ବିଜେପିକୁ ଶକ୍ତ ଝଟକା, ଶେଷରେ ଟିଏମସିକୁ ଫେରିଲେ ମୁକୁଲ ରୟ ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ଶେଷରେ ସବୁ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେପି ଶକ୍ତ ଝଟକା ଦେଇ ଟିଏମସିକୁ ଫେରିଛନ୍ତି ବରିଷ୍ଠ ନେତା ମୁକୁଲ ରୟ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏସିକୁ ବାହୁଡ଼ିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିଥିବା ବିଜେପିକୁ ଆଜି ମୁକୁଲ ରୟଙ୍କ ଏପରି ପଦକ୍ଷେପ ପୂରା ସ୍ତବ୍ଧ କରିଦେଇଛି। ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ମମତା ସ୍ୱାଗତ କରିଛନ୍ତି। ଘରର ପୁଅ ଘରକୁ ଫେରିଲେ। ଅନ୍ୟମାନଙ୍କ ଭଳି ସେ କେବେହେଲେ ଗରଦାରୀ କରିନାହାନ୍ତି ବୋଲି ମମତା କହିଛନ୍ତି। ଏହି ମିଶ୍ରଣ ପର୍ବରେ ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଅଭିଷେକ ହିଁ ସେମାନଙ୍କୁ ଉତ୍ତରୀୟ ଦେଇଥିଲେ। ଟିଏମସି ନେତା ପାର୍ଥ ଚାଟାର୍ଜୀ ମଧ୍ୟ ରୟ ବାପ-ପୁଅଙ୍କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମୁକୁଲ ରୟ ଟିଏମସିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ଆମେ ତାଙ୍କୁ ଓ ତାଙ୍କ ପୁଅ ଶୁଭ୍ରାଂଶୁକୁ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳକୁ ସ୍ୱାଗତ କରିଛୁ। ଟିଏମସିରେ ମିଶିବା ପରେ ମୁକୁଲ ରୟ କହିଛନ୍ତି, “ମୋର ପୁରୁଣା ସହଯୋଗୀମାନଙ୍କୁ ଦେଖି ମୋତେ ବେଶ ଖୁସି ଲାଗୁଛି। ବିଜେପି ଛାଡ଼ିବା ପରେ ମୋତେ ଏମିତି ସୁଖ ମିଳିଛି। ମୁଁ କେବେ ହେଲେ ବିଜେପିରେ ରହିପାରିବି ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶ ତଥା ବେଙ୍ଗଲର ଏକମାତ୍ର ନେତ୍ରୀ। ମମତା ବାନାର୍ଜୀଙ୍କ ସହ ମୋର କେବେ ହେଲେ କୌଣସି ମନାନ୍ତର ହୋଇ ନଥିଲା।” ଟିଏମସିରେ ବିଧିବଦ୍ଧ ଭାବେ ମିଶିବାର ପ୍ରାୟ ୧ ଘଣ୍ଟା ପୂର୍ବରୁ ମୁକୁଲ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ୨୦୧୭ରେ ସେ ଏଠାରେ ଥିବା ଯେଉଁ ରୁମକୁ ବ୍ୟବହାର କରୁଥିଲେ ସିଧା ସେଠାକୁ ଯାଇଥିଲେ। ଏହାପରେ ସେ ମମତାଙ୍କ ସହ ଆଲୋଚନା କରିବା ପରେ ଟିଏମସିକୁ ଫେରିଛନ୍ତି। ଏକଦା ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ମୁକୁଲ ରୟ ଓ ଶୁଭ୍ରାଂଶୁ ୨୦୧୭ରେ ଟିଏମସି ଛାଡ଼ିଥିଲେ। ଏହାପରେ ମୁକୁଲ ପ୍ରଥମେ ବିଜେପିରେ ମିଶିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ଶୁଭ୍ରାଂଶୁ ପଦ୍ମ ଧରିଥିଲେ। ବିଜେପି ମୁକୁଲ ରୟଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ମୁକୁଲ ରୟ ବିଜେପି ଟିକେଟରେ ଲଢ଼ି ଜିତିଥିଲେ। ସେହିପରି ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରୁ ଅନେକ ନେତାଙ୍କୁ ଆମଦାନୀ କରି ବିଜେପିରେ ମିଶାଇଥିଲେ। ବିଜେପି ପାଇଁ ସବୁକିଛି କରି ମଧ୍ୟ ତାଙ୍କୁ ବିଧାନସଭାର ବିରୋଧୀ ଦଳ ନେତା କରାଯାଇ ନଥିଲା। ସେ ଏହି ପଦ ପାଇଁ ଆଶା କରିଥିଲେ ହେଁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଗୃହର ନେତା ଭାବେ ମନୋନୀତ କରିଥିଲା। ଏହାକୁ ନେଇ ସେ ବିଜେପି ଉପରେ ଖପ୍ପା ଥିଲେ। ଏହାର ଫାଇଦା ଉଠାଇଥିଲା ଟିଏମସି। ଦଳର ମହାସଚିବ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ସେ ଶୁଭ୍ରାଂଶୁଙ୍କ ସହ କଥା ହୋଇ ଦଳକୁ ଫେରାଇ ଆଣିବାକୁ ଗୋଟି ଚାଳନା କରିଥିଲେ। ତାଙ୍କ କଥାରେ ମୁକୁଲ ଓ ଶୁଭ୍ରାଂଶୁ ରାଜି ହୋଇ ଆଜି ଟିଏମସିକୁ ଫେରିଛନ୍ତି।

