୧୫ ଜୁନ୍‌, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ।

ବୃଷ: ଅର୍ଥଲାଭ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ।

ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଯେ କୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ପାରିବାରିକ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

ସିଂହ: ମିଡିଆରେ କାର୍ଯ୍ୟରତ ବ୍ୟକ୍ତିମାନେ ଶୁଭଫଳ ପାଇବେ। ସୁସମ୍ବାଦ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ମାନସମ୍ମାନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନେ ମିତ୍ର ହୋଇଯିବେ।

ବିଛା: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ।

ଧନୁ: ପାରିବାରିକ ସମସ୍ୟାର ସମାଧାନ ହେବ। ପୂଜାପାଠରେ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।

ମକର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟ କରୁଥିବା ଲୋକେ ଭଲ ଲାଭ ପାଇବେ। ନୂଆ ଲୋକଙ୍କ ସହିଚ ବନ୍ଧୁତା ବଢ଼ିବ।

କୁମ୍ଭ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କୁ ଅଧିକ ସମୟ ଦେବେ। ଘରର କିଛି କାର୍ଯ୍ୟ ବାକି ଥିଲେ, ତାକୁ ଶେଷ କରିବେ।

ମୀନ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ମନ ଅଶାନ୍ତ ରହିବ। ଅପରାହ୍ନ ପରେ କିଛି ଖୁସି ଖବର ପ୍ରାପ୍ତି ହେବ।

ବିଜେପିରେ ଯୋଗ ଦେଲେ ୨୦୦ ବିଜେଡି ନେତା ଓ କର୍ମୀ…!

!!!  ଗଜପତି ଜିଲ୍ଲା ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ରାଜପୁର ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ ନେତୃତ୍ଵରେ ସେହି ଗ୍ରାମର ଅଭିମନ୍ୟୁ ସାମଲ, ହରିଶ୍ଚନ୍ଦ୍ର ପରିଡ଼ା, ଦାମୋଦର ପ୍ରଧାନ, ଭୁବନୀ ପ୍ରଧାନ, ରାଜେଶ ପରିଡ଼ା, ପି. ଶ୍ରିନୁ ଓ ଅନ୍ୟାନ୍ୟ ପ୍ରାୟ ୨୦୦ ଜଣ ବିଜେଡି ଦଳରୁ ବିଜେପିରେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ. ନାରାୟଣ ରାଓ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଳ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ନାଇଡ଼ୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପି. ଲତା, ପୂର୍ବତନ ଗୋଷାଣୀ ବ୍ଲକ ଅଧ୍ୟକ୍ଷା ଜେ.ଭାରତୀ, ପୂର୍ବତନ ନଗରପାଳ ତଥା ଦଳ ସଂପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍ ସିମାଦ୍ରୀ, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ପି. କିରଣ, ପିନଣ୍ଟୀ କ୍ରାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଦଳରେ ଏମାନଙ୍କ ଯୋଗଦାନ ଆଗାମୀ ଦିନରେ ଗୋଷାଣୀ ବ୍ଲକରେ ତଥା ଜିଲ୍ଲାରେ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି ବିଧାୟକ କହିଥିଲେ।ସେହିପରି ବିଧାୟକଙ୍କ କାର୍ଯରେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି ଜଗନ୍ନାଥ ପରିଡ଼ା।

