ଭାରତୀୟ ଭେଷଜ ଚିକିତ୍ସା ସଂଘ(ଆଇଏମଏ) ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଡାକ୍ତର ତଥା ଜୀବନ ରକ୍ଷାକାରୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ ଆବଶ୍ୟକ ସରକାରୀ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ମେଡିକାଲ ଭେଷଜ ଚିକିତ୍ସା ସଂଘ (ଆଇଏମଏ) ଗଜପତି ଜିଲ୍ଲା ଶାଖା ପକ୍ଷରୁ “ଜାତୀୟ ପ୍ରତିବାଦ ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟର ଡାକ୍ତର ମାନେ ଏକତ୍ରିତ ହୋଇ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଜୀବନ ରକ୍ଷାକାରୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ ରକ୍ଷା ପାଇଁ ଆବଶ୍ୟକ ସରକାରୀ ସୁରକ୍ଷା ଯୋଗାଇ ଦେବା ଉପରେ ଦାବୀ କରି ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ । ପରେ କରୋନା ମହାମାରୀର କାର୍ଯ୍ୟରତ ସମୟରେ କରୋନା ପଜିଟିଭ୍ ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ୬୫୦ ଡାକ୍ତର ମାନଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ। ଏ ସମ୍ପର୍କରେ ବେସରକାରୀ ଡାକ୍ତର ସଂଘର ଡାଃ ପ୍ରଦୀପ କୁମାର ସ୍ବାଇଁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ଅଧିକ୍ଷକ ତଥା ଡିଏମ୍ଓ: ଡାଃ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ଯେ , କାର୍ଯ୍ୟରତ ସମୟରେ ଡାକ୍ତର ମାନଙ୍କୁ ସୁରକ୍ଷା ଦିଆ ନ ଗଲେ ସେମାନେ ଠିକ୍ ଭାବେ କାର୍ଯ୍ୟ କରି ପାରିବେନି ଏବଂ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ପାରିବେନି ।

ଏଣୁ ଲୋକମାନଙ୍କୁ ମଧ୍ୟ ଆମେ ଆଜିର ଦିନରେ ସଚେତନ କରାଇବୁ ଯେ , ଡାକ୍ତର ମାନେ ଆମର ଜୀବନ ରକ୍ଷାକାରୀ , ବିପଦ ସମୟରେ ସେମାନେ ଆମର ଜୀବନ ରକ୍ଷା କରିବାରେ ସହାୟକ ହେଉଛନ୍ତି ।ଡାକ୍ତର ମାନେ ବିଭିନ୍ନ ସମୟରେ ଅକାରଣରେ ଲୋକଙ୍କ ମାଡ଼ ଓ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସେମାନଙ୍କୁ ଏ ସବୁ ଯେଭଳି କୌଣସି କିଛି ନ ହୁଏ , ସେଥିପାଇଁ ଆମେ ସେମାନଙ୍କ ସରକାରୀ ସୁରକ୍ଷା ଚାହୁଁଛୁ । ଏ କ୍ଷେତ୍ରରେ ଲୋକମାନେ ମଧ୍ୟ ସଚେତନ ହେବା ଦରକାର ଯେ ,ଡାକ୍ତର ମାନେ ଜଣେ ରୋଗୀ ପ୍ରତି ଆବଶ୍ୟକ ଠାରୁ ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତି ଏବଂ ରୋଗୀ-ଚିକିତ୍ସା ପ୍ରତି କୌଣସି ଅବହେଳା ନ କରି ସେବା-ମନୋବୃତ୍ତି ନେଇ ରୋଗୀକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥାନ୍ତି । ତେଣୁ ଆମକୁ ବିଭିନ୍ନ ସମୟରେ ସରକାରୀ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବୀ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଡାଃ ପ୍ରଦୀପ କୁମାର ପାତ୍ର , ଡାଃ ରମେଶ ଚନ୍ଦ୍ର ମିଶ୍ର , ଡାଃ ଶ୍ରୀକାନ୍ତ ସାହୁ , ଡାଃ ସାନ୍ତାନୁ ପାଢ଼ୀ , ଡାଃ ଆର୍.କେ ମିଶ୍ର , ଡାଃ କେ.ସି .ବେହେରା , ପ୍ରମୁଖ ବହୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟର ଡାକ୍ତର ମାନେ ସାମିଲ ଥିଲେ ।

“ନିୟତି” ମାନସିକ ଅନଗ୍ରସ ବିଦ୍ୟାଳୟର ୧୮ରୁ ଉର୍ଦ୍ଧ୍ବ ବର୍ଷର ଛାତ୍ର ଛାତ୍ରୀଙ୍କ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ଡୋଜ୍ ଟୀକାକରଣ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌର-ପରିଷଦରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । ଏହି ଟୀକାକରଣ କାର୍ଯ୍ୟକ୍ରମ ସହରରେ ୧୭ ଓ ୧୮ ତାରିଖ ୨ ଦିନ ଧରି ୮ଟି କେନ୍ଦ୍ରରେ ଯଥା :- ଜିଲ୍ଲା ମୁଖ୍ୟଚିକିତ୍ସାଳୟ , ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଟାଉନ୍ ହଲ୍ , ମହାରାଜା ଓଡ଼ିଆ ବାଳିକା ବିଦ୍ୟାଳୟ , ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ଏ) ଓ ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ବି) , ଆର୍ ଏମ୍ ସି କଟନ ୟାର୍ଡ ସେଣ୍ଟରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ବ୍ୟକ୍ତିଗତ ତଦାରଖରେ ମାନସିକ ଅନଗ୍ରସ ବିଦ୍ୟାଳୟ “ନିୟତି”ର ୧୮ରୁ ଉର୍ଦ୍ଧ୍ବ ବର୍ଷର ଛାତ୍ର ଛାତ୍ରୀଙ୍କ କୋଭିଡ୍ ଟୀକାକରଣ କରାଯାଇଛି। ଟୀକା ନେବାପାଇଁ ଏହି ବୟସର ଛାତ୍ର ଛାତ୍ରୀ ମାନେ ଏଥିପାଇଁ ଖୋଲା ଯାଇଥିବା କୋଇନ୍ ପୋର୍ଟାଲରେ ନାମ ପଞ୍ଜିକରଣ କରିଥିଲେ ଏବଂ ଗତ ୧୬ ତାରିଖ ଦିନ ଅପରାହ୍ନ ୪ଟା ଠାରୁ ସ୍ଲଟ ବୁକିଙ୍ଗ କରିଥିଲେ।
ଟୀକା ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା ।

ଦୁଇ ଦିନ ଟୀକାକରଣରେ ବିଦ୍ୟାଳୟର ୧୦ ଜଣ ଛାତ୍ର ଛାତ୍ରୀ ନିୟତି ବେବର୍ତ୍ତା , କାଁହୁ ଚରଣ ପଣ୍ଡା , ସୁମନ ଜାଫିନ ରାଇକା , ପୁରନ୍ଦର ପାଣିଗ୍ରାହୀ , ଗାୟତ୍ରୀ ପାଣିଗ୍ରାହୀ , ଲିଜି ମୂର୍ତ୍ତି ରାଓ , ସୁଶାନ୍ତ କୁମାର ଭୁକ୍ତା , ସ୍ୱାଭିମାନ ପାଢ଼ୀ , ମହେନ୍ଦ୍ର ପାଢ଼ୀ , ଲକ୍ଷ୍ମୀନୃସିଂହ ପଟ୍ଟନାୟକ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେଇଛନ୍ତି।ଏ.ଏନ୍ଏ.ମ୍ : ଟି.ବିଜୟଲକ୍ଷ୍ମୀ ଏବଂ ଏ ଏନ୍ ଏମ୍ : ପି.ଦୀପ୍ତି ଆସିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟୀକା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଜିଲ୍ଲା କୋଭିଡ୍ ଟୀକା ଇଂଚାର୍ଜ ଡାଃ.ମୁନୀର , ଶେଷଦେବ ମିଶ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ନିର୍ଦେଶକ ହେଲ୍ପ , “ନିୟତି”ର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା , ସୁଶ୍ରୀ ଜ୍ୟୋଷ୍ଣା ଡାକୁଆ , ଦେବଦତ୍ତ ବେବର୍ତ୍ତା , ସେହ୍ନଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ନିଜ ପକ୍ଷଭୁକ୍ତ କରିବା ପାଇଁ ଗୁଣପୁର ବିଡ଼ିଓ ଆପଣେଇଛନ୍ତି ଦୁର୍ନୀତିର ରାସ୍ତା….!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ସିରିଝିଲି ଗ୍ରାମ ପଞ୍ଚାୟତ ରେ ରହିଥିବା କଇଠ ପଦର ପି.ଡ଼ବ୍ଲ୍ୟୁ.ଡି ରାସ୍ତା ଠାରୁ ସମିତି ସଭ୍ୟ ଙ୍କ ବାସସ୍ଥଳୀ ପର୍ଯ୍ୟନ୍ତ ନିର୍ମିତ ରାସ୍ତା କୁ ନେଇ କଥା ଉଠିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସଧାରଣ ଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରୟାସ କରୁଛନ୍ତି ।ପରନ୍ତୁ ଅନେକ ସ୍ଥାନରେ ତୃଣମୂଳ ସ୍ଥଳରେ ଏହାକୁ କାର୍ଯ୍ୟକାରୀ କରିବାରେ ସ୍ଥାନୀୟ ଅଧିକାରୀ ଙ୍କ ପାତର ଅନ୍ତର ନୀତି ସଧାରଣ ରେ ଅସନ୍ତୋଷ ବ୍ୟକ୍ତ କରୁଛି । ପଞ୍ଚାୟତ ସମିତି ଅଧିନସ୍ତ ଅନେକ ଗ୍ରାମକୁ ରାସ୍ତାଟିଏର ସୁବିଧା ନଥିବା ବେଳେ ସମିତି ସଭ୍ୟଙ୍କ ଗୋଟିଏ ଘରକୁ ଯିବା ନିମନ୍ତେ ଗୁଣପୁର ପଞ୍ଚାୟତ ସମିତି ଖର୍ଚ୍ଚ କରିଛି ଦୁଇ ଲକ୍ଷ ରୁ ଅଧିକ ଟଙ୍କା । କେବଳ ସରକାରୀ ଜମିରେ କିମ୍ବା ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମି ଉପରେ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ବିଧେୟ ରହିଥିବା କୁହା ଯାଉଥିବା ବେଳେ ବିଡ଼ିଓ ମହୋଦୟା ସମିତି ସଦସ୍ୟ ଙ୍କୁ ସୁହାଇବା ନିମନ୍ତେ ଗ୍ରାମର ବେସରକାରୀ ଜମି ଉପରେ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ରାସ୍ତା କାର୍ଯ୍ୟ ନିକଟରେ ଲଗାଯାଇଥିବା କାର୍ଯ୍ୟସୂଚୀ ଫଳକରେ ଏହାର ଦୈର୍ଘ୍ୟ ସୁଚା ଯାଇନଥିବା ଓ ଏହି ରାସ୍ତାଟି ଖାତା ନମ୍ବର 68/76 ଓ ପ୍ଲଟ ନମ୍ବର 337
ଗେଦେଲି ପାତିକା ଙ୍କ ନାମରେ ଏବଂ ଖାତା ନମ୍ବର 9 ଓ ପ୍ଲଟ ନମ୍ବର 336 ଗେଦେଲି ଗଙ୍ଗା ଙ୍କ ନାମରେ ରହିଥିବା ଜାଗାରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

ଉକ୍ତ ଜମିର ମାଲିକ ମଧ୍ୟ ଏହାକୁ ନେଇ ବିରୋଧ କରିଥିବା ସୂଚନା ମିଳିଛି । ଗୁଣପୁର ବିଡ଼ିଓ ଶାନ୍ତି ପ୍ରଭା ପ୍ରଧାନ ଙ୍କ ମନମୁଖୀ କାର୍ଯ୍ୟ କଳାପ ଵିରୁଦ୍ଧ ରେ ସରପଞ୍ଚ ଓ ସମିତି ସଭ୍ୟମାନେ ସମୂହ ଦସ୍ତଖତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣା କରିଥିଲେ । ଏହି ଅଭିଯୋଗ ପତ୍ରରେ ସିରିଝୋଲି ଗ୍ରାମ ପଞ୍ଚାୟତ ର ସମିତି ସଦସ୍ୟ ମୀନା ରାଓ ମଧ୍ୟ ଦସ୍ତଖତ କରିଥିବାରୁ ତାଙ୍କୁ ନିଜ ପକ୍ଷ ଭୁକ୍ତ କରିବା ନିମନ୍ତେ ୨୦୧୭-୨୦୧୮ ମସିହାରୁ ପଡିରହିଥିବା କାର୍ଯ୍ୟ କୁ ଦେଇ ଥିବା ଅଭିଯୋଗ ହୋଇଛି । ବିଡ଼ିଓ ମହୋଦୟା ଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହେବା ପୂର୍ବରୁ କିଛି ସରପଞ୍ଚ ଓ ସମିତି ସଦସ୍ୟ ଙ୍କୁ ତାଙ୍କ ସପକ୍ଷ ଭୁକ୍ତ କରିବା ନିମନ୍ତେ ସେ ଗ୍ରହଣ କରିଥିବା ପଦକ୍ଷେପର ଏହା ନମୁନା ବୋଲି ମତ ପ୍ରକାଶ ପାଇଛି । ଅନୁସନ୍ଧାନ କରାଗଲେ ଏମିତି ଅନେକ ଉଦାହରଣ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ଗୁଣପୁର ସମିତି କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏଭଳି ଦୁର୍ନୀତି ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ହାଇକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ହାଇକୋର୍ଟରେ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା। ଶ୍ରୀ ବଳଦେବଜୀଉଙ୍କ ୫ ଜଣ ସେବାୟତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କୋଭିଡ୍‌ କଟକଣା ଭିତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କଲେ ସେବାୟତ। ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା। କୋଭିଡ୍‌ ମହାମାରୀକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍‌ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି। ରଥଯାତ୍ରା କରିବା ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସବୁ ତହସିଲ୍ ଅଫିସ୍‌ ଆଗରେ ଗଣଧାରଣା ଦିଆଯାଇଛି। ସେପଟେ କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ସରକାର ଆନ୍ତରିକତା ଦେଖାନ୍ତୁ ବୋଲି ଏକ ପ୍ରେସ୍ ରିଲିଜ ଜରିଆରେ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଲେଖିଛନ୍ତି, ଶ୍ରୀକ୍ଷେତ୍ର ସହ ତୁଳସୀକ୍ଷେତ୍ର ରଥଯାତ୍ରା ମଧ୍ୟରେ ସାମଞ୍ଜସ୍ୟ ରହିଛି। ଏହା ଅଗଣିତ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ। କୋଭିଡ୍‌ କଟକଣାରେ ଏଠି ରଥଯାତ୍ରା ପାଇଁ ସରକାର ଚେଷ୍ଟା କରିବା ଉଚିତ୍। ତେଣେ ବଳଦେବଜୀଉ ମନ୍ଦିରର କେତେକ ସେବାୟତ ଆଜି ପୁରୀ ଗୋବର୍ଦ୍ଧନପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ପ୍ରଦାନ କରିଛନ୍ତି।

‘ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାନ୍ତୁ’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡ଼ୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀ ସହ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ସହ ନୀତିକାନ୍ତିରେ ସମାନତା ଓ ସଂଯୋଗ ବହୁ ପ୍ରାଚୀନ। ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା। ଏହି ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷକରି କେନ୍ଦ୍ରାପଡ଼ାବାସୀଙ୍କ ଧର୍ମୀୟ ଭାବନା ଜଡିତ ରହିଛି । ଏହି ବହୁ ପୁରାତନ ପରାମ୍ପରା ଓ ଜନସାଧାରଣଙ୍କ ଭାବାବେଗ ସହ ବୃହତ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟମାବଳୀକୁ ପ୍ରାଧାନ୍ୟ ଦେଇ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ପ୍ରଚେଷ୍ଟା ଉଚିତ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୂଚନାଯୋଗ୍ୟ, ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି। ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ। ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ। କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ ଏସ୍ଆରସି କହିଥିଲେ ।

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବାକୁ ଯାଉଥିବା ବେଳେ ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ପ୍ରକାରେ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ କରାଯିବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ ଦିନ ପରେ ଏ ସମସ୍ତଙ୍କର RTPCR ଟେଷ୍ଟ କରାଯିବ। ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ମଧ୍ୟ ଦିଆଯିବ। ଏହା ସହିତ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମ୍‌ଓଙ୍କ ଅଫିସ ମଧ୍ୟରେ ସେ ଯୋଗସୂତ୍ର ରଖିବା ପାଇଁ ଜଣେ ନୋଡାଲ୍ ଅଧିକାରୀ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ବି ରାଜ୍ୟରେ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ। ବିନା ଭକ୍ତରେ ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଅନେକ କଟକଣା ମଧ୍ୟ ରଖାଯାଇଛି। ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା ନହେଲେ ବି ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ। ତେବେ କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି ସଂପନ୍ନ କରାଯାଇପାରିବ।

ଆଇନଜୀବୀଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜେଡି ଆଇନ ସାମ୍ମୁଖ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ନିଜସ୍ୱ ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା’ରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟର ବିଜେଡି ସରକାର ଡିଣ୍ଡିମ ପିଟୁଥିବାବେଳେ ଶାସକ ଦଳ ବିଜେଡିର ଆଇନ ସାମ୍ମୁଖ୍ୟ ପକ୍ଷରୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦାବି କରାଯାଇଛି। ଶାସକ ବିଜେଡିର ନିଜସ୍ୱ ଆଇନ ସାମ୍ମୁଖ୍ୟର ଆବାହକ ଆଡଭୋକେଟ୍ ମିଲନ କାନୁନଗୋ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କୋଭିଡ୍ ମହାମାରୀ କାରଣରୁ ଆର୍ଥିକ ଦୁଃସ୍ଥିତିରେ ଥିବା ଓକିଲମାନଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଶ୍ରୀ କାନୁନଗୋ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ମହାମାରୀ ଯୋଗୁ ଗତ ଦେଢ଼ବର୍ଷ ହେବ କୋର୍ଟ ବନ୍ଦ ରହିଛି। ଏହି କାରଣରୁ ଓକିଲମାନେ ନିଜର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓକିଲମାନେ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଛନ୍ତି। ଆବେଦନକାରୀଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଓ ସରକାରଙ୍କ ବିଭିନ୍ନ ମାମଲା ପାଇଁ ଓକିଲମାନଙ୍କୁ କୋର୍ଟରେ ପକ୍ଷ ରଖିବାକୁ ପଡ଼ୁଛି। ଏହି କାରଣରୁ ବହୁ ସଂଖ୍ୟକ ଓକିଲ କୋଭିଡ-୧୯ ରେ ସଂକ୍ରମିତ ହେବା ସହ ଅନ୍ୟାନ୍ୟ ରୋଗର ଶିକାର ହୋଇଛନ୍ତି । ଏହି ଚିକିତ୍ସା ଖର୍ଚ୍ଚକୁ ବହନ କରିବା ଓକିଲମାନଙ୍କ ପାଇଁ ସମସ୍ୟା ହେଉଛି। ସେମାନେ ନିଜର ଚିକିତ୍ସା ଖର୍ଚ୍ଚର ବୋଝକୁ ବହନ କରିବାକୁ ଅସମର୍ଥ ହୋଇପଡ଼ୁଛନ୍ତି । ଏପରିକି ସାଧାରଣ ସମୟରେ ବି ଓକିଲମାନେ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗିଥାନ୍ତି। ତେଣୁ ଏହି କାରଣରୁ ଓକିଲମାନଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଗଲେ ସମଗ୍ର ଓକିଲ ସମାଜ କୃତଜ୍ଞ ରହିବ । ଏହା ଓକିଲ ସମୁଦାୟକୁ ସୁଦୃଢ଼ କରାଇବ ଓ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ନିଜସ୍ୱ ‘ବିଜୁ କଲ୍ୟାଣ ଯୋଜନା’ରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ସବୁସ୍ତରର ସରକାରୀ ମେଡିକାଲରେ ସବୁ ବର୍ଗର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଏହାବ୍ୟତୀତ ଗରିବ ଶ୍ରେଣୀର ଲୋକଙ୍କୁ ଅନ୍ୟ ଘରୋଇ ହସ୍ପିଟାଲରେ ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରଚାର କରୁଛନ୍ତି । ଯଦି ସରକାରୀ ମେଡିକାଲ ଓ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଉଛି ତା’ହେଲେ ତା’ର ସୁବିଧା କେଉଁମାନେ ନେଉଛନ୍ତି? ରାଜ୍ୟର ଓକିଲମାନେ ବିଶେଷକରି ବିଜୁ ଜନତା ଦଳର ଛାମୁଆ ସଂଗଠନ ବିଜେଡି ଆଇନ ସାମ୍ମୁଖ୍ୟ ଏବେ ଓକିଲମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦାବି କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର କୋଭିଡ୍ ପାଇଁ ମାଗଣା ଚିକିତ୍ସା ସୁବିଧା ଦେଉଥିବାବେଳେ ଅନ୍ୟାନ୍ୟ ସମସ୍ତ ରୋଗର ଚିକିତ୍ସା ସୁବିଧା ମଧ୍ୟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣାରେ ଦିଆଯାଉଛି ବୋଲି କହୁଛନ୍ତି । ଯଦି ଏହା ସତ, ତେବେ ଓକିଲଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ମାଗଣାରେ ସରକାରୀ ଚିକିତ୍ସା ସେବା ପାଇପାରନ୍ତେ ଓ ସେମାନଙ୍କୁ ଅଯଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ।

କାହିଁକି ଶୁଣାଣି ପୂର୍ବରୁ ବିଚାରପତିଙ୍କୁ ବଦଳାଇବାକୁ ଚାହୁଁଛନ୍ତି ମମତା…?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାଲକାଟା ହାଇକୋର୍ଟଙ୍କୁ ଚିଠି ଲେଖି ତାଙ୍କ ଆବେଦନ ଶୁଣାଣି ଅନ୍ୟ ଜଣେ ବିଚାରପତିଙ୍କ ଦ୍ୱାରା କରାଇବା ଅନୁରୋଧ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ପରାସ୍ତ ହୋଇଛନ୍ତି। ତେବେ ଏହା ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ଏହା ଶୁଣାଣି ହେବ। ଏହି ମାମଲାର ଶୁଣାଣି ଦାୟିତ୍ୱ ଜଷ୍ଟିସ କୌଶିକ ଚନ୍ଦାଙ୍କୁ ଦିଆଯାଇଛି। ହେଲେ ମମତା ବାନାର୍ଜୀ ଜଷ୍ଟିସ କୌଶିକ ଚନ୍ଦାଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ମାମଲା ଶୁଣାଣି ଅନ୍ୟ ଜଣେ ଜଜ୍‌ଙ୍କ ଦ୍ୱାରା କରାଇବାକୁ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଓକିଲ ବିଚାରପତିଙ୍କ କାହିଁକି ବଦଳାଇବା ଉଚିତ, ସେଥିପାଇଁ ଦୁଇଟି କାରଣ କହିଛନ୍ତି। ପ୍ରଥମ କାରଣ ହେଉଛି ଯେ ଜଷ୍ଟିସ ଚନ୍ଦା ପୂର୍ବରୁ ବିଜେପି ସହ ଜଡିତ ଥିବା ରିପୋର୍ଟ ମିଳିଛି। ବିଜେପି ନେତାଙ୍କ ବୈଠକରେ ସେ ସାମିଲ ହୋଇଥିବା ବେଳର ଫଟୋ ସାମ୍ନାକୁ ଆସିଛି। ତେଣୁ ମାମଲାର ଶୁଣାଣି ବେଳେ ପକ୍ଷପାତିତାର ଆଶଙ୍କା ରହିଛି। ଯାହା ବିରୋଧରେ ଆବେଦନ କରାଯାଇଛି, ତାଙ୍କ ସପକ୍ଷରେ ଏହା ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଦ୍ୱିତୀୟ କାରଣ ହେଉଛି, ଏପ୍ରିଲ ମାସରେ କ୍ୟାଲକାଟା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦାଙ୍କ ନିଯୁକ୍ତକୁ ବିରୋଧ କରାଯାଇଥିଲା। ଏପରି ସ୍ଥିତିରେ ସେ ମାମଲାର ଶୁଣାଣି କରିବା ଠିକ ହେବନାହିଁ। ନ୍ୟାୟ କେବଳ ମିଳିଲେ ହେବନି, ଏହା ସମସ୍ତଙ୍କୁ ଦୃଶ୍ୟମାନ ହେବା ଉଚିତ। ଜନସାଧାରଣଙ୍କ ଆତ୍ମବିଶ୍ୱାସ ବଜାୟ ରଖିବାର ଆବଶ୍ୟକତା ନ୍ୟାୟପାଳିକାର ଦାୟିତ୍ୱ। ତେଣୁ ଏହା ଉପରେ କୋର୍ଟ ଧ୍ୟାନ ଦେବା ଦରକାର ବୋଲି ମମତାଙ୍କ ଓକିଲ ଚିଠିରେ ଲେଖିଛନ୍ତି। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ମଧ୍ୟ ଦୁଇଟି ଫଟୋ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଜଷ୍ଟିସ୍ ଚନ୍ଦା ବିଜେପିର ଆଇନ ଓ ଆଇନ ବ୍ୟାପାର ବିଭାଗର ବୈଠକରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ଉଭୟ ଫଟୋରେ ସର୍କଲ ମଧ୍ୟରେ ଥିବା ଏହି ବ୍ୟକ୍ତି ଜଣଙ୍କ କିଏ? ସେ କ୍ୟାଲକାଟା ହାଇକୋର୍ଟର ଜଷ୍ଟିସ କୌଶିକ ଚନ୍ଦା କି? କ’ଣ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣିତ ଦାୟିତ୍ୱ ତାଙ୍କୁ ଦିଆଯାଇଛି? କ’ଣ ନ୍ୟାୟପାଳିକା ଆହୁରି ତଳକୁ ଖସି ପାରିବ କି?” ଶୁକ୍ରବାର ଜଷ୍ଟିସ କୌଶିକ ମମତାଙ୍କ ଆବେଦନର ଶୁଣାଣି କରି ଏହାକୁ ୨୪ ତାରିଖ ଯାଏ ଘୁଞ୍ଚାଇ ଦେଇଛନ୍ତି।

ଆନ୍ଦୋଳନରତ ଚାଷୀଙ୍କ ସହ କଥା ହେବାକୁ କେନ୍ଦ୍ର ରାଜି, କିନ୍ତୁ…..?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦୀର୍ଘ ୬ ମାସ ହେଲା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ରାଜି ଥିବା କହିଛନ୍ତି। ତେବେ କୃଷି ଆଇନ କୌଣସି ପ୍ରକାରର ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ବୈଠକ ହୋଇଥିଲା। ଶେଷଥର ପାଇଁ ଉଭୟ ଜାନୁଆରୀ ୧୧ରେ ଆଲୋଚନା କରିଥିଲେ। ହେଲେ ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଥିବାରୁ ଆଲୋଚନା ବେଳେ କୌଣସି ସୁଫଳ ମିଳି ନଥିଲା। ଦିଲ୍ଲୀ ସୀମାରେ ଦୀର୍ଘ ୬ ମାସରୁ ଅଧିକ ଦିନ ହେବ ପଞ୍ଜାବ, ଉତ୍ତର ପ୍ରଦେଶ ଓ ହରିଆଣା ସମେତ ଏକାଧିକ ରାଜ୍ୟର ଶତାଧିକ ଚାଷୀ ବିକ୍ଷୋଭ କରୁଛନ୍ତି। ଖରା, ବର୍ଷା ଓ କରୋନା ସଂକ୍ରମଣ ସମୟରେ ମଧ୍ୟ ସେମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ନେଇ ସରକାର ଚାପରେ ରହିଥିବା ବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି। ଶୁକ୍ରବାର ସେ ଟ୍ୱିଟରରେ ଗୋଟିଏ ଭିଡିଓ ଜାରି କରି କହିଛନ୍ତି, “ଭାରତ ସରକାର ଚାଷୀମାନଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ରାଜି ଅଛନ୍ତି। କିନ୍ତୁ ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ଛାଡ଼ି ଆଉ ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ। ଯଦି କୌଣସି ଚାଷୀ ସଂଗଠନ ଆଇନରେ ଥିବା ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, ତା’ହେଲେ ଏହାକୁ ସରକାର ସ୍ୱାଗତ କରିବେ। ଏପରି କି ମଧ୍ୟରାତ୍ରରେ ବି ଆଲୋଚନା କରିବାକୁ ସରକାର ପ୍ରସ୍ତୁତ।”ଅନ୍ୟପକ୍ଷରେ ସରକାର ଆଲୋଚନା ସମ୍ପର୍କରେ ଏପରି ବୟାନ ଦେଇଥିବା ବେଳେ ଚାଷୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଜାନୁଆରୀ ୧୧ରେ ହୋଇଥିବା ଶେଷ ଆଲୋଚନାରେ କୌଣସି ସୁଫଳ ମିଳି ନଥିବାରୁ ଜାନୁଆରୀ ୨୬ରେ ଚାଷୀମାନେ ଆନ୍ଦୋଳନ ଡାକରା ଦେଇଥିଲେ। ଦିଲ୍ଲୀରେ ଚାଷୀଙ୍କ ତରଫରୁ ଆୟୋଜନ କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।ଚାଷୀ ଆନ୍ଦୋଳନର ଆଳନରେ କିଛି ଅସାମାଜିକ ବ୍ୟକ୍ତି ଲାଲକିଲ୍ଲାରେ ପ୍ରବେଶ କରି ଶିଖ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ଅନେକ ଲୋକଙ୍କୁ ଗିରଫ କରିଛି।

ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ! ମୋଦି କରିବେ ସର୍ବଦଳୀୟ ବୈଠକ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଥିବା ଅସ୍ଥିରତା ଶୀଥିଳ ପଡ଼ିବାରେ ଲାଗିଛି। ସୁରକ୍ଷାକର୍ମୀମାନେ ମଧ୍ୟ ଆତଙ୍କବାଦ ବିରୋଧୀ ଅଭିଯାନ ଦ୍ୱାରା ଉପତ୍ୟକାରେ ଶାନ୍ତି ଫେରାଇବାରେ ସକ୍ଷମ ହୋଇଛନ୍ତି। ଏସବୁ ଭିତରେ ଜମ୍ମୁ-କଶ୍ମୀରରେ ନିର୍ବାଚନା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉପତ୍ୟକାରେ ନିର୍ବାଚନ କରିବାକୁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଉପରେ ଆଲୋଚନା କରିବା ପାଇଁ ସମସ୍ତ ରାଜନୀତିକ ଦଳ ସହ ବୈଠକ କରିବେ। ଏହି ବୈଠକ ସମ୍ଭବତଃ ଜୁନ୍‌ ୨୪ରେ ଅନୁଷ୍ଠିତ ହେବାର ଅଛି। କିନ୍ତୁ ଚୂଡ଼ାନ୍ତ ତାରିଖ ଏଯାଏ ଜଣାପଡ଼ିନି।ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ-କଶ୍ମୀରରେ ଏକାଧିକ କଟକଣା ଲଗା ଯାଇଥିଲା। ହେଲେ ଧୀରେଧୀରେ ଉପତ୍ୟକାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସଂଯୋଗ କରାଯିବା ସହ ଅଟକ ରହିଥିବା ରାଜନେତାଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଏବେ ସେଠାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମୋଦିଙ୍କ ସର୍ବଦଳୀୟ ବୈଠକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କଶ୍ମୀରକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିସରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ସହ ୯୦% ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବା ଓ ୭୫% ଲୋକଙ୍କ ଟିକାକରଣ କରିବାକୁ ଏହି ବୈଠକରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଶାହ ଶୁକ୍ରବାର ଏନଏସଏ ଅଜିତ ଡୋଭାଲ, ଗୁଇନ୍ଦା, କେନ୍ଦ୍ରୀୟ ଫୋର୍ସ ଓ ଜମ୍ମୁ-କଶ୍ମୀର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ମେ’ ୩୧ ସୁଦ୍ଧା ଜମ୍ମୁ-କଶ୍ମୀରରେ ୪୦ଟି ଆତଙ୍କବାଦ ଘଟଣା ଘଟିଥିବା ବେଳେ ୨୦୨୦ରେ ଏହା ୨୩୮ ଥିଲା। ୨୦୨୧ର ପ୍ରଥମ ୫ ମାସରେ ୫୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।