୩୦ ଜିଲ୍ଲାରେ ବିଜେଡି ନିଯୁକ୍ତ କଲା ନୂଆ ପର୍ଯ୍ୟବେକ୍ଷକ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି। ସେହିପରି ୬ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିକ୍ରମ କେଶରୀ ଆରୁଖ ନିଯୁକ୍ତି ପାଇଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, କଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ମିଳିଛି। ସେହିପରି ପର୍ଯ୍ୟବେକ୍ଷକ ଭାବେ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି, ତା’ର ତାଲିକା ନିମ୍ନରେ ଦିଆଯାଇଛି।

ଜାଣନ୍ତୁ, କାହାକୁ ମିଳିଲା କେଉଁ ଜିଲ୍ଲା

ଅନୁଗୋଳ- ପ୍ରଶାନ୍ତ ମୁଦୁଲି
ବାଲେଶ୍ୱର– ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ– ପ୍ରଣବ ବଳବନ୍ତରାୟ
ବଲାଙ୍ଗିର- ସୁଶାନ୍ତ ସିଂହ
ବୌଦ୍ଧ– ସୌଭାଗ୍ୟ ନାୟକ
କଟକ- ଉଷା ଦେବୀ
ଦେବଗଡ଼– ସୁଶାନ୍ତ ସିଂହ
ଢେଙ୍କାନାଳ- ବିଜୟ ନାୟକ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
ଜଗତସିଂହପୁର– ସମୀର ରଞ୍ଜନ ଦାଶ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା– ସୁବାସ ସିଂହ
କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ– ପ୍ରତାପ ଜେନା
କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର– ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ
କୋରାପୁଟ– ଚନ୍ଦ୍ର ସାରଥୀ ବେହେରା
ମାଲକାନଗିରି- ଚନ୍ଦ୍ର ସାରଥୀ ବେହେରା
ମୟୂରଭଞ୍ଜ– ପ୍ରଣବ ପ୍ରକାଶ ଦାସ
ନବରଙ୍ଗପୁର- ତୁଷାରକାନ୍ତି ବେହେରା
ନୟାଗଡ଼– ପଦ୍ମନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ– ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ରାୟଗଡ଼ା– ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର– ନଳିନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର– ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼– ପ୍ରୀତିରଞ୍ଜନ ଘଡ଼େଇ

କବାଡି ଖେଳାଳିଙ୍କ ସ୍ୱପ୍ନ ଭାଙ୍ଗିଦେଲା କରୋନା; ଜଣେ ସୁଇଗ୍‌ ବୟ, ଆଉ ଜଣେ ଚାଷୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମହାମାରୀ କରୋନା ବଦଳାଇଦେଲା ଦୁଇ କବାଡି ଖେଳାଳି ଚିତ୍ର ଓ ଚରିତ୍ର। ସେମାନଙ୍କ ଭିତରୁ ଜଣକୁ ଡେଲିଭରୀ ବୟ ବନାଇ ଦେଇଥିବା ବେଳେ ଆଉ ଜଣକୁ ଚାଷୀ କରିଦେଇଛି। ଏବେ ସେମାନେ ଖେଳ ଛାଡ଼ି ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ। ମଇଦାନରେ ପ୍ରତିପକ୍ଷକୁ ମାତ ଦେଲା ଭଳି ଭାଗ୍ୟ ସହିତ ଲଢ଼ୁଛନ୍ତି କବାଡି ଖେଳାଳି କେ. ମାଧବ ରାଓ ଓ ସୁଜିତ ସଏ । କବାଡ଼ି ଖେଳାଳୀ କେ.ମାଧବ ରାଓ। କଟକ ସାମନ୍ତସାହିରେ ଘର ଭଡ଼ା ନେଇ ମାଆଙ୍କ ସହିତ ରୁହଛନ୍ତି। ପିଲା ବେଳୁ କବାଡ଼ିକୁ କ୍ୟାରିୟର ଭାବେ ଗ୍ରହଣ କରିଥିଲେ। ଦୀର୍ଘ ୧୫ ବର୍ଷ ଧରି ସେ ହାଇଦ୍ରାବାଦ, ଗୁଜୁରାଟ, ରାଜସ୍ଥାନରେ ହୋଇଥିବା ଏକାଧିକ ଜାତୀୟ ସ୍ତରର କବାଡ଼ି ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ଏଥିପାଇଁ ଓଡ଼ିଶାକୁ ଆଣିଥିଲେ ଗୌରବ। ମହାମାରୀ କରୋନା ପାଇଁ ସବୁ ଓଲଟପାଲଟ କରିଦେଲା। ଖେଳକୁଦ ବନ୍ଦ ହୋଇଗଲା। ଆଉ ବଦଳିଗଲା ଜୀବନ କେ. ମାଧବଙ୍କ ଚିତ୍ର। ଦିନେ ଯିଏ ଜାତୀୟସ୍ତରର କବାଡ଼ି ଖେଳି ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍‌ ଦେଉଥିଲେ, ସିଏ ଆଜି ସୁଇଗ୍‌ ବୟ। ପେଟ ପାଇଁ ଖେଳରେ ତାଲା ପକାଇ ଦାନା ଯୋଗାଡ଼ରେ ଲାଗିଛନ୍ତି। ମନରେ ଦୁଃଖ ଅଛି, ପେଟରେ ଭୋକ ମଧ୍ୟ ଅଛି। ସେଥିପାଇଁ ଜୀଇଁବାକୁ ଜୀବନ ଯୋର୍ଦ୍ଧରେ କେ. ମାଧବ ରାଓ କରୁଛନ୍ତି ସଂଘର୍ଷ। କେ.ମାଧବଙ୍କ ଭଳି ଅଉ ଜଣେ କବାଡି ଖେଳାଳି ହେଉଛନ୍ତି ସୁନ୍ଦରଗଡ଼ ଡାଇଜିରା ଗାଁର ସୁଜିତ ସଏ। ପିଲାଟି ବେଳୁ କବାଡ଼ି ପ୍ରତି ଅହେତୁକ ଦୁର୍ବଳ ଥିବାରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ଦିନେ ବଣର ମଲ୍ଲି ସାଜିଥିବା ଏହି ପ୍ରତିଭା ଜାତୀୟ ସ୍ତରରେ ପାଞ୍ଚ ପାଞ୍ଚ ଥର କବାଡ଼ି ଖେଳି ମୈଦାନକୁ କମ୍ପାଇଥିଲେ। କରୋନା କାଳରେ ବଦଳିଗଲା ତାଙ୍କ ପରିଚୟ। ଜାତୀୟ ସ୍ତରର କବାଡ଼ି ଖେଳାଳି ବନିଯାଇଛନ୍ତି ଚାଷୀ। ୨୦ ବର୍ଷ ବୟସର ଏହି ଯୁବ ଖେଳାଳି ଜମିରେ ଏବେ ହଳ କରୁଛନ୍ତି। ଘାସ ବାଛୁଛନ୍ତି, ଧାନ ବୁଣୁଛନ୍ତି। ଚାଷବାସ ଏବେ ତାଙ୍କର ବେଉଷା ପାଲଟିଗଲାଣି। କେବେ ଅନ୍ୟ ଜମିରେ ମୂଲ ଲାଗି ତ ଆଉ କେବେ ନିଜ କ୍ଷେତରେ ଚାଷବାସ କରି ପେଟ ପୋଷୁଛନ୍ତି ସୁଜିତ। ତେଣୁ ସରକାର କିମ୍ବା ଘରୋଇ ସଂସ୍ଥା ପକ୍ଷରୁ କିଛି ପ୍ରୋତ୍ସାହନ କିମ୍ବା ସହାୟତା ମିଳିଲେ ସେ ଆଗକୁ ବଢ଼ିପାରନ୍ତେ ବୋଲି ସେ କହିଛନ୍ତି।

ଧୱନ-ଭୁବନେଶ୍ୱର ଜୋରଦାର ଲଢ଼େଇ, ବିସିସିଆଇ ସେୟାର କଲା ଫଟୋ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଗୋଟିଏ ପଟେ ଟିମ୍ ଇଣ୍ଡିଆର ହାର୍ଡ ହିଟର ଶିଖର ଧୱନ। ଅନ୍ୟପଟେ ଷ୍ଟାର ପେସର ଭୁବନେଶ୍ୱର କୁମାର। ଚାଲିଛି ଜୋରଦାର ଟକ୍କର। ଅଧିନାୟକ ଓ ଉପଅଧିନାୟକଙ୍କ ମଧ୍ୟରେ ହୋଇଛି ଫାଇଟ୍। ଲଢେଇରେ କିଏ କାହାଠାରୁ କମ୍ ନୁହଁ। ଜଣେ ଚୌକା ଛକ୍କାର ମାଷ୍ଟର, ଅନ୍ୟଜଣେ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲାଭଳି ବୋଲର। ଶନିବାର ମୁହାଁମୁହିଁ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର ଏହି ଦୁଇ ଷ୍ଟାର ଖେଳାଳି। ଶନିବାର ବିସିସିଆଇଏକ ଫୋଟ ଟ୍ୱିଟ୍ କରିଛି। ଯେଉଁଥିରେ ଶିଖର ଧୱନ ଏବଂ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ଆଉ ଏହି ଟକ୍କର ଚାଲିଛି ପ୍ଲେ ଷ୍ଟେସନରେ। ହାତରେ ରିମୋଟ୍ ଧରି ଖେଳିବାରେ ବ୍ୟସ୍ତ ଦୁଇ ଖେଳାଳି। ଏହି ଫୋଟ ଟ୍ୱିଟ୍ କରିବା ସହ କ୍ୟାପସନରେ ବିସିସିଆଇ ଲେଖିଛି ଯେ, ‘ଏହି ମ୍ୟାଚ୍ କିଏ ଜିତୁଛି, ଶିଖର ଧୱନ ନା ଭୁବନେଶ୍ୱର କୁମାର’। ଭାରତୀୟ କ୍ରିକେଟ୍ ଟିମ୍ ଏକାସଙ୍ଗେ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତି ଚଳାଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ନେତୃତ୍ୱରେ ଟିିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୫ ଶୃଙ୍ଖଳା ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ସେପଟେ ଶିଖର ଧୱନଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଓ ଟିଟ୍ୱେଣ୍ଟି ସିରିଜ୍ ଖେଳିବ। ବିରାଟ କୋହଲିଙ୍କ ଟିମ୍ ବର୍ତ୍ତମାନ ଇଂଲଣ୍ଡରେ ଅଛି। ତେବେ ଧୱନଙ୍କ ଟିମ୍ ଜୁନ୍ ୨୮ ତାରିଖରେ ଶ୍ରୀଲଙ୍କା ଗସ୍ତରେ ଯିବ। ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧୱନଙ୍କୁ ଅଧିନାୟକ କରାଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଇର୍‌ଫାନ୍‌ଙ୍କ ପୁଅ ବାବିଲଙ୍କ ବ୍ୟାଗରେ ଆଉ ଏକ ଫିଲ୍ମ…!

ଏଥର ସମ୍ଭାଳ ବ୍ୟୁରୋ(ମୁୁମ୍ବାଇ)- ବଲିଉଡ୍‌ର ଦିବଂଗତ ଅଭିନେତା ଇରଫାନ ଖାନ୍‌ଙ୍କ ପୁଅ ବାବିଲ ଆଜିକାଲି ପୁରାପୁରି ବ୍ୟସ୍ତ। ଗୋଟିଏ ଫିଲ୍ମ ସରିନି, ଆଉ ଗୋଟିଏ ଫିଲ୍ମ ପାଇଁ ଅଫର ଆସିଲାଣି। ବାବିଲ ଏବେ ତାଙ୍କର ଡେବ୍ୟୁ ଫିଲ୍ମର ସୁଟିଂରେ ବିଜି ଅଛନ୍ତି। ଫିଲ୍ମରେ ତାଙ୍କ ବିପକ୍ଷରେ ଅଛନ୍ତି ତୃପ୍ତି ଡିମରିା ଏହାରି ଭିତରେ ବାବିଲଙ୍କୁ ଆଉ ଏକ ଫିଲ୍ମ ମିଳିଛି। ଏଥର ବାବିଲଙ୍କୁ ନିର୍ଦ୍ଦେଶନା ଦେବେ ଜଣାଶୁଣା ନିର୍ଦ୍ଦେଶକ ସୁଜିତ ସରକାର। ସୁଜିତ ସରକାରଙ୍କ ଏହି ଫିଲ୍ମକୁ ପ୍ରଯୋଜନା କରିବେ ରୋନି ଲାହିଡି। ଇନଷ୍ଟାଗ୍ରାମରେ ସୁଜିତ ସରକାର ଏବଂ ବାବିଲଙ୍କ ସହ ଫଟୋ ପୋଷ୍ଟ କରି ରୋନି ଲେଖିଛନ୍ତି ଯେ, ଇରଫାନ ଖାନଙ୍କ ଭଳି ଜଣେ କିମ୍ବଦନ୍ତୀ ଅଭିନେତାଙ୍କ ଭବିଷ୍ୟତକୁ ଆଗକୁ ନେବା ବେଳେ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ଆପଣଙ୍କ ଭଳି ମହାନ ଅଭିନେତାଙ୍କ ସହ କାମ କରିବା ପରେ ଏବେ ଆପଣଙ୍କ ପୁଅ ବାବିଲଙ୍କ ସହ କାମ କରିବାକୁ ଯାଉଛି। ଏହା ଇଶ୍ୱରଙ୍କ ଇଛା ନାହିଁ ତ ଆଉ କଣ? ଏହାପୂର୍ବରୁ ରୋନି ଲାହିଡି ପିକୁ ଫିଲ୍ମର ପ୍ରଯୋଜନା କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ଦେଇଥିବା ବେଳେ ଲିଡ୍ ରୋଲରେ ଇରଫାନ ଖାନ୍ , ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। ମାସକ ମଧ୍ୟରେ ସେ ନୂଆ ଫିଲ୍ମ ବାବଦରେ ଘୋଷଣା କରିବେ ବୋଲି କହିଛନ୍ତି ପ୍ରୋଯୋଜକ ରୋନି ଲାହିଡି।

ୱେବ୍ ସିରିଜ ପାଇଁ ସଜବାଜ ମିସେସ୍ ବଚ୍ଚନ…!

ଏଥର ସମ୍ଭାଳ ବ୍ୟୁରୋ(ମୁୁମ୍ବାଇ)- ରାଜନୀତି ପରେ ଏବେ ଆଉ ଏକ ନୂଆ ଦୁନିଆରେ ପାଦ ରଖିଛନ୍ତି ବଲିଉଡରେ ବର୍ଷିଆନ୍ ଅଭିନେତ୍ରୀ ଜୟା ବଚ୍ଚନ। ସ୍ୱାମୀ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପରେ ମା’ ଜୟ ବଚ୍ଚନ ଏବେ ଡିଜିଟାଲରେ ଡେବ୍ୟୁ କରିବେ। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ରିପୋର୍ଟ ମୁତାବକ, ଜୟା ବଚ୍ଚନ ୱେବ୍ ସିରିଜରୁ ଡିଜିଟାଲରେ ଡେବ୍ୟୁ କରିବେ। ଏହି ୱେବ୍ ସିରିଜର ଅସ୍ଥାୟୀ ନାଁ ‘ସଦାବାହାର’ ରଖାଯାଇଛି। ଏଥିରେ ତାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ। ଏହି ୱେବ୍ ସିରିଜ ପାଇଁ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜୟା, ଏଥିପାଇଁ ସୁଟିଂ ଆରମ୍ଭ କରିଦେଇଥିଲେ । ତେବେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସୁଟିଂକୁ ଅଧାରୁ ଅଟକାଇବାକୁ ପଡିଥିଲା। ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ୱେବ୍ ସିରିଜର ସୁଟିଂ ଆରମ୍ଭ ହୋଇଛି। ବାୟୋ ବବଲ୍ ଫର୍ମାଟରେ ଏହାର ସୁଟିଂ ଚାଲିଛି। ଏହି ୱେବ୍ ସିରିଜ ଜରିଆରେ ଦୀର୍ଘ ୫ ବର୍ଷ ପରେ ପୁଣି ଜୟା ବଚ୍ଚନଙ୍କୁ ପରଦାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ସେ କରିନା କପୁର ଖାନ୍ ଓ ଅର୍ଜୁନ କପୁର ଅଭିନୀତ ଫିଲ୍ମ ‘କି ଆଣ୍ଡ କା’ରେ ନଜର ଆସିଥିଲେ। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ ଗେଷ୍ଟ ଏପିୟରେନ୍ସ ଦେଇଥିଲେ।

୨୭ ଜୁନ୍‌, ରବିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ।

ବୃଷ: ଜନସେବାରେ ନିଜକୁ ନିୟୋଜିତ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି।

ମିଥୁନ: ସହକର୍ମୀମାନେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ସନ୍ତାନଙ୍କ ପକ୍ଷରୁ ରହିଥିବା ଚିନ୍ତା ଦୂର ହେବ। ଆକସ୍ମିକ ଅର୍ଥଲାଭ ହେବ। ସମ୍ମାନ ବୃଦ୍ଧିହେବ।

ସିଂହ: ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

କନ୍ୟା: ସହଜରେ କୌଣସି କଠିନ ସମସ୍ୟାର ସମାଧାନ ହୋଇଯିବ। ଏଥିରେ ଆତ୍ମୀୟଙ୍କ ସହଯୋଗ ପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା: ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ।

ଧନୁ: ପୁରୁଣା ରୋଗରୁ ଉପଶମ ମିଳିବ। ଆୟ ବୃଦ୍ଧି ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର: ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ। ମାନସିକ ଅଶାନ୍ତି ଦୂରହେବ। କିଛି ନୂଆ ଜିନିଷ ପ୍ରାପ୍ତି ହେବ।

କୁମ୍ଭ: ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ।

ମୀନ: ବନ୍ଧୁଙ୍କ ଠାରୁ ଉପହାର ପ୍ରାପ୍ତି ହେବ। ଶତ୍ରୁମାନେ ପରାଜିତ ହେବେ। କମ୍ ପରିଶ୍ରମରେ ଭଲ ଫଳ ପାଇବେ।

