ବିନା ଭକ୍ତ ରେ ମହାସମାରୋହରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର – ସ୍ଥାନୀୟ ପ୍ରଶାସନ ର କଟକଣା ମଧ୍ୟରେ ବିନା ଭକ୍ତ ରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମହାସମାରୋହରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା। କରୋନା ସଂକ୍ରମଣ ରୁ ଜନ ସାଧାରଣ ଙ୍କୁ ଦୁରେଇ ରଖିବା ନିମନ୍ତେ ଓଡିଶାର ବିଭିନ୍ନ ସ୍ଥାନରେ ବିନା ଭକ୍ତ ରେ ଦେବସ୍ନାନ ପୂର୍ଣ୍ଣିମା ପାଳନ କରିବା ନେଇ ରାଜ୍ଯ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ସରକାର ଙ୍କ ନିୟମ ସମୂହ କ୍ରମେ କେବଳ କିଛି ମାତ୍ର ସେବାୟତ ଓ ପୂଜକ ଙ୍କୁ ନେଇ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

ଦେବସ୍ନାନ ନୀତିକାନ୍ତି ପାଳନ ପୂର୍ବରୁ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ଏବଂ ସକାଳ ୬ ଘଣ୍ଟିକା ଠାରୁ ରାତ୍ର ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମନ୍ଦିର ମଧ୍ୟରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ଡ଼ାକବାଜି ମାଧ୍ୟମରେ ସୂଚନା ଦିଆଯାଇଥିଲା । ଗତ ବର୍ଷ କୋଭିଡ଼ ନିୟମକୁ ଉଲ୍ଲଂଘନ କରି ମନମାନି ଭାବେ କରାଯାଇଥିବା ରଥ ଯାତ୍ରା ପାଳନ ବ୍ୟବସ୍ଥା ରେ ବହୁ ବିଶୃଙ୍ଖଳା ପରିଲକ୍ଷିତ ହୋଇଥିବା ବିଭିନ୍ନ ଗଣ ମାଧ୍ୟରେ ଖବର ପ୍ରକାଶ ପାଇବା ହେତୁ ବର୍ତ୍ତମାନ ଏଭଳି କଟକଣା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଶୃଙ୍ଖଳିତ ଭାବେ ମହାସମାରୋହରେ ପାଳିତ ଯାତ୍ରା ଉତ୍ସବ ପୂର୍ବ ଅପେକ୍ଷା ସଂକ୍ରମଣକୁ ପ୍ରତିହତ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ଅମାନିଆଙ୍କୁ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଏହି କ୍ରମରେ ଗୁଣପୁର ଠାରେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ମନ୍ଦିର ର ୧ କିଲୋମିଟର ପରିସରକୁ ୧୪୪ ଧାରା ଜାରି କରିଥିଲେ। ଏହାଙ୍କ ପତ୍ର ନମ୍ବର ୨୭୨୮/୨୧ କ୍ରମେ ତା ୨୩/୦୬/୨୧ ରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ସ୍ଥାନୀୟ ଦେବୋତ୍ତର ବିଭାଗ ଅଧିକାରୀ ତଥା ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ନିଷିଦ୍ଧାଞ୍ଚଳ କୁ ବେରିକେଟ ଦେଇ ଆବଦ୍ଧ କରିଥିଲେ।

ମନ୍ଦିର ମଧ୍ୟକୁ ଭକ୍ତ ଙ୍କ ପ୍ରବେଶ ନିଷେଧ ଓ କେବଳ ସେବାୟତ ଓ ପୂଜକ ଙ୍କ ଦ୍ଵାରା ରୀତିକାନ୍ତି ପରିଚାଳନା କରିବା ନିର୍ଦ୍ଦେଶ କୁ ପାଳନ କରିବାକୁ ଯାଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ, ଆଦର୍ଶ ଥାନା ଅଧିକାରୀ ଶ୍ରୀ ଜସୱନ୍ତ ହିଆଲ୍ ନିଷିଦ୍ଧାଞ୍ଚଳ ରେ କଡ଼ା ପହରାର ବନ୍ଦୋବସ୍ତ କରି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ଯ ସରକାର ଙ୍କ ନିର୍ଦ୍ଦେଶ କୁ ମାନିବାକୁ ଯାଇ ଦେବୋତ୍ତର ଅଧିକାରୀ ଏବଂ ଶୃଙ୍ଖଳା ରକ୍ଷାକାରୀ ପୋଲିସ୍ ବିଭାଗୀୟ କର୍ମକର୍ତ୍ତା ମଧ୍ଯ ମନ୍ଦିର ଭିତରକୁ ପ୍ରବେଶ କରିନଥିଲେ। ସ୍ଥାନୀୟ ପ୍ରଶାସକଙ୍କ ଏଭଳି କଡ଼ା ଆଭିମୁଖ୍ୟ କୁ ସ୍ଥାନୀୟ ବୁଦ୍ଧିଜିବୀ ପ୍ରସଂଶା କରିଛନ୍ତି।

ପରନ୍ତୁ ସମ୍ବାଦିକ ଙ୍କୁ ମଧ୍ଯ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରାଯାଇନଥିବାରୁ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା। ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ନାୟକ ଦେବସ୍ନାନ ପୂର୍ଣ୍ଣିମା ସମୟରେ ଘଟିଥିବା ସମସ୍ତ ଘଟଣାବଳୀର ଚିତ୍ର ଉତ୍ତୋଳନ କରି ସାମ୍ବାଦିକମାନଙ୍କ ନିକଟରେ ପହଞ୍ଚାଇ ଦେବା ନିମନ୍ତେ ପ୍ରତିଶୃତି ଦେବା ସହ କେବଳ ସେବାୟତ ଓ ପୂଜକ ଙ୍କୁ କାର୍ଯ୍ୟକ୍ରମ ସମ୍ପାଦନ୍ କରିବା ନିମନ୍ତେ ଅନୁମତି ଥିବାରୁ ପ୍ରଶାସନ ଅଧିକାରୀ ମାନେ ମଧ୍ଯ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରିନଥିବା ଦର୍ଶାଇ ଥିଲେ। ପରବର୍ତ୍ତୀ ସମୟରେ ଖବର ପ୍ରସାରଣ ନିମନ୍ତେ ଫଟୋ ଏବଂ ଭିଡିଓ ର ଆବଶ୍ୟକତା ରହିଥିବା କୁହାଯାଇଥିବାରୁ ଏଗୁଡିକ ସାମ୍ବାଦିକ ଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଗୁଣପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀମତୀ ରଶ୍ମି ରାଣୀ ନିମାକା ଙ୍କ ସହଯୋଗ ରେ ଏହା ସମ୍ପାଦନା କରାଯାଇଥିଲା।

ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମରେ ଗୁପ୍ତେଶ୍ଵର ରଥଶର୍ମା ପୂଜା କାର୍ଯ୍ୟ ଆରମ୍ଭ କରିବା ପରେ ପୂଜକ ମନୋଜ ପାଢ଼ୀ, ସୁଦାମ ପଣ୍ଡା ଓ ଅନ୍ୟ ସେବାୟତ ମାନଙ୍କୁ ନେଇ ୧୦୮ ଗରା ପାଣିରେ ଶ୍ରୀଜୀଉ ଙ୍କ ସ୍ନାନଯାତ୍ରା ପାଳନ ହୋଇଥଲା । ପ୍ରଶାସକ ଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ଼ – ୧୯ ନିୟମକୁ ମାନି ମନ୍ଦିର ପରିସର ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିବା ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ସୂଚନା ଦେଇଛନ୍ତି।

ବିନା ଭକ୍ତରେ ସ୍ନାନ ବେଦୀକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ପାଇଁ ପୂର୍ବ ବର୍ଷ ଇତିହାସର ପୁନରାବୃତ୍ତି ହୋଇଛି।  ବିନା ଭକ୍ତରେ ଖାଁ ଖାଁ ବଡ଼ ଦାଣ୍ଡରେ  ଆୟୋଜିତ ହେଉଛି ସ୍ନାନଯାତ୍ରା ।  ସମ୍ପୂର୍ଣ୍ଣ ରୀତିନୀତି ସହ  ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।  ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ । ୧୦୮ ଗରା ସୁବାସିତ ଜଳରେ ହେବ ମହାପ୍ରଭୁଙ୍କର ମହାସ୍ନାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ ପରେ ବଢି ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେଉଛି ସ୍ନାନ ବିଧି  । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ। ତେବେ ଗଲାବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦେଖି ଛେରାପହଁରା ପାଇଁ ଆସିବେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ମୁଦିରସ୍ତ ପରମ୍ପରା ରକ୍ଷା କରିବେ । ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଗତ ରାତି ୧୦ଟାରୁ ଲାଗୁ ହୋଇଛି ୧୪୪ ଧାରା। ଏହା ଆସନ୍ତା କାଲି ଯାଏ ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପିକେଟିଂ କରୁଛି । ଏହି କଟକଣା ସମ୍ପର୍କରେ ପୁରୀ ପ୍ରଶାସନ ସହରବାସୀଙ୍କୁ ଅବଗତ କରାଇବା ସହ ସହଯୋଗ କରିବାକୁ ନିବେଦନ କରିଛନ୍ତି   ଉପ ଜିଲ୍ଲାପାଳ ଭବତାରଣ ସାହୁ । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଚେତାନୀ ମଧ୍ୟ ଦିଆଯାଇଛି।

ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା।  ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ମନ୍ଦିର ଚତୁପାର୍ଶ୍ୱ, ରଥଦାଣ୍ଡ ସମେତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଧାରା ୧୪୪ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ କରାଯିବ। ତେବେ ବଳଦେବଜୀଉଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମନ୍ଦିର ଠାରୁ ୧ କିଲୋମିଟର ପର୍ଯ୍ୟନ୍ତ କୌଣସି ପ୍ରକାର ଭିଡ଼ ଅଥବା କୋଳାହଳ କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ  । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

୨୪ ଘଣ୍ଟାରେ ସୋଶାଲ ମିଡିଆରୁ ଫେକ ୟୁଜର ଆଇଡି ହଟାଇବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ର ସରକାର ନୂଆ ଆଇଟି ନିୟମରେ କହିଛନ୍ତି ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଥିବା ଫେକ୍ ଆଇଡି ଅକାମି ହେବା ଦରକାର। ଅନେକ ବଡ଼ ବଡ଼ ବ୍ୟକ୍ତି, କମ୍ପାନୀଙ୍କ ନାଁ ଏବଂ ଫଟୋ ଲଗାଇ ମଧ୍ୟ ସୋଶାଲ ମିଡିଆରେ ୟୁଜର ଆଇଡି ତିଆରି ହୋଇଛି। ଏବେ ଏହି ସବୁ ଆକାଉଣ୍ଟକୁ ସୋଶାଲ ମିଡ଼ିଆରୁ ହଟାଇବା ଦରକାର। ଏ ନେଇ କେନ୍ଦ୍ର ସରକାର ସୋଶାଲ ମିଡିଆ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୨୪ ଘଣ୍ଟାର ମହଲତ ମଧ୍ୟ ଦେଇଛନ୍ତି ସରକାର। ଏଭଳି ହେଲେ ସେଶାଲ ମିଡିଆରେ ଘୂରି ବୁଲୁଥିବା ବିଭିନ୍ନ ଗୁଜବ ଉପରେ ରୋକ୍ ଲାଗି ପାରିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି କୌଣସି ରାଜନେତା, ବ୍ୟୁରୋକ୍ରାଟ, କ୍ରିକେଟର, ସିନେ ତାରକାଙ୍କ ଫଟୋକୁ ପ୍ରୋଫାଇଲ ଇମେଜ ଭାବରେ ରଖି ନିଜର ସୋଶାଲ ମିଡିଆ ଫଲୋଅର ବଢ଼ାଇବାକୁ ଚେଷ୍ଟା କରୁଥାନ୍ତି। ଆଉ ପ୍ରୋଫାଇଲ ଇମେଜ ଯାହାର ସିଏ ଏହାକୁ ନେଇ ଆପତ୍ତି ଉଠାଇବେ ତାହେଲେ ତୁରନ୍ତ ସେହି ଆକାଉଣ୍ଟକୁ ଡିଆକ୍‌ଟିଭ୍ କରିବା ଦରକାର। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ସରକାର ତାଙ୍କ ନିୟମରେ କହିଛନ୍ତି, ଏବେ ବିଭିନ୍ନ ବଡ଼ ବଡ଼ ବ୍ୟକ୍ତିତ୍ୱ ବା ଲୋକପ୍ରିୟ ବ୍ୟକ୍ତିଙ୍କ ନାଁକୁ ବ୍ୟବହାର କରି ସୋଶାଲ ମିଡିଆରେ ଆଇଡି ତିଆରି ହେଉଛି। ଏଭଳି ଅନ୍ୟ ଜଣେ କରିବା ଦ୍ୱାରା ସେହି ଲୋକଙ୍କର ବିଭିନ୍ନ ସମୟରେ ସମ୍ମାନହାନୀ ହେଉଛି। ଆଉ କିଛି ସେହି ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟାନ୍ୟ କାମ କରୁଛନ୍ତି। ଏଭଳି କରି ଅନେକ ଲୋକଙ୍କ ନାଁରେ ଚାନ୍ଦା ଉଠାଉଥିବାର ମଧ୍ୟ ନଜିର ରହିଛି। ମୁଖ୍ୟତଃ ଫେକ୍ ଆଇଡି ଜରିଆରେ ଏଭଳି କାମ ସୋଶାଲ ମିଡିଆରେ ହେଉଛି। ତେଣୁ ଆଇଟି ନିୟମ ଅନୁଯାୟୀ ଜଣେ ୟୁଜରଙ୍କୁ ତାର ଆକାଉଣ୍ଟ ଭେରିଫାଇ କରିବାକୁ ସୁଯୋଗ ଦିଆଯିବା ଦରକାର ବୋଲି ସରକାର କହିଛନ୍ତି। କିନ୍ତୁ କମ୍ପାନୀ ଏଭଳି ଭେରିଫାଇ କରିବାକୁ ଦେବ କି ନାହିଁ ତାହା ତାର ଇଚ୍ଛାଧୀନ।

ସଲମାନଙ୍କ ମାମଲାରେ କେଆର୍‌କେଙ୍କୁ ବଡ଼ ଝଟ୍‌କା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ସଲମାନଙ୍କ ଫିଲ୍ମ ‘ରାଧେ’କୁ ସମାଲୋଚନା କରିବା କେଆର୍‌କେଙ୍କୁ ପଡିଛି ମହଙ୍ଗା। କେଆର୍‌କେଙ୍କୁ ବଡ ଝଟ୍‌କା ଦେଇଛନ୍ତି କୋର୍ଟ। ସେ ସଲମାନଙ୍କ ବିରୋଧରେ କୌଣସି ବି ଟପ୍ପଣି କିମ୍ବା ଭିଡିଓ ପୋଷ୍ଟ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ସୂଚନା ମୁତାବକ ଫିଲ୍ମ ସମାଲୋଚକ କମଲ ଆର ଖାନ ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ରାଧେକୁ ନେଇ ନେଗେଟିଭ୍ ରିଭ୍ୟୁ ଉଠାଇଥିଲେ। କେବଳ ଏତିକି ନୁହେଁ, ସଲମାନଙ୍କ ବିରୋଧରେ କେଆରକେ ଅନେକ ବ୍ୟକ୍ତିଗତ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ସଲମାନ ଖାନଙ୍କ ଟିମ୍ କେଆରକେଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ। ବୁଧବାର ଦିନ ସଲମାନ ଖାନଙ୍କ ଦ୍ୱାରା କେଆରକେଙ୍କ ଉପରେ ହୋଇଥିବା ମାନହାନି ମାମଲାର ଶୁଣାଣି ହୋଇଛି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନଠାରୁ କମଲ ଆର ଖାନ ସଲମାନ କିମ୍ବା ତାଙ୍କ ବ୍ୟବସାୟିକ ଉଦ୍ୟୋଗ, ତାଙ୍କ ଫିଲ୍ମ ସହ ଜଡିତ କୌଣସି ପ୍ରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭିଡିଓ ପ୍ରସ୍ତୁତ କରିପାରିବେ ନାହିଁ। ଏହା ବ୍ୟତୀତ, କେଆରକେ ନା ପୋଷ୍ଟ ନା ଟ୍ୱିଟ୍ କିମ୍ବା କୌଣସି ଭିଡିଓ ଅପଲୋଡ୍ କରିପାରିବେ ନାହିଁ। ସଲମାନ ଖାନଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କେଆରକେଙ୍କୁ ଅଭିନେତାଙ୍କ ବ୍ୟବସାୟ, ଫିଲ୍ମ, ପ୍ରୋଜେକ୍ଟ ସମ୍ବନ୍ଧରେ କୌଣସି ପ୍ରକାର ଭିଡିଓ ଅପଲୋଡ୍ ବନ୍ଦ କରିବାକୁ କୁହାଯାଇଥିଲା।

କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଲେ ମିନିଷା….!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବାହାରକୁ ଚକ୍‌ମକ୍ କରୁଥିବା ଫିଲ୍ମ ଦୁନିଆରେ କାଷ୍ଟିଂ କାଉଚ୍ ମାମଲା କୌଣସି ନୂଆ ନୁହେଁ। ସର୍ବଦା ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥାଏ ବି-ଟାଉନ୍। ଅନେକ ବଡ ବଡ ଷ୍ଟାର ଏନେଇ ଖୁଲାସା ମଧ୍ୟ କରିସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଷ୍ଟାର୍‌ଙ୍କ ନାଁ ଯୋଡି ହୋଇଛି। ଦୀର୍ଘ ଦିନଧରି ଫିଲ୍ମି ଦୁନିଆରୁ ଦୂରେଇ ରହିଥିବା ମିନିଷା ଲାମ୍ବା ବି-ଟାଉନ୍‌ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି । ନିକଟରେ ଏକ ସାକ୍ଷାତକାର୍‌ରେ ନିଜ କ୍ୟାରିଅରର ପ୍ରାରମ୍ଭରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି। ମିନିଷା କହିଛନ୍ତି, ଅନେକ ଥର କିଛି ଲୋକ କୌଣସି ଫିଲ୍ମ ନେଇ କଥାବାର୍ତ୍ତା କରିବାକୁ ଡିନର୍ କରିବା ବାହାନାରେ ଭେଟିବାକୁ କହୁଥିଲେ। ସେ ତାଙ୍କୁ ଡିନର୍‌ରେ କାହିଁକି ଭେଟୁନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ କରୁଥିଲେ। ଚତୁରତା ଭାବେ ମିନିଷା ଫିଲ୍ମ ନିର୍ମାତାମାନଙ୍କୁ ଅଫିସରେ ଭେଟିବା ପାଇଁ ହିଁ ଜୋର ଦେଉଥିଲେ। କେବଳ ଅଫିସରେ ଲୋକଙ୍କୁ ଭେଟିବା ଏବଂ କଥାକୁ ବୁଝି ନପାରିବାର ଅଭିନୟ କରି ଏହାକୁ ସମ୍ଭାଳିଥିଲେ। ମିନିଷା ଆହୁରି କହିଛନ୍ତି, ଯେକୌଣସି ଇଣ୍ଡଷ୍ଟ୍ରିରେ ଯେଉଁଠାରେ ପୁରୁଷ ଅଛନ୍ତି, ଅଧିକାଂଶ ପୁରୁଷ ଏହିପରି ଚେଷ୍ଟା କରିଥାନ୍ତି। ଏହି ଇଣ୍ଡଷ୍ଟ୍ରି ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ମୁଁ ନିଶ୍ଚିତ ଭାବରେ ଏଭଳି ପରିସ୍ଥିତିର ସାମ୍ନା କରିଛି। ମିନିଷାଙ୍କ ଅନୁଯାୟୀ, ସେ ଅନେକ ସମୟରେ ଜିନିଷକୁ ଅଣଦେଖା କରି ଏପରି ଆଚରଣରୁ ଦୂରେଇ ରହିଥିଲେ। ବୃତ୍ତିଗତ ଆଚରଣ ହେତୁ ତାଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା କହିଛନ୍ତି ଯେ ଦୁଇଥର ଏପରି ହୋଇଛି ଯେତେବେଳେ ତାଙ୍କୁ ତାଙ୍କ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା ନିର୍ଦ୍ଦିଷ୍ଟ ଭାବରେ କହିଥିଲେ ଯେ ଫିଲ୍ମ ନିର୍ମାତାମାନେ ଅଫିସ୍ ବଦଳରେ ବାହାରେ ଭେଟିବାକୁ କହୁଥିଲେ। ୨୦୦୫ରେ ସୁଜିତ ସରକାରଙ୍କ ଫିଲ୍ମ ‘ୟାହାଁ’ରୁ ମିନିଷା ବଲିଉଡରେ ଡେବ୍ୟୁ କରିଥିଲେ। ଏହାବ୍ୟତୀତ ମିନିଷାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ବଚନା ଏ ହସିନୋ’ରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ‘କର୍ପୋରେଟର’, ‘ରକି’, ‘ଆନ୍ଥୋନୀ କୌନ ହୈ’, ‘ଅନାମିକା’, ଓ ‘କାହାନିଆଁ’ ଭଳି ଫିଲ୍ମରେ ମଧ୍ୟ ମିନିଷା ନଜର ଆସିଛନ୍ତି।

