଦ ବୈଠକ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରି ପରିଷଦ ବୈଠକ ଡାକିଛନ୍ତି। ଜୁନ୍ ୩୦ ଅପରାହ୍ନ ୫ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୟାବିନେଟ, ସ୍ୱତନ୍ତ୍ରା ରାଜ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ବୈଠକ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ବୈଠକ ବିଭିନ୍ନ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବେ ବୋଲି ଇସାରା ଦେଇ ସାରିଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରିଥିଲେ। ଏହି ସମୟରେ କିଛି ମନ୍ତ୍ରୀଙ୍କ ସହ ମୋଦି ଓ୍ୱାନ ଟୁ ଓ୍ୱାନ ହୋଇଥିବା ସୂଚନା ରହିଛି। ତେଣୁ ଜୁନ୍ ୩୦ରେ ହେବାକୁ ଥିବା ବୈଠକରେ ମୋଦି ତାଙ୍କ ନୂଆ ଟିମ୍ ବାବଦରେ ମନ୍ତ୍ରୀ ମାନଙ୍କୁ ଅବଗତ କରାଇ ପାରନ୍ତି। ଏଥିସହ କେଉଁମାନଙ୍କର ବିଭାଗ ବଦଳିବ କି ବାଦ୍ ପଡ଼ିବେ ଇତ୍ୟାଦି ବାବଦରେ ପ୍ରଧାନମନ୍ତ୍ରୀ ଅବଗତ କରାଇ ପାରନ୍ତି। ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ମୋଦି ସହଯୋଗୀ ଦଳର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ବୋଲି ଜଣାପଡ଼ିଛି। ପାଖାପାଖି ୨୭ ଜଣ ସମ୍ଭାବିତ ନେତାଙ୍କ ନାମ ପ୍ରସ୍ତୁତ ହୋଇ ସାରିଛି। କେବଳ ମୋଦି ଘୋଷଣା କରିବେ ବୋଲି ଜଣାପଡ଼ିଛି। ଏବେ ମୋଦି ସରକାରରେ ଆରଆଇପି ଦଳର ସାଂସଦ ରାମଦାସ ଅଠାଓ୍ୱାଲାଙ୍କୁ ଛାଡ଼ି ଦେଲେ ଆଉ ସମସ୍ତେ ବିଜେପିର ସାଂସଦ। ତେଣୁ ଜେଡିୟୁ, ଅପନା ଦଳ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳକୁ ନିଜ ଟିମରେ ସାମିଲ୍ କରି ମୋଦି ସରକାର ନୂଆ ଜୋଶରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ବଡ଼ ମନ୍ତବ୍ୟ ଦେଲେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ୍ ଡ୍ରାଭିଡ୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏଥିପାଇଁ ଆଜି ଭାରତୀୟ ଟିମ୍ ଶ୍ରୀଲଙ୍କା ଗସ୍ତ କରିବ। ଏହା ପୂର୍ବରୁ ଭାରତର କୋଚ୍ ରାହୁଲ୍ ଡ୍ରାଭିଡ୍ ଯୁବ ଖେଳାଳିଙ୍କୁ ନେଇ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସମସ୍ତେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ। ଟିମର ସିନିୟର ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି। ଏଭଳି ସ୍ଥିତିରେ ଜୁନିୟର ବା ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଟିମରେ ସାମିଲ୍ କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳାଯିବ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ଗସ୍ତ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଡ୍ରାଭିଡ୍ କହିଛନ୍ତି, ପୃଥ୍ୱୀ ଶ’ଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକ୍ବାଡଙ୍କ ଭଳି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ଅଛନ୍ତି। ବିଶ୍ୱକପ୍ ପାଇଁ ଖେଳାଳି ଚୟନ କରିବା କାମ ହେଉଛି ଚୟନକର୍ତ୍ତାଙ୍କର। କିନ୍ତୁ ଅନ୍ତର୍ଜାତୀୟ ଟିମ୍ ବିରୋଧରେଭଲ ପ୍ରଦର୍ଶନ କରିବା ଦ୍ୱାରା ଯୁବ ଖେଳାଳିଙ୍କୁ ସହାୟତା ମିଳିବ। ଯଦି ଏମାନେ ଏହି ସ୍ତରରେ ଭଲ ପ୍ରଦର୍ଶନ କରନ୍ତି, ତାହେଲେ ସିଲେକ୍ଟର ନିଶ୍ଚିତ ଭାବେ ଧ୍ୟାନ ଦେବେ। ଅନ୍ତର୍ଜାତୀୟ ସ୍ତରରେ ଚାପ ଭିନ୍ନ ରହିଥାଏ। ଯେହେତୁ ଶ୍ରୀଲଙ୍କା ଗସ୍ତରେ ମାତ୍ର ୬ଟି ମ୍ୟାଚ୍ ଖେଳାଯିବ, ତେଣୁ ସବୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ। ନିଜ କୋଚିଂ ଅଭିଜ୍ଞତାକୁ ନେଇ ଡ୍ରାଭିଡ୍ କହିଛନ୍ତି, ଟିମରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ଭଲ ମିଶ୍ରଣ ରହିଛି। ଏହା ଜଣେ କୋଚଙ୍କ ପାଇଁ ରୋମାଞ୍ଚିତ ସ୍ଥିତି। ସମସ୍ତଙ୍କୁ କିଛି ନା କିଛି ଶିଖିବାକୁ ସୁଯୋଗ ମିଳିବ। ଜଣେ କୋଚ୍ ଭାବେ ଆପଣ ପ୍ରତିଟି ଅଭିଜ୍ଞତାରୁ ଶିଖିବାକୁ ପାଇବେ। ଆପଣ ନିଜେ ଓ କ୍ରିକେଟ୍ ସମ୍ବନ୍ଧରେ ଶିଖିବାକୁ ପାଇବେ। ଏଠାରେ ମୋ ପାଇଁ ଶିଖିବା ଓ ସୁଧାରିବାର ଭଲ ସୁଯୋଗ ରହିଛି। ମୁଁ ଏହାକୁ ନେଇ ବହୁତ ଉତ୍ସାହିତ ଅଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତ ପାଇଁ ଡ୍ରାଭିଡଙ୍କୁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଟିମର ନେତୃତ୍ୱ ନେବେ ଶିଖର ଧୱନ୍। ଶ୍ରୀଲଙ୍କା ଗସ୍ତରେ ଭାରତ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ।