ପରିସ୍ଥିତି ଆକଳନ କରି ଅନଲକ୍ ପାଇଁ ନିଷ୍ପତ୍ତି ନିଆଯିବ: ଡିଏମଇଟି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟବ୍ୟାପୀ ଲକଡାଉନ୍ ଚଳିତମାସ ୧୭ତାରିଖ ପର୍ଯ୍ୟନ୍ତ ରହିଥିବାବେଳେ ସରକାର ବର୍ତ୍ତମାନ ସ୍ଥିତିର ବାରମ୍ବାର ସମୀକ୍ଷା କରୁଛନ୍ତି ଏବଂ ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାନ୍ତି କହିଛନ୍ତି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ । ଜାତୀୟ ଟ୍ୟାସ୍କ ଫୋର୍ସ ଓ ଡବ୍ଲ୍ୟୁଏଚଓ ଗାଇଡଲାଇନକୁ ଅନୁଶୀଳନ କରାଯାଉଛି। ଏହାସହିତ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥା ଓ ଜାତୀୟ ସ୍ତରୀୟ ସଂସ୍ଥା ବିଶେଷଜ୍ଞମାନଙ୍କର ମତାମତ ନେଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ। ଏ ଦିଗରେ ବାରମ୍ବାର ସମୀକ୍ଷା ଚାଲିଛି ଓ ପରିସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଏବେ ପଜିଟିଭ ହାର ଦ୍ରୁତଗତିରେ କମିବାରେ ଲାଗିଛି। ଏବେ ପଜେଟିଭ ହାର ୬%କୁ ଖସି ଆସିଛି, ଯାହା ଆଶ୍ୱସ୍ତିର କଥା । ଏକମୋ ଚିକିତ୍ସା ପାଇଁ ୬ଟି ମେସିନ୍ ଆଣିବାକୁ ଟେଣ୍ଡର ସରିଛି । ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତ ହୋଇସାରିଛନ୍ତି । ମେସିନ୍ ଆସିଲେ ଏକମୋ ଚିକିତ୍ସା ଆରମ୍ଭ ହେବ। କଟକସ୍ଥିତି ଏସସିବି ମେଡିକାଲ କଲେଜରେ ୬ଟି ୟୁନିଟ୍ ଖୋଲାଯିବ। ରାଜ୍ୟରେ ଏବେ ୨ଟି ଘରୋଇ ହସ୍ପିଟାଲରେ ଏକମୋ ମେସିନ୍ ରହିଛି ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ କରିବ କ୍ରାଇମବ୍ରାଞ୍ଚ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ କଟକ ଓ ରାଉରକେଲାରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନକଲି ଔଷଧ କାରବାର ଓ ଜବତ ଘଟଣାର ତଦନ୍ତ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛଦିନ ତଳେ କଟକରୁ ବହୁ ପରିମାଣର ଫାବିପିରାଭର ବଟିକା ଜବତ ହେବାପରେ ଏହାର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ ଉଠିଥିଲା। କଟକରୁ ଜବତ ହୋଇଥିବା କରୋନା ରୋଗୀଙ୍କ ପାଇଁ ଉପଯୋଗ ହେଉଥିବା ନକଲି ଫାବିପିରାଭର ବଟିକା ଘଟଣାରେ ରାଉରକେଲାର କେତେକ ମେଡିସିନ୍ ଦୋକାନ ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ଏହି ଔଷଧ ନକଲି ବୋଲି ପ୍ରମାଣ ମିଳିଥିବା ସୂଚନା ଦେଇଥିଲେ। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନେତୃତ୍ୱରେ ଔଷଧ ଦୋକାନ ଓ ଗୋଦାମ ଉପରେ ଚଢ଼ଉ ଅଭିଯାନକୁ ଜୋରଦାର କରାଯାଇଛି। କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯିବାପରେ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କ ସହାୟତାରେ ଏହି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ତେବେ କ୍ରାଇମବ୍ରାଂଚ ତଦନ୍ତ କାହା ନେତୃତ୍ୱରେ ହେବ ଓ କେଉଁ ସବୁ ଦିଗ ତଦନ୍ତ ପରିସର ମଧ୍ୟରେ ରହିବ ସେ ନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି ହୋଇନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ନକଲି ଔଷଧ ଆସିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ କଟକରେ ଚଢ଼ଉ ଜୋରଦାର ହୋଇଥିଲା।

ବେଆଇନ ମୃଦୁ ପାନୀୟ ଫ୍ୟାକ୍ଟ୍ରି ଜବତ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବେଧଡ଼କ ଚାଲିଥିଲା ବେଆଇନ ମୃଦୁ ପାନୀୟ ଫ୍ୟାକ୍ଟ୍ରି। ଖବର ପାଇ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ। ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ଏକ ଘରେ ଚାଲି ଥିଲା ଏହି ଫ୍ୟାକ୍ଟ୍ରି। ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ନକଲି ବ୍ରାଣ୍ଡର ପାଣି ମୃଦୁ ପାନୀୟ କୁର କୁର। ପୁଲିସ ଚଢ଼ାଉ କରି ପ୍ୟାକିଙ୍ଗ ମେସିନ ସହ କେମିକାଲ ଓ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି।  ସେଠାରୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ ହୋଇଛି। ଏ ନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୁଲିସ ଗିରଫ କରିଛି। ଆଶିଷ ନାଁରେ ଥାନାରେ କେସ୍ ନଂ ୧୯୦/୨୧ ରେଜିଷ୍ଟର କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ମୃଦୁ ପାନୀୟକୁ ଫୁଡ୍ ସେଫଟୀ ବିଭାଗକୁ ପଠାଯାଇଛି। ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମୀଦାମୀ ଲେଭଲ ବ୍ରହ୍ମପୁର ଆଣୁ ଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।

