ନିଲମ୍ବିତ ହେଲେ ସିପାହୀ କ୍ଷୀରୋଦ ବାଗ୍।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପଖଣ୍ଡ ଅଧିନସ୍ଥ ଭାମିନି ଦ୍ଵିତୀୟ ଭାରତ ସଂରକ୍ଷିତ ବାହିନୀ କ୍ୟାମ୍ପ ର ଏକ ଦାୟିତ୍ଵ ବାନ କାର୍ଯ୍ୟରେ ନିଯୁକ୍ତ ଥାଇ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ରେ ସିପାହୀ କ୍ଷୀରୋଦ ବାଗ ଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ବାଗ ଏଠାରେ ରହିଥିବା ଶସ୍ତ୍ରାଗାର ରେ ସିପାହୀ ଭାବେ କାର୍ଯ୍ୟରତ ଅଛନ୍ତି। ଶସ୍ତ୍ରାଗାର ରହିଥିବା ଅଞ୍ଚଳକୁ ଛାଡ଼ି କୌଣସି ସ୍ଥାନକୁ ଯିବା ପାଇଁ ଅନୁମତି ନଥିବା ବେଳେ ସିପାହୀ ଶ୍ରୀ ବାଗ ମଦ୍ୟପାନ କରି କିଛି ଦୂରରେ ଥିବା ସରକାରୀ ଗାଡି ସମେତ ଅନ୍ୟ କେତେକ ଗାଡ଼ି କୁ ଭାଙ୍ଗି ଉପସ୍ଥିତ ଅନ୍ୟ ସିପାହୀ ମାନଙ୍କୁ ଅଶ୍ରାବ୍ଯ ଭାଷା ରେ ଗାଳି ଗୁଲଜ କରିଥିଲେ। କ୍ଷତାକ୍ତ ଅବସ୍ଥାରେ ଥିବା ବାଗ ଙ୍କୁ ଚିକିତ୍ସା ନିମନ୍ତେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠା ଯିବାପରେ ସେଠାରେ ମଧ୍ଯ ସେ ଉନ୍ମୁକ୍ତ କାଣ୍ଡ ଭିଆଇ ଥିବାରୁ ବ୍ରିଥ ଏନାଲାଇଜର୍ ଟେଷ୍ଟ୍ (ମଦ୍ୟପ ଚିହ୍ନଟ ପରୀକ୍ଷଣ) ନିମନ୍ତେ ଗୁଣପୁର ଥାନକୁ ପଠାଯାଇ ଥିଲା। ପରୀକ୍ଷା ରୁ ବାଗ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିବା ଜଣାପଡିଛି ।

ଏହି ଘଟଣା କ୍ରମକୁ ନେଇ କ୍ୟାମ୍ପ ଦାୟିତ୍ଵରେ ଥିବା ଦୁର୍ଗପତି ଶ୍ରୀ. ଦିଲ୍ଲୀପ କୁମାର ମହାପାତ୍ର ସିପାହୀ କ୍ଷୀରୋଦ ବାଗ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସାମ୍ବାଦିକ ଙ୍କ ସମ୍ମୁଖ ରେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଦୁର୍ଗପତି ଶ୍ରୀ ମହାପାତ୍ର ଏବଂ ସିପାହୀ ବାଗଙ୍କ ପରିବାର ଉଭୟେ ଉଭୟ ଙ୍କ ବିରୁଦ୍ଧରେ ଗୁଣପୁର ଆଦର୍ଶ ଥାନାରେ ଏତଲା ଦେଇଛନ୍ତି। ଦୁର୍ଗପତି ଙ୍କ ଏତଲା କୁ ଗ୍ରହଣ କରି ମହିଳା ଥାନା ଅଧିକାରୀ ସ୍ମୃତି ପ୍ରଜ୍ଞା ବେହେରା ଏବଂ ସିପାହୀଙ୍କ ପରିବାରର ଏତଲାକୁ ଗ୍ରହଣ କରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ ଙ୍କ ଦାୟିତ୍ଵ ରେ ତଦନ୍ତ ଆରମ୍ଭ ହୋଇଛି।

