ତୈଳ ଦରକୁ ନେଇ ଏନଡିଏରେ ଆରମ୍ଭ ହେଲା ମତଭେଦ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ଏବେ ଏହି ଦର ବୃଦ୍ଧିକୁ ନେଇ ଖୋଦ ବିଜେପି ନେତ୍ୱାଧୀନ ଏନଡିଏ ଭିତରୁ ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଛି। ବିଜେପିର ସହଯୋଗୀ ଜେଡିୟୁ କହିଛି, ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ ଏବେ କଷ୍ଟ ଦେବା ଆରମ୍ଭ କଲାଣି। ଭାରତ ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ବର୍ଦ୍ଧିତ ଦରକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସଫେଇ ଦେଇ କହିଥିଲେ ଯେ ମହାମାରୀ ସମୟରେ ସରକାର ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିସହ ଏକାଧିକ ସାମାଜିକ କଲ୍ୟାଣ ଯୋଜନା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକ ରହିଛି। ଏହି କାରଣ ପାଇଁ ତୈଳଦର ବୃଦ୍ଧି ପାଇଥିବା ସେ ପରୋକ୍ଷରେ କହିଥିଲେ। କିନ୍ତୁ ଜେଡିୟୁ କହିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ତୈଳଦର ଉପରେ ଲାଗିଥିବା ଟିକସ ହ୍ରାସ କରନ୍ତୁ। ଜେଡିୟୁ ମୁଖ୍ୟ ମହାସଚିବ କେସି ତ୍ୟାଗୀ କହିଛନ୍ତି, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଆମକୁ ଯନ୍ତ୍ରଣା ଦେବାରେ ଲାଗିଲାଣି। ତେଣୁ ଭାରତ ସରକାର ତୈଳଦର ବୃଦ୍ଧି ଉପରେ ତତ୍କାଳ ରୋକ ଲଗାଇବା ଉଚିତ। ପେଟ୍ରୋଲ-ଡିଜେଲ ଦର ଉପରେ ସରକାରୀ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ଏଭଳି ଏକ ମେକାନିଜମ ଆଣନ୍ତୁ, ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ ଆଉ ବଜାର ହାତରେ ରହିବନି। ପେଟ୍ରୋଲିୟମ ଉତ୍ପାଦ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କରିବା ଉଚିତ ବୋଲି ସେ କହିଛନ୍ତି।

କରୋନା ଯୋଗୁ ମଳିନ ପଡ଼ିଥିବା ଛବିକୁ ସୁଧାରିବାକୁ ବିଜେପିର ନୂଆ ଯୋଜନା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ଯୋଗୁ ମଳିନ ପଡ଼ିଥିବା ନିଜର ଛବିକୁ ସୁଧାରିବାକୁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। କିଛି ଦିନ ତଳେ ଦଳ ପକ୍ଷରୁ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏବେ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହେବ। ଏହାକୁ କାର୍ଯ୍ୟକାରୀ କରିବାକୁ ବିଜେପି ସଭାପତି ଜେପି ନଡ୍ଡା ଦଳର କାର୍ଯ୍ୟକର୍ତ୍ତାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଟିକାକରଣ ଅଭିଯାନ, ରିଲିଫ୍ କାର୍ଯ୍ୟକ୍ରମ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କର ତାଲିମକୁ ଅନ୍ତର୍ଭୁକ୍ତ କରାଯାଇଛି। ଟିକାକରଣ ଅଭିଯାନରେ ‘ମୋ ବୁଥ ଟିକାକରଣ ଯୁକ୍ତ’ କରିବାକୁ କୁହାଯାଇଛି। ଏହା ଅଧୀନରେ ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ନେବାକୁ ପରାମର୍ଶ ଦିଆଯିବ। ଏଥିସହ ଅଧିକ ସଂକ୍ରମଣ ଆଶଙ୍କା ଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବାକୁ ଉତ୍ସାହିତ କରାଯିବ। ଏହି ବର୍ଗରେ ଡେଲିଭରି ବୟ, ଅଟୋ, ରିକ୍ସା ଚାଳକ, ଘରୋଇ ସହାୟକ, ଖବରକାଗଜ ବିତରକ, ଗ୍ୟାସ ସିଲିଣ୍ଡର ବିତରକ, ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କ ମାତାପିତାଙ୍କୁ ରଖାଯାଇଛି। ଏମାନଙ୍କୁ ଟିକାକରଣ କେନ୍ଦ୍ରକୁ ଯିବା ପାଇଁ ପ୍ରୋତ୍ସାହିତ କରାଯିବ। ବିଜେପି କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ କରୋନା କଟକଣା ମାନିବାକୁ ବୁଝାଇବେ। ଲୋକମାନଙ୍କୁ ବିଜେପି ପକ୍ଷରୁ ସାନିଟାଇଜର ଓ ମାସ୍କ ଇତ୍ୟାଦି ବଣ୍ଟନ କରାଯିବ। ବିଜେପି ଅଧ୍ୟକ୍ଷ ଶ୍ରୀ ନଡ୍ଡା କାର୍ଯ୍ୟକର୍ତ୍ତାଙ୍କୁ ରକ୍ତଦାନ ଶିବିର ଆୟୋଜନ କରିବାକୁ କହିଛନ୍ତି। ହସ୍ପିଟାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଜରୁରୀ କାଳୀନ ସ୍ଥରରେ ରାସନ କିଟ୍ ଓ ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲି-ମେଡିସିନ୍ ସେଣ୍ଟର ଓ ମେଡିକାଲ୍ ହେଲ୍ପ ସେଣ୍ଟର ପ୍ରତିଷ୍ଠା ପାଇଁ ମଧ୍ୟ କୁହାଯାଇଛି। ପ୍ରଭାବିତ ଲୋକଙ୍କୁ ଶୀଘ୍ର ବୀମା ସୁବିଧା ଯୋଗାଇବା କ୍ଷେତ୍ରରେ ସହାୟତା କରାଯିବ। ସ୍ୱାସ୍ଥ୍ୟ ଯୋଦ୍ଧାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବାର ବ୍ୟବସ୍ଥା ହେବ। ରାଜ୍ୟସ୍ତରରେ ଟିମ ପ୍ରସ୍ତୁତ କରାଯାଇ ଗ୍ରାମାଞ୍ଚଳରେ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ଦିଆଯିବ। ସ୍ଥାନୀୟ ପାର୍ଟି ଅଫିସରେ ଥର୍ମାଲ୍ ସ୍କାନର୍, ଅକ୍ସିମିଟର, ଟେଷ୍ଟ କିଟ୍, ଅମ୍ଳଜାନ କନସେନଟ୍ରେଟର ଇତ୍ୟାଦି ସାମଗ୍ରୀ ଗଚ୍ଛିତ କରିବାକୁ ବ୍ୟବସ୍ଥା କରାଯିବ।  ଏହି ସ୍ୱେଚ୍ଛାସେବୀମାନେ ଅଙ୍ଗନୱାଡି, ଆଶା, ଏଏନଏମ ଓ ପିଏଚ୍‌ସି ସହ ସମନ୍ୱୟ ରକ୍ଷା କରି କାମ କରିବେ। ଏହା ସହିତ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ ମଧ୍ୟ ଆଗକୁ ବଢ଼ାଇବେ ବୋଲି ଦଳର ଅଧ୍ୟକ୍ଷ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କି ଉଦ୍ଧବ ଠାକରେ? ଜବାବ ରଖିଲା ଶିବସେନା..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ସହଯୋଗୀ ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ପଦ ଶେୟାର କରିବେ କି ଉଦ୍ଧବ ଠାକରେ? ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ତା’ର ଜବାବ ଶିବସେନା ରଖିଛି। ଶିବସେନାର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମୁଖ୍ୟମନ୍ତ୍ରୀ ପଦ ଶେୟାର ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା’ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଗାମୀ ୫ ବର୍ଷ ଯାଏ ଶିବସେନା କୌଣସି ପ୍ରକାରର ମୁଖ୍ୟମନ୍ତ୍ରୀ ପଦ ସହଯୋଗୀ ଦଳ ସହ ଶେୟାର କରିବ ନାହିଁ ବୋଲି ସେ ସ୍ପଟ କରିଛନ୍ତି। ସେ ଶିବସେନାର ମୁଖପତ୍ର ସାମନାରେ ପ୍ରକାଶ ପାଉଥିବା ସାପ୍ତାହିକ ସ୍ତମ୍ଭ ରୋକଠୋକରେ ଏକଥା କହିଛନ୍ତି। ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ଦଳରେ ଥିବା ଏନସିପି କିମ୍ବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ପ୍ରଶ୍ନ ଉଠାଇ ନଥିବା ବେଳେ ହଠାତ୍‌ ଶିବସେନା ପକ୍ଷରୁ ଏପରି କଥା କୁହାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଣମାଧ୍ୟମରେ ସମସ୍ତେ ଚୁପ୍‌ ରହୁଥିବା ବେଳେ ସରକାରୀ ସ୍ତରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୋଧେ ଅଙ୍କକଷା ଚାଲିଥିବାରୁ ସଞ୍ଜୟ ରାଉତ ଏପରି ବୟାନ ଦେଇଥିବା ଆକଳନ କରାଯାଉଛି। ସଞ୍ଜୟ ରାଉତ ନିଜର ସ୍ତମ୍ଭ ଉପରେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ପଦକୁ ନେଇ କିଛି ଲୋକ ଦ୍ୱନ୍ଦ୍ୱ ଓ ଆକଳନ ସୃଷ୍ଟି କରିବାରେ ଲାଗିଛନ୍ତି। ଏହାକୁ ଦୂର କରିବା ପାଇଁ ମୁଁ ଏପରି ସ୍ପଷ୍ଟୀକରଣ ଦେଇଛି। ମୁଖ୍ୟମନ୍ତ୍ରୀ ପଦ ୫ ବର୍ଷ ପାଇଁ ଶିବସେନା ପାଖରେ ରହିବ। ଏକଥା ସରକାରରେ ଥିବା ଏନସିପି ଓ କଂଗ୍ରେସ ମଧ୍ୟ ଭଲ ଭାବେ ଜାଣିଛନ୍ତି। ମହାବିକାଶ ଅଘାଡ଼ି ସରକାର ଗଠନ ବେଳେ ମୁଁ ରହିଥିଲି। ଏହି ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦର ଶେୟାରକୁ ନେଇ କୌଣସି ପ୍ରକାରର ଆଲୋଚନା ହୋଇ ନଥିଲା। କିଛି ଲୋକ କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଏପରି ବୟାନ ଦେଉଛନ୍ତି।”

ସୁରଥ ବିଶ୍ୱାଳ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟ ବିଜେପି ତା’ର ସଂଗଠନକୁ ସକ୍ରିୟ କରିବାକୁ ପଦକ୍ଷେପ ନେଇଛି। ଦୀର୍ଘଦିନ ଧରି ଖାଲି ପଡ଼ିଥିବା ରାଜ୍ୟ ବିଜେପିର ଦୁଇଟି ମୋର୍ଚ୍ଚାର ସଭାପତିଙ୍କ ନାଁ ଆଜି ଘୋଷଣା ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ନେତା ସୁରଥ ବିଶ୍ୱାଳଙ୍କୁ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଏବଂ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ବିଜେପି ତା’ର ସମସ୍ତ ଛାମୁଆ ସଂଗଠନ ମୁଖିଆଙ୍କ ନାଁ ଘୋଷଣା କରିଥିବାବେଳେ ଏହି ଦୁଇଟି ମୋର୍ଚ୍ଚାରେ କାହାରିକୁ ନିଯୁକ୍ତି ମିଳିନଥିଲା।

