ମୁଁହ ଖୋଲିଲେ ଅଞ୍ଜଳି, ଅମିତ କୁମାରଙ୍କ ବୟାନକୁ ନେଇ ଦେଲେ ଟିପ୍ପଣୀ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ସୋନି ଟିଭିରେ ପ୍ରସାରିତ ସୁପରହିଟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲରୁ ବାହାରିବା ପରେ ମୁଁହ ଖୋଲିଛନ୍ତି ପ୍ରତିଯୋଗୀ ଅଞ୍ଜଳି ଗାଏକୱାଡ। ଭଲ ପରଫର୍ମ କରିବା ସତ୍ତ୍ୱେ ଅଞ୍ଜଳି ଶୋ’ରୁ ଆଉଟ ହେବା ଘଟଣାକୁ ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରିପାରି ନଥିବା ବେଳେ ସେ ବି ଖୋଲିଛନ୍ତି ମୁହାଁ। ସୂଚନାଯୋଗ୍ୟ, ଇଣ୍ଡିଆନ ଆଇଡଲର ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ନେଇ କିଛି ଦିନ ହେଲା ସୋଶାଲ ମିଡିଆରେ ବିବାଦ ଲାଗି ରହିଛି।  ଶୋ’ରେ ସ୍ୱର୍ଗତ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ ଏପିସୋଡ୍ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ତାଙ୍କ ପୁଅ ଅମିତ କୁମାରଙ୍କ ବୟାନକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହି ଏପିସୋଡ୍‌ରେ ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ବହୁ ଦର୍ଶକ ଗ୍ରହଣ କରିପାରି ନଥିଲା ବେଳେ ସୋଶାଲ୍‌ ମିଡିଆରେ ଟ୍ରୋଲ୍ ମଧ୍ୟ କରାଯାଇଥିଲା। ଏପରିକି ଖରାପ ପରଫରମାନ୍ସ ସତ୍ତ୍ୱେ ଅମିତ କ’ଣ ପାଇଁ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ ବୋଲି ପ୍ରଶ୍ନ କରାଯାଇଥିଲା। ଆଉ ଏକ ସାକ୍ଷାତକାରରେ ଅମିତ କହିଥିଲେ ଯେ ଶୋ’ର  ମେକର୍ସ ଯେପରି କହିଥିଲେ ସେ ସେପରି କରିଥିଲେ। ଅମିତଙ୍କ ବୟାନ ପରେ ଇଣ୍ଡିଆନ ଆଇଡଲ ଶୋ ମେକର୍ସ ଧୋକା ଦେଉଥିବା ଅଭିଯୋଗ ହୋଇଥିଲା l ତେବେ ଶୋ’ରୁ ବାହାରିବା ପରେ ଏନେଇ ଖୋଲାଖୋଲି ନିଜ ମତ ରଖିଛନ୍ତି ଅଞ୍ଜଳି l ସେ କହିଛନ୍ତି, ଅମିତ କୁମାରଙ୍କ ଏପରି ବୟାନ ଯୋଗୁ କାହାକୁ ଖରାପ ଲାଗି ନଥିଲା। ସମସ୍ତେ ନିଜ ଗାୟକି ଉପରେ ଅଧିକ ଫୋକସ କରିଥିଲେ। ଏଥିସହ ସେ କହିଛନ୍ତି, ଅମିତ କୁମାରଙ୍କୁ ଆମ ଗୀତ ଭଲ ଲାଗି ନଥିଲା l ହେଲେ ତାଙ୍କ ଟିପ୍ପଣୀକୁ ନେଇ ଆମେ କେହିବି ବିଚଳିତ ହୋଇ ନଥିଲୁ l ଆମେ ତାଙ୍କମତକୁ ସମ୍ମାନ ଜଣାଇ ସେହି ହିସାବରେ ନିଜକୁ ପ୍ରସ୍ତୁତ କରିଥିଲୁ l ଅମିତ କୁମାର ନିଜ ବ୍ୟକ୍ତିଗତ ମତ ରଖିବାକୁ ସ୍ୱାଧୀନ l ଆମେମାନେ ତାଙ୍କ ଆଲୋଚନା ଦ୍ୱାରା ପ୍ରେରିତ ହୋଇ ଅଧିକ ପରିଶ୍ରମ କରି ଭଲ ପରଫର୍ମ କରିବାକୁ ସ୍ଥିର କରିଥିଲୁ l

ଲକଡାଉନରେ ବେକାର ହେଲେ ‘ହନୁମାନ୍’;ବିକି ଦେଲେ ବାଇକ୍..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା ଦୁଃଖ ଦେଇଛି। ଲକଡାଉନ୍ ଯୋଗୁ ଲୋକଙ୍କର ଚାକିରି ଚାଲିଗଲା, ଯେଉଁକାରଣରୁ ଅନେକେ ଏବେ ବେକାର ହୋଇଯାଇଛନ୍ତି। ଲକଡାଉନ୍ ଯୋଗୁ ଟିଭି ଇଣ୍ଡଷ୍ଟ୍ରୀ ମଧ୍ୟ ଖୁବ୍ ପ୍ରଭାବିତ ହୋଇଛି। ଟିଭି ସିରିଏଲରଶୁଟିଂ ମଧ୍ୟ ଲକଡାଉନ୍ କାରଣରୁ ବନ୍ଦ ରହିଛି ଏବଂ ଅନେକ କଳାକାରଙ୍କ ହାତ ଖାଲି ହୋଇଯାଇଛି। ଟିଭି ସିରିଏଲ୍ ‘ହନୁମାନ’ରେ ମୁଖ୍ୟ ଭୁମିକା ତୁଲାଉଥିବା ନିର୍ଭୟ ୱାଦୱା ଗତ ଦେଢ଼ ବର୍ଷ ଧରି ବେକାର ଅଛନ୍ତି। ଲକଡାଉନରେ କୌଣସି କାମ ନମିଳିବାରୁ ତାଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି। ନିଜ ଜୀବିକା ମେଣ୍ଟାଇବା ପାଇଁ ଏହି ଅଭିନେତା ଜଣକ ନିଜ ପସନ୍ଦର ସୁପର୍ ବାଇକକୁ ବିକି ଦେଇଛନ୍ତି। ଟିଭିର ‘ହନୁମାନ’ ନିର୍ଭୟ ୱାଦୱା ନିଜର ଏହି କଠିନ ସମୟ କଥା କହିଛନ୍ତି। ଟାଇମ୍ସ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ପାଖାପାଖି ଦେଢ଼ ବର୍ଷ ଧରି ଘରେ ବସିବା କାରଣରୁ ସ୍ଥିତି ଅଧିକ ଖରାପ ହେବାରେ ଲାଗିଲା ଏବଂ ଏହି ଲକଡାଉନ୍ କାରଣରୁ ମୋର ସବୁ ସଞ୍ଚୟ ମଧ୍ୟ ଶେଷ ହୋଇଗଲା। କିଛି କାମ ନଥିଲା। ଲାଇଭ୍ ଶୋ’ ମଧ୍ୟ ହେଉନଥିଲା। କିଛି ପେମେଣ୍ଟ ବାକି ଥିଲା, ତାହା ମଧ୍ୟ ମିଳିନାହିଁ। ସେ କଥାବାର୍ତ୍ତା ବେଳେ ଆହୁରି କହିଛନ୍ତି ଯେ ତାଙ୍କୁ ଆଡଭେଞ୍ଚର୍ ବହୁତ ପସନ୍ଦ। ଏଥିପାଇଁ ତାଙ୍କ ପାଖରେ ଏକ ସୁପର୍ ବାଇକ୍ ଅଛି। ସେ କହିଛନ୍ତି, ବାଇକଟି ତାଙ୍କ ଜନ୍ମସ୍ଥାନ ଜୟପୁରରେ ଥିଲା। ଖର୍ଚ୍ଚ ଉଠାଇବା ପାଇଁ ସେ ନିଜର ପସନ୍ଦର ଏହି ବାଇକକୁ ବିକିବାକୁ ନିଷ୍ପତ୍ତି ନେଲି। ମୋ ପାଇଁ ବାଇକ୍ ବିକିକା ସହଜ ନଥିଲା, କାରଣ ଏହା ବହୁତ ମହଙ୍ଗା ଥିଲା।ନିର୍ଭୟ କହିଛନ୍ତି ଯେ ସେ ନିଜ ବାଇକକୁ ୨୨ ଲକ୍ଷ ଟଙ୍କାରେ କିଣିଥିଲେ। ଏଥିପାଇଁ ବାଇକ୍ କ୍ରେତା ମିଳିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ କମ୍ପାନୀକୁ ହିଁ ସାଢ଼େ ୯ ଲକ୍ଷ ଟଙ୍କାରେ ବାଇକକୁ ବିକି ଦେଲି। ଏହି ବାଇକ୍ ସହ ନିର୍ଭୟଙ୍କର ଅନେକ ସ୍ମୃତି ଯୋଡ଼ି ହୋଇଥିଲା। ବର୍ତ୍ତମାନ ନିର୍ଭୟ ବିଘ୍ନହର୍ତ୍ତା ଗଣେଶରେ ହନୁମାନ ଜୀ’ଙ୍କର ଭୂମିକାରେ ନଜର ଆସୁଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଅନେକ ଲୋକ କଠିନ ସମୟ ଦେଇ ଗତି କରୁଛନ୍ତି। କିନ୍ତୁ ମୁଁ କେବେବି ଆଶା ହରାଇ ନାହିଁ ଏବଂ କର୍ମ ଉପରେ ବିଶ୍ୱାସ ରଖିଛି। ଶୀଘ୍ର ଜବଜୀବନ ସ୍ୱାଭାବିକ ହୋଇଯିବ। ମୁଁ ନିଜ କାମ କରୁଛି ଏବଂ ଶୀଘ୍ର ଆଉଏକ ବାଇକ୍ କିଣିବା ସ୍ଥିତିକୁ ଆସିବି।

ବଡ଼ ପରଦାରେ ଦମଦାର ଏଣ୍ଟ୍ରି କରିବେ ଆମୀରଙ୍କ ପୁଅ, ଶୁଟିଂ ଆରମ୍ଭ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଡ଼ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଆଉ ଜଣେ ଷ୍ଟାର କିଡ୍‌। ସେ ହେଉଛନ୍ତି ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌।  ସେ ଧମାକେଦାର ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ମିଡିଆ ରିପୋର୍ଟ ମୁତାବକ, ଜୁନୈଦ ତାଙ୍କ ଡେ଼ବ୍ୟୁ ଫିଲ୍ମ ‘ମହାରାଜା’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି। କରୋନା ମହାମାରୀ ସମୟରେ ଗତ ରବିବାର କରୋନା ଭ୍ୟାକସିନ ନେଇଥିବା ୧୦୦ରୁ ଅଧିକ କଳାକାରଙ୍କ RT-PCR ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ନେଗେଟିଭ ରିପୋର୍ଟ ଆସିଥିବା ୨୫ଜଣଙ୍କୁ ନେଇ ଶୁଟିଂ ଆରମ୍ଭ ହୋଇଛି। ‘ମହାରାଜା’ ଏକ ପିରିୟଡିକ ଫିଲ୍ମ ହୋଇଥିବା ବେଳେ ଏହା ୧୮୬୨ ମସିହାର ଜଣେ ଭଣ୍ଡ ବାବାଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ପତ୍ରକାର ତଥା ସମାଜ ସୁଧାରକ କରସନଦାସ ମଲଜି ଭୂମିକାରେ ନଜର ଆସିବେ ଜୁନୈଦ। ତାଙ୍କ ସହ ଏହି ଫିଲ୍ମରେ ‘ ‘ପାତାଲଲୋକ’ ଫେମ ଆକ୍ଟର ଜୟଦୀପ ଅହଲାବତ ନଜର ଆସିବେ। ସେ ଏହି ଫିଲ୍ମରେ ଭଣ୍ଡ ବାବା ଭୂମିକାରେ ନଜର ଆସିବେ।