ସାଇକଲରେ ବ୍ରେଡ ଓ ଅଣ୍ଡା ବିକ୍ରି କଲେ ସୋନୁ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ସାଇକଲ ଉପରେ ରିଆଲ୍ ହିରୋ ସୋନୁ ସୁଦ। ହାତରେ ସାଇକଲ ଓ ତା’ ଉପରେ ରହିଛି ବିଭିନ୍ନ ପ୍ରକାରର ବ୍ରେଡ୍ ଆଉ ଅଣ୍ଡା। ସାଇକଲ ଚଳାଇ ବୁଲି ବୁଲି ବ୍ରେଡ୍ ଅଣ୍ଡା ବିକ୍ରି କରୁଛନ୍ତି ସୋନୁ ସୁଦ୍। କଥାଟା ଶୁଣି ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ନିକଟରେ ଢ଼ାବା ଏବଂ ସରବତ୍ ପରେ ଏବେ ନିଜର ଏକ ସୁପର ମାର୍କେଟ୍ ଖୋଲିଛନ୍ତି ସୋନୁ। ଭିଡିଓ ଜରିଆରେ ସୋନୁ ସୁଦ୍ ଏହାର ଝଲକ୍ ଦେଖାଇଛନ୍ତି। ଭିଡିଓରେ ସୋନୁ ବ୍ରେଡ୍ ଆଉ ଅଣ୍ଡା ସାଇକଲରେ ଲଦି ବିକ୍ରି କରୁଛନ୍ତି। ଏହି ଭିଡିଓଟିକୁ ସୋନୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ ନିଜର ନୂଆ ସୁପର ମାର୍କେଟ୍ ଖୋଲି ସାରିଛି।’ ଏହି ସୁପରମାର୍କେଟର ନାଁ ‘ସୋନୁ ସୁଦ୍‌ଙ୍କ ସୁପରମାର୍କେଟ୍‌’ ରଖାଯାଇଛି। ସୋନୁ କହିଛନ୍ତି, କିଏ କହୁଛି ମଲ୍ ବନ୍ଦ ହୋଇଯାଇଛି ବୋଲି, ଆମ ପାଖରେ ସବୁଠାରୁ ଆବଶ୍ୟକୀୟ ଓ ଦାମୀ ସୁପରମାର୍କେଟ ଅଛି। ଅଣ୍ଡା ସାଙ୍ଗକୁ ଏଠାରେ ବିଭିନ୍ନ ପ୍ରକାରର ବ୍ରେଡ୍ ମଧ୍ୟ ମିଳୁଛି। ୧୦ଟି ଅଣ୍ଡା ନେଲେ ଗୋଟିଏ ବ୍ରେଡ୍ ଫ୍ରି। ଏଥିସହ ଫ୍ରି ଡିଲିଭରୀ ମଧ୍ୟ। ତେଣୁ ଯେଉଁମାନଙ୍କୁ ଏହାର ଆବଶ୍ୟକ ରହିଛି ଖୁବ୍ ଅର୍ଡର କରନ୍ତୁ ବୋଲି ସୋନୁ କହିଛନ୍ତି। ସୋଶାଲ ମିଡିଆରେ ସୋନୁଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କ ଏହି ନୂଆ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଛି। କରୋନା କାଳରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ମଧ୍ୟ ଦେବଦୂତ ସାଜି ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି। ନିକଟରେ ସୋନୁ ସୁଦ ରାଜସ୍ଥାନର ଜାଲୋରର ଜଣେ ୧୦ ଦିନର ଶିଶୁ କନ୍ୟା ପାଇଁ ଦୂତ ଭାବରେ ଉଭା ହୋଇଥିଲେ, ଯାହାର ହୃଦୟରେ ଏକ ଛିଦ୍ର ଥିଲା। ସେ ସଙ୍ଗେ ସଙ୍ଗେ ଝିଅକୁ ମୁମ୍ବାଇ ଆଣି ଅପରେସନ କରାଇଥିଲେ। ଏହା ପରେ ସେ ସୁସ୍ଥ ହୋଇ ସୋମବାର ସନ୍ଧ୍ୟାରେ ଘରକୁ ଫେରିଛି।

ରାଜନୀତିରେ ଯୋଗ ଦେବାକୁ ନେଇ ବଡ଼ କଥା କହିଦେଲେ ଅନୁପମ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେର୍। ଦୀର୍ଘ ୪ ଦଶନ୍ଦି ଧରି ଫିଲ୍ମ ଦୁନିଆରେ ସେ ସକ୍ରିୟ ଅଛନ୍ତି। ତାଙ୍କର ଦମ୍‌ଦାର ପର୍ସନାଲିଟି ଏବଂ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ। ଫିଲ୍ମ ବ୍ୟତୀତ ଅନୁପମ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ। ଅନେକ ପ୍ରସଙ୍ଗକୁ ନେଇ ସେ ନିଜ ରାଜନୈତିକ ଦୃଷ୍ଟିକୋଣକୁ ଉପସ୍ଥାପନ କରନ୍ତି, ଏଥିପାଇଁ ସେ ଚର୍ଚ୍ଚାକୁ ମଧ୍ୟ ଆସିଥାନ୍ତି। ତାଙ୍କୁ ନେଇ ଅନେକ ବିବାଦ ମଧ୍ୟ ହୋଇଛି। ସରକାର ଏବଂ ବିପକ୍ଷ ଦଳଙ୍କ ବିଷୟରେ ଗତ କିଛି ବର୍ଷ ଧରି ନିଜ ତଥ୍ୟ ଉପସ୍ଥାପନ କରୁଥିବା ଅନୁପମ ଖେର୍‌କୁ ନେଇ ଚର୍ଚ୍ଚା ଲାଗି ରହିଛି ଯେ, ସେ ନିକଟ ଭବିଷ୍ୟତରେ ରାଜନୀତିରେ ଯୋଗ ଦେଇପାରନ୍ତି। ତେବେ ଏହି ଚର୍ଚ୍ଚା ଉପରେ ଏବେ ଅନୁପମ ପୂର୍ଣ୍ଣଛେଦ ପକାଇଛନ୍ତି। କେବେ ବି ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ଅନୁପମ। ସୋମବାର ଏକ ସାକ୍ଷାତକାରରେ ସେ କହିଛନ୍ତି, ରାଜନୀତିରେ ଯୋଗଦେବା ପ୍ରଶ୍ନ ହିଁ ଉଠୁନାହିଁ। ଅନୁପମଙ୍କ ଏହି ଘୋଷଣା ଏବେ ଅନେକ ଚର୍ଚ୍ଚା ଉପରେ ବିରାମ ଲଗାଇ ଦେଇଛି। ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଏକ ବିଶେଷ ଦଳକୁ ସମର୍ଥନ କରୁଥିଲେ ମଧ୍ୟ ରାଜନୀତିକୁ କେବେ ବି ଓହ୍ଲାଇବେ ନାହିଁ। ଏହି ସାକ୍ଷାତକାର ସମୟରେ ଅନୁପମ କ୍ୟାନ୍‌ସର ସହ ଲଢ଼ୁଥିବା ନିଜ ପତ୍ନୀ କିରନ୍ ଖେରଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, କିରନ୍‌ଙ୍କ ଚିକିତ୍ସା ଚାଲିଛି। କେମୋଥେରାପିର ଅନେକ ସାଇଡ୍ ଇଫେକ୍ଟ ଅଛି, କିନ୍ତୁ କିରନ୍‌ଙ୍କ ଇଚ୍ଛଶକ୍ତି ବେଶ୍ ମଜଭୁତ। ସେ ତାଙ୍କ ରୋଗ ସହ ଲଢ଼ୁଛନ୍ତି। ସୂଚନା ମୁତାବକ ଅନୁପମ ଖେରଙ୍କ ପତ୍ନୀ କିରନ୍ ଖେର ଚଣ୍ଡିଗଡର ସାଂସଦ ଅଟନ୍ତି। ଏପ୍ରିଲ ମାସରେ କିରନ୍‌ଙ୍କୁ ବ୍ଲଡ କ୍ୟାନ୍‌ସର ହୋଇଥିବା ନେଇ ଜଣାପଡିଥିଲା। ଏହାପରେ ତାଙ୍କ ଚିକିତ୍ସା ଚାଲିଛି।