ସରକାର ଦୁଇ ବର୍ଷ ପୂରଣ କରିବ ତ..? ମହାବିକାଶ ଅଘାଡିରେ ‘ମହାଯୁଦ୍ଧ’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରର ନେତୃତ୍ୱ ନେଉଛି ଶିବସେନା। ଶିବସେନାର କୁହାଳିଆ ନେତା ସଞ୍ଜୟ ରାଉତ ‘ସାମ୍ନା’ ଜରିଆରେ କହିଛନ୍ତି ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିବ। ଆଉ କାହାକୁ ଏହି ପଦବୀ ଦେବନି। ଠିକ୍ ଏହାପରେ ପରେ ସରକାରର ସହଯୋଗୀ ଦଳ କଂଗ୍ରେସର ପିସିସି ସଭାପତି ତଥା ପୂର୍ବତନ ବାଚସ୍ପତି ନାନା ପାଟୋଲେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ। ଅପେକ୍ଷା ଗାନ୍ଧୀ ପରିବାରର ଇସାରାକୁ। ଅର୍ଥାତ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକୁ। ନିକଟରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଅମିତ ଶାହଙ୍କୁ ପ୍ରଶଂସା କରିବା ପରେ ପରେ ଏହି ସବୁ ରାଜନୀତିକ ବୟାନବାଜି ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି। ୨୬ ନଭେମ୍ୱର ୨୦୨୨ରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ଶିବସେନା-କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୀତିକ ବାକଯୁଦ୍ଧ ସରକାରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ – (ନାନା ପାଟୋଲେ)- କଂଗ୍ରେସ ବିଧାୟକ ନାନା ପାଟୋଲେ କହିଛନ୍ତି, ସେ ଜାଣେ ଚାଷୀର ପୁଅ। ତେଣୁ ତାଙ୍କ ଅଞ୍ଚଳର ଲୋକ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି। ଅପେକ୍ଷା ଦଳର ଶୀର୍ଷ ନେତାଙ୍କ ନିର୍ଦ୍ଦେଶକୁ। ବିଦର୍ଭ ଏରିଆକୁ ଯାଇ ବିଭିନ୍ନ ବୈଠକ କରୁଥିବା ସମୟରେ ନାନା ପାଟୋଲଙ୍କ ଏହି ମନ୍ତବ୍ୟ ସୋଶାଲ ମିଡିଆରେ ବିତର୍କ ସୃଷ୍ଟି କରିଛି। ସେ କହିଛନ୍ତି ଆଗାମୀ ଦିନରେ ତାଙ୍କ ଦଳ ଉଭୟ ସ୍ଥାନୀୟ ଏବଂ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। ମେଣ୍ଟ କରିବାର କୌଣସି ସମ୍ଭାବନା ନାହିଁ।

ଶିବସେନା-କଂଗ୍ରେସ କଳି – ଏହାପୂର୍ବରୁ ମେ ଶେଷ ସପ୍ତାହରେ ପଦୋନ୍ନତିରେ ସଂରକ୍ଷଣ ଉପରେ ରୋକ୍ ଏବଂ ନାନୋର ତୈଳ ବିଶୋଧନାଗାରର ପ୍ରକଳ୍ପକୁ ଅଟକାଇବା ନେଇ ଶିବସେନା ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ କଂଗ୍ରେସ ଏନସିପି ସହ କଥାବାର୍ତ୍ତା କରିବା ପରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଥିଲା। ଏହାପରେ ଏନସିପି ସଭାପତି ଶରଦ ପାଓ୍ୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ପାୱାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଏହି ବୈଠକ ହୋଇଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଉଦ୍ଧବ ଠାକରେଙ୍କ ଉପରେ ପାୱାର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ରହିଛି। କୁହାଯାଉଛି ଉଦ୍ଧବ ପାୱାରଙ୍କୁ କହିଛନ୍ତି ଯେ ଏନସିପିର ସହଯୋଗ କ୍ରମେ ଏହି ସରକାର ଗଠନ ହୋଇଛି। ତେଣୁ ସରକାର ଚଳାଇବା କେବଳ ଶିବସେନାର ଦାୟିତ୍ୱ ନୁହେଁ।