ଜୁନୈଦଙ୍କ ଅପୋଜିଟରେ ଶାଳିନୀ ପାଣ୍ଡେ ନଜର ଆସିବେ ବୋଲି ଶୁଣୁବାକୁ ମିଳୁଛି l ଆମୀର ଓ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ପୁଅ ଜୁନୈଦ ଛୋଟ ବେଳୁ ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ। ବଲିଉଡରେ ଦମଦାର ଏଣ୍ଟ୍ରି ପାଇଁ ସେ ଫୁଲ ଦମରେ ଲାଗି ପଡ଼ିଥିଲେ। ଏଥିପାଇଁ ସେ ଫିଲ୍ମ ଉପରେ କୋର୍ସ କରିଥିବା ବେଳେ ଜବରଦସ୍ତ ଫିଜିକାଲ ଟ୍ରାନ୍ସଫରମେସନ ମଧ୍ୟ କରିଛନ୍ତି। ଜୁନୈଦ ବହୁ ବର୍ଷ ଥିଏଟରରେ ମଧ୍ୟ ଆକ୍ଟିଂ କରିଛନ୍ତି । ନିଜ ଭାଇର ଫିଲ୍ମକୁ ନେଇ ଇରା ଖାନ ଖୁବ ଏକ୍ସସାଇଟେଡ଼ ଅଛନ୍ତି। ଭାଇ ଅନ୍ୟମାନଙ୍କୁ ପଛରେ ପକାଇ ବହୁତ ଆଗକୁ ଯାଉ ବୋଲି ଶୁଭକାମନା ଜଣାଇଛନ୍ତି। ‘ହିଚ୍‌କି’ ଫିଲ୍ମ ନିର୍ଦେଶକ ସିଦ୍ଧାର୍ଥ ପି ମଲହୋତ୍ର ‘ମହାରାଜା’ ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି l

କରୀନା ହେବେ ସୀତା, ଡିମାଣ୍ଡ କଲେ ୧୨ କୋଟି ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ୨ ଛୁଆଙ୍କ ମା’ ହେବା ସହ ବୟସର ୪୦ତମ ପାହାଚ ଅତିକ୍ରମ କରିବା ପରେ ଵି’ ଟାଉନରେ ବେବୋଙ୍କ କ୍ରେଜ୍‌ କମି ନାହିଁ। ଏବେଵି ତାଙ୍କ ନିକଟରେ ନିର୍ଦ୍ଦେଶକଙ୍କ ଲାଇନ ଲାଗୁଛି। ଆଉ ଆକାଶଛୁଆଁ ପ୍ରାଇସ୍‌ ଡିମାଣ୍ଡ କରୁଛନ୍ତି ଛୋଟେ ନବାବଙ୍କ ବେଗମ । ଏବେ ଫିଲ୍ମ ‘ସୀତା’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ପାଇଁ କରୀନ କପୁରଙ୍କୁ ମିଳିଛି ଅଫର। ଆଉ ସେଥିପାଇଁ ସେ ମାଗିଛନ୍ତି ୧୨ କୋଟି ଟଙ୍କା । ଅଲୌକିକ ଦେଶାଇ ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଏହା ‘ରାମାୟଣ’ ଆଧାରରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଏଥିରେ ଦେବୀ ସୀତାଙ୍କ ଭୂମିକାକୁ ବିଶେଷ ଭାବେ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ମଧ୍ୟ ଜଣାପଡ଼ିଛି। କରୀନାଙ୍କୁ ଫିଲ୍ମର କନସେପ୍ଟ ପସନ୍ଦ ଆସିଛି। ସେ ଗୋଟେ ପ୍ରକାର ହିଁ କରିସାରିଛନ୍ତି। ତେବେ ସେ ପାରିଶ୍ରମିକ ବାବଦକୁ ୧୨ କୋଟି ଟଙ୍କା ମାଗିଥିବାରୁ ନିର୍ମାତା ଟିକେ ଦ୍ୱନ୍ଦ୍ୱରେ ଥିବା ଖବର ଆସିଛି। ସେମାନେ ‘ସୀତା’ ଭୂମିକା ପାଇଁ ଆଉ ଜଣେ କମ୍ ବୟସର ଅଭିନେତ୍ରୀ ମଧ୍ୟ ଖୋଜୁଥିବା ଜଣାପଡ଼ିଛି। ତେବେ କରୀନା ସେମାନଙ୍କର ପ୍ରଥମ ପସନ୍ଦ ବୋଲି ଜଣାପଡ଼ିଛି। କରୀନା ସାଧାରଣତଃ ଗୋଟିଏ ଫିଲ୍ମ ପାଇଁ ୬ରୁ ୮ କୋଟି ଦାବି କରନ୍ତି। କିନ୍ତୁ ‘ସୀତା’ ଫିଲ୍ମ ପାଇଁ ଅଧିକ ସମୟ ଦେବାକୁ ପଡ଼ିବ ବୋଲି ସେ ୧୨ କୋଟି ଦାବି କରିଥିବା କୁହାଯାଉଛି। ନିର୍ମାତାଙ୍କ ଯୋଜନା ମୁତାବକ ଏହି ଫିଲ୍ମ ପାଇଁ ତାଙ୍କୁ ୮ରୁ ୧୦ ମାସ ସମୟ ଦେବାକୁ ପଡ଼ିପାରେ। ‘ସୀତା’ ଫିଲ୍ମରେ କରୀନାଙ୍କ ସହ ବଲିଉଡର ‘ଗଲିବୟ’ ରଣବୀର ସିଂହ ବି ଅଭିନୟ କରିବେ। ତେବେ ସେ ରାମ ନା ରାବଣ ଭୂମିକାରେ ଅଭିନୟ କରିବେ, ତାହା ଫାଇନାଲ୍ ହୋଇ ନଥିବା କୁହାଯାଉଛି।

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଡେଜା ଓ ରୋହିତଙ୍କ ଜଲୱା, ପଛରେ ପଡ଼ିଲେ ଷ୍ଟୋକ୍ସ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଦୁଇ ଭାରତୀୟ ତାରକା ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଛି। ଆଇସିସି ଟେଷ୍ଟ ରାଙ୍ଗିରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଜାଡେଜା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ଜାଡେଜାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଷ୍ଟୋକ୍ସ ୩୮୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବଭଳି ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୪୨୩ ରହିଛି। ବର୍ତ୍ତମାନ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜ୍‌ରେ ଆହତ ଯୋଗୁ ବେନ ଷ୍ଟୋକ୍ସ ଖେଳୁ ନାହାନ୍ତି। ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ। ଏଥିରେ ଜାଡେଜା ନିଜର ଦବଦବା ଦେଖାଇବାକୁ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ଜାଡେଜା ଚଳିତ ବର୍ଷ ଆରମ୍ଭରୁ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଆହତ ଯୋଗୁ ସେ ଇଂଲଣ୍ତ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ ଖେଳିପାରି ନଥିଲେ। ତାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଥିଲା। ସେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ଆମେ ଯଦି ଅଲରାଉଣ୍ଡର ତାଲିକା ଦେଖିବା, ତା’ହେଲେ ରବିଚନ୍ଦ୍ରନ ଅଶ୍ୱିନ ୪ନଂ ସ୍ଥାନରେ ରହିଛି। ୫ମରେ ସାକିବ ଅଲ ହାସନ, ୬ରେ କାୟେଲ ଜାମିସନ, ୭ମରେ ମିଚେଲ ଷ୍ଟାର୍କ, ୮ମରେ ପ୍ୟାଟ କମିନ୍ସ, ୯ମରେ କଲିନ ଡିଗ୍ରାଣ୍ଡହୋମ ଓ ୧୦ରେ କ୍ରସ ୱକ୍ସ ଅଛନ୍ତି।ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ ତାଲିକାର ୮ନଂରେ ଥିବା ରୋହିତ ଏମେ ୭ମରେ ପହଞ୍ଚି ଯାଇଛନ୍ତି। ସେ ୪୪୭ ପଏଣ୍ଟ ସହ ୭ମ ଓ ଋଷଭ ପନ୍ତ ସମାନ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ହେନରୀ ନିକୋଲ୍ସ ଗୋଟିଏ ସ୍ଥାନ ତଳକୁ ଖସି ୮ମରେ ଅଛନ୍ତି। ଟପ୍‌ ଟେନ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ରହିଛନ୍ତି। ସେ ୮୧୪ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ପୂର୍ବଭଳି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ୧ନଂରେ ଥିବା ବେଳେ ଷ୍ଟିଭ ସ୍ମିଥ ୨ନଂରେ ଓ ମାର୍ନସ ଲାବୁଶେନ ୩ନଂରେ ରହିଛନ୍ତି। ବୋଲିଂ ରାଙ୍କିଙ୍ଗ କଥା ଦେଖିଲେ ଟପ୍‌ ୧୦ରେ ଏକମାତ୍ର ଭାରତୀୟ ବୋଲର ଭାବେ ରବି ଅଶ୍ୱିନ ରହିଛନ୍ତି। ସେ ତାଲିକାର ୨ନଂ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୧ନଂରେ ଅଛନ୍ତି। ଟିମ ସାଉଦି ରାଙ୍କିଙ୍ଗରେ ୩ଟି ସ୍ଥାନ ଉପରକୁ ଉଠି ୩ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଧୱନ୍ କ୍ୟାପଟେନ୍, ଏକାଧିକ ନୂଆ ମୁହଁଙ୍କୁ ସୁଯୋଗ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁଥିବା ଶ୍ରୀଲଙ୍କା ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରଯାଇଛି। ଟିମର ନେତୃତ୍ୱଭାର ଆଶା ଅନୁଯାୟୀ ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ପ୍ରଦାନ କରାଯାଇଛି। ଷ୍ଟ୍ରାଇକ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ଟିମରେ ଏକାଧିକ ନୂଆ ମୁହଁକୁ ସାମିଲ୍ କରାଯାଇଛି। ଉକ୍ତ ଟିମରେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କୃନାଲ୍)ଙ୍କୁ ସାମିଲ୍ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ରେକର୍ଡ ବ୍ରେକିଂ ସ୍କୋର କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଚୟନ କରାଯାଇଥିବା ବେଳେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ ଓ ବାମହାତୀ ବୋଲର ଚେତନ ସାକାରିୟାଙ୍କୁ ସୁଯୋଗ ଦିଆଯାଇଛି। ଟିମର ଦୁଇ ନିୟମିତ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍ ସ୍ଥାନ ବଜାୟ ରଖିଥିବା ବେଳେ ଦୁଇଜଣ ୱିକେଟକିପର ଇଶାନ୍ କିଶନ ଓ ସଞ୍ଜୁ ସାମସନଙ୍କୁ ରଖାଯାଇଛି। ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ ପକ୍ଷରୁ ଖେଳୁଥିବା ଋତୁରାଜ ଗାଏକ୍ୱାଡ, କୋଲକାତା ନାଇଟ୍ ରାଇଡର୍ସର ନୀତୀଶ ରାଣାଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଭାରତ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ସବୁଯାକ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ତିନୋଟି ଟି-୨୦ ସିରିଜ୍ ଖେଳାଯିବ, ଯାହା ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ହେବ। ଭାରତୀୟ ସ୍କ୍ୱାଡ୍: ଶିଖର ଧୱନ୍ (କ୍ୟାପଟେନ୍), ଭୁବନେଶ୍ୱର କୁମାର (ଭାଇସ୍ କ୍ୟାପଟେନ୍), ପୃଥ୍ୱୀ ଶ’, ଦେବଦତ୍ତ ପାଡିକଲ୍, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ୍ କିଶନ (ୱିକେଟକିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ୍, ରାହୁଲ୍ ଚହର୍, କ୍ରିଷ୍ଣାପ୍ପା ଗୌତମ, କୃନାଲ୍ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁନ୍ ଚକ୍ରବର୍ତ୍ତୀ, ଦୀପକ ଚହର୍, ନବଦୀପ ସାଇନି, ଚେତନ ସାକାରିୟା। ନେଟ୍ ବୋଲର୍: ଇଶାନ୍ ପୋରେଲ୍, ସନ୍ଦୀପ ୱାରିୟର୍, ଅର୍ଶଦୀପ ସିଂହ, ସାଇ କିଶୋଇ, ସିମରନଜିତ୍ ସିଂହ ।

ବଦଳିବ କେନ୍ଦ୍ର କ୍ୟାବିନେଟ! ଶାହ ଓ ନଡ୍ଡାଙ୍କ ସହ ମୋଦିଙ୍କ ରୁଦ୍ଧଦ୍ୱାର ବୈଠକ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଖୁବଶୀଘ୍ର ବଦଳିବ କେନ୍ଦ୍ର କ୍ୟାବିନେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରୁ ବାଦ୍‌ ପଡ଼ିବେ ଅନେକ ହେଭିୱେଟ। କିଛି ନୂଆ ମୁହଁଙ୍କୁ ମଧ୍ୟ କ୍ୟାବିନେଟରେ ମିଳିପାରେ ସୁଯୋଗ। ଜାତୀୟ ଗଣମାଧ୍ୟମରେ ମୋଦିଙ୍କ କ୍ୟାବିନେଟ ଅଦଳବଦଳକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। କ୍ୟାବିନେଟ ଅଦଳବଦଳ ପୂର୍ବରୁ ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ଘନଘନ ବୈଠକ ମଧ୍ୟ ହେଉଛି। ଏସବୁକୁ ଦୃଷ୍ଟି ରଖି ଗଣମାଧ୍ୟମରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳକୁ ନେଇ ମାନସମନ୍ଥନ କରାଯାଉଛି। କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୋଦି ସରକାରଙ୍କ ଛବି ମଳିନ ପଡ଼ିଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଲୋକପ୍ରିୟତା ହ୍ରାସ ପାଇଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଏସବୁ ଭିତରେ ଆସନ୍ତାବର୍ଷ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବା ଓ ଦଳର ଛବିକୁ ସୁଧାରିବା ବିଜେପି ପାଇଁ ଜରୁରୀ ହୋଇପଡ଼ିଛି। ଏହି କାରଣରୁ କ୍ୟାବିନେଟ ଅଦଳବଦଳ ସହ କିଛି ବଡ଼ ଘୋଷଣା କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ବୈଠକରେ କିଛି ହାତ ଗଣତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେଉଁ ମନ୍ତ୍ରଣାଳୟ କେଉଁ ଭଳି କାମ କରିଛନ୍ତି, ତା’ର ମଧ୍ୟ ଯାଞ୍ଚ କରାଯାଇଛି। ଏହାକୁ ଆଧାର କରି ମୋଦିଙ୍କ ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। କ୍ୟାବିନେଟ ଅଦଳବଦଳ ସହ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କିଛି ବଡ଼ ସାମାଜିକ କଲ୍ୟାଣ ମୂଳକ ଯୋଜନା ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। କିଛି ଦିନ ମଧ୍ୟରେ ଏହି ଯୋଜନା ସମ୍ପର୍କରେ ନିଜେ ମୋଦି ଘୋଷଣା କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ମଧ୍ୟ ତାଙ୍କର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ୭ଟି ମନ୍ତ୍ରଣାଳୟର ରିପୋର୍ଟ କାର୍ଡର ସୀମକ୍ଷା କରିଥିଲେ। କରୋନା ସଙ୍କଟ ସମୟରେ ମନ୍ତ୍ରଣାଳୟ ଗୁଡ଼ିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ମୂଲ୍ୟାଙ୍କନ ମଧ୍ୟ କରାଯାଇଥିଲା। ମୋଦିଙ୍କ ସହ କାଲି ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାଭଡେକର ଓ ହରଦୀପ ପୁରୀ ପ୍ରମୁଖ ଯୋଗଦେଇଥିଲେ। ସୂତ୍ର ଅନୁସାରେ ଗତକାଲି ସନ୍ଧ୍ୟା ୫ଟାରୁ ବୈଠକ ଆରମ୍ଭ ହୋଇ ପ୍ରାୟ ୧୦.୩୦ ଯାଏ ଚାଲିଥିଲା। ଏଥିରେ ୭ ମନ୍ତ୍ରଣାଳୟର ସଦସ୍ୟଙ୍କ ସହ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ମନ୍ତ୍ରଣାଳୟଗୁଡ଼ିକ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୋଦିଙ୍କୁ ବିସ୍ତୃତ ତଥ୍ୟ ଦିଆଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ, ଇସ୍ପାତ ମନ୍ତ୍ରଣାଳୟ, ଜଳ ଶକ୍ତି ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଶିଳ୍ପ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମୀକ୍ଷା ଗତକାଲି ହୋଇଥିଲା। ସୂତ୍ର ଅନୁସାରେ, ମୋଦି ସରକାର ନିଜର ପ୍ରତିଟି ବର୍ଷପୂର୍ତ୍ତି ପୂର୍ବରୁ ଏଭଳି କିଛି ମନ୍ତ୍ରଣାଳୟଗୁଡ଼ିକର ସମୀକ୍ଷା କରିଥାଆନ୍ତି। ମହାମାରୀ କରୋନା ପାଇଁ ଏଥରେ ବୈଠକ ଅନୁଷ୍ଠିତ ହେବାରେ ବିଳମ୍ବ ହୋଇଛି। କ୍ୟାବିନେଟ ଅଦଳବଦଳ ବହୁ ପୂର୍ବରୁ ହେବାର ଥିଲା। କାରଣ ୬ ମନ୍ତ୍ରୀ ଗୋଟିଏରୁ ଅଧିକ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଛନ୍ତି। କିନ୍ତୁ କରୋନା ପାଇଁ ଏହି ପ୍ରକ୍ରିୟା ବିଳମ୍ବ ହୋଇଛି। ତେଣୁ ଆଗାମୀ ଦିନରେ କ୍ୟାବିନେଟ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।ପ୍ରଧାନମନ୍ତ୍ରୀ ନିୟମ ଅନୁସାରେ, ନିଜ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୭୯ ଜଣଙ୍କୁ ସାମିଲ କରିପାରିବେ। କିନ୍ତୁ ଏବେ ପ୍ରାୟ ୨୪ରୁ ଅଧିକ ସ୍ଥାନ ଖାଲି ରହିଛି।

‘ବୋଧେ ସଚିନ ତେନ୍ଦୁଲକର ହୋଇଥିବେ’: ବିଜେପି ନେତାଙ୍କୁ ଓଲଟା ବାଣ ମାରିଲେ ସଚିନ ପାଇଲଟ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସଚିନ ପାଇଲଟ। ସେ ମଧ୍ୟ ଜିତିନ ପ୍ରସାଦଙ୍କ ଭଳି କଂଗ୍ରେସ ଛାଡ଼ି ବିଜେପିକୁ ଚାଲିଯିବେ ବୋଲି କୁହାଯାଉଛି। ଏସବୁ ଭିତରେ ଜଣେ ବିଜେପି ନେତା ସଚିନ ପାଇଲଟଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ସେ ସଚିନଙ୍କ ସହ କଥା ହୋଇଛନ୍ତି ଓ ସଚିନ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ବିଜେପି ନେତା ଜଣଙ୍କ ଦାବି କରିଥିଲେ। ଆଜି ସଚିନ ପାଇଲଟ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ନାଁକୁ ବ୍ୟବହାରକରି ଉକ୍ତ ବିଜେପି ନେତାଙ୍କୁ ଓଲଟା ବାଣ ମାରିଛନ୍ତି। କଂଗ୍ରେସ ସହ ୨୫ ବର୍ଷ କାମ କରିବା ପରେ ବିଜେପିରେ ମିଶିଥିବା ରିତା ବହୁଗୁଣା ଯୋଶୀ କହିଥିଲେ ଯେ “ମୁଁ ସଚିନଙ୍କ ସହ କଥା ହୋଇଛି। ସେ କଂଗ୍ରେସରେ ଆଦୌ ଠିକ ନାହାନ୍ତି। କଂଗ୍ରେସରେ ରହି ସେ ଅସହଜ ଅନୁଭବ କରୁଛନ୍ତି। ତେଣୁ ସଚିନ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ମୋତେ କହିଛନ୍ତ।” ଏହାର ଜବାବ ଆଜି ସଚିନ ପାଇଲଟ ଦେଇଛନ୍ତି। ସେ କହିଛନ୍ତି, “ରିତା ବହୁଗୁଣା ଯୋଶୀ କହିଛନ୍ତି ଯେ ସେ ସଚିନଙ୍କ ସହ କଥା ହୋଇଛନ୍ତି। ବୋଧେ ସେ ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ। ମୋ ସହ କଥା ହେବାର ସାହାସ ତାଙ୍କର ନାହିଁ।” ଏପରି ବୟାନ ଦେଇ ସଚିନ ପାଇଲଟ ସେ କଂଗ୍ରେସ ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତାଙ୍କର ବିବାଦ ପୂର୍ବଭଳି ଜାରି ରହିଛି। ୧୦ ମାସ ତଳେ ସଚିନ ଓ ତାଙ୍କ ସମର୍ଥକ ବିଧାୟକମାନେ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତେବେ ଗାନ୍ଧି ପରିବାରର ହସ୍ତକ୍ଷେପ ପରେ ସଚିନ ଦଳ ଛାଡ଼ି ନଥିଲେ। ଏଥିସହ ସେ ଉଠାଇଥିବା ଅଭିଯୋଗକୁ ସମାଧାନ କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ୧୦ ମାସ ବିତି ଯାଇଥିଲେ ହେଁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇ ନଥିବାରୁ ସଚିନ ସୋମବାର ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ସେ ନିଜର ସମର୍ଥକ ବିଧାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। ଏହି କାରଣରୁ ସେ ମଧ୍ୟ ଜିତିନ ପ୍ରସାଦ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଦଳ ଛାଡ଼ିବାର ଆଶଙ୍କା ଥିବା କୁହାଯାଉଛି।

