ମାଝୀଙ୍ଗା ମାଳି ଖଣି ଖନନକୁ ପ୍ରଭାବିତ ଗ୍ରାମବାସୀ ଙ୍କ ବିରୋଧ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କାଶୀପୁର ବ୍ଲକରେ ରାଜ୍ୟ ସରକାରଙ୍କ ଅନୁମୋଦିତ କ୍ରମେ ୬ଟି ପାହାଡକୁ ଖଣି ଖାଦାନ ପାଇଁ ଚିଠି ନଂ-୪୫୦୫/୦୫/୦୬/୨୦୧୮ ରେ ଅନୁମୋଦନ ପ୍ରଦାନ କରିଥିବା ବେଳେ ଅଧିକାଂଶ ଖଣି ଖାଦାନ ଅଞ୍ଚଳରେ ବିରୋଧାଭାସ ଦେଖାଦେଇଛି ସୂଚନା ଥାଉ କି ଯେ ବର୍ତ୍ତମାନ କାଶୀପୁର ବ୍ଲକରେ ବାଫଲ ମାଳି ଖଣି ଖାଦାନ କାର୍ଯ୍ୟ ଉତ୍କଳ ଆଲୁମିନା କରୁଥିବା ବେଳେ ଅନ୍ୟ ଗୁଡିକରେ ପର୍ଯ୍ୟୟକ୍ରମେ କାର୍ଯ୍ୟ ଚାଲୁଛି । କିନ୍ତୁ ଅଧିକାଂଶ ଗ୍ରାମ ଗୁଡିକରେ ପ୍ରଭାବିତ ଅଞ୍ଚଳବାସି ଦଲାଲ ପ୍ରଥା ଏବଂ ସରକାରଙ୍କ ନିୟମାନୁଯାୟୀ ନହୋଇକିଛି ବ୍ୟତିକ୍ରମ କୁ ଦେଖି ବିରୋଧଭାସ ବଢିବାରେ ଲାଗିଛି ।

ସୂଚନା ଥାଉ କି ଯେ ମାଝୀଙ୍ଗ ମାଳି ଖଣି ଖାଦାନ ଅଞ୍ଚଳରେ ସାରମ୍ବାଇ କଳାଗାଁ , ମାଝୀଗୁଡା,ରୁଘାପଦର,କଣ୍ଟାମାଳ ଆଦି ଆଞ୍ଚଳ ପାଦ ଦେଶରେ ଥିବା ହେତୁ ବହୁପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳ ଗୁଡିକରେ ବିରୋଧଭାସ ଅତ୍ୟଧିକ ଦେଖିବାକୁ ମିଳିଛି । ସୂଚନା ଥାଉ କି ଯେ ଏହି ଅଞ୍ଚଳରେ ଖଣି କୁ ବିରୋଧ କରି ସାରମ୍ବାଇ ଅଞ୍ଚଳର ପ୍ରାୟ ୫୦ ଜଣ ବ୍ୟକ୍ତି ୧୯୯୭ ରେ ଜେଲ ଖଟିଥିବା ମଧ୍ୟ ସେହି ଗ୍ରାମର ବାସିନ୍ଦା ସିତାରାମ ମାଝୀ କହିଛନ୍ତି ଏବଂ ଏହି ଅଞ୍ଚଳର ଯୁବକ ଧାନଫୁଲ ମାଝୀ ନିଜର ଭିଟାମାଟି ଓ ଏହି ଜଙ୍ଗଲ ଜମି ଉପରେ ନିର୍ଭରକରି ଏହି ଅଞ୍ଚଳ ଗୁଡିକର ଲୋକମାନେ ଜୀବନ ନିର୍ବାହ କରୁଥିବା ବେଳେ ସମସ୍ତ ଲୋକ ପ୍ରାୟତ ଆଦିବାସୀ ଓ ହରିଜନ ସଂପ୍ରଦାୟର ଏଣୁ ଖଣି ହେଲେ ଏହି ଅଞ୍ଚଳର ଲୋକମାନଙ୍କ ଜୀବିକା ନିର୍ବାହ କୁ ସଂପୁର୍ଣ୍ଣରୂପେ ପ୍ରଭାବିତ କରିବ । ତେଣୁ ଏହି ଅଞ୍ଚଳର ପ୍ରାୟତ ଅଧିକାଂଶ ଲୋକ ଏହି ଖଣି ଖନନ ପ୍ରକ୍ରିୟା କୁ ବିରୋଧ କରୁଛନ୍ତି ।ସେହିଭଳି ରୁଘାପଦର ଗ୍ରାମର ୱ।ର୍ଡମେମ୍ବର ଇନ୍ଦ୍ର ମାଝୀ ମଧ୍ୟ ଏହି ଖଣି କୁ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି ଯାହା ଫଳରେ କି ଏହି ଅଞ୍ଚଳରେ ଖଣି ନିଗମ ନିୟମାନୁଯାୟୀ ମୃତ୍ତିକା ପରୀକ୍ଷଣ କାର୍ଯ୍ୟକ୍ରମ ବିଳମ୍ବ ହେବାରେ ଲାଗିଛି ।

ଏହି ଅଞ୍ଚଳ ଗୁଡିକ ଆଦିବାସୀ ଅଧୁଷିତି ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅଧିକାଂଶ ଲୋକ ଅଶିକ୍ଷତ ଓ ଅଉନ୍ନତ ସେଥିପାଇଁ ଏହି ଅଞ୍ଚଳ ଗୁଡିକରେ ଏବେ ମଧ୍ୟ ସରକାରଙ୍କ ଅନେକ ଯୋଜନା ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପହଞ୍ଚି ପାରି ନ।ହିଁ ଏବଂ ସଚେତନତା କହିଲେ ଏଠାରେ ଶହେ କୋଷ ଦୂର ତେଣୁ ସରକାର ଏହାକୁ ଆଖି ଆଗରେ ରଖି ଯଦି ଏହି ଅଞ୍ଚଳ ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଧ୍ୟାନ ଦେବେ ତାହେଲେ ଏହି ଅଞ୍ଚଳ ଦିନେ ସ୍ଵର୍ଗ ପାଲଟିବ ବୋଲିସାଧାରଣରେ ଆଲୋଚନା ହେଉଛି ।

ପେଙ୍ଗୁଡା ବାଲୁକା ଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ ଓ ଅତ୍ୟାଧିକ ନଦୀ ଗର୍ଭ ଖନନ କୁ ରୋକିବା ନିମନ୍ତେ ଗୁଣପୁର ତହସିଲଦାର ଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ମାରକପତ୍ର ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ତହସିଲ ଅନ୍ତର୍ଗତ ପେଙ୍ଗୁଡା ବାଲୁକା ଶଯ୍ୟାରୁ ବେଆଇନ ଭାବେ ଲିଜଧାରୀ ଜେ. ଭେଙ୍କେଟ ରାଓ ଅଧିକ ପରିମାଣର ବାଲି ଉଠାଇ ଆନ୍ଧ୍ର କୁ ଚାଲାଣ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ବୃନ୍ଦ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଜିଲ୍ଲା ଉପ ସଭାପତି ୱାଇ. ଗଣପତି, ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ରାଜ୍ଯ ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଭ୍ଯ ଫାଲଗୁନି ଶବର , ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥିବୀରାଜ ପାଢୀ , ନଗର ଉପସଭାପତି ଜଗଦୀଶ ଚନ୍ଦ୍ର ପାତ୍ର,ଅମର କୁମାର ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ଙ୍କ ଦସ୍ତଖତ ଥାଇ ଦିଆଯାଇଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି କି ? ତହସିଲ କାର୍ଯ୍ୟାଳୟ ରୁ ଅଧିସୂଚନା ଆଇନ ଅନୁଯାୟୀ ମଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ପରିବେଶ ମଞ୍ଜୁରୀ କର୍ତ୍ତୃପକ୍ଷ ଙ୍କ ଅଧିସୂଚିତ ପତ୍ର ନୁମ୍ବର ୮୩୧୦/ଏସଇ/ଏଏ ତା- ୨୯.