ପ୍ରଭୁ ରାମଙ୍କ ପରେ ଯୋଗର ଉତ୍ପତ୍ତି ଭାରତରେ ନୁହେଁ ବୋଲି କହିଲେ ନେପାଳ ପିଏମ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପୁଣିଥରେ ଭାରତ ବିରୋଧରେ ବୟାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଯୋଗର ଉତ୍ପତ୍ତି ଭାରତ ନୁହେଁ ବରଂ ନେପାଳରେ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ଭାରତ ବୋଲି ଗୋଟିଏ ଦେଶ ଚିହ୍ନଟ ହେବାର ବହୁ ପୂର୍ବରୁ ତାଙ୍କ ଦେଶରେ ଯୋଗାଭ୍ୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଛନ୍ତି। ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଭାରତ ଗୋଟିଏ ଦେଶ ଭାବେ ଗଠନ ହେବାର ବହୁ ପୂର୍ବରୁ ଯୋଗର ଅଭ୍ୟାସ ନେପାଳରେ କରାଯାଉଥିଲା। ଯେତେବେଳେ ଯୋଗର ଆବିଷ୍କାର କରାଗଲା ସେତେବେଳେ ଭାରତ ବୋଲି କିଛି ଗୋଟିଏ ରାଷ୍ଟ୍ର ନଥିଲା। ଯୋଗ ଆସିବା ବେଳେ ଭାରତର ଗଠନ ହୋଇ ନଥିଲା। ସେ ସମୟରେ କିଛି ହାତ ଗଣତି ଫିରିଙ୍ଗ ରାଜ୍ୟ ରହିଥିଲା। ତେଣୁ ଯୋଗର ଉତ୍ପତ୍ତି ନେପାଳରେ କିମ୍ବା ଉତ୍ତରାଖଣ୍ଡର ଆଖପାଖ ଅଞ୍ଚଳରେ ହୋଇଛି। ଯୋଗ କେବେ ହେଲେ ଭାରତରେ ଉତ୍ପତ୍ତି ହୋଇନାହିଁ।” ଓଲି ଆହୁରି କହିଛନ୍ତି, “ଆମେ କେବେ ହେଲେ ଯୋଗକୁ ଆବିଷ୍କାର କରିଥିବା ଆମ ପୂର୍ବପୁରୁଷଙ୍କୁ ଶ୍ରେୟ ଦେଇନଥାଉ। ଆମେ ସବୁବେଳେ ପ୍ରଫେସର ଓ ସେମାନଙ୍କ ଅବଦାନ ବିଷୟରେ କଥା ହୋଇଥାଉ। କିନ୍ତୁ ଆମେ ଯୋଗ ଉପରେ ଆମର ଦାବି କେବେ ହେଲେ ଠିକ୍ ଭାବେ ଉପସ୍ଥାପନ କରିପାରିନାହୁଁ। ଆମେ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିନାହୁଁ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଫଳତାର ସହ ଅନ୍ତର୍ଜାତୀୟ ଯୋଗ ଦିବସ ସବୁଆଡ଼େ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ। ଏହାକୁ କାର୍ଯ୍ୟକାରୀ କରାଯିବା ପରେ ଯୋଗ ଆଜି ବିଶ୍ୱସ୍ତରରେ ମାନ୍ୟତା ପାଇଛି।” ଏହାପୂର୍ବରୁ ଓଲି ପ୍ରଭୁ ରାମ ଭାରତର ନୁହେଁ ବରଂ ନେପାଳର ଅଯୋଧ୍ୟାପୁରୀ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ବୋଲି କହିଥିଲେ।

ବିଜେପିକୁ ପୁରୁଣା କଥା ମନେପକାଇ ଦେଲେ ଚିରାଗ ପାଶ୍ୱାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ କହୁଥିବା ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ଏବେ ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଜେଡିୟୁ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଚିରାଗ ବିଜେପିକୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି। ଏଥିସହ ନୀତୀଶ କୁମାର ଦଳିତ ବିରୋଧୀ ମାନସିକତା ରଖିଥିବା ଜଣେ ବ୍ୟକ୍ତି ଓ ଦଳ ମଧ୍ୟରେ ଦଳିତମାନଙ୍କୁ ଠିକ୍‌ ଭାବେ ବ୍ୟବହାର କରୁ ନଥିବା ମଧ୍ୟ କହିଛନ୍ତି। ଏହାବାଦ ବିଜେପିର ବରିଷ୍ଠ ନେତାଙ୍କ ଅଜାଣତରେ ତାଙ୍କ ବିରୋଧରେ ବିଦ୍ରୋହ ହୋଇଥିବା କଥାକୁ ମଧ୍ୟ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ତାଙ୍କ(ବିଜେପି) ସହ ପୂର୍ବରୁ ରହି ଆସିଥିଲୁ ବୋଲି କେହି ଭୁଲିବା ଉଚିତ ନୁହେଁ। ଯେତେବେଳେ ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରାଗଲା ସେତେବେଳେ ପୁରୁଣା ବନ୍ଧୁ ନୀତୀଶ କୁମାର ବିଜେପିରୁ ଅଲଗା ହୋଇଯାଇଥିଲେ। ଏହି ସମୟରେ ପାଶ୍ୱନ ଭୋଟର ହିଁ ସବୁ କିଛି ଅଦଳବଦଳ କରିଥିଲେ। ଏବେ ବି ୬% ଦଳିତ ଭୋଟ ଆମ ସହ ଅଛି। ଏକଥାକୁ ସମସ୍ତେ ମନେ ରଖିବାକୁ ଉଚିତ ବୋଲି ଚିରାଗ କହିଛନ୍ତି। ନୀତୀଶ କୁମାର ହିଁ ଏଲଜେପିକୁ ଭାଙ୍ଗି ଭୋଟ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଚିରାଗ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣ ଯଦି ତାଙ୍କ ରାଜନୀତିକ ଯାତ୍ରାକୁ ଦେଖିବେ, ତା’ହେଲେ ୨୦୦୫ ମସିହା ଫେବୃଆରୀରୁ ସେ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆମ ଟିକେଟରେ ସେତେବେଳେ ୨୭ ଜଣ ନିର୍ବାଚିତ ହୋଇଥିଲେ। ସବୁବେଳେ ପାଶ୍ୱାନ ଓ ଜାତଭମାନଙ୍କୁ ଏକଘରକିଆ କରିବା ହିଁ ତାଙ୍କର ମାନସିକତା। ସେ ତାଙ୍କ ଦଳ ମଧ୍ୟରେ ବି ଦଳିତ ମାନଙ୍କୁ ଠିକ ବ୍ୟବହାର କରୁନାହାନ୍ତି। ସେ ନିଜ ଇଚ୍ଛା ଅନୁସାରେ ଜୀତନ ରାମ ମାଞ୍ଝୀଙ୍କୁ କ୍ଷମତାରୁ ବିତାଡ଼ିତ କରିଥିଲେ। ମୁଁ ନିଶ୍ଚିତ ଭାବେ ତାଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିବି। ବିହାରରେ ରୋଡ ଶୋ’ ବେଳେ ଦଳିତମାନଙ୍କୁ ସବୁ କଥା କହିବି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାମାସରେ ଚିରାଗ ପାଶ୍ୱାନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବିହାରରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଅଲିମ୍ପିକ୍ସରେ ହକି ଟିମ୍‌ର ଉପ ଅଧିନାୟକ ହେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପୁଣିଥରେ ଜାତୀୟ ପୁରୁଷ ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ମନପ୍ରୀତ ସିଂହ ପୁରୁଷ ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମ୍‌ରେ ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି। ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ଲାକ୍ରାଙ୍କ ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। କିନ୍ତୁ ୨୦୧୨ରେ ଭାରତକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଭାରତୀୟ ମହିଳା ହକି ଟିମ୍‌ର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ।

ରାଉଡ଼ିି ଲୁକ୍‌ରେ ମାହିି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭିନ୍ନ ଭିନ୍ନ ଲୁକ୍ ପାଇଁ ପରିଚିତ ମାହି ଏବେ ପୁଣିଥରେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ। ପୁରାପୁରି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି। କୁଲ୍‌ରୁ ଏବେ ରାଉଡି ପାଲଟିଛନ୍ତି ମାହି। ମୁହଁରେ ବଡ଼ ନିଶ ରଖି ପୂରା ରାଉଡି ଲୁକ୍‌ରେ ନଜର ଆସିଛନ୍ତି ଧୋନି। ତାଙ୍କର ଏହି ଲୁକ୍ ଏବେ ଭାଇରାଲ ହେବାରେ ଲାଗିଛି। ଧୋନି ଏବେ ହିମାଚଳ ପ୍ରଦେଶରେ ଛୁଟି ବିତାଉଛନ୍ତି। ହେଲେ ଏହି ଛୁଟି ସମୟରେ ତାଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ଧୋନିଙ୍କ ପତ୍ନୀ ସାକ୍ଷୀ ତାଙ୍କର ଏକ ଫଟୋକୁ ସୋଶାଲ ମିଡିଆରେ ସେଆର କରିଛନ୍ତି। ଏହି ଫଟୋରେ ବଡ଼ ନିଶ ଓ ହିମାଚଳୀ ଟୋପି ତାଙ୍କର ଲୁକକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଧୋନିଙ୍କ ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଫଟୋରେ କମେଣ୍ଟ କରି ପ୍ରଶଂସକମାନେ କହିଛନ୍ତି ଯେ, ‘ନିଶ ହେବ ତ ଧୋନିଙ୍କ ଭଳି’। ଅନ୍ୟପଟେ ମାହିଙ୍କ ପ୍ରଶଂସକଙ୍କୁ ଯେମିତି ସୂଚନା ମିଳିଥିଲା ଯେ, ତାଙ୍କର ପ୍ରିୟ କ୍ରିକେଟର ଶିମଲାରେ ବୁଲୁଛନ୍ତି, ତାଙ୍କର ଟିକିଏ ଝଲକ ପାଇବାକୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ମାହି ମଧ୍ୟ ନିଜର ପ୍ରଶଂସକଙ୍କୁ ନିରାଶ କରିନଥିଲେ । ତାଙ୍କୁ ଭେଟିବାକୁ ଆସିଥିବା ଜଣେ ପ୍ରଶଂସକ ତାଙ୍କୁ ୪ଟି କ୍ରିକେଟ ବ୍ୟାଟ ଉପହାର ଦେଇଥିଲା। ହିଲ୍ସର ରାଣୀ ଶିମଲାରେ ପହଞ୍ଚିବା ପରେ ଧୋନି ଶିମଲାର ବାଇପାସ୍ ରୋଡ୍ର କାନଲୋଗରେ ରହିଛନ୍ତି। ସେଠାରେ ତାଙ୍କ ସଂଗରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହିତ ଅଛନ୍ତି। ସୂଚନା ମୁତାବକ ଗତବର୍ଷ ହିଁ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ଅନେକ ଫ୍ୟାନମାନଙ୍କ ହୃଦୟ ଭାଙ୍ଗି ଦେଇଥିଲା।

ଭୟ କରୁଛନ୍ତି ସାହିଦ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଚକୋଲେଟ୍ ହିରୋ ସାହିଦ କପୁର । ତାଙ୍କ ଆକ୍ଟିଂ, ଡ୍ୟାନ୍ସ ଓ ଆକ୍ସନ ସମସ୍ତଙ୍କୁ କରେ ଘାଇଲା । ପିଲ୍ମ ଏବଂ ଅସଲ ଜୀବନରେ ବିନ୍ଦାସ ରହୁଥିବା ସହିଦ ଏବେ କିନ୍ତୁ ଭୟ କରୁଛନ୍ତି । ତେବେ ତାଙ୍କ ଭୟ କରିବାର କାରଣ କୌଣସି ଭୂତ କିମ୍ବା ପ୍ରେତ ନୁହେଁ, ତାଙ୍କ ଭୟର କାରଣ ହେଉଛି ଓଟିଟି । ‘ଓଟିଟି’ ମଞ୍ଚରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ସାହିଦ । ତେବେ ଏହା ପୂର୍ବରୁ ଏହି ଅଭିନେତା ଜଣକ ଟିକେ ଭୟଭିତ ହୋଇପଡିଛନ୍ତି । ସେ କହିଛନ୍ତି, ଫିଲ୍ମରେ ତାଙ୍କୁ ଯେଉଁଭଳି ସଫଳତା ମିଳିଛି ଓଟିଟି ମଂଚରେ ସେହିଭଳି ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଏଥିପାଇଁ ଡିଜିଟାଲ ଦୁନିଆରେ ଡେବ୍ୟୁ କରିବାକୁ ନେଇ ସେ ଟିକେ ନର୍ଭସ ହେଉଛନ୍ତି । ତାଙ୍କୁ ବାସ୍ତବରେ ଲାଗୁଛି ଯେ, ଯେଉଁ ଅଭିନେତାମାନଙ୍କୁ ବଡ ପରଦାରେ ସଫଳତା ମିଳିଛି, କ’ଣ ଡିଜିଟାଲ ଦୁନିଆରେ ସେହିଭଳି ସଫଳତା ମିଳିପାରିବ କି?’ ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘କବିର ସିଂହ’ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିବା ପାଇଁ ଲାଇଭ୍ ଆସିଥିଲେ ସାହିଦ । ଏହି ସମୟରେ ସେ ଏଭଳି ପ୍ରଶ୍ନ କରିଛନ୍ତି । ‘ଜବ୍ ୱି ମେଟ୍‌’, ‘କମିନେ’, ‘ହେଦର’ ଏବଂ ‘କବିର ସିଂହ’ ଭଳି ଫିଲ୍ମରେ କରିଥିବା ଅଭିନେତା ରାଜ ନିଦିମୋରୁ ଓ କୃଷ୍ଣା ଡିକେ ମିଶି ଏକ ୱେବ୍ ସିରିଜ ଆଣୁଛନ୍ତି । ଏହି ୱେବ୍ ସିରିଜ୍‌ରେ ସାହିଦ ନଜର ଆସିବେ । ତେବେ ବର୍ତ୍ତମାନ ଯାଏ ଏହାର ଟାଇଟଲ ରଖାଯାଇ ନାହିଁ ।

ଭାବୁକ ହେଲେ ଖିଲାଡି ଷ୍ଟାର ଅକ୍ଷୟ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ଦମଦାର ଆକ୍ସନ ସାଙ୍ଗକୁ ଜବରଦସ୍ତ ଅଭିନୟ ଓ କମେଡି ପାଇଁ ସେ ବେଶ୍ ପ୍ରସିଦ୍ଧ । ସର୍ବଦା ହସ ଖୁସି ମିଜାଜରେ ରହୁନ୍ତି ଅକ୍ଷୟ। କିନ୍ତୁ ଏବେ ହଠାତ୍ ସେ ଭାବୁକ ହୋଇପଡିଛନ୍ତି। ପ୍ରକୃତରେ ସେ ତାଙ୍କ ଭଉଣୀଙ୍କୁ ମନେ ପକାଇ ଏକ ଇମୋସନାଲ ପୋଷ୍ଟ ସେଆର କରିଛନ୍ତି। ତାଙ୍କ ଅପକମିଂ ଫିଲ୍ମ ‘ରକ୍ଷା ବନ୍ଧନ’କୁୁ ସେ ତାଙ୍କ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି।ଅକ୍ଷୟ ନିଜ ଟୁଇଟରେ ଲେଖିଛନ୍ତି, ‘ମୁଁ ମୋ ଭଉଣୀ ଅଳକାଙ୍କ ସହ ଛୋଟରୁ ବଡ଼ ହେଲି। ସେ ହିଁ ମୋର ପ୍ରଥମ ବନ୍ଧୁ। ଏହା ସବୁଠାରୁ ସହଜ ବନ୍ଧୁତା ଥିଲା ଏବଂ ପବିତ୍ର। ଆନନ୍ଦ ଏଲ୍ ରୟଙ୍କ ଫିଲ୍ମ ରକ୍ଷାବନ୍ଧନକୁ ମୁଁ ମୋ ଭଉଣୀକୁ ଡେଡିକେଟ୍ କରୁଛି । ଆଜି ସୁଟିଂର ପ୍ରଥମ ଦିନ ତେଣୁ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦରକାର।’ ପ୍ରକୃତରେ ଦୀର୍ଘ ଦିନର ଲକଡାଉନ ପରେ ଆଜିଠାରୁ ଅକ୍ଷୟଙ୍କ ଅପ୍‌କମିଂ ଫିଲ୍ମ ‘ରକ୍ଷାବନ୍ଧନ’ର ସୁଟିଂ ଆରମ୍ଭ ହୋଇଛି। ଏନେଇ ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଏଥିସହ ସୁଟିଂ ସେଟ୍‌ର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ ଲିଡ୍ ରୋଲ୍‌ରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଭୂମି ପେଡନେକର। ଅନ୍ୟ ପ୍ରମୁଖ ଭୂମିକାରେ ଦୀପିକା ଖନ୍ନା, ସାନିଆ ଏବଂ ସ୍ମୃତି ଶ୍ରିକାନ୍ତ ମଧ୍ୟ ଅଛନ୍ତି। ଏହି ତିନି ଅଭିନେତ୍ରୀ ଅକ୍ଷୟଙ୍କ ଭଉଣୀ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କିଛି ସୂଚନା ନାହିଁ।

ମୋ ଗୀତ ଏନଜୟ କରୁଛ’ କିନ୍ତୁ ‘ମୋତେ ଘୃଣା କରୁଛ କଣ ପାଇଁ …?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ସବୁବେଳେ ହସହସ ମୁଁହରେ ରହୁଥିବା ନେହା କକ୍କର ଏଥର କିନ୍ତୁ ରାଗରେ ପାଚି ଲାଲ ପଡିଛନ୍ତି। ନିଜ ଉଚ୍ଚତା ପାଇଁ ବିଭିନ୍ନ ସମୟରେ ଟ୍ରୋଲର ଶିକାର ହେଉଥିବା ନେହାଙ୍କୁ ଏଥର ଟାର୍ଗେଟ କରିଥିଲେ କମେଡିଆନ କିକୁ ସାରଦା। କିକୁଙ୍କ କମେଣ୍ଟ ଅସହ୍ୟ ହେବାରୁ ନାଁ ନନେଇ ସୋଶାଲ ମିଡ଼ିଆରେ ନିଜ ରାଗ ଝାଡ଼ିଛନ୍ତି ନେହା। କିଛି ଦିନ ପୂର୍ବେ କିକୁ ନିଜ ସାଥୀ କମେଡିଆନ ଗୌରବ ଗେରାଙ୍କ ସହ ମିଶି ନେହାଙ୍କ ଉଚ୍ଚତାକୁ ନେଇ ଖୁବ୍ ମଜାକ୍‌ ଉଡ଼ାଇଥିଲେ। ଏହା ନେହାଙ୍କୁ ଖୁବ୍ ବାଧି ଥିବା ବେଳେ ଇନଷ୍ଟାଗ୍ରାମରେ ସେ କିକୁଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। କାହାରି ନାଁ ନ ନେଇ ନେହା ଲେଖିଛନ୍ତି, ମୋ ଗୀତକୁ ଖୁବ ଏନଜୟ କରୁଛ, ମୋ ଗୀତ ବିନା ପାର୍ଟି କରିବା ମୁସ୍କିଲ। ନିଜ ନିଜ ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡଙ୍କୁ ମୋ ଗୀତ ଶୁଣଉଛ, ହେଲେ ଏତେ ଘୃଣା କ’ଣ ପାଇଁ ? ଆଜିକାଲି ଖୁସି ବହୁ କଷ୍ଟରେ ମିଳୁଛି। ଯେଉଁମାନଙ୍କ ପାଇଁ ଆମେ ନିଜ ଜୀବନରେ ଖୁସି ରହୁଛୁ, ସେମାନଙ୍କ ନିକଟରେ ଆମେ କୃତଜ୍ଞ ହେବା ଉଚିତ। ମୋର ସବୁ ଗୀତରେ ଏନଜୟ କରିବା ପରେ ଏ ସବୁ କ’ଣ? ଏଥିସହ ସେ ଲେଖିଛନ୍ତି, ଏପରି ନେଗେଟିଭ କଣ୍ଟେଣ୍ଟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଲଜ୍ୟା ଆସିଵା ଦରକାର। ମୋତେ ଏତେ ଘୃଣା ଯଦି କରୁଛ, ତେବେ ମୋ ଗୀତର ବ୍ୟବହାର କରିବା ବନ୍ଦ କରିଦେବା ଉଚିତ। ଏପରି ସ୍ଥିତିର ସମ୍ମୁଖୀନ ହେବା ସମୟରେ ନିଜକୁ ବହୁ କଷ୍ଟରେ ସମ୍ଭାଳନ୍ତି ବୋଲି କହିଛନ୍ତି ନେହା। ଏନେଇ ନେହା କହିଛନ୍ତି, ମୋ ହାଇଟ୍‌ କମ୍‌ ହେଲେ କ’ଣ ହେଲା, ମୁଁ ସବୁଠୁ ସୁନ୍ଦର ବୋଲି ମୋର ବିଶ୍ୱାସ ରହିଛି। ଇଣ୍ଡିଆନ ଆଇଡଲରେ ଜଜ୍‌ ସିଟରେ ବସୁଥିବା ନେହା ଗତ କିଛି ଏପିସୋଡ଼ରେ ଟ୍ରୋଲର ଶିକାର ହୋଇଛନ୍ତି। କିଶୋର କୁମାରଙ୍କ ଏକ ଗୀତ ଗାଇ ସମାଲୋଚନାର ଶିକାର ହୋଇଥିବା ନେହାଙ୍କୁ ଅଭିଜିତ ଭଟ୍ଟାଚାର୍ଯ୍ୟ ବି ଖୁବ କମେଣ୍ଟ କରିଥିଲେ। ୪ଟି ଗୀତ ଗାଇଥିବା ସିଙ୍ଗରଙ୍କୁ ଜଜ ସିଟ୍‌ରେ ବସାଯାଉଥିବା ସେ କହିଥିଲେ।

‘ମୋ ଗୀତ ଯୋଗୁ ଅକ୍ଷୟ ଆଜି ସୁପରଷ୍ଟାର’…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଇଣ୍ଡିଆନ ଆଇଡଲ ସୋରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିବା ବଲିଉଡର ସେଲିବ୍ରେଟି ସିଙ୍ଗର ଅଭିଜିତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ଉପରେ ଦେଇଥିବା ଟିପ୍ସଣୀକୁ ସୋଶାଲ ମିଡ଼ିଆରେ ବଢ଼ାଇ ଚଢାଇ ଦେଖାଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିଜିତ। ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଜିତ କହିଛନ୍ତି, ଅକ୍ଷୟ କୁମାରଙ୍କୁ ସେ ଷ୍ଟାର ବନେଇଛନ୍ତି l କେବଳ ସେତିକି ନୁହେଁ, ଅକ୍ଷୟ କୁମାରଙ୍କୁ ସେ ଗରିବଙ୍କ ମିଥୁନ ଚକ୍ରବର୍ତ୍ତୀ ବୋଲି କହିଛନ୍ତି। ଏଥିସହ ଅକ୍ଷୟ ଆଜି ଜଣେ ସୁପର ଷ୍ଟାର ହୋଇଥିବା ବେଳେ ଏହା ପଛରେ ତାଙ୍କ ଗୀତର ଅବଦାନ ରହିଛି। ଏଥିସହ ଏହି ଭେଟରାନ ସିଙ୍ଗର କହିଛନ୍ତି, ଯେବେ ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ପାଦ ରଖିଲେ ସେତେବେଳେ ସେ ଷ୍ଟାର ନଥିଲେ। ହେଲେ ମୋ ଗୀତ ଯୋଗୁ ସେ ଆଜି ସୁପରଷ୍ଟାର। ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଗରୀବଙ୍କ ଅମିତାଭ ବଚ୍ଚନ କୁହାଯାଉଥିବା ବେଳେ ଅକ୍ଷୟଙ୍କୁ ଗରିବଙ୍କ ମିଥୁନ କୁହାଯାଉଥିଲା। ଏହାବାଦ ସେ କହିଛନ୍ତି, ସଙ୍ଗୀତରେ ବହୁତ ବଡ଼ ଶକ୍ତି ଅଛି। ଏହା ଜଣେ ଆକ୍ଟରଙ୍କୁ ଷ୍ଟାର ବନାଇଥାଏ। ଅକ୍ଷୟ କୁମାର ଖିଲାଡି ଫିଲ୍ମ ପରେ ଷ୍ଟାର ହେଲେ, ତାଙ୍କ ଗୀତ ‘ବାଦା ରହା ସନମ’ ମୁଁ ଗାଇଥିଲି। ମୋ ଭଏସ ତାଙ୍କୁ ସୁଟ କରୁଥିଲା। ଏହାପରେ ତାଙ୍କ ବହୁ ଫିଲ୍ମର ଟାଇଟଲରେ ଖିଲାଡି ଶବ୍ଦର ବ୍ୟବହାର କରାଯାଇଥିଲା। ତେଣୁ ମୋ ଭଏସ ତାଙ୍କୁ ଷ୍ଟାରଡମର ସ୍ୱାଦ ଚଖାଇଥିଲା। ଏହାବାଦ ସେ କହିଛନ୍ତି, ମୁଁ ଷ୍ଟାରଙ୍କ ଗୀତ ଗାଇବାକୁ ଅଛି, ଆକ୍ଟର୍ସଙ୍କର ନୁହେଁ। ଜଣେ ଯଦି ଷ୍ଟାର ନୁହେଁ, ତେବେ ତାହାର କିଛି ମୂଲ୍ୟ ନାହିଁ।

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଜ୍ୟାକିଙ୍କ ବଡ଼ ଖୁଲାସା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବି-ଟାଉନ୍‌ର ଡ୍ୟାନ୍ସିଂ ଷ୍ଟାର୍ ଟାଇଗର ଶ୍ର୍ରଫ । ଖୁବ୍ କମ୍ ଦିନ ମଧ୍ୟରେ ବାପା ଜ୍ୟାକି ସ୍ରଫଙ୍କ ଭଳି ସେ ନିଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ, ଦମଦାର ଆକ୍ସନ ଏବଂ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ଟାଇଗର। ତେବେ ଏହି ଅଭିନେତା ଜଣକ ନିଜ ଆକ୍ଟିଂ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଟାଇଗର ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନହେବ ପ୍ରେମ ସମ୍ପର୍କ ଚାଲିଛି। ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ଏକାଠି ବିଭିନ୍ନ ପାର୍ଟିରେ ଦେଖିବାକୁ ମଧ୍ୟ ମିଳେ। ତେବେ ଦୁହେଁ କିନ୍ତୁ ଅଫିସିଆଲି ନିଜ ପ୍ରେମ ସମ୍ପର୍କକୁ ନେଇ ଜାହିର କରିନାହାନ୍ତି। ଏହାରି ଭିତରେ ଜ୍ୟାକି ଶ୍ରଫ ପୁଅ ଟାଇଗରଙ୍କ ଲଭ୍ ଲାଇଫ୍‌କୁ ନେଇ ବଡ଼ ଖୁଲାସା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜ୍ୟାକି କହିଛନ୍ତି, ‘ପ୍ରଥମେ ୨୫ ବର୍ଷ ବୟସରେ ଟାଇଗର ଡେଟିଂ ଆରମ୍ଭ କରିଥିଲେ। ଦିଶା ଏବଂ ଟାଇଗର ପ୍ରକୃତରେ ଭଲ ବନ୍ଧୁ। ମୁଁ ଜାଣିନି ଦୁହେଁ ତାଙ୍କର ଭବିଷ୍ୟତ ପାଇଁ କ’ଣ ନିଷ୍ପତ୍ତି ନେଇଛନ୍ତି। ତେବେ ମୁଁ ଗୋଟିଏ କଥା ନିଶ୍ଚିତ ଯେ, ଟାଇଗର ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଟାଇଗରଙ୍କ ପାଇଁ ତାଙ୍କ କାମ ହିଁ ବଡ଼, ତାହା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ନିଜ କାମକୁ ନେଇ ବେଶ୍ ସିରିଅସ୍।’ ସୂଚନା ମୁତାବକ, ନିକଟରେ ଦିଶା ପଟାନୀ ଟାଇଗର ଶ୍ରଫ ଏବଂ ତାଙ୍କ ଉଭଣୀ କୃଷ୍ଣାଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ପାଳନର ଫଟୋକୁ ଦିଶା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଥିଲେ।

୨୨ ଜୁନ୍‌, ମଙ୍ଗଳବାର – ଆଜିର ରାଶିଫଳ …!

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ପୁରାତନ ରୋଗର ଉପଶମ ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ବୃଷ: ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଗୃହରେ କଲ୍ୟାଣକର କାମ ସମ୍ପାଦନ କରି ପ୍ରଶଂସିତ ହେବେ। ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା ସହଜ ହେବ। ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ।

 

ମିଥୁନ: ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସା ପାଇବେ। ପୂର୍ବ ଯୋଜନା ସଫଳ ହେବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି, ପଦାଧିକାରୀଙ୍କ ପ୍ରିୟପାତ୍ର ହେବେ। ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କର୍କଟ: କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ହେବ। ଗୁରୁଜନ ଓ ବୃଦ୍ଧଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢାରେ ମନଯୋଗ ଦେବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ: ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା: ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରିବେ। ଖେଳ, କୁଦ, ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ତୁଳା: ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ବନ୍ଧୁବାନ୍ଧବ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ।  ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ଶତୃ ଓ ବିରୋଧୀମାନେ ପରାସ୍ତ ହେବେ। ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ବିଚ୍ଛା: ସନ୍ତାନସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ ଓ ପାରିବାରିକ ଜୀବନ ଆନନ୍ଦମୟ ହେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ: ଶାରୀରିକ କଷ୍ଟ ଦୂର ହୋଇ ମନରେ ଥିବା କାମନା ପୂର୍ଣ୍ଣ ହେବ। କୌଣସି ମହତ୍ତ୍ୱପୂର୍ଣ୍ଣ କାମ ଆପଣଙ୍କ ଦ୍ୱାରା ହୋଇପାରେ। ବନ୍ଧୁଙ୍କ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିପାରିବେ। ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର: ସହକର୍ମୀଙ୍କ ସହଯୋଗ ଦ୍ୱାରା  କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସାମୁହିକ କାର୍ଯ୍ୟ ବା ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ସତର୍କତା ଅବଲମ୍ବନ ନ କଲେ କୌଣସି ଭୁଲ୍ କାମରେ ଫଶିଯିବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ: ବ୍ୟବସାୟରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି।  ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ।

ମୀନ: ସନ୍ତାନର ଭବିଷ୍ୟତକୁ ଧ୍ୟାନରେ ରଖି ଶୁଭକାମ କରି ପ୍ରଶଂସିତ ହେବେ । ବ୍ୟବସାୟୀମାନଙ୍କର ଆଶାତୀତ ଲାଭ ମିଳିବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।