୬୦ରୁ ଅଧିକ ସ୍ପିଡରେ ଚାଲିପାରିବନି ବାଇକ, କାର୍‌ ସ୍ପିଡ ସର୍ବାଧିକ ୭୦ କିମି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସଡ଼କ ଦୁର୍ଘଟଣା ଓ ବେପରୁଆ ଗାଡ଼ି ଚାଳନା ଉପରେ ରୋକ ଲଗାଇବାକୁ ସର୍ବାଧିକ ସ୍ପିଡ ନିୟମରେ କଟକଣା ଲଗାଇଛି ଦିଲ୍ଲୀ ଟ୍ରାଫିକ ପୁଲିସ୍। ପୁଲିସ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦିଲ୍ଲୀର ରାସ୍ତାରେ ଗଡ଼ୁଥିବା ସମସ୍ତ ଯାତ୍ରୀବାହୀ କାର୍‌ର ସର୍ବାଧିକ ସ୍ପିଡ ୭୦ କିମି ରହିବ। ଦୁଇ ଚକିଆ ଗାଡ଼ି ବା ବାଇକ ଗୁଡ଼ିକ ୬୦ କିମିରୁ ଅଧିକ ବେଗରେ ଚାଲିପାରିବ ନାହିଁ। ସମସ୍ତ ସାଧାରଣ ଓ ଦ୍ରବ୍ୟ ପରିବହନ ଗାଡ଼ିଗୁଡ଼ିକ ସର୍ବାଧିକ ସ୍ପିଡକୁ ୪୦ରେ ସୀମିତ ରଖାଯାଇଛି। ଏହି ସ୍ପିଡ ବିଭିନ୍ନ ରାସ୍ତାରେ କମ ମଧ୍ୟ ହୋଇପାରିବ। ପୁଲିସ୍‌ କହିଛି ଯେ ଦିଲ୍ଲୀର ରାଜରାସ୍ତାରେ ଗଡ଼ୁଥିବା ଗାଡ଼ିଗୁଡ଼ିକର ସ୍ପିଡକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡ଼ିଛି। ଗାଡ଼ି ଚାଳକ ଓ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଯଦି କେହି ଧାର୍ଯ୍ୟ ସ୍ପିଡର ନିୟମକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ବିପୁଳ ପରିମାଣର ଫାଇନ ଦେବାକୁ ପଡ଼ିବ। ସମସ୍ତ ଅଟୋ, ବସ୍‌ ଓ ଟ୍ରକ୍‌ ସବୁ ସ୍ଥାନରେ ସର୍ବାଧିକ ୪୦ କିମି ବେଗରେ ଯିବା ଆସିବା କରିପାରିବେ। କିନ୍ତୁ ଛୋଟ ରାସ୍ତା ଓ ଆବାସିକ ଅଞ୍ଚଳରେ ଅତିକ୍ରମ କରିବା ବେଳେ ସବୁ ଗାଡ଼ିର ସ୍ପିଡ ୩୦ କିମିକୁ ହ୍ରାସ ପାଇବ।

ବିଜେପି ରାଜନୀତି ସରଗରମ: ମୋଦିଙ୍କ ସହ ଘଣ୍ଟାଏ ଆଲୋଚନା କଲେ ଯୋଗୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଯୋଗୀ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଦଳର ଛବି ମଳିନ ପଡ଼ିଛି। ସେହିପରି କଂଗ୍ରେସରୁ ଆସି ଜିତିନ ପ୍ରସାଦ ମଧ୍ୟ ବିଜେପି ମିଶିଛନ୍ତି। ଯୋଗୀଙ୍କ ନେତୃତ୍ୱକୁ ଦଳ ଭିତରୁ ବିରୋଧ କରାଯାଉଛି। ଏସବୁ ବାବଦରେ ମୋଦି ବିସ୍ତୃତ ଭାବେ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ବଡ଼ଧରରଣ ପରିବର୍ତ୍ତନ ଘଟିବ ବୋଲି ସମ୍ଭାବନା ରହିଛି। ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ କରିଛନ୍ତି। ସେ ମୋଦିଙ୍କ ସହ ଆଲୋଚନା କରିବା ବେଳର ଫଟୋ ଏଥିରେ ରହିଛି। ସେ ଲେଖିଛନ୍ତି, “ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନୂଆଦିଲ୍ଲୀରେ ଭେଟିବାର ସୌଭାଗ୍ୟ ପ୍ରାପ୍ତ କରିଛି। ତାଙ୍କ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ  ହୋଇଛି। ସେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମୋ ପାଇଁ ସମୟ ବାହାର କରି ଆଲୋଚନା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।”  ମୋଦିଙ୍କ ବାସଭବନରୁ ବାହାରିବା ପରେ ଯୋଗୀ ସିଧା ଜେପି ନଡ୍ଡାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ ଯୋଗୀ ଦୀର୍ଘ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ। ଜେପି ନଡ୍ଡା ଟ୍ୱିଟ କରି କହିଛନ୍ତି, “ଉତ୍ତର ପ୍ରଦେଶର ସଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲି।”