ଭକ୍ତ ସମାଗମ କୁ ଏଡାଇ ରାଜ୍ୟ ସରକାରଙ୍କ ନିୟମ ସମୂହ ଅନୁଯାୟୀ ଶ୍ରୀଜୀଉଙ୍କ ନୀତିକାନ୍ତି ପାଳନ କରିବାକୁ ଦାବୀ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଦେବସ୍ନାନ ପୂଜା ନିମନ୍ତେ ହେବାକୁ ଥିବା ଜନସମାବେଶ କୁ ରୋକିବା ନିମନ୍ତେ ଜୁନ ୨୩ ତାରିଖ ରାତ୍ର ୧୦ ଘଣ୍ଟା ଠାରୁ ଜୁନ ୨୫ ତାରିଖ ସକାଳ ୨ ଘଣ୍ଟା ପର୍ଯ୍ୟନ୍ତ ପୁରୀରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମଣର ଲହରକୁ ଏଡ଼ାଇବା ନିମନ୍ତେ ରାଜ୍ୟର ଦେବାଦେବୀ ମନ୍ଦିର ଗୁଡିକରେ ପୂଜକ ଙ୍କ ସହଯୋଗରେ କେବଳ ନୀତିକାନ୍ତି ଚାଲୁ ରହି ଭକ୍ତ ଙ୍କ ସକାଶେ ଦର୍ଶନ ବନ୍ଦ ରହିବା ନୁମନ୍ତେ ନିୟମ ସମୂହ ଜାରି ହୋଇଛି । ଜିନ୍ତୁ ରାୟଗଡ ଜିଲ୍ଲା ଗୁଣପୁର ବଡ ଜଗନ୍ନାଥ ମନ୍ଦିର ନିମନ୍ତେ ସମସ୍ତ କଟକଣା ଚାରିଖୁଣ ମାଫ ବୋଲି ମତ ପ୍ରକାଶ ପାଉଛି । ପୁରୀ ଆନନ୍ଦ ବଜାର ବନ୍ଦ ହେଲେବି ଏଠାର ଆନନ୍ଦ ବଜାର ଭକ୍ତଙ୍କ ନିମନ୍ତେ ମୁକୁଳା । ଏଠାର ସମସ୍ତ ପରମ୍ପରା ନିଆରା ।ଏଠିକା ଦେବୋତ୍ତର ବିଭାଗ ଅଧିକାରୀଙ୍କ ସହ ପୂଜକ ଙ୍କ ମଧୁଚନ୍ଦ୍ରିକା ସମସ୍ତ କଟକଣା କୁ ଦଳି ଦେଉଛି ବୋଲି ଅଭିଯୋଗ ଉଠୁଛି ।ଏନେଇ ଉପଜିଲ୍ଲାପାଳ ଙ୍କ ନୀରବତା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି ।

କରୋନା ର ପ୍ରଥମ ଲହରୀ ରେ ଜନସଧାରଣ ଓ କ୍ଷୁଦ୍ର ବ୍ୟବସାୟୀ ଙ୍କ ଅଭାଵ ଅସୁବିଧା କୁ ହୃଦୟଙ୍ଗମ କରି ବର୍ତ୍ତମାନ ଦ୍ବିତୀୟ ଲହରୀ ର ଶେଷ ପର୍ଯ୍ୟାୟ ରେ ରାଜ୍ୟ ସରକାର ଙ୍କ ଦ୍ୱାରା ଲକ୍ ଡାଉନ କୁ କୋହଳ କରାଯାଇଛି । ଆଗାମୀ ଦେବସ୍ନାନ ବେଳେ ଗୁଣପୁର ଠାରେ ଯଦି ପୁର୍ବ ବର୍ଷ ଭଳି ଦେବ ଦର୍ଶନ ପ୍ରସାଦ ବିକ୍ରୟ କରାଯାଏ ତେବେ ଆଗାମୀ କରୋନା ର ତୃତୀୟ ଲହରୀ ପୁର୍ବ ରୁ ସଂକ୍ରମଣ ହାର ବଢିବାର ବହୁ ଆଶଙ୍କା ରହିଛି । ଯଦି ସଂକ୍ରମଣ ବଢ଼ି ଚାଲେ ତେବେ ସରକାର ପୁନର୍ବାର ଲକ୍ ଡାଉନ ଘୋଷଣା କରି ପାରନ୍ତି । ଯେଉଁଥି ପାଇଁ ଉଠା ଦୋକାନୀ ରୁ ଆରମ୍ଭ କରି ମଧ୍ୟବିତ୍ତ ଦୋକାନୀ ଓ ଗରିବ ପରିବାର ବହୁ ବାଧା ବିଘ୍ନ ର ସମ୍ମୁଖିନ ହେବେ ଏଣୁ ଦେବୋତ୍ତର ବିଭାଗ ମନ୍ଦିର ପୂଜକ ଙ୍କୁ ଅପଣାଇବା ମନୋଭାଵ କୁ ଦୁରେଇ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା, କାଲିଠୁ ଲାଗୁ ହେବ ୧୪୪ ଧାରା…..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । ଆସନ୍ତାକାଲି ଅର୍ଥାତ୍ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ  ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ । ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି।  ଆଦେଶ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ ପକ୍ଷରୁ ହାତୀ ବେଶର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦୁଇ ମଠ ପକ୍ଷରୁ ଶ୍ରୀଜିଉମାନଙ୍କ ହାତୀ ବେଶ ଏବଂ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଟାହିଆ ପ୍ରସ୍ତୁତ କରାଯାଇଥାଏ । ଅନ୍ୟପଟେ ଶ୍ରୀଜୀଉଙ୍କ ସ୍ନାନ ଓ ରଥଯାତ୍ରାର ନୀତି ନିର୍ଘଣ୍ଟ କରାଯାଇଛି । ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇସାରିଛି । କୋଭିଡ୍ ସଂକ୍ରମଣକୁ ଦେଖି ଗତବର୍ଷ ଭଳି ଏ ବର୍ଷ ବି ଘୋଷଯାତ୍ରା ବିନା ଭକ୍ତରେ ହେବାକୁ ଯାଉଛି। ୧୦୮ ଗରା ପାଣିରେ ଗୋଧୋଇବେ ମହାପ୍ରଭୁ । କିନ୍ତୁ ମହାବାହୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇପାରିବେନି ସାଧାରଣ ଭକ୍ତ । କରୋନା ଭାଇରସ ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ବିନାଭକ୍ତରେ ଶ୍ରୀଜିଉଙ୍କର ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ରଥଯାତ୍ରା ନୀତି ଅନୁଷ୍ଠିତ ହେବ ।

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-  ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି।  ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧୦, ୨୦୨୨ରେ ସରିବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଆମେ ଚିଠି କରିଛୁ। ଏ ଦୁଇଟି କାର୍ଯ୍ୟ ସରିଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଥିବା ଜଣାପଡ଼ୁଛି। ତେବେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପକ୍ରିୟା ଆଗକୁ ନେବା ପାଇଁ  ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମାପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା  ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଜାନୁୟାରୀ ମାସରେ କମିସନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ।  ଏହାସତ୍ତ୍ୱେ ଏ ସଂପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେସନ୍ ମିଳିନଥିବା କମିଶନ ଜଣାଇଛନ୍ତି ।ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆରେ ପଡିଥିବାରୁ ନିଷ୍ପତ୍ତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି। ପୌର ଓ ପଂଚାୟତ ନିର୍ବାଚନରେ ଆଗରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା ତେବେ ଲୋକାଲ ବଡି ଇଲେକସନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର । ତେବେ ବିଶେଷଜ୍ଞଙ୍କ ମତରେ, ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି, ସରକାର ଚାହିଁଲେ ବି ଘୁଞ୍ଚାଇ ପାରିବେ ନାହିଁ।

ଏଭଳି ହୀନମନ୍ୟତାକୁ ଲୋକେ ବରଦାସ୍ତ କରିବେନି: କେନ୍ଦ୍ରମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆଜିଠୁ ଓଡ଼ିଶା ସମେତ ଦେଶବ୍ୟାପୀ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରହିବାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ହୀନମନ୍ୟତାକୁ ଲୋକେ କେବେହେଲେ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି। ସେପଟେ ଟିକା ନେବାବେଳେ ଫଟୋକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ ବୋଲି ବିଜେଡି କହିଛି। ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ନରହିବାକୁ ନେଇ ବାଲେଶ୍ୱରରେ ବିଜେପି କର୍ମୀମାନେ ହଟ୍ଟଗୋଳ କରିବା ପରେ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହଡ଼ପ କରି ନିଜ ନାଁରେ ନେଉଛି। କେନ୍ଦ୍ରୀୟ ଯୋଜନା ହଡ଼ପ ଓ ଅପପ୍ରଚାର କରି ଭୋଟ ନେବାକୁ ହୀନ ଚକ୍ରାନ୍ତ ଚାଲିଛି । ଟିକା କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋ ରହୁ ଆପତ୍ତି ନାହିଁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଫଟୋ ବି ରହୁ । ଏଭଳି ହୀନମନ୍ୟତାକୁ ଲୋକମାନେ କେବେ ବରଦାସ୍ତ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଦବୁଦ୍ଧି ଉଦୟ ହେଉ ଓ ଏମିତି ହୀନମନ୍ୟତା ସେ ପ୍ରକାଶ ନକରନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିବା ସହ ଏ ସମ୍ପର୍କରେ ଉଭୟ କେନ୍ଦ୍ର ଓ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଟିକା ନେବାବେଳେ ଫଟୋକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ। ରାଜନୀତିକ ଦୃଷ୍ଟିକୋଣରୁ ବିବାଦ କରାଯାଉଛି। ଏହାକୁ ନେଇ ହୀନ ରାଜନୀତି କରାଯିବା ଉଚିତ୍ ନୁହେଁ । ଟିକାରେ କ’ଣ ଖାଲି କେନ୍ଦ୍ର ଫଣ୍ଡ୍ ରହିଛି, ଏଥିରେ କ’ଣ ରାଜ୍ୟଗୁଡ଼ିକର ଯୋଗଦାନ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଟଙ୍କାରେ ଟିକାକରଣ ହେଉଛି। ଏଥିରେ ମୋଦି ଟିକା, ଷ୍ଟାଲିନ୍ ଟିକା, ମମତା, ନୀତିଶ ଟିକା କି ନବୀନ ଟିକା କୁହାଯିବାର କୌଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଜିଲ୍ଲାପାଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଠଙ୍କା ଲାଞ୍ଚ ନେଇଥିବା ପ୍ରଦୀପ କହିଛନ୍ତି। ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଏହି ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରଦୀପ ଆହୁରି କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିବା ପଛରେ ଚଞ୍ଚକତା କରାଯାଇଛି। ଏମ୍‌ଜିକ୍ୟୁ ୨.୩୮ କୋଟି ଟଙ୍କା ହୋଇଥିବାବେଳେ ୧ କୋଟି ଟଙ୍କାର ସଲଭେନ୍ସିରେ ଲିଜ ଦିଆଯାଇଛି। ଲିଜର ପରଦିନ ଜିଲ୍ଲାପାଳ ଦାମୀ ଗାଡ଼ି ବ୍ୟବହାର କରିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଜଣେ ମହିଳାଙ୍କ ନାଁରେ କିଣାଯାଇଥିବା ୧୯ ଲକ୍ଷ ଟଙ୍କାର ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଥିବା ସେ କହିଛନ୍ତି। କଂଗ୍ରେସ ନେତା ପ୍ରଦୀପଙ୍କ ଆରୋପ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ମୃତ କୋଭିଡ୍‌ ଯୋଦ୍ଧାଙ୍କୁ ସହିଦ ଆଖ୍ୟା ଦେଇ ଭୁଲିଗଲେ ସରକାର, କଂଗ୍ରେସ ଉଠାଇଲା ପ୍ରଶ୍ନ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ ନିୟୋଜିତ ସରକାରୀ କର୍ମଚାରୀ ବା କୋଭିଡ୍ ଯୋଦ୍ଧାଙ୍କର ମୃତ୍ୟୁ ହେଲେ ସେମାନଙ୍କର ଶହୀଦଙ୍କ ଭଳି ଅନ୍ତିମ ସଂସ୍କାର କରାଯିବ ବୋଲି ୨୦୨୦ ଏପ୍ରିଲରେ ଘୋଷଣା କରିଥିବା ରାଜ୍ୟ ସରକାର ଏବେ ତାହା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଅନ୍ୟପକ୍ଷରେ କୋଭିଡ୍ ସହ ଲଢ଼ି ପ୍ରାଣ ହରାଇଥିବା ଆଇପିଏସ୍ ଦେବାଶିଷ ପାଣିଗ୍ରାହୀଙ୍କୁ ଅନ୍ତିମ ସଂସ୍କାରବେଳେ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ନଦିଆଯବା ନେଇ କଂଗ୍ରେସ ଆଜି ପ୍ରଶ୍ନ ଉଠାଇଛି। ରାଜ୍ୟରେ କୋଭିଡ ମୁକାବିଲା କାର୍ଯ୍ୟରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ବିଭାଗର କର୍ମଚାରୀମାନଙ୍କୁ ରାଜ୍ୟ ସରକାର କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ ସେମାନଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ‘ଶହୀଦ’ ଆଖ୍ୟା ଦିଆଯିବା ସହ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଏପ୍ରିଲ ୨୧ ତାରିଖରେ ଏହି ଘୋଷଣା କରି କହିଥିଲେ ଯେ, କୋଭିଡ୍‌-୧୯ ମହାମାରୀର ମୁକାବିଲା କରି ଯେଉଁ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ସହାୟକ ସେବାର କର୍ମଚାରୀଙ୍କ ମୃତ୍ୟୁ ହେବ ସେମାନଙ୍କୁ ଶହୀଦ ମାନ୍ୟତା ଦିଆଯିବ। ଦେଶ ପାଇଁ ଲଢ଼େଇ କରି ବଳିଦାନ ଦେଉଥିବା ବୀର ସାହାସୀଙ୍କୁ ସମ୍ମାନ ଜଣାଇବାର ସମୃଦ୍ଧ ପରମ୍ପରା ଆମର ରହିଛି । ତେଣୁ ସେହି ମନୋଭାବ ସହକାରେ କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବାକୁ ଓଡ଼ିଶା ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ ଗତବର୍ଷ ଏପ୍ରିଲରେ ଘୋଷଣା କରିଥିଲେ । କିନ୍ତୁ ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୩୧ଜଣ ଡାକ୍ତରଙ୍କ ସମେତ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ସେବାର କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ହାତଗଣତି ୪-୫ଜଣଙ୍କୁ ଛାଡ଼ିଦେଲେ ଅନ୍ୟ କାହାରିକୁ ମଧ୍ୟ ଶେଷକୃତ୍ୟବେଳେ ଉପଯୁକ୍ତ ସମ୍ମାନ ଦେବାରେ ସରକାର ସକ୍ଷମ ହୋଇନାହାନ୍ତି । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଓଡ଼ିଶାର ଅତିରିକ୍ତ ପୁଲିସ ମହାନର୍ଦ୍ଦେଶକ ଓ ରାଜ୍ୟ ଭିଜିଲାନ୍ସର ନିର୍ଦ୍ଦେଶକ ତଥା ବିଶିଷ୍ଟ ସାହିତ୍ୟକାର ଡଃ ଦେବାଶିଷ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାରରେ ରାଜ୍ୟ ସରକାର ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଅବହେଳା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । କର୍ତ୍ତବ୍ୟରେ ଥିଲାବେଳେ ଡଃ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହେଲେ ଏବଂ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁବରଣ କଲେ । ସେ କେବଳ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଫିସର ନଥିଲେ । ଜଣେ ଅତି ଉଚ୍ଚକୋଟିରର ସାହିତ୍ୟକ ମଧ୍ୟ ଥିଲେ । ତାଙ୍କର ସାହିତ୍ୟ ରଚନା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି । ଜଣେ ବିଶିଷ୍ଠ ପୁଲିସ ଅଫିସର ଓ ସାହିତ୍ୟକାରଙ୍କ ମୃତ୍ୟୁ ପରେ ତାଙ୍କର ତାଙ୍କୁ ଗାର୍ଡ଼ ଅଫ ଅନର ବା ପୁଲିସ ସଲାମୀ ଦିଆ ନଯିବା ରାଜ୍ୟର ବହୁ ବୁଦ୍ଧିଜୀବିଙ୍କୁ ବ୍ୟଥିତ କରିଛି । ଏପରିକି ତାଙ୍କୁ ଶେଷ ଦଶର୍ନ ଓ ସମ୍ମାନ ଜଣାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ପଦାଧିକାରୀ ଉପସ୍ଥିତ ନହେବା ଡ. ଦେବାଶିଷଙ୍କ ପ୍ରତି ଅସମ୍ମାନ ବୋଲି କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି । ସେହିପରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋର ଡ୍ରିଲ ମାନୁଆଲରେ କର୍ତବ୍ୟରତ ପୁଲିସ କର୍ମଚାାରୀଙ୍କୁ ଅନ୍ତିମ ସଂସ୍କାର ସମୟରେ କାହାକୁ ଏବଂ କେମିତି ଗାର୍ଡ଼ ଅଫ ଅନର ବା ପୁଲିସ ସଲାମୀ ଦିଆଯିବ, ସେ ବିଷୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ସେହି ମାନୁଆଲ ବା ନିର୍ଦ୍ଦେଶାବଳୀ ଆଧାରରେ ଡଃ ଦେବାଶିଷ ପାଣିଗ୍ରାହୀଙ୍କୁ ଯଥୋଚିତ ସମ୍ମାନ ଦିଆଯାଇ ପାରିଥାନ୍ତା । ମାତ୍ର ତାହା ନକରି ଡଃ ପାଣିଗ୍ରାହୀ ଭିଜିଲାନ୍ସ ବିଭାଗରେ ଥିବା ଯୋଗୁ ତାଙ୍କ ପାଇଁ ଗାର୍ଡ଼ ଅଫ ଅନର ବା ପୁଲିସ ସାଲାମୀ ପ୍ରଯୁଜ୍ୟ ନୁହଁ ବୋଲି ସରକାରଙ୍କ ଯୁକ୍ତି ଅବାସ୍ତବ ଓ ଅସତ୍ୟ ବୋଲି ଶ୍ରୀ ଦାସ କହିଛନ୍ତି । ସରକାର ବା ପୋଲିସ ମହାନିର୍ଦ୍ଦେଶକ ଚାହିଁଥିଲେ ଡ. ପାଣିଗ୍ରାହୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ପାରିଥାନ୍ତା । ତାହା ନକରି ସରକାର ଏକ ଖରାପ ଓ ନକରାତ୍ମକ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।

ସାଂସଦ ଭାବେ ଦୁଇ ବର୍ଷ ହେବ କ’ଣ କରିଛନ୍ତି ଅପରାଜିତା, ଦେଲେ ହିସାବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସାଂସଦ ଭାବେ ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ବିକାଶମୂଳକ କାର୍ଯ୍ୟକ୍ରମ, ଜନ ଶୁଣାଣି, ସଂସଦୀୟ ଅଂଶଗ୍ରହଣ ଭଳି ବିଭିନ୍ନ ଦିଗରେ ନିଜ କାର୍ଯ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ସାଂସଦ । ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତରେ NHAIର ୧୧୪ କୋଟି ପ୍ରକଳ୍ପକୁ ଏହି ଭିତରେ ଅନୁମୋଦନ ମିଳିଛି । ଏଥିରେ ହଂସପାଳ ଫ୍ଳାଏଓଭର, ୩ଟି ଭେଇକେଲ୍ ଅଣ୍ଡର ପାସ୍, ୩ଟି ପୋଲ୍ ରହିଛି। ଭୁବନେଶ୍ୱରବାସୀଙ୍କ ଦୀର୍ଘ ଦିନ ଧରି ଦାବିକୁ ପୂରଣ କରିବାକୁ ପଦକ୍ଷେପ ନିଆଯାଇଛି । ଲମ୍ବା ସମୟ ଧରି ପଡ଼ି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡ୍ରେନ୍, କଲଭର୍ଟ, କେନାଲର ନିର୍ମାଣ ପାଇଁ ୫୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅପରାଜିତା କହିଛନ୍ତି । ସେହିଭଳି ଗତ ବର୍ଷକ ଭିତରେ ୨ ହଜାର ୧୫୦ ଜଣଙ୍କ ଅଭିଯୋଗ ଶୁଣାଣି ହୋଇ ୨୧୦୬ଟି ଅଭିଯୋଗର ଫୈସଲା ହୋଇଛି । କେହି ବି ତାଙ୍କୁ ଅଭିଯୋଗ ଦେଲେ ଏହାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏପରି ଅଭିଯୋଗ ଶୁଣାଣି ବ୍ୟବସ୍ଥା ସବୁ ସରକାରୀ ଅଫିସରେ ରହିବା ଜରୁରୀ ବୋଲି ସେ କହିଛନ୍ତି । PM ରିଲିଫ୍ ଫଣ୍ଡ ଦ୍ୱାରା ୨୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଲୋକଙ୍କୁ କରାଯାଇଛି। ଲୋକସଭାରେ ୭ଟି ବିତର୍କରେ ୩୭ଟି ପ୍ରଶ୍ନ ଉପସ୍ଥାପନ କରି ଭୁବନେଶ୍ୱର ଲୋକସଭା କ୍ଷେତ୍ର ଲୋକଙ୍କ ପ୍ରସଙ୍ଗ ଉଠାଯାଇଛି । କେନ୍ଦ୍ର ସରକାରଙ୍କ ପାଖରେ ଲୋକଙ୍କ ବିକାଶ ଓ ଦାବିକୁ ସେ ଉଠାଇଛନ୍ତି । କେନ୍ଦ୍ର ସରକାର ରାଜ୍ୟର ସହାୟତା ପାଇଁ ସବୁବେଳେ ତର୍ପର ଥିବା ଆଜି ଏକ ପ୍ରେସମିଟ୍‌ରେ ଅପରାଜିତା କହିଛନ୍ତି। ତାଙ୍କ ରିପୋର୍ଟ କାର୍ଡର ଏକ ପୁସ୍ତିକା ସେ ଏହି ଅବସରରେ ଉନ୍ମୋଚନ କରିଛନ୍ତି।

ସରକାରଙ୍କ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶରେ ସରକାର ଆରମ୍ଭ କରିଥିବା ବିଶାଳ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ। ଟିକାକରଣ ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ବ୍ୟାନର/ହୋର୍ଡିଂ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁମୋଦନ କମିଶନ(ୟୁଜିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜିସି କହିଛି ଯେ ହିନ୍ଦୀ ଓ ଇଂରାଜୀ ଭାଷାରେ ସବୁ ବିଶ୍ୱବିଦ୍ୟାଳୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ପ୍ରଚାର ପାଇଁ ବ୍ୟାନର/ହୋର୍ଡିଂ ଲଗାଇବେ। ବ୍ୟାନର ଓ ପୋଷ୍ଟର ଡିଜାଇନ ମଧ୍ୟ ୟୁଜିସି ପଠାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର ଡିଜାଇନ କରିଛି। ଗୋଟିଏ ଡିଜାଇନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସରକାରଙ୍କ ମାଗଣା ଟିକା ପାଇଁ ଧନ୍ୟବାଦ ଦିଆଯାଇଛି।

ୟୁଜିସି ପକ୍ଷରୁ ଜୁନ୍‌ ୨୦ରେ ସବୁ ବିଶ୍ୱବିଦ୍ୟାଳୟ ପାଖକୁ ଏପରି ଚିଠି ପଠାଯାଇଛି। ଚିଠିରେ ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି, ଭାରତ ସରକାର ୧୮ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଆସନ୍ତାକାଲି(ଜୁନ୍‌ ୨୧) ଠାରୁ ମାଗଣା ଟିକା ଅଭିଯାନ ଆରମ୍ଭ କରୁଛନ୍ତି। ଏହି କାରଣରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅନୁଷ୍ଠାନରେ ବ୍ୟାନର ଏବଂ ହୋର୍ଡିଂ ଲଗାନ୍ତୁ। ଏଭଳି ଏକ ବ୍ୟାନର ୟୁଜିସି ୱେବସାଇଟରେ ମଧ୍ୟ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏଥିରେ କୁହାଯାଉଛି “ସମସ୍ତଙ୍କ ପାଇଁ ଟିକା, ମାଗଣାରେ ଟିକା।” ଏଥିରେ ଭାରତ ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱର ସବୁଠାରୁ ବିଶାଳ ଟିକାକରଣ ଅଭିଯାନ ବୋଲି ଦର୍ଶାଯାଇଛି। ତେବେ ୟୁଜିସି ପକ୍ଷରୁ ଗଣମାଧ୍ୟମକୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

 

ପେଟ୍ରୋଲ୍ ପରେ ଓଡ଼ିଶାରେ ସେଞ୍ଚୁରୀ ମାରିଲା ଡିଜେଲ୍ ଦର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କରୋନା ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଓଡ଼ିଶାରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ୍ ଲିଟର୍ ପିଛା ୨୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ ପଇସା ବଢିଛି। ନୂଆ ଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପିଛା ୯୭.୫୦ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୮୮.୨୩ ଟଙ୍କା ହୋଇଛି। ବିଭିନ୍ନ ସ୍ଥାନରେ ଡିଜେଲ୍ ଦର ୧୦୦ ଟଙ୍କା ଛୁଇଁଛି। ଚଳିତ ମାସରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଓ ହନୁମାନଗଡ଼ରେ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ହୋଇଥିଲା। ଏବେ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ଡିଜେଲ୍ ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ମାଲକାନଗିରିରେ ଡିଜେଲ୍ ଦର ଲିଟର୍ ପିଛା ୧୦୧.୧୨ ଟଙ୍କା ଓ କୋରାପୁଟରେ ଲିଟର୍ ପିଛା ୧୦୦.୪୬ ଟଙ୍କା ହୋଇଛି। ପୂର୍ବରୁ ପେଟ୍ରୋଲ ୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସେଞ୍ଚୁରୀ ମାରିସାରିଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର, ଓଡ଼ିଶା ଓ ଲଦାଖରେ ପେଟ୍ରୋଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ମେଟ୍ରୋ ସିଟି ଗୁଡ଼ିକ ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ ପିଛା ୧୦୩.୬୩ ଓ ଡିଜେଲ୍ ଲିଟର୍ ପିଛା ୯୫.୭୨ ଟଙ୍କାରେ ପହଞ୍ଚିଛି। ମେ’ ୪ ତାରିଖ ପରଠାରୁ ୨୮ଥର ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଏହାରି ଭିତରେ ପେଟ୍ରୋଲ୍ ଲିଟର୍ ପିଛା ୭.୧୦ ଟଙ୍କା ଓ ଡିଜେଲ୍ ୭.୫୦ ଟଙ୍କା ବଢିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରେ ଭାରତରେ ତୈଳ କମ୍ପାନୀ ଗୁଡ଼ିକ ନିୟମିତ ଦରରେ ସଂଶୋଧନ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବଢ଼ିବ ବୋଲି ଜଣାପଡ଼ିଛି।

ବେଙ୍ଗଲ ମାମଲାର ଶୁଣାଣିରୁ ଓହରିଲେ ଆଉ ଜଣେ ବିଚାରପତି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବେଙ୍ଗଲ ସହ ଜଡ଼ିତ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି। ନାରଦା ଲାଞ୍ଚ କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆବେଦନର ଶୁଣାଣି କରିବାକୁ ନିଜ ଆଡ଼ୁ ମନା କରିଛନ୍ତି ଜଣେ ବିଚାରପତି।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲେ। ହେଲେ ଜଷ୍ଟିସ ଅନିରୁଦ୍ଧ କୋଲକାତାର ହୋଇଥିବାରୁ ସେ ଏହାର ଶୁଣାଣିରୁ ଓହରି ଯାଇଛନ୍ତି। ସେ କହିଛନ୍ତି, “ମୁଁ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହିଁ।” ଏହାପରେ ଖଣ୍ଡପୀଠରେ ଥିବା ଆଉ ଜଣେ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାଙ୍କୁ ଅନ୍ୟ ଏକ ବେଞ୍ଚରେ ଏହାର ଶୁଣାଣି ପାଇଁ ଲିଷ୍ଟିଂ କରିବାକୁ କହିଛନ୍ତି। ନାରଦା କେସ୍‌ରେ କ୍ୟାଲକାଟା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ଆଇନମନ୍ତ୍ରୀ ମଳୟ ଘାଟକଙ୍କ ଅନ ରେକର୍ଡ ସତ୍ୟପାଠ ଗ୍ରହଣ କରିବାକୁ ମନା କରିଥିଲେ। ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯାଇଛନ୍ତି। ସିବିଆଇ ନାରଦା କେସ୍‌କୁ ରାଜ୍ୟ ବାହାରକୁ ନେବାକୁ ଚାହୁଁଥିବାରୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଜବାବ ଦାଖଲ କରିବାକୁ ଚାହୁଁଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ। ସୂଚନାଯୋଗ୍ୟ, ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ହୋଇଥିବା ଆବେଦର ଶୁଣାଣିରୁ ମଧ୍ୟ କିଛି ଦିନ ତଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ନିଜ ଆଡ଼ୁ ଓହରି ଯାଇଥିଲେ।