ପାଂଜାବାଲି ଗାଁର କଇଁଶୀ ତିରାଳିଙ୍କୁ 12 ବର୍ଷ ହେଲା ମିଳୁନି ବିଧବା ଭତ୍ତା।

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଘମଟଗୁଡା ପଂଚାୟତ ଅନ୍ତର୍ଗତ ପାଂଜାବାଲି ଗାଁର ୬ଜଣ ବିଧବାଙ୍କୁ ମିଳୁନି ବିଧବାଭତ୍ତା।ଏନେଇ ସମ୍ପୃକ୍ତ ମହିଳାମାନେ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀମାନଙ୍କୁ ଆବେଦନ କରି କରି ନୟାନ୍ତ ହୋଇଗଲେଣି ସିନା,କେହି ଗୁହାରୀ ଶୁଣି ପଦକ୍ଷେପ ନେଉନଥିବା ବିଷୟ ମହିଳାମାନେ ଗଣମାଧ୍ୟମ ଆଗରେ କହିଛନ୍ତି।ଆମ ସମାଜରେ ଜଣେ ବିଧବା ମହିଳାର ବେସାହାରା ପରିସ୍ଥିତି, ସମାଜର ଅନେକ କଟକଣା ଓ ଦୈନ୍ୟତାକୁ ଲକ୍ଷକରି ସରକାର ସହାୟତା ସ୍ୱରୂପ ତାପାଇଁ ଭତ୍ତା ବ୍ୟବସ୍ଥା ରଖିଛନ୍ତି।କିନ୍ତୁ ଦୁଃଖର କଥା କେତେଜଣ ବୈମାତୃକ ମନୋଭାବ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ପାଇଁ ଅବହେଳିତ ମହିଳାମାନେ ଆହୁରି ଦୁଃଖର ଦରିଆ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି।ଏହିଭଳି ଘଟଣା ଘଟିଛି ପାଂଜାବାଲି ଗାଁର ଛଅ ଜଣ ଗରିବ ବିଧବା ମହିଳାଙ୍କ ପରିବାରରେ।ଏହି ଗାଁର ମହିଳା ଯମୁନା ଗୁଲାଙ୍କସ୍ୱାମୀ ଇନ୍ଦ୍ର ଗୁଲା ୪ବର୍ଷ ପୂର୍ବରୁ ମରିଗଲେଣି।ନିଜ ନାଁରେ ଘରପଟ୍ଟା ନଥିବାରୁ ମିଳିଥିବା ଆବାସ ଯୋଜନା ଫେରିଗଲା ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ସାଇବାଣୀ ୩ବର୍ଷ ତଳରୁ ବିଧବା ଭତ୍ତା ପାଇଁ ଗୁହାରି କରିଥିଲେ।ଡ଼ମୁଣି ଆର୍ଯ୍ୟର ସମାନ ଅବସ୍ଥା,କଇଁସି ତିରାଳି ଆଜକୁ୧୨ବର୍ଷ ହେବ ବିଧବା ହୋଇ ସରକାରୀ ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଆଶା ଛାଡ଼ିଦେଲେଣି।ଦେବା ବେଉରା ଓ ପୁଷ୍ପା ବସାରି ୩ବର୍ଷ ହେବ ବିଧବା, ଏହିଭଳି ମହିଳାମାନେ ଭତ୍ତା ନ ପାଇବା ଅତ୍ୟନ୍ତ ହୃଦୟସ୍ପର୍ଶୀ।ୱାର୍ଡ ସଭ୍ୟ ଡମ୍ବୁରୁ କିମା ପ୍ରକାଶ କରିଛନ୍ତି ଯେ,ସବୁ କାଗଜପତ୍ର ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି, ମାତ୍ର କାହିଁକି ହୋଇପାରିନି,ତାଙ୍କୁ ହିଁ ଜଣା।ଏହିଭଳି ନିରାଶ୍ରୟା ମହିଳାଙ୍କୁ ଭତ୍ତା ମିଳିବା ନିହାତି ଦରକାର ବୋଲି ଗ୍ରାମବାସୀ କହିଛନ୍ତି।

ଆନ୍ଧ୍ର -ଓଡିଶା ବଂଶଧାରା ନଦୀ ଜଳ ବିବାଦ; ବଂଶଧାରା ନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଦାବି…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ୨୦୦୬ ମସିହାରୁ ଲାଗି ରହିଥିବା ଅନ୍ଧ୍ର-ଓଡିଶା ବଂଶଧାରା ନଦୀ ଜଳ ବିବାଦ କୁ ମାନ୍ୟବର ସୁପ୍ରିମକୋର୍ଟ ର ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ କୁ ସବୁଜ ସଙ୍କେତ ଦେବା ପରେ ଏହାକୁ ନେଇ ଓଡିଶା ସରକାର ଙ୍କ କିଛି ପ୍ରତିକ୍ରିୟା ନଥିଲେ ହେଁ ଏହାକୁ ଗୁଣପୁର ସହର ବାସୀ ସହଜ ରେ ହଜମ କରିପାରୁ ନାହାନ୍ତି । ଏହାକୁ ନେଇ ଆଜି ଗୁଣପୁର ସହର ବାସୀ ଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଭେଙ୍କେଟେଶ୍ୱର ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ନବ ନିର୍ମାଣ ସମିତି ର ଅଧ୍ୟକ୍ଷ ଅକ୍ଷୟ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବଂଶଧାରା ନଦୀ ଅବବହିକା ସୁରକ୍ଷା ସମିତି ର ଦୀର୍ଘ ଦିନ ଧରି ଦାବୀ କରିଆସୁଥିବା କୌଣସି ଦାବି ସରକାର ପୂରଣ କରିନଥିବା ବିଶେଷ କରି ବଂଶଧାରା ନଦୀ କୁ ରାଜ୍ୟ ସରକାର ସଦବିନିଯୋଗ ଜରିନଥିବା ରୁ ଏହି ଅଂଚଳର କୃଷି ଓ କୃଷକ ଙ୍କ ବିକାଶ ହୋଇ ପାରୁନାହିଁ ତେଣୁ ତୁରନ୍ତ ଟ୍ରିବ୍ୟୁନାଲ ଦେଇଥିବା ରାୟ କୁ ସମ୍ମାନ ଜଣାଇ ବଂଶଧାରା ନଦୀ ଜଳ ର ସଦ ବିନିଯୋଗ କରିବା ପାଇଁ ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ ଜରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦେବାକୁ ବୈଠକରେ ନିଷ୍ପତ୍ତି ହେବା ସହ ଏହି ଦାବି ପତ୍ର ଦେବା ପରେ ଯଦି ସରକାର କିଛି ନିର୍ଯାସ ନ କାଡନ୍ତି ତେବେ ପରବର୍ତ୍ତୀ ସମୟରେ ଆନ୍ଦୋଳନ କରାଯିବ ନେଇ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ଦାବିପତ୍ର ଗୁଣପୁର ଓକିଲ ସଂଘକୁ ପ୍ରସ୍ତୁତ କରିବ ଓଏହାକୁ ସହରବାସୀ ଙ୍କ ପକ୍ଷରୁ ଆସନ୍ତା ସୋମବାର ଦିନ ଉପ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନବ ନିର୍ମାଣ ସମିତି ର ସମ୍ପାଦକ ରଂଜୀତ ପାଢ଼ୀ ଙ୍କ ଆବାହକ ତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ସଭାପତି ଉମା ଶଙ୍କର ଦାସ ବୈଠକ ର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଓକିଲ ସଂଘ ର ସଭାପତି ବରିଷ୍ଠ ଓକିଲ ଡ଼ି:ବ୍ରହ୍ମା ନନ୍ଦ ପଟ୍ଟନାୟକ ,ଉମା ପଟ୍ଟନାୟକ ,ପୂର୍ବତନ ନଗରପାଳ ଶିବ ପ୍ରସାଦ ଗୌଡ଼ ,କଂଗ୍ରେସ ନେତା ଏସ:ବାବା ପ୍ରସାଦ ,ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡା , ବିଜେଡି ର ଯୁବ ନେତା ମୁନା ପାଣି ସମେତ ବହୁ ଯୁବକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।ଏଠାରେ ଉଲେଖ ଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ରର ଏହି ନେରେଡି ପ୍ରକଳ୍ପ କୁ ବିରୋଧ କରି ଗୁଣପୁର ବସି ପୂର୍ବଦିନ ଗୁଡିକ ରେ ବହୁ ବାର ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଗୁଡ଼ାରି ରେ ପାଣି ଡଙ୍ଗର ମୀନା ଝୋଲା ରେ ଋଷିକୂଲ୍ୟା -ବଂଶଧାରା ନଦୀ ସଂଯୋଗୀକରଣ ଯୋଜନ ରେ ସାମିଲ କରି ଏକ ସର୍ଭେ ଉପଖଣ୍ଡ କାର୍ଯ୍ୟାଳୟକୁ ବିଜେଡି ସରକାର ର ରବି ନାରାୟଣ ନନ୍ଦ ଜଳସେଚନ ବିଭାଗର ମନ୍ତ୍ରୀ ଥିବା ବେଳେ ଉଦ୍ଘାଟନ କରିଥିଲେ ।ତେବେ ତାହାସବୁ କାହିଁକି ଓ କୁଆଡେ ଗଲା ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