ଆସନ୍ତାକାଲି ଶିବ ବିବାହ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି  ଶିବ ବିବାହ।  ସମ୍ବଲପୁରର ଐତିହାସିକ ଶୀତଳ ଷଷ୍ଠୀ ଯାତ୍ରାର ବହୁ ପ୍ରତୀକ୍ଷିତ  ମୁହୂର୍ତ୍ତ । ଗତକାଲି ରାତିରେ ବିଭିନ୍ନ ପଡା ମାନଙ୍କରେ  ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି ସମ୍ପନ୍ନ ହୋଇ ସାରିଛି। ଆଜି ସଂଧ୍ୟାରେ ହେବ ଦେବ ନିମନ୍ତ୍ରଣ  କାର୍ଯ୍ୟ । ଗୁଆଗୁଣ୍ଡା ହନୁମାନ ମହାପ୍ରଭୁ , ହନୁମାନ ନିଉତାରେ ବାହାରି ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବେ। ତେବେ ଚଳିତ ବର୍ଷ  କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଶିବ ବିବାହ ବା  ଶୀତଳ ଷଷ୍ଠୀ। ଅନ୍ୟ ବର୍ଷ ମାନଙ୍କରେ  ବାଜା-ଗଜା ସହ ବାହାରିଥାଏ  ପତରପେଣ୍ଡି ଶୋଭାଯାତ୍ରା । ଆକର୍ଷଣୀୟ  ଆଲୋକ ସଜ୍ଜା ସହ ନୃତ୍ୟଗୀତର ତାଳେ ତାଳେ ସୃଷ୍ଟି ହୋଇଥାଏ ଉତ୍ସବର ମାହୋଲ।  କିନ୍ତୁ ଚଳିତ  ବର୍ଷ କରୋନା କଟକଣା ପାଇଁ ଖୁବ ନିରାଡମ୍ବର ଭାବେ ପାଳନ କରାଯାଉଛି ଶୀତଳଷଷ୍ଠୀ। ତେବେଲୋକଙ୍କ ଉତ୍ସାହରେ କିନ୍ତୁ ଭଟ୍ଟା  ପଡିନି। ହେଲେ ଅନ୍ୟ ବର୍ଷ ଭଳି ଏଥର ବିବାହ ଶୋଭାଯାତ୍ରା  ବାହାରିବନି କିମ୍ବା ଦେବ ଦମ୍ପତିଙ୍କ  ଯୁଗଳ ଦର୍ଶନ ଶୋଭାଯାତ୍ରା  ବି ସହର ପରିକ୍ରମା  କରିବନି।   ବିବାହ ଓ ଯୁଗଳ ଦର୍ଶନ ଉଭୟ ମନ୍ଦିର ପରିସରରେହିଁ ହେବ । ସେଥିପାଇଁ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପୂର୍ବରୁ  ନିଷ୍ପତ୍ତି ହୋଇ ସାରିଛି।  ଶ୍ରଦ୍ଧାଳୁ ମାନେ ବିଭିନ୍ନ  ଶିବାଳୟକୁ ଯାଇ ଦେବ ଦମ୍ପତିଙ୍କ ବିବାହ ଓ  ଯୁଗଳ  ଦର୍ଶନ ଦେଖିପାରିବେ। ଏବେ  ସମସ୍ତଙ୍କର ଅପେକ୍ଷା ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଯେତେବେଳେ ବିବାହ ବେଦିରେ ଶିବ ଓ ଶକ୍ତି ଙ୍କର ମିଳନ ହେବ।

କରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବୁଝିବେ ସରକାର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ରାଜ୍ୟ ସରକାର।  ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ।  ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ।  ଏମିତିକି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ । ଅନ୍ୟପକ୍ଷରେ ଏବେ ସୁଦ୍ଧା କୋଭିଡ ଯୋଗୁଁ ବାପା, ମାଙ୍କୁ ହରାଇଥିବା ୧୨ ଜଣ ପିଲା  ଭତ୍ତା ପାଇଁ ଚିହ୍ନଟ ହୋଇଛନ୍ତି। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ପିଲା ପାଇବେ ଭତ୍ତା। ସେହିପରି ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଭତ୍ତା ପାଇବେ  । ଅନାଥ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହଯୋଗ କରିବେ। କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବୁ ପେନସନରେ ସାମିଲ କରାଯିବ ।

ବୁଲିବାକୁ ଚାହୁଁଥିଲେ ଖୁସି ଖବର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ୧୬ ତାରିଖରୁ ଖୋଲିବା ନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଛି। ଖୋଲିଲେ ବି ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି କଟକଣା ପାଳନ ହେବ। ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସ୍ଓପି ପାଳନ କରାଯିବ। ଆସନ୍ତା ବୁଧବାର ଠାରୁ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲାଯିବ। ଓଡ଼ିଶାରେ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି।

ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ନବ ଦାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏପରି ଢ଼ଙ୍ଗରେ ନକଲି ଔଷଧ ବେପାରୀଙ୍କୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ସେ କହିଛନ୍ତ, ଅଭିଯୋଗ ପାଇଲା ପରେ ନିର୍ଦ୍ଦିଷ୍ଟ ଦୋକାନ ଉପରେ ଚଢ଼ଉ କରାଯାଇ ୧୭୦ଟି ପେଟି ଫାବିପିରାଭିର୍‌ ଜବତ କରାଯାଇଥିଲା। ସେଥିରେ ୨୭ ପେଟି ଅନ୍ୟ ଔଷଧ ରହିଛି। ଏଗୁଡିକ ଭୁବନେଶ୍ୱର ସମେତ କଲିକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠା ଯାଇଛି। ବିଭିନ୍ନ ଜିଲ୍ଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି।  ଯାଞ୍ଚ ପରେ ରିପୋର୍ଟ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବ କହିଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, “ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ଆକଳନ କରିଥିବାରୁ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି। ଶିଶୁଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଭାବେ ୧୬୧୦ ସାଧାରଣ ବେଡ଼ ଓ ୬୧୦ ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଶିଶୁ ଭବନରେ କୋଭିଡ୍‌ ଓ୍ୱାର୍ଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସେହିପରି ନବଜାତ କୋଭିଡ୍‌ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କର୍ଣ୍ଣର୍‌ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ୍‌ କେୟାର ସେଣ୍ଟର କରାଯିବ।” ଦୁଇଦିନ ତଳେ କଟକର କନିକା ଛକରେ ଏକ ଦୋକାନରୁ ନକଲି କରୋନା ମେଡିସିନ୍‌ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ରାଉରକେଲାରେ ୩ଟି ମେଡିସିନ୍‌ ଷ୍ଟୋରରେ ହେଡ୍‌ କରିଥିଲା। ସେଠାରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରିଥିଲା। ସେପଟେ କଟକରୁ ନକଲି ମେଡିସିନ ଜବତ ପରେ ଏହାର ଲିଙ୍କରେ ବଲାଙ୍ଗିରରେ ଚଢଉ ହୋଇଛି। ବଲାଙ୍ଗିର ସହର ସୁଦପଡ଼ା ସ୍ଥିତ ମୋଦୀ ଫାର୍ମାସ୍ୟୁଟିକାଲ୍‌ରେ ଚଢଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ଚଢଉ ବେଳେ ଥଣ୍ଡା କାଶ ପାଇଁ ବ୍ୟବହୃତ ମେଡିସିନ ମିଳିଥିଲା। ଏହାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେର କହିଛନ୍ତି। ତେବେ ପରୀକ୍ଷା ପରେ ଏହି ଔଷଧ ବାବଦରେ ତଥ୍ୟ ମିଳିବ। ଜବତ ହୋଇଥିବା ମେଡିସିନ୍ ବାବଦରେ ସଂପୃକ୍ତ ଫାର୍ମାସ୍ୟୁଟିକାଲ କୌଣସି କାଗଜପତ୍ର ଦେଖାଇପାରିନଥିଲେ।

ମହାମାରୀ ବେଳେ ବି ଜାଲିଆତି; କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ସମୟରେ ବି ଜାଲିଆତି। ଉତ୍ତରାଖଣ୍ଡର ହରିଦ୍ୱାରାରେ ଅନୁଷ୍ଠିତ ହୋଇଥିବା କୁମ୍ଭମେଳା ବେଳେ ପ୍ରାୟ ୪ ଲକ୍ଷ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା। ହେଲେ ଏଥିରେ ବ୍ୟାପକ ଜାଲିଆତି ହୋଇଛି। ୧ ଲକ୍ଷରୁ ଅଧିକ ଟେଷ୍ଟ ନକଲି ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଟେଷ୍ଟ ଦାୟିତ୍ୱ ପାଇଥିବା ଏଜେନ୍ସି କେବଳ ନାଁକୁ ମାତ୍ର କାଗଜ କଲମରେ ୧ ଲକ୍ଷ ନମୁନା ପରୀକ୍ଷା କରିଥିବା ଦର୍ଶାଇଛି। ବାସ୍ତବରେ ସେଭଳି କୌଣସି ଟେଷ୍ଟ ହୋଇନାହିଁ। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ଗୋଟିଏ ଫୋନ ନମ୍ବରରେ ୫୦ରୁ ଅଧିକ ଲୋକଙ୍କ ପଞ୍ଜୀକରଣ ହୋଇଛି। ସେହିପରି ଗୋଟିଏ ଆଣ୍ଟିଜେନ ଟେଷ୍ଟ କିଟ୍‌ରେ ୭୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ହୋଇଥିବା ଲୋକଙ୍କ ଠିକଣା ଓ ନାଁ ମଧ୍ୟ ଭୁଲ। ହରିଦ୍ୱାରର ହାଉସ ନଂ ୫ରୁ ୫୩୦ଟି ନମୁନା ସଂଗ୍ରହ କରାଯାଇଥିବା ଦର୍ଶାଯାଇଛି। ଗୋଟିଏ ଘରେ ୫୦୦ରୁ ଅଧିକ ଲୋକ କେମିତି ରହିଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ଆଲିଗଡ଼ରେ ହାଉସ ନଂ ୫୬ ଓ ମୁମ୍ବାଇରେ ଥିବା ହାଉସ ନମ୍ବର ୭୬କୁ ମଧ୍ୟ କିଛି ଲୋକଙ୍କ ଠିକଣା ଭାବେ ଦର୍ଶାଯାଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଫୋନ ନମ୍ବର ମଧ୍ୟ ନକଲି ରହିଛି। କାନପୁର, ଅହମଦାବାଦ, ମୁମ୍ବାଇ ଓ ଅନ୍ୟ ୧୮ଟି ଲୋକେସନରେ ରହୁଥିବା ଲୋକମାନେ ସମାନ ଫୋନ ନମ୍ବର ଦେଇଛନ୍ତି। କୁମ୍ଭ ମେଳାର ସ୍ୱାସ୍ଥ୍ୟ ଅଧିକାରୀ ଡା ଅର୍ଜୁନ ସିଂହ ସେନଗର କହିଛନ୍ତି, ଅନେକ ଅନିୟମିତତା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡିଏମ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଷ୍ଟ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମଚାରୀମାନେ ସଂଗ୍ରହ କରିଥିବା ପ୍ରାୟ ୨୦୦ ନମୁନା ଛାତ୍ରଛାତ୍ରୀ ଓ ରାଜସ୍ଥାନରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ରହିଛି। ସେମାନେ କେବେ ହେଲେ ହରିଦ୍ୱାର ଆସି ନଥିଲେ ହେଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଏପ୍ରିଲ ୧ରୁ ୩୦ ତାରିଖ ଯାଏ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ୫୦ ହଜାର ନମୁନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସମୟସୀମାରେ ପ୍ରାୟ ୪ ଲକ୍ଷ ଟେଷ୍ଟ ୩୦ଟି ଏଜେନ୍ସି ଓ ୨୨ଟି ଘରୋଇ ଲ୍ୟାବ ଜରିଆରେ କରାଯାଇଥିଲା। ଏହା ମଧ୍ୟରୁ ୧ ଲକ୍ଷ କରୋନା ଟେଷ୍ଟ ନକଲି ବୋଲି ଜଣାପଡ଼ିଛି। ଏହା ମଧ୍ୟରୁ ୧୭୭ଟି ନମୁନା ପଜିଟିଭ ବାହାରିଥିବା ବେଳେ ପଜିଟିଭିଟି ରେଟ ୦.୧୮% ରହିଛି। କିନ୍ତୁ ଏପ୍ରିଲ ମାସରେ ହରିଦ୍ୱାରରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିଲା। ଏଜେନ୍ସି ମାନଙ୍କୁ ପ୍ରତି ଟେଷ୍ଟ ପିଛା ୩୫୦ ଟଙ୍କା ଲେଖାଏ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଅର୍ଥ ଆତ୍ମସାତ କରିବାକୁ ଏପରି ହୋଇଥିବା କୁହାଯାଉଛି।