କେନ୍ଦ୍ରରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ: ସୁଶୀଲ, ସର୍ବାନନ୍ଦ ଓ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରରେ ମନ୍ତିମଣ୍ଡଳ ଅଦଳ ବଦଳ ହୋଇପାରେ। ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ଇନିଂସକୁ ଦୁଇ ବର୍ଷ ପୂରଣ ହୋଇସାରିଛି। ଏଥିସହ ଅନେକ ମନ୍ତ୍ରୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିବାଦରେ ରହିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କ ପାଖରେ ୪-୫ଟି ବିଭାଗ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନୂଆ ଚେହେରାକୁ ସାମିଲ କରି ସରକାରକୁ ଆଉ ଟିକିଏ ମଜବୁତ କରିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରୁଛନ୍ତି। ଏଯାବତ ପାଖାପାଖି ୨୦ରୁ ଅଧିକ ମନ୍ତ୍ରୀଙ୍କର କାମର ସମୀକ୍ଷା କରିସାରିଛନ୍ତି। ଖୁବଶୀଘ୍ର ବାକି ମନ୍ତ୍ରୀଙ୍କର କାମର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରେ। ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଆଦି ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିପାରନ୍ତି। ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ସଭାପତି ଅମିତ ଶାହ ଏକାଠି ହୋଇଥିଲେ। ଏହି ଅବସରରେ ବିଭିନ୍ନ ମନ୍ତ୍ରୀଙ୍କ ବାବଦରେ ଆଲୋଚନା ହୋଇଥିବା ସୂଚନା ରହିଛି। ଗତବର୍ଷ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଥିଲା। କିନ୍ତୁ କୋଭିଡ୧୯ ପାଇଁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରିନଥିଲା। କିନ୍ତୁ ଏବେ ଏହି ଟିମକୁ ସଂପ୍ରସାରଣ କରିବାକୁ ଜୋର ଦେଉଛନ୍ତି ମୋଦି ଏବଂ ଅମିତ ଶାହ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ। ‘ଲାଇଭ୍ ହିନ୍ଦୁସ୍ଥାନ’ର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ମଧ୍ୟରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲା, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନାମ ଉଲ୍ଲେଖ ରହିଛି।  ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇନଥିବା ଏନଡିଏର ଅନ୍ୟତମ ସହଯୋଗୀ ଜେଡିୟୁ ଏବଂ ୟୁପିର ସହଯୋଗୀ ଦଳ ଆପନା ଦଳର ସାଂସଦ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ମୋଦି ସରକାରର କ୍ୟାବିନେଟରେ କୌଣସି ସହଯୋଗୀ ଦଳର ନେତା ନାହାନ୍ତି। ଏବେ ରାଜ୍ୟ ମନ୍ତ୍ରୀ ଭାବରେ କେବଳ ରିପବ୍ଲିକିଆନ ପାର୍ଟିର ରାମଦାସ ଅଠାଓ୍ୱଲେ ରହିଛନ୍ତି। ତେଣୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ତାଲିକାରେ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବେ ବୋଲି ସୂଚନା ରହିଛି। ମୋଦି ଦ୍ୱିତୀୟ ଇନିଂସ ଆରମ୍ଭ କରିବା ବେଳେ ଶିବେସନା ଏବଂ ଅକଳୀ ଦଳ, ଏଲଜେପିର ସାଂସଦ ବଡ଼ ବଡ଼ ମନ୍ତ୍ରୀ ପଦ ପାଇଥିଲେ ହେଲେ ମେଣ୍ଟରୁ ଓହରିଯିବା ପରେ କୌଣସି ସହଯୋଗୀ ଦଳର ସାଂସଦ କ୍ୟାବିନେଟରେ ନାହାନ୍ତି।

ଚାଷୀଙ୍କୁ ରାଜ୍ୟ ସରକାର ୫୦୦ ଟଙ୍କା ବୋନସ୍ ଦିଅନ୍ତୁ: ବିଜେପି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚାଷୀଙ୍କୁ ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦେବା ପାଇଁ ଆଜି ପୁଣିଥରେ ରାଜ୍ୟ କୃଷିମନ୍ତ୍ରୀ ଦାବି କରିବା ପରେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ୍ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଧାନର ଏମଏସପି ପାଇଁ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଏହି ୧୯୪୦ ଟଙ୍କା ଏମଏସପି କିପରି ପାଇବ ତା’ର ଉତ୍ତରଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ। ସରକାର ନିଜେ କାହିଁକି ଧାନ କିଣୁନାହାନ୍ତି ଓ ମିଲରମାନଙ୍କ ଉପରେ ଏତେ ନିର୍ଭରଶୀଳ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ମିଲରଙ୍କ ସହ ସଲାସୁତୁରା ହୋଇ କଟନୀଛଟନୀ ପାଇଁ ରାଜ୍ୟ ସରକାର ନିଜେ ବାଟ ଖୋଲିଛନ୍ତି। ମିଲରଙ୍କ ସହ କୃଷିମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରହିଛି । ଚାଷୀଙ୍କୁ ଶୋଷି ବିଜେଡି ନିଜର ପାଣ୍ଠି ବଢ଼ାଉଛି। ଚାଷୀଙ୍କ ୩୦୦କୋଟି ଟଙ୍କା ବିଜେଡି ପାର୍ଟି ଫଣ୍ଡକୁ ଯାଉଛି। କେନ୍ଦ୍ର ସରକାରଙ୍କୁ ଏମଏସପି ବୃଦ୍ଧି ପାଇଁ କହିବା ବଦଳରେ ରାଜ୍ୟ ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି। ରାଜ୍ୟ ସରକାର ବରଗଡ଼ର ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବା ପାଇଁ ଘୋଷଣା କରିଥିବା ସତ୍ତ୍ୱେ କାହିଁକି ଦେଲେନି ବୋଲି ବିଜେପି ପ୍ରଶ୍ନ କରିଛି।ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ୨ଦିନ ତଳେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି କରିଛନ୍ତି।

‘ୟାସ୍‌’ ପ୍ରଭାବିତଙ୍କୁ ବାସ୍ତବରେ ସହାୟତା ମିଳିବ କେବେ ? ପଚାରିଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତେବେ ବାସ୍ତବରେ ଏହି ସହାୟତା କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ? ତାକୁ ନେଇ ରାଜ୍ୟ ବିଜେପି ନେତା ମନମୋହନ ସାମଲ ପ୍ରଶ୍ନ କରିଥିବା ବେଳେ ପୂର୍ବରୁ ବାତ୍ୟା ‘ଫୋନି’ ସହାୟତା ମିଳିନଥିବା କହିଛନ୍ତି। ଶ୍ରୀ ସାମଲ୍‌ କହିଛନ୍ତି-“ବାତ୍ୟା ୟାସରେ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଧାନ ନଷ୍ଟ ହୋଇଛି। ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି। ୨ରୁ ୩ ଦିନ ଭିତରେ ସହାୟତା ମିଳିଯିବା କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଦିନ ପରେ ପ୍ୟାକେଜ୍‌ ଘୋଷଣା କରୁଛନ୍ତି। ହେଲେ ସହାୟତା କେବେ ସୁଦ୍ଧା ମିଳିବ, ସେ ନେଇ କୌଣସି ସମୟ ସୀମା ଦେଇନାହାନ୍ତି।” ସେ ଆହୁରି କହିଛନ୍ତି-“ବାତ୍ୟା ଫୋନି ପରେ କେନ୍ଦ୍ର ସରକାର ୪୪୦୦ କୋଟି ଦେଇଥିଲେ। ହେଲେ ଆଜି ଯାଏ କ୍ଷତିଗ୍ରସ୍ତଙ୍କୁ ପଇସା ମିଳିନି। ଠିକ୍‌ ସେମିତି ବାତ୍ୟା ୟାସ୍‌ ସହାୟତା କେବେ ମିଳିବ, ମୁଖ୍ୟମନ୍ତ୍ରୀ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ। ସେମିତି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କୃଷି ଋଣ ନେଇ କିଛି କହିନାହାନ୍ତି ମୁଖ୍ୟମନ୍ତ୍ରୀ। ୫୦%ରୁ ଅଧିକ ଗାଁରେ ବିଜୁଳି ପୁନରୁଦ୍ଧାର ହୋଇପାରିନି। ଏବେ ମଧ୍ୟ ଖୁଣ୍ଟ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ପାନୀୟ ଜଳ ବିଶୋଧନ ହୋଇପାରିନି। ବାତ୍ୟା ସମୟରେ ଲୋକଙ୍କୁ ରିଲିଫ ମିଳିଲା ନାହିଁ। ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରେ ଖାଇବାକୁ ପାଇଲେ ନାହିଁ। ସେ ସବୁର ତୁରନ୍ତ ବ୍ୟବସ୍ଥା କରନ୍ତୁ। ଏହାଛଡ଼ା ସମ୍ଭାବ୍ୟ ବନ୍ୟା ପାଇଁ ପଞ୍ଚାୟତ ସ୍ତରରେ ଥିବା ସବୁ ଗୋଦାମରେ ଗୋଟିଏ ମାସର ଚୁଡ଼ା, ଚାଉଳ ଓ କିରାସିନି ମହଜୁଦ ରଖାଯାଉ।”

 

ଅତି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲଘୁଚାପ ଯୋଗୁ ଆଜି ରାଜ୍ୟର ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୋଳ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଏଥିଯୋଗୁ ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର l ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା l ଏହାକୁ ଦେଖି ଜିଲ୍ଲାର ତଳୁଆ ଅଞ୍ଚଳ, ଜଳ ଭଣ୍ଡାର ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପମାନ ନିଆଯାଇଛି l ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି l ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ  କରିଦେଇଛି l ସମସ୍ତ ସହରାଞ୍ଚଳରେ ଯେମିତି ବର୍ଷା ଜଳ ନିଷ୍କାସନରେ ସମସ୍ୟା ନହୁଏ, ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ରହିଥିବା କହିଛନ୍ତି ଜିଲ୍ଲାପାଳ l ବର୍ଷା ଜଳ ନିଷ୍କାସନ ପାଇଁ ପାଣି ପମ୍ପ ବ୍ୟବସ୍ଥା କରାଯାଇଛି l ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯାଇଛି l  ତଳିଆ ଅଂଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି l ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି l ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନ୍ କାମ ସରିଥିବାବେଳେ ୩ଟି ଲିଙ୍କ୍ ଡ୍ରେନରୁ ୨ଟିର କାମ ସରିଯାଇଛି l ବାକି କାମ ଆସନ୍ତା ୧୫ ତାରିଖରେ ସରିବ ବୋଲି କହିଛନ୍ତି ବିଏମସି କମିଶନର ସଂଜୟ ସିଂ l ସମସ୍ୟା ଘେରରେ ଥିବା ଲୋକଙ୍କ ସହ ଯୋଗାଯୋଗ ନିମନ୍ତେ ବିଏମସି ପକ୍ଷରୁ ୨ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି l ଅଗ୍ନିଶମ ଓ ବିଏମସି ପକ୍ଷରୁ ପମ୍ପ୍ ସେଟ୍ ମହଜୁଦ ଥିବା ସେ କହିଛନ୍ତି l ଏହାସହିତ ଏନଏଚଏଆଇର ଥିବା ୩ଟି ସ୍ଥାନକୁ ସର୍ବେକ୍ଷଣ କରି ବ୍ୟବସ୍ଥା କରାଯାଇଛି l ସବୁପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସରିଥିବା କହିଛନ୍ତି ବିଏମସି କମିଶନର l ଅପରପକ୍ଷେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି l

୧୬୩୭ କୋଟି ଟଙ୍କାର ୪ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ୧୬୩୭.୪୧ କୋଟି ଟଙ୍କାର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୧୧୧୬ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯେଉଁ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ତାହା ମୁଖ୍ୟତଃ ଡାଉନଷ୍ଟ୍ରିମ ମ୍ୟାନୁଫାକଚରିଂ, ମେଟାଲ ଓ ପାୱାର ସେକ୍ଟରର ରହିଛି । ମୁ୍‌ଖ୍ୟ ସଚିବ ଶ୍ରୀ ମହାପାତ୍ର ଏସବୁ ପ୍ରକଳ୍ପ ପାଇଁ ଜମି ଓ ଜଳର ବାସ୍ତବ ଆବଶ୍ୟକତା ଆକଳନ ପାଇଁ ଇପିକଲକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସବୁ ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ ଲିଃର ଆଇରନ୍ ଓର ବେନିଫିକେସନ୍ ପ୍ଲାଣ୍ଟ ସମ୍ପ୍ରସାରଣ ସାମିଲ ରହିଛି। ଏହି ପ୍ଳାଣ୍ଟର କ୍ଷମତା ବାର୍ଷିକ ୧୨ନିୟୁତ୍ ଟନରୁ ୧୭.୬ ନିୟୁତ୍ ଟନକୁ ବୃଦ୍ଧି କରାଯିବ। ଏଥିରେ ୯୪୬କୋଟି ଟଙ୍କା ନିବେଶ ହେବ ଓ ୮୦୩ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବୌଦ୍ଧରେ ମହାନଦୀ କୋଲ୍ ଫିଲଡ୍ ଦ୍ୱାରା ୫୦ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ଜେନେରେସନ୍ ପ୍ଲାଣ୍ଟସ୍ଥାପନକୁ ଅନୁମୋଦନ ମିଳିଛି। ଏଥିପାଇଁ ୨୫୪.୭୧କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରେ ୩୬ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ସମ୍ବଲପୁରର ହୀରାକୁଦରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃ ଦ୍ୱାରା ରେଳବାଇ ସାଇଡିଂ ପ୍ଲାଣ୍ଟ, ସିଆର ମିଲ୍‌, ଇଲେକ୍ଟ୍ରି ଆର୍କ ଫର୍ଣ୍ଣେସ ଆଦି ପାଇଁ ୩୮୧.୬୦କୋଟି ଟଙ୍କା ନିବେଶ କରିବ । ଏହା ଦ୍ୱାରା ୧୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ସମ୍ବଲପୁରର ରେଙ୍ଗାଳି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରେ ଶ୍ୟାମ ମେଟାଲିକ୍ ଆଣ୍ଡ ଏନର୍ଜି ଦ୍ୱାରା ୫୫.୧୦କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୦,୮୦,୦୦୦ ସିଲିଣ୍ଡର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ସିଲିଣ୍ଡର ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କରିବ। ଏଥିପାଇଁ ୧୬୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଇପିଲକ୍ ପରିଚାଳନା ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜାୱଲେ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁଲି ଯାଇଥିଲେ ସରକାର, ପୁଣି ‘ଏମଏସପି’ ଦାବିକୁ ନେଇ କସରତ ଆରମ୍ଭ କଲା ଶାସକ ବିଜେଡି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାର ୨ଦିନ ପରେ ରାଜ୍ୟରେ ବିଜେଡି ସରକାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇଥର ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ କରିଥିବା ଶାସକ ବିଜେଡି ଏବେ ପୁଣିଥରେ ‘ଏମଏସପି’କୁ ନିଜର ପ୍ରସଙ୍ଗ କରି ରାଜ୍ୟରେ ବିରୋଧୀ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୧-୨୨ ପାଇଁ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି କରିଛନ୍ତି। ଗତବର୍ଷ ଧାନର ଏମଏସପି ୧୮୬୮ଟଙ୍କା ଥିବାବେଳେ ଚଳିତବର୍ଷ ଏ ଗ୍ରେଡ୍ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି ପାଇଛି । ଏହାଦ୍ୱାରା ରାଜ୍ୟର ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ବେଶୀ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାର ଚାଷୀ ବାରମ୍ବାର ବନ୍ୟା,ବାତ୍ୟା, ମରୁଡ଼ିର ଶିକାର ହେଉଛି। କେନ୍ଦ୍ର ସରକାରଙ୍କ ସହାୟତା ରାଜ୍ୟର ଚାଷୀଙ୍କ ପାଇଁ ଯଥେଷ୍ଟ ନୁହେଁ । ତେଣୁ ଓଡ଼ିଶାର ଚାଷୀଙ୍କୁ ଅନ୍ୟ ରାଜ୍ୟର ଚାଷୀ ଭଳି ସମାନ ଭାବେ ଦେଖାଯିବା ଅନୁଚିତ୍ । ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଏମଏସପି ବୃଦ୍ଧି ପାଇଁ ତାଙ୍କ ବିଭାଗ ଓ ସେ ନିଜେ ମଧ୍ୟ ଅନେକଥର କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଆଜି ମଧ୍ୟ ସେ ନିଜେ ଏମଏସପି ୨୯୩୦ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଳେଖିଛନ୍ତି । ଓଡ଼ିଶା ହେଉଛି ଦେଶର ଚତୁର୍ଥ ସର୍ବବୃହତ୍ ଚାଉଳ ଉତ୍ପାଦନକାରୀ ରାଜ୍ୟ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏମଏସପିକୁ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିକୁ ଗୁରୁତ୍ୱର ସହ ବିଚାରକୁ ନେବା ଉଚିତ୍ । ଗତ ଦୁଇଦିନ ତଳେ ଯେଭଳି ଢଙ୍ଗରେ ଏମଏସପି ବୃଦ୍ଧି ହୋଇଛି, ଯଦି ଏହା ଜାରି ରହେ ତା’ହେଲେ ୨୦୨୨ ମସିହା ସୁଦ୍ଧା ଚଷୀଙ୍କ ଆୟକୁ ଦୁଇଗୁଣା କରିବାର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ମଧ୍ୟ କଦାପି ପୂରଣ ହୋଇପାରିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଚାଷୀଙ୍କ ସ୍ୱାର୍ଥ ରକ୍ଷା କଥା କହି ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି ନିମନ୍ତେ ଦୁଇ ଦୁଇଥର ବିଧାନସଭାରେ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ଗୃହୀତ ସହ ୨ଥର ମଧ୍ୟ ଗୃହ କମିଟି ଗଠନ କରିଥିବା ରାଜ୍ୟ ସରକାର କାହିଁକି ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗକୁ ଆନ୍ତରିକତାର ସହ ଡିଲ୍ କରୁନାହାନ୍ତି ।ଓଡ଼ିଶାରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ଏଏସଆଇର ଗାଇଡଲାଇନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଶାସକ ବିଜେଡିର ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଭେଟି ଦାବି ହାସଲ କରିବାରେ ସକ୍ଷମ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ୍ ଟିକା କ୍ରୟ ହେଉ ବା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ୟାର ସମାଧାନ କରାଇ ପାରୁଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଭଳି ସମନ୍ୱୟ ରହିଛି ତା’ହେଲେ ଚାଷୀଙ୍କ କ୍ଷେତ୍ରରେ ଏହି ତାଳମେଳ କାହିଁକି ରହୁନି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଚାଷୀଙ୍କ ପାଇଁ ସମାବେଶ କରିଥିବା ଶାସକ ବିଜେଡି ଦୀର୍ଘ ୪ବର୍ଷ ଭିତରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନିମନ୍ତେ ଆନ୍ତରିକ ପ୍ରୟାସ ନକରିବା ଓ ବିଶେଷକରି ବିଧାନସଭାର ଗୃହ କମିଟି ଭେଟି ନପାରିବା ମଧ୍ୟ ଅନ୍ତତଃ ପରିତାପର ବିଷୟ। ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ସହ ୨ଥର ଗୃହ କମିଟି ଗଠନ ସତ୍ତ୍ୱେ ଏମଏସପି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରାନଯିବା ମଧ୍ୟ ବିଜେଡି ସରକାରର ଚାଷୀଙ୍କ ପ୍ରତି ଲୋକ ଦେଖାଣିଆ ପ୍ରୀତିକୁ ମଧ୍ୟ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି ।

ପୁଲିସକୁ ବଡ଼ ସଫଳତା, ବେଆଇନ୍ ଗୁଟଖା କାରଖାନା ଜବତ..!

!!!  ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଆସିକା) – ପାଟପୁର ପୁଲିସକୁ ଲାଗିଛି ବଡ଼ ସଫଳତା। ଥାନା ଅଧିନସ୍ଥ ଦସେଇପୁର ନୂଆଁ ଗାଁରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଗୁଟଖା କାରଖାନା ଚାଲୁଥିବାର ସୂଚନା ପାଇ ପାଟପୁର ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ପୁଲିସ୍ ମେସିନ ଏବଂ ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ପୁଡ଼ିଆ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଏଥି ସହ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦସେଇପୁର ଗ୍ରାମର ଏକ ଭଡ଼ା ଘରେ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତି କିଛି ଲୋକଙ୍କୁ ନେଇ ରାତାରାତି ବେଆଇନ ଭାବେ ବିଭିନ୍ନ ପ୍ରକାରର ହରଡାଖଣ୍ଡି, ଗୋକୁଳ, ମୁମେଣ୍ଟ, କେକେ ଭଳି ବିଭିନ୍ନ ବ୍ରାଣ୍ଡର ଲେବେଲ ମାରି ନକଲି ମସଲା ବ୍ୟବହାର କରି ମେସିନରେ ପ୍ୟାକିଂ କରି ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିଲା। ଖବର ପାଇ ପାଟପୁର ଆଇଆଇସି ଏକ ଟିମ୍ ସହ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉକ୍ତ ସ୍ଥାନରୁ ହିଟ ମେସିନ, ପ୍ୟାକିଙ୍ଗ ମିକ୍ସଚର ମେସିନ, ଧୂଆଁ ପତ୍ର, ପାନ ମଧୁରୀ ପୋଡ଼ା ଆଇଲି, କେମିକାଲ ଓ କଲର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଡିଏ ଲକ୍ଷ ବୋଲି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି l ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି  ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍‌ କରିବାକୁ ଦଳ ଦାବି କରିଛି।  ଦଳ ଅଭିଯୋଗ କରିଛି ଯେ, କରୋନା ମାଡ଼ରେ ଲୋକଙ୍କ ଜୀବନହାନୀ ହେଉଥିବା ବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି l ଏପରି ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ବଦଳରେ ବେଡି ଉପରେ କୋରଡ଼ା ମାଡ଼ କରି ଚାଲିଛନ୍ତି କେନ୍ଦ୍ର ସରକାର l ଲଗାତର ଭାବେ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ଯୋଗୁ ଅନ୍ୟ ସାମଗ୍ରୀର ଦରଦାମ  ଵି  ଆକାଶଛୁଆଁ ହେଲାଣି l ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କ ସହ ଏକ ପେଟ୍ରୋଲ୍‌ ପମ୍ପରେ ଧାରଣାରେ ବସିଥିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି, କେନ୍ଦ୍ର ସରକାର ଅତି ନିଷ୍ଠୁର ହୋଇଯାଇଛି। ନିଜ ପ୍ରତିଶ୍ରୁତି ପାଳନ କରୁନି। ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ବେଳେ ଦେଇଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା। ତୈଳ ଦର ୧୦୦ ଟଙ୍କା ପାର ହୋଇଗଲାଣି। ଏହା କେତେ ବାଧୁଛି, ତାହା କେବଳ ଗ୍ରାହକମାନେ ଜାଣିଛନ୍ତି। ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଯେଉଁ ୨୬୦% ଟିକସ ନେଉଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ। ନ ହେଲେ ଲକ୍‌ଡାଉନ୍ ପରେ କଂଗ୍ରେସ ଦଳ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ।ଅନ୍ୟପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ ଯେତେବେଳେ କରୋନା ମହାମାରୀ ବିରୋଧରେ ଏ ଜାତି ଲଢ଼େଇ କରୁଛି ସେତେବେଳେ ଏଭଳି ବିଭ୍ରାନ୍ତିକର ରାଜନୈତିକ କାର୍ଯ୍ୟକ୍ରମ ସେମାନେ ହାତକୁ ନନିଅନ୍ତୁ। ପେଟ୍ରୋଲ୍ ଓ ଡିଜେଲ ଉପରେ ରାଜ୍ୟମାନେ ମଧ୍ୟ ଭାଟ୍ ଆଦାୟ କରନ୍ତି। କଂଗ୍ରେସ ଦୟା କରି ଓଡ଼ିଶାର ଜନସାଧାରଣ ମାନଙ୍କୁ କହୁ ଯେ ରାଜସ୍ଥାନ, ମହାରାଷ୍ଟ ଓ ପଞ୍ଜାବ ଭଳି ଯେଉଁ ରାଜ୍ୟରେ ସେମାନେ କ୍ଷମତାରେ ଅଛନ୍ତି ବା କ୍ଷମତାର ଅଂଶୀଦାର ଅଛନ୍ତି, ସେଠାରେ ଭାଟ୍ ହଟାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍ ଯୋଗାଇ ଦେଇଛନ୍ତି କି ?

ଆଜିର ଅନୁଚିନ୍ତା – ଘରୁ ସୁଖଶାନ୍ତି ହଜି ଯାଇଛି କି ? ବ୍ୟବହାର କରନ୍ତୁ କର୍ପୁର ..!

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ କରୁ ବୋଲି ସମସ୍ତେ କାମନା କରିଥା’ନ୍ତି। ହେଲେ ବହୁ ପ୍ରଚେଷ୍ଟା ସତ୍ତ୍ୱେ ବେଳେବେଳେ ଏପରି ସ୍ଥିତି ଉପୁଜେ, ଯାହା ଦ୍ୱାରା ଘରର ଶାନ୍ତି ଭଙ୍ଗ ହୁଏ। ଏପରି ସ୍ଥିତି ଘରର ବାସ୍ତୁ ଦୋଷ ଯୋଗୁ ମଧ୍ୟ ସୃଷ୍ଟି ହୋଇପାରେ। ଘରର ବାସ୍ତୁ ଦୋଷ ଦୂର କରିବାକୁ ଲୋକ ବହୁ ଚେଷ୍ଟା କରିଥା’ନ୍ତି। ଏଥିପାଇଁ ବିଭିନ୍ନ ଉପାୟ ଅବଳମ୍ବନ କରନ୍ତି। ଏଥିରୁ କେତେବେଳେ ସୁଫଳ ମିଳିଥାଏ ତ କେତେବେଳେ ନିରାଶ ହେବାକୁ ପଡ଼ିଥାଏ। ହେଲେ ଜାଣିଛନ୍ତି,  ଖଣ୍ଡେ କର୍ପୁର ଘରୁ ବାସ୍ତୁ ଦୋଷ ଦୂର କରିପାରେ। କର୍ପୁରର ବ୍ୟବହାର ଦ୍ୱାରା ଘର ସକାରାତ୍ମକ ଶକ୍ତି ଭରି ଯାଇଥାଏ । ଏଥିପାଇଁ ଆପଣ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଘରେ ଦେଶୀ ଘିଅରେ କର୍ପୁର ରଖି ତାକୁ ଜାଳନ୍ତୁ । ଏହାକୁ ଘରର ଚାରିପଟେ ବୁଲାଇଲେ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। କର୍ପୁରର ବ୍ୟବହାର ଦ୍ୱାରା ଘରେ ମା’ ଲଷ୍ମୀଙ୍କ କୃପା ବଜାୟ ରହେ ବୋଲି କୁହାଯାଏ। ଏଥିପାଇଁ ଆପଣ କର୍ପୁର ଓ ଲବଙ୍ଗର ବ୍ୟବହାର କରିପାରିବେ। ସବୁଦିନ ରାତିରେ ରୋଷେଇ ଘର କାମ ସରିବାପରେ ଏକ ପାତ୍ରରେ କର୍ପୁର ଓ ଲବଙ୍ଗକୁ ନେଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରର ଭଣ୍ଡାର କେବେବି ଖାଲି ରହିବ ନାହିଁ। ବହୁ ସମୟରେ ଚାକିରି ଖଣ୍ଡେ ପାଇବାକୁ ଅନେକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ବେଳେବେଳେ ହୋଇଆସୁଥିବା କାମ ହାତରୁ ଖସି ଯାଇଥାଏ। ଏପରି ସ୍ଥିତିରୁ ମୁକୁଳିବାକୁ ଆପଣ କର୍ପୁରର ବ୍ୟବହାର କରିପାରିବେ। ଆପଣ କର୍ପୁର ଓ ଲବଙ୍ଗକୁ ଏକ ପାତ୍ରରେ ନେଇ ଅଗ୍ନି ସଂଯୋଗ କରି ପୂରା ଘରେ ବୁଲାଇ ପାରିବେ। କିଛି ଦିନ ପରେ ଆପଣ ଫରକ ଅନୁଭବ କରିପାରିବେ।