ଆଜିଠାରୁ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାରେ ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ , ସାରା ବିଶ୍ବ ତଥା ଭାରତ ବର୍ଷରେ କରୋନା ମହାମାରୀର ଭୟାବହତାକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୧ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ ସମୟ ଧରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପ୍ରଭୃତି କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଉଭୟ ଜୀବନ-ଜୀବିକାକୁ ନେଇ ବହୁଳ ଭାବେ ବିଭିନ୍ନ ସମୟରେ ତର୍କ-ବିତର୍କ ହୋଇ ଭାରତ ତଥା ଓଡିଶାର ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣର ବୃଦ୍ଧି ଉପରେ ମୁକାବିଲା କରି ଏଥିରେ ରୋକ ଲଗାଇବା ପାଇଁ ବସ୍ ଓ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି । ଏହା ହେବା ଦ୍ୱାରା ବହୁ ବ୍ୟକ୍ତି ବିଶେଷ ଗମନା ଗମନର ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୨୦୨୦ ମସିହାରେ ଜୁଲାଇ ମାସ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପରେ କରୋନାର ପ୍ରାଦୁର୍ଭାବ କିଛିଟା କମିଯିବା ଫଳରେ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମର ନିର୍ଦ୍ଦେଶାବଳୀ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ କରିଥିଲା । ଚଳିତବର୍ଷ ଦେଖା ଦେଇଥିବା କରୋନା ମହାମାରୀର ଦ୍ଵିତୀୟ ଲହରରେ ମଇ ମାସ ୫ ତାରିଖ ଠାରୁ ମଇ-୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକ୍ ଡାଉନ୍ , ପୁଣି ମଇ ମାସ ୨୦ ତାରିଖରୁ ମଇ-୩୧ ତାରିଖ ପର୍ଯ୍ୟନ୍ତ ୨ୟ ଲକ୍ ଡାଉନ୍ ଓ ଜୁନ ମାସ ୧ ତାରିଖରୁ ଜୁନ-୧୬ ତାରିଖ ପର୍ଯ୍ୟନ୍ତ ୩ୟ ଲକ୍ ଡାଉନ୍ ଏବଂ ଜୁନ-୧୭ ତାରିଖ ଠାରୁ ଜୁନ-୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି । ଏମିତିକି , ଏହାର ପ୍ରଥମ ଲକ୍ ଡାଉନ୍ ଅର୍ଥାତ ମଇ-୫ ତାରିଖ ଠାରୁ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ନୌପଡା-ଗୁଣୁପୁର ରେଳପଥ ଅନ୍ତର୍ଗତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଦେଇ ସମୁଦାୟ ୪ ଯୋଡ଼ା ଟ୍ରେନ ଯଥା:- ରାଉରକେଲା-ଗୁଣୁପୁର , ପୁରୀ-ଗୁଣୁପୁର , ବିଶାଖାପାଟଣା-ଗୁଣୁପୁର ଓ ପଲାସା-ଗୁଣୁପୁର ଟ୍ରେନ ସବୁ ଚଳାଚଳ କରୁଥିଲା । ମହାମାରୀ କରୋନାର କୋଭିଡ୍ ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ସେହି ପ୍ରକାରେ ରେଳ ବିଭାଗ ପକ୍ଷରୁ ପ୍ରଥମେ ଗୁଣୁପୁର-ବିଶାଖାପାଟଣା ଓ ପରେ ପୁରୀ-ଗୁଣୁପୁର ଟ୍ରେନକୁ ଚଳାଚଳ କରାଇଥିଲେ । କିନ୍ତୁ ରାଉରକେଲା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ଦୁଇ ଟ୍ରେନର ଚଳାଚଳକୁ ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ପରେ ଅଞ୍ଚଳବାସୀଙ୍କ ବାରମ୍ବାର ଟ୍ରେନ ଚଳାଚଳ କରାଯିବାକୁ ଦାବୀ କରାଯିବା ଫଳରେ ବିଳମ୍ବରେ ହେଲେ ମଧ୍ୟ ଚଳିତ ମାସର ଆସନ୍ତା(ଜୁନ)୨୭ ତାରିଖ ଠାରୁ ଏହି ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ ୨୭ ତାରିଖ ଦିନ ଚଳାଚଳ କରିବାକୁ ଥିବା ଏହି ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନର ସମସ୍ତ ଟିକଟ ଅନଲାଇନରେ ହିଁ ମିଳିପାରିବ । ଏହି କୋଭିଡ୍ ସ୍ପେସିଆଲ ଟ୍ରେନ ସପ୍ତାହକୁ ୩ ଦିନ ଅର୍ଥାତ ରାଉରକେଲାରୁ (୧)-ରବିବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ସୋମବାର ମଧ୍ୟାହ୍ନରେ (୨) ରାଉରକେଲାରୁ ମଙ୍ଗଳବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ବୁଧବାର ମଧ୍ୟାହ୍ନରେ ଏବଂ (୩)-ରାଉରକେଲାରୁ ଗୁରୁବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ଶୁକ୍ରବାର ମଧ୍ୟାହ୍ନରେ ପହଞ୍ଚିବ । ଏହି ଟ୍ରେନ ମୁଖ୍ୟତଃ ସପ୍ତାହକୁ ମାତ୍ର ୩ ଦିନ ଚଳାଚଳ କରିବାକୁ ଥିବା ବେଳେ ଏହା ୩ ଦିନ ଯାକ ରାଉରକେଲାରୁ ରାତି ୯-୫୦ ଘଣ୍ଟା ସମୟରେ ବାହାରି ତା ପରଦିନ ଅର୍ଥାତ ସୋମବାର ସକାଳ ୬ଟାରେ ଭୁବନେଶ୍ୱର , ସକାଳ ୮-୨୯ରେ ବ୍ରହ୍ମପୁର , ପୂର୍ବାହ୍ନ ୧୧-୫୩ରେ ପାରଳାଖେମୁଣ୍ଡି ଏବଂ ମଧ୍ୟାହ୍ନ ୧-୫୫ ରେ ଗୁଣୁପୁର ଠାରେ ପହଞ୍ଚିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି । କରୋନା ମହାମାରୀ ସମୟରେ ଏହି ନୌପଡା-ଗୁଣୁପୁର ରେଳପଥରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ପୁଣି ଆସନ୍ତା ଏହି ଜୁନ-୨୭ରେ ଏହି ରେଳପଥର ରାଉରକେଲା-ଗୁଣୁପୁର ଟ୍ରେନ ଚଳାଚଳ କରିବା ଦ୍ୱାରା ଗମନାଗମନ ବିହୀନ ଏହି ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ଆଦିବାସୀ ବହୁଳ ଗଜପତି ଓ ରାୟଗଡା ଜିଲ୍ଲାବାସୀ କିଛି ମାତ୍ରାରେ ଏହାଦ୍ୱାରା ବେଶ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା ; ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିରେ ଏଭଳି ନିଆରା ଦେବସ୍ନାନ ଯାତ୍ରା ଯୁଗ-ଯୁଗରୁ ଅନୁଷ୍ଠିତ ହୋଇ ଆସୁଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିର ପାଦ-ଦେଶରେ ଥିବା ଆଦିବାସୀ ବହୁଳ ଦୁର୍ଗମ ଭରା ଖମାରୀ ସାହି ଗ୍ରାମରେ । ଗ୍ରାମରେ ତଥା ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ଥିବା ପାହାଡ଼ ଉପରେ ଥିବା ଏକ ବିରାଟକାୟ ଜିଡ଼ ବଟବୃକ୍ଷ ତଳେ କେଉଁ ଯୁଗ ଯୁଗରୁ ଶବର ଆଦିବାସୀ ମାନଙ୍କ ଦ୍ୱାରା ପୂଜା ପାଇ ଆସୁଅଛନ୍ତି ପାଷାଣ ଜଗନ୍ନାଥ । ସେଠାରେ ତାଙ୍କର ପୂଜାର୍ଚ୍ଚନା ସହ ଦେବସ୍ନାନ ଯାତ୍ରା ନିଆରା ଢଙ୍ଗରେ ସମ୍ପନ୍ନ ହୋଇଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶବର ଆଦିବାସୀ ମାନେ ନୂଆ ପୋଷାକ ପରିଧାନ କରି ସଂକୀର୍ତ୍ତନ ମଣ୍ଡଳୀ ସହ ବାଜା-ଢ଼ାମ୍ପ , ଘଣ୍ଟ ଗିନୀ ବଜାଇ ପ୍ରଥମେ ପାଷାଣ ଜଗନ୍ନାଥ ଥିବା ପାହାଡ଼ ଉପରକୁ ଯାଇ ସେଠାରେ ପାଷାଣ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ବେଳେ ତିନି ଠାକୁରଙ୍କୁ ବନ୍ୟଜାତ ଫଳ ଯଥା:- ପଣସ , ଆମ୍ବ , ସପୁରୀ , ଖଜରା , କଦଳୀ ସହ ବିଭିନ୍ନ ପ୍ରକାରର ଔଷଧୀୟ ଡାଳ-ଚେର ପ୍ରଭୃତି ଦେଇ ରଖି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ । ତା’ ପରେ ସେଠାରେ ଥିବା ଶ୍ରୀମନ୍ଦିରକୁ ଯାଇ ଦାରୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ପରେ ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ଠାରେ ଥିବା ଦେବସ୍ନାନ ମଣ୍ଡପକୁ ଦାରୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଶବର ଆଦିବାସୀ ମହିଳା ମାନେ ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀକୁ ଯାଇ ସେଠାରୁ ୧୦୮ କାଳସୀରେ ଜଳ ଆଣି ଗ୍ରାମ ପରିକ୍ରମା କରି ପରେ ପାହାଡ଼ ଉପରକୁ ଯାଇ ସେଠାରେ ଥିବା ତିନି ଠାକୁରଙ୍କ ଜଳାଭିଷେକ ତଥା ସ୍ନାନ କରିଥିଲେ । ସ୍ନାନ ପରେ ମହିଳା ଓ ଅନ୍ୟମାନେ ପାରମ୍ପରିକ ନାଚରେ ମସଗୁଲ ହୋଇ ପଡ଼ିଥିଲେ । ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀବାବା ତଥା ସନ୍ଥ ସରସ୍ୱତୀ ଭାସ୍କର ତୀର୍ଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପୂଜକ ଦ୍ବୟ କୌଶିକ ଶବର ଓ ଭାସ୍କର ଶବରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ପାଷାଣ ଜଗନ୍ନାଥଙ୍କ ପୂଜା ପରମ୍ପରା ପ୍ରକାରେ ଜଣାଯାଏ ଯେ , ପ୍ରାୟ ୧ ହଜାର ବର୍ଷ ପୂର୍ବେ ବିଶ୍ୱାବସୁ ଶବର , ନୀଳ ମାଧବଙ୍କୁ ନୀଳ କନ୍ଦରରେ ପୂଜାର୍ଚ୍ଚନା କରିବା ସମୟରେ ଶବର ମାନେ ପଥର ଜଗନ୍ନାଥଙ୍କୁ ପୂଜା କରି ଆସୁଥିଲେ ।ତା’ପରେ ଦାରୁବ୍ରହ୍ମ , ପୁରୀ ଶ୍ରୀମନ୍ଦିରକୁ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରୁ ଦାରୁ ରୂପେ ସ୍ୱତଃ ଯାଇଥିଲେ ଏବଂ ଶ୍ରୀମନ୍ଦିରରେ ୩ଟି ଦାରୁ ବିଗ୍ରହ ହୋଇ ପୂଜା ପାଇଲେ । ସେହି ସମୟରୁ ଏହି ମହେନ୍ଦ୍ରଗିରି ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ୩ଟି ପଥରର ପୂଜା ପରମ୍ପରା ଚାଲି ଆସୁଥିବା ଜଣାଯାଏ । ଅନ୍ୟ ପକ୍ଷରେ ଏହି ପୂଜା ପରମ୍ପରା ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଏହି ଦିନରେ ଶବର ମହିଳା ମାନେ ଶ୍ରୀଜଗନ୍ନାଥଙ୍କୁ ପ୍ରତ୍ୟହ ଶ୍ରୀଗୁଣ୍ଡିଚା ରଥଯାତ୍ରା ପର୍ଯ୍ୟନ୍ତ ବନ୍ୟଜାତ ଦ୍ରବ୍ୟ ଫଳ ,ଫୁଲ ଓ ଔଷଧୀୟ ଡାଳ ମୂଳ ଫଳ ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି । ପରେ ସେହି ସବୁ ଭୋଗ ହେବାପରେ ପ୍ରାସାଦ ଭାବେ ତାହାକୁ ଖାଉଛନ୍ତି ।
ଏହି ପରମ୍ପରା ବହୁ ଯୁଗରୁ ଏ ଅଞ୍ଚଳରେ ଚାଲି ଆସୁଛି ବୋଲି ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀ ବାବା ତଥା ସରସ୍ୱତୀ ଭାସ୍କରତୀର୍ଥ କହିଛନ୍ତି ।