ଶରଦ ପାଓ୍ୱାର-ପ୍ରଶାନ୍ତ କିଶୋର ଭେଟଘାଟ – ଜୁନ୍ ୧୧ରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ରାଜାନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଭେଟିଥିଲେ। ଯଦିଓ ଏହି ବୈଠକ ବାବଦରେ ଦୁଇ ନେତା କିଛି ବି ମତ ରଖିନାହାନ୍ତି ହେଲେ ଏହା ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ହୋଇଥିବା କୁହାଯାଉଛି। ଅନ୍ୟପଟେ ବିଭିନ୍ନ ରାଜନୀତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ପାଓ୍ୱାର ମଧ୍ୟ ପାଖରେ ରଖିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଯଦି ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିଯାଏ ତାହେଲେ ପ୍ରଶାନ୍ତ କିଶୋର ଓ ପାଓ୍ୱାର ଏକାଠି ହୋଇ ଏନସିପି ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି। ପାଓ୍ୱାର ଓ ପ୍ରଶାନ୍ତଙ୍କ ଏହି ବୈଠକ ସଞ୍ଜୟ ରାଉତ ମୋଦିଙ୍କୁ ପ୍ରଶଂସା କରିବା ପରେ ହୋଇଥିଲା।

ଆଉ ତିନି ଦିନ ପରେ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲ୍‌, କାହାକୁ ସୁହାଇବ ପିଚ୍….?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍ ପାଇଁ ପିଚ୍ କିପରି ହେବ, ସେ ନେଇ ମନ୍ତବ୍ୟ ଦେଇଛନ୍ତି ସାଉଥାମ୍ପଟନର ମୁଖ୍ୟ କ୍ୟୁରେଟର୍ ସାଇମନ୍ ଲି। ସାଇମନ୍ କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ପାଇଁ ଫାଷ୍ଟ ଓ ବାଉନ୍ସି ପିଚ୍ ପ୍ରସ୍ତୁତ କରିବାକୁ ଚାହାନ୍ତି। ପରେ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କହିଛନ୍ତି ସାଇମନ୍। ସାଇମନ୍ ଇଏସପିଏନକ୍ରିକଇନଫୋକୁ ସାକ୍ଷାତକାର ଦେଇ କହିଛନ୍ତି, ଏହି ଟେଷ୍ଟ ପାଇଁ ପିଚ୍ ପ୍ରସ୍ତୁତ କରିବା ଟିକେ ସହଜ। କାରଣ ଏହା ଏକ ନ୍ୟୁଟ୍ରାଲ୍‌ ଭେନ୍ୟୁ ଏବଂ ଆମକୁ ଆଇସିସିର ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। କିନ୍ତୁ ଆମେ ଭଲ ପିଚ୍ ପ୍ରସ୍ତୁତ କରିବାକୁ ଚାହୁଁଛୁ ଯେପରି ଦୁଇ ଟିମ୍ ମଧ୍ୟରେ ମୁକାବିଲା ବରାବର ହେବ। ସେ କହିଛନ୍ତି, ବ୍ୟକ୍ତିଗତ ଭାବେ ଏଭଳି ପିଚ୍ ପ୍ରସ୍ତୁତ କରିବାକୁ ଚାହୁଁଛୁ, ଯେଉଁଥିରେ ବାଉନ୍ସ ଓ ସ୍ପିଡ୍ ରହିବ। ଇଂଲଣ୍ଡରେ ଏଭଳି କରିବା କଠିନ, କାରଣ ଅଧିକାଂଶ ସମୟରେ ପାଗ ଆମକୁ ସାଥ୍ ଦେଇନଥାଏ। କିନ୍ତୁ ଏହି ମ୍ୟାଚ୍ ପାଇଁ ଭଲ ଭବିଷ୍ୟବାଣୀ ରହିଛି। ମ୍ୟାଚ୍ ସମୟରେ ଖରା ରହିବ। ଏଥିପାଇଁ ଆମର ବିଶ୍ୱାସ ଯେ ପିଚରେ ଫାଷ୍ଟ ହେବ ଏବଂ ଅଧିକ ରୋଲର ନଚଲାଇବା ଦ୍ୱାରା ଏହି ପିଚ୍ ଅଧିକ ହାର୍ଡ ରହିବ। ସାଇମନ୍ କହିଛନ୍ତି, ଫାଷ୍ଟ ପିଚ୍ ନାଲି ବଲର କ୍ରିକେଟକୁ ଆହୁରି ରୋମାଞ୍ଚକର କରିବ। ମୁଁ କ୍ରିକେଟ୍ ପ୍ରଶଂସକ ଓ ଏଭଳି ପିଚ୍ ପ୍ରସ୍ତୁତ କରିବାକୁ ଚାହେଁ, ଯାହାଦ୍ୱାରା କ୍ରିକେଟ୍‌ ପ୍ରେମୀ ପ୍ରତି ବଲ୍ ଦେଖିବାକୁ ଚାହିଁବେ, ତେଣିକି ତାହା ବ୍ୟାଟିଂ ହେଉ କିମ୍ବା ଜବରଦସ୍ତ ବୋଲିଂ ସ୍ପେଲ୍‌। ଯଦି ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦକ୍ଷତାର ଲଢ଼େଇ ହେବ, ତାହେଲେ ଗୋଟିଏ ମେଡେନ୍ ଓଭର ବି ବେଶ୍ ରୋମାଞ୍ଚକର ହେବ। ସାଇମନ୍ ଆହୁରି କହିଛନ୍ତି, ପିଚ୍ କେବଳ ଫାଷ୍ଟ ଓ ବାଉନ୍ସି ହେବ ନାହିଁ। ମ୍ୟାଚ୍ ଆଗକୁ ବଢ଼ିବା ସହ ପିଚରେ ସ୍ପିନରଙ୍କ ଭୂମିକା ନିର୍ଣ୍ଣାୟକ ହେବ। ପିଚ୍ ବହୁତ ଜଲଦି ଶୁଷ୍କ ପଡ଼ିଯିବ, କାରଣ ଏଠାକାର ମାଟିରେ ସାମାନ୍ୟ ବଜୁରୀ ରହିଛି। ଏହା ଦ୍ୱାରା ସ୍ପିନରଙ୍କୁ ସହାୟତା ମିଳିବ ବୋଲି ସାଇମନ୍ କହିଛନ୍ତି।

ଆଜିର ଅନୁଚିନ୍ତା – ଅର୍ଥାଭାବ ଲାଗି ରହୁଛି କି? ଘରୁ ଦୂର କରନ୍ତୁ ଏହି ସବୁ ବାସ୍ତୁଦୋଷ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ଭଲ ରୋଜଗାର ସତ୍ତ୍ୱେ ଅନେକ ଲୋକଙ୍କୁ ନିୟମିତ ଭାବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ପଛରେ ଘରର ବାସ୍ତୁଦୋଷ ଥାଇପାରେ। ଆମେ ବାସ୍ତୁ ଅନୁଯାୟୀ ଘର ନିର୍ମାଣ କଲେ ମଧ୍ୟ ଘରେ ରହିଯାଉଥିବା କିଛି କିଛି ସାମାନ୍ୟ ତ୍ରୁଟି ଯୋଗୁ ଆମକୁ ଏହିଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ। ସେହିଭଳି କିଛି କିଛି ସାମାନ୍ୟ ତ୍ରୁଟି ସଂପର୍କରେ ଆସନ୍ତୁ ଆଜି ଜାଣି ନେବା ।

  • ବାସ୍ତୁ ଅନୁଯାୟୀ ଘରେ କେବେବି ଫଟା ବା ଭଙ୍ଗା ବାସନ ରଖିବା ଉଚିତ ନୁହେଁ। ଏଥିଯୋଗୁ ଆର୍ଥିକ ସମସ୍ୟା ଘରର ପିଛା ଛାଡ଼ି ନଥାଏ। ତେଣୁ ଘରେ ଏଭଳି ବାସନ ଥିବା ନଜରକୁ ଆସିଲେ ତାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ।
  • ବହୁତ ଲୋକଙ୍କ ଘରର ମୁଖ୍ୟ ଦ୍ୱାର ନିକଟରେ ଜୋତା ଷ୍ଟାଣ୍ଡ ଥାଏ। ଏହା ବି ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ।
  • ଘରେ କେବେବି ଖରାପ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ। ଏହାଦ୍ୱାରା ଘର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଏଥିସହ ଘରକୁ ଧନ ଆଗମନରେ ସମସ୍ୟା ଉପୁଜିଥାଏ। ତେଣୁ ଖରାପ ହୋଇଯାଇଥିବା ତଥା ଚାଲୁ ନ ଥିବା ଘଣ୍ଟାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ।
  • ବାସ୍ତୁ ଅନୁସାରେ ଘରେ ଧନ ରଖୁଥିବା ସ୍ଥାନଟି ଯେପରି ନୀଳ ରଙ୍ଗର ହୋଇନଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏପରିକି ଏହା ଆଖପାଖରେ ନୀଳ ରଙ୍ଗର ବସ୍ତୁ ମଧ୍ୟ ରହିବା ଉଚିତ ନୁହେଁ। କାରଣ ନୀଳ ରଙ୍ଗ ହେଉଛି ଜଳର ପ୍ରତୀକ। ଆଉ ଜଳର ଧର୍ମ ହେଉଛି ଗୋଟିଏ ଜାଗାରେ ସ୍ଥିର ନରହି ବୋହିଯିବା। ତେଣୁ ଧନ ଥିବା ସ୍ଥାନରେ ଏହି ରଙ୍ଗର ପ୍ରୟୋଗ ଦ୍ୱାରା ଘରେ ଧନ ରହି ପାରେନି ବୋଲି ବିଶ୍ୱାସ ରହିଛି।
  • କେବେବି ଫଟା ପର୍ସ କିମ୍ବା ଭଙ୍ଗା ଆଲମାରୀରେ ଟଙ୍କା ରଖନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ।
  • ସେହିପରି ଘରେ କେବେଵି ଭଙ୍ଗା ଫର୍ନିଚର ରଖନ୍ତୁ ନାହଁ l ଏହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ।