୫ ରାଜ୍ୟର ନିର୍ବାଚନ ପାଇଁ ବିଜେପିର ମାନସମନ୍ଥନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତାବର୍ଷ ଆରମ୍ଭରୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ଏଥିପାଇଁ ଆଜି ଦଳର ମୁଖ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠରେ ସ୍ୱରାଷ୍ଟ୍ର ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ, କରିଣ ରିଜ୍ଜିଜୁ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟେଲ ଓ ସ୍ମୃତି ଇରାନୀଙ୍କ ସହ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତାମାନେ ବୈଠକରେ ସାମିଲ ହୋଇଥିଲେ। ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ହିଁ ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିଥିଲା ବୋଲି ଜଣେ ନେତା କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହି ୫ ରାଜ୍ୟ ମଧ୍ୟରୁ କେବଳ ପଞ୍ଜାବକୁ ଛାଡ଼ି ବିଜେପି ସବୁ ସ୍ଥାନରେ କ୍ଷମତାରେ ରହିଛି। ତେଣୁ କ୍ଷମତା ବଜାୟୀ ରଖିବା ପାଇଁ କ’ଣ ସବୁ କରିବାକୁ ହେବ, ତା’ ଉପରେ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି। ବିଶେଷ କରି ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ପ୍ରଶମିତ କରି କେମିତି ଭୋଟ ବ୍ୟାଙ୍କ ତିଆରି କରାଯିବ, ସେ ବିଷୟରେ ମାନସମନ୍ଥନ କରାଯାଇଛି।

 

‘ପ୍ରତିଟି ଭାରତୀୟଙ୍କ ଦ୍ୱାରା ଓ ଭାରତୀୟଙ୍କ ପାଇଁ ଅଯୋଧ୍ୟା ସହର’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶରେ ଥିବା ଅଯୋଧ୍ୟାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଅଯୋଧ୍ୟା ଆମ ସଂସ୍କୃତିର ସବୁଠାରୁ ଭଲ ଓ ବିକାଶର ଶ୍ରେଷ୍ଠ ସହର ଭାବେ ପରିଚୟ ଲାଭ କରିବ। ଏଥିସହ ଅଯୋଧ୍ୟା ପ୍ରତିଟି ଭାରତୀୟଙ୍କ ପାଇଁ ଓ ଭାରତୀୟଙ୍କ ଦ୍ୱାରା ଗଠିତ ହୋଇଥିବା ସହର ବୋଲି ମୋଦି ଏହି ସମୟରେ କହିଛନ୍ତି। ଏହି ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟ ମୋଦିଙ୍କ ଆଗରେ ଉପସ୍ଥାପନ କରିଥିଲେ। ଉନ୍ନିତ ରାସ୍ତା, ଭିତ୍ତିଭୂମି, ରେଳ ଲାଇନ ଓ ଗୋଟିଏ ଏୟାରପୋର୍ଟ ଅଯୋଧ୍ୟାରେ ତିଆରି ହେବ ବୋଲି ଯୋଜନା ହୋଇଥିବା ସେ କହିଥିଲେ। ମୋଦି ଏହି ସମୟରେ କହିଛନ୍ତି, ଅଯୋଧ୍ୟା ସହ ପ୍ରତିଟି ଭାରତୀୟଙ୍କ ସଂସ୍କୃତି ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ଅଯୋଧ୍ୟା ଗୋଟିଏ ଧାର୍ମିକ ସ୍ଥଳ। ଏଠାରେ ଭିତ୍ତିଭୂମିର ବିକାଶ ଏମିତି ହେବା ଦରକାର ଯାହା ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସହ ସମସ୍ତଙ୍କୁ ଲାଭ ଦେଉଥିବ। ଦୂର ଭବିଷ୍ୟତ ପର୍ଯ୍ୟନ୍ତ ଅଯୋଧ୍ୟାର ବିକାଶ କାମ ଅବ୍ୟାହତ ରହିବ। ଅଯୋଧ୍ୟା ହେଉଛି ପ୍ରତିଟି ଭାରତୀୟଙ୍କ ପାଇଁ ଓ ଭାରତୀୟଙ୍କ ସହର ବୋଲି ସେ କହିଛନ୍ତି। ମୋଦି ଓ ଯୋଗୀଙ୍କ ବ୍ୟତୀତ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ମୋଟ ୧୩ ଜଣ ସଦସ୍ୟ ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ୧୨୦୦ ଏକର ବୈଦିକ ସହର ଓ ୮୪ କୋସ ପରିକ୍ରମା ରାସ୍ତାର ବିକାଶ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା କରାଯାଇଛି। ୮୪ କୋସ ପରିକ୍ରମା ହେଉଛି ୩୦୦ କିମି ରାସ୍ତା। ଏହି ରାସ୍ତାରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲିଚାଲି ପ୍ରଭୁ କୃଷ୍ଣଙ୍କ ସହ ଜଡ଼ିତ ତୀର୍ଥ ସ୍ଥାନକୁ ଯାଇଥାଆନ୍ତି। ଅଯୋଧ୍ୟାର ବିକାଶ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟକୁ କିଛି ପ୍ରଖ୍ୟାତ ସନ୍ଥଙ୍କ ସହ ୫ ହଜାର ଲୋକଙ୍କ ମତାମତକୁ ନେଇ ପ୍ରସ୍ତୁତ କରାଯାଇଛି। ଅଯୋଧ୍ୟାରେ ନିଯୁକ୍ତି, ସ୍ଥାନୀୟ ଦ୍ରବ୍ୟର ବ୍ରାଣ୍ଡିଂ ଓ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ପ୍ରସାର ଏହି ଭିଜନ ଡକ୍ୟୁମେଣ୍ଟର ଅଂଶବିଶେଷ ରହିଛି। ଏହାବାଦ ଅଯୋଧ୍ୟାର ସର୍ବାଙ୍ଗିନ ବିକାଶ କରିବାକୁ ଭିଜନ ଡକ୍ୟୁମେଣ୍ଟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ଜୋରଦାର ହେବ ଚାଷୀଙ୍କ ଆନ୍ଦୋଳନ, ବିଶାଳ ଟ୍ରାକ୍ଟର ରାଲି ପାଇଁ ଦେଲେ ଡାକରା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ କରୁଥିବା ଆନ୍ଦୋଳନ ଆହୁରି ଜୋରଦାର ହେବ। ଆଜି ଚାଷୀମାନେ କରୁଥିବା ଆନ୍ଦୋଳନକୁ ୭ ମାସ ପୂରିଛି। ଏହି ଅବସରରେ ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ବଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ନିଜର ହକ ପାଇଁ ଚାଷୀମାନେ ଆସନ୍ତାମାସରେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଦୁଇଟି ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ସେ କହିଛନ୍ତି। ଦିଲ୍ଲୀର ଗାଜିପୁର ସୀମାନ୍ତରେ ବିକ୍ଷୋଭ କରୁଥିବା ଚାଷୀଙ୍କ ନେତୃତ୍ୱ ନେଉଥିବା ଟିକାୟତ କହିଛନ୍ତି, ଆଜିର ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୯ରେ ଉତ୍ତର ପ୍ରଦେଶର ଶାମଲିରୁ ଗୋଟିଏ ଦଫାରେ ଶତାଧିକ ଚାଷୀ ସିଙ୍ଘୁ ସୀମାକୁ ଆସିବେ। ଏହାପରେ ସମାନ ଧରଣର ଟ୍ରାକ୍ଟର ରାଲିରେ ଚାଷୀମାନେ ବିଜନୋରରୁ ବାହାରି ମୀରଟ ଦେଇ ଗାଜିପୁର ସୀମାରେ ପହଞ୍ଚିବେ। ଦିଲ୍ଲୀ ଅଭିମୁଖେ ୪ ଲକ୍ଷ ଟ୍ରାକ୍ଟର ଓ ୨୫ ଲକ୍ଷ ଚାଷୀ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଶତାଧିକ ଚାଷୀମାନେ ଶୋଭାଯାତ୍ରାରେ ଯାଇ ରାଜଭବନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି ବୋଲି ସେ କହିଛନ୍ତି। ଆଜି ଉତ୍ତର ପ୍ରଦେଶ ଓ ହରିଆଣା ସୀମାରେ ଚାଷୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକ ରଖିଥିବା ଖବର ମିଳିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

 

ପାୱାରଙ୍କ ସହ ସ୍ୱର ମିଳାଇଲେ ସଞ୍ଜୟ ରାଉତ, କଂଗ୍ରେସ ସମ୍ପର୍କରେ ଦେଲେ ଏମିତି ବୟାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଶରଦ ପାୱାରଙ୍କ ପରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି। ଜାତୀୟ ସ୍ତରରେ ସମସ୍ତ ବିରୋଧୀଙ୍କୁ ଏକାଠି କରାଯାଉଛି। ତେବେ କଂଗ୍ରେସ ବିନା ବିରୋଧୀଙ୍କ ଏହି ମେଣ୍ଟ ଅସଂପୂର୍ଣ୍ଣ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ଶକ୍ତିଶାଳୀ ବିକଳ୍ପ କଂଗ୍ରେସ ଯୋଗାଇ ପାରିବ। ଏହି ବରୋଧୀଙ୍କ ମେଣ୍ଟରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ ଶ୍ରୀ ରାଉତ ଆଜି କହିଛନ୍ତି। ୪ ଦିନ ତଳେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଘରେ ଟିଏମସି, ସପା, ଆପ, ଆରଏଲଡି ଓ ବାମପନ୍ଥୀ ଭଳି ୮ଟି ବିରୋଧୀ ଦଳର ନେତାମାନେ ବୈଠକ କରିଥିଲେ। ସେମାନେ ଦେଶରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ କଂଗ୍ରେସ ଯୋଗ ଦେଇ ନଥିବାରୁ ବିରୋଧୀଙ୍କ ଏହି ମେଣ୍ଟକୁ ତୃତୀୟ ସାମ୍ମୁଖ୍ୟ ଭାବେ ବିଶେଷଜ୍ଞମାନେ ଦେଖିଥିଲେ। ଏସବୁ ଭିତରେ ସଞ୍ଜୟ ରାଉତ ଏପରି ବୟାନ ଦେଇଛନ୍ତି। ଗତକାଲି ଶରଦ ପାୱାର ମଧ୍ୟ କଂଗ୍ରେସକୁ ବାଦ୍‌ ଦେଇ କୌଣସି ବିକଳ୍ପ ମେଣ୍ଟ କଥା ଚିନ୍ତା କରାଯାଇ ପାରିବ ନାହିଁ ବୋଲି କହିଥିଲେ। ସଞ୍ଜୟ ରାଉତ ଆଜି କହିଛନ୍ତି, କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା ଅନ୍ୟ କୌଣସି ଫ୍ରଣ୍ଟର ଆବଶ୍ୟକ ନାହିଁ। ଶରଦ ପାୱାର ଏକଥା ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି। ଶିବସେନା ମଧ୍ୟ ଦଳୀୟ ମୁଖପତ୍ର ସାମ୍ନାରେ ସମାନ କଥା କହି ସାରିଛି। ମୁଁ ମଧ୍ୟ ଜାଣିବାକୁ ପାଇଛି ଯେ କଂଗ୍ରେସ ବି ଏଥିରେ ଏକମତ ହୋଇଛି। ବିରୋଧୀଙ୍କ ମେଣ୍ଟରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ସ୍ଥିତିରେ ଏହା ଏକ ଶକ୍ତିଶାଳୀ ବିକଳ୍ପ ହେବ। ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଏବେ ପ୍ରୟାସ ଚାଲିଛି। କଂଗ୍ରେସ ଏହି ମେଣ୍ଟରେ ସାମିଲ ନ ହେବା ଯାଏ ଏହା ଅସଂପୂର୍ଣ୍ଣ ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।

ଜୁଲାଇ ୫ ଯାଏ ଦୁର୍ବଳ ରହିବ ମୌସୁମୀ, ଏହାପରେ ପ୍ରବଳ ବର୍ଷା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଧାର୍ଯ୍ୟ ସମୟର ଗୋଟିଏ ଦିନ ଆଗରୁ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଆଶା ଅନୁଯାୟୀ ମୌସୁମୀ ବର୍ଷା ହେଉନାହିଁ। ଏହି କାରଣରୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। କାରଣ ସେମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଅମଳ ଆରମ୍ଭ କରିଥିଲେ। ବର୍ଷା ଅଭାବରୁ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଏପରି ଦୁର୍ବଳ ଅବସ୍ଥା ଜୁଲାଇ ୫ ତାରିଖ ଯାଏ ଦେଖିବାକୁ ମିଳିବ। ଏହାପରେ ମୌସୁମୀ ସକ୍ରିୟ ହେବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ କହିଛନ୍ତି, ମୌସୁମୀର ଦୁର୍ବଳ ହେବା ପ୍ରକ୍ରିୟା ଜୁନ୍‌ ୨୧ରୁ ଆରମ୍ଭ ହୋଇଥିଲା। ଏହା ଜୁନ୍‌ ୨୯ରୁ ଆହୁରି ଦୁର୍ବଳ ହେବ। ସେହିପରି ଜୁଲାଇ ୫ ଯାଏ ଏପରି ଅବସ୍ଥା ଲାଗି ରହିବ। ଏହାପରେ ଏହା ସକ୍ରିୟ ହୋଇ ଆଗକୁ ବଢ଼ିବ ବୋଲି ସେମାନେ କହିଛନ୍ତି। ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ଭଲ ବର୍ଷା ଦେଖିବାକୁ ମିଳିଥିଲା। ପଶ୍ଚିମ ଉପକୂଳରୁ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମୌସୁମୀ ଏତେ ଜୋରରେ ସକ୍ରିୟ ହୋଇ ଆଗକୁ ବଢ଼ୁଥିଲା ଯେ କିଛି ସପ୍ତାହ ତଳେ ପାଣିପାଗ ବିଭାଗ ଆକଳନ କରିଥିଲା ଯେ ଜୁନ୍‌ ୧୫ ସୁଦ୍ଧା ଏହା ଦିଲ୍ଲୀରେ ପହଞ୍ଚି ଯିବ। କିନ୍ତୁ କିଛି ଆଭ୍ୟନ୍ତରୀଣ ଋତୁକାଳୀନ କାରଣ ଯୋଗୁ ମୌସୁମୀ ଦୁର୍ବଳ ହୋଇଯାଇଛି। ଜୁନ୍‌ ୨୧ ଯାଏ ମୌସୁମୀ କେନ୍ଦ୍ରୀୟ ଓ ପୂର୍ବ ଭାଗରେ ସକ୍ରିୟ ରହିଥିଲା। ଦକ୍ଷିଣ ଭାରତର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିଲା। ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକାର କିଛି ଅଂଶରେ ସୋମବାର ଯାଏ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ମୌସୁମୀ ଗୋଟିଏ ସପ୍ତାହ ପାଇଁ ପୂରା ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି। ବିଭାଗର ବରିଷ୍ଠ ପାଣିପାଗ ବିଜ୍ଞାନୀ ଆରକେ ଜେନାମଣି କହିଛନ୍ତି, ସାଧାରଣତଃ ମୌସୁମୀ ଯେତେବେଳେ ଆରବ ସାଗରରୁ ଆସେ ଏହା ତରଙ୍ଗ ଆକାରରେ ଆଗକୁ ବଢ଼ିଥାଏ। ଏହାପରେ ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚିଥାଏ। ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ମୌସୁମୀକୁ ଆଗକୁ ନେବାରେ ସହାୟକ ହୁଏ। ଉତ୍ତର-ପଶ୍ଚିମ ଦିଗକୁ ଏହି ଲଘୁଚାପ ମୌସୁମୀକୁ ଠେଲି ଥାଏ। ଏଥର ସେଠାରେ ପୂର୍ବରୁ ପବନ ବହିଥିଲା। କିନ୍ତୁ ଏହା ଶକ୍ତିଶାଳୀ ନଥିବାରୁ ମୌସୁମୀ ଉତ୍ତର-ପଶ୍ଚିମ ଅଂଶରେ ପହଞ୍ଚି ପାରି ନଥିଲା। ତଥାପି ଏହାର ପ୍ରଭାବରେ ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବର୍ଷା କରିବାରେ ସହାୟକ କରିଥିଲା। ଗ୍ରୀଷ୍ମ ଋତୁରେ ସାଧାରଣତଃ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାସେନ୍ସ ବା ପଶ୍ଚିମା ବିଚଳନ ନଥାଏ କିମ୍ବା ବହୁତ କମ ପରିମାଣର ଦେଖାଯାଏ, ଯାହା ମୌସୁମୀକୁ ଆଗକୁ ନେବାରେ ସହଯୋଗ କରିଥାଏ। ଏହି ପ୍ରକ୍ରିୟାଗୁଡ଼ିକ ମୌସୁମୀକୁ ଗତିଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି। ଜୁନ୍‌ ୨୯ରୁ ଏହି ପ୍ରକ୍ରିୟାଗୁଡ଼ିକ ଏକ ପ୍ରକାରର ବନ୍ଦ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏହାପରଠାରୁ ଅଧିକାଂଶ ଅଞ୍ଚଳରେ ବର୍ଷା ଦେଖିବାକୁ ନ ମିଳିପାରେ। ତେବେ ୫ ତାରିଖ ପରଠାରୁ ମୌସୁମୀ ସକ୍ରିୟ ହେବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା ସେ କହିଛନ୍ତି।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୭ ନୂଆ ମୁହଁ! ଓଡ଼ିଶାରୁ କିଏ ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଜମ୍ମୁ-କଶ୍ମୀରକୁ ନେଇ ସର୍ବଦଳୀୟ ବୈଠକ ଶେଷ ହେବା ପରେ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ବଦଳିବ ବୋଲି କୁହାଯାଉଛି। ସୂଚନା ଅନୁସାରେ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୨୭ ଜଣ ନୂଆ ମୁହଁ ସାମିଲ ହେବାର ସମ୍ଭାବନା ରହିଛି। ଏହି ୨୭ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନ ବୈଷ୍ଣବଙ୍କ ନାଁ ରହିଛି। ତାଙ୍କୁ ମୋଦିଙ୍କ କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସରୁ ବିଜେପିକୁ ଆମଦାନୀ ହୋଇ ରାଜ୍ୟସଭାକୁ ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ଏହାବାଦ ମନ୍ତ୍ରୀ ପଦ ପାଇବା ରେସ୍‌ରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି,  ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଓ ବରିଷ୍ଠ ନେତା ଭୁପେନ୍ଦର ଯାଦବ ରହିଛନ୍ତି। ବେଙ୍ଗଲ ନିର୍ବାଚନ ବେଳେ ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଥିବା ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ଦଳର ମୁଖପାତ୍ର ତଥା ସଂଖ୍ୟାଲଘୁ ଚେହେରା ସୟିଦ ଜାଫର ଇସଲାମ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ସେହିପରି ଆସାମରେ ଭଲ ପ୍ରଦର୍ଶନ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦ ପାଇ ନଥିବା ସର୍ବାନନ୍ଦ ସୋନୱାଲଙ୍କୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ସାଂସଦ ପ୍ରୀତମ ମୁଣ୍ଡେ ଓ ଗୋପିନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହା ବିଜେପି ପାଇଁ ଅଗ୍ନିପରୀକ୍ଷା ଭାବେ ଉଭା ହୋଇଛି। ତେଣୁ ଏହି ରାଜ୍ୟରୁ ଅନେକ ହେଭିୱେଟଙ୍କୁ ମୋଦିଙ୍କ କ୍ୟାବିନେଟ ଅଦଳବଦଳରେ ସୁଯୋଗ ମିଳିପାରେ।

ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନିଜର ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରାଜ୍ୟ ବିଜେପି ଆଜି ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଶାସକ ବିଜେଡି ନିଜର ସଂଗଠନକୁ କ୍ରିୟାଶୀଳ କରିବାକୁ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବାବେଳେ ରାଜ୍ୟ ବିଜେପି ୩ଟି ନୂଆ କମିଟି ଘୋଷଣା କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳର ୩ଟି ନୂଆ କମିଟି ଗଠନ କରିଛନ୍ତି। ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା ପାଇଁ ଏହି ରାଜ୍ୟ କମିଟି ସୃଷ୍ଟି କରାଯିବା ସହ ଏହାର ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ସହରାଂଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ ଓ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡ଼ା ଏବଂ ସୀମା ସୁରକ୍ଷା କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ମିଡିଆ ସେଲ୍ ପକ୍ଷରୁ ସୂଚନା ମିଳିଛି।
ଗାଁରେ ଆସୁନି ନେଟ୍‌ୱର୍କ, ମଞ୍ଚାରେ ଚାଲିଛି ଅନ୍‌ଲାଇନ୍‌ ୟୁଟ୍ୟୁବ୍‌ କ୍ଲାସ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୋହନା)- ଗାଁରେ ଆସୁନି ମୋବାଇଲ୍‌ ନେଟ୍‌ୱର୍କ। ତେଣୁ ମଞ୍ଚାରେ ଗଢ଼ା ହେଉଛି ଦେଶର ଭବିଷ୍ୟତ। ପିଲାମାନେ ନିଜ ହାତରେ ମଞ୍ଚା ବାନ୍ଧି ପଢ଼ୁଛନ୍ତି ଅନ୍‌ଲାଇନ୍‌  ପାଠ। ଗୋଟିଏ ସ୍ଥାନରେ ୧୦ଟି ଗାଁର ପିଲାମାନେ ପର୍ଯ୍ୟାୟ କ୍ରମେ ବସି ଅନ୍‌ଲାଇନ୍‌ରେ ୟୁଟ୍ୟୁବ୍‌ କ୍ଲାସ କରୁଛନ୍ତି। କରୋନା ବେଳେ ଏପରି ଚିତ୍ର ଗଜପତି ଜିଲ୍ଲାରୁ ଆସିଛି। ଆର. ଉଦୟଗିରି ବ୍ଲକର ମଙ୍ଗରାଜପୁର ପଞ୍ଚାୟତର ତରଳସିଂ ଗାଁ। ବଣ ଜଙ୍ଗଲ ଘେରା ଏହି ଗାଁକୁ ପାଉନି ମୋବାଇଲ୍‌ ନେଟୱର୍କ। ଲୋକେ କଥା ହେବା ପାଇଁ ଗାଁ ବାହାରକୁ ଯାଉଛନ୍ତି। ସେପରି ସ୍ଥିତିରେ ପିଲାମାନେ କେମିତି ଅନ୍‌ଲାଇନ୍‌ ୟୁଟ୍ୟୁବ୍‌ କ୍ଲାସ୍‌ କରିବେ? ସେହି  ଚିନ୍ତାରେ ଗାଁର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଲୋକଙ୍କ କହିବା ଅନୁସାରେ ଗାଁ ମୁଣ୍ଡରେ ଗୋଟିଏ ଜାଗାରେ ଆସୁଛି ନେଟ୍‌ୱର୍କ। ସେଥିପାଇଁ ପିଲାମାନେ ଜଙ୍ଗଲରୁ କାଠ ଓ ବାଉଁଶ ସଂଗ୍ରହ କରି ସେଠାରେ ବାନ୍ଧିଛନ୍ତି ଗୋଟିଏ ମଞ୍ଚା। ଉଚ୍ଚ ମଞ୍ଚାର ଆଗରେ ବାନ୍ଧିଛନ୍ତି ନେଟ୍‌। ସେହି ନେଟ୍‌ରେ ମୋବାଇଲ୍‌ ରଖି  ପିଲାମାନେ ଅନ୍‌ଲାଇନ୍‌ ପାଠ ପଢ଼ୁଛନ୍ତି। ଏଠି କେବଳ ତରଳସିଂ ଗାଁର ପିଲାମାନେ ପଢ଼ୁନାହାନ୍ତି, ଆଖପାଖ ୧୦ ଗାଁର ପିଲାମାନେ ପାଳି କରି ପଢ଼ୁଥିବା ଦେଖିବାକୁ ମିଳିଛି। ମଙ୍ଗରାଜପୁର ଓ ପଡ଼ୋଶୀ ପଞ୍ଚାୟତର ଗାଁ ତଥା- ମଙ୍ଗରାଜପୁର, ଲୋବା, ପୋକା, ତରାପଦା, ଗୋପାଳପୁର, ସର୍ଗିସାହି, ଜିରୁଡ଼ି ସାହି, ଥୁକା, ଶୁଭଲଡ଼ା ଓ ବାଲାଡି ଆଦି ଗାଁର ପିଲାମାନେ ପର୍ଯ୍ୟାୟକ୍ରମେ ଭାଡ଼ିରେ ବସି ପଢ଼ୁଛନ୍ତି ପାଠ। ଏପରି ଚିତ୍ର ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି। ମହାମାରୀ କରୋନା ପାଇଁ ପାଖାପାଖି ୨ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ଏପରି