ଶିଖର ଧୱନଙ୍କ ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଅଭିଯାନ ଆରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ଖେଳିବାକୁ ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆର ଗସ୍ତ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆର ଏହି ଗସ୍ତ ବେଳେ ଦଳର କୋଚିଂ ଦାୟିତ୍ୱ ଭେଟରାନ ରାହୁଲ ଡ୍ରାଭିଡ ସମ୍ଭାଳିବେ। ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଯାଇଥିବାରୁ ଶିଖର ଧୱନ ଶ୍ରୀଲଙ୍କାରେ ଭାରତର କମାଣ ଧରିବେ। ଆଜି ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କ ଫଟୋ ଟ୍ୱିଟ କରାଯିବ ସହ ଅଲ ସେଟ୍‌ ଶ୍ରୀଲଙ୍କା ବାଉଣ୍ଡ ବୋଲି ଲେଖାଯାଇଛି। ଭାରତ ଏହି ଗସ୍ତରେ ଶ୍ରୀଲଙ୍କା ସହ ୩ଟି ଦିନିକିଆ ଓ ସାମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ଜୁଲାଇ ୧୩ରୁ ଏହି ସିରିଜ ଆରମ୍ଭ ହେବ। ଦଳରେ ୩ ଯୁବକ ଖେଳାଳି ସଞ୍ଜୁ ସାମସନ, ଈଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ଟି-୨୦ ବିଶ୍ୱକପକୁ ଦୃଷ୍ଟିରୁ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତର କୋଚ୍ ରାହୁଲ୍ ଡ୍ରାଭିଡ୍ ଯୁବ ଖେଳାଳିଙ୍କୁ ନେଇ ବଡ଼ କଥା କହିଥିଲେ। ସେ କହିଥିଲେ ଯେ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସମସ୍ତେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ। ଟିମର ସିନିୟର ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି। ଏଭଳି ସ୍ଥିତିରେ ଜୁନିୟର ବା ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଟିମରେ ସାମିଲ୍ କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳାଯିବ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ଗସ୍ତ ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ୍ ଖେଳିବେ ଯୁବରାଜ ସିଂହ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ ଭାରତର ଦୁଇଥର ବିଶ୍ବକପ୍ ବିଜେତା ଯୁବରାଜ ସିଂହ। ଯୁବରାଜ ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଏକ କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳିପାରନ୍ତି । ଏ ନେଇ ଏହି କ୍ଲବ୍ ଦାବି କରିଛି । ଯୁବରାଜ ଚଳିତ ବର୍ଷ ଗ୍ରୀଷ୍ମରେ ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ୍ ଖେଳିବେ। କେବଳ ଯୁବରାଜ ନୁହଁନ୍ତି, ଦୁନିଆର ଆଉ କିଛି ନାମୀ କ୍ରିକେଟର୍ ମଧ୍ୟ ଏହି କ୍ଲବ୍ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି। ମେଲବର୍ଣ୍ଣର ଇଷ୍ଟର୍ଣ୍ଣ କ୍ରିକେଟ୍ ସଂଘ (ଇସିଏ)ର ତୃତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳୁଥିବା ମୁଲଗ୍ରେଭ କ୍ରିକେଟ୍ କ୍ଲବ୍ କହିଛି ଯେ ସେମାନେ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା, କ୍ରିସ୍ ଗେଲ୍ ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କ କ୍ରିକେଟରଙ୍କ ସହ ଆଲୋଚନା ଚଳାଇଛନ୍ତି।ମୁଲଗ୍ରେଭ ପୂର୍ବରୁ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ ଓ ଉପୁଲ ଥରଙ୍ଗାଙ୍କ ସହ ଚୁକ୍ତି କରିବା ସହ ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସନତ ଜୟସୂର୍ୟାଙ୍କୁ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ମୁଲଗ୍ରେଭର ଅଧ୍ୟକ୍ଷ ମିଲନ୍ ପୁଲେନାୟେଗମ କହିଛନ୍ତି ଯେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜର ଗେଲଙ୍କ ସହ କଥାବାର୍ତ୍ତା ଚାଲିଛି । ସେ ଆହୁରି କହିଛନ୍ତି, ଆମେ ଦିଲସାନଙ୍କ ସହ ଚୁକ୍ତି କରି ସାରିଛୁ । ଜୟସୂର୍ୟା ଓ ଥରଙ୍ଗା ଟିମ୍ ସହ ଯୋଗ ଦେବେ। ଏବେ ଆମେ ଆଉ କିଛି ଖେଳାଳିଙ୍କ ସହ ଯୋଗଯୋଗ କରୁଛୁ। ଗେଲ୍ ଓ ଯୁବରାଜଙ୍କ ସହ ଆମେ ୮୫ରୁ ୯୦ ପ୍ରତିଶତ କଥା ହୋଇ ସାରିଛୁ । କେବଳ ଏହାର ଅନ୍ତିମ ରୂପ ଦେବା ବାକି ରହିଥିବା କହିଛନ୍ତି ପୁଲେନାୟେଗମ ।

ସଲମାନ୍ ଖାନଙ୍କ ପରେ ପିଏମ୍ ମୋଦିଙ୍କ ସହ ପଙ୍ଗା ନେଲେ କେଆରକେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-  ଅଭିନେତା ତଥା କ୍ରିଟିକ୍ କମାଲ୍ ରାଶିଦ୍ ଖାନ୍ (କେଆରକେ) ସୋଶାଲ ମିଡିଆରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ଧରି ସେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ସିଙ୍ଗର ମିକା ସିଂହଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ ସେ ଆଉ କେହି ନୁହଁନ୍ତି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି। କମାଲ୍ ରଶିଦ୍ ଖାନ୍ ପିଏମ୍ ମୋଦି ଓ ୨୦୨୪ର ନିର୍ବାଚନକୁ ନେଇ ଟୁଇଟ୍ କରିଛନ୍ତି । କେଆରକେ ନିଜ ଟୁଇଟରେ ଲେଖିଛନ୍ତି, ମୋର ଆଜିର ପୂର୍ବାନୁମାନ- ପିଏମ୍ ମୋଦି ଜୀ ୨୦୨୪ରେ କ୍ଲିନ୍ ବୋଲ୍ଡ ଆଉଟ୍ ହେବେ । କେଆରକେଙ୍କ ଏହି ଟୁଇଟ୍ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ସୋଶାଲ ମିଡିଆ ୟୁଜର୍ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ସୋଶାଲ ମିଡିଆ ୟୁଜର୍ କେଆରକେଙ୍କ କଥାରେ ସହମତ ହୋଇଥିବା ଅଧିକାଂଶ ଲୋକେ ତାଙ୍କୁ ଟ୍ରୋଲ୍ କରିଛନ୍ତି । ସୂଚନାଯୋଗ୍ୟ, କେଆରକେ ଗତ କିଛି ଦିନ ଧରି ସଲମାନ୍ ଓ ମିକାଙ୍କ ସହ ପଙ୍ଗା ନେଇଛନ୍ତି। କିଛି ଦିନ ତଳେ କେଆରକେ ଦାବି କରିଥିଲେ ଯେ ସଲମାନ୍ ଖାନଙ୍କ ଫିଲ୍ମ ‘ରାଧେ’ର ନେଗେଟିଭ୍ ରିଭ୍ୟୁ ପାଇଁ ତାଙ୍କ ଉପରେ ମାନହାନୀ ମୋକଦ୍ଦମା କରାଯାଇଛି । କିନ୍ତୁ ସଲମାନ୍ ଖାନଙ୍କ ଲିଗାଲ୍ ଟିମର କହିବା ଅନୁଯାୟୀ କେଆରକେ ଯେଉଁ ମାନହାନୀ ମୋକଦ୍ଦମା କଥା କହୁଛନ୍ତି, ତାହା ଭୁଲ୍‌। କେଆରକେଙ୍କ ବିରୋଧରେ ଏଥିପାଇଁ ମାନହାନୀ ମୋକଦ୍ଦମା କରାଯାଇଛି, କାରଣ ସେ ସଲମାନ୍ ଖାନଙ୍କୁ ବଦନାମ କରିବା ପାଇଁ ଅନେକ ଅଭିଯୋଗ ଲଗାଇଛନ୍ତି। କେଆରକେ ସଲମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ତାଙ୍କ ସଂସ୍ଥା ବିଙ୍ଗ ହ୍ୟୁମାନ ଉପରେ ଠକେଇ ଓ ଟଙ୍କା ହେରଫେର ଅଭିଯୋଗ ଲଗାଇଥିଲେ।

ଡ୍ରଗ୍ସ ନେବା ବେଳେ ଧରାପଡ଼ିଲେ ଅଭିନେତ୍ରୀ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିନେତ୍ରୀଙ୍କ ନାଁ ହିନା ପାଞ୍ଚାଲ। ସେ ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ। ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା। ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ପୁଲିସ ଏହି ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଏହି ସମୟରେ ପାର୍ଟିରେ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଇଥିବା ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ବେଳେ ପୁଲିସ ବିପୁଳ ନିଶା ଦ୍ରବ୍ୟ ଜବତ କରିଛି। ଏଥିରେ ହୁକା, ହାସିସ୍‌, ଗଞ୍ଜେଇ ଏବଂ ଡ୍ରଗ୍ସ ପାଉଡର ସାମିଲ ଅଛି।

ପ୍ରଥମ ଥର ପାଇଁ ଅମିତାଭଙ୍କ ସହିତ ସ୍କ୍ରିନ୍ ଶେଆର କରିବେ ନୀନା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଉତ୍ତରାଖଣ୍ଡର ମୁକ୍ତେଶ୍ୱର ସ୍ଥିତ ନିଜ ଘରେ ପ୍ରାୟ ଦୁଇ ମାସ ରହିବା ପରେ ମୁମ୍ବାଇ ଫେରି ଆସିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା। ଏହା ସହିତ ସେ ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ବାଏ’ ପାଇଁ ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। କରୋନ ଯୋଗୁ ଏହି ଫିଲ୍ମର ଶୁଟିଂ ବନ୍ଦ ରହିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଛି। ତେବେ ଏହି ଫିଲ୍ମଟି ନୀନାଙ୍କ ପାଇଁ ବହୁତ୍ ଖାସ୍‌। କାରଣ ଆସନ୍ତା ବର୍ଷ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରୁଛନ୍ତି। ସେ ଏଥିରେ ବିଗ୍‌ ବି’ଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ନୀନା କହିଛନ୍ତି, ଅମିତାଭ ବଚ୍ଚନଙ୍କ ସହିତ ଏହା ମୋର ପ୍ରଥମ ଫିଲ୍ମ ବୋଲି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ଏହା ସତ। ଯାହା ହେଉ, ଶେଷରେ ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଲି। ଏହା ପୂର୍ବରୁ ଆଉ ଏକ ପ୍ରୋଜେକ୍ଟରେ ତାଙ୍କ ସହିତ କାମ କରିବାର ସୁଯୋଗ ଥିଲା। ଏଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିନ୍ତୁ ତାହା ହୋଇପାରି ନଥିଲା। ସେ ଆହୁରି କହିଛନ୍ତି, ମୁଁ ଅମିତାଭ ବଚ୍ଚନଙ୍କ ସହିତ କେବେ କାମ କରି ନଥିଲେ ବି ତାଙ୍କ ପରିବାର ସହିତ ମୋର ବହୁତ ଭଲ ସଂପର୍କ ରହି ଆସିଛି। ଜୟା ବଚ୍ଚନ ପ୍ରତି ବର୍ଷ ଦୀପାବଳିରେ ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କରନ୍ତି। ନୀନା ଇଣ୍ଡଷ୍ଟ୍ରୀରେ ଏତେ ବର୍ଷ ବିତାଇ ସାରିଥିଲେ ବି ‘ଗୁଡ୍‌ବାଏ’ ଫିଲ୍ମ ଶୁଟିଂ ସେଟ୍‌ରେ ଅମିତାଭଙ୍କୁ ଦେଖି ନର୍ଭସ ହୋଇଯାଇଥିଲେ। ଅବଶ୍ୟ ପରେ ସବୁ ଠିକ୍ ହୋଇଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ରେ ନୀନାଙ୍କ ଫିଲ୍ମ ‘ବଧାଇ ହୋ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଅମିତାଭ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଅମିତାଭ ଏକ ପୁଷ୍ପଗୁଚ୍ଛ ସହିତ ଏକ ହାତ ଲେଖା ଶୁଭେଚ୍ଛା ପତ୍ର ନୀନାଙ୍କ ପାଖକୁ ପଠାଇଥିଲେ। ଅମିତାଭଙ୍କ ଠାରୁ ଏ ପ୍ରକାର ପ୍ରଶଂସା ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୨୯ ଜୁନ୍‌, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସମାଜ ସେବା କରି ସମ୍ମାନିତ ହେବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ଠିକ୍ ନିଷ୍ପତ୍ତି ନେବେ।

ବୃଷ: ଦିନଟି ଠିକ୍‌ଠାକ୍ ରହିବ। ସବୁ କାର୍ଯ୍ୟ ବିନା ବାଧାବିଘ୍ନରେ ହୋଇଯିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ।

ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: କାର୍ଯ୍ୟ ବ୍ୟସ୍ତ ରହିବେ। ଅଧିକ ଧାଁଦଉଡ଼ କରିବାକୁ ପଡ଼ିପାରେ। ଶୁଭ ଖବର ପାଇପାରନ୍ତି।

ସିଂହ: ଲୋକ ସଂପର୍କ ବଢ଼ିବ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।

କନ୍ୟା: ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପରିବାରରେ କୌଣସି କଥାକୁ ନେଇ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବୁଦ୍ଧି ପ୍ରୟୋଗ କରି ସମସ୍ତ ସମସ୍ୟାର ସମାଧାନ କରି ନେବେ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ଆଶା କରିଥିବା ଜିନିଷ ପ୍ରାପ୍ତି ହେବ। ପଢ଼ାପଢ଼ିରେ ମନ ଦେବେ।

ଧନୁ: ଜମି କିମ୍ବା ଘର କିଣିବା ପାଇଁ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ କାମ ସଂପନ୍ନ କରିବା ପାଇଁ ଅନ୍ୟର ସହଯୋଗ ନେଇପାରନ୍ତି। ବିରୋଧୀମାନେ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମୀନ: ସହକର୍ମୀ ମାନଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଆଶାଜନକ ଫଳପ୍ରାପ୍ତି ହେବ।

ସୁମଣ୍ଡଳ ଓ ରାହାଡ଼ାରେ ଟୀକା ନେବା ପାଇଁ ଠେଲାପେଲା….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା) – ଟିକା ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ଆଜି ଟିକା ପାଇଁ ଠେଲାପେଲା ହୋଇଥିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୁରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଟୀକା ଦେବା ପାଇଁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ୟବସ୍ଥା କରାଯାଇଥିଲା । ବ୍ଲକ ଆଉ ବ୍ଲକ ବାହାରୁ ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ ।

ଉପସ୍ଥିତ ଲୋକଙ୍କ ଠାରୁ ଟୀକା କାମ ଥିବା ଜଣ ପଡିବ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହଉଯାଉ ହୋଇ ଭିଡ଼ ଜମାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଲୋକ ବୁଝିନଥିଲେ । ଘଟଣା ସମ୍ପର୍କରେ ପୋଲିସ ଅବଗତ ପରେ ଭିଡ ଲୋକଙ୍କୁ ସଚେତନ କରିବା ସହ ଆୟତ୍ତ କରିଥିଲେ । ସେହିପରି ରାହାଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟୀକା ଦେବା ବେଳେ ଭିଡ଼ ପରିଲିକ୍ଷିତ ହୋଇଛି । ଟୀକା କାମ ଥିବା ବେଳେ ଅଧିକ ସଂଖ୍ୟକ ଲୋକ ଲମ୍ବାଧଡିରେ ଛିଡ଼ା ହୋଇଥିଲେ । ଫଳରେ ତିକ କେନ୍ଦ୍ରରେ ପ୍ରବଳ ଗହଳି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଟୀକା କେନ୍ଦ୍ର ଗୁଡିକରେ ଅଧିକ ଟୀକା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।