ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ଅଭିଯୋଗ, ସଫେଇ ଦେଲା ଟ୍ରଷ୍ଟ ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ଅଯୋଧ୍ୟାରେ ରାମ ମନ୍ଦିର ଜମିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟି ଏବଂ ଆମ୍‌ ଆଦମୀ ପାର୍ଟିର ନେତା। ମନ୍ଦିର ଟ୍ରଷ୍ଟ ଜମି କିଣିବାରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ବିବାଦ ଘନଉଥିବା ଦେଖି ଟ୍ରଷ୍ଟ ତା’ର ସ୍ପଷ୍ଟୀକରଣ ରଖିଛି।

ଟ୍ରଷ୍ଟର ସଚିବ ତଥା ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ମନ୍ଦିର ଜମି କିଣିବାରେ ଠକେଇ ଅଭିଯୋଗ ରାଜନୀତିକ ମତଭେଦ କାରଣରୁ ହୋଇଛି। ସମସ୍ତ ଜମି ବଜାର ମୂଲ୍ୟଠାରୁ କମ୍ ଦରରେ କିଣାଯାଇଛି।

ସେ କହିଛନ୍ତି ଯେ ଜମି କିଣିବା ପୂର୍ବରୁ ଟ୍ରଷ୍ଟ ସହିତ ଜମି ମାଲିକଙ୍କ ସହ ଆଲୋଚନା ହୋଇଥିଲା। ଏହାପରେ ଟ୍ରଷ୍ଟ ଜମି କିଣିଛି। ଜମି କିଣା ନେଇ କୌଣସି ଆପତ୍ତି ନଥିବା ଉଭୟ ଦଲିଲରେ ହସ୍ତାକ୍ଷର କରିଛନ୍ତି। ଜମି କିଣିବା ବେଳେ ଅନଲାଇନରେ ଷ୍ଟାମ୍ପ ପେପର କିଣା ହୋଇଥିଲା। ଏହାପରେ ବିକ୍ରେତାଙ୍କ ଆକାଉଣ୍ଟକୁ ଟ୍ରଷ୍ଟ ଟଙ୍କା ପଠାଇଛି ବୋଲି ଚମ୍ପତ କହିଛନ୍ତି।

ସମାଜବାଦୀ ଦଳର ବରିଷ୍ଠ ନେତା ତେଜ ନାରାୟଣ ପାଣ୍ଡେଙ୍କ ପ୍ରଶ୍ନ କହିଛନ୍ତି ଯେ ଯେଉଁ ଜମି ୨ କୋଟି ଟଙ୍କା ରହିଥିଲା ସେହି ଜମିକୁ ୧୮.୫୦ କୋଟି ଟଙ୍କାରେ କିଣାଯାଇଛି। ଅନେକ ଦଲିଲ ଉପସ୍ଥାପନ କରି ସେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ ଏହି ଦଲିଲ ଦେଖିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଚମ୍ପତ ରାୟ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗ କରି ସେ ସିବିଆଇ ଏବଂ ଇଡିଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ସଞ୍ଜୟ ସିଂହ କହିଛନ୍ତି ଯେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ରଙ୍କ ସହାୟତାରେ ୨ କୋଟି ଟଙ୍କାର ଜମିକୁ ୧୮ କୋଟି ଟଙ୍କାରେ କିଣିଛନ୍ତି।

ଏଲଜେପିରେ ଘନେଇଲା ଦାଦା-ପୁତୁରା କଳି, ପଶୁପତି ସଂସଦୀୟ ଦଳର ନେତା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିହାର ରାଜନୀତିରେ ବଡ଼ ଅଦଳ ବଦଳ। ଲୋକ ଜନଶକ୍ତି ପାର୍ଟିର (LJP) ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି। ଯାହାକି ଦଳର ସଂସଦୀୟ ଦଳର ନେତା ତଥା ସଭାପତି ଚିରାଗ ପାଶୱାନଙ୍କୁ ବଡ ଝଟକା। ଦଳର ପ୍ରତିଷ୍ଠାତା ରାମବିଳାଶ ପାଶଓ୍ୱାନଙ୍କ ଦେହାନ୍ତ ହେବା ଏବଂ ପରେ ପରେ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସୂଚାଉଛି ଯେ ଏଲଜେପିରେ କନ୍ଦଳ ଭରପୁର ରହିଛି।

ଲୋକସଭାରେ ଏଲଜେପିର ୬ ଜଣ ସାଂସଦ ଅଛନ୍ତି। ଏହି ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଚିରାଗ ପାଶୱାନଙ୍କୁ ଲୋକସଭାରୁ ସଂସଦୀୟ ଦଳର ନେତା ଭାବରେ ହଟାଇବାକୁ ଦାବି କରିଛନ୍ତି। ଅଧିକାଂଶ ସାଂସଦ ଚାହୁଁଛନ୍ତି ଯେ ହାଜିପୁର ସାଂସଦ ପଶୁପତି କୁମାର ପରାସ ଚିରାଗ ପାଶୱାନଙ୍କ ବଦଳରେ ଲୋକସଭାରେ ସେମାନଙ୍କର ନେତା ହୁଅନ୍ତୁ। ସମସ୍ତ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଭେଟି ଏ ବାବଦରେ ଏକ ଚିଠି ପ୍ରଦାନ କରିଛନ୍ତି।

ସୂଚନାନୁସାରେ, ଏଲଜେପି ସାଂସଦ ରବିବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଲୋକସଭାରେ ଦଳର ନୂଆ ନେତା ଭାବରେ ପଶୁପତି କୁମାର ପରାସଙ୍କୁ ନିଯୁକ୍ତ କରିବାକୁ ସାଂସଦମାନେ ଅନୁରୋଧ କରିଛନ୍ତି।

ରାମ ବିଳାଶ ପାଶୱାନଙ୍କ ମୃତ୍ୟୁ ପରେ ଚିରାଗ ପାଶୱାନ ଯେଉଁଭଳି ନେତୃତ୍ୱ ନେଉଛନ୍ତି ଏହାକୁ ନେଇ ସାଂସଦମାନେ ଖୁସି ନାହାନ୍ତି। ଅନ୍ୟପଟେ ଦଳର ସଭାପତି ପଦରୁ ମଧ୍ୟ ଚିରାଗଙ୍କୁ ହଟାଇବାକୁ ଦଳୀୟ ନେତା ମାନେ ଦାବି କରିଛନ୍ତି। ସେମାନେ ଚିରାଗଙ୍ଗ ଦାଦା ତଥା ପାଶଓ୍ୱାନଙ୍କ ଭାଇ ପଶୁପତିକୁ ସଭାପତି କରିବାକୁ ଦାବି କରୁଛନ୍ତି। ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଚିରାଗଙ୍କ ଭାଇ ପ୍ରିନ୍ସ ରାଜ, ଚନ୍ଦନ ସିଂହ, ମହବୁବ ଅଲୀ କେଶାର ଏବଂ ବୀଣା ଦେବୀ ରହିଛନ୍ତି। ଏଲଜେପିରେ ବିଦ୍ରୋହର ସ୍କ୍ରିପ୍ଟ ରାମବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଲେଖା ହୋଇଥିଲା। ବିଧାନସଭା ନିର୍ବାଚନ ବେଳେ ମଧ୍ୟ ପଶୁପତୀଙ୍କ ନେତୃତ୍ୱରେ ବିଦ୍ରୋହ ହେବା ବୋଲି ଖବର ଆସିଥିଲା। ​​କିନ୍ତୁ ଯେତେବେଳେ ଏହାକୁ ନେଇ ରାଜନୀତି ତେଜିଲା ସେତେବେଳେ ପଶୁପତି ଅଭିଯୋଗକୁ ଖଣ୍ଡନ କରିଥିଲେ। ଯାହା ଏବେ ଘଟିଛି।

ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶୀର୍ଷ ସ୍ଥାନ ଛଡ଼ାଇ ନେଲା ନ୍ୟୁଜିଲ୍ୟାଣ୍ଡ୍ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ଆଉ ମାତ୍ର ୪ ଦିନ ବାକି ରହିଲା। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଶୀର୍ଷ ସ୍ଥାନ ଛଡ଼ାଇ ନେଇଛି ନ୍ୟୁଜିଲ୍ୟାଣ୍ଡ। ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ଘରୋଇ ଇଂଲଣ୍ଡକୁ ୮ ୱିକେଟରେ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଏହି ବିଜୟ ହିଁ ନ୍ୟୁଜିଲ୍ୟାଣ୍ଡକୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ସହାୟକ ହୋଇଛି। ଏହା ପୂର୍ବରୁ ଭାରତୀୟ ଟିମ୍ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିଲା । କିନ୍ତୁ ଏବେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ଗାଦିଚ୍ୟୁତ କରିଦେଇଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସାଉଥାମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ। ଏହା ପୂର୍ବରୁ ଦୁନିଆର ଏକ ନମ୍ବର ଟିମ୍ ହେବା ନ୍ୟୁଜିଲ୍ୟାଣ୍ଡର ମନୋବଳକୁ ନିଶ୍ଚିତ ବଢ଼ାଇବ। ଏଜବାଷ୍ଟନ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍ କରିଛି । ଇଂଲଣ୍ଡ ଟିମ୍ ଚତୁର୍ଥ ଦିବସରେ ଦ୍ୱିତୀୟ ଇନିଂସର ଅସମାପ୍ତ ସ୍କୋର ୯ ୱିକେଟରେ ୧୨୨ ରନରୁ ଖେଳ ଆରମ୍ଭ କରିଥିଲା। ଟ୍ରେଣ୍ଟ ବୋଲ୍ଟ ଦିବସର ପ୍ରଥମ ବଲରେ ଓଲି ଷ୍ଟୋନ୍ (୧୫)ଙ୍କୁ ଆଉଟ୍ କରି ଆୟୋଜନ ଦଳର ଇନିଂସ୍ ପରିସମାପ୍ତି ଘଟାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ମ୍ୟାଟ୍ ହେନରୀ ଓ ନିଲ୍ ୱାଗନର୍ ୩ଟି ଲେଖାଏ ଏବଂ ବୋଲ୍ଟ ଓ ଏଜାଜ ପଟେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ୩୮ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲ୍ୟାଣ୍ଡ ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଗତ ୭ ବର୍ଷରେ ପ୍ରଥମ ଭ୍ରମଣକାରୀ ଟିମ୍ ଭାବେ ଇଂଲଣ୍ଡକୁ ତା’ ନିଜ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ଏହି ସିରିଜ୍ ଜରିଆରେ ଡେବ୍ୟୁ କରିଥିବା ଡେଭନ୍ କନୱେ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି।

କୁଆଡ଼େ ଗଲା ସେଦିନ; ଏବେ ଇମୋଜିରେ ହିଁ ମନକୁ ବୁଝାଇବାକୁ ପଡୁଛି…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡର ମେଗା ଷ୍ଟାର ବିଗ ଵି ଅମିତାଭ ବଚ୍ଚନଙ୍କ କ୍ରେଜ ଆଜି ଵି କାହିଁରେ କେତେ। ଆଜି ଵି ବିଗ ଵିଙ୍କ ହାତରେ ଫିଲ୍ମର ଅଭାବ ନଥିବା ବେଳେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼ ଲାଗି ରହୁଛି। ହେଲେ ଅମିତାଭଙ୍କ ମନରେ ଦବି ରହିଛି ଦୁଃଖ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଫଟୋ ପୋଷ୍ଟ କରି ନିଜ ମନର ଅକୁହା ବ୍ୟଥା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଏହି ମହାନାୟକ। ସବୁବେଳେ ସୋଶାଲ ମିଡ଼ିଆରେ ଆକ୍ଟିଭ ରହୁଥିବା ଅମିତାଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋ ବ୍ୟାକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ଅମିତାଭ ଜଣେ ଯୁବତୀଙ୍କୁ ଅଟୋଗ୍ରାଫ ଦେଉଥିବା ବେଳେ ପାଖରେ ଶଶୀ କପୁର ଛିଡ଼ା ହୋଇଛନ୍ତି। ଏହି ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ସେ ଦିନଗୁଡ଼ିକ ଚାଲିଗଲା ଯେତେବେଳେ ଫ୍ୟାନ୍‌ମାନେ ଏହି ଭଳି ଭଲପାଇବା ଓ ସମ୍ମାନ ଦେଉଥିଲେ।… ଦେଖନ୍ତୁ ତାଙ୍କ ଅଭିବ୍ୟକ୍ତିକୁ।… ଏବେ କେବଳ ଇମୋଜିରେ ସନ୍ତୁଷ୍ଟ ହେବାକୁ ପଡୁଛି… ତାହା ପୁଣି ଆପଣଙ୍କ ଭାଗ୍ୟରେ ଥିଲେ!ଅମିତାଭଙ୍କ ଏହି ପୋଷ୍ଟରେ କେବଳ ଫ୍ୟାନ୍ସ ନୁହଁନ୍ତି, ସେଲେବ୍ରିଟି ଵି କମେଣ୍ଟ ଦେଉଛନ୍ତି। ୱର୍କଫ୍ରଣ୍ଟ କଥା କହିଲେ ଅମିତାଭଙ୍କ ହାତରେ ଏବେ ବହୁତ ଫିଲ୍ମ ରହିଛି l ସେଥି ମଧ୍ୟରେ ରହିଛି ବ୍ରହ୍ମାସ୍ତ୍ର, ଝୁଣ୍ଡ, ଚେହେରେ ଓ ଗୁଡ୍ ବୟ। ଏହାବାଦ ପପୁଲାର ଟିଭି ଶୋ ‘କୌନ ବନେଗା କରୋଡ଼ପତି’ ର ୧୩ତମ ସିଜନକୁ ବିଗ ଵି ହୋଷ୍ଟ କରିବେ ବୋଲି ଜଣାପଡ଼ିଛି।

ହଠାତ୍‌ ଯୁଜର୍ସ କହିଲେ ବୟକଟ କରୀନା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡ୍‌ର ଟପ୍‌ ହିରୋଇନ କରୀନା କପୁର ଖାନଙ୍କୁ ନେଇ ସୋଶାଲ ମିଡ଼ିଆରେ ହଠାତ୍‌ ଉଠିଛି ଝଡ଼। ପୌରାଣିକ ପୃଷ୍ଠଭୂମିରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ସୀତା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଖବର ପ୍ରଚାର ହେବା ପରେ ଏହାକୁ ସହଜେ ହଜମ କରିପାରୁନାହାନ୍ତି ସିନେପ୍ରେମୀ। କରୀନା ଏହି ରୋଲ୍‌ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହି ସୋଶାଲ ମିଡ଼ିଆରେ ଏବେ #BoycottKareenaKhan ଟ୍ରେଣ୍ଡ କରୁଛି। କିଛି ଦିନ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ କରୀନା ‘ସୀତା’ ଭୂମିକାରେ ଅଭିନୟ କରିବେ ଓ ଏଥିପାଇଁ ସେ ୧୨ କୋଟି ଡିମାଣ୍ଡ କରିଛନ୍ତି। ଏହି ଖବର ଆସିବା ପରେ ସୋଶାଲ ମିଡ଼ିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଏହି ରୋଲ୍‌ ପାଇଁ କରୀନା ଫିଟ୍‌ ନୁହନ୍ତି ବୋଲି କହି ତାଙ୍କୁ ବୟକଟ କରିବାକୁ ସୋଶାଲ୍ ମିଡିଆରେ ୟୁଜର୍ସ ଆହ୍ୱାନ ଦେଇଛନ୍ତି। ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖି ‘ବାହୁବଳୀ’ ଫେମ୍‌ ତଥା ’ସୀତା’ ଫିଲ୍ମର ରାଇଟର କେବି ବିଜେନ୍ଦ୍ର ପ୍ରସାଦ ଏକ ସାକ୍ଷାତକାରରେ ‘ସୀତା’ ଚରିତ୍ରରେ ଅଭିନୟ କରିବା ପାଇଁ କରୀନାଙ୍କୁ ଅଫର ଦିଆଯାଇନଥିବା କହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ୟୁଜର୍ସଙ୍କ ରାଗ ଶାନ୍ତ ହେବାର ନାଁ ଧରୁନି। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଜୀବନରେ କେବେ ରାମାୟଣ ପଢ଼ି ନଥିବା ଅଭିନେତ୍ରୀ କିପରି ସୀତା ମାତାଙ୍କ ଭୂମିକାରେ ଅଭିନୟ କରିପାରିବେ। ସୂଚନା ଅନୁଯାୟୀ, ‘ସୀତା’ ଫିଲ୍ମରେ ରାବଣ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀର ସିଂହଙ୍କୁ ଅଫର ଦିଆଯାଇଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇନାହାନ୍ତି। କରୀନାଙ୍କ ବଦଳରେ ଏହି ଫିଲ୍ମର ଲିଡ୍‌ ରୋଲ୍‌ ପାଇଁ ଆଲିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ପ୍ରଯୋଜନା ସଂସ୍ଥା ତରଫରୁ ଆନୁଷ୍ଠାନିକ ଭାବେ କାହା ନାଁ ଘୋଷଣା କରାଯାଇ ନାହିଁ। ୱାର୍କଫ୍ରଣ୍ଟ କଥା କହିଲେ, ସେ ଖୁବଶୀଘ୍ର ଆମୀରଙ୍କ ସହ ‘ଲାଲ ସିଂ ଚଡା’ରେ ନଜର ଆସିବେ। ଏହାବାଦ କରୀନାଙ୍କ ହାତରେ ‘ବିରେ ଦି ୱେଡିଙ୍ଗ -2’ ଓ ହଂସଲ ମେହେତାଙ୍କ ଏକ ଫିଲ୍ମ ଅଛି

ଆଜିର ଅନୁଚିନ୍ତା – ନିଦ ହେଉନି କି ? ଘରେ ଥାଇପାରେ ବାସ୍ତୁ ଦୋଷ ….!

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ନିଦ୍ରାହୀନତା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଦିନସାରା କାମର ଚାପ ପରେ ରାତିରେ ନିଦ ହେଉ ନଥିବାରୁ ସାଧାରତଃ ଲୋକେ ଔଷଧ ସେବନ କରନ୍ତି। ତେବେ ଅନେକ କ୍ଷେତ୍ରରେ ଘରେ ବାସ୍ତୁ ଦୋଷ ଥିଲେ ମଧ୍ୟ ନିଦ ହୋଇନଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷ ଥିଲେ ନିଦ ହୁଏ ନାହିଁ।

  • ବାସ୍ତୁଶାସ୍ତ୍ର ଅନୁଯାୟୀ ନିଜ ବେଡ୍‌ ତଳକୁ ସବୁବେଳେ ପରିଷ୍କାର ରଖିବା ଦରକାର l ବେଡ୍‌ ତଳେ କିଛି ଆଜେବାଜେ ଜିନିଷ ରଖିଲେ ସେଥିରୁ ନକାରାତ୍ମକ ଶକ୍ତି ବାହାରିଥାଏ l ଫଳରେ ଭଲ ନିଦ ହୋଇ ନଥାଏ।
  • ବାସ୍ତୁ ଅନୁସାରେ ଶୋଇବା ଘରେ ଫ୍ରିଜ, ଗ୍ୟାସ, ଇନଭର୍ଟର ଆଦି ରଖିବା କଥା ନୁହେଁ l ଏହାଦ୍ୱାରା ନିଦ ବାଧାପ୍ରାପ୍ତ ହୋଇଥାଏ l ମାନସିକ ଚାପ ବଢିଥାଏ। ତେଣୁ ତୁରନ୍ତ ଏସବୁ ଜିନିଷ ବାହାର କରି ବେଡ଼ରୁମକୁ ପରିଷ୍କାର ରଖିବା ଉଚିତ l
  • ବେଡ୍‌ ସବୁବେଳେ କାଠର ହେବା ଦରକାର l ଏହା ଲୁହା କିମ୍ବା ଅନ୍ୟ କୌଣସି ଜିନିଷରେ ହେଲେ ନିଦରେ ସମସ୍ୟା ହୋଇଥାଏ l
  • ବେଡ୍‌ ବୃତ୍ତାକାର ବା ଅର୍ଦ୍ଧ ବୃତ୍ତାକାର ହେବା ଉଚିତ ନୁହେଁ l ଏମିତି ହେଲେ ନିଦ ଉପରେ କୁପ୍ରଭାବ ପଡ଼ିଥାଏ। ବେଡ୍‌ ସବୁବେଳେ ଆୟତାକାର ହେବା ଉଚିତ୍।
  • ବେଡ୍‌ ରୁମକୁ ସଜାଇବାକୁ ଯାଇ କୌଣସି କଣ୍ଟକିତ ଗଛ କିମ୍ବା ନକଲି ଗଛ ରଖିବା ଉଚିତ ନୁହେଁ l ସେହିପରି ବେଡ୍‌ ରୁମ୍‌ରେ ଲାଗିଥିବା ଏସି କିମ୍ବା ଫ୍ୟାନ ଖରାପ ହେଲେ କିମ୍ବା ସେଥିରୁ କିଛି ଶବ୍ଦ ହେଲେ ତାହାକୁ ତୁରନ୍ତ ସଜାଡ଼ି ଦେବା ଉଚିତ l ନଚେତ ନିଦ ହେବାରେ ସମସ୍ୟା ଦେଖାଦେଇପାରେ l
୧୪ ଜୁନ୍‌, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ମନରେ ସାମୟିକ ଉତ୍ତେଜନା ସୃଷ୍ଟି ହେବ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ନହେଲେ କଳହ ଲାଗିରହିବ। ଧାର କରଜ କରି କାମ ଚଳାଇବେ।

କର୍କଟ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ଖର୍ଚ୍ଚ ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ସନ୍ତୋଷଜନକ ହେବ।

ସିଂହ: ବନ୍ଧୁଙ୍କ ସହିତ ମତଭେଦ ହେବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ।

କନ୍ୟା: ଶୁଭ ସମାଚାର ମିଳିବ। ମିଡିଆରେ କାମ କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ତୁଳା: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନ ଭିତରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।

ବିଛା: ବୃତ୍ତିଗତ କାର୍ଯ୍ୟକୁ ନେଇ ଖୁସି ଖବର ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ଧନୁ: ଅଟକି ଥିବା କାର୍ଯ୍ୟକୁ ପୂରଣ କରିବେ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ରହିବ ନାହିଁ।

ମକର: ବିବାହକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ ନାହିଁ। ମାନସିକ ସ୍ଥିତି ଭଲ ରହିବ ନାହିଁ।

କୁମ୍ଭ: ଆୟର ନୂଆ ବାଟ ଖୋଜିବେ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ।

ମୀନ: ଅଫିସ୍‌ରେ କାହା ସହ ଝଗଡ଼ା ହୋଇପାରେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।