ନୀନା ବି ହୋଇଥିଲେ କାଷ୍ଟିଂ କାଉଚ୍‌ର ଶିକାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମଝିରେ ମଝିରେ କାଷ୍ଟିଂ କାଉଚ୍‌କୁ ନେଇ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୁଏ ଓ ଅଭିଯାନ ବି ଚାଲେ। ତେବେ ଏହି କାଷ୍ଟିଂ କାଉଚ୍ ଆଜିକାଲିର ଘଟଣା ନୁହେଁ। ବଲିଉଡ ସହ କାଷ୍ଟିଂ କାଉଚର ସମ୍ପର୍କ ବହୁ ପୁରୁଣା। କେବଳ ଏବେ ନୁହେଁ, କାମ ଆଶାରେ ବଲିଉଡକୁ ବହୁ ବର୍ଷ ପୂର୍ବେ ଆସିଥିବା ଅନେକ ଯୁବତୀ ମଧ୍ୟରେ ଏହାର ଶିକାର ହୋଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଭେଟେରାନ୍ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ଥିଲେ। କିଛି ଦିନ ତଳେ ଉନ୍ମୋଚିତ ହୋଇଥିଲା ନୀନାଙ୍କ ଆତ୍ମଜୀବନୀ ‘ସଚ୍‌ କହୁଁ ତୋ’। ଏହି ପୁସ୍ତକରେ ସେ ନିଜ ଜୀବନର ବହୁ ଘଟଣା ସଂପର୍କରେ ଉଲ୍ଲେଖ କରିଥିବା ବେଳେ କାଷ୍ଟିଂ କାଉଚ୍‌ ସଂପର୍କରେ ବି ଲେଖିଛନ୍ତି। ସେ ନିଜେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନୀନା ଏଥିରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ବହୁ ବର୍ଷ ପୂର୍ବେ ତାଙ୍କ ନିକଟକୁ ଜଣେ ସାଉଥ୍‌ ଫିଲ୍ମ ପ୍ରଡ୍ୟୁସରଙ୍କ ଫୋନ୍‌ ଆସିଥିଲା। ସେ ତାଙ୍କ ସହିତ ସାକ୍ଷାତ କରିବାକୁ ଚାଁହୁଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ପ୍ରଡ୍ୟୁସର ଜଣଙ୍କ ତାଙ୍କୁ ନିଜ ରୁମ୍‌କୁ ଡାକିଥିଲେ। କିନ୍ତୁ ସେ କିଛି ଗଡ଼ବଡ଼  ଥିବା ଆଶଙ୍କା କରିଥିଲେ। ତଥାପି କାମ ଆଶାରେ ସେ ପ୍ରଡ୍ୟୁସରଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ନୀନା ନିଜ ରୋଲ୍‌ ବିଷୟରେ ପଚାରିବାରୁ ପ୍ରଡ୍ୟୁସର ତାଙ୍କୁ ହୀରୋଇନର ସାଙ୍ଗ ରୋଲ୍‌ ଅଫର କରିଥିଲେ। ମାତ୍ର ଏହା ପସନ୍ଦ ନଆସିବାରୁ ସେ ସେଠାରୁ ଚାଲି ଯିବାକୁ ବାହାରିଥିଲେ। ଏହା ପରେ ପ୍ରଡ୍ୟୁସର ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏଠାରେ ରାତିରେ ରହିବ ନାହିଁକି ବୋଲି ପଚାରିଥିଲେ। ଏହା ଶୁଣି ତାଙ୍କୁ ଝଟକା ଲାଗିଥିବା ବେଳେ ସେ ସେଠାରୁ ପଳାଇ ଆସିଥିବା ନୀନା ନିଜ ବହିରେ ଲେଖିଛନ୍ତି।

ଫ୍ୟାଟ୍ ଟୁ ଫିଟ୍ ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟିଭି ଜଗତରେ ‘କ୍ୟୁଁକି ସାସ୍ ଭି କଭି ବୋହୂ ଥୀ’ ସିରିଏଲ୍ ଜରିଆରେ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସିରିଏଲରେ ‘ତୁଳସୀ’ ଭୂମିକା ତୁଲାଇବା ପରେ ସେ ଘରେ ଘରେ ବେଶ୍ ପରିଚିତ ହୋଇଥିଲେ। ଶୋ’ ପରେ ରାଜନେତା ହେବା ଅଭିଯାନରେ ସ୍ମୃତି ଇରାନୀ ନିଜର ଓଜନ ବହୁତ ବଢ଼ାଇ ଥିଲେ । ହେଲେ ଏବେ ତାଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ନିଜର ଫିଟନେସ୍ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଓ୍ବାର୍କ ଆଉଟ୍ ମଧ୍ୟ କରୁଛନ୍ତି । ନିକଟରେ ହୋଷ୍ଟ ମନିଷ ପଲ୍ ଇନଷ୍ଟାଗ୍ରାମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ନିଜର ଏକ ଫଟୋ ଶେଆର୍ କରିଛନ୍ତି । ଏହି ଫଟୋରେ ସ୍ମୃତି ଇରାନୀଙ୍କ ଲୁକରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ ସ୍ମୃତି ଇରାନୀ ଏବେ ଫ୍ୟାଟ୍ ଟୁ ଫିଟ୍ ଅଭିଯାନ ଆପଣାଇଛନ୍ତି। ମନିଷ ପଲଙ୍କ ପକ୍ଷରୁ ଶେଆର୍ କରାଯାଇଥିବା ଫଟୋରେ ସ୍ମୃତି ଇରାନୀଙ୍କ ଓଜନ ମଧ୍ୟ କମିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର୍ କରି ମନିଷ ପଲ୍ ଲେଖିଛନ୍ତି, ଗୋଟିଏ କପ୍ କାଢ଼ା ପିଆଇବା ପାଇଁ ସ୍ମୃତି ଇରାନୀ ମ୍ୟାଡମଙ୍କୁ ଧନ୍ୟବାଦ। କ’ଣ ସମୟ ଆସି ଯାଇଛି ଯେ ସମସ୍ତେ ଚା’ ବଦଳରେ କାଢ଼ା ପିଇବାକୁ ଲାଗିଛନ୍ତି, କିନ୍ତୁ ମୋତେ ନିମନ୍ତ୍ରଣ କରିଥିବାକୁ ଧନ୍ୟବାଦ। କେବଳ ଫଟୋ ପାଇଁ ମାସ୍କ ହଟାଇଥିଲେ। ସ୍ମୃତି ଇରାନୀ ସୋଶାଲ ମିଡିଆରେ ନିଜର ଥ୍ରୋ’ ବ୍ୟାକ୍ ଫଟୋ ଶେଆର୍ କରନ୍ତି। ସେ ୨୪ ବର୍ଷ ବୟସରେ ଟିଭି ଦୁନିଆରେ ପାଦ ରଖିଥିଲେ।

ଆଜିର ଅନୁଚିନ୍ତା – ହଠାତ୍‌ ମାଡ଼ି ଆସୁଛି କି ସମସ୍ୟା ? ଜାଣନ୍ତୁ କ’ଣ ହୋଇପାରେ କାରଣ …!

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ସବୁ କିଛି ଠିକ୍‌ ଚାଲୁଥିବା ବେଳେ ହଠାତ୍‌ ଏପରି କିଛି ସମସ୍ୟା ଆସେ ଯାହା ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦିଏ। ଏଥିଯୋଗୁ ଘରର ବଜେଟ ପୂରା ବିଗିଡ଼ି ଯାଏ। ଆପଣ କେବେ ଭାବିଛନ୍ତି, ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଉ କିଛି ବାସ୍ତୁ ଟିପ୍ସକୁ ଆପଣାଇ ଏଭଳି ସମସ୍ୟାରୁ ମୁକୁଳାଇ ପାରେ।

  • ଯଦି ଘରେ ଥିବା ପାଣି ଟ୍ୟାପ ବନ୍ଦ କରିବା ପରେ ଵି ବୁନ୍ଦା ବୁନ୍ଦା ହୋଇ ପାଣି ବୋହୁଛି, ତା’ହେଲେ ଏହାକୁ ହାଲକା ଭାବେ ନିଅନ୍ତୁ ନାହିଁ। କୁହାଯାଏ, ଯେପରି ଟୋପା ଟୋପା ପାଣି ପଡ଼ି ନଷ୍ଟ ହୋଇଥାଏ, ସେପରି ଆପଣଙ୍କ ଘରର ଧନ ମଧ୍ୟ ଅପବ୍ୟୟ ହୋଇଥାଏ। ତେଣୁ ତୁରନ୍ତ ଏପରି ସମସ୍ୟାର ସମାଧାନ କରନ୍ତୁ। ଟ୍ୟାପ୍‌କୁ ମରାମତି କରନ୍ତୁ ନହେଲେ ନୂଆ ଟ୍ୟାପ୍ ଲଗାନ୍ତୁ।
  • ଆପଣଙ୍କ ଘରୁ ଯେତେ ପାଣି ନିଷ୍କାସିତ ହେଉଛି, ଧ୍ୟାନ ରଖନ୍ତୁ ତାହା ଯେପରି ଘରର ପୂର୍ବ କିମ୍ବା ଉତ୍ତର ଦିଗରୁ ନିଷ୍କାସିତ ହେଉଥିବ। ଏପରି ଦ୍ୱାରା କେବଳ ଧନର ଅପଚୟ ରୋକଯାଇ ପାରିବ ତାହା ନୁହେଁ, ଘରର ଆର୍ଥିକ ସମୃଦ୍ଧି ଵି ହୋଇଥାଏ।
  • ଆପଣ ଘରେ ରଖିଥିବା ଆଲମାରୀକୁ ଏପରି ଭାବେ ରଖନ୍ତୁ, ଯେପରି ଖୋଲିବା ବେଳେ ତାହା ଉତ୍ତର ଦିଗକୁ ଖୋଲିବ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି କେବେ ଦୋହଲି ନ ଥାଏ। କୁହାଯାଏ, ଉତ୍ତର ଦିଗ ହିଁ ଧନ ଆଗମନର ଦିଗ।
  • ସାଧାରଣତଃ ସବୁ ହିନ୍ଦୁ ଘର ଅଗଣାରେ ତୁଳସୀ ଗଛକୁ ପୂଜା କରାଯାଏ। ସବୁବେଳେ ତୁଳସୀ ଗଛରେ ଭରପୁର ପତ୍ର ରହିବା ଘର ପାଇଁ ଭଲ। ତୁଳସୀ ଗଛ ଝାଉଁଳି ଗଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ ଘରର ଆର୍ଥିକ ସମସ୍ୟା ଦେଖାଦେଇ ପାରେ।
  • ଭାଙ୍ଗି ଯାଇଥିବା ଆଇନାକୁ ସବୁବେଳେ ଅଶୁଭ ବୋଲି ଧରାଯାଇଥାଏ। ତେଣୁ ଘରେ କେବେ ଆଇନା ଭାଙ୍ଗିଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ୍ ଘରେ ଅଚାନକ ଆର୍ଥିକ ସଙ୍କଟ ଦେଖାଦେଇପାରେ।

 

୧୮ ଜୁନ୍‌, ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାହାଯ୍ୟ କରିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ବହୁ ଦିନର ଆଶା ପୂରଣ ହେବ।

ବୃଷ: ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମିଥୁନ: ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ପିଲାମାନଙ୍କର ପାଠପଢ଼ାକୁ ନେଇ ବାପାମା’ ଚିନ୍ତିତ ରହିବେ। ମାନସମ୍ମାନ ବଢ଼ିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ମିଳିବ।

ସିଂହ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଗୁପ୍ତଶତ୍ରୁଙ୍କ ସଂଖ୍ୟା ବଢ଼ିବ।

କନ୍ୟା: ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି।

ତୁଳା: ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି କଥାକୁ ନେଇ ମନସ୍ତାପ କରିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇପାରେ।

ଧନୁ: ଭାବୁଥିବା କଥା ଅଚାନକ ପୂରଣ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ।
ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତି ସମସ୍ୟାକୁ ଅତି ସହଜରେ ସମାଧାନ କରିବେ। ଆୟ ବଢ଼ିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆୟର ନୂଆ ପନ୍ଥା ଖୋଜିବେ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।