ବାଲି ଚୋରା ଚାଲାଣ ଏବଂ ବେଆଇନ ରେମ୍ପ କରି ବାଲି ଗଛିତ କରାଯାଇଥିବା ଖବର ପ୍ରକାଶ ପରେ ତହସିଲଦାର ଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ….!

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ତହସିଲ ରେ ବାଲି ମାଫିଆଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଥିବା, ବାଲି ଚୋରା ଚାଲାଣ ଉପରେ ରୋକ ଲଗାଯାଇ ପାରୁନଥିବା ଏବଂ ରାମେଶ୍ୱର ନଗର ଉପର ମୁଣ୍ଡରେ , କତ୍ବାଲଗୁଡା ,ଶାନ୍ତି ନଗର,ଲିମାମେଡ଼ା , ବିକ୍ରମପୁର ବନବିଭାଗ ସମ୍ମୁଖ, ପୁରୁଣା ଗୁଣପୁର ଗୁଣ୍ଡିଚା ମନ୍ଦିର ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ବାସନାଗୁଡା ଠାରେ ବାଲି ରେମ୍ପ କରାଯାଇ ବାଲି ଚୋରା ଚାଲାଣ କରାଯିବା ସହ ସହରର ଅନେକ ସ୍ଥାନରେ ଲଘୁ ଖଣିଜ ସମ୍ପଦ ଗଛିତ କରି ବ୍ୟବସାୟ ଚଳାଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତହସିଲ କାର୍ଯ୍ଯାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହାକୁ ପାଥେୟ କରି ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଅଧୀନସ୍ଥ ସମସ୍ତ ରାଜସ୍ୱ ନିରୀକ୍ଷକ ଙ୍କୁ ଏହାର ଅନୁସନ୍ଧାନ କରି ଖଣିଜ ସମ୍ପଦ ଡ଼ମ୍ପି ଓ ବେଆଇନ ଖଣିଜ ସମ୍ପଦ ଚାଳନ ଉପରେ ରୋକ ଲଗାଇବା ନିମନ୍ତେ ସମସ୍ତ ରାଜସ୍ବ ନିରୀକ୍ଷକ ମାନଙ୍କୁ ତହସିଲ କାର୍ଯ୍ୟାଳୟ ର ଚିଠି ନମ୍ବର ୨୪୬୬/୨୧ ତା ୧୬/୦୬/୨୦୨୧ ରିଖ କ୍ରମେ ଏକ ରିପୋର୍ଟ ତଲବ କରିଛନ୍ତି । ଗୁଣପୁର ତହସିଲ ଅନ୍ତର୍ଗତ ସମସ୍ତ ଖଣିଜ ସମ୍ପଦ ଅଞ୍ଚଳର ରାଜସ୍ବ ନିରୀକ୍ଷକ ମାନେ ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ଗୁଣପୁର ଶ୍ରୀ ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ବିଦ୍ରୋହୀ ନେତାଙ୍କୁ ଚିରାଗଙ୍କ ଚେତାବନୀ, କହିଲେ ମୁଁ ସିଂହର ପୁଅ, ଲଢ଼ିବାକୁ ପ୍ରସ୍ତୁତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଦଳର ୫ ଜଣ ସାଂସଦ ବିଦ୍ରୋହ ଘୋଷଣା କରିବା ସହ ଚିରାଗ ପାଶ୍ୱାନଙ୍କୁ ବିରୋଧ କରିଥିଲେ। ଏଥିସହ ସେମାନେ ତାଙ୍କ ଦାଦା ପଶୁପତି କୁମାର ପାରସଙ୍କୁ ଏଲଜେପିର ନୂଆ ସଂସଦୀୟ ଦଳ ନେତା ମଧ୍ୟ କରିଥିଲେ। ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ବିଦ୍ରୋହୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଚିରାଗ। ଏଥିସହ ସେ ବିହାର ଏଲଜେପି ୟୁନିଟର ମୁଖ୍ୟ ଭାବେ ତାଙ୍କର ଘନିଷ୍ଠ ରାଜୁ ତିୱାରୀଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବରୁ ଏଲଜେପିର ବିହାର ମୁଖ୍ୟ ପ୍ରିନ୍ସ ରାଜ ଥିଲେ। ହେଲେ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୫ ଜଣ ସାଂସଦଙ୍କ ମଧ୍ୟରେ ପ୍ରିନ୍ସ ରାଜ ଥିବାରୁ ଚିରାଗ ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି। ଦଳରେ ଏକ ଘରକିଆ ହୋଇଯାଇଥିବା ଚିରାଗ ଏବେ ରଣହୁଙ୍କାର ଦେଇ ନିଜକୁ ସିଂହର ପୁଅ ବୋଲି କହିଛନ୍ତି। ଏଥିସହ ସେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଚିରାଗ କହିଛନ୍ତି, ଅକ୍ଟୋବର ୮ରେ ବାପା(ରାମ ବିଲାସ ପାଶ୍ୱାନ)ଙ୍କ ବିୟୋଗ ପରେ ତୁରନ୍ତ ନିର୍ବାଚନକୁ ଯିବାକୁ ପଡ଼ିଥିଲା। ବିଧାନସଭା ନିର୍ବାଚନରେ ଏଲଜେପି ବିଜୟ ହାସଲ କରିଛି। ଏହାକୁ ସଂଖ୍ୟା ଅନୁଯାୟୀ ବିଚାର କରିବା ଠିକ ନୁହେଁ। ଆମେ ୬ ପ୍ରତିଶତ ଭୋଟ୍ ପାଇଛୁ। ମୁଁ କୌଣସି ବି ପରିସ୍ଥିତିରେ ପ୍ରସଙ୍ଗରେ ବୁଝାମଣା କରେନାହିଁ। ଜେଡିୟୁ ଠାରୁ ଅଲଗା ରହିବା ଦଳର ନିଷ୍ପତ୍ତି ଥିଲା। ବାପା ଯେତେବେଳେ ଡାକ୍ତରଖାନାରେ ଥିଲେ ସେତେବେଳେ ମଧ୍ୟ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରଯାଉଥିବା ଖବର ଆସିଥିଲା। ପାର୍ଟିର କିଛି ଲୋକ ସଂଘର୍ଷ କରିବାକୁ ଚାହାନ୍ତି ନାହିଁ। ଯଦି ଆମେ ବିହାରରେ ନୀତୀଶ କୁମାରଙ୍କ ସହିତ ଲଢ଼େଇ କରିଥା’ନ୍ତେ, ତା’ହେଲେ ଆମକୁ ଅଧିକ ବହୁମତ ମିଳିଥାଆନ୍ତା। କିନ୍ତୁ ବିଧାନସଭା ନିର୍ବାଚନରେ ମୋତେ ଦାଦାଙ୍କ ସହ ଅନେକ ନେତାଙ୍କ ସମର୍ଥନ ମିଳି ନଥିଲା। ମୋତେ ଏବେ ଲମ୍ବା ଲଢ଼େଇ କରିବାକୁ ପଡ଼ିବ। ଏଥିପାଇଁ ମୁଁ ପ୍ରସ୍ତୁତ। ମୁଁ ଗୋଟିଏ ସିଂହର ପୁଅ। କେବେ ବି ପଛ ଘୁଞ୍ଚା ଦେବି ନାହିଁ। ମୁଁ ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇବାକୁ ଚାହୁଁ ନଥିଲି। କିନ୍ତୁ ଅନୁଶାସନ ପାଇଁ ମୋତେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି। ମୋତା ଟାଇଫଏଡ୍ ହୋଇଥିଲା। ମୁଁ ସୁସ୍ଥ ହେବାକୁ ୪୦ ଦିନ ସମୟ ଲାଗିଥିଲା। ଏହି ସମୟରେ ସବୁ ଷଡ଼ଯନ୍ତ୍ର କରାଯାଇଥିଲା। ମୁଁ କଥାବାର୍ତ୍ତା କରିବାକୁ ଚାହୁଁଥିଲି। ହେଲେ କେହି ବି ମୋ ସହିତ ନଥିଲେ। ଯଦି ମୋତେ କହିଥାନ୍ତେ, ମୁଁ ତାଙ୍କୁ(ପଶୁପତି) ଲୋକସଭାର ନେତା କରି ଦେଇଥାଆନ୍ତି। କିନ୍ତୁ ଯେଉଁଭଳି ଭାବେ ତାଙ୍କୁ ସଂସଦୀୟ ନେତା ଭାବେ ଚୟନ କରାଗଲା, ତାହା ଭୁଲ ଥିଲା। ଜେଡିୟୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ଦଳିତ ଓ ମହାଦଲିତଙ୍କ ନାମରେ ବିଭାଗଜନ ରାଜନୀତି କରୁଛି। ହେଲେ ବିହାରର ଲୋକମାନେ ମୋ ସହ ଓ ପାର୍ଟି ସହ ଅଛନ୍ତି ବୋଲି ସେ କହିଛନ୍ତି। ଏହି ସମୟରେ ସେ ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି। ସେ କହିଛନ୍ତି, ବାପା ଯିବା ପରେ ମୁଁ ଅନାଥ ହୋଇ ନଥିଲି। ଦାଦା ବିଦ୍ରୋହ ଘୋଷଣା କରି ଅଲଗା ହେବାରୁ ଅନାଥ ହୋଇଗଲି।

କୋଭିଡ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୧୮ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ଏକ କ୍ରାସ କୋର୍ସର ଶୁଭାରମ୍ଭ କରିବେ। ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ। କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି ଏହି କାର୍ଯ୍ୟକ୍ରମ ଦକ୍ଷ ଅଣଚିକିତ୍ସା ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ସୃଷ୍ଟି କରିବ ବୋଲି ସରକାର ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମ ଏକ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାମାନଙ୍କୁ କୌଶଳ ଓ ଅତିରିକ୍ତ କୌଶଳ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରଶିକ୍ଷଣରେ କୋଭିଡ ଯୋଦ୍ଧାମାନଙ୍କୁ ୬ଟି ଭିନ୍ନ ଭିନ୍ନ ଅନୁକୂଳ ଭୂମିକାରେ ପ୍ରଶିକ୍ଷଣ ଦିଆଯିବ । ସେଗୁଡ଼ିକ ହେଲା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ଉପକରଣ ସହାୟତା।ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ର କେନ୍ଦ୍ରୀୟ ଉପାଦାନ ଅନ୍ତର୍ଗତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଭାବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମୋଟ ୨୭୬ କୋଟି ଟଙ୍କା ବ୍ୟୟ କରାଯିବ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଭିତରେ ମୋଦିଙ୍କୁ ଭେଟିଲେ ଶିବରାଜ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବାକୁ ଯୋଜନା କରୁଛନ୍ତି। ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ଆଜି ଅପରାହ୍ନରେ ଏହି ଘେଟଘାଟ ହୋଇଛି। ଉଭୟ ପାଖାପାଖି ୮୦ ମିନିଟ ଧରି ଆଲୋଚନା କରିଥିବା ସୂଚନା ରହିଛି। ଶିବାରଜ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୱିଟ୍ କରି କହିଛନ୍ତି, ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ମଧ୍ୟପ୍ରଦେଶରେ କୋଭିଡ ସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ତୃତୀୟ ଲହର ମୁକାବିଲା କରିବାକୁ ପ୍ରସ୍ତୁତ ଚାଲିଛି ବୋଲି ପିଏମଙ୍କୁ ଜଣାଇଥିବା ସେ ଟ୍ୱିଟ୍ କରି କହିଛନ୍ତି। ଅନ୍ୟ ଏକ ଟ୍ୱିଟରେ ଚୌହାନ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ହେଉଛନ୍ତି ‘ମ୍ୟାନ୍ ଅଫ୍ ଆଇଡିଆଜ’ ଏବଂ ତାଙ୍କ ନିର୍ଦ୍ଦେଶନାରେ ମଧ୍ୟପ୍ରଦେଶରେ ବିକାଶ କାମର ଅଗ୍ରଗତି ହେଉଛି। ଏହି ବିକାଶର କାମ ଅତି ଶୀଘ୍ର ଆଗକୁ ନିଆଯାଇପାରିବ। ଟିକାକରଣ ପ୍ରକ୍ରିୟାକୁ ରାଜ୍ୟରେ ଜୋରଦାର କରିବା ପାଇଁ ନୂଆ ପ୍ଲାନ ଘୋଷଣା କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଶିବରାଜ ସିଂ ଚୌହ୍ୱାନ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ରହିଛି। ନିକଟରେ ଏକ ଖବର ପ୍ରକାଶ ପାଇଥିଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରନ୍ତି। ଶିବରାଜ ସରକାରର କ୍ୟାବେନେଟ ମନ୍ତ୍ରୀ ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହା କହିଥିଲେ। ଏହାକୁ ନେଇ ବିବାଦ ବଢ଼ିବା ପରେ ନରୋତ୍ତମ ମିଶ୍ର କହିଥିଲେ, ବିଜେପି ଶିବରାଜ ସିଂହ ଚୌହ୍ୱାନ ଏବଂ ଭିଡି ଶର୍ମାଙ୍କ ନେତୃତ୍ୱରେ ଏକଜୁଟ ଅଛି। ଏବେ କେନ୍ଦ୍ରରେ ମୋଦି ସରକାର କୃଷି ବିଲ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିବାଦରେ ରହିଛନ୍ତି। ତେଣୁ ବିଭାଗ ଅଦଳ ବଦଳ କରିବା ସହିତ ଦକ୍ଷ ଲୋକଙ୍କୁ ଗୁରୁ ଦାୟିତ୍ୱ ଦେଇ ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ପ୍ରୟାସ କରୁଛନ୍ତି। ଶିବାରଜ ଜଣେ ବିରିଷ୍ଠ ନେତା। ତେଣୁ ଏହି ଭେଟଘାଟ ପଛରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ସଂଯୋଗ ଥାଇପାରେ ବୋଲି କୁହାଯାଉଛି। ଯଦିଏ ଶିବରାଜ କି ବିଜେପିର କୌଣସି ନେତା ଏବାବଦରେ କିଛି କହି ନାହାନ୍ତି।

ବୃଦ୍ଧଙ୍କୁ ମାଡ଼ ଘଟଣା: ଯୋଗୀଙ୍କ କାଉଣ୍ଟର ଆଟାକ ପରେ ରାହୁଲ ନିରବ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଯୋଗୀ ସରକାରକୁ ଚେକ୍ ଦେବା ପାଇଁ ବିରୋଧୀ ଏବେ ରାମ ମନ୍ଦିରରେ ଜମି ଦୂର୍ନୀତି ପରେ ପରେ ବୃଦ୍ଧଙ୍କୁ ମାଡ଼ ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରି ଅପଦସ୍ତ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ବୃଦ୍ଧଙ୍କୁ ମାଡ଼ ଘଟଣାରେ କହିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ଭକ୍ତ କେବେ ଏପରି କାମ କରିପାରିବେ ନାହିଁ। ସୋଶାଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମୁସଲମାନ ବୃଦ୍ଧଙ୍କ ଦାଢ଼ି ବଳପୂର୍ବକ ଭାବରେ କଟାଯାଉଥିବାର ଭିଡିଓ ଘୁରି ବୁଲୁଛି। ଆଉ ସେହି ବୃଦ୍ଧଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ କରି ଘଟଣାର ସତ୍ୟତା କହିଛି। ଗାଜିଆବାଦ ଜିଲ୍ଲାର ବାସିନ୍ଦା ସୁଫି ଅବଦୁଲ ସମଦଙ୍କୁ ମାଡ ମାରିବା ସହ ଦାଢ଼ି କାଟିବା ଅଭିଯୋଗରେ ପୁଲିସ ଚାରି ଜଣଙ୍କୁ ଗିରଫ କରି ସାରିଛି। ପୀଡିତ ଦାବି କରିଥିଲେ ଯେ ଯେଉଁମାନେ ତାଙ୍କୁ ମାଡ଼ ମାରିଥିଲେ ସେମାନେ ତାଙ୍କୁ  ‘ଜୟ ଶ୍ରୀ ରାମ’ ଜପିବାକୁ ବାଧ୍ୟ କରିଥିଲେ। ତେବେ ଏହି ମାମଲାରେ କୌଣସି ସାମ୍ପ୍ରଦାୟିକ ନାହିଁ ବୋଲି ପୁଲିସ କହିଛି। ପୁଲିସ କହିଛି ଯେ ଯେଉଁମାନେ ସୁଫି ଅବଦୁଲ ସମଦଙ୍କୁ ମାଡ ମାରିଥିଲେ ସେମାନଙ୍କ ମଧ୍ୟରେ ହିନ୍ଦୁ ଏବଂ ମୁସଲମାନଙ୍କ ସମେତ ପ୍ରାୟ ୬ ଜଣ ଥିଲେ। ମାଡ଼ ମାରିଥିବା ବ୍ୟକ୍ତି ସମଦଙ୍କ ପାଖରୁ ତାବଜି ନେଇଥିଲେ। ତାବଜି ପିନ୍ଧିବା ପରେ ଏହାର ପ୍ରଭାବ ଓଲଟା ପଡ଼ିଥିଲା। ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସମଦଙ୍କୁ ସେମାନେ ମାଡ଼ ମାରିଥିବା ପୁଲିସ କହିଛି। ଭିଡିଓରେ ବୃଦ୍ଧଙ୍କୁ ଠେଲି ଦିଆଯାଉଥିବା ବେଳେ ତାଙ୍କ ଦାଢି କାଟି ଦିଆଯାଉଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ଗୋଇଠା ଏବଂ ମାଡ଼ ମରାଯାଉଥିବା ଜଣାପଡ଼ିଛି। ଏହି ଭିଡିଓ ଯିଏ ବି ଦେଖିବ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ଯେଉଁମାନେ ଏପରି ନିଷ୍ଠୁର କାମ କରନ୍ତି ସେମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ ବୋଲି ଦାବି ହେବା ବି ସ୍ୱାଭାବିକ। ହେଲେ ଭାଇରାଲ ହୋଇଥିବା ଏହି ଭିଡିଓ ସହିତ ପ୍ରକୃତ ତଥ୍ୟ ନଜାଣି ବଡ଼ ବଡ଼ ନେତା ଘୃଣାକୁ ଉସକେଇବା କେତେ ଯୁକ୍ତିଯୁକ୍ତ? ରାହୁଲ ଗାନ୍ଧୀ ଏହି ଘଟଣାକୁ ଟ୍ୱିଟ୍ କରି କହିଥିଲେ ଶ୍ରୀରାମଙ୍କ ଭକ୍ତ କେବେ ଏଭଳି ନିଷ୍ଠୁର କାମ କରିବେ ନାହିଁ। ଏହାର ଜବାବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଡ଼ା ଜବାବ ସହ ରାହୁଲଙ୍କୁ ମାନବିକତାର ପାଠ ପଢ଼ାଇଛନ୍ତି। ଭଗବାନ ଶ୍ରୀ ରାମଙ୍କର ପ୍ରଥମ ଶିକ୍ଷା ହେଉଛି “ସତ କୁହ” ଯାହା ତୁମେ (ରାହୁଲ) ଜୀବନରେ କେବେ କରି ନାହଁ ବୋଲି ଯୋଗୀ ଟ୍ୱିଟ୍ କରି କହିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ବି ମିଛ ଖବର ପ୍ରଚାର କରିବା ପଛର ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। ଏଭଳି ମନ୍ତବ୍ୟ ଉତ୍ତରପ୍ରଦେଶର ଲୋକଙ୍କୁ ଅପମାନିତ କରିଛି। ଶ୍ରୀ ରାମଙ୍କର ପ୍ରକୃତ ଭକ୍ତ ଏପରି କରିପାରିବେ ନାହିଁ। ଏପରି ନିଷ୍ଠୁରତା ମାନବିକତାଠାରୁ ବହୁ ଦୂରରେ। ଉଭୟ ସମାଜ ତଥା ଧର୍ମ ପାଇଁ ଲଜ୍ଜାଜନକ ବୋଲି ଯୋଗୀ କହିଛନ୍ତି। ଏହାପରେ କିନ୍ତୁ ରାହୁଲ୍ ଗାନ୍ଧୀ କିଛି କହି ନାହାନ୍ତି। ସେହିପରି ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓବେସୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ମୁସଲମାନମାନଙ୍କଠାରୁ ସମ୍ମାନର ସହ ଜୀବନଯାପନ କରିବାର ଅଧିକାର ଛଡ଼ାଇ ନିଆଯାଉଛି। ସବୁଠୁ ବଡ଼ କଥା ହେଲା ଭାଇରାଲ ଭିଡିଓରେ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଛି ବୋଲି ଦେଖିବାକୁ ମିଳିଛି। କିନ୍ତୁ ପୁଲିସ ନିକଟରେ ଦାୟର ହୋଇଥିବା ଏଫଆଇଆରରେ ଏ ବାବଦରେ ଉଲ୍ଲେଖ କରାଯାଇ ନାହିଁ। କେବଳ ବୃଦ୍ଧ ଜଣଙ୍କ ୟୁପି ସୀମାକୁ ଆସିବା ପରର ଘଟଣା ବର୍ଣ୍ଣନା କରାଯାଇଛି।

ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସ୍‌ର ଜେରା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା କରିଛି। ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ୭୧ ବର୍ଷୀୟ ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ବିଜେପିର ଷ୍ଟାର ପ୍ରଚାରକ ଥିଲେ। ଏହି ସମୟରେ ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ସହ ନିର୍ବାଚନୀ ପରବର୍ତ୍ତୀ ହିଂସାର ଲିଙ୍କ ଥିବା ପୁଲିସ୍‌ ଅଭିଯୋଗ କରିଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ କରାଯାଇଛି। ଆଜି ଏହି ମାମଲାରେ ମିଥୁନଙ୍କୁ ପୁଲିସ୍‌ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରିଛି। ଏହାପୂର୍ବରୁ ମିଥୁନ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ମିଥୁନଙ୍କୁ ଜେରା କରିବାକୁ କହିଥିଲେ। ସେ ପ୍ରଚାର ବେଳେ ଏକଦା କହିଥିଲେ ଯେ “ମାରିବି ଏଠି, ମୃତଦେହ ସିଧା ପଡ଼ିବ ଶ୍ମଶାନରେ।” ଏହାକୁ ନେଇ ତାଙ୍କ ନାଁରେ ପୁଲିସ୍‌ କେସ୍‌ ହୋଇଛି।

ସାଂସଦ ସଞ୍ଜୟ ସିଂହଙ୍କ ଘର ଉପରେ ଆକ୍ରମଣ, ବିଜେପି ହାତ ଥିବା ଅଭିଯୋଗ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଅଯୋଧ୍ୟାରେ ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ଅଭିଯୋଗ ଆଣିଥିବା ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ଘର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବା ଶ୍ରୀ ସିଂହ ଅଭିଯୋଗ କରିଛନ୍ତି। ଆପ ପକ୍ଷରୁ କୁହାଯାଇଛି ଯେ ଉତ୍ତର ଆଭିନ୍ୟୁ ଅଞ୍ଚଳରେ ଥିବା ସଞ୍ଜୟ ସିଂହଙ୍କ ଘରର ନେମ ପ୍ଲେଟକୁ ବିଜେପି ସମର୍ଥକମାନେ କଳା ବୋଳିବା ସହ ଭାଙ୍ଗି ଦେଇଛନ୍ତି। ସେହିପରି ଦୁଇ ଜଣ ବ୍ୟକ୍ତି ଜୋରଜବରଦସ୍ତି ଘର ଭିତରେ ପ୍ରବେଶ କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ପୁଲିସ୍‌ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଓ ଏଥିରେ କେହି ଆହତ ହୋଇ ନଥିବା କହିଛି। ସଞ୍ଜୟ ସିଂହ ଟ୍ୱିଟ କରି କହିଛନ୍ତି, “ମୋ ଘର ଉପରେ ଆକ୍ରମଣ କରାଯାଇଛି। ବିଜେପି ସମର୍ଥକମାନେ ଧ୍ୟାନ ଦେଇ ଶୁଣନ୍ତୁ, ଆପଣମାନେ ଯେତେ ଗୁଣ୍ଡାଗର୍ଦ୍ଦି ଓ ଭଙ୍ଗାରୁଜା କଲେ ମଧ୍ୟ ମୁଁ କେବେ ହେଲେ ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହୋଇଥିବା ଟଙ୍କାକୁ ଚୋରି ହେବାକୁ ଦେବନି ନାହିଁ। ଏଥିପାଇଁ ମୋ ଜୀବନ ଚାଲିଗଲେ ମଧ୍ୟ ମୁଁ ପଛାଇବି ନାହିଁ।” ତେବେ ବିଜେପି ପକ୍ଷରୁ ସଞ୍ଜୟ ସିଂହଙ୍କ ଅଭିଯୋଗକୁ ଡ୍ରାମା ବୋଲି କୁହାଯାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି, “ଗତକାଲି ସେ ରାମ ମନ୍ଦିର ନିର୍ମାଣ କାମକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ଆଜି ସେ ନିଜ ଘର ଉପରେ ଆକ୍ରମଣ ହୋଇଥିବା କହୁଛନ୍ତି। ଏହା ଲିଖିତ ବା ଯୋଜନାବଦ୍ଧ ଡ୍ରାମା।” ସୂଚନାଯୋଗ୍ୟ, ରବିବାର ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ଅଯୋଧ୍ୟାର ବାଗ ବଜାଇସିରେ ଥିବା ୨ କୋଟି ଟଙ୍କା ମୂଲ୍ୟର ୧.୨୦୮ ହେକ୍ଟରର ଜମିକୁ ଅନୀଲ ମିଶ୍ରଙ୍କ ସହାୟତାରେ ୧୮.୫ କୋଟି ଟଙ୍କାରେ କିଣିଛନ୍ତି। କିଛି ମିନିଟ୍‌ ପୂର୍ବରୁ ଯେଉଁମାନେ ୨ କୋଟି ଟଙ୍କାରେ ଜମି କିଣିଥିଲେ ସେମାନଙ୍କ ଠାରୁ ୧୮.୫ କୋଟିରେ ଜମି କିଣାଯାଇଛି। ଶ୍ରୀ ସିଂହ ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ କରିବାକୁ ମଧ୍ୟ ଦାବି କରିଥିଲେ।

ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଡ଼ୁଆ ବଢ଼ିଛି। ଭାରତ ସରକାର ପ୍ରଣୟନ କରିଥିବା ନୂଆ ଆଇଟି ଆଇନକୁ ପାଳନ ନ କରିବା କମ୍ପାନୀକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଟ୍ୱିଟର ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଛି। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ବିଭ୍ରାନ୍ତିକର କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ପୁଲିସ୍‌ ଜେରା କରିପାରିବ। ଆମେରିକାର ଏକମାତ୍ର କମ୍ପାନୀ ଭାବେ ଟ୍ୱିଟର ଭାରତରେ ଆଇନଗତ ସୁରକ୍ଷା ହରାଇଛି। ସମସ୍ତ ବିଦେଶ କମ୍ପାନୀଗୁଡ଼ିକ ଆଇଟି ଆକ୍ଟ ସେକସନ ୭୯ ଅନୁଯାୟୀ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଟ୍ୱିଟରକୁ ଛାଡ଼ି ଦେଲେ ଭାରତରେ ସେବା ଯୋଗାଉଥିବା ଗୁଗଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଆଇନଗତ ସୁରକ୍ଷା ପାଇବେ। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ନୂଆ ଗାଇଡଲାଇନ ପାଳନ କରିବାକୁ ଟ୍ୱିଟରକୁ ଅଧିକ ସମୟ ଦିଆଯାଇଥିଲା। ସରକାର ବାରମ୍ବାର ଗାଇଡଲାଇନ ପାଳନ କରିବାକୁ ନୋଟିସ କରିଥିଲେ ହେଁ ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ୱିଟର ଇଚ୍ଛା ପ୍ରକାଶ କରି ନଥିଲା। ଏହି କାରଣ ପାଇଁ ଟ୍ୱିଟର ଭାରତରେ ପାଇଥିବା ଆଇନଗତ ସୁରକ୍ଷା କବଚକୁ ହରାଇଛି। ଏବେ ଥାର୍ଡ ପାର୍ଟିର ଯେକୌଣସି ବେଆଇନ କାର୍ଯ୍ୟ ପାଇଁ ଟ୍ୱିଟର ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ତଦନ୍ତ ପରିସର ଭୁକ୍ତ ହେବ। ଅନ୍ୟପକ୍ଷରେ ନୂତନ ଆଇଟି ନିୟମ ପାଳନ ନ କରି ଟ୍ୱିଟର ତା’ର ଆଇନଗତ ସୁରକ୍ଷା ହରାଇଥିବାରୁ ଅବଦୁଲ ସମାଦ ମାମଲାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଅବଦୁଲ ସାମଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହା ନକଲି ଥିଲା ବୋଲି କୁହାଯାଉଛି। କିନ୍ତୁ ଟ୍ୱିଟର ଏହାକୁ ମ୍ୟାନୁପଲେଟ୍‌ ଟ୍ୟାଗ ଦେଇ ନଥିବାରୁ ସଂସ୍ଥା ବିରୋଧରେ ଏଫଆଇଆର କରାଯାଇଛି। ଗାଜିଆବାଦର ଲୋନି ପୁଲିସ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଇବା ଘଟଣାରେ ଟ୍ୱିଟର ସମେତ ୯ ଜଣ ବିରୋଧରେ ମାମଲା ରୁଜୁ କରିଛି।

ଚିଠି ଲିକ୍‌କୁ ନେଇ ରାଜ୍ୟପାଳଙ୍କ ଉପରେ ବେଙ୍ଗଲ ସରକାର ଖପ୍ପା….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ଏକ ଅଭୂତ ଘଟଣାକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିକୁ ଟ୍ୱିଟରରେ ଲିକ୍‌ କରିଛନ୍ତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ ପ୍ରଦାନକୁ ଏଭଳି ସର୍ବସାଧାରଣରେ ପ୍ରକାଶ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘଟଣାକୁ ନେଇ ବେଙ୍ଗଲ ସରକାର ରାଜ୍ୟପାଳଙ୍କ ଉପରେ ଖପ୍ପା ହୋଇଛନ୍ତି। ରାଜ୍ୟପାଳ ଜଗଦୀପ ତାଙ୍କ ଚିଠିରେ ବେଙ୍ଗଲରେ ହୋଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଫଳ ଓ ପୀଡ଼ିତାଙ୍କୁ ପୁନଃ ଥଇଥାନ ଏବଂ କ୍ଷତିପୂରଣ ଦେବାରେ କିଛି ବି ପଦକ୍ଷେପ ନେଇ ନଥିବା କହିଛନ୍ତି। ଏଥିସହ ସେ ମମତାଙ୍କଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଏହି ଚିଠି ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ସହ ଏହାକୁ ଟ୍ୱିଟରେ ଲିକ୍‌ ମଧ୍ୟ କରିଥିଲେ। ଯାହାକୁ ନେଇ ବେଙ୍ଗଲର ଗୃହ ବିଭାଗ ରାଜ୍ୟପାଳନଙ୍କୁ ଟାର୍ଗେଟ କରିଛି। ଗୃହ ବିଭାଗ ଟ୍ୱିଟ କରି କହିଛି ଯେ ପଶ୍ଚିମବଙ୍ଗ ସରକାର ଦୁଃଖର ସହ କହିବାକୁ ଚାହୁଁଛନ୍ତି ଯେ ମାନନୀୟ ରାଜ୍ୟପାଳ ହଠାତ୍ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ସର୍ବସାଧାରଣ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ହେଲେ ଏଥିରେ ଥିବା ଦାବିରେ କୌଣସି ସତ୍ୟତା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିକୁ ଏପରି ଟ୍ୱିଟ କରିବା ସମ୍ବିଧାନ ବିରୋଧୀ। ସାମ୍ବିଧାନିକ ମର୍ଯ୍ୟାଦାକୁ ଏହା ଉଲ୍ଲଙ୍ଘନ କରୁଛି। ସର୍ବସାଧାରଣ ସ୍ଥାନରେ ହଠାତ୍ ଓ ଏପରି ଏକପାଖିଆ ଅଭିଯୋଗକୁ ଲିକ୍‌ କରିବା ପଶ୍ଚିମବଙ୍ଗ ସରକାରକୁ ଆହୁରି ଚକିତ କରିଛି। ନିର୍ବାଚନ କମିଶନ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ବେଳେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖାଯାଇଥିଲା। ଶପଥ ପାଠ କାର୍ଯ୍ୟକ୍ରମ ପରେ ଏହାର ଦାୟିତ୍ୱ କ୍ୟାବିନେଟ ହାତକୁ ଆସିଥିଲା। ଦାୟିତ୍ୱ ନେବା ପରେ ରାଜ୍ୟ ସରକାର ପୁଲିସ୍‌କୁ ସମସ୍ତ ଅପରାଧୀ କାର୍ଯ୍ୟକଳାପ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସରକାର ସବୁବେଳେ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକଠାକ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟପାଳ ଲିକ୍‌ କରିଥିବା ଚିଠି ସଂପୂର୍ଣ୍ଣ ଭାବେ ଏକପାଖିଆ ଓ ଭିତ୍ତିହୀନ। ତେଣୁ ରାଜ୍ୟପାଳ ପ୍ରକୃତ ସତ୍ୟତା ନ ଜାଣି ଏପରି ଚିଠି ଲେଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଗୃହ ବିଭାଗ କହିଛି। ସୂଚନାଯୋଗ୍ୟ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଥିଲେ ଯେ କୋଭିଡ ପରେ ସରକାରଙ୍କ ଫୋକସରେ ଆଇନ ଶୃଙ୍ଖଳା ରହିଛି।

ଖଣି ଲିଜ୍ ଅବଧି ବୃଦ୍ଧି ବାତିଲ ଓ ୧୦ହଜାର କୋଟିର ଲୁହାପଥର ବିକ୍ରି ପାଇଁ ଦାବି କଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଭିଜିଲାନ୍ସ କେସ୍ ଥିବା ଖଣି ମାଲିକଙ୍କୁ କାହିଁକି ଲିଜ୍ ଦିଆଗଲା ଓ ପ୍ରାୟ ୧୦ହଜାର କୋଟି ଟଙ୍କାର ଲୁହାପଥରକୁ ବିକ୍ରି ନକରି ସରକାର କାହିଁକି ପକାଇ ରଖିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ଖଣି ଲିଜ୍ ଅବଧି ବୃଦ୍ଧି ବାତିଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବିଚାର କରିବା ସହ ରାଜ୍ୟର ବିଭିନ୍ନ ଖଣି ଅଂଚଳରେ ବିକ୍ରି ନହୋଇ ପଡ଼ି ରହିଥିବା ୧୬.୫ ନିୟୁତ ମେଟ୍ରିକ ଟନ୍ (ଏମଏମଟି) ତୁରନ୍ତ ବିକ୍ରି କରିବାକୁ ବିଜେପି ଦାବି କରିଛି। ବିଜେପି ବିଧାୟକ ତଥା ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଖଣି ଲିଜ୍ ଅବଧି ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଖଣି ମାଲିକଙ୍କ ସହ ରାଜ୍ୟ ସରକାରଙ୍କ ପ୍ରିୟାପ୍ରୀତି ରହିଛି । ଭିଜିଲାନ୍ସ କେସ୍ ଥିବା ଖଣି ମାଲିକଙ୍କୁ କିଭଳି ଖଣି ଲିଜ୍ ଦିଆଗଲା। ଖଣି ଲିଜ୍ ଅବଧି ବୃଦ୍ଧି ଦ୍ୱାରା ରାଜ୍ୟ ସରକାର ୧୦ରୁ ୧୨ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ତେଣୁ ଖଣି ଲିଜ୍ ଅବଧି ବୃଦ୍ଧିକୁ ତୁରନ୍ତ ବାତିଲ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କହିଛି। ଶ୍ରୀ ମାଝୀ ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଖଣି ନିଲାମ ହୋଇଥିଲା ଓ ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା। ତେବେ ରାଜ୍ୟର ଖଣି ଅଂଚଳରେ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୦ହଜାରକୋଟି ଟଙ୍କା, ଯାହାକି ୨୦୨୦ ନଭେମ୍ୱର ପର୍ଯ୍ୟନ୍ତ ମହଜୁଦ ଥିଲା। ଏମଏମଡିଆର ଆକ୍ଟର ନିୟମର ୧୨ (ଜିଜି) ଏବଂ ୧୨ (ଏଚଏଚ୍‌) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ କରାଯାଇ ପାରି ନଥିଲା । ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆଗାଁ ଲୁହାପଥର ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡ଼ିରହିଛି। ଏହି ଖଣିର ଲିଜ୍‌ଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା। ମାତ୍ର କୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟ ହେବେ ବୋଲି ରାୟ ଦେଇଥିଲେ।ପରବର୍ତ୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ଲିଜ୍ ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ। ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ ବୋଲି କହିଥିଲେ। ତେଣୁ ଏମଏମଡିଆର ଆକ୍ଟ ଧାରା ୧୨ (ଏଚଏଚ୍‌) ଅନୁସାରେ ୨୦୨୦ ନଭେମ୍ବର ୧ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ୍ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ। ଏହାଦ୍ୱାରା ରାଜ୍ୟର ଲାଭ ହେବ । ତେଣୁ ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡ଼ିରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ଗଣେଶ ରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପିର ଅଭିଯୋଗ ଭିତ୍ତିହୀନ, ତଥ୍ୟହୀନ, କପୋଳକଳ୍ପିତ ବୋଲି କହି ନିନ୍ଦା କରିଛି। ବିଜେପି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଖଣି ନିଲାମୀ ଓ କାରବାର ସ୍ୱଚ୍ଛତାର ସହ ଚାଲିଥିବା କେନ୍ଦ୍ର ସରକାର କହିବା ସହ ପ୍ରଂଶସା କରିଛନ୍ତି। ଖଣି ପଟ୍ଟା, ଲିଜ୍ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତିଙ୍କ ଅଭିଯୋଗ ଅମୂଳକ ଓ ଖାଲି ଟିଭିରେ ମୁହଁ ଦେଖାଇବାକୁ ଏଭଳି ଭୁଲ୍ ତଥ୍ୟ ରଖାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡିର ଏଭଳି ଅଭିଯୋଗକୁ ବିଜେପି ପାଲଟା ଖାରଜ କରି ଶ୍ରୀ ମହାନ୍ତିଙ୍କୁ ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି କହିବା ସହ ପଣସ ଖାଇ ଅନ୍ୟ କାହା ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ ନହେଉ।