‘କୃଷିମନ୍ତ୍ରୀ ଅରୁଣ ସାହୁ ମିଥ୍ୟା ତଥ୍ୟ ଦେଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛନ୍ତି’ …!

ଏଥର ସମ୍ଭାଳ (ଭୁବନେଶ୍ଵର) – ସାର ଯୋଗାଣ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ମିଥ୍ୟା ତଥ୍ୟ ଦେଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛନ୍ତି। ଗତ ୩ ବର୍ଷ ଭିତରେ ରାଜ୍ୟକୁ ଆବଶ୍ୟକତାଠାରୁ ଅଧିକ ସାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ହେଲେ ମନ୍ତ୍ରୀ ତଥ୍ୟକୁ ନବୁଝି ସାର ଅଭାବ ଥିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଅରୁଣ ସାହୁ। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି-“୨୦୨୦-୨୧ ବର୍ଷରେ ଓଡ଼ିଶା ପାଇଁ ୟୁରିଆ ସାର୍‌ ୫.୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିଲା। ହେଲେ କେନ୍ଦ୍ର ସରକାର ୬.୬୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଯୋଗାଇ ଦେଇଛନ୍ତି। ଏହାଛଡ଼ା ଡିବିଟି ମାଧ୍ୟମରେ ୫.୨୭ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିଛନ୍ତି। ସେହିପରି ଡିଏବି ୨.୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ୨.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଯୋଗାଇ ଦେଇଛନ୍ତି। ଡିବିଟି ମାଧ୍ୟମରେ ୨.୫୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଷୀଙ୍କୁ ଦେଇଛନ୍ତି। ଏମ୍‌ଓପି ସାର ୧.୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ୧.୮୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଯୋଗାଇ ଦେଇଛନ୍ତି। ଡିବିଟି ମାଧ୍ୟମରେ ୧.୩୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଏମ୍‌ଓପି ସାର ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଓଡ଼ିଶାକୁ ଆବଶ୍ୟକତାଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର କମ୍‌ ସାର ଯୋଗାଉଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିବା କେତେଦୂର ଯୁକ୍ତିଯୁକ୍ତ।”

ସେ ଆହୁରି କହିଛନ୍ତି-“ସାର ପ୍ରସ୍ତୁତ ହେଉଥିବା ସାମଗ୍ରୀର ଅହେତୁକ ଭାବେ ଦର ବୃଦ୍ଧି ପାଇଛି। ଫସ୍‌ଫରିକ, ଏସିଡ୍‌, ଆମୋନିଆ, ସଲଫଳର ଦାମ ବୃଦ୍ଧି ପାଇଛି। ତାହା ସତ୍ତ୍ୱେ କେନ୍ଦ୍ର ସରକାର ପୂର୍ବ ନିର୍ଦ୍ଧାରିତ ଦରରେ ଚାଷୀଙ୍କୁ ସାର ଯୋଗାଇଛନ୍ତି। ସାର ପାଇଁ ଚାଷୀଙ୍କୁ ଯେଭଳି ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ, ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି।”

ଟିକା କେନ୍ଦ୍ରରେ କାହାର ଫଟୋ ରହିବ? ସୌମ୍ୟଙ୍କ ମନ୍ତବ୍ୟ ଆଣିଲା ଟୁଇଷ୍ଟ ….!

ଏଥର ସମ୍ଭାଳ (ଭୁବନେଶ୍ଵର) –

କୋଭିଡ୍‌ ଟିକାକେନ୍ଦ୍ରରେ କାହାର ଫଟୋ ରହିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ଟିକାଦାନ କେନ୍ଦ୍ରରେ ଦେଖାଦେଇଛି ଉତ୍ତେଜନା। ଏଥିରୁ ବାଦ ପଡ଼ିନି ରାଜନେତାଙ୍କ ବାକ୍‌ ଯୁଦ୍ଧ। ଟିକାଦାନ କେନ୍ଦ୍ରରେ ଫଟୋକୁ ନେଇ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ ହୋଇଛନ୍ତି। ଏପରି ସମୟରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟ ଟୁଇଷ୍ଟ ଆଣିଛି। ସୌମ୍ୟ କହିଛନ୍ତି, ଟିକାଦାନ କେନ୍ଦ୍ରରେ କାହାର ଫଟୋ ନଲାଗି, କେମଳ ମାହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଲାଗୁ।

ବିଶ୍ୱ ଯୋଗଦିବସ ଅବସରରେ ସାମୁହିକ ଟିକାକରଣ ଆରମ୍ଭ ହୋଇଛି। ଓଡ଼ିଶାରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲା ବିଜେପି। ସେଥିପାଇଁ ଟିକାଦାନ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି କର୍ମୀମାନେ ଚିରି ଦେଇଥିବା ଦେଖିବାକୁ ନେଇଛି। ଗତ ତିନିଦିନ ଧରି ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ଆସିଛି।

ଆଜି ଏହି ପ୍ରସଙ୍ଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭିତରେ ଟ୍ୱିଟର ୱାର ହୋଇଛି। ଅପରାଜିତା ଟ୍ୱିଟ୍‌ କରି ଲେଖିଛନ୍ତି, “ଟିକାକେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାନଯିବା ରାଜ୍ୟ ସରକାରଙ୍କ ଅସୁରକ୍ଷିତ ଭାବନା ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ଦେଇଛି। ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା। କେନ୍ଦ୍ରର ସହଯୋଗ ଲୋଡିବାରୁ ମୋଦି ଓଡ଼ିଶାକୁ ଟିକା ଯୋଗାଣର ବ୍ୟବସ୍ଥା କଲେ। ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରତ୍ୟେକ କେନ୍ଦ୍ରରେ ଲଗାଯିବା ଉଚିତ୍” ବୋଲି ଅପରାଜିତା ଟ୍ୱିଟ୍‌ରେ ଲେଖିଥିଲେ।

ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଅନ୍ୟଦଳମାନେ ଏହାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି କିନ୍ତୁ ଏହାକୁ କେବେ ପ୍ରସଙ୍ଗ କିମ୍ବା ରାଜନୀତି କରିନାହିଁ। ଟିକା ଯୋଗାଣ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ। ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ” ବୋଲି ସସ୍ମିତ ଟ୍ୱିଟ୍‌ରେ ଲେଖିଛନ୍ତି।

ଟିକାକରଣ କେନ୍ଦ୍ରରେ କାହାର ଫଟୋ ଲାଗିବ? ଏହାକୁ ନେଇ କଳି ଲାଗିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି-“ପ୍ରଚାର ସର୍ବଶ୍ୱ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତେ ଏଥିରେ ମାତିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏଭଳି ପ୍ରସଙ୍ଗକୁ ପଛକୁ ଠେଲିଦେବା ଦରକାର। ଯେପରି କୌଣସି ବ୍ୟକ୍ତି ଏହାକୁ ନେଇ ରାଜନୀତି କରିପାରିବ ନାହିଁ। ଆଗେ ଟିକା ଦିଅ, ଫଟୋ ପରେ କରିବ। ଜଗନ୍ନାଥଙ୍କ ଫଟୋ ଲଗାଇ ସମସ୍ତେ ଟିକା ନେଲେ ଓଡ଼ିଶାରେ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିପାରିବା।”