ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।  ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ।  ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ।  କୋଭିଡ୍ ସ୍ଥିତିରୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ।  ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ  ଆରମ୍ଭ ହୋଇଛି ଦଇତା ପ୍ରବେଶ ନୀତି । ମଙ୍ଗଳ ଆଳତୀ ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ । ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେହବ । ଅପରାହ୍ନରେ ଗଜଓଲାଗି ବେଶ ପରେ ଆରମ୍ଭ ହେବ । ବାହୁଡ଼ା ପହଣ୍ଡି  ଏହିପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ। ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ।  ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଲଘୁଚାପ ପ୍ରଭାବ: ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ଜାରି ରହିଛି ମୌସୁମୀ ପ୍ରଭାବରେ ବର୍ଷା।  ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି  କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ଗତକାଲି ସୁଦ୍ଧା ସ୍ୱାଭାବିକ ବର୍ଷା ହୋଇଥିବା ତଥ୍ୟ ପ୍ରକାଶ କରିଛି ପାଣିପାଗ ବିଭାଗ । ଗତକାଲି ସୁଦ୍ଧା ରାଜ୍ୟରେ ୧୩୯ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ  ହୋଇଛି । ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ  ଏବଂ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ  ହୋଇଛି ।୨ ଜିଲ୍ଲା ସୁନ୍ଦରଗଡ଼ ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୧ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସବୁଠାରୁ କମ ୬୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସାମ୍ନାକୁ ଆସିଲା ସତ୍ୟ..!..କିଏ ମା’ ଶାଢ଼ିର ପ୍ରକୃତ ପ୍ରସ୍ତୁତକର୍ତ୍ତା…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କିଏ ମା’ ଶାଢୀର ଅସଲ ପ୍ରସ୍ତୁତକର୍ତ୍ତା। ସୁବର୍ଣ୍ଣପୁରର ରାଜେଶ ମେହର ମା’ ଶାଢୀ ପ୍ରସ୍ତୁତ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏବେ ଏହାକୁ ନେଇ ବିବାଦ ଦେଖା ଦେଇଛି । ବାସ୍ତବରେ ରାଜେଶ ମା’ ଶାଢୀର ପ୍ରକୃତ ପ୍ରସ୍ତୁତକର୍ତ୍ତା  ନୁହନ୍ତି । ଏହି ଶାଢୀର ଅସଲ୍ ପ୍ରସ୍ତୁତକର୍ତ୍ତା ହେଉଛନ୍ତି ବିଶ୍ୱନାଥ ମେହର। ଏହା ଆମେ କହୁନୁ, ସୋଶାଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଓଡ଼ିଓ ଟ୍ରଷ୍ଟ ନାମକ ୟୁଜର ଏହାର ଖୁଲାସା କରିଛି। ଓଡ଼ିତ ଟ୍ରଷ୍ଟର ଆଜି ଏ ନେଇ ଏକ ଟୁଇଟ୍ କରିଛି, ଯେଉଁଥିରେ ସ୍ପଷ୍ଟ ହୋଇଛି ମା’ ଶାଢୀର ଅସଲ୍ ପ୍ରସ୍ତୁତକାରୀ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ବିଶ୍ୱନାଥ ମେହର। ହେଲେ ରାଜେଶ ମେହର, ବିଶ୍ୱନାଥଙ୍କ ଡିଜାଇନ୍‌କୁ ନିଜ ଡିଜାଇନ୍‌ ବୋଲି