ସ୍ଥିତିରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଅନ୍‌ଲାଇନ୍‌ କ୍ଲାସ। ୟୁଟ୍ୟୁବ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ହେଉଛି କ୍ଲାସ। ହେଲେ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରେ ପିଲାଙ୍କ ପାଠ ପଢ଼ି ପାରୁ ନାହାନ୍ତି। ଅନ୍‌ଲାଇନ୍‌ କ୍ଲାସ ସମୟ ହେଲେ କେଉଁଠି ପିଲାମାନେ ପାହାଡ଼ ଚଢ଼ିଲେଣି ତ ଆଉ କେଉଁଠି ପାଣି ଟାଙ୍କି ଉପରେ ବସିଥିବା ଦେଖିବାକୁ ମିଳୁଛି। କରୋନା ମହାମାରୀ ଭିତରେ ଅନ୍‌ଲାଇନ୍‌କୁ ଏମିତି ଅନେକ ଚିତ୍ର ପ୍ରତିଦିନ ଆସୁଛି।

ଦଶମ ପରୀକ୍ଷାରେ ପାସ୍, କଲେଜ ଆଡମିଶନକୁ ନେଇ ଚିନ୍ତା…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦଶମ ରେଜଲ୍ଟକୁ ନେଇ ପିଲାଏ ଯେତିକି ଖୁସି ନୁହଁ, ତାଠୁ ବେଶୀ ଆଶଙ୍କା ଆଡମିଶନକୁ ନେଇ।  ପ୍ରତିବର୍ଷ ଯୁକ୍ତ ଦୁଇରେ ପ୍ରାୟ ଲକ୍ଷେ ସିଟ୍ ଖାଲି ପଡୁଥିବାବେଳେ ଚଳିତ ବର୍ଷ ପରିସ୍ଥିତି ଓଲଟା ହୋଇଛି।  ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜକୁ ମିଶାଇ ପ୍ରାୟ ୬ ଲକ୍ଷ ୩ ହଜାର ସିଟ୍ ରହିଛି । ତେବେ ପାସ୍ କରିଥିବା ୬ ଲକ୍ଷ ୧୭ ହଜାର ପିଲା ଏବଂ ସିବିଏସ୍ଇ, ଆଇସିଏସ୍ଇ ବୋର୍ଡର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୬ ଲକ୍ଷ ୨୮ ହଜାର ସିଟ୍ ଆବଶ୍ୟକ। ବିଶେଷ କରି ଉପାନ୍ତ ଅଞ୍ଚଳରେ ପାଖ କଲେଜରେ ସିଟ୍ ନମିଳିଲେ ଡ୍ରପ୍ ଆଉଟ୍ ହାର ବଢିପାରେ ବୋଲି ଆଶଙ୍କା ଉପୁଜିଲାଣି । ଏଭଳି ସ୍ଥିତିରେ ଆଞ୍ଚଳିକ ଭିତ୍ତିରେ ସିଟ୍ ବଢାଇବା ଏକମାତ୍ର ସମାଧାନ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍। ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ? ଭଲ କଲେଜରେ ସିଟ୍ ମିଳିବ ତ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ? ଏବେ ଏମିତି ଅନେକ ପ୍ରଶ୍ନ। ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମନରେ କାରଣ ହେଲା ଯୁକ୍ତ ଦୁଇ ସିଟ୍ ଅପେକ୍ଷା ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ। ଖାଲି ଯୁକ୍ତ ଦୁଇ ନୁହେଁ ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜରେ ଉପଲବ୍ଧ ଥିବା ବୃତ୍ତିଗତ ଶିକ୍ଷାର ସିଟକୁ ମିଶାଇଲେ ବି ସଂଖ୍ୟା ନିଅଣ୍ଟ ପଡୁଛି । ବିଶେଷ କରି ପଛୁଆ ଅଞ୍ଚଳର  ଛାତ୍ରଛାତ୍ରୀ ନିଜ କ୍ୟାରିୟରକୁ ନେଇ ଏବେଠାରୁ ସନ୍ଦୀହାନ ହୋଇପଡିଲେଣି। ଚଳିତ ବର୍ଷ ମାଟ୍ରିକ୍ରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର, ଏକ୍ସରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମୋଟ୍ ସଂଖ୍ୟା ହେଲା ୬ ଲକ୍ଷ ୧୭ ହଜାର ୮୭୬ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଆଡମିଶନ ନେଇଥାନ୍ତି। ମୋଟାମୋଟି ଭାବେ ୬ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ଆଡମିଶନ ଲାଗି ଚଳିତ ବର୍ଷ ଯୋଗ୍ୟ ହେବେ। ସେପଟେ ଉପଲବ୍ଧ ଥିବା ମୋଟ୍ ସିଟ୍ ସଂଖ୍ୟା ହେଲା ୬ ଲକ୍ଷ ୩ହଜାର ୧୧୩ । ଅର୍ଥାତ ୨୪ ହଜାର ୭୬୩ ପିଲା ସିଟ୍ ତୁଳନାରେ ବଳକା ରହୁଛନ୍ତି । ରାଜ୍ୟରେ ଥିବା ୨୦୩୨ଟି ଯୁକ୍ତ ଦୁଇ କଲେଜରେ ମୋଟ୍ ୪ ଲକ୍ଷ ୪୩ ହଜାର ୩୫୪ ସିଟ ରହିଛି । ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍ ମିଶାଇଲେ ସଂଖ୍ୟା ପହଞ୍ଚୁଛି ଏକ ଲକ୍ଷ ୫୯ ହଜାର ୭୫୯। ଏବେ ଦୁଇଟି ବିକଳ୍ପ ବ୍ୟବସ୍ଥା ଆପଣାଇପାରେ ଗଣଶିକ୍ଷା ବିଭାଗ । ପ୍ରଥମଟି ହେଲା ଆଡମିଶନରେ ସ୍ୱଚ୍ଛତା ଲାଗି ଏଣ୍ଟ୍ରାନ୍ସ ଏବଂ ଦ୍ୱିତୀୟଟି ହେଲା ସିଟ୍ ବୃଦ୍ଧି । ପିଲାଙ୍କୁ ମାର୍କ ଦିଆଯାଇଥିବାରୁ ଏତେ ସଂଖ୍ୟକ ପିଲାଙ୍କର ଏଣ୍ଟ୍ରାନ୍ସ କରିବାକୁ ଚିନ୍ତା କରୁନି ଗଣଶିକ୍ଷା ବିଭାଗ । ଆଞ୍ଚଳିକ ଭିତ୍ତିରେ ସିଟ୍ ସଂଖ୍ୟା ବଢାଗଲେ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷାବିତଙ୍କ ମତ। ଚଳିତ ବର୍ଷର ମାଟ୍ରିକ ପାସ୍ ହାର ବୋର୍ଡ ଇତିହାସରେ ହେଉଛି ରେକର୍ଡ। ଆଉ ଏହି ରେକର୍ଡ ମାର୍ଜିନ ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ । ତେଣୁ ଆଗକୁ ଆଡମିଶନ ଲାଗି କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରାଯିବ ନା ସିଟ୍ ବଢାଯିବ ତାଉପରେ ନଜର।

ବିଜେଡି କନ୍ଦଳ: ସଞ୍ଜୟ ଆଉଟ୍‌, ପ୍ରମିଳାଙ୍କ ଆଶା ମଉଳିଲା ଓ ବଲାଙ୍ଗିର ରାଜପରିବାର ବି ନିରାଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଧିମେଇ ଯାଇଥିବା ଦଳୀୟ ସଂଗଠନକୁ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣିଥରେ ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଆଜି ୨୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ସଂଗଠନ ସହ ଜଡ଼ିତ ବହୁ ପୁରୁଖା ନେତାଙ୍କୁ ବାଦ୍ ଦେଇ ୧୨ଜଣ ମନ୍ତ୍ରୀ ଓ ୨ଜଣ ସାଂସଦଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ଦଳ, ହାତଗଣତି ନେତାମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ ଚାଲିବ ବୋଲି ସନ୍ଦେଶ ଦେଇଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତିରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣବଙ୍କ ତାଲିକାକୁ ମଧ୍ୟ ଦଳ ଅଗ୍ରାଧିକାର ଦେଇଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିରେ ଏବେ ଏକଚାଟିଆ ନିଷ୍ପତ୍ତି ପ୍ରଭାବୀ ହେଉଛି। ନିଜର ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ହତାଦର କରି କିଛି ଅନଭିଜ୍ଞ ନେତାଙ୍କୁ ମଧ୍ୟ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବାକୁ ଦଳ ପଛାଇ ନାହିଁ । ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଯାଇଛି, କିନ୍ତୁ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପ୍ରଣବପ୍ରକାଶ ନିଜ ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କିମ୍ବା ସରକାରରେ କୌଣସି ଦାୟିତ୍ୱ ଦେବା ସପକ୍ଷରେ ନଥିବାରୁ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି। ସୂତ୍ର ଅନୁସାରେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଶା ବାନ୍ଧି ବସିଥିବାବେଳେ ତାଙ୍କୁ ପର୍ଯ୍ୟବେକ୍ଷକ କରାଯିବାପରେ ତାଙ୍କର ଏହି ଆଶା ଆଶାରେ ରହିଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। କଳିକେଶ ସିଂହଦେଓ, ଏୟୁ ସିଂହଦେଓଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇନି। ଇଞ୍ଜିନିୟରରୁ ନେତା ପାଲଟିଥିବା ନଳିନୀକାନ୍ତ ପ୍ରଧାନଙ୍କୁ ନିଜେ ଲଢ଼ିଥିବା ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି । ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଶ୍ରୀ ପ୍ରଧାନ ପରାଜିତ ହୋଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିଲା, ଯାହାକୁ ଜାରି ରଖାଯାଇଛି। ସେହିପରି ଉଷା ଦେବୀ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଯିବା ସମ୍ଭବପର ନଥିବାରୁ ତାଙ୍କ ପୁଅ ଓ ଦିଅର ଏବେ ସେଠାରେ ତାଙ୍କ ପ୍ରତିନିଧି ଭାବେ କାମ କରୁଥିବାବେଳେ ତାଙ୍କୁ ବି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବାକୁ ବିଜେଡି ପଛାଇ ନାହିଁ। ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ, ଚନ୍ଦ୍ରସାରଥୀ ବେହେରାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ପ୍ରଣବପ୍ରକାଶ ନିଜେ ଖଣିଜ ସମୃଦ୍ଧ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନିଜ ପାଖରେ ରଖିଛନ୍ତି। ସେହିପରି ମହିଳାଙ୍କୁ ସମ୍ମାନ ଓ ୩୩ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି ଏହି ୩୨ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ ମାତ୍ର ୨ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ଏପରିକି ଏପର୍ଯ୍ୟନ୍ତ ଦଳ ନିଜର ମହିଳା ୱିଙ୍ଗର ସାଂଗଠନିକ ପୁର୍ନବିନ୍ୟାସ କରିପାରିନି। ଏବେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିବା ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ ଓ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଏକାଧିକ ବିଭାଗର ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଅଧିକ ଲୋଡ୍ ଦିଆଯାଇଛି। ଯଦିଓ ଦଳରେ ଅଭିଜ୍ଞତା ସମ୍ପନ୍ନ ପୁରୁଖା ନେତା, ବିଧାୟକ ଓ ସାଂସଦଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଏହି ତାଲିକାରୁ ଦୂରେଇ ରଖାଯାଇଛି।ସେହିପରି ଗତ କିଛିମାସ ଧରି ସାଂଗଠନିକ କାର୍ଯ୍ୟରୁ ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଅଣଦେଖା କରାଯାଉଥିବାବେଳେ ଆଜି ତାଙ୍କୁ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିିତ୍ୱରୁ ବାଦ୍ ଦିଆଯାଇଛି । ମଇ ୨୯ ମିଡନାଇଟ୍ ଅପରେସନ ସମୟରେ ସଞ୍ଜୟ ନିଜର ସାଂଗଠନିକ ଦକ୍ଷତା ଓ ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ପ୍ରକଟ କରି ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ନିକଟରେ ସଞ୍ଜୟ ରାୟଗଡ଼ା ଜିଲ୍ଲା ଗସ୍ତ କରି କୋଭିଡ୍ ଟିକା ନେବାକୁ ରାଜି ହେଉନଥିବା ଡଙ୍ଗରିଆ କନ୍ଧ ସମୁଦାୟର ଲୋକଙ୍କୁ ପ୍ରବର୍ତ୍ତାଇ ଏହି ଅଭିଯାନରେ ସାମିଲ କରାଇ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ। ତଥାପି ତାଙ୍କୁ ଦଳ ଏବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେବାପରେ ଦଳୀୟ କନ୍ଦଳ ପଦାରେ ପଡ଼ିଛି।ଏବେ ଦଳ ଓ ସଂଗଠନ ହାତଗଣତି ୨-୪ଜଣ ବ୍ୟକ୍ତିଙ୍କ ପାଖରେ ରହିଥିବା ତଥା ସବୁକ୍ଷେତ୍ରରେ ଏକଚାଟିଆ ନିଷ୍ପତ୍ତି ନିଆଯାଉଥିବାରୁ ଦଳରେ କନ୍ଦଳ, ଅସନ୍ତୋଷ ଓ ଛକାପଞ୍ଝା ଚରମସୀମାରେ ପହଂଚିଛି। ତେବେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ଓ କାର୍ଯ୍ୟାନୁଷ୍ଠାନ ଭୟରେ ନେତାମାନେ ନିରବ ରହଛନ୍ତି। ଅନ୍ୟପକ୍ଷରେ ଆଜିର ଏହି ଥଇଥାନ ମାଧ୍ୟମରେ ଶାସକ ବିଜେଡି ଆଗାମୀ ଦିନରେ ରାଜନୀତିକ ଓ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରାଇବ ବୋଲି ମଧ୍ୟ ସଙ୍କେତ ଦେଇଛି।