ସମସ୍ୟା ଘେରରେ ଲଛମନ ଢେପସାହି; ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର ) – ରାୟଗଡା ଜିଲ୍ଲା ଗୁଣପୁର ପୋୖର ପରିଷଦ ଅଧୀନସ୍ଥ ୱାର୍ଡ ନଂ ୨ର ଲଛମନ ଢେପ ସାହି ଏକ ପୁରାତନ ଆଦିବାସୀ ହରିଜନ ବହୁଳ ଅଞ୍ଚଳ । ଜନବସତି ସ୍ଥାପନ ହେବା ପରେ କାମ୍ପଗୁଡା ନାମରେ ପରିଚିତ ଗୁଣପୁର ସହରର ଏକ ପଦାସାହି ଭାବେ ରହିଆସିଛି ଲଛମନ ଢେପସାହି । କାମ୍ପଗୁଡା ଗ୍ରାମର ଦେପ ତଳି ଅଞ୍ଚଳରେ ବସତି ଆରମ୍ଭ କରିଥିବା ହରିଜନ ସମ୍ପ୍ରଦାୟର ଲଛମନ ନାମକ ବ୍ୟକ୍ତିଙ୍କ ନାମରେ ସ୍ଥାପିତ ଏହି ସାହି ।

ଗ୍ରାମରୁ ବିଜ୍ଞାପିତ ଅଞ୍ଚଳ ସେଥିରୁ ପୁଣି ପୋୖର ପରିଷଦ ପାଲଟି ଥିବା ଗୁଣପୁର ର ଏହି ପୁରାତନ ସାହି ଏବେବି ସମସ୍ୟା ଘେରରେ । ସାହି ପାଇଁ ଭଲ ରାସ୍ତାଟିଏ ନାହିଁ । ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟରେ ଆଲୋକ ବତୀ ଜଳୁନି । ବର୍ଷା ହେଲେ ସାହି ମୁଣ୍ଡରେ ପାଣି ଜମି ରହୁଛି । ଏପରିକି ଏଠାରେ ରହିଥିବା ଜଣେ ଅସହାୟ ବୃଦ୍ଧ ମହିଳାଙ୍କ ଘରେ ପାଣି ପସି ଯିବାରୁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏସବୁ ସମସ୍ୟା ସମ୍ପର୍କରେ ପୋୖର ପରିଷଦ ଅଧିକାରୀ ଙ୍କୁ ଅବଗତ କରାଇବା ପରେ ବି କୌଣସି ଏକ ସମସ୍ୟାର ସମାଧାନ ହୋଇ ପାରୁନି । ବାସିନ୍ଦାଙ୍କ ପକ୍ଷରୁ ଦିଆ ଯାଇଥିବା ଅନୁରୋଧ ଦରଖାସ୍ତ କୁ ଶୀତଳ ଭଣ୍ଡାରରେ ପକାଇ ରଖିଥିବା ସାହି ବାସିନ୍ଦା ଭାଗୀରଥି ବାଙ୍ଗାରି ଙ୍କ ବୟାନ ସ୍ପଷ୍ଟ କରୁଛି । ଏହି ପୁରାତନ ପଛୁଆ ବର୍ଗ ଜନବସତି ର ସମସ୍ୟା ଦୂରୀକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ପାଓ୍ୱାର-ପ୍ରଶାନ୍ତଙ୍କ ଭେଟଘାଟର ଭିତିରି କଥା କ’ଣ ହୋଇପାରେ…?

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ୱାଇ) – ଶୁକ୍ରବାର ମୁମ୍ୱାଇରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଥିଲେ ପ୍ରଶାନ୍ତ କିଶୋର। ହଠାତ୍ ପ୍ରଶାନ୍ତ ଓ ଶରଦଙ୍କ ଭେଟଘାଟକୁ ନେଇ ଅନେକ ରାଜନୀତିକ ଚର୍ଚ୍ଚା ଜାରି ରହିଛି। ଏହା ସ୍ୱାଭାବିକ ମଧ୍ୟ। ଏହି ଭେଟଘାଟ ପାଖାପାଖି ୩ ଘଣ୍ଟା ସମୟର ଥିଲା। ଯଦିଓ ପ୍ରଶାନ୍ତ କିଶୋର ଟେକ୍ଟ ମେସେଜ ଜରିଆରେ କହିଛନ୍ତି ସେ କେବଳ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରିତ ହୋଇଥିଲେ। ଏଥିରେ ରାଜନୀତିକ ଚର୍ଚ୍ଚା ହୋଇନି। ହେଲେ ରାଜନୀତିର ମହାଗୁରୁ କୁହାଯାଉଥିବା ଶରଦ ପାଓ୍ୱାରଙ୍କ ଏହି ବୈଠକ କିନ୍ତୁ ମିଶନ ୨୦୨୪ ବୋଲି ଜଣାପଡ଼ିଛି। ଲଗାତର ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପିକୁ ୨୦୨୪ରେ ଚେକ୍ ଦେବାକୁ ବିରୋଧୀ ଦଳ ଏକଜୁଟ ହେବା ଆବଶ୍ୟକ। କାରଣ କଂଗ୍ରେସର ସାମର୍ଥ୍ୟ ନାହିଁ ଏକୁଟିଆ ବିଜେପିକୁ ଗାଦିଚ୍ୟୁତ କରିପାରିବ। ତେଣୁ ପାୱାର କ୍ରମାଗତ ଭାବରେ ବିଜେପିର ବିକଳ୍ପ ମଞ୍ଚ ନେଇ ତର୍ଜମା କରୁଛନ୍ତି। ପ୍ରଶାନ୍ତ କିଶୋର ଡିଏମକେ, ଟିଏମସି, ଓ୍ୱାଇଏସଆର କଂଗ୍ରେସ, କଂଗ୍ରେସ ପାଇଁ ନିର୍ବାଚନ ରଣନୀତିକାର ଭାବରେ କାମ କରି ସାରିଛନ୍ତି। ଅନ୍ତିମ ଥର ୟୁପି ବିଧାନସଭା ନିର୍ବାଚନକୁ ଛାଡ଼ି ଦେଲେ ପ୍ରାୟତଃ ତାଙ୍କ ରଣନୀତି ଆଗରେ ବିଜେପି ମାଟି କାମୁଡିଛି। ତେଣୁ ପାଓ୍ୱାର ଏହି ସବୁ ଦେଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରାଇ ମୋଦିଙ୍କ ବିରୋଧରେ ଗୋଟିଏ ବଡ଼ ବିକଳ୍ପ ମଞ୍ଚ ତିଆରି କରିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏହି ସମସ୍ତ ଦଳ ସହ କିଭଳି ଯୋଗସୂତ୍ର ରହିବ ସେ ଦାୟିତ୍ୱ ପ୍ରଶାନ୍ତ ହିଁ ଭଲ ଭାବରେ ତୁଲାଇ ପାରିବେ ବୋଲି ପାଓ୍ୱାର ଚିନ୍ତା କରୁଥିବା ସୂଚନା ରହିଛି। ଏହି ମେଣ୍ଟରେ କେରଳର ସିପିଆଇ ଏମକୁ ମଧ୍ୟ ସାମିଲ କରିବାକୁ ପାଓ୍ୱାର ଚିନ୍ତା କରୁଛନ୍ତି। ଏହାବାଦ ଯଦିଓ ଏବେ ସମ୍ଭବ ନୁହେଁ କିନ୍ତୁ ପରବର୍ତ୍ତୀ ସମୟରେ ଜେଡିୟୁ ତଥା ନୀତୀଶ କୁମାରଙ୍କୁ ପାଓ୍ୱାର ନିଜ ସପକ୍ଷରେ ଆଣିବାକୁ ଯୋଜନା କରୁଛନ୍ତି। ସେହିପରି ଆରଜେଡି, ସମାଜବାଦ ପାର୍ଟି, ବିଏସପି, ପିଡିପି ଓ ନ୍ୟାଶନାଲ କନଫରେନସ ମଧ୍ୟ ଏହି ମଞ୍ଚରେ ସାମିଲ କରିବାକୁ ପାଓ୍ୱାର ଯୋଜନା ରଖିଥିବା ସୂଚନା ରହିଛି। ଯଦି ଏହା ହେବ ତାହେଲେ ବିଜେପି ବିରୋଧରେ ଗୋଟିଏ ବଡ଼ ବର୍ଗ ଛିଡ଼ା ହୋଇପାରିବ। ସାଧାରଣ ନିର୍ବାଚନକୁ ଆହୁରି ତିନି ବର୍ଷ ବାକି ରହିଛି। ଏହା ପୂର୍ବରୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଯଦି ଏଠି ବିଜେପି ଭଲ ପ୍ରଦର୍ଶନ କରିବ ତାହେଲେ ସାଧାରଣ ନିର୍ବାଚନରେ ବିଜେପି ନିରାଶ ହେବା କାଠିକାର ହୋଇପଡ଼ିବ। ତେଣୁ ବେଳ ଥାଉ ଥାଉ ବହୁ ଆଗରୁ ଏକ ମୋର୍ଚ୍ଚା ତିଆରି କରି ପାଓ୍ୱାର ମୋଦି ଓ ଶାହଙ୍କ ନୀତିକୁ ଚେକ ଦେବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ତେବେ ୨୦୧୯ ସାଧାରଣ ନିର୍ବାଚନର ଅଳ୍ପ ମାସ ପୂର୍ବରୁ ମଧ୍ୟ ବିଜେପି ବିରୋଧରେ ଏହିଭଳି ମହାମେଣ୍ଟ ତିଆରି ହୋଇଥିଲା ହେଲେ ଏହାର ସଫଳତା କମ୍ ବିଫଳତା ଏହି ଦଳକୁ ଅଧିକ ମିଳିଛି। ବିଜେପି ୨୦୧୪ ତୁଳନାରେ ୨୦୧୯ରେ ଅଧିକ ଆସନରେ ବିଜୟୀ ହୋଇଛି। ତେବେ ପ୍ରଶାନ୍ତ ଏବଂ ପାଓ୍ୱାରଙ୍କ ବୈଠକ ପୂର୍ବରୁ ଏପରି କିଛି ଘଟିଛି ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ମଧ୍ୟ ହଲଚଲ ହୋଇଛି। ପ୍ରଥମେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ମୋଦିଙ୍କୁ ଦେଶର ସର୍ବୋଚ୍ଚ ନେତା ବୋଲି ସଞ୍ଜୟ କହିଥିଲେ ଏବଂ ପରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀରେ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଏହାପରେ ଶିବସେନା ଏବେ ବିଜେପି ଆଡକୁ ଢଳୁଥିବା ଆକଳନ କରାଯାଉଛି।

ଆଜିର ଅନୁଚିନ୍ତା – ଜାଣନ୍ତୁ, ଘରେ କିପରି ପ୍ରବେଶ କରିବ ସକାରାତ୍ମକ ଶକ୍ତି

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳୁଛି। ଘର, ବାହାରେ ସବୁଠି ଗୋଟିଏ ପ୍ରକାର ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି ଲୋକ। ପ୍ରତିଦିନ ଏପରି କିଛି କିଛି ଖବର ପାଉଛୁ, ଯାହା ଆମର ମନୋବଳକୁ ଦୋହଲାଇ ଦେଉଛି। ଏହାଦ୍ୱାରା ଘର ଭିତରେ ଏକ ପ୍ରକାର ନକାରାତ୍ମକ ଚିନ୍ତାଧାରା ପ୍ରବେଶ କରୁଛି। ଏପରି ସମୟରେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ନିହାତି ଜରୁରୀ। ଏହାଦ୍ୱାରା ଯେକୌଣସି ଅସୁବିଧା ସହ ଲଢ଼େଇ କରିବାକୁ ସାହସ ମିଳିଥାଏ। ପରିବାର ସମସ୍ୟଙ୍କୁ ଏପରି ସମସ୍ୟାରୁ ମୁକୁଳାଇବାକୁ ତଥା ସେମାନଙ୍କ ମନରେ ସକାରାତ୍ମକ ଶକ୍ତି ପ୍ରବେଶ କରାଇବାକୁ ଆମେ ବାସ୍ତୁଶାସ୍ତ୍ରର ସାହାଯ୍ୟ ନେଇପାରିବା । ଆଜି ଆମେ ଜାଣିବା ଏପରି ଉପାୟ ଯାହାକୁ ଘରର ମୁଖ୍ୟ ଦ୍ୱାର ନିକଟରେ କରିବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

  • ବାସ୍ତୁ ଅନୁଯାୟୀ, ଘରେ ସକାରାତ୍ମକ ଶକ୍ତି ମୁଖ୍ୟ ଦ୍ୱାର ଦେଇ ହିଁ ପ୍ରବେଶ  କରିଥାଏ। ସେଥିପାଇଁ ଏହି ସ୍ଥାନକୁ ସବୁବେଳେ ସଫାସୁତରା ରଖିବାକୁ ପ୍ରାଥମିକତା ଦେବା ଉଚିତ। ଘରର ମହିଳାମାନେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ପ୍ରଥମେ ମୁଖ୍ୟ ଦ୍ୱାର ପ୍ରବାଶ ପଥକୁ ଝାଡ଼ୁ କରି ସଫା କରିବା ଦରକାର। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ୱାସ ରହିଛି।
  • ପ୍ରତିଦିନ ଗାଧୋଇ ସାରିବା ପରେ ଭଗବାନଙ୍କ ନିକଟରେ ଧୂପ ଓ ଦୀପ ଦେବା ପରେ ଘରର ମୁଖ୍ୟ ଦ୍ୱାର ନିକଟରେ ସବୁଦିନ ହଳଦୀ ମିଶ୍ରିତ ପାଣି ଛିଞ୍ଚିବା ଦରକାର। ଏହାବ୍ୟତୀତ ମୁଖ୍ୟଦ୍ୱାରରେ ପ୍ରତିଦିନ କିଛି ସ୍ୱଚ୍ଛ ଜଳ ପକାଇ ତାହାକୁ ପରିଷ୍କାର କରିବା ଦରକାର। ଏହା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଓ  ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

  • ଘରର ମୁଖ୍ୟ ପୁରୁଷ ପ୍ରତିଦିନ ନିଜ କାମକୁ ବାହାରିବା ପୂର୍ବରୁ ପୂଜାପାଠ କରିବା ପରେ ଘରର ମୁଖ୍ୟ ଦ୍ୱାରର ୨ ପାର୍ଶ୍ୱରେ ସ୍ୱସ୍ତିକ ଚିହ୍ନ କରିବା ଦରକାର। ଏହାପରେ ଉକ୍ତ ଚିହ୍ନ ନିକଟରେ ସବୁଦିନ ଧୂପ ମଧ୍ୟ ବୁଲାଇବା ଦରକାର। ଏପରି କରିବା ଦ୍ୱାରା ଘରକୁ ଖରାପ ନଜରରୁ ରକ୍ଷା କରାଯାଇ ପାରିବ। ଏଥିସହ ନକାରାତ୍ମକ ଶକ୍ତିର ନାଶ ହେବ।
  • ସନ୍ଧ୍ୟା ସମୟରେ ଘରର ମହିଳା ଠାକୁରଙ୍କ ନିକଟରେ ଦୀପ ଦେବା ପରେ ଗୋଟିଏ ଦୀପ ଘରର ମୁଖ୍ୟ ଦ୍ୱାର ନିକଟରେ ଦେବା ଜରୁରୀ। ବାସ୍ତୁ ଅନୁଯାୟୀ, ମୁଖ୍ୟ ଦ୍ୱାରକୁ ଆଲୋକିତ କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢ଼ିବା ସହ ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଥାଏ ଓ  ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ।

  • ସର୍ବଶେଷରେ ଘରର ମୁଖ୍ୟ ଦ୍ୱାରକୁ ଖୋଲିବା ଓ ବନ୍ଦ କରିବା ଦ୍ୱାରା ସେଥିରୁ ଯଦି କୌଣସି ଶବ୍ଦ ଆସୁଥାଏ, ତାହା ବହୁତ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଏହାର ସମାଧାନ କରନ୍ତୁ।
  • ଘରର ମୁଖ୍ୟ ଦ୍ୱାର ପାଶ୍ୱ ଅଞ୍ଚଳକୁ ସବୁବେଳେ ପରିଷ୍କାର ରଖିବା ଦରକାର। ଏହାର କୌଣସି ପାର୍ଶ୍ୱ ଯେପରି ଭାଙ୍ଗିରୁଜି ନ ଯାଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ମୁଖ୍ୟ ଦ୍ୱାର ଭାଙ୍ଗିଯାଇଥିଲେ ମା’ ଲକ୍ଷ୍ମୀ ଏହା ଦେଖି କ୍ରୋଧାନ୍ୱିତ ହୋଇ ଫେରି ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି।

 

୧୩ ଜୁନ୍‌, ରବିବାର – ଆଜିର ରାଶିଫଳ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବୃତ୍ତିଗତ କାମକୁ ନେଇ କିଛି ବାଧା ଉପୁଜି ପାରେ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ।

ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଅପରାହ୍ଣରେ ଦୁଃସମ୍ବାଦ ପ୍ରାପ୍ତି ହେବ।

କର୍କଟ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ବହୁଦିନରୁ ଆଶା କରିଥିବା କାର୍ଯ୍ୟକୁ ପୂରଣ କରିବେ।

ସିଂହ: ଅର୍ଥାଭାବ ଯୋଗୁ ଅସ୍ଥିର ହେବେ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଅପରାହ୍ଣରେ ଖୁସି ଖବର ମିଳିପାରେ।

କନ୍ୟା: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇବେ।

ତୁଳା: ଗୁପ୍ତଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ବିଛା: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ।

ଧନୁ: ପରିବାରରେ ସମସ୍ତେ ଖୁସିରେ ରହିବେ ଓ ସମସ୍ତଙ୍କ ମନରେ ଭଲ ପାଇବା ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ମକର: ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ପିଲାମାନଙ୍କ ଭବିଷ୍ୟତକୁ ନେଇ ବାପାମା’ ଚିନ୍ତିତ ରହିବେ। ଅପରାହ୍ନରେ କୌଣସି ଖବର ଶୁଣି ମନୋବଳ ଭାଙ୍ଗିଯିବ।

କୁମ୍ଭ: ମହିଳାମାନେ ଅପମାନିତ ହୋଇପାରନ୍ତି। ନିଜ ଲୋକମାନେ ହଇରାଣ କରିପାରନ୍ତି। ଅର୍ଥାଭାବ ଦେଖାଯିବ।

ମୀନ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜଗିରଖି ଚଳନ୍ତୁ।