ଗୁଣପୁର ସହରରେ ଚାଲିଛି ବାଲି ମାଫିଆ ମାନଙ୍କ ରାଜ୍ ;ଖବର ପ୍ରକାଶ କଲେ ମାରି ଦେବାକୁ ଧମକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାରା ରାଜ୍ୟରେ ଯେଉଁ ବଂଶଧାରା ନଦୀର ନାମ ପ୍ରସିଦ୍ଧ ତା’ର କୂଳ ଏବେ ଦେଖିବାକୁ ମିଳୁନି । ବାଲି ମାଫିଆ ମାନେ ନଦୀର କୂଳ ଖାଇ ନିଜ ନିଜ ଜାଗାରେ ଡମ୍ପିଂ ୟାଡ଼ ଖୋଲି ବସିଛନ୍ତି। ଡ଼ମ୍ପିଂ ୟାଡ଼ ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ନଥିବା ସତ୍ତ୍ୱେ ବେଆଇନ୍ ବାଲି,ଇଟା,ପଥର, ମେଟାଲ୍ ଚିପ୍ସ ରଖି ଚଢ଼ା ଦରରେ ବିକ୍ରି କରି ବାଲି ମାଫିଆ ମାନେ ରାଜ୍ ଚଳାଉଛନ୍ତି। ତହସିଲଦାରଙ୍କୁ ଏନେଇ ଖବର ଦେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରି ଟ୍ରାକ୍ଟର ମାଲିକଙ୍କ ଠାରୁ କେବଳ ଜରିମାନା ଆଦାୟ କରାଯାଉଛି ।

ଅତିରିକ୍ତ ତହସିଲଦାର୍ ଶ୍ରୀ କପିଳେଶ୍ୱର ତାଣ୍ଡି ଓ ଟାଉନ୍ ଆର୍.ଆଇ କେ.ମାଣିକାଣ୍ଠା ଦିର୍ଘ ଦିନ ହେବ ଳଗାତାର ଚଢାଉ କରି ଜରିମାନା ଆଦାୟ କରୁଥିଲେ ହେଁ ବାଲି ମାଫିଆ ମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ। ଫଳରେ ବାଲି ଚୋରା ଚାଲାଣ ଉପରେ ରୋକ ଲଗାଯାଇ ପାରୁନି ବୋଲି ବୁଦ୍ଧି ଜୀବି ମାନେ ମତ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆର୍.ଆଇ ମାଣିକାଣ୍ଠା ଙ୍କୁ ପଚାରିବାରୁ ଅଧିକାଂଶ ଗାଡି ମାଲିକ ନିଜକୁ ସାମ୍ବାଦିକ ଓ ରାଜ ନେତାର ପରିଚୟ ଦେଉଥିବା ପ୍ରକାଶ କରିଛନ୍ତି। ଗୁଣପୁର ର ବିଭିନ୍ନ ସରକାରୀ ଅନୁଷ୍ଠାନ ରେ କାର୍ଯ୍ୟରତ କେତେକ ବ୍ୟକ୍ତି ବିଶେଷ ମାନଙ୍କ ସହ ଅନେକ୍ ସାମ୍ବାଦିକ ଓ ରାଜ ନେତା ମାନେ ଟ୍ରାକ୍ଟର ଗୁଡିକ କିଣି ଆଣି ବାଲି ଚୋରା ଚାଲାଣ କରିବା ସହ ଏହି ଚୋରା କାରବାର ର କିଙ୍ଗ ପିନ୍ ପାଲଟି ଥିବା ଅଭିଯୋଗ ଉଠିଛି । ଏପରିକି ଏହି ମାଫିଆ ମାନଙ୍କ ବିରୁଦ୍ଧରେ ଖବର ପ୍ରକାଶ କରିଲେ ମାରି ଦିଆଯିବ ବୋଲି ଧମକ ମିଳୁଛି । ବର୍ଷ ତମାମ ବାଲି ଚୋରା ଚାଲାଣ କରି ବିକ୍ରି କରୁଥିବା ଓ ବିଭିନ୍ନ ସ୍ଥାନରେ ବାଲି ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ମାଫିଆ ଓ ରାଜସ୍ଵ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ବାଲି ମାଫିଆ ମାନେ ପଦାରେ ପଡୁ ନାହାଁନ୍ତି ବୋଲି କିଛି ଟ୍ରାକ୍ଟର ମାଲିକ ଅଭିଯୋଗ କରୁଛନ୍ତି ।

ଗୁଣପୁର ପୌର ପରିଷଦ ମଧ୍ୟର ରାମେଶ୍ଵର ନଗର୍ ଉପର ମୁଣ୍ଡରେ, କତାଲଗୁଡା, ଶାନ୍ତି ନଗର୍, ଲିମାମଡା, ବିକ୍ରମପୁର ବନ ବିଭାଗ ସମ୍ମୁଖ, ପୁରୁଣା ଗୁଣପୁର ଗୁଣ୍ଡିଚା ମନ୍ଦିