ଦେଶରେ ହ୍ରାସ ପାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତାଳ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବା ଆପ୍ରୁଭାଲ ପଏଣ୍ଟ ମଧ୍ୟ ଖସିବାରେ ଲାଗିଛି। ବର୍ଷକ ମଧ୍ୟରେ ମୋଦିଙ୍କ ଆପ୍ରୁଭାଲ ୨୦ ପଏଣ୍ଟ ହ୍ରାସ ପାଇଥିବା ଆମେରିକାର ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ୨୦୧୯ ଅଗଷ୍ଟରେ ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କଲେ ସେତେବେଳେ ମୋଦିଙ୍କ ଲୋକପ୍ରିୟତା ୮୨% ଥିଲା। କିନ୍ତୁ ଏବେ ଏହା ୬୬%କୁ ଖସି ଆସିଛି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ମୋଦିଙ୍କ ଲୋକପ୍ରିୟତା ୬୬%କୁ ଖସିଥିଲେ ହେଁ ବିଶ୍ୱର ଅନ୍ୟ ୧୩ ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆଙ୍କ ତୁଳନାରେ ଏହା ସର୍ବାଧିକ। ଆମେରିକା, ରୁଷ, ବ୍ରିଟେନ ଓ ଅଷ୍ଟ୍ରେଲିଆ ଓ କାନାଡାର ମୁଖିଆଙ୍କ ତୁଳନାରେ ମୋଦିଙ୍କ ରେଟିଂ ପଏଣ୍ଟ ଅଧିକ ରହିଛି। ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ବେଳେ ଭାରତର ବିଭିନ୍ନ ପ୍ରାନ୍ତରେ ରହୁଥିବା ୨,୧୨୬ ଜଣଙ୍କ ମତାମତ ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୬୬% ମୋଦିଙ୍କୁ ପସନ୍ଦ କରିଥିବା ବେଳେ ୨୮% ଲୋକ ତାଙ୍କ ବିପକ୍ଷରେ ମତ ଦେଇଛନ୍ତି। ୨୦୧୯ ଅଗଷ୍ଟରେ ମୋଦିଙ୍କ ସପକ୍ଷରେ ୮୨% ଓ ବିପକ୍ଷରେ ୧୧% ଲୋକ ମତ ଦେଇଥିଲେ। ମୋଦିଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରର ମୁଖିଆମାନଙ୍କ ରେଟିଂ ପଏଣ୍ଟ ସଂସ୍ଥା ଜାରି କରିଛି। କମ୍ପାନୀ ଜାରି କରିଥିବା ତାଲିକା ଅନୁଯାୟୀ ମୋଦିଙ୍କ ଲୋକପ୍ରିୟତା ୬୬% ଥିବା ବେଳେ ଜର୍ମାନୀର ଆଞ୍ଜେଲା ମୋର୍କେଲ ୫୩%, ଆମେରିକାର ଜୋ ବାଇଡେନ ୫୩%, କାନାଡାର ଜଷ୍ଟିନ ଟ୍ରୁଡୋ ୪୮%, ବ୍ରିଟେନର ବୋରିସ ଜନସନ ୪୪%, ଦକ୍ଷିଣ କୋରିଆର ମୁନ୍-ଜାଇ-ଇନ ୩୭%, ସ୍ପେନର ପେଡ୍ରୋ ସାଞ୍ଚେଜ ୩୬%, ବ୍ରାଜିଲର ଜାଇର ବୋଲସୋନାରୋ ୩୫%, ଫ୍ରାନ୍ସର ଇମାନ୍ୟୁଏଲ ମାର୍କନ ୩୫%, ଜପାନର ୟୌଶିହିଡେ ସୁଗା ୨୯%, ଇଟାଲୀର ମାରିଓ ଡ୍ରଘି ୬୫%, ମେକ୍ସିର ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ୬୩% ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ୫୪% ଲୋକପ୍ରିୟତା ହାସଲ କରିଛନ୍ତି। ମହାମାରୀ କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି। କରୋନା ବ୍ୟାପିଥିଲେ ହେଁ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଏହବାଦ୍‌ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଥିବା ଆଶଙ୍କା କରାଯାଉଛି। ଏହାପୂର୍ବରୁ YouGov ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଥିଲା ଯେ ମହାମାରୀକୁ ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି। ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି। ପ୍ରଥମ ୱେଭ ବେଳେ ୮୯% ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ। ତେଣୁ କରୋନା ମାମଲା ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି।

୧୮ ଘଣ୍ଟାର ପରିଶ୍ରମ ପରେ କାର୍‌ରୁ ବାହାରିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବଡ଼ ଧରଣର ସୁନା ଚୋରା ଚାଲାଣ ଘଟଣାକୁ ପଣ୍ଡ କରିଛି ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟିଲିଜେନ୍ସ( ଡିଆରଆଇ)। ଏହାର ଅଧିକାରୀମାନେ ସ୍ୱତନ୍ତ୍ର ଅପରେଶନ ଜରିଆରେ ୪୩ କେଜିରୁ ଅଧିକ ପରିମାଣର ସୁନା ବିସ୍କୁଟ ଜବତ କରିଛନ୍ତି। ଏହି ଜବତ ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମଣିପୁରର ଇମ୍ଫାଲରୁ ଏହି ସୁନା ବିସ୍କୁଟ ଗୁଡ଼ିକ ଗୋଟିଏ କାରରୁ ଜବତ କରାଯାଇଛି। ଏଥିପାଇଁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା। ଜଣେ ଅଧିକାରୀ କହିଛନ୍ତି, ସୁନା ଚୋରା ଚାଲାଣର ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସ ବେଳେ ଇମ୍ଫାଲରେ ଯାତାୟାତ କରୁଥିବା କାର ଗୁଡ଼ିକୁ ଚେକିଂ କରାଯାଇଥିଲା। ଏହି ସମୟରେ ଅଧିକାରୀମାନେ କାର ଯୋଗେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇଥିଲେ। ସେମାନେ ସୁନା ବିସ୍କୁଟ ନେଇ ଯାଉଥିବା ଖବର ମିଳିଥିଲେ ହେଁ ପ୍ରାଥମିକ ସ୍ତରରେ କିଛି ବି ମିଳି ନଥିଲା। ଉଭୟଙ୍କୁ ବିସ୍ତୃତ ଭାବେ ଜେରା କରାଯିବା ପରେ ଉକ୍ତ କାର୍‌ ମଧ୍ୟରେ ସ୍ୱତନ୍ତ୍ର ୩ଟି ସ୍ଥାନ ତିଆରି କରି ବିସ୍କୁଟ ଗୁଡ଼ିକ ରଖାଯାଇଥିବା ଜଣାପଡ଼ିଥିଲା। କାର୍‌ ମଧ୍ୟରେ ହୋଇଥିବା ୩ଟି ସ୍ୱତନ୍ତ୍ର ଗୁପ୍ତ ସ୍ଥାନରୁ ୨୬୦ଟି ବିସ୍କୁଟ ରହିଥିଲା। ଏହାକୁ ବାହାର କରିବା ପାଇଁ ଅଧିକାରୀମାନଙ୍କୁ ଦୀର୍ଘ ୧୮ ଘଣ୍ଟା ସମୟ ଲାଗିଥିଲା। ଏହି ଗାଡ଼ିଟି ପୂର୍ବରୁ ମଧ୍ୟ ଅନେକ ଥର ଚୋରା ଚାଲାଣରେ ବ୍ୟବହୃତ ହୋଇଥିଲା। ମଣିପୁର ଓ ମିଆଁମାର ସୀମାରେ ନିରବଚ୍ଛିନ୍ନ ଭାବେ ଏପରି ସୁନା ଚୋରା ଚାଲାଣ ଚାଲିଛି। କରୋନା ଭାଇସ ଓ ଲକଡାଉନ ସମୟରେ ମଧ୍ୟ ଏହି କାରବାର ଚାଲିଥିଲା। ୩ ମାସ ମଧ୍ୟରେ ଅଧିକାରୀମାନେ ୬୩ କେଜିରୁ ଅଧିକ ସୁନା ଜବତ କରିସାରିଲେଣି। ଏହାର ବଜାର ମୂଲ୍ୟ ୩୩ କୋଟି ଟଙ୍କାରୁ ଅଧିକ ହେବ। ଏହା ମଧ୍ୟରୁ କେବଳ ଜୁନ୍‌ ମାସରେ ୫୫ କେଜି ସୁନା ଜବତ ହୋଇଛି।

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ପୁଲିସର ନୋଟିସ, ଥାନାରେ ହାଜର ହେବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷରୁ ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ଆଇନଗତ ନୋଟିସ ପଠାଇଛି। ଗାଜିଆବାଦରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାରପିଟ କରିବା ବେଳର ଭିଡିଓ ଘଟଣାରେ ପୁଲିସ ପକ୍ଷରୁ ଏହି ନୋଟିସ କରାଯାଇଛି। ଟ୍ୱିଟର ଏପରି ଭିଡିଓ ଜାରି କରି ସାଂପ୍ରଦାୟକି ଅଶାନ୍ତିକୁ ଉସକାଇବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ନୋଟିସ୍‌ରେ ପୁଲିସ୍‌ ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଲୋନି ସୀମାରେ ଥିବା ପୁଲିସ୍‌ ଷ୍ଟେସନକୁ ଆସିବାକୁ କହିଛି। ୭ ଦିନ ମଧ୍ୟରେ ସେ ଥାନାକୁ ଆସି ପୂରା ଘଟଣାରେ ନିଜର ବୟାନ ରେକର୍ଡ କରାଇବେ। ଉତ୍ତର ପ୍ରଦେଶ ପୁଲିସ୍‌ ନୋଟିସ କରିଥିଲେ ହେଁ ଟ୍ୱିର ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗତ ମାସରେ ତଥାକଥିତ କଂଗ୍ରେସ ଟୁଲକିଟ ମାମଲାରେ ପୁଲିସ୍‌ର ସ୍ପେଶାଲ ସେଲ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ଜେରା କରିଥିଲା। ଏବେ ପୁଲିସ ଗାଜିଆବାଦ ମାରପିଟ ଘଟଣାରେ ନୋଟିସ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଟ୍ୱିଟରରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ମାଡ଼ ମରାଯିବା ସହ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଥିବା କଥା କହିବାର ଦୃଶ୍ୟ ରହିଥିଲା। ତେବେ ଭିଡିଓର ସତ୍ୟତା ନ ଜାଣି ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଓ ସମାଜର ଶାନ୍ତି ଭଙ୍ଗ କରିବାକୁ ଏହାକୁ ଶେୟାର କରାଯାଥିବା ଅଭିଯୋଗ ହୋଇଛି। ଟ୍ୱିଟର ମଧ୍ୟ ଏହାକୁ ମ୍ୟାନୁପଲେଟେଡ ମିଡିଆର ଟ୍ୟାଗ ଦେଇ ନଥିବାରୁ ପୁଲିସ୍‌ ଆକ୍ସନ ମୋଡ଼କୁ ଆସିଛି। ଏଥିପାଇଁ ଲୋନି ପୁଲିସ୍‌ ଷ୍ଟେସନରେ ଟ୍ୱିଟର ଇଣ୍ଡିଆ ସହ ଏକାଧିକ ସାମ୍ବାଦିକ ଓ ନ୍ୟୁଜ ୱେବସାଇଟ ବିରୋଧରେ ଏଫଆଇଆର ହୋଇଛି।

ସ୍ୱିସ ବ୍ୟାଙ୍କରେ ବଢ଼ୁଛି ଭାରତୀୟଙ୍କ ଜମା ରାଶି, ୧୩ ବର୍ଷର ରେକର୍ଡ ଭାଙ୍ଗିଲା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ସମୟରେ ବି ସ୍ୱିସ ବ୍ୟାଙ୍କରେ ଭାରତର ଲୋକ ଓ ଭାରତୀୟ କମ୍ପାନୀ ଗୁଡ଼ିକ ଅର୍ଥ ଜମା କରିବାକୁ ପଛାଉ ନାହାନ୍ତି। ସ୍ୱିସ ବ୍ୟାଙ୍କରେ ଜମା କଳାଧନ ଫେରାଇ ଆଣିବାକୁ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାର କୌଣସି ସୁଫଳ ଦେଖିବାକୁ ମିଳିନାହିଁ। ୨୦୨୦ ବର୍ଷରେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ବା ୨୦,୭୦୦ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ। ଭାରତରେ ଥିବା ସ୍ୱିସ୍ ବ୍ୟାଙ୍କର ଶାଖା ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ଭାରତୀୟମାନେ ସେଠାରେ ପାଣ୍ଠି ରଖିଛନ୍ତି। ସିକ୍ୟୁରିଟିଜ ଓ ଅନ୍ୟାନ୍ୟ ଆର୍ଥିକ ସାଧନ ମାଧ୍ୟମରେ ବି ଭାରତୀୟମାନେ ଟଙ୍କା ସ୍ୱିସ ବ୍ୟାଙ୍କରେ ଜମା କରିଛନ୍ତି। ଗୁରୁବାର ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଲଗାତାର ଦୁଇ ବର୍ଷ ଧରି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ହ୍ରାସ ଘଟିଥିଲା। ୨୦୧୯ ଶେଷ ବେଳକୁ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଓ ଭାରତୀୟ କମ୍ପାନୀର ଜମା ରାଶି ୮୯୯ ନିୟୁତ ସ୍ୱିସ ଫ୍ରାଙ୍କ ବା ୬୬୨୫ କୋଟି ଥିଲା। ତେବେ ଏହା ଏବେ ୧୩ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। ୨୦୦୬ ମସିହାରେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ରେକର୍ଡ ୬.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ୍ ରହିଥିଲା। ୨୦୧୧, ୨୦୧୨ ଓ ୨୦୧୭କୁ ବାଦ ଦେଲେ ଆଉ ସବୁବେଳେ ଏହା ହ୍ରାସ ଘଟିଥିଲା। ୨୦୨୦ରେ ସ୍ୱିସ ବ୍ୟାଙ୍କରେ ଥିବା ୨୦,୭୦୦ କୋଟି ମଧ୍ୟରୁ କଷ୍ଟମ ଡିପୋଜିଟ୍‌ ଭାବେ ୪୦୦୦ କୋଟି ଟଙ୍କା, ଅନ୍ୟ ବ୍ୟାଙ୍କଗୁଡ଼ିକ ଜରିଆରେ ୩୧୦୦ କୋଟି ଟଙ୍କା, ଟ୍ରଷ୍ଟ ମାଧ୍ୟମରେ ୧୬.୫ କୋଟି, ବଣ୍ଡ, ସିକ୍ୟୁରିଟିଜ୍‌ ଓ ଅନ୍ୟାନ୍ୟ ମାଧ୍ୟମରେ ୧୩୫୦୦ କୋଟି ଟଙ୍କା ରଖାଯାଇଛି।

ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ମମତାଙ୍କ ଚ୍ୟାଲେଞ୍ଜ, ଶୁକ୍ରବାର ହାଇକୋର୍ଟରେ ଶୁଣାଣି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ କରିଛନ୍ତି ନିର୍ବାଚନ କମିଶନର। ଏହାକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭୋଟ୍ ଗଣତିରେ ହେରଫେର ହୋଇଛି। ଶୁକ୍ରବାର ହାଇକୋର୍ଟର ଏକ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ କୌଶିକ ଚନ୍ଦ୍ରଙ୍କ ବେଞ୍ଜ ଏହି ମାମଲାର ଶୁଣାଣି କରିବେ। ନିୟମ ଅନୁଯାୟୀ, ନିର୍ବାଚନ ଫଳାଫଳର ଦେଢ଼ ମାସ ମଧ୍ୟରେ ମାମଲା ଦାୟର କରିବାର ବ୍ୟବସ୍ଥା ରହିଛି। ନନ୍ଦିଗ୍ରାମରେ ପରାଜୟ ପରେ ମମତା କହିଥିଲେ ଯେ ସେ କୋର୍ଟକୁ ଯିବେ। ନନ୍ଦିଗ୍ରାମ ବିଧାନସଭା ଆସନରୁ ୧୭୦୦ ଖଣ୍ଡ ଭୋଟରେ ମମତା ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ପରାସ୍ତ ହୋଇଥିବା ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଦିନ ପ୍ରଥମେ ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ପାଖରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା। ଏ ନେଇ ମମତା ଭୋଟରଙ୍କୁ ଧନ୍ୟବାଦ ମଧ୍ୟ ଦେଇ ସାରିଥିଲେ। ହେଲେ ଶୁଭେନ୍ଦୁଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନର ଆଉ ଥରେ ଭୋଟ୍ ଗଣତି କରିଥିଲେ। ଏହାପରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ପରାସ୍ତ ହୋଇଥିବା ଘୋଷଣା କରିଥିଲେ ନିର୍ବାଚନ କମିଶନର। ପରେ ମମତା କହିଥିଲେ ନନ୍ଦିଗ୍ରାମରେ ଯାହା ହେଲା ଭୁଲି ଯାଅ। ନିର୍ବାଚନ କମିଶନ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଭୋଟ୍ ଗଣତରି ଜାଲିଆତି କରିଛି ବୋଲି ଦିଦି କହିଥିଲେ।

କେବୁଲ ଟିଭି ନେଟୱର୍କ ନିୟମାବଳୀରେ ସଂଶୋଧନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ ନାଗରିକ ମାନଙ୍କର ଆପତ୍ତି/ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ। ବର୍ତ୍ତମାନ, ନିୟମାବଳୀ ଅନ୍ତର୍ଗତ ରହିଥିବା ବ୍ୟବସ୍ଥା ଅନୁଯାୟୀ, ଏକ ଆନ୍ତଃମନ୍ତ୍ରିସ୍ତରୀୟ ସମିତି ଦ୍ୱାରା କାର୍ଯ୍ୟକ୍ରମ/ବିଜ୍ଞାପନ ସଂହିତାର ଉଲ୍ଲଙ୍ଘନ ସଂକ୍ରାନ୍ତରେ ନାଗରିକମାନଙ୍କର ଅଭିଯୋଗର ସମାଧାନ ଲାଗି ସଂସ୍ଥାଗତ ବ୍ୟବସ୍ଥା ରହିଛି। ଅନୁରୂପ ଭାବେ, ଅଭିଯୋଗଗୁଡ଼ିକର ସମାଧାନ ଲାଗି ବିଭିନ୍ନ ପ୍ରସାରଣକାରୀଙ୍କର ଏକ ସ୍ୱ-ନିୟାମକ ବ୍ୟବସ୍ଥା ରହିଛି। ତେବେ ଅଭିଯୋଗ ସମାଧାନ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏକ ବୈଧାନିକ ବ୍ୟବସ୍ଥା କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା। କେତେକ ପ୍ରସାରଣକାରୀମାନେ ମଧ୍ୟ ସେମାନଙ୍କର ସଂଘ/ସଂସ୍ଥାଗୁଡ଼ିକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ମଧ୍ୟ ୨୦୦୦ ମସିହାର ମାମଲା ସଂଖ୍ୟା ଡବ୍ଲୁପି (ସି)ନଂ. ୩୮୭- “କମନ୍ କଜ୍ ଭର୍ସେସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଆଣ୍ଡ ଅଦର୍ସ” ମାମଲାରେ ଦେଇଥିବା ରାୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଉପରୋକ୍ତ ପୃଷ୍ଠଭୂମିରେ, ଏହି ବୈଧାନିକ ବ୍ୟବସ୍ଥା ପ୍ରଦାନ କରିବା ଲାଗି କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀରେ ସଂଶୋଧନ କରାଯାଇଛି, ଯାହାକି ପାରଦର୍ଶୀ ଓ ନାଗରିକଙ୍କ ପାଇଁ ଲାଭଦାୟକ ହେବ। ଏଥିସହିତ, ପ୍ରସାରଣକାରୀମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ। ବର୍ତ୍ତମାନ ଦେଶରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଅନୁମତିପ୍ରାପ୍ତ ୯୦୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ୍ ରହିଛନ୍ତି। ଏମାନଙ୍କୁ କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ ଅଧୀନରେ ଦିଆଯାଇଥିବା କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତାକୁ ପାଳନ କରିବାକୁ ହୋଇଥାଏ। ଉପରୋକ୍ତ ବିଜ୍ଞପ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି କାରଣ ଅଭିଯୋଗ ସମାଧାନ ନିମନ୍ତେ ଏହା ଏକ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଯୋଗାଇ ଦେବ। ଏଥିସହିତ ପ୍ରସାରଣକାରୀ ଏବଂ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ ଉପରେ ଏକ ଉତ୍ତରଦାୟିତ୍ୱ ଏବଂ ଦାୟିତ୍ୱ ନ୍ୟସ୍ତ କରିବ।

ରାଷ୍ଟ୍ରପତିଙ୍କ ପରେ ଗୃହ ମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ଲାଗୁ ହେବ କି ରାଷ୍ଟ୍ରପତି ଶାସନ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖେର ଏବେ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି। ନିକଟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଏବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କ ଏହି ହାବଭାବକୁ ନେଇ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ କହିଛନ୍ତି ମୋ ସରକାରକୁ ଭାଙ୍ଗିଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ଟିଏମସି ନେତା କୃଣାଳ ଘୋଷ କହିଛନ୍ତି, ରାଜ୍ୟପାଳ ବିଜେପି ସଦସ୍ୟଙ୍କ ପରି ବ୍ୟବହାର କରୁଛନ୍ତି। ସେ ରାଜ୍ୟ ସରକାରଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ସେ ବିଜେପିର ଷଡ଼ଯନ୍ତ୍ରର ଜଣେ ଅଂଶୀଦାର ହୋଇଯାଇଛନ୍ତି। ଜନମତକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ନିର୍ବାଚନ ପରେ ବାରମ୍ୱାର ବିଜେପି ନେତା ଏବଂ ରାଜ୍ୟପାଳ ନିର୍ବାଚନୀ ପରବର୍ତ୍ତୀ ହିଂସା ବାବଦରେ ମତ ରଖୁଛନ୍ତି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟପାଳ ଧାରା 355 ନହେଲେ 356 ଜରିଆରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟପାଳ ଅମିତ ଶାହଙ୍କୁ ଭେଟିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦୁଙ୍କୁ ଭେଟିଥିଲେ। ଏହି ଘେଟଘାଟ ୨ ଘଣ୍ଟାର ବୋଲି ଜଣାପଡ଼ିଛି। ହେଲେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବାବଦରେ କିଛି ସୂଚନା ମିଳିପାରି ନାହିଁ। ହେଲେ ରାଷ୍ଟ୍ରପତିଙ୍କ ପରେ ଗୃହମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବା ରାଷ୍ଟ୍ରପତି ଶାସନ ଆଡକୁ ଇଙ୍ଗିତ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ଏକ ପ୍ରେସ କନଫରେନସ କରି କହିଛନ୍ତି, ଯେମିତି ଟ୍ୱିଟରକୁ କଣ୍ଟ୍ରୋଲ କରିନପାରି ତା ବିରୋଧରେ ଗୋଟିଏ ପରେ ଗୋଟିଏ ମକଦ୍ଦମା ରୁଜୁ କରୁଛନ୍ତି ସେହିପରି ଏବେ ତାଙ୍କ ସରକାର ଉପରେ ‘ବୁଲଡୁଜର’ ଚଳାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ସେ କହିଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ଏକ ପିଆଇଏଲ ଦାଖଲ ହୋଇଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ। ଅନ୍ୟପଟେ ରାଜ୍ୟପାଳ ଦିଲ୍ଲୀ ଯାଇ କେନ୍ଦ୍ର ନେତାଙ୍କୁ ଭେଟୁଛନ୍ତି। ତେଣୁ ସେମାନଙ୍କ ଉଦ୍ଦେଶ୍ୟ ଠିକ ନାହିଁ ବୋଲି ମମତା କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ରାଜ୍ୟପାଳଙ୍କୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି। ତାଙ୍କର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ୁଛି। ହେଲେ ଉଭୟ ସାମ୍ୱିଧାନିକ ପଦବୀରେ ରହିଛନ୍ତି। ତେଣୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଫେରାଇ ନେବା ଦରକାର ବୋଲି ମମତା ମୋଦିଙ୍କୁ ନିବେଦନ କରିଛନ୍ତି।

ସୋନିଆଙ୍କ ନେୃତ୍ୱତ୍ୱକୁ ଜୟରାମଙ୍କ ନାପସନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ। ଦଳର ନେତୃତ୍ୱ ଏଭଳି ହେଲେ ଆଗାମୀ ଦିନରେ ମଜବୁତ ହୋଇପାରିବନି। ତେଣୁ ଦଳକୁ ମଜବୁତ କରିବାକୁ ହେବ ବୋଲି ସେ କହିଛନ୍ତି। ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ୨୩ ନେତା ମଧ୍ୟ ସମାନ କଥା ଉଠାଇଥିଲେ। ଜୟରାମ ରମେଶ NDTV କୁ ସାକ୍ଷାତକାର ଦେଇ କହିଛନ୍ତି, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି। ଏବେ ଘରକୁ ମଜବୁତ କରିବାକୁ ହେବ। ଏଥିପାଇଁ ଘରର ମୁରବି ତଥା ଦଳର ମୁଖିଆ ଠିକ୍ କରିବାକୁ ହେବ। କୌଣସି ଗୋଟିଏ ନେତାର ପ୍ରଭାବରେ ଦଳ ଆଗକୁ ବଢ଼ି ପାରିବ ନାହିଁ ବରଂ ଗୋଟିଏ ଟିମ୍ ଓ୍ୱାର୍କରେ ଆଗକୁ ବଢ଼ିବାକୁ ହେବ। ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ଏକାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏବେ କଂଗ୍ରେସ ଛାଡ଼ି ବିଜେପି ଯାଇଥିବା ବଡ଼ ବଡ଼ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନ ପ୍ରସାଦଙ୍କ ଉପରେ ଏକ ଜବାବ ଦେଇ ସେ କହିଛନ୍ତି, ଦଳ ଛାଡ଼ିଥିବା ଯୁବକମାନେ ଜନ୍ମରୁ ଅନେକ ଅଧିକାର ପାଇଛନ୍ତି। ସେ ଦଳରେ ମଧ୍ୟ ଭଲ ପଦବୀ ପାଇଥିଲେ। ଯଦିଓ ସେ ଦଳ ଛାଡ଼ିଛନ୍ତି କିନ୍ତୁ ହଜାର ହଜାର କଂଗ୍ରେସ କର୍ମୀ ଏବେ ବି ଆମ ସହିତ ରହିଛନ୍ତି ବୋଲି ସେ କହିଛନ୍ତି। ତେବେ ସଚିନ ପାଇଲଟଙ୍କୁ ନେଇ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେ ଜଣେ ଭଲ ନେତା। ଦଳରେ ତାଙ୍କର ଭବିଷ୍ୟତ ରହିଛି। ସେ ଦଳ ପାଇଁ ବଡ଼ ସମ୍ପତ୍ତି। ସୂଚନାଯୋଗ୍ୟ, ଗୁଲାମ ନବୀ ଏବଂ ତାଙ୍କ ସହ ଥିବା ଅନ୍ୟ ନେତା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ହାଇକମାଣ୍ଡ ଏବଂ ତାଙ୍କ କୋଟେରୀ ଏହାର ପାଲଟା ଜବାବ ଦେଇଥିଲେ ଗୁଲାମ ଏବଂ ତାଙ୍କ ସହଯୋଗୀଙ୍କୁ। ପରେ ଗୁଲାମ ଏବେ କୋଣ ଠେସା। ତେଣୁ ଏବେ ଜୟରାମ ସୋନିଆଙ୍କ ରୋଷର ଶିକାର ହେବିନି ତ?

ଐତିହାସିକ ଫାଇନାଲ ଟେଷ୍ଟକୁ ଧୋଇପାରେ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଇଂଲଣ୍ଡର ସାଉଥାମ୍ପଟନରେ ଖେଳାଯିବାକୁ ଥିବା ଏହି ଐତିହାସିକ ମ୍ୟାଚ୍‌ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଜିର ମ୍ୟାଚ୍‌ ପୂର୍ବରୁ ଗତକାଲି ଠାରୁ ଭାରତୀୟ ଟିମ୍‌ ତା’ର ଚୂଡ଼ାନ୍ତ ଏକାଦଶ ମଧ୍ୟ ଘୋଷଣା କରିସାରିଛି। ହେଲେ ମ୍ୟାଚ୍‌ ଉପରେ ବର୍ଷାର କଳା ବାଦଲ ଘୋଟେଇ ହୋଇଯାଇଛି। ସାଉଥାମ୍ପଟନରେ ପାଗ କୋହଲା ଥିବା ବେଳେ ମ୍ୟାଚ୍‌ ବେଳକୁ ବର୍ଷା ହେବାର ଆଶଙ୍କା ରହିଛି। ଯଦି ଏମିତି ହୁଏ, ତା’ହେଲେ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ବର୍ଷା ଯୋଗୁ ଧୋଇଯାଇପାରେ। କେବଳ ଆଜି ନୁହେଁ, ଆଗାମୀ ୫ରୁ ୬ ଦିନ ଯାଏ ସାଉଥାମ୍ପଟନରେ ବର୍ଷାର ଆଶଙ୍କା ରହିଛି। ବ୍ରିଟେନର ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଜି ସାଉଥାମ୍ପଟନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାର ଆଶଙ୍କା ରହିଛି। ଏବେ ଠାରୁ ହିଁ ଆକାଶରେ କଳା ବାଦଲ ଘୋଟାଇ ଆସିଲାଣି। ଆଜି ଦିନ ତମାମ ଏଭଳି ପାଗ ଲାଗି ରହିପାରେ ବୋଲି ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆଇସିସି ଫାଇନାଲ ମ୍ୟାଚ୍‌ ପାଇଁ ଅତିରିକ୍ତ ଗୋଟିଏ ଦିନ ସଂରକ୍ଷିତ କରି ରଖିଛି। କିନ୍ତୁ ବର୍ଷା ଯୋଗୁ ଯଦି ମ୍ୟାଚର ଅଧିକାଂଶ ସମୟ ନଷ୍ଟ ହୋଇଯାଏ, ତା’ହେଲେ ଅତିରିକ୍ତ ଦିନ ଏହାର ଭରଣ କରିବାରେ ସହାୟକ ନ ହୋଇପାରେ। ତେଣୁ ବର୍ଷାକୁ ନେଇ କ୍ରିକେଟ ପ୍ରେମୀମାନେ ଆଶା ଆଶଙ୍କାରେ ରହିଛନ୍ତି।

ଐତିହାସିକ ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆ ଏକାଦଶ ଘୋଷିତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ପାଇଁ ବିସିସିଆଇ ଭାରତର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଟିମ୍ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରିଥିବା ତିନି ପେସରଙ୍କୁ ସ୍ଥାନ ଦେଇଛି। ତେବେ ଯୁବ ପେସର୍ ମହମ୍ମଦ ସିରାଜ୍ ଏକାଦଶରୁ ବାଦ୍ ପଡ଼ିଛି। ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ସ୍ଥାନରେ ସିରାଜଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଏହା ହେଲା ନାହିଁ। ୨୦୧୪ ପରେ ଉଭୟ ଅଶ୍ୱିନ୍ ଓ ଜାଡେଜା ଦ୍ୱିତୀୟଥର ଲାଗି ଇଂଲଣ୍ଡରେ ଏକାଠି ଟେଷ୍ଟ ମ୍ୟାଚ୍ ଖେଳିବେ। ଇଂଲଣ୍ଡରେ ଅଶ୍ୱିନଙ୍କ ବୋଲିଂ ହାର ୩୨.୯୨ ଓ ବ୍ୟାଟିଂ ହାର ୨୫.୭୭ ରହିଥିବା ବେଳେ ଜାଡେଜାଙ୍କ ବ୍ୟାଟିଂ ଆଭରେଜ୍ ୫୫ ଓ ବୋଲିଂ ଆଭରେଜ୍ ୪୨.୩୭ ରହିଛି। ଉଭୟ କ୍ରିକେଟର୍ ୨୦୧୪ ଓ ୨୦୧୮ ଇଂଲଣ୍ଡ ଗସ୍ତରେ ଅତିକମରେ ୫ଟ ଟେଷ୍ଟ ଖେଳିଥିଲେ । ଟିମ୍ ମ୍ୟାନେଜମେଣ୍ଟ ଓପ୍ନର ଭାବେ ରୋହିତ୍ ଶର୍ମା ଓ ଶୁବମନ୍ ଗିଲଙ୍କୁ ସାମିଲ୍ କରିଛି। ସେହିପରି ଅଭିଜ୍ଞ ଚେତେଶ୍ୱର ପୂଜାରା ତୃତୀୟ, କ୍ୟାପଟେନ୍ ବିରାଟ୍ କୋହଲି ଚତୁର୍ଥ ଓ ଆଜିଙ୍କ୍ୟ ରାହାଣେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବେ। ଋଷଭ ପନ୍ତଙ୍କୁ ୱିକେଟ୍ କିପର ଭାବେ ସ୍ଥାନ ମିଳିଛି। ଟିମରେ ତିନି ଜଣ ପେସର୍ ଯଥା ମହମ୍ମଦ ଶାମି, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କୁ ସାମିଲ୍ କରାଯାଇଛି। ତେବେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଏଯାଏ ଚୂଡ଼ାନ୍ତ ଏକାଦଶ ଘୋଷଣା କରିନାହିଁ। ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡର ସାଉଥାମ୍ପଟନ ଠାରେ୍ ଶୁକ୍ରବାରଠାରୁ ଆରମ୍ଭ ହେବ । ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୩ରେ ଆରମ୍ଭ ହେବ। ଫଳରେ ଟସ୍ ଅପରାହ୍ଣ ୨.୩୦ରେ ପଡ଼ିବ। ଚୂଡ଼ାନ୍ତ ଏକାଦଶ: ରୋହିତ୍ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ମହମ୍ମଦ ଶାମି।