ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ’ ପଂଚାୟତ ନିର୍ବାଚନ….?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁ ନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ । ତାସହିତ ଅନିଶ୍ଚିତତା ଭିତରେ ରହିଛି ଫେବୃୟାରୀ ୨୦୨୨ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ।  ଲୋକାଲ ବଡି ଇଲେକସନରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କୁ ଅଡୁଆରେ ପକାଇଛି ।  ଏପଟେ ନିର୍ବାନ ପ୍ରକ୍ରିୟା ନଆଗେଇବାକୁ ଆଇନ୍ ବିଶାରଦ ସାମ୍ବିଧାନିକ ସଙ୍କଟ କହିଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ  ନେଇ ବର୍ଷିଛନ୍ତି ବିରୋଧୀ। ୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନ ନେଇ ଧାର୍ଯ୍ୟ ହୋଇଛି ସମୟ । ହେଲେ ନିର୍ଦ୍ଧାରିତ ସମୟରେ ହୋଇପାରିବତ ନିର୍ବାଚନ?  ପୌର ନିର୍ବାଚନ ଭଳି ପଂଚାୟତ ନିର୍ବାଚନ ବି ଅଟକବନି ଯିବନି ତ? କାରଣ ପଂଚାୟତ ନିର୍ବାଚନ ପ୍ରସ୍ତୁତି ପକ୍ରିୟା ଆଗକୁ ନେବା ପାଇଁ  ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର । ଫଳରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମାପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା  ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଜାନୁୟାରୀ ମାସରେ କମିସନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ।  ଏହାସତ୍ତ୍ୱେ ଏ ସଂପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେସନ୍ ମିଳିନଥିବା କମିଶନ ଜଣାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି  ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ କାହିଁକି ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର? କେଉଁଠି ରହିଛି ଅସୁବିଧା । ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆରେ ପଡିଥିବାରୁ ନିଷ୍ପତ୍ତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି। ପୌର ଓ ପଂଚାୟତ ନିର୍ବାଚନରେ ଆଗରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା ତେବେ ଲୋକାଲ ବଡି ଇଲେକସନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର । ତେବେ ବିଶେଷଜ୍ଞଙ୍କ ମତରେ, ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି, ସରକାର ଚାହିଁଲେ ବି ଘୁଞ୍ଚାଇ ପାରିବେ ନାହିଁ। ରାଜ୍ୟ ସରକାର ପୌର ନିର୍ବାଚନ କରାଉନଥିବା ବେଳେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତାକୁ ନେଇ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ତେବେ ବିଜେଡି କହିଛି ଆଇନ ଅନୁସାରେ ନିର୍ବାଚନ ହେବ। ରାଜ୍ୟରେ କରୋନାର ଭୟଙ୍କର ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏବେ ନିରବ ରହିଥିଲେ ମଧ୍ୟ ଆଗାମୀ ଦିନରେ ଏସଂପର୍କରେ ରାଜ୍ୟ ସରକାରଙ୍କୁ ପୁଣି ଚିଠି ଲେଖିବେ । ତେବେ ଆସନ ସଂରକ୍ଷଣ ୫୦ ପ୍ରତିଶତକୁ ଖସାଇବାକୁ ହେଲେ ପଞ୍ଚାୟତିରାଜର ୩ଟି ଆଇନରେ ସଂସୋଧନ କରିବାକୁ ପଡିବ । ସରକାର କେବେ ଏସବୁ ପ୍ରକ୍ରିୟା ସାରୁଛନ୍ତି, ତା ଉପରେ ପଞ୍ଚାୟତ ନିର୍ବାଚନର ଭବିଷ୍ୟତ ନିର୍ଭର କରୁଛି।

‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବିକ୍ରି ହେଉଛି ଚୋରା ପିଡିଏସ୍ ଚାଉଳ : କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମିଲ ମାଲିକ ଓ ରାଜ୍ୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚୋରା ପିଡିଏସ ଚାଉଳ ବଜାରରେ ‘ଶ୍ରୀ ଓମ୍‌’ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ରାଣ୍ଡରେ ଯେଉଁ ଚାଉଳ ବିକ୍ରି ହେଉଛି ତାହା ପିଡିଏସ୍ ଚାଉଳ ବୋଲି ଚର୍ଚ୍ଚା ହେଉଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବଜାରରେ ଯେଉଁ ଚାଉଳ ମିଳୁଛି ସେହି ଚାଉଳ ପ୍ୟାକେଟରେ କୌଣସି ସଂସ୍ଥାର ଠିକଣା ଉଲ୍ଲେଖ ନାହିଁ, ପ୍ୟାକେଟ୍ ପ୍ରସ୍ତୁତି ତାରିଖ ଓ ବ୍ୟାଚ ନମ୍ବର ଦର୍ଶାଯାଇ ନାହିଁ। କମ୍ପାନୀର ଜିଏଏସଟି ନମ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଲାଇସେନ୍ସ ନମ୍ବର, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ ନିଶ୍ଚତ ରୂପେ ସ୍ଥାନିତ ହେବା କଥା। ମାତ୍ର କ’ଣ ପାଇଁ ଏହି ପ୍ୟାକେଟ୍ ଉପରେ ତାହା ରଖାଯାଇ ନାହିଁ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ପିଡିଏସ ଚାଉଳକୁ ଚୋରାରେ ବିକ୍ରି କରାଯାଉଛି ବୋଲି ସୁନ୍ଦରଗଡ଼ ଜିଲ୍ଲାରେ ଛକ ବଜାରରେ ଆଲୋଚନା ହେଉଛି। ସଂପୃକ୍ତ ଜିଲ୍ଲାର କିଛି ମିଲ ମାଲିକମାନେ ବଜାରକୁ ଏହି ଚାଉଳ ପଠାଇଛନ୍ତି ବୋଲି ଜଣାପଡ଼ିଛି। ଯୋଗାଣ ବିଭାଗରେ ମାସିକ ୩ ହଜାର କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଦୁର୍ନୀତି ହେଉଥିବାର ଯେଉଁ ଅଭିଯୋଗ ହେଉଛି ଏହି ଚାଉଳ ସେଥିରେ ଅନ୍ତର୍ଭୁକ୍ତ ରହିଛି। ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ଚାଉଳ ବିକୁଥିବା ଦୋକାନୀମାନେ ନିର୍ଦ୍ଦିଷ୍ଟ ମିଲର୍ସମାନଙ୍କର ଠିକଣା ହିଁ କହିପାରିବେ। ଶ୍ରୀ ଚୌଧୁରୀ କହିଛନ୍ତି ଯେ, ରାଜ୍ୟ ସରକାର ପିଡିଏସ ଚାଉଳ ପେଷିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ୧୬ଟି ରାଇସ ମିଲକୁ ଅନୁମତି ଦେଇଛନ୍ତି। ଏହି ରାଇସ ମିଲ୍‌ର ପ୍ରତିଷ୍ଠା ପାଇଁ ସରକାର ୫୦ ପ୍ରତିଶତ ଅର୍ଥ ଛାଡ଼ ମଧ୍ୟ ଦେଇଛନ୍ତି। ଏଥିପାଇଁ ମିଲ୍ ମାଲିକମାନେ କେବଳ ରାଜ୍ୟ ସରକାରଙ୍କ ଧାନ ପେଷେଇବେ ବୋଲି ସର୍ତ୍ତ ରହିଛି। ବାହାର ଧାନକୁ ପେଷେଇବା ପାଇଁ ଅନୁମତି ନାହିଁ। ମାତ୍ର ଏହି ମିଲ ମାଲିକମାନେ ଦଲାଲମାନଙ୍କ ସହାୟତାରେ ଧାନ କିଣି ପେଷାଉଛନ୍ତି। ସରକାରୀ କଟକଣା ଭିତରେ ଧାନ ବିକ୍ରି କରିପାରୁନଥିବା ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଦଲାଲଙ୍କ ମାଧ୍ୟମରେ କିଣୁଛନ୍ତି। ସେହି ଧାନର ଚାଉଳ ଏବଂ ପିଡିଏସ ଚାଉଳକୁ ମିଶାଇ ଅସାଧୁ ମିଲ ମାଲିକ ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ଚାଉଳ ବିକୁଛନ୍ତି ବୋଲି ସୁନ୍ଦରଗଡ଼ ଜିଲ୍ଲା ହାଟବଜାରରେ ଆଲୋଚନା ହେଉଛି । ଯୋଗାଣ ବିଭାଗକୁ ଅସାଧୁ ମିଲ ମାଲିକଙ୍କ କବଳରୁ ରକ୍ଷା କରାଯାଉ। ଯୋଗାଣମନ୍ତ୍ରୀ ନିଜ ବିଭାଗର ସ୍ୱଚ୍ଛତା ପ୍ରତିପାଦନ କରିବା ପାଇଁ ତୁରନ୍ତ ମିଲ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ଲୋକଙ୍କୁ ଦିଆଯାଉଥିବା ପିଡିଏସ୍ ଚାଉଳ ଖାଇବା ଯୋଗ୍ୟ ନୁହେଁ, ଏହା ପଶୁଖାଦ୍ୟ ବୋଲି କଂଗ୍ରେସ ଅଭିଯୋଗ କରି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲା ।

ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କୁ ଧମକ ଦେଲେ ବଦ୍ରିନାରାୟଣଙ୍କ ପୁଅ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୂର୍ବତନମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଅସଦାଚରଣର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ପୀଡ଼ିତା। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଯୁବତୀ ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଯୁବକ ସୁଜିତ ଜେନାଙ୍କୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ମାମଲା ପ୍ରତ୍ୟାହାର କରିବାକୁ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଦେବାଶିଷ ପୀଡ଼ିତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର କରିବାକୁ କହୁଥିବା ଅଡ଼ିଓ ଏବେ ଭାଇରାଲ ହୋଇଛି। ଅଡ଼ିଓରେ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାରକୁ ଆଇନ ପାଠ ପଢାଇବା ସହ କେମିତି ମାମଲା ହେଲେ ନିଜେ ଝିଅ ଅସୁବିଧାରେ ପଡ଼ିବ ବୋଲି କହି ଡ଼ରାଉଛନ୍ତି। ଏହା ପରେ ମଧ୍ୟ ପୀଡ଼ିତା ନ୍ୟାୟ ପାଇଁ ଲଢେଇ କରିବେ ବୋଲି କହିଛନ୍ତି। ଅନ୍ୟପଟେ ମାମଲା ପ୍ରତ୍ୟାହାର କରିବାକୁ ରାଜି ନହେବାରୁ ମଙ୍ଗଳବାର  ରାତିରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଘରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ। ରାଜନୈତିକ ଦଳ ମୋ ବିରୋଧରେ ଏଭଳି ଅପପ୍ରଚାର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି ଦେବାଶିଷ ।

ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା ବାକ୍ ଯୁଦ୍ଧ, ତଥାପି କହୁଛନ୍ତି ସବୁ ଠିକ୍ ଚାଲିଛି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – ମହାରାଷ୍ଟ୍ରରେ ତିନି ପାର୍ଟିର ସରକାର ଅଛି, ଯେଉଁଥିରେ ଶିବସେନା, କଂଗ୍ରେସ ଓ ଏନସିପି ମିଶିକି ସରକାର ଚଳାଇବା ପାଇଁ ମହାବିକାଶ ଅଘାଡିର ଗଠନ କରିଛନ୍ତି। ତିନି ପାର୍ଟିର ନେତାମାନେ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ ଭଲ ତାଳମେଳ ରହିଛି ଏବଂ ସରକାର ମଧ୍ୟ ଭଲଭାବେ ଚାଲୁଛି। କିନ୍ତୁ କିଛି ଦିନ ହେବ କଂଗ୍ରେସ ଓ ଶିବସେନାର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। କଂଗ୍ରେସ ତରଫରୁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାତା ପଟୋଲେ ଲଗାତର ଶିବସେନା ଉପରେ ଆକ୍ରମଣ କରୁଛନ୍ତି। ସେହିପରି ଶିବସେନାର ବଡ଼ ନେତା ମଧ୍ୟ ମହାରାଷ୍ଟ୍ରରେ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ଉପରେ ପ୍ରହାର କରୁଛନ୍ତି। ପୂରା ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ନାନା ପଟୋଲେ କହିଥିଲେ ଯେ ଆଗାମୀ ସବୁ ନିର୍ବାଚନ ତେଣିକି ତାହା ମ୍ୟୁନିସିପାଲ୍‌ ହେଉ କି ବିଧାନସଭା ନିର୍ବାଚନ ହେଉ, ସବୁ ସ୍ଥାନରେ କଂଗ୍ରେସ ଏକାକୀ ଲଢ଼ିବ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ପଟୋଲେଙ୍କ ନାମ ଆଗରେ ରହିବ। ପଟୋଲେଙ୍କ ଏହି ଘୋଷଣା ପରେ ଶିବସେନା ପାଲଟା ଆକ୍ରମଣ କରି କହିଛି ଯେ ନାନା ପଟୋଲେଙ୍କୁ ଯେତିକି ଦରକାର ସେତିକି ଗୋଡ଼ ବଢ଼ାଇବା ଦରକାର। ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ନାନା ପଟୋଲେ ଶିବସେନା ଉପରେ ପାଲଟା ଆକ୍ରମଣ କରି କହିଛନ୍ତି, ତାଙ୍କର ଚାଦର କେତେ ଲମ୍ବା ତାହା ଆଗାମୀ ନିର୍ବାଚନରେ ସମସ୍ତଙ୍କୁ ଜଣାପଡ଼ିଯିବ। ହେଲେ ଦୁଇ ପାର୍ଟିର ନେତା କହିଛନ୍ତି ଯେ ଏହା ସରକାର ପୂରା ୫ ବର୍ଷ ଯାଏ ଚାଲିବ ଏବଂ ମହାବିକାଶ ଅଘାଡି ସରକାରରେ ଏନସିପି, ଶିବସେନା ଓ କଂଗ୍ରେସ ଏକାସାଙ୍ଗରେ ସମସ୍ତଙ୍କୁ ସହାୟତା କରିବେ। ଏହାରି ଭିତରେ ୨୦୨୪ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ଯେ ସେମାନେ ମହାରାଷ୍ଟ୍ରରେ ୨୮୮ ଆସନରେ ଏକାକୀ ଲଢ଼ିବ। ଆସନ୍ତା ବିଏମସି ନିର୍ବାଚନ ହେବ, ଯେଉଁଥିରେ କଂଗ୍ରେସ ପାର୍ଟି ଘୋଣା କରିଛି ଯେ ସେମାନେ ଏହି ନିର୍ବାଚନ ନିଜ ଦମରେ ଲଢ଼ିବ। କିନ୍ତୁ ଯେଉଁଭଳି ଭାବେ ଶିବସେନାର ବଡ଼ ବଡ଼ ନେତା ଓ କଂଗ୍ରେସର ବଡ଼ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି, ସେଥିରୁ କେଉଁଠି ନା କେଉଁଠି ଲାଗୁଛି ଯେ ମହାବିକାଶ ଅଘାଡି ସରକାରରେ ସବୁକିଛି ଠିକ୍ ନାହିଁ।

୭ ବର୍ଷର ପ୍ରତୀକ୍ଷା ସରିଲା, ଭାରତ ପକ୍ଷରୁ ପଦାର୍ପଣ କଲେ ପାଞ୍ଚ ଖେଳାଳି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତ ଓ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଏକମାତ୍ର ଟେଷ୍ଟ। ଏହି ମ୍ୟାଚରେ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହିଥର ନାଇଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚରେ ପାଞ୍ଚ ଖେଳାଳି ଡେବ୍ୟୁ କରିଛନ୍ତି। ସେମାନେ ହେଲେ ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ସ୍ନେହ ରାଣା ଓ ତାନିଆ ଭାଟିଆ । ଏହି ମ୍ୟାଚ୍ ସହ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଶେଷଥର ଲାଗି ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ଭାରତ ଇନିଂସ୍ ଓ ୩୪ ରନରେ ବିଜୟୀ ହୋଇଥିଲା। ଏହାର ୭ ବର୍ଷ ପରେ ଭାରତୀୟ ମହିଳା ଆଜି ଟେଷ୍ଟ ମ୍ୟାଚ୍ ଖେଳିଛି। ଆଜି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ହିଥର ନାଇଟଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ। ସେ ଇଂଲଣ୍ଡ ପକ୍ଷରୁ ଆଜି ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଇଂଲଣ୍ଡ ପକ୍ଷରୁ ସୋଫିଆ ଡଙ୍କଲୀ ଏହି ମ୍ୟାଚ୍ ଜରିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଡଙ୍କଲୀ ପ୍ରଥମ ଅଶ୍ୱେତ ମହିଳା ଭାବେ ଇଂଲଣ୍ଡ ମହିଳା ଟେଷ୍ଟ ଟିମର ପ୍ରତିନିଧିତ୍ୱ କରିଛନ୍ତି । ଭାରତ: ଟାମି ବ୍ୟୁମଣ୍ଟ, ଲରେନ୍ ୱିନଫିଲ୍ଡ-ହିଲ୍, ହିଥର ନାଇଟ୍ (କ୍ୟାପଟେନ୍), ଆମି ଜୋନ୍ସ (ୱିକେଟକିପର), ନାତାଲି ସ୍କିଭର୍, ସୋଫିଆ ଡଙ୍କଲୀ, ଜର୍ଜିଆ ଏଲୱିସ୍, କ୍ୟାଥରିନ୍ ବ୍ରଣ୍ଟ, ଆନ୍ୟା ସ୍ରୁବସୋଲ୍, ସୋଫି ଇକ୍ଲେଷ୍ଟୋନ୍, କେଟ୍ କ୍ରସ୍। ଭାରତ: ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ପୁନମ ରାଉତ, ମିତାଲୀ ରାଜ (କ୍ୟାପଟେନ୍), ହରମନପ୍ରୀତ କୌର୍, ଦୀପ୍ତି ଶର୍ମା, ତାନିଆ ଭାଟିଆ (ୱିକେଟକିପର), ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ସ୍ନେହ ରାଣା, ପୂଜା ବସ୍ତ୍ରାକର।

ମିତାଲୀ ଓ ଝୁଲଣ ଏକାଠି ଭାଙ୍ଗିଲେ ଗାଙ୍ଗୁଲି, ଡ୍ରାଭିଡ୍ ଓ କୁମ୍ବଲେଙ୍କ ରେକର୍ଡ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତୀୟ କ୍ରିକେଟର ଦୁଇ ଷ୍ଟାର୍ ମିତାଲୀ ରାଜ ଓ ଝୁଲଣ ଗୋସ୍ୱାମୀ ଜୁନ୍ ୧୬ ତାରିଖରେ ଏକ ଏଭଳି ରେକର୍ଡ କରିଛନ୍ତି, ଯାହା ବହୁତ କମ୍ ଖେଳାଳି ଏହି କାରନାମା କରିଥାନ୍ତି। ମିତାଲୀ ଓ ଝୁଲଣ ଭାରତ ପକ୍ଷରୁ ସବୁଠାରୁ ଅଧିକ ସମୟ ଧରି ଟେଷ୍ଟ ମ୍ୟାଚ୍ ଖେଳିଥିବା ମହିଳା କ୍ରିକେଟର୍ ହୋଇଛନ୍ତି। ମିତାଲୀ ଓ ଝୁଲଣ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟରେ ଏହି ରେକର୍ଡ ହାସଲ କରିଛନ୍ତି। ଦୁହେଁ ୨୦୦୨ରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ ଏବଂ ଏବେ ଲମ୍ବା କ୍ୟାରିୟରର ତାଲିକାରେ ନିଜକୁ ସାମିଲ୍ କରିଛନ୍ତି। ଭାରତୀୟ କ୍ରିକେଟ୍ ଇତିହାସରେ କେବଳ ସଚିନ୍ ତେନ୍ଦୁଲକରଙ୍କ କ୍ୟାରିୟରର ହିଁ ମିତାଲୀ ଓ ଝୁଲଣଙ୍କଠାରୁ ଲମ୍ବା ରହିଛି। ମିତାଲୀ ରାଜ ଓ ଝୁଲଣ ଗୋସ୍ୱାମୀ ଜାନୁଆରୀ ୧୪, ୨୦୦୨ରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ। ଏବେ ଦୁହେଁ ଇଂଲଣ୍ଡ ବିପକ୍ଷ ବ୍ରିଷ୍ଟଲରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟ ଏକାଠି ଖେଳୁଛନ୍ତି। ଏହିପରି ଭାବେ ସେମାନଙ୍କର ଟେଷ୍ଟ କ୍ୟାରିୟର ୧୯ ବର୍ଷ ଓ ୧୫୪ ଦିନ ହୋଇଯାଇଛି। ଭେରା ବର୍ଟ ଓ ମ୍ୟାରୀ ହାଇଡଙ୍କ ପରେ ମହିଳା କ୍ରିକେଟରେ ମିତାଲୀ ଝୁଲଣ ହିଁ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ବର୍ଟ ୨୦ ବର୍ଷ ୩୩୫ ଦିନ ଏବଂ ଇଂଲଣ୍ଡର ହାଇଡ୍ ୧୯ ବର୍ଷ ଓ ୨୧୧ ଦିନ ଧରି କ୍ରିକେଟ୍ ଖେଳିଛନ୍ତି। ମିତାଲୀ ରାଜ ଓ ଝୁଲଣ ଗୋସ୍ୱାମୀଙ୍କ ଟେଷ୍ଟ କ୍ୟାରିୟର ଯେତେ ଲମ୍ବା, ସେତିକି ରାହୁଲ୍ ଡ୍ରାଭିଡ୍, ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ ଓ ମହେନ୍ଦ୍ର ସିଂ ଧୋନିଙ୍କର ମଧ୍ୟ ରହି ନାହିଁ। କୁମ୍ବଲେଙ୍କର କ୍ୟାରିୟର ୧୮ ବର୍ଷ ୮୮ ଦିନ, ଡ୍ରାଭିଡଙ୍କ କ୍ୟାରିୟର ୧୫ ବର୍ଷ ୨୨୨ ଦିନ ଓ ଗାଙ୍ଗୁଲିଙ୍କର କ୍ୟାରିୟର ୧୨ ବର୍ଷ ୧୪୩ ଦିନ ରହିଛି। ଡ୍ରାଭିଡ୍ ଭାରତ ପକ୍ଷରୁ ୧୬୪ ମ୍ୟାଚ୍ ଖେଳିଥିବା ବେଳେ କୁମ୍ବଲେ ୧୩୨ ଓ ଗାଙ୍ଗୁଲି ୧୧୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

୧ନଂ ସ୍ଥାନକୁ ଫେରିଲେ ସ୍ମିଥ, ରୁଟ୍‌ଙ୍କୁ ହଟାଇ ୪ର୍ଥରେ ବିରାଟ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇସିସି ପକ୍ଷରୁ ଆଜି ସଦସ୍ୟତମ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗ ଜାରି କରାଯାଇଛି। ଏଥର ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଗତବର୍ଷ ବକ୍ସିଂ ଡେ’ ପରଠାରୁ ରାଙ୍କିଙ୍ଗର ୧ନଂ ସ୍ଥାନରୁ ଦୂରରେ ଥିବା ଷ୍ଟିଭ ସ୍ମିଥ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସ୍ମିଥ ୧ନଂ ସ୍ଥାନରେ ଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୪ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି। ପୂର୍ବରୁ ୧ନଂ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ଏଥିସହ ପ୍ରଥମ ଟେଷ୍ଟରେ କେବଳ ୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ସ୍ମିଥ ତାଙ୍କୁ ଅତିକ୍ରମ କରି ୧ନଂ ସ୍ଥାନ ଦଖଲ କରିଛନ୍ତି। ସ୍ମିଥ ଓ ୱିଲିୟମସନଙ୍କ ମଧ୍ୟରେ ୫ ପଏଣ୍ଟର ବ୍ୟବଧାନ ରହିଛି। ୱିଲିୟମସନଙ୍କ ପଏଣ୍ଟ ସଂଖ୍ୟା ୮୮୬ ଥିବା ବେଳେ ସ୍ମିଥଙ୍କ ପାଖରେ ୮୯୧ ପଏଣ୍ଟ ରହିଛି। ୮୭୮ ପଏଣ୍ଟ ସହ ମାର୍ନସ ଲାବୁଶେନ ତୃତୀୟରେ ଓ ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ଇଂଲିଶ ଟିମ ଅଧିନାୟକ ଜୋ ରୁଟ ୫ମକୁ ଖସି ଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ଏହି କାରଣରୁ ବିରାଟ ତାଙ୍କୁ ଅତିକ୍ରମ କରି ୪ର୍ଥ ସ୍ଥାନ ଦଖଲ କରିଛନ୍ତି। ପୂର୍ବଭଳି ଋଷଭ ପନ୍ତ ଓ ରୋହିତ ଶର୍ମା ଯଥାକ୍ରମେ ୬ଷ୍ଠ ଏବଂ ୭ମ ସ୍ଥାନରେ ରହିଛନ୍ତି। ଉଭୟଙ୍କ ପଏଣ୍ଟ ସଂଖ୍ୟା ୭୪୭ ରହିଛି। ୮ନଂରେ ହେନରୀ ନିକୋଲସ, ୯ମରେ ଡାଭିଡ ୱାର୍ଣ୍ଣର ଓ ୧୦ନଂରେ ବାବର ଆଜମ ରହିଛନ୍ତି। ବୋଲର ଓ ଅଲରାଉଣ୍ଡର ଟେଷ୍ଟ ରାଙ୍କିଙ୍ଗରେ କୌଣସି ବଡ଼ଧରରଣ ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ବୋଲିଂ ରାଙ୍କର ୧ ନଂ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଥିବା ବେଳେ ଦ୍ୱିତୀୟରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ଅଲରାଉଣ୍ଡର ତାଲିକାର ୧ନଂରେ ଜେନସ ହୋଲ୍ଡର ଓ ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା ଅଛନ୍ତି।

ଛୋଟ ପରଦାରେ ସ୍ୱୟଂବର ରଚିବେ ଏହି ଅଭିନେତ୍ରୀ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ରାକ୍ଷୀ ସାୱନ୍ତ, ରାହୁଲ ମହାଜନ, ରତନ ରାଜପୁତ ଓ ଶହନାଜ ଗିଲଙ୍କ ପରେ ଏଥର ଛୋଟ ପରଦାରେ ସ୍ୱୟଂବର ରଚିବେ ଆଉ ଜଣେ ଅଭିନେତ୍ରୀ। ସେ ହେଉଛନ୍ତି ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ଆର୍ଶୀ ଖାନ୍‌।  ଖୁବ୍‌ଶୀଘ୍ର ଘର ସଂସାର କରିବାକୁ ନିଷ୍ପତ୍ତି ନେଇଥିବା ଆର୍ଶୀ ସ୍ୱୟଂବର ମାଧ୍ୟମରେ ଜୀବନ ସାଥୀ ବାଛିବେ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋର ସ୍ୱୟଂବର ହେବ। ଏହା ଫାଇନାଲ ହୋଇସାରିଛି। କିନ୍ତୁ କେଉଁ ଟେଲିଭିଜନ୍ ଚ୍ୟାନେଲ୍‌ରେ ଏହାର ପ୍ରସାରଣ ହେବ, ତାହା ସ୍ଥିର ହୋଇନାହିଁ। ଆର୍ଶୀ କହିଛନ୍ତି, ଏବେ ଚାରିଆଡେ କରୋନା ମହାମାରୀ ଯୋଗୁ ଶୁଟିଂ ଆରମ୍ଭ କରାଯାଇପାରୁନି l ସ୍ଥିତି ସାମାନ୍ୟ ହେଲେ ତଥା କୌଣସି ଚ୍ୟାନେଲ ଠାରୁ ଅନୁମତି ମିଳିଲେ କାମ ଆରମ୍ଭ ହୋଇଯିବ। ଏହି ଶୋ’କୁ ରାହୁଲ ମହାଜନ ହୋଷ୍ଟ କରିବେ ବୋଲି ଶୁଣାଯାଉଛି। କିନ୍ତୁ ଆର୍ଶୀ କହିଛନ୍ତି, ଏନେଇ କିଛି ନିଷ୍ପତ୍ତି ହୋଇନାହିଁ। ଅନ୍ୟପକ୍ଷରେ ରାହୁଲ କହିଛନ୍ତି ଯେ ତାଙ୍କୁ ଏନେଇ କିଛି ଅଫର ଆସିନି। ଯଦି ଅଫର ଆସେ, ତା’ହେଲେ ସେ ନିଶ୍ଚିତ ଭାବେ ସେଥିରେ ଅଂଶ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଆର୍ଶୀ ଓ ରାହୁଲ ‘ବିଗ୍‌ ବସ୍‌-୧୪’ରେ ସାମିଲ ହୋଇଥିଲେ। ଉଭୟ ବହୁତ ଭଲ ସାଙ୍ଗ ମଧ୍ୟ।

ଆଜିର ଅନୁଚିନ୍ତା – ପର୍ସରେ ଭୁଲରେ ଵି ରଖନ୍ତୁ ନାହିଁ ଏହି ଜିନିଷ, ଦେଖାଦେବ ଘୋର ଆର୍ଥିକ ସମସ୍ୟା

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ନିଜ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କେହି ସ୍ୱପ୍ନରେ ଵି ଭାବି ନଥା’ନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏପରି ଉପୁଜେଯେ ପର୍ସ ପୂରା ଖାଲି ହୋଇଯାଏ। ଅର୍ଥ ପାଇଁ ଅନ୍ୟ ଆଗରେ ହାତ ପତାଇବାକୁ ପଡ଼ିଥାଏ। ଯଦି ଆପଣ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି ଏବଂ ଆପଣଙ୍କ ପର୍ସ ସବୁବେଳେ ନୋଟରେ ଭରିହୋଇ ରହୁ ବୋଲି ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କିଛି ସହଜ ବାସ୍ତୁ ଟିପ୍ସ ମାନିବାକୁ ପଡ଼ିବ l ଆସନ୍ତୁ ଜାଣିବା ଏପରି ୬ଟି ବାସ୍ତୁ ଟିପ୍‌ସ ସମ୍ପର୍କରେ। 

