ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରଙ୍ଗ; ବିରୋଧୀ ଦଳ ବିଧାୟକଙ୍କୁ ଅଣଦେଖା ଅଭିଯୋଗ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରଙ୍ଗ। ଶାସକ ଦଳର ଏମପି, ବିଧାୟକ ଓ କର୍ମୀଙ୍କୁ ଡକାଗଲା। ହେଲେ ବିରୋଧୀ ଦଳର ବିଧାୟକଙ୍କୁ ଡକାଗଲାନି। ଗଜପତି ଜିଲ୍ଲାରେ ଇନଡୋର ଷ୍ଟାଡିୟମ ଘୋଷଣାକୁ ନେଇ ହୋଇଥିବା କାର୍ଯ୍ୟକ୍ରମରେ ପାତରଅନ୍ତର କରାଯାଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏହି ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ଗତକାଲି  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ ପଣ୍ଡିଆନ୍ ବିଭିନ୍ନ ଜିଲ୍ଲାରେ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରି ଇନଡୋର ଷ୍ଟାଡିୟମ ହେବ ବୋଲି ଘୋଷଣା କରିଥିଲେ। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ତତ୍ୱାବଧାନରେ କନଫରେନ୍ସ ହୋଇଥିଲା। ତେବେ ପାରଳାଖେମୁଣ୍ଡି ସମେତ ଯେଉଁ ବିଧାନସଭା ଆସନରେ ଶାସକ ଦଳର ବିଧାୟକ ନାହାନ୍ତି କିମ୍ବା ବିରୋଧି କଂଗ୍ରେସ କିମ୍ଵା ବିଜେପି ବିଧାୟକ ଅଛନ୍ତି ସେଠାରେ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଜିଲ୍ଲା ପ୍ରଶାସନକୁ ହାତବାରସି କରି ବିଜେଡି ନେତା ଓ କର୍ମୀଙ୍କୁ ଆଲୋଚନା ହୋଇଥିଲା। ଯାହାକୁ ନେଇ ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କୁ ଛାଡି ବିଜେଡି କର୍ମୀଙ୍କୁ ନେଇ କେବେ ହେଲେ ଉନ୍ନୟନ କାମ ହୁଏ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୀନ ରାଜନୀତିରୁ ଉର୍ଦ୍ଧ୍ୱରେ ଲୋକସେବା କରନ୍ତୁ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ।

ବେଦାନ୍ତ ସହଯୋଗରେ ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଭବାନୀପାଟଣାରେ ନିର୍ମିତ ୨୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, ଏଠାରେ ଚିକିତ୍ସାଠୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ। ଏହି ହସ୍ପିଟାଲରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ବେଡ୍ ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ଏଠାରେ ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଯାହାଫଳରେ କଳାହାଣ୍ଡି ଓ ଆଖପାଖ ଅଂଚଳର ଲୋକମାନେ ଉନ୍ନତମାନର କୋଭିଡ୍ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ବିକାଶର ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏ ରୂପାନ୍ତର ବାସ୍ତିବକ ଉଲ୍ଲେଖନୀୟ। କଳାହାଣ୍ଡି ଏବେ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଡବଲ ମାସ୍କ ପିନ୍ଧିବା ସହ ଟିକା ନିଶ୍ଚୟ ନେବାକୁ ମଧ୍ୟ ନିବେଦନ କରିଥିଲେ। ମହାମାରୀ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ଯଦି ଠିକ୍ ଭାବେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ନିଶ୍ଚିତ ବିଜୟ ଲାଭ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଯୋଗ ଦେଇ କଳାହାଣ୍ଡି ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଓଡ଼ିଶାରେ କାମ କରିବାର ଅଭିଜ୍ଞତା ତାଙ୍କର ସବୁଠୁ ଭଲ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ ସମେତ ଲାଞ୍ଜିଗଡ଼ ଓ ଧର୍ମଗଡ଼ର ବିଧାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ଫାଇଭ-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବନି ଟ୍ରେନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ସହରକୁ ସମସ୍ତ ଟ୍ରେନର ଯାତାୟତ ଉପରେ କଟକଣା ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବିଭାଗ ଆସନ୍ତା ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ହେବା ଆଶଙ୍କାରେ ପୁରୀରୁ ଯିବାଆସିବା କରିବାକୁ ଥିବା ସମସ୍ତ ଟ୍ରେନକୁ ଖୋର୍ଦ୍ଧା ରୋଡରୁ ଚଳପ୍ରଚଳ କରାଯିବ। ୨୧ଟି ଦୂରଗାମୀ ବିଶେଷ ଟ୍ରେନ୍ ପୁରୀ ପର୍ଯ୍ୟନ୍ତ ଗଡ଼ିବ ନାହିଁ। ୫ଟି ସାପ୍ତାହିକ ବିଶେଷ ଟ୍ରେନ ମଧ୍ୟ ପୁରୀ ଯିବ ନାହିଁ। ଦୈନନ୍ଦିନ ଚଳାଚଳ କରୁଥିବା ୫ଟି ଟ୍ରେନ ମଧ୍ୟ ପୁରୀ ପର୍ଯ୍ୟନ୍ତ ଯିବ ନାହିଁ। ଦ୍ୱିସାପ୍ତାହିକ, ତ୍ରିସାପ୍ତାହିକ ଚଳାଚଳ କରୁଥିବା ଟ୍ରେନ, ସପ୍ତାହକୁ ୪ଦିନ ଚଳାଚଳ କରୁଥିବା ଟ୍ରେନକୁ ମଧ୍ୟ ପୁରୀ ଯିବା ଉପରେ କଟକଣା ଜାରି ହୋଇଛି। ଏହି ସମସ୍ତ ଟ୍ରେନ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବେ। ଆଉ ଖୋର୍ଦ୍ଧା ରୋଡରୁ ହିଁ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ପୁରୀ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ରଥଯାତ୍ରା କରିବା ପାଇଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ଅନ୍ୟ ୫ଟି କ୍ଷେତ୍ରରେ ଭକ୍ତ ଶୂନ୍ୟ ରଥଯାତ୍ରା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଉଛନ୍ତି। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ। ଏସବୁ ସ୍ଥାନରେ କେବଳ ସେବାୟତମାନେ ହିଁ ମହାପ୍ରଭୁଙ୍କ ରଥକୁ ଆଣି ନୀତିକାନ୍ତି କରନ୍ତୁ। ଭକ୍ତମାନେ ସେଠାକୁ ନଯିବା ପାଇଁ ୧୪୪ ଧାରା ଲାଗୁ ହେଉ। ପୁରୀରେ ଯେଉଁଭଳି ଭାବେ ବିଭିନ୍ନ କଟକଣା ସହ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି ରାଜ୍ୟର ଅନ୍ୟ ୫ଟି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଭକ୍ତ ଶୂନ୍ୟ ରଥଯାତ୍ରା କରିବାକୁ ଶ୍ରୀ ମହାପାତ୍ର ପ୍ରସ୍ତାବ ଦେଇଛନ୍ତି।

ଦୁଇରୁ ଅଧିକ ଛୁଆ ଥିଲେ ସରକାରୀ ଯୋଜନାର ଲାଭ ମିଳିବନି ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେଉଁମାନେ ଦୁଇରୁ ଅଧିକ ଛୁଆ ଜନ୍ମ କରିବେ ତାଙ୍କୁ ସରକାରୀ ଯୋଜନାର ଲାଭ ନମିଳିପାରେ। ହିମନ୍ତଙ୍କ ଏପରି ଘୋଷଣା ପରେ ରାଜ୍ୟରେ ତେଜିଛି ରାଜନୀତି। ବିରୋଧୀ ଏହାକୁ ବିରୋଧ କରୁଥିବା ବେଳେ ହିମନ୍ତ ନିଜ ପରିବାରର କଥା କହି ତାଙ୍କ ସରକାରର ପ୍ରସ୍ତାବିତ ନୀତି ସପକ୍ଷରେ ଓକିଲାତି କରିଛନ୍ତି। ମୁଖ୍ୟତଃ ଏହି ପ୍ରସ୍ତାବିତ ନୀତି ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଦାରିଦ୍ର୍ୟ ଦୂରିକରଣ ଦିଗରେ ଏହା ବଡ଼ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନିୟମକୁ ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଶନିବାର ପ୍ରେସ କନଫରେନସ କରି ହିମନ୍ତ କହିଛନ୍ତି ପ୍ରସ୍ତାବିତ ‘ଜନସଂଖ୍ୟା ନିୟନ୍ତ୍ରଣ ନୀତି’ ଆସାମର ସମସ୍ତ ଯୋଜନାରେ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। କାରଣ ଅନେକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପରି କିଛି ଯୋଜନା ଅଛି ଯେଉଁଥିରେ ଦୁଇ ଶିଶୁ ନୀତି କାର୍ଯ୍ୟକାରୀ ହୋଇପାରିବ ନାହିଁ। ଯେପରିକି ସ୍କୁଲ ଓ କଲେଜରେ ମାଗଣା ଶିକ୍ଷା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ବାସଗୃହ। କିନ୍ତୁ ରାଜ୍ୟ ସରକାରଙ୍କ ଗୃହ ଯୋଜନାରେ ଏହି ପ୍ରସ୍ତାବିତ ଦୁଇ ଶିଶୁ ନୀତି ଲାଗୁ ହୋଇପାରିବ ବୋଲି ସେ କହିଛନ୍ତି। ଧୀରେ ଧୀରେ ଏହି ନିୟମ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାରେ କାର୍ଯ୍ୟକାରୀ ହେବ ବୋଲି ପ୍ରେସ କନଫରେନସ କରି ସେ କହିଛନ୍ତି। ପରିବାରର ଉଦହାରଣ ଦେବାକୁ ଯାଇ ନିଜ ବାପାମାଙ୍କ ଉଦାହରଣ ଦେଇଛନ୍ତି ହିମନ୍ତ। ସେ କହିଛନ୍ତି ୧୯୭୦ରେ ତାଙ୍କ ବାପା ମା କିମ୍ବା ଅନ୍ୟ ଲୋକମାନେ କ’ଣ କରିଥିଲେ ସେ ବିଷୟରେ ଏବେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ। ସେ କହିଛନ୍ତି ତାଙ୍କୁ ମିଶାଇ ୫ ଭାଇ। ଏବେ ଯଦି ସମସ୍ତେ ଏହି ଭଳି ପିଲା ଜନ୍ମ କରିବେ ତାହେଲେ ଏହାର ଯୁକ୍ତି କଣ ହେବା ଦରକାର ଲୋକେ ଜାଣିଛନ୍ତି ବୋଲି ସେ କହିଛନ୍ତି। ତେବେ ବିରୋଧୀ ହିମନ୍ତଙ୍କ ପ୍ରସ୍ତାବିତ ଦୁଇ ଶିଶୁ ନୀତିକୁ ବିରୋଧ କରିଛନ୍ତି। ହିମନ୍ତ ଏହାର ଜବାବ ଦେଇ କହିଛନ୍ତି ଯଦି ଆମେ ୭୦ ମସିହା ଭଳି ମାନସିକତା ରଖିବା ତାହେଲେ ଏବେର ଯୁକ୍ତିର କୌଣସି ମୂଲ୍ୟ ହିଁ ନାହିଁ। ସୂଚନାଯୋଗ୍ୟ, ଜୁନ ୧୦ରେ ତିନୋଟି ଜିଲ୍ଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦାରିଦ୍ର୍ୟ ହ୍ରାସ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପଛରେ ପ୍ରବାସୀ ମୁସଲମାନ ସମ୍ପ୍ରଦାୟଙ୍କ ବଡ ପରିବାର ଦାୟୀ ବୋଲି ସେ କହିଥିଲେ। ଯାହାକୁ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ଆସାମ ପଞ୍ଚାୟତ ଅଧିନିୟମ, ୧୯୯୪ର ସଂଶୋଧନ ୨୦୧୮ରେ କରାଯାଇଛି। ଏହି ନିୟମ ଅନଯାୟୀ ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ଚାଲୁଥିବା ପର୍ଯ୍ୟାୟରେ ଶୌଚାଳୟ ସହିତ ଦୁଇ ପିଲା ମାନଦଣ୍ଡ ରହିଛି।ହିମନ୍ତ ଆହୁରି କହିଛନ୍ତି ଯେ AIUDF ମୁଖ୍ୟ ତଥା ସାଂସଦ ବଦରୁଦ୍ଦିନ ଅଜମଲ ମହିଳା ଶିକ୍ଷାକୁ ଦିଆଯାଉଥିବା ଗୁରୁତ୍ୱକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗତକାଲି ବଦରୁଦ୍ଦିନ ଅଜମଲ ମୋତେ ଭେଟିଥିଲେ। ମହିଳା ଶିକ୍ଷାକୁ ଆମ ଦ୍ୱାରା ଦିଆଯାଉଥିବା ଗୁରୁତ୍ୱକୁ ସେ ପ୍ରଶଂସା କରିଥିଲେ।

 

 

ପିଏମଙ୍କ ନିକଟତମ ବ୍ୟକ୍ତିଙ୍କୁ ବଡ଼ ପଦ ଦେଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆଗକୁ ୟୁପି ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତମ ବ୍ୟକ୍ତି କୁହାଯାଉଥିବା ଅରବିନ୍ଦ କୁମାର ଶର୍ମାଙ୍କୁ ବଡ଼ ପଦବୀ ମିଳିଛି। ୟୁପିରେ ବିଜେପି ଉପସଭାପତି ଭାବରେ ତାଙ୍କୁ ଦାୟିତ୍ୱ ଦେଇଛି ଦଳ। ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ଆଜି ଦଳୀୟ ପଦାଧିକାରୀ ବାବଦରେ ଘୋଷଣା କରିବା ବେଳେ ଏହା ସୂଚନା ଦେଇଛନ୍ତି। ଏହି ଘୋଷଣା ପୂର୍ବରୁ ଅରବିନ୍ଦ ଶର୍ମା ସରକାର କିମ୍ୱା ସଂଗଠନରେ ବଡ଼ ପଦରେ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ୟୁପିର ମଉ ନିବାସୀ ଅରବିନ୍ଦ କୁମାର ଗୁଜରାଟ କ୍ୟାଡରର ଆଇଏଏସ ଅଫିସର। ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପୂର୍ବତନ ଆଇଏଏସ ଅଧିକାରୀ ଏକାଠି କାମ କରିଥିଲେ। ତେବେ କାର୍ଯ୍ୟକାଳ ଶେଷ ହେବାକୁ ୨ ବର୍ଷ ବାକି ରହିଥିବା ବେଳେ ଅରବିନ୍ଦ କୁମାର ଶର୍ମା ସ୍ୱେଚ୍ଛାକୃତ ଭାବରେ ଅବସର ନେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ପରେ ତାଙ୍କୁ ବିଧାନ ପରିଷଦକୁ ମନୋନୀତ କରାଯାଇଛି। ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କୋଭିଡ ମହାମାରୀ ପାଇଁ ଯୋଗୀ ସରକାର ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ କୋଭିଡ ପରିଚାଳନକୁ ଠିକ୍ ଢ଼ଙ୍ଗରେ ସଜାଡିବାରେ ଏହି ପୂର୍ବତନ ଆଇଏଏସ ଅଧିକାରୀଙ୍କର ଗୋଟିଏ ବଡ଼ ଭୂମିକା ରହିଥିବା କୁହାଯାଏ। ଏକ ଶର୍ମାଙ୍କ ବିଭିନ୍ନ ପରାମର୍ଶ ଜରିଆରେ ୟୁପି ଉଭୟ ଟେଷ୍ଟିଂ ଏବଂ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏମିତିକି ସରକାରର ଭାବମୂର୍ତ୍ତିକୁ ସଜଡିବାରେ ଏକ ଶର୍ମାଙ୍କ ପରାମର୍ଶ ସରକାର ନିଅନ୍ତି ବୋଲି କୁହାଯାଏ। ଏବେ କିନ୍ତୁ ଦଳ ତାଙ୍କୁ ରାଜ୍ୟରେ ଉପସଭାପତି ପଦ ଦେଇଛି। ଏହାବାଦ ରାଜ୍ୟର ଦୁଇ ମନ୍ତ୍ରୀ ଅର୍ଚ୍ଚନା ମିଶ୍ର ଏବଂ ଅମିତ ବାଲ୍ମିକୀଙ୍କୁ ମଧ୍ୟ ଉପସଭାପତି ପଦରେ ନିଯୁକ୍ତ କରିଛି ବିଜେପି।

ରାଜ୍ୟପାଳ କହିଲେ ଶୁଣିଲେନି, ଏବେ ମମତା ସରକାରକୁ ଭଲ କରି ଶୁଣାଇଲେ ହାଇକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଜାରି ରହିଛି ହିଂସା। ଏହାକୁ ନେଇ ମମତା ବାନାର୍ଜୀ ସରକାର ଉପରେ ବର୍ଷିଛନ୍ତି ହାଇକୋର୍ଟ। ଶନିବାର ଏହି ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟ କହିଛନ୍ତି ହିଂସା ଘଟଣାରେ ପଦକ୍ଷେପ ନେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ୱନ କରିଛନ୍ତି। ଏମିତି ହେଲେ ରାଜ୍ୟ କିଭଳି ଆଗକୁ ହେବ। ସରକାରରେ ଯିଏ ରହୁ ଲୋକଙ୍କ ବିଶ୍ୱାସ ଜିଣିବା ଦରକାର। ସରକାର ମନ ଇଚ୍ଛା ଚାଲିପାରିବ ନାହିଁ। ଲୋକଙ୍କ ଜୀବନ ଏବଂ ସମ୍ପତ୍ତି କିଭଳି ସୁରକ୍ଷିତ ରହିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ହାଇକୋର୍ଟ। ଏବେ ନିର୍ବାଚନୀ ହିଂସା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ହାଇକୋର୍ଟ କହିଛନ୍ତି। ନିକଟରେ ସମାନ କଥା ରାଜ୍ୟପାଳ ଜଗଦୀପ ଧନଖେର ମମତା ବାନାର୍ଜୀଙ୍କୁ କହିଥିଲେ। ହେଲେ ଏହାକୁ ନେଇ ଶାସକ ଦଳ ଟିଏମସି ସେତେବେଳେ ରାଜ୍ୟପାଳଙ୍କୁ ସମାଲୋଚନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଜାରି ରହିଛି ହିଂସା। ଏହାକୁ ନେଇ ମମତା ବାନାର୍ଜୀ ସରକାର ଉପରେ ବର୍ଷିଛନ୍ତି ହାଇକୋର୍ଟ। ଶନିବାର ଏହି ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟ କହିଛନ୍ତି ହିଂସା ଘଟଣାରେ ପଦକ୍ଷେପ ନେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ୱନ କରିଛନ୍ତି। ଏମିତି ହେଲେ ରାଜ୍ୟ କିଭଳି ଆଗକୁ ହେବ। ସରକାରରେ ଯିଏ ରହୁ ଲୋକଙ୍କ ବିଶ୍ୱାସ ଜିଣିବା ଦରକାର। ସରକାର ମନ ଇଚ୍ଛା ଚାଲିପାରିବ ନାହିଁ। ଲୋକଙ୍କ ଜୀବନ ଏବଂ ସମ୍ପତ୍ତି କିଭଳି ସୁରକ୍ଷିତ ରହିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ହାଇକୋର୍ଟ। ଏବେ ନିର୍ବାଚନୀ ହିଂସା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ହାଇକୋର୍ଟ କହିଛନ୍ତି। ନିକଟରେ ସମାନ କଥା ରାଜ୍ୟପାଳ ଜଗଦୀପ ଧନଖେର ମମତା ବାନାର୍ଜୀଙ୍କୁ କହିଥିଲେ। ହେଲେ ଏହାକୁ ନେଇ ଶାସକ ଦଳ ଟିଏମସି ସେତେବେଳେ ରାଜ୍ୟପାଳଙ୍କୁ ସମାଲୋଚନା କରିଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଶୁଣାଣି କରି କହିଛନ୍ତି, ରାଜ୍ୟର ଆଇନ୍ ଶୃଙ୍ଖଳା ବଜାୟୀ ରଖିବା ଏବଂ ଲୋକଙ୍କୁ ସୁରକ୍ଷିତ ରଖିବା ରାଜ୍ୟ ସରକାରର କାମ। ଏହା ସରକାର ଭୁଲିବା ଠିକ୍ ନୁହେଁ। ତେଣୁ ହିଂସାକୁ ପ୍ରଶମିତ କରିବାରେ ଏବଂ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ବାଧାପ୍ରାପ୍ତ ହେବା ଠିକ୍ ନୁହେଁ। ଯଦି ଏଥିରେ ବାଧାପ୍ରାପ୍ତ ହେବ ତାହେଲେ କୋର୍ଟ ଏହାକୁ ଗମ୍ଭୀରତାର ସହ ନେବେ। ଏମିତିକି ଏଭଳି ହେଲେ ଅଦାଲତ ଅବମାନନା ନିୟମ ଲାଗୁ ହେବ ବୋଲି ହାଇକୋର୍ଟ କହିଛନ୍ତି। ବିସ୍ଥାପିତ ବ୍ୟକ୍ତିଙ୍କ ଘରକୁ ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା ହେବା ଦରକାର। ବିସ୍ଥାପିତଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ ଦରକାର। ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିସ୍ଥାପିତଙ୍କ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ (NHRC) କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁନ ୩୦ରେ ହେବ। ନିର୍ବାଚନ ପରେ ହିଂସା ପାଇଁ ଅପରାଧ ପାଇଁ ଦାୟୀ ବ୍ୟକ୍ତି ଏବଂ ଏହି ପ୍ରସଙ୍ଗରେ ସୁଚିନ୍ତିତ ନୀରବତା ବଜାୟ ରଖିଥିବା ଅଧିକାରୀମାନଙ୍କୁ ଇଙ୍ଗିତ କରି ଜୁନ ୩୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

କଶ୍ମୀରକୁ ନେଇ କିଛି ନୂଆ ପ୍ଲାନ୍…?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଜମ୍ମୁ କଶ୍ମୀରକୁ ନେଇ ବଢ଼ିଲା ରାଜନୀତିକ ଚର୍ଚ୍ଚା। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ସରକାର ଆଉ କିଛି ପ୍ଲାନ୍ ରଖିଛନ୍ତି ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ବଢ଼ିଛି ଚର୍ଚ୍ଚା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କଶ୍ମୀରରେ ହେବାକୁ ଥିବା ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହାପରେ ଏଭଳି ଚର୍ଚ୍ଚା ବଢ଼ିଛି। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜମ୍ମୁ କଶ୍ମୀରର ବିକାଶ ନେଇ ବୈଠକ କରିଥିଲେ। ତେବେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ ଡାକି ଥାଇ ପାରନ୍ତି। ୨୦୧୯ ମସିହା ଅଗଷ୍ଟ ମାସରେ କେନ୍ଦ୍ରର ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି ସରକାର। ସେବେଠାରୁ ଜମ୍ମୁ କଶ୍ମୀରରେ ବିଧାନସଭା କାର୍ଯ୍ୟକ୍ଷମ ହେଉ ନାହିଁ। ଅର୍ଥାତ୍ କୌଣସି ନିର୍ବାଚିତ ସରକାର ନାହାନ୍ତି। ଏବେ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ସେଠାରେ ସରକାରୀ ସେବା ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠୁ ସୁରକ୍ଷା ସବୁଠାରୁ ବଡ଼ ପଦକ୍ଷେପ ହୋଇଥିବାରୁ ଏହି ବୈଠକରେ ର’ ଓ ଗୁଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତ ରହିପାରନ୍ତି। କେନ୍ଦ୍ର ସରକାର ପିଡିପିର ମୁଖ୍ୟ ମେହବୁବା ମୁଫତି, ନ୍ୟାଶନାଲ କନଫରେନସର ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କଶ୍ମୀରର ଅପନୀ ପାର୍ଟିର ମୁଖ୍ୟ ଅଲତାପ ବୁଖାରୀ ଏବଂ ପିପୁଲସ କନଫରେନ୍ସର ପ୍ରମୁଖ ଅଧିକାରୀ ସଜ୍ଜାଦ ଲୋନଙ୍କୁ ବୈଠକରେ ସାମିଲ୍ ହେବା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଇତି ମଧ୍ୟରେ ମେହବୁବା ମୁଫତିଙ୍କ ସହ ଫୋନ୍ ଜରିଆରେ କଥା ହୋଇଛନ୍ତି। ମୁଫତି ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଫୋନ୍ ଆସିଥିବା ନେଇ ସ୍ୱୀକାର କରିଛନ୍ତି। ତେବେ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ବୈଠକ ବାବଦରେ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ପ୍ରଥମ ଥର ବାୟୋପିକରେ ନଜର ଆସିବେ ଭାଇଜାନ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ସଲମାନଙ୍କ ଫିଲ୍ମ ‘ଭାରତ’ ଓ ‘ରାଧେ’ ଆଦି ଦର୍ଶକଙ୍କୁ ଆକୃଷ୍ଟ କରିପାରିନି l ତେଣୁ ଏବେ ଭାଇଜାନ୍‌ ଫିଲ୍ମର କାହାଣୀକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି l ସେଥିପାଇଁ ୩୨ ବର୍ଷର ଦୀର୍ଘ କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ବାୟୋପିକ୍‌ରେ ସେ ନଜର ଆସିବେ। ‘ନୋ ୱାନ କିଲ୍‌ଡ ଜେସିକା’ ଓ ‘ରେଡି’ ପରି ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ଅପକମିଂ ଆଗାମୀ ଫିଲ୍ମରେ ନଜର ଆସିବେ ସଲମାନ। ଆଉ ଏହି ଫିଲ୍ମଟି ଏକ ବାୟୋପିକ୍ ହେବ ବୋଲି ଜଣାପଡ଼ିଛି। ଭାରତୀୟ ଗୁପ୍ତଚର ରବୀନ୍ଦ୍ର କୌଶିକଙ୍କ ଉପରେ ଏହି ଫିଲ୍ମଟି ନିର୍ମାଣ ହେବ। ରବୀନ୍ଦ୍ରଙ୍କୁ ବ୍ଲାକ ଟାଇଗର ବୋଲି କୁହାଯାଇଥାଏ।ବଲିଉଡର ଟାଇଗର ଭାବେ ପରିଚିତ ଦବଙ୍ଗ ଖାନ ବ୍ଲାକ୍‌ ଟାଇଗର ଚରିତ୍ର ପାଇଁ ରାଜକୁମାର ଗୁପ୍ତାଙ୍କ ପ୍ରଥମ ପସନ୍ଦ ବୋଲି ଜଣାପଡ଼ିଛି। ସଲମାନଙ୍କୁ ଏହାର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଥିବା ବେଳେ ଏଥିପାଇଁ ସେ ଗ୍ରୀନ ସିଗ୍‌ନାଲ୍‌ ମଧ୍ୟ ଦେଇ ସାରିଛନ୍ତି।ସଲମାନ ଏବେ ଟାଇଗର- ୩ର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏହାପରେ ସାଜିଦ ନାଦିୱାଲାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ନଜର ଆସିବେ। ଚଳିତ ବର୍ଷ ରିଲିଜ ହୋଇଥିବା ସାଉଥ ଫିଲ୍ମ ‘ମାଷ୍ଟର’ ସୁପର ହିଟ ହୋଇଥିବା ବେଳେ ଏହାର ହିନ୍ଦୀ ରିମେକରେ ଭାଇଜାନ ନଜର ଆସିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି।

୩ ଦଶନ୍ଧି ପରେ ଛୋଟ ପରଦାକୁ ଫେରୁଛନ୍ତି ସୀତା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ୩୦ରୁ ଅଧିକ ବର୍ଷ ତଳେ ସାଗର ପ୍ରଡକ୍ସନ ହାଉସର ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିବା ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି। ଗତ ବର୍ଷ ଲକ୍‌ଡାଉନ୍‌ ବେଳେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଇଥିଲା। ୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଏହି ଧାରାବାହିକର କ୍ରେଜ୍‌ କମି ନାହିଁ ବୋଲି ଗତ ବର୍ଷ ଏହା ପୁଣି ପ୍ରମାଣିତ ହୋଇଥିଲା। ଦେଶର କୋଟି କୋଟି ଦର୍ଶକ ଏହାକୁ ଦେଖିଥିଲେ। ଆଉ ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା କଳାକାର। ଏମିତିକି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପୁଣି କ୍ୟାମେରା ସମ୍ମୁଖକୁ ଫେରନ୍ତୁ ବୋଲି ଡିମାଣ୍ଡ କରିଥିଲେ ଦର୍ଶକ।ଦର୍ଶକଙ୍କ ଭଲ ପାଇବାକୁ ଦେଖି ପୁଣି ଥରେ ସାଗର ପ୍ରଡକ୍ସନର ଏକ ପୌରାଣିକ ଧାରାବାହିକ ମାଧ୍ୟମରେ ଛୋଟ ପରଦାକୁ ଏଣ୍ଟ୍ରି ମାରିଛନ୍ତି ଦୀପିକା। ଏହାର ଖୁଲାସା ସେ ନିଜେ କରିଛନ୍ତି। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ମେକ୍‌ଅପ୍‌ ନେଇ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଥିବା ଫଟୋ ନିଜେ ଦୀପିକା ସୋଶାଲ ମିଡ଼ିଆରେ ଶେଆର କରିଛନ୍ତି। ଲାଲ ରଙ୍ଗର ଶାଢ଼ୀ ସହ ହେଭି ଜୁଏଲାରୀରେ ଦୀପିକା ଦେବୀ ମା’ ପରି ଦିଶୁଥିବା ବେଳେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଦୀପିକାଙ୍କ ଏହି ଫଟୋକୁ ଫ୍ୟାନ୍‌ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି l

୨୦ ଜୁନ୍‌, ରବିବାର – ଆଜିର ରାଶିଫଳ

!!! ପ୍ରବଚକ. ଜଗଦୀଶ ପ୍ରସାଦ !!!

ମେଷ: ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ।  ବ୍ୟବସାୟରେ ଭାଗିଦାରୀଙ୍କଠାରୁ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ପ୍ରତିକାର:-ଗୋମାତାକୁ  ଖାଇବାକୁ ଦିଅନ୍ତୁ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାମ କଲେ ସୁଫଳ ପାଇବେ। ବିରୋଧୀମାନେ ପରାଜିତ ହେବେ। ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ l

ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଦୁଶ୍ଚିନ୍ତା ଦୂର ହୋଇ ଯଶ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଲାଭବାନ ହେବେ। ପ୍ରତିକାର-ମାଆବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଅଟକିଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ବନ୍ଧୁବାନ୍ଧବଙ୍କ ଠାରୁ ଶୁଭ ଖବର ପାଇବେ। ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କନ୍ୟା: ବନ୍ଧୁଙ୍କଠାରୁ ଉପହାର ମିଳିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଭରିଯିବ। ଅଟକି ଥିବା କାମ ଶେଷ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିପାରନ୍ତି। ପ୍ରତିକାର:-ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ l

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଆତ୍ମବିଶ୍ୱାସ ଯୋଗୁ ସମ୍ମାନର ଅଧିକାରୀ ହେବେ। କେତେକ କ୍ଷେତ୍ରରେ ବାଧା ବନ୍ଧନ ନ ମାନି ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିକାର-ବାସଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ବିଛା: ସାଙ୍ଗମାନଙ୍କ ସାହାଯ୍ୟ ପାଇବେ ଓ ଅନେକ ସମସ୍ୟାର ସମାଧାନ ହୋଇଯିବ। ଉଚ୍ଚ ଅଧିକାରୀଙ୍କ ସହ ସଂପର୍କ ଦୃଢ଼ ହେବ। ଗଠନମୂଳକ ତଥା ସେବା ସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ। ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ l

ଧନୁ: ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହୋଇପାରେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ l

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ଉନ୍ନତିର ସୂଚନା ପାଇ ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ। ପାରିବାରିକ ଜୀବନ ହସଖୁସିରେ କଟିବ। ପ୍ରତିକାର-ଦହି, ମିଠା ଖାଇ ଘରୁ ବାହାରନ୍ତୁ।

କୁମ୍ଭ: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଯୋଜନା କରିବେ। ଜାଗା, ଜମି ଓ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି।  ଉତ୍ତମ ବୁଝାମଣା ଯୋଗୁ ସମ୍ମାନର ଅଧିକାରୀ ହେବେ। ପ୍ରତିକାର-ମାଆବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ: ସାମାଜିକ ସ୍ତରରେ ପ୍ରଶଂସିତ ହେବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅନେକ କ୍ଷତି ହେବ।ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।