୦୧.୨୦୨୦ କ୍ରମେ ନଦୀ ବାଲୁକା ଶଯ୍ୟାରୁ ବାର୍ଷିକ ୪୨୦୦ ଘନ ବର୍ଗ ମିଟର ବାଲି ଉଠାଣ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।ପରନ୍ତୁ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଲିଜ ଧାରୀ ଜେସିବି ଦ୍ୱାରା ନଦୀରୁ ବାଲି ଉଠାଇ ନେଉଛନ୍ତି । ଯାହାକି ନଦୀ ବାଲୁକା ଶଯ୍ୟାରେ ଆଗ୍ନେୟ ଗିରିମୁଖ ସଦୃଶ୍ୟ ଗର୍ତ୍ତ ସୃଷ୍ଟି କରିଛି ।ଏହା ନଦୀ ଜଳ ପ୍ରବାହକୁ ପ୍ରତିକୂଳ ଭାବେ ପ୍ରଭାବିତ କରିବ । ସେ ଅନୁମୋଦିତ ଉଠାଣ ଠାରୁ ଅତ୍ୟାଧିକ ବାଲି ଉଠାଉଥିବା ଯୋଗୁଁ ଆଗାମୀ ଦିନରେ ଏହାର ନିକଟବର୍ତ୍ତୀ ଚିନ୍ତାଲୁ ଗୁଡା ଏବଂ କରବା ଗ୍ରାମର ବହୁ କ୍ଷୟକ୍ଷତି ହେବ ।ଏପରିକି ଏହି ବେଆଇନ ଭାବେ ବାଲି ଉଠାଣ ଯୋଗୁଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହାନି କରୁଛନ୍ତି । ସରକାରଙ୍କ ନିୟମାନୁସାରେ ଲିଜ ଧାରୀ ମାତ୍ର ୧.୦ ମିଟର ଗଭୀର ରୁ ବାଲି ଉଠାଣ କରିବା ଅନୁମତି ଥିବାବେଳେ ସେ ନଦୀଶଯ୍ୟାକୁ ୧୦ ରୁ ୧୫ ମିଟର ଖୋଳି ବାଲି ଉଠାଇକରି ନେଉଛନ୍ତି । ସେ ଲିଜ ନେଇଥିବା ବାଲିକୁ ସ୍ଥାନୀୟ ଲୋକଙ୍କୁ ବିକ୍ରି ନକରି ଏକ ଟ୍ରକ ବାଲି ୨୫୦୦୦ ରୁ ୩୦୦୦୦ ଟଙ୍କା ଦରରେ ପ୍ରତ୍ୟେକ ଦିନ ୧୦୦ ଟ୍ରକ ବାଲି ଅନ୍ଧ୍ରକୁ ଚାଲାଣ କରୁଥିବାରୁ ସ୍ଥାନୀୟ ଗରୀବ ଜନତା ଟ୍ରାକ୍ଟର ପ୍ରତି ୧୮୦୦ ଟଙ୍କାରୁ ୨୦୦୦ଟଙ୍କା ଦରରେ ବାଲି କିଣିବାକୁ ପଡୁଛି ।

ଯଦ୍ୱାରା ଗରୀବ ଲୋକେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ବାନ୍ଧି ନପାରି ହଇରାଣ ହେଉଛନ୍ତି । ଏହି ସ୍ମାରକ ପତ୍ର ସହ ବେଆଇନ ବାଲି ଚାଲାଣ ନେଇ ରହିଥିବା କିଛି ଫୋଟ ଏବଂ ଭିଡିଓ ସଂଲଗ୍ନ କରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । ଶ୍ରୀ ଭେଙ୍କେଟ ରାଓ ଙ୍କ ଲିଜ ରଦ୍ଦ କରିବା ସହ ସ୍ଥାନୀୟ ଜନତାଙ୍କୁ ସରକାରୀ ଦରରେ ବାଲି ଯୋଗାଇ ଦେବାକୁ ଏଥିରେ ଦାବୀ କରିଛନ୍ତି ।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଡିଏଲ୍ ବୈଧତା

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀଜନିତ କଟକଣା ଯୋଗୁ ପୁଣିଥରେ ଗାଡ଼ି ସଂକ୍ରାନ୍ତ ଦସ୍ତାବିଜର ବୈଧତା ଅବଧିକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁରୋଧ ପରେ ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦ ଫେବୃୟାରୀ ୧ରୁ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧତା ଶେଷ ହୋଇଥିବା ସମସ୍ତ ପ୍ରକାର ଗାଡ଼ି ପାଇଁ ଏହା ପ୍ରଯୁଜ୍ୟ ହେବ। ଗାଡ଼ିଗୁଡ଼ିକର ଫିଟନେସ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ , ଲର୍ଣ୍ଣିଂ ଲାଇସେନ୍ସ,ରେଜିଷ୍ଟ୍ରେସନ ସାର୍ଟିଫିକେଟ, ସମେତ ମାଲ ପରିବହନ କରୁଥିବା ଗାଡ଼ି , ଘରୋଇ ସେବା ଯୋଗାଉଥିବା ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସ୍‌ର ପରମିଟ୍ ବୈଧତାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଗାଡ଼ିର ବୀମା, ପଲ୍ୟୁସନ୍ ଓ ସାମୟିକ ପରମିଟ୍ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ।

ତେବେ ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧିର ବୈଧତା ୨୦୨୦ ମାର୍ଚ୍ଚ ୧୮ରୁ ଶେଷ ହୋଇଛି ଅବା ୨୦୨୧ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ଶେଷ ହୋଇଯିବ, ସେହି ଦସ୍ତାବିଜଗୁଡ଼ିକ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ଯେହେତୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ୨୦୨୦ ମାର୍ଚ୍ଚ ୧୮ତାରିଖରୁ ରଦ୍ଦ ହୋଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ରାଜ୍ୟ ସରକାର ଗତବର୍ଷଠୁ ଏହି ବୈଧତା ଅବଧିକୁ ବୃଦ୍ଧି କରି ଚାଲିଛନ୍ତି।

ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ଶଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଆଜି ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଜୁନ୍ ୧୭ରୁ ୩୦ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ବିଭାଗର ଅଫିସ୍ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ୍ ନିଶ୍ଚିତ ଆସିବେ। ଯେଉଁ କର୍ମଚାରୀମାନେ ସମ୍ପୂର୍ଣ୍ଣ ଟିକା(ଦୁଇ ଡୋଜ) ନେଇସାରିଛନ୍ତି ସେମାନଙ୍କ ପାଇଁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି ।

ତେବେ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସ୍‌, ମୁଖ୍ୟ ଦପ୍ତର, ବିଭାଗୀୟ ଅଫିସ ଓ ଅନ୍ୟାନ୍ୟ ଅଫିସରେ କେଉଁ କର୍ମଚାରୀମାନେ ଆସିବେ ତାହା ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ। ଯେଉଁ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି ଓ ରୋଷ୍ଟର ଡ୍ୟୁଟି କରୁଛନ୍ତି ସେମାନେ ଅଫିସ ଆସିବେ କି ନାହିଁ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ। ତେବେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ଯଥା ଏସଆରସି ଅଫିସ୍‌, ଓସଡମା ଅଫିସ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ମ୍ୟୁନିସପାଲ ସର୍ଭିସ ଆଦି ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ ପୂର୍ବଭଳି କାର୍ଯ୍ୟ କରିବ।

ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନାହିଁ ଓ ସେମାନେ ଘରେ ରହି କାମ କରୁଛନ୍ତି ସେମାନଙ୍କୁ ଭିପିଏନ୍ ସୁବିଧା ଉପଲବ୍ଧ ନିଶ୍ଚିତ କରାଯିବ। ସେମାନେ ଅଫିସର ନିୟମିତ ଓ ବକେୟା କାର୍ଯ୍ୟ କରିବେ। ସେହିପରି ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ନୋଟିସରେ କର୍ମଚାରୀମାନଙ୍କୁ ଅଫିସ୍ ଆସିବାକୁ ପଡ଼ିବ। ତେବେ ଯେଉଁ ମହିଳା କର୍ମଚାରୀ ଏବେ ଗର୍ଭବତୀ ଅଛନ୍ତି ସେମାନଙ୍କ ସମେତ ଭିନ୍ନକ୍ଷମ କର୍ମଚାରୀଙ୍କୁ ମଧ୍ୟ ଅଫିସ୍ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍ ଦିଆଯାଇଛି। ସବଅଡିନେଟ୍ ଅଫିସଗୁଡ଼ିକରେ କେତେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ତାହା ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ନିର୍ଦ୍ଦେଶ ଜାରି କରିଛନ୍ତି।

‘ମୋ ସ୍କୁଲ’କାର୍ଯ୍ୟକ୍ରମରେ ୩୪ହଜାର ସ୍କୁଲ ସାମିଲ, ୧୦୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ସ୍କୁଲ୍ ଅଭିଯାନ’ରେ ରାଜ୍ୟର ମୋଟ ୩୪ହଜାର ସ୍କୁଲ ସାମିଲ ହୋଇଛନ୍ତି। ପ୍ରାୟ ୫.୨୪ଲକ୍ଷ ପୁରାତନ ଛାତ୍ରଛାତ୍ରୀ ଏବେ ସ୍କୁଲ ସହ ଯୋଡ଼ି ହୋଇଥିବାବେଳେ ରାଜ୍ୟର ୨୩ଟି ଜିଲ୍ଲାର ମୋଟ ୧୦୫କୋଟି ଟଙ୍କାର ପ୍ରକଳ୍ପକୁ ଆଜି ଅନୁମୋଦନ ମିଳିଛି।

ଭର୍ଚୁଆଲ ମୋଡରେ ଆଜି ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି।

ବାଲେଶ୍ୱର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ବ ର୍ମାନ ସୁଦ୍ଧା ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି।

ସ୍ମାର୍ଟସିଟିର ଘୋଡ଼ା: ଆନ୍ଦୋଳନ କରିବ କଂଗ୍ରେସ, ବିଜେପି ବି ମିଳାଇଲା ସ୍ୱର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସ୍ମାର୍ଟସିଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ଚାଲିଥିବା ଉଦ୍ୟମକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଛନ୍ତି। ଉଭୟ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି। କଂଗ୍ରେସ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେପି ମଧ୍ୟ ଆନ୍ଦୋଳନ କରିବ ବୋଲି କହିଛି।

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ପାଇଁ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ତାହା କଦାପି କରାଇ ଦିଆଯିବ ନାହିଁ। ଏଠାରେ ଥିବା ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରଦର୍ଶନ। ସଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ। ଏହି ପ୍ରତିମୂର୍ତ୍ତିକୁ ସ୍ଥପତି ରଘୁନାଥ ମହାପାତ୍ର ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରୀୟ ମହାନ୍ତି, ନୀଳମଣି ରାଉତରାୟ ଓ ଚିନ୍ତାମଣି ପାଣିଗ୍ରାହୀଙ୍କ କ୍ରମାଗତ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି। ତେଣୁ ଏହି ପ୍ରତିମୂର୍ତ୍ତିକୁ ହଟାନଯାଇ ସ୍ମାର୍ଟସିଟି ଯୋଜନା କାର୍ଯ୍ୟକାରୀ କରାଯାଉ।

ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଢ଼ ବର୍ଷ ଧରି ସ୍କୁଲ୍ ବନ୍ଦ ରହିଛି। ଏପରିକି ପରୀକ୍ଷା ଗୁଡ଼ିକ ମଧ୍ୟ ବାତିଲ୍ କରଦିଆ ଯାଇଛି। ତେବେ କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଇ-ପାଠଶାଳା ଓ ଇ-ମୂଲ୍ୟାୟନ। ଏହା ଦ୍ୱାରା ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ଏହି ବ୍ୟବସ୍ଥା । ଏ ନେଇ ଆଜି ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ମାଟ୍ରିକ ଓ ଯୁକ୍ତ ଦୁଇ ମୂଲ୍ୟାୟନ ଏବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। କାରଣ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ କରିବାକୁ ନେଇ ନାନା ସମସ୍ୟା ଦେଖା ଯାଇଥିଲା। ତେଣୁ କିପରି ଏହାର ଦୀର୍ଘ ସ୍ଥାୟୀ ସମାଧାନ କରାଯିବ, ସେ ନେଇ ଆଲୋଚନା ହୋଇଛି।

୧୬୯୦ କୋଟି ଟଙ୍କାର କୋଭିଡ୍ ସହାୟତା ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ଲକ୍ ଡାଉନ୍ ଅବଧି ବୃଦ୍ଧି କରିଥିବା ରାଜ୍ୟ ସରକାର ଆଜି ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୧୬୯୦.୪୬ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟର ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ମନରେଗା ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ ଘୋଷଣା କରି କହିଛନ୍ତି ଯେ, କୋଭିଡ ମହାମାରୀ ଦ୍ୱାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ୱସ୍ତି ଦେଇଥିଲା। କୋଭିଡର ଦ୍ୱିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି । ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି। ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି।

ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ଥିବା ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ୱତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ । ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ ମନରେଗା ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି ।

ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସେହିପରି ରାଜ୍ୟର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତିଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ । ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ ପ୍ରି-ମାଟ୍ରିକ୍ ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ । ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ।

ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ଦିଆଯିବ। ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ବାଣୀଶ୍ରୀ ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ । ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନ୍‌ଲାଇନ ଜରିଆରେ ପାଠ ପଢୁଥିବା ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ। ଏହାଦ୍ୱାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ । ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ । ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଘୁଂଚିବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଂଚିବ। ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି । ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।  ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା ରହିଛି। ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ।  ସେଥିପାଇଁ ମାଷ୍ଟରକ୍ୟାଣ୍ଟିନ ଥିବାରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ। ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତର ପ୍ରକ୍ରିୟା ଏକ ମାସ ମଧ୍ୟରେ ସରିବ । ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା ।  ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତିର ନିର୍ଣାଣ କରିଥିଲେ ।  ସେପଟେ ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡା ଓ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତରକୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।  ମୂର୍ତ୍ତିର ସ୍ଥାନାନ୍ତରକୁ ବିରୋଧ ଜଣାଇ ପ୍ରତିବାଦ କରିଥିଲେ ବିଜେପି କର୍ମୀ । ମୂର୍ତ୍ତି ସ୍ଥାନାନ୍ତର ବନ୍ଦ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ କହିଛି ବିଜେପି ।  ସେପଟେ କଂଗ୍ରେସ ମଧ୍ୟ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରିଛି।

ଶ୍ରୀକ୍ଷେତ୍ରରେ ହେବ ଏୟାରପୋର୍ଟ, ଆରମ୍ଭ ହେଲା ସର୍ଭେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ବିମାନବନ୍ଦର। ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀକ୍ଷେତ୍ର ଯାଇଛି। ଏହି ଟିମ୍‌ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି। ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ରାଜ୍ୟ ସରକାର କେନ୍ଦ୍ର ଆଗରେ ଦାବି କରିଥିଲେ। ଉଭୟ ଆଧାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଟିମ୍‌ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସୂଚନାରୁ ପ୍ରକାଶ, ବିଶ୍ୱମାନଚିତ୍ରରେ ସ୍ଥାନ ପାଇଁ ଶ୍ରୀକ୍ଷେତ୍ର। ପ୍ରତିଦିନ ହଜାର ହଜାର ଭକ୍ତ ଦେଶ ଓ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ସୌନ୍ଦର୍ଯ୍ୟ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।