  • ବହୁ ଲୋକ ନିଜ ପର୍ସ କିମ୍ବା ୱାଲେଟରେ ଗାଡ଼ି ତଥା ଘର ଚାବି ରଖିଥା’ନ୍ତି l ହେଲେ ଆପଣ କେବେବି ଏପରି ଭୁଲ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ବେଳ ଥାଉ ଥାଉ ସାବଧାନ ହୋଇଯିବା ଆବଶ୍ୟକ।
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ପର୍ସରେ ବିଲ୍‌ କିମ୍ବା ଅନାବଶ୍ୟକ କାଗଜ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ। ତେଣୁ ଏପରି ଅଭ୍ୟାସକୁ ବଦଳେଇବାକୁ ଚେଷ୍ଟା କରନ୍ତୁ।
  • ଯଦି ଆପଣ କାହାଠୁ କିଛି ଉଧାର ଆଣିଛନ୍ତି, ତା’ହେଲେ ଉକ୍ତ ଟଙ୍କାକୁ କେବେ ପର୍ସରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧାର କେବେ ସୁଝି ହୁଏନି ବୋଲି କୁହାଯାଏ।
  • ଯଦି କୌଣସି ବ୍ୟକ୍ତି ନିଜ ପର୍ସରେ ମେଡ଼ିସିନ କିମ୍ବା କିଛି ଖାଇବା ଜିନିଷ ଯେପରି ଚକୋଲେଟ କିମ୍ବା ପାନ ମସଲା ରଖୁଛନ୍ତି, ତା’ହେଲେ ସେଥିରୁ ବିରତ ରୁହନ୍ତୁ।  ଏପରି କରିବା ଦ୍ୱାରା ଜୀବନରେ ଧନର ଅଭାବ ଲାଗି ରହିଥାଏ।
  • ପର୍ସରେ ଖୁଚୁରା ବା କଏନ ରଖନ୍ତୁ ନାହିଁ। ଯଦି କିଛି କଏନ ପର୍ସରେ ରହିଯାଉଛି, ତା’ହେଲେ ଧ୍ୟାନ ଦେବେ ଯେମିତି ପର୍ସ ଖୋଲିବା ସମୟରେ ସେଗୁଡ଼ିକ ତଳେ ନ ପଡ଼େ।
  • ପର୍ସରେ ନୋଟକୁ କେବେବି ମୋଡିମାଡ଼ି ରଖନ୍ତୁ ନାହିଁ। ସବୁବେଳେ ତାହାକୁ ବ୍ୟବସ୍ଥିତ ଢଙ୍ଗରେ ରଖିବାକୁ ଚେଷ୍ଟା କରନ୍ତୁ। ଏଥିସହ ସବୁବେଳେ ପ୍ୟାଣ୍ଟର ବାମ ପକେଟରେ ପର୍ସ ରଖିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ମା’ ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ପର୍ସ ନୋଟ୍‌ରେ ଭରି ଯିବ।
ଅନ୍‌ଲକ୍‌ ନୁହେଁ, ଆହୁରି କୋହଳ ହେଲା ଲକ୍‌ଡାଉନ୍‌ କଟକଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟକୁ ଅନ୍‌ଲକ୍ ଘୋଷଣା କରିବା ବଦଳରେ ସରକାର ଲକ୍‌ଡାଉନ୍‌ କଟକଣାକୁ ଆଂଶିକ କୋହଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ସଂକ୍ରମଣ କମିଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ସେହିପରି ବାକି ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ତେବେ ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାକୁ ଥିବା ବେଳେ, ସେଥିରେ ଏସବୁ ନେଇ ସ୍ପଷ୍ଟ ହୋଇଯିବ। ସଂକ୍ରମଣ ହାର ୫% ତଳେ ଥିବାରୁ ୧୭ଟି ଜିଲ୍ଲାରେ କୋହଳ ସମୟ ଅଧିକ ରଖାଯାଇଛି। ସେହିପରି ଏହି ସମୟ ମଧ୍ୟରେ ମିଠା ଦୋକାନ ବି ଖୋଲିବ ବୋଲି ଜଣାପଡ଼ିଛି। ୩୦ଟି ଜିଲ୍ଲାକୁ ସରକାର ଦୁଇଟି ବର୍ଗରେ ଭାଗ କରିଛନ୍ତି। ଅଧିକ ସମୟ କଟକଣା କୋହଳ କରାଯାଇଥିବା ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଥିବା ବେଳେ ବାକି ୧୩ଟିକୁ ‘ବି’ ବର୍ଗରେ ରଖାଯାଇଛି।