କହି ଗଣମାଧ୍ୟମ ଜରିଆରେ ତୁଚ୍ଛା ବାହାବା ସାଉଁଟିବାକୁ ଚେଷ୍ଟା କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ରାଜେଶ ମେହର ମା’ ଶାଢ଼ୀର ଡିଜାଇନର ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଖବର ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ପରେ ସତ ସାମ୍ନାକୁ ଆସିଛି। ଲୋକେ ସୋଶାଲ ମିଡିଆରେ ରାଜେଶ ମେହର ମିଛ କହୁଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ଗତବର୍ଷ ମଧ୍ୟ ରାଜେଶଙ୍କର ଆଉ ଏକ ମିଛ ଧରା ପଡ଼ିଥିଲା। ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ପାଇଁ ସେ ସମ୍ବଲପୁରୀ ଗଣିତ ଶାଢୀ ପ୍ରସ୍ତୁତ କରିଥିବା ଦାବି କରିଥିଲେ। ବିଦ୍ୟା ବାଲାନ୍ ନିଜ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ଏହି ଶାଢୀ ପିନ୍ଧିଥିଲେ । କିନ୍ତୁ ଅସଲରେ ଏହି ଗଣିତ ଶାଢୀ ଉତ୍କଳ ଅମ୍ରିତା ଓ ସାବତ ଏକ୍ସପୋର୍ଟସ୍ ପ୍ରସ୍ତୁତ କରିଥିଲେ। ୨୦୧୫ରେ ସୁବର୍ଣ୍ଣପୁରର ବିଶ୍ୱନାଥ ମେହରଙ୍କ ଦ୍ୱାରା ପ୍ରସ୍ତୁତ ମା’ ଶାଢ଼ୀକୁ ଜାତୀୟ ପୁରସ୍କାର ମିଳିଥିଲା । ଏହି ଶାଢୀକୁ ପ୍ରଫୁଲ୍ଲ ଡିଜାଇନର୍ ହେଉଛନ୍ତି ପ୍ରଫୁଲ୍ଲ ମେହର । ସେ ମଧ୍ୟ ଗଣିତଶ୍ରୀ ଓ ଶ୍ରୀଗଣିତ ଶାଢିର ଡିଜାଇନ୍ କରିଛନ୍ତି, କିନ୍ତୁ ଏବେ ରାଜେଶ ମେହର ବାହାବା ନେବାକୁ ଆଗେଇ ଆସିଛନ୍ତି । ରାଜେଶ ଦାବି କରିଛନ୍ତି ସେ ହିଁ ମା’ ଶାଢୀର ପ୍ରସ୍ତୁତ କରିଛନ୍ତି । ସେ ନିଜ ମାଆଙ୍କୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ମାଆ ଶାଢୀ। ରାଜେଶ ମେହେର ଆହୁରି ଦାବି କରିଥିଲେ ଯେ ଲକ୍‌ଡାଉନ୍‌ ସମୟରେ ସେ ଘରେ ବସି ବସି ଏହାକୁ ପ୍ରସ୍ତୁତ କରିଛନ୍ତି । ତେବେ ମା’ ଶାଢ଼ିକୁ ବୁଣିଥିବା ଅସଲ ବ୍ୟକ୍ତି ହେଉଛନ୍ତି ବିଶ୍ୱନାଥ ମେହେର। ଏଥିପାଇଁ ତାଙ୍କ ନାଁ ନ୍ୟାସନାଲ ବୁକ୍‌ ଆୱାର୍ଡରେ ମଧ୍ୟ ନାମିତ ଅଛି। ମା’ ଶାଢ଼ିର ବିଶେଷତ୍ୱ ହେଉଛି, ଏହି ଶାଢ଼ିରେ ୧୩ ଟି ଭାଷାରେ ମା’ ଲେଖାଯାଇଛି।

ଅଗଷ୍ଟରେ ବିଧାନସଭା ମୌସୁମୀ ଅଧିବେଶନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସନ୍ତା ମାସରେ ସଂସଦର ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଓ କୋଭିଡ୍ ଗାଇଡଲାଇନକୁ ପାଳନ କରି ଓଡ଼ିଶା ବିଧାନସଭାର ଅଧିବେଶନ ବସିବା ନିଷ୍ପତ୍ତି ନିଆଯିବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ତେବେ କୋଭିଡ୍ ଗାଇଡଲାଇନକୁ ପାଳନ କରି ବିଧାନସଭାର ମୌସୁମୀ ଅଧିବେଶନ ଅଗଷ୍ଟ ମାସରେ ବସିବ। ଏଥିପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି । ଲୋକସଭା ବାଚସ୍ପତି ଡଃ ଓମ୍ ବିର୍ଲାଙ୍କ ଦ୍ୱାରା ଆଜି ଆୟୋଜିତ ଏକ ଭର୍ଚୁଆଲ ସମୀକ୍ଷା ବୈଠକରେ ଯୋଗ ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଓଡ଼ିଶା ବିଧାନସଭାର ଅଧିବେଶନ ବର୍ଷକୁ ଅନ୍ତତଃପକ୍ଷେ ୬୦ଦିନ ବସୁଥିବା ବ୍ୟବସ୍ଥାକୁ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ କରାଯାଇଥିଲା। ଓଡ଼ିଶା ବିଧାନସଭାର ପ୍ରତ୍ୟେକ ଆଲୋଚନାକୁ ଲୋକଙ୍କ ନିକଟରେ ତ୍ୱରିତ୍ ଭାବେ ପହଂଚାଇବା ପାଇଁ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯାଉଛି। ଏବେ କେବଳ ତାରକାଚିହ୍ନିତ ପ୍ରଶ୍ନାବଳୀକୁ ଛାଡ଼ିଦେଲେ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ଓ ବିବରଣୀ ବିନା କାଗଜରେ ସମ୍ପନ୍ନ ହେଉଛି । ଓଡ଼ିଆମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ଓ କୋଭିଡ୍ ପରିସ୍ଥିତିର ସଫଳ ମୁକାବିଲା ପାଇଁ ବିଧାନସଭାରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି। ସମ୍ବିଧାନର ୧୦ମ ଅନୁଚ୍ଛେଦର ସଂଶୋଧନ ପାଇଁ ଆସାମ, ଓଡ଼ିଶା ଓ ରାଜସ୍ଥାନର ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନ ହୋଇଛି ଓ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ନୂଆ ବ୍ୟବସ୍ଥାରେ ଏହା ସହାୟକ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ବୈଠକରେ ଲୋକସଭା ବାଚସ୍ପତି ନିଜର ଅଭିଭାଷଣ ରଖିଥିବାବେଳେ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ।

ଟେଣ୍ଡରଧାରିଙ୍କ ପେପର ଚିରି ଯୁବ ବିଜେଡି ନେତା ଗିରଫ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/କେନ୍ଦୁଝର)- ମହଙ୍ଗା ପଡ଼ିଲା ବିଜେଡି ନେତାଙ୍କ ଦାଦାଗିରି। ଟେଣ୍ଡରଧାରୀଙ୍କ ପେପର ଓ ଡିଡି ଚିରିବା ଅଭିଯୋଗରେ କେନ୍ଦୁଝର ପୁଲିସ ତାଙ୍କୁ ଗିରଫ କରିଛି। ସାହାରପଡା ବ୍ଲକ ମୁଖ୍ୟ କିରାଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି।ସାହାରପଡା ବ୍ଲକର ୪୭ଟି ସ୍କୁଲ୍‌ ଘର ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ଏଥିପାଇଁ ୧୧ ଜଣ ଟେଣ୍ଡର ପକାଇଥିଲେ। ସୋମବାର ଟେଣ୍ଡର ବାକ୍ସ ଖୋଲିଥିଲା। ବ୍ଲକ ଅଫିସ୍‌ର ମୁଖ୍ୟ କିରାଣୀ ଟେଣ୍ଡର ଆବେଦନ ପେପର ଗୋଡ଼ିକୁ ବାକ୍ସରୁ କାଢ଼ି ନିଜ ଟେବୁଲ୍‌ ଉପରେ ରଖିଥିଲେ। ଏହି ସମୟରେ ଜିଲ୍ଲା ଯୁବ ବିଜେଡି ଉପ-ସଭାପତି କରୁଣା ସାଗର ଖଟୁଆ ବ୍ଲକ ଅଫିସ୍‌ରେ ପଶି ମୁଖ୍ୟ କିରାଣୀଙ୍କ ଟେବୁଲ୍‌ ଉପରେ ଥିବା ଟେଣ୍ଡର ଆବେଦନ ପେପର ଗୋଡ଼ିକୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଟେଣ୍ଡର ପେପରରେ ଥିବା ୧୧ଟି ଡିଡିକୁ ମଧ୍ୟ ସେ ଚିରି ହୋ-ହଲ୍ଲା କରିଥିଲେ।ବିଜେଡି ନେତାଙ୍କୁ ଏପରି କାର୍ଯ୍ୟକୁ ବିରୋଧ କରି ସାହାରପଡା ବ୍ଲକର ମୁଖ୍ୟ କିରାଣୀ ହାଡିବନ୍ଧୁ ପାତ୍ର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ କରୁଣା ସାଗର ଖଟୁଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲେ। ପରେ ଅର୍ଥାତ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ଧାନ କିଣାରେ ଅବ୍ୟବସ୍ଥାର ଗୁମର ଖୋଲିଲା କେନ୍ଦ୍ରୀୟ ଟିମ୍‌, ବିଜେପି କଲା ଭର୍ତ୍ସନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଧାନକିଣାର ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ କରାଯାଇଛି ବୋଲି ବାହାବା ନେଉଥିବା ଶାସକ ବିଜେଡି, ମିଲର ଜରିଆରେ ନିଜର ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଟିମ୍ ଓଡ଼ିଶା ଗସ୍ତରେ ଆସି ସରଜମିନ୍ ତଦନ୍ତ ପରେ ଦେଇଥିବା ୫୬ ପୃଷ୍ଠାର ରିପୋର୍ଟରେ ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀ ନିଜ ହକରୁ ବଂଚିତ ରହୁଛି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ଚାଷୀଙ୍କଠୁ ଧାନକିଣା ନଗଲେ ଜୁନ୍ ୨୫ତାରିଖରେ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଚେତାବନୀ ଦେଇଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡ଼ି ରହି ନଷ୍ଟ ହେଉଛି। ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି। ଦଲାଲ ସକ୍ରିୟ ଥିବା ଓ ସେମାନଙ୍କ ଉପସ୍ଥିତି ଯୋଗୁ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କ୍ୱିଣ୍ଟାଲ ପିଛା ୧ହଜାରୁ ୧୨୦୦ଟଙ୍କାରେ ବିକ୍ରି କରୁଛି। କଟନୀ ଛଟନୀ କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ମିଲର ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି । ରାଜ୍ୟ ସରକାରଙ୍କ ସବୁଠୁ ଅଧିକା ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କହି କୁମ୍ବୀର କାନ୍ଦଣା କାନ୍ଦି ଓଡ଼ିଆ ଚାଷୀଙ୍କୁ ପରିହାସ କରୁଛନ୍ତି। ଓଡ଼ିଶାରେ ଧାନକିଣାରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ଓଡ଼ିଶାର ବିଜେପିର ସାଂସଦମାନେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଆଲୋଚନା କରିଥିଲେ । ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବା ସହ ଧାନକିଣା ପ୍ରକ୍ରିୟା ସହ ଜଡ଼ିତ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅଫିସରଙ୍କ ସହ ଆଲୋଚନା କରି ୫୬ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡ଼ିକରେ କମାଇ ଦିଆଯାଇଛି। ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିବା ବିଜେପି କହିଛି। ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଓ ନିରପେକ୍ଷ କରାଯାଉ। ରାଜ୍ୟ ସରକାର ଇ-ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ କରନ୍ତୁ। ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂଷ୍ଟୋରେଜ ପଏଂଟୱାରୀକୁ ଲୋକଲୋଚନକୁ ଆଣି ଅଡିଟ୍ କରନ୍ତୁ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି। ରାଜଧାନୀରେ ସରକାରୀ ବାବୁ ମାନେ ଏସି ଚାମ୍ବରରେ ବସି ଟୋକନ ନିର୍ଦ୍ଧାରଣ କରୁଛନ୍ତି। ଫଳରେ ଚାଷୀ ଯେତିକି ଜମିରେ ଧାନ ଉତ୍ପାଦନ କରୁଛି ତା ଠାରୁ ଢେର କମ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ମିଲରଙ୍କୁ ସିଧାସଳଖ ଧାନ ବିକିବାକୁ ପ୍ରୋତ୍ସାହିତ କରାଯାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଅଭିଯୋଗ କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାଏକଙ୍କ ସମେତ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ କୃଷକ ମୋର୍ଚ୍ଚା ସଂପାଦକ କାମାକ୍ଷା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ଚାଇନାର ଖେଳଣା ବଜାରକୁ ମାତ୍ ଦେବ ଭାରତ, ଟୟକାଥନ ୨୦୨୧ ଉଦଘାଟିତ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଓ ବୟନ ଶିଳ୍ପମନ୍ତ୍ରୀ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଙ୍ଗଳବାର ମିଳିତ ଭାବେ ‘ଟୟକାଥନ ୨୦୨୧’ର ଫାଇନାଲ ସମାରୋହକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ଯଥା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଏହି ‘ଟୟକାଥନ୍‍ ୨୦୨୧’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ଏକ ଆନ୍ତଃ- ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଯେଉଁଥିରେ ନୂତନ ତଥା ଅଭିନବ ଧରଣର କଣ୍ଢେଇ ପ୍ରସ୍ତୁତର ଚିନ୍ତାଧାରା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଗତବର୍ଷ ଗୁଲଓ୍ୱାନ ଘାଟିରେ ଭାରତ ଏବଂ ଚାଇନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସଂପର୍କରେ ତିକ୍ତତା ଆସିବାରୁ ଚାଇନାର ଖେଳଣା ବଜାରକୁ ମାତ୍ ଦେବା ପାଇଁ ଗତବର୍ଷ ଭାରତ ପକ୍ଷରୁ ଟୟକାଥନ ଆରମ୍ଭ ହୋଇଛି। ସ୍ଥାନୀୟ ଭାବେ ଉପଲବ୍ଧ ସାମଗ୍ରୀ ଯାହାକି ସହଜ, ସୁଲଭ, ନିରାପଦ, ପରିବେଶ ଅନୁକୂଳ ଭାବେ ଉପଲବ୍ଧ ସେସବୁକୁ ବ୍ୟବହାର କରାଯାଇ ଉଭୟ ଭାରତୀୟ ତଥା ବୈଶ୍ୱିକ ବଜାରରେ ଉପଲବ୍ଧ କରାଯିବ ବୋଲି ଉଦ୍ଦେଶ୍ୟ ରହିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଏହା ଏକ ଐତିହାସିକ ଅବସର ଯେତେବେଳେ କି ଦେଶର ପ୍ରଥମ କଣ୍ଢେଇ ହାକାଥନ୍‍ ଏବେ ବିଶ୍ୱକୁ ସମର୍ପିତ କରାଯାଉଛି। ଚଳିତବର୍ଷର ଟୟକାଥନ ୨୦୨୧ରେ ଅଂଶଗ୍ରହଣ କରିଥିବା ୧୭୭୪୯ଟି ବ୍ୟକ୍ତିଗତ ଦଳଙ୍କୁ ସେ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଗ୍ରାଣ୍ଡ୍‍ ଫିନାଲେରୁ ଉପଲବ୍ଧ ଅନେକ ଚିନ୍ତାଧାରା ଓ ଧାରଣାକୁ ବ୍ୟବସାୟିକ ଭାବେ ଉପଯୋଗ କରାଯାଇ ପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ କଣ୍ଢେଇଗୁଡ଼ିକର ଶିଶୁମାନଙ୍କ ମନସ୍ତାତ୍ତ୍ୱିକ ସାମର୍ଥ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ ଏବଂ ସେମାନଙ୍କ ସ୍ମୃତି, କୌଶଳକୁ ପ୍ରଭାବିତ କରିବା ସହ ସେମାନଙ୍କ ଠାରେ ବ୍ୟାପକ ଦାୟିତ୍ୱବୋଧ ସୃଷ୍ଟି କରିଥାଏ ଯାହାକି ପିଲାଟିକୁ ଭବିଷ୍ୟତରେ ନିଜସ୍ୱ ସାମର୍ଥ୍ୟ ଜୁଟାଇବାରେ ସହାୟକ ହୋଇଥାଏ । ମନ୍ତ୍ରୀ ଇରାନୀ ଉଦ୍‍ବେଗ ପ୍ରକଟ କରି କହିଲେ ଯେ ଏବେ ଆମର ପିଲାମାନେ ଯେଉଁସବୁ ଖେଳଣା କଣ୍ଢେଇ ବ୍ୟବହାର କରୁଛନ୍ତି ସେଥିରୁ ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନି ହେଉଛି ଏବଂ ସେସବୁ ପ୍ରାୟତଃ ପ୍ଲାଷ୍ଟିକରେ ପ୍ରସ୍ତୁତ। ପୋଷଣୀୟ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଶ୍ୱିକ ପ୍ରତିବଦ୍ଧତାରୁ ପ୍ରେରଣା ଲାଭ କରି ବିଭିନ୍ନ ଗବେଷଣା ସଂସ୍ଥା ଏବଂ କଣ୍ଢେଇ ଉତ୍ପାଦକମାନଙ୍କୁ ପୋଷଣୀୟ କଣ୍ଢେଇ ପ୍ରସ୍ତୁତ କରିବା ନିମନ୍ତେ ସେ ଆହ୍ୱାନ ଜଣାଇଛନ୍ତି । ଭାରତ ତା’ର ଇଞ୍ଜନିୟରିଂ ସାମର୍ଥ୍ୟ ନିମନ୍ତେ ସର୍ବତ୍ର ସୁପରିଚିତ ଏବଂ ଆମର ପ୍ରଯୁକ୍ତିବିତମାନେ ଏହି କ୍ଷେତ୍ରରେ ସେମାନଙ୍କର ଅଭିନବତ୍ୱ ପ୍ରଚୁର ମାତ୍ରାରେ ପ୍ରଦର୍ଶନ କରି ଇଲେକ୍ଟ୍ରୋନିକ୍‍ କଣ୍ଢେଇ ପ୍ରସ୍ତୁତ କରି ଦେଖାଇବାକୁ ସେ ଆହ୍ୱାନ କରିଛନ୍ତି। ସେହିଭଳି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ କହିଛନ୍ତି ଭାରତର କଣ୍ଢେଇ ବଜାର ଏବେ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର ଛୁଇଁଛି ଏବଂ ସେଥିରୁ ଆମେ ଅଧିକତର କଣ୍ଢେଇ ବିଦେଶରୁ ଆମଦାନୀ  କରୁଛୁ। ବିଶ୍ୱର କଣ୍ଢେଇ ବଜାର ପ୍ରାୟ ୧୦୦ ବିଲିୟନ ଡଲାରର। ତେଣୁ ଆମେ ଅଧିକ ସୃଜନଶୀଳ, ଅଭିନବତା ପ୍ରଦର୍ଶନ କି ଆମର ଉତ୍ପାଦନ କ୍ଷମତାକୁ ମଧ୍ୟ ଏହି କ୍ଷେତ୍ରରେ ପ୍ରଦର୍ଶନ କରିପାରିବା। ଟୟକାଥନ ଆମର ଯୁବ ଅଭିନବ ମାନସିକତାକୁ ଆଗକୁ ଆଗେଇ ନେବ ଏବଂ ତାହା ଭାରତ ଓ ସାରା ବିଶ୍ୱରେ ପ୍ରଦର୍ଶିତ ହୋଇପାରିବ। ସେହିଭଳି କଣ୍ଢେଇ ମାଧ୍ୟମରେ ଆମେ ଘୋଷା ପାଠ ବଦଳରେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟକୁ ସୃଜନଶୀଳ ଭାବେ ଅଧ୍ୟୟନ କରିପାରିବା ବୋଲି ସେ କହିଥିଲେ। କଣ୍ଢେଇ ମାଧ୍ୟମରେ ଆମେ ଆମର ମୂଲ୍ୟବୋଧ, ଚିନ୍ତାଧାରା, ପରମ୍ପରା ତଥା ଇତିହାସ ଓ ସଂସ୍କୃତି ସଂପର୍କରେ ସଚେତନତାକୁ ପ୍ରଦର୍ଶିତ କରିପାରିବା ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏଥିପାଇଁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି।  ତେଣୁ ଏଭଳି ଟୟକାଥନ ଆୟୋଜନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ। ରାଷ୍ଟ୍ରୀୟ ନୂତନ ଶିକ୍ଷା ନୀତି ୨୦୨୦ରେ ୫ + ୩ + ୩ + ୪ର ବ୍ୟବସ୍ଥା ରହିଛି। ଏହାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆଧାରିତ କରାଯାଇଛି ଯେଉଁଥିରେ ପିଲାମାନେ ମଧ୍ୟ କଣ୍ଢେଇର ବହୁଳ ବ୍ୟବହାର କରିପାରିବେ। ସେହିଭଳି ବିଭିନ୍ନ ପ୍ରାନ୍ତର ଭାରତୀୟ କଣ୍ଢେଇ ଦେଶର ଇତିହାସ ଓ ସଂସ୍କୃତି ମାଧ୍ୟମରେ ଯୁବମନକୁ ପରସ୍ପର ସହ ଯୋଡ଼ିପାରିବ ବୋଲି ସେ କହିଥିଲେ।

ପଞ୍ଚମ ଦିନର ଖେଳ ଶେଷ, ଭାରତ ୩୨ ରନରେ ଆଗୁଆ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୬୪ ରନ୍ କରିଛି। ଏଥିସହ ଭାରତ ୩୨ ରନରେ ଆଗୁଆ ରହିଛି । କ୍ୟାପଟେନ୍ ବିରାଟ୍ କୋହଲି ୮ ଓ ଚେତେଶ୍ୱର ପୂଜାରା ୧୨ ରନରେ ବ୍ୟାଟିଂ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରି ଅଲଆଉଟ୍ ହୋଇ ୩୨ ରନର ଅଗ୍ରଣୀ ହାସଲ କରିଥିଲା । ଜବାବରେ ଭାରତ ଦ୍ୱିତୀୟ ଇନିଂସ୍ ଖେଳିବାକୁ ଓହ୍ଲାଇଥିଲା । ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଶୁବମନ୍ ଗିଲ୍ ପ୍ରଥମ ୧୦ ଓଭର ଧୈର‌୍ୟ୍ୟର ସହ ଖେଳିଥିଲେ । କିନ୍ତୁ ଗିଲ୍ (୮)ଙ୍କୁ କିୱିର ଅଭିଜ୍ଞ ପେସର୍ ଟିମ୍ ସାଉଦୀ ଏଲବିଡବ୍ଲ୍ୟୁ କରିଥିଲେ । ରୋହିତ୍ (୩୦) ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସେ ମଧ୍ୟ ସାଉଦୀଙ୍କ ବଲରେ ଏଲବିଡବ୍ଲ୍ୟୁର ଶିକାର ହୋଇଥିଲେ। ଟିମର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ପୂଜାରା ଓ କୋହଲି କ୍ରିଜରେ ରହିଛନ୍ତି । ଷଷ୍ଠ ତଥା ଅନ୍ତିମ ଦିବସରେ ଦୁହିଁଙ୍କ ଉପରେ ଟିମର ଭାଗ୍ୟ ନିର୍ଦ୍ଧାରଣ କରୁଛି । ଆଉଟ୍ ଫିଲ୍ଡ ଓଦା ଯୋଗୁ ପଞ୍ଚମ ଦିବସରେ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ହେଲେ ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଅଭିଜ୍ଞ ରସ୍ ଟେଲର (୧୧)ଙ୍କ ୱିକେଟ୍ ହରାଇଥିଲା । ଟେଲରଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ । ହେନରୀ ନିକୋଲ୍ସ (୭)ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିବା ବେଳେ ବିଜେ ୱାଟଲିଙ୍ଗ (୧) ଓ କଲିନ୍ ଡି’ ଗ୍ରାଣ୍ଡହୋମ୍ (୧୩)ଙ୍କୁ ଶାମି ଆଉଟ୍ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ବୋଲିଂରେ କମାଲ୍ କରିଥିବା କାଇଲ୍ ଜେମିସନ୍ ଦ୍ରୁତ ୨୧ ରନ୍ କରି ଦଳ ଉପରୁ ଚାପ ହଟାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କ ୱିକେଟ୍ ନେଇ ଶାମି ନ୍ୟୁଜିଲ୍ୟାଣ୍ଡର ସପ୍ତମ ୱିକେଟ୍ ପତନ କରାଇଥିଲେ । କ୍ୟାପଟେନ୍ ୱିଲିୟମସନ୍ ଓ ଟିମ୍ ସାଉଦୀ ମିଶି ଦଳକୁ ଅଗ୍ରଣୀ କରାଇଥିଲେ । ୱିଲିୟମସନ୍ ୪୯ ରନରେ ଥିବା ବେଳେ ତାଙ୍କୁ ଈଶାନ୍ତ ଶର୍ମା କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ । ନିଲ୍ ୱାଗନର ଖାତା ଖୋଲିପାରି ନଥିବା ବେଳେ ସାଉଦି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ସାଉଦି ୪୬ ବଲରେ ୧ ଚୌକା ଓ ୨ ଛକା ସହ ୩୦ ରନ୍ କରି ଜାଡେଜାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୪ଟି, ଈଶାନ୍ତ ୩ଟି, ଅଶ୍ୱିନ୍ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

୨୩ ଜୁନ୍‌, ବୁଧବାର: ଆଜିର ରାଶିଫଳ ।

ମେଷ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ।

ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ।

ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ବନ୍ଧୁଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ। କିଛି ଶୁଭ ଖବର ମିଳିପାରେ।

ସିଂହ:  ସୁସମ୍ବାଦ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

କନ୍ୟା: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ତୁଳା: ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କର କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ବିଛା: ସନ୍ତାନସନ୍ତତିଙ୍କ ପାଇଁ ବାପାମା’ ଚିନ୍ତିତ ରହିବେ। ବହୁ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ଧନୁ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜି ପାରେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସହିତ ପରାମର୍ଶ କରିବେ।

କୁମ୍ଭ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ।

ମୀନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ବନ୍ଧୁମାନଙ୍କ ଠାରୁ ପ୍ରଶଂସା ପାଇବେ।