ଟ୍ୱିଟରକୁ ସଂସଦୀୟ କମିଟିର ଚରମ ଚେତାବନୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଟ୍ୱିଟରକୁ ଆଇଟି ମନ୍ତ୍ରାଳୟର ସଂସଦୀୟ କମିଟି କଡ଼ା ଜବାବ ଦେଇଛି। ୟୁପିରେ ଜଣେ ବୃଦ୍ଧ ଲୋକଙ୍କୁ ମାଡ଼ ମାରିବା ଏବଂ କଂଗ୍ରେସ ‘ଟୁଲକିଟ’କୁ ନେଇ କେନ୍ଦ୍ରର ଆଇଟି ମନ୍ତ୍ରାଳୟ ଓ ଟ୍ୱିଟର ମଧ୍ୟ ବିବାଦ ଜାରି ରହିଛି। ଏହାରି ଭିତରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ଟ୍ୱିଟର ଇଣ୍ଡିଆର ମୁଖ୍ୟ ଅଧିକାରୀ ଦେଶର ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ଦେଶର ନିୟମ ମାନୁ ନଥିବାରୁ କାହିଁକି ଟ୍ୱିଟର ଇଣ୍ଡିଆ ଉପରେ ଜୋରିମାନା ଲଗାନଯିବ ସେ ନେଇ ସଂସଦୀୟ କମିଟି ପଚାରିଥିଲା। ଜବାବରେ ଟ୍ୱିଟର ଇଣ୍ଡିଆ କହିଛି ଆମେ ସମସ୍ତ ନିୟମ ମାନୁଛୁ। ଆବଶ୍ୟକ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଛି ବୋଲି ଟ୍ୱିଟର ଇଣ୍ଡିଆ କହିଛି। ସଂସଦୀୟ କମିଟି ଟ୍ୱିଟରକୁ କହିଛି ଯେ ଦେଶର ନିୟମ ସର୍ବୋପରି। ଏହା ଆପଣଙ୍କ ନୀତି ନୁହେଁ। ସାଂସଦ ଶଶି ଥରୁରଙ୍କ ନେତୃତ୍ୱାଧୀନ ଏହି ସଂସଦୀୟ କମିଟି ଗତ ସପ୍ତାହରେ ଟ୍ୱିଟରକୁ ହାଜର ହେବାକୁ କହିଥିଲା। ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସି ମ୍ୟାନେଜର ଶଗୁଫତା କାମରାନ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର କମିଟି ସମ୍ମୁଖରେ ହାଜର ହୋଇ ମତ ରଖିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର, ନାଗରିକଙ୍କ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ଟ୍ୱିଟର ଇଣ୍ଡିଆ ଅଧିକାରୀଙ୍କ ବିବୃତ୍ତି ଏହି ଅବସରରେ ରେକର୍ଡ କରାଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ କମିଟି କମ୍ପାନୀର ଅଧିକାରୀମାନଙ୍କୁ ଏହି ଅବସରରେ ତାଗିଦ କରିଛି। ଗୋପନୀୟତା ନୀତିକୁ ନେଇ ଟ୍ୱିଟର କହିଛି ଯେ ଦେଶର ନିୟମ ବଡ, ଆପଣଙ୍କ ନୀତି ନୁହେଁ। ଟ୍ୱିଟର ଇଣ୍ଡିଆ କିନ୍ତୁ କମିଟିକୁ କହିଛି ଯେ ଆମେ ନିୟମ ପାଳନ କରୁଛୁ ଏବଂ ଆମର ଅଧିକାରୀମାନଙ୍କୁ ନିୟୋଜିତ କରିଛୁ। ଏହା ଉପରେ କମିଟି ଟ୍ୱିଟରକୁ ମନେ ପକାଇ ଦେଇଛି ଯେ ଏହା ପୂର୍ବରୁ ଆୟର୍ଲାଣ୍ଡରେ ଜୋରିମାନା କରାଯାଇଛି। କମିଟି ଟ୍ୱିଟର ଇଣ୍ଡିଆକୁ ନିୟମ ସହ ଜଡିତ କେତେ ନିଷ୍ପତ୍ତି ନେବାକୁ ପଡିବ ବୋଲି ଲିଖିତ ଭାବରେ ଜଣାଇବାକୁ କହିଛନ୍ତି। ଟ୍ୱିଟର ମୁଖପାତ୍ର କହିଛନ୍ତି ଯେ ‘ସଂସଦୀୟ କମିଟି ଆଗରେ ହାଜର ହୋଇ ମତ ରଖିବାକୁ ସୁଯୋଗ ଦିଆଯାଇଥିବାରୁ ଆମେ ଧନ୍ୟବାଦ ଦେଉଛୁ। ଆମେ ଭାରତ ସରକାରଙ୍କ ସହ କାମ ଜାରି ରଖିବୁ। ନାଗରିକଙ୍କୁ ସୁରକ୍ଷା ଦେବା ଏବଂ ସ୍ୱଚ୍ଛତା ବଜାୟ ରଖିବା ଏବଂ ଅନଲାଇନ୍ ପ୍ଲାଟଫର୍ମରେ ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ବନ୍ଧରେ ଆବଶ୍ୟକ ନିୟମ ପାଳନ କରିବା ପାଇଁ ପ୍ରତିବଦ୍ଧ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନିକଟରେ ଟ୍ୱିଟରର ଇଣ୍ଟରମିଡିୟରୀକୁ ରଦ୍ଦ କରିଛନ୍ତି। ଏହା ସହିତ କମ୍ପାନୀକୁ ଭାରତୀୟ ନିୟମର ସୀମା ମଧ୍ୟରେ ମଧ୍ୟ ଅଣାଯାଇଛି। ଅନ୍ୟପକ୍ଷରେ ୟୁପି ଗାଜିଆବାଦ ଲୋନିରେ ବୃଦ୍ଧ ଅବଦୁଲ ସମାଦଙ୍କ ଦାଢ଼ି କାଟିବା ଘଟଣାରେ ଭିଡିଓ ଟ୍ରେଣ୍ଡ କରିବା ନେଇ ପୁଲିସ ଟ୍ୱିଟର ଇଣ୍ଡିଆର ଏମଡି ମନୀଷ ମହେଶ୍ୱରୀଙ୍କୁ ନୋଟିସ ପଠାଇଛି। ସାତ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ମତ ରଖିବାକୁ ପୁଲିସ କହିଛି।

ଟିଏମସିକୁ ଡେଇଁବା ପରେ ବି ମୁକୁଲଙ୍କର ତୁଟିନି ବିଜେପି ମୋହ ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମୋତେ ବିଜେପିରେ କାମ କରିବାକୁ ଭଲ ଲାଗିଲାନି ତେଣୁ ମୁଁ ପୁଣିଥରେ ଟିଏମସିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଟିଏମସି ନେତା ମୁକୁଲ ରୟ ଗତ ସପ୍ତାହରେ ଦଳ ପରିବର୍ତ୍ତନ କରିବା ଦିନ ଏହା କହିଥିଲେ। କିନ୍ତୁ ମୁକୁଲଙ୍କର ବିଜେପି ପ୍ରତି ଅସଲ ମୋହ ତୁଟିନି। କାରଣ ସେ ବିଧାୟକ ପଦବୀରୁ ସେ ଇସ୍ତଫା ନଦେବା ମୁକୁଲଙ୍କର ବିଜେପି ପ୍ରତି ଦୁର୍ବଳତା ରହିଥିବା ଦର୍ଶାଇଛି। ନିୟମ ଅନୁଯାୟୀ ଯଦି ସେ ବିଜେପିରୁ ଇସ୍ତଫା ଦେବେ ସ୍ୱାଧୀନ ବିଧାୟକ ହୋଇଯିବେ ହେଲେ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିବାରୁ ମୁକୁଲ ରୟ ବିଧାୟକ ଆସନରେ ରହିବାକୁ ଅଯୋଗ୍ୟ ହୋଇଯିବେ। ହେଲେ ବିଜେପି ଯଦି ମୁକୁଲଙ୍କୁ ବହିଷ୍କାର କରିବ ତାହେଲେ ବିଧାୟକ ପଦବୀ ହରାଇବେ ନାହିଁ ମୁକୁଲ। ଏବେ ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି। ବିରୋଧୀ ଦଳ ନେତା ତଥା ନନ୍ଦିଗ୍ରାମର ବିଧାୟକ ଶୁଭେନ୍ଦୁ ଅଧିକାରୀ ମଧ୍ୟ ମୁକୁଲଙ୍କୁ ବିଧାୟକ ପଦବୀରୁ ଇସ୍ତଫା ଦେବାକୁ କହିସାରିଛନ୍ତି। ହେଲେ ମୁକୁଲ ରୟ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ମୁକୁଲ ଟିଏମସିରେ ସାମିଲ ହୋଇଥିବାରୁ ତାଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ଦରକାର ବୋଲି ଶୁଭେନ୍ଦୁ କହିଛନ୍ତି। ଏ ନେଇ ସେ ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି। ମୁକୁଲ ବିଧାୟକ ପଦରୁ ଇସ୍ତଫା ନଦେବାର ଅର୍ଥ ସେ ସମ୍ୱିଧାନର ଦଶମ ପରିଛେଦକୁ ଉଲ୍ଲଂଘନ କରୁଛନ୍ତି ବୋଲି ଶୁଭେନ୍ଦୁ ବାଚସ୍ପତି ବିମାନ ବାନାର୍ଜୀଙ୍କ ଆଗରେ କହିଛନ୍ତି। ତେଣୁ ମୁକୁଲଙ୍କ ବିରୋଧରେ ଦଳ ବିରୋଧୀ ଆଇନ୍ ଲାଗୁ ହେବା ଦରକାର ବୋଲି ଶୁଭେନ୍ଦୁ କହିଛନ୍ତି।ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ ହୋଇଥିବା ମୁକୁଲ ୨୦୧୭ରେ ଟିଏମସିକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଥିଲେ। ସେତେବେଲେ ସେ ଟିଏମସିରୁ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ହେଲେ ସେ ବିଜେପିରେ ସାମିଲ ହେବା ପୂର୍ବରୁ ପ୍ରଥମେ ଟିଏମସିରୁ ଇସ୍ତଫା ଦେଇଥିଲେ। ଏବେ ମୁକୁଲ ବିଜେପିରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ଟିଏମସିକୁ ଡେଇଁଛନ୍ତି। ତେଣୁ ମୁକୁଲ ୨୦୧୭ ବେଳେ ଯେଉଁ ଆଇନକୁ ଆଖି ଆଗରେ ରଖି ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ଏବେ ସମାନ ଆଇନ ଅନୁଯାୟୀ ବିଧାୟକ ପଦରୁ ଇସ୍ତଫା ଦେବା ଦରକାର ବୋଲି ବିଜେପି ନେତା ସ୍ୱପ୍ନ ଦାସଗୁପ୍ତା କହିଛନ୍ତି।

ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ଜୁନ ୨୪କୁ ଘୁଞ୍ଚିଲା ଶୁଣାଣି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଏହାପରେ କୋଲକାତା ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ପରାଜିତ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ। ଆଜି ଏହି ମାମଲା କୋଲକାତା ହାଇକୋର୍ଟରେ ହେବାର ଥିଲା। କିନ୍ତୁ ହାଇକୋର୍ଟ ଏହି ମାମଲାକୁ ଜୁନ୍ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆଜି କେବଳ କୋର୍ଟରେ ଏହି ମାମଲା ଲିଷ୍ଟିଂ ହୋଇଛି। ଶୁକ୍ରବାର ଦିନ ୧୧ଟା ବେଳେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ କୌଶିକ ଚନ୍ଦ୍ରଙ୍କ କୋର୍ଟରେ ମମତା ବାନାର୍ଜୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପସ୍ଥାପନ କରାଯାଇଥିଲା। ଉଲ୍ଲେଖ ସମୟରେ ବିଚାରପତି କହିଥିଲେ ସାଧାରଣତଃ ନିର୍ବାଚନ ସହ ଜଡିତ ମାମଲାରେ ଆବେଦନକାରୀ ନିଜେ ଉପସ୍ଥିତ ରହିବାକୁ ପଡେ ତେଣୁ ଆବେଦନକାରୀ ଉପସ୍ଥିତ ରହିବେ କି ବୋଲି ପଚାରିଥିଲେ। ଏହା ଉପରେ ମମତା ବାନାର୍ଜୀଙ୍କ ଓକିଲ କହିଛନ୍ତି ଯେ ନିୟମ ପାଳନ କରାଯିବ। ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ରହିପାରନ୍ତି। କିନ୍ତୁ ଟିଏମସି କି ମମତାଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ବେଳେ ନିର୍ବାଚନ କମିଶନର ପାତର ଅନ୍ତର କରିଥିବା ମମତା ଅଭିଯୋଗ କରିଛନ୍ତି। ଭୋଟ ଗଣତିରେ ହେରଫେର କରାଯାଇ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ବିଜୟୀ କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଏକ ଚର୍ଚ୍ଚିତ ଆସନ ଥିଲା। ମମତା ବାନାର୍ଜୀ ନିଜ ଆସନ ଭବାନୀପୁରକୁ ଛାଡ଼ି ଶୁଭେନ୍ଦୁ ଅଧିକାରୀଙ୍କ ସହ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦୀ କରିଥିଲେ। ଉଭୟ ନେତା ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ହେଲେ ଶେଷରେ ନିର୍ବାଚନ କମିଶନଙ୍କ ରାୟ ପରେ ମମତା ମାଟି କାମୁଡିଥିଲେ। ଯଦିଓ ଏହାପରେ ମମତା ବାନାର୍ଜୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେଲେ ସେ ନନ୍ଦିଗ୍ରାମ ପରାଜୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଇତିହାସ ରଚିଲେ ୧୭ ବର୍ଷୀୟ ଶେଫାଳି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ କରିବାରେ ଭାରତର ପ୍ରଥମ ଓ ଦୁନିଆର ଚତୁର୍ଥ ମହିଳା ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ଶେଫାଳି ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ୯୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୫୫ ରନ୍ କରି ଅପରାଜିତ ରହିଛନ୍ତି। ଶେଫାଳିଙ୍କ ପୂର୍ବରୁ ଏହି ଉପଲବ୍ଧି ଇଂଲଣ୍ଡର ଲେସଲୀ କୁକ୍ (୭୨ ଏବଂ ୧୧୭ ବନାମ ଭାରତ, ୧୯୮୬), ଶ୍ରୀଲଙ୍କାର ବନିସା ବୋବେନ୍ ବୋଓ୍ବେନ୍ (୭୮ ଏବଂ ୬୩ ବନାମ ପାକିସ୍ତାନ, ୧୯୯୮) ଓ ଅଷ୍ଟ୍ରେଲିଆର ଜେଫ୍ ଜନସନ୍ (୯୯ ଏବଂ ୫୪ ବନାମ ଇଂଲଣ୍ଡ, ୨୦୨୧) ହାସଲ କରିଥିଲେ। ୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ମାତ୍ର ଚାରି ରନ୍ ପାଇଁ ପଦାର୍ପଣ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ହେବାରୁ ବଞ୍ଚିତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ପାଖରେ ସବୁଠାରୁ କମ୍ ବୟସରେ ଟେଷ୍ଟ ଶତକ ମାରିବାର ଭଲ ସୁଯୋଗ ମଧ୍ୟ ଥିଲା । କିନ୍ତୁ ଶେଫାଳି ଏହା କରିବାରେ ବିଫଳ ହୋଇଛନ୍ତି । ଏବେ ଶେଫାଳିଙ୍କ ପାଖରେ ଦ୍ୱିତୀୟ ଇନିଂସରେ ଶତକ ମାରିବାର ସୁଯୋଗ ରହିଛି।ଶେଫାଳିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ମଧ୍ୟ ପ୍ରଥମ ଇନିଂସରେ ୭୮ ରନର ଇନିଂସ୍ ଖେଳିଛନ୍ତି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୭ ରନର ଭାଗିଦାରୀ କରିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ୯ ୱିକେଟରେ ୩୯୬ ରନ୍ କରିଥିବା ଇଂଲଣ୍ଡ ଭ୍ରମଣକାରୀ ଦଳକୁ ଫଲୋଅନ୍ ଡାକିଥିଲା । ଭାରତୀୟ ମହିଳା ଟିମ୍ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୮୩ ରନ୍ କରିଛି। ଶେଫାଳି ୫୫ ଓ ଦୀପ୍ତି ଶର୍ମା ୧୮ ରନରେ ବ୍ୟାଟିଂ କରୁଛନ୍ତି। ଭାରତୀୟ ମହିଳା ଟିମ୍ ଏବେବି ୮୨ ରନରେ ପଛୁଆ ଥିବା ବେଳେ ହାତରେ ୯ ୱିକେଟ୍ ବାକି ରହିଛି।

ସାଉଥାମ୍ପଟନରେ ବର୍ଷା ଭିଲେନ୍, ଧୋଇ ଦେଲା ପ୍ରଥମ ଦିନର ଖେଳ…!

ଏଥର ସମ୍ଭାଳ ବ୍ୟୁରୋ  (ନୂଆଦିଲ୍ଲୀ)- ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାତିଲ୍ ହୋଇଛି। ଫାଇନାଲକୁ ନେଇ ଫ୍ୟାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା, ବର୍ଷା ତାକୁ ଫିକା କରିଦେଇଛି। ପ୍ରଥମ ଦିବସରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ବର୍ଷା ଏତେ ଜୋରରେ ହୋଇଥିଲା ଯେ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇନାହିଁ। ଯେଉଁ କାରଣରୁ ପ୍ରଥମ ଦିବସ ଖେଳ ବିନା ଟସରେ ବାତିଲ୍ ହୋଇଯାଇଛି। ଏବେ ଦ୍ୱିତୀୟ ଦିବସରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ସମୟ ଅନୁସାରେ ଶୁକ୍ରବାର ମ୍ୟାଚ୍ ଦ୍ୱିପହର ୩ଟା ରେ ଆରମ୍ଭ ହେବା ପାଇଁ ଧାର୍ୟ୍ୟ ହୋଇଥିଲା। କିନ୍ତୁ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା । ଅମ୍ପାୟାର ବର୍ଷା ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କିନ୍ତୁ ବର୍ଷା ରୋକିବାର ନାଁ ନେଉନଥିଲା। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୬ଟା ପରେ ବର୍ଷା ବନ୍ଦ ହୋଇଥିଲା। କିନ୍ତୁ ଓଦା ଆଉଟ୍ ଫିଲ୍ଡ ଓ ଲଗାତର ବର୍ଷା ଯୋଗୁ ଅମ୍ପାୟାର ପ୍ରଥମ ଦିବସର ଖେଳ ବାତିଲ୍ କରିବାକୁ ନିଷ୍ପତ୍ତି ନେଲେ। ମ୍ୟାଚ୍ ଏବେ ଆସନ୍ତାକାଲି ଭାରତୀୟ ସମୟ ଅନୁସାରେ ୩ଟା ଆରମ୍ଭ ହେବ। ପ୍ରଥମ ସେସନ୍ ୩ଟାରୁ ୫ଟା (ଭାରତୀୟ ସମୟ ଅନୁସାରେ), ଦ୍ୱିତୀୟ ସେସନ୍ ୫.୪୦ରୁ ୭.୪୦ ଏବଂ ତୃତୀୟ ସେସନ୍ ୮ଟାରୁ ୧୦.୩୦ ଯାଏ ହେବ। ଯେହେତୁ ଆଜି ପୂରା ଦିନ ଖେଳ ହୋଇପାରିନାହିଁ। ଏଥିପାଇଁ ଆସନ୍ତାକାଲି ଠାରୁ ଆଗାମୀ ପାଞ୍ଚ ଦିନ ୯୮ ଓଭର ଲେଖାଏ ବୋଲିଂ ହେବ। ଆଇସିସି ଖରାପ ପାଗ କାରଣରୁ ନଷ୍ଟ ହୋଇଥିବା ସମୟରେ ଭରଣ ପାଇଁ ରିଜର୍ଭ ଡେ’ ରଖିଛି। ଅର୍ଥାତ୍ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଯଦି ପୂରା ପାଞ୍ଚଦିନ ଖେଳ ନହୁଏ, ତାହେଲେ ଅତିରିକ୍ତି ଗୋଟିଏ ଦିନ ମ୍ୟାଚ୍ ପାଇଁ ରଖା ଯାଇଛି। ଏବେ ଏହି ମ୍ୟାଚ୍ ୨୩ ତାରିଖ ଯାଏ ହେବ।

ଏଥର ଓଟିଟି ପ୍ଲାଟଫର୍ମକୁ ଫୁଲ୍‌ ଆକ୍ସନ୍‌ରେ ଆସିବ ‘ବିଗ୍‌ ବସ୍‌’…!

ଏଥର ସମ୍ଭାଳ ବ୍ୟୁରୋ  (ନୂଆଦିଲ୍ଲୀ)- ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବାକୁ ଖୁବଶୀଘ୍ର ଆସୁଛି ଛୋଟ ପରଦାର ଅନ୍ୟତମ ଲୋକପ୍ରିୟ ରିଆଲିଟି  ଶୋ’ ‘ବିଗ୍‌ ବସ୍‌ ସିଜିନ୍‌ ୧୫’। ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରିଥିବା ଏହି ଶୋ’ର ମେକର୍ସ ଏଥର ବି କିଛି ନୂଆ ଟ୍ରାଏ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏଥର ଶୋ’ରେ ବଡ଼ ଓ ସଫଳ କଳାକାରଙ୍କୁ ସାମିଲ କରିବାକୁ ଯୋଜନା ଆରମ୍ଭ କରାଯାଇଛି।  ସେହିପରି ଏବେ ପ୍ରାୟ ସବୁ ଶୋ’ ମେକର୍ସ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁ ଥିବା ବେଳେ ‘ବିଗ୍‌ ବସ୍‌’ର ନିର୍ମାତା ମଧ୍ୟ ଏଥିରେ ସାମିଲ ହେବାକୁ ଯୋଜନା କରୁଛନ୍ତି। ‘ବିଗ ବସ’ର ଚଳିତ ସିଜନକୁ ଓଟିଟି ପ୍ଲାଟଫର୍ମରେ ଆଣିବାକୁ ବିଚାର କରାଯାଉଛି। ପରେ ଏହାକୁ ଛୋଟ ପରଦାରେ ଅନ୍‌ ଏୟାର କରାଯିବ। ଓଟିଟିରେ ରିଲିଜ ହେବା ସମୟରେ ଏହି ଶୋ’ରେ ୧୨ ପ୍ରତିଯୋଗୀ ରହିବେ l କିନ୍ତୁ ଟିଭି ପରଦାକୁ ଆସିଲା ବେଳକୁ ଏହି ସଂଖ୍ୟା ୪ରେ ପହଞ୍ଚି ସାରିଥିବ l ଅର୍ଥାତ ଓଟିଟିରେ ହିଁ ବହୁ ପ୍ରତିଯୋଗୀଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବ। ଅବଶିଷ୍ଟ ୪ ଜଣ ଛୋଟ ପରଦାରେ ଫୁଲ ଆକ୍ସନ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିବେ। ସୂଚନାଯୋଗ୍ୟ, ବିଗ ବସ୍-୧୪ରେ ଟେଲି ଭିଜନ ଦୁନିଆର ଛୋଟି ବୋହୂ ବାଜି ମାରିନେଇଥିଲେ । ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଲେ ରୁବିନା ଦିଲୈକ। ବିଜେତା ରୂପେ ରୁବିନାଙ୍କୁ ବିଗ୍‌ ବସ୍ ଟ୍ରଫି ସହ ନଗଦ ୩୬ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ବିଗ୍‌ ବସ୍‌ର ପୂର୍ବ ଦୁଇଟି ସିଜିନ୍‌ରେ ନିର୍ମାତା ଖୁବ୍‌ ଏକ୍ସପରିମେଣ୍ଟ କରିଥିବା ବେଳେ ଏହା ଦର୍ଶକଙ୍କୁ ସେପରି ଆକର୍ଷିତ କରିପାରିନଥିଲା। ତେଣୁ ନୂଆ ରୂପରେ ଆସିବାକୁ ଥିବା ଚଳିତ ସିଜିନ ଦର୍ଶକଙ୍କୁ କେତେ ଟାଣି ପାରୁଛି, ତାହା ସମୟ ହିଁ କହିବ।

ଆଜିର ଅନୁଚିନ୍ତା – ଘରେ ଲାଗି ରହୁଛି କି ଅଶାନ୍ତି, ଚିମୁଟାଏ ଲୁଣରେ ଦୂର ହୋଇପାରେ ସମସ୍ୟା..!

!!! ପ୍ରବଚକ. ଜଗଦୀଶ ପ୍ରସାଦ !!!

ଖାଦ୍ୟ ଯେତେ ଯତ୍ନର ସହ ପ୍ରସ୍ତୁତ ହୋଇଥିଲେ ଵି ଲୁଣ ପଡ଼ିନଥିଲେ ତାହା ସ୍ୱାଦହୀନ ହୋଇଥାଏ। ସମସ୍ତଙ୍କ ରୋଷେଇ ଘରେ ଲୁଣର ଏକ ସ୍ୱତନ୍ତ୍ର ସ୍ଥାନ ଥିବା ବେଳେ ବାସ୍ତୁଶାସ୍ତ୍ରରେ ଵି ଏହାର ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚିମୁଟାଏ ଲୁଣ ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇ ହସଖୁସି ପରିବେଶ ସୃଷ୍ଟି ହୋଇଥାଏ। ଫଳରେ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। ଆର୍ଥିକ ସମସ୍ୟା ଦୂର ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏସବୁ ପାଇଁ ଲୁଣକୁ କେମିତି ବ୍ୟବହାର କରିବେ।

  • ଘରେ ସବୁବେଳେ ସୁଖଶାନ୍ତି ବଜାୟ ରଖିବାକୁ ଓ ପରିବାର ସଦସ୍ୟଙ୍କ ଭିତରେ ମନୋମାଳିନ୍ୟ ନହେବା ପାଇଁ ଘର ପୋଛିବା ସମୟରେ ସେଥିରେ ବ୍ୟବହୃତ ପାଣିରେ କିଛି ଲୁଣ ପକାଇ ଦିଅନ୍ତୁ। ଲୁଣମିଶ୍ରିତ ପାଣିରେ ଘର ପୋଛିଲେ ଘରେ ସବୁବେଳେ ପଜିଟିଭ ଏନର୍ଜି ରହିଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ।
  • ଆପଣ ନିଜ ରୋଷେଇ ଘରେ ଲୁଣ ରଖିଥିବା ପାତ୍ରର ବାସ୍ତୁ ପ୍ରଭାବ ଵି ପଡିଥାଏ। ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ। ତାହାକୁ ସବୁବେଳେ କାଚପାତ୍ରରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଘରେ ଶାନ୍ତି ବିରାଜମାନ ସହ ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ। ଆପଣ ଚାହିଁଲେ ଲୁଣ ପାତ୍ରରେ ଖଣ୍ଡେ ଲବଙ୍ଗ ମଧ୍ୟ ପକାଇ ପାରିବେ।
  • ବହୁ ସମୟରେ ରାହୁ ପ୍ରଭାବ ଯୋଗୁ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପ୍ରଭାବରେ ପରିବାର ସଦସ୍ୟ ଲଗାତାର ବେମାର ରହିଥାନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ଏକ କାଚ ପାତ୍ରରେ ସନ୍ଧବ ଲୁଣ ଭର୍ତ୍ତି କରି ତାହାକୁ ବାଥରୁମରେ ରଖି ଦିଅନ୍ତୁ। ପ୍ରତି ୧୫ ଦିନରେ ଏହି ଲୁଣକୁ ବଦଳାଇ ଦିଅନ୍ତୁ।
  • ଯଦି ଆପଣ ମାନସିକ ଶାନ୍ତି ପାଇପାରୁନାହାନ୍ତି, ଚାପମୁକ୍ତ ହୋଇପାରୁ ନାହାନ୍ତି, କାମରେ ମନ ଦେଇପାରୁ ନାହାନ୍ତି, ତା’ହେଲେ ଏପରି ସମସ୍ୟାରୁ ବାହାରିବାକୁ ଲୁଣ ଆପଣଙ୍କୁ ସାହାଯ୍ୟ କରିପାରେ। ଏଥିପାଇଁ ଆପଣ ଗାଧୋଇବା ବେଳେ ପାଣିରେ କିଛି ଲୁଣ ପକାଇ ସେଥିରେ ଗାଧାନ୍ତୁ। ସମ୍ଭବ ହେଲେ ରାତିରେ ଶୋଇବା ପୂର୍ବରୁ ଲୁଣ ମିଶ୍ରିତ ପାଣିରେ ଧୁଆଧୋଇ ହୋଇପାରନ୍ତି। ଏପରି କରିବା ଦ୍ୱାରା ଆପଣ ଚାପମୁକ୍ତ ହେବେ ଓ ଭଲ ନିଦ ଵି ହେବ।

 

 

୧୯ ଜୁନ୍‌, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ. ଜଗଦୀଶ ପ୍ରସାଦ !!!

ମେଷ: ଆର୍ଥିକ ଦିଗରୁ ଉନ୍ନତି ହେବା ଯୋଗୁ ନୂତନ ଜିନିଷ କ୍ରୟ କରିପାରନ୍ତି l ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଦୂର ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ l ପରିବାର  ସଦସ୍ୟଙ୍କ ଦ୍ୱାରା ପ୍ରଶଂସିତ ହେବେ l ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ l ପରିବାରରେ ମାନ ମନାନ୍ତର ଦୂର ହୋଇ ସାମାଜିକ ପତିଆରା ଅମଳିନ ରହିବ l ବ୍ୟବସାୟ କ୍ଷେତ୍ରରେ ଆକସ୍ମିକ ଧନ ଲାଭ ହେବ l ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚାଲିବା ଉଚିତ୍ l ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ l

ମିଥୁନ:  ଶୁଭ ସମାଚାର ପ୍ରାପ୍ତ ହେବ l ଧର୍ମାନୁଷ୍ଠାନରେ ସମୟ କଟେଇବା ପାଇଁ ମନ ବଳାଇବେ l ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ ଓ ବକେୟା ଅର୍ଥ ଆଦାୟ ହେବ l ତରବରିଆ ହିସାବରେ କୌଣସି  କାର୍ଯ୍ୟ ନ କରି ଭାବିଚିନ୍ତି ପଦକ୍ଷେପ ନେବା ଉଚିତ l ପ୍ରତିକାର:-ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ l

କର୍କଟ: ଭାଇ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ l ବ୍ୟବସାୟିକ କ୍ଷେତ୍ରରେ ନୂତନ ପନ୍ଥା ଅନୁସରଣ କଲେ ବିଶେଷ ଲାଭ ହେବ l ଅନେକ ସମସ୍ୟାର ସମାଧାନ ହୋଇ ମାନସିକ ଶାନ୍ତି ମିଳିବ l ପ୍ରତିକାର-ଶ୍ୱେତଚନ୍ଦନ କର୍ପୁର ମିଶେଇ ମସ୍ତକରେ ଧାରଣ କରନ୍ତୁ l

ସିଂହ:  ଜନସେବା ଦ୍ୱାରା ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ l ସମସ୍ତଙ୍କ ସହିତ ମିଳିମିଶି କାମ କରିପାରିଲେ ଅଧିକ ଉପକୃତ ହେବେ l ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ l ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ l

କନ୍ୟା: ଶୁଭ ସମାଚାର ପାଇବେ l ଆଲୋଚନା କ୍ଷେତ୍ରରେ ଠିକ୍ ନିଷ୍ପତି ନେବା ଫଳରେ କର୍ମକ୍ଷେତ୍ରରେ ଲାଭବାନ ହେବେ l ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବା ସହ ସବୁଥିରେ ସଫଳତା ମିଳିବ l ପ୍ରତିକାର- ସବୁଜ ରୁମାଲଟିଏ ପାଖରେ ରଖନ୍ତୁ l

ତୁଳା: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ଓ ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ l ଶତ୍ରୁହାନୀ ସହ ଉଚ୍ଚ ପ୍ରଶଂସା ଲାଭ  ଓ ଦମ୍ଭ ସାହସ ବୃଦ୍ଧି ହେବ l ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ l ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ l

ବିଚ୍ଛା: ଭାତୃବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ୱନ୍ଦର ସମାଧାନ ହୋଇପାରେ l କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ l ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ହୋଇଯିବ l ପ୍ରତିକାର-ମାବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ l

ଧନୁ: ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରନ୍ତି l କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତ ହେବ l ବିଦ୍ୟାରେ ଉନ୍ନତି ହେବା ସହ ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗେଇବା ପାଇଁ ଚେଷ୍ଟିତ ହେବେ l ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ l

ମକର: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବା ସହ ମାନସିକ ଶାନ୍ତି ମିଳିବ l ବ୍ୟବସାୟୀମାନେ ସାଧୁ ସଚ୍ଚୋଟ ଭାବେ କାର୍ଯ୍ୟ କରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ l ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟାଇବା ପାଇଁ ଚେଷ୍ଟା କରିବେ l ପ୍ରତିକାର- କଳାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ l

କୁମ୍ଭ: ଶତୃମାନେ ଦୂରେଇ ଯିବେ, ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ l ଲୋକ ସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ l ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ l ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ l

ମୀନ: ସରକାରୀ କାର୍ଯ୍ୟରେ ସଫଳତା ମିଳିବା ସହ ଶୁଭଚିନ୍ତକମାନେ ସାହାଯ୍ୟ କରିବେ l ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ l ପରିବାରକୁ ପ୍ରାଥମିକତା ଦେଇ ପାଖ ପଡୋଶୀଙ୍କ ସହିତ ମଧୁର ସମ୍ପର୍କ ରଖି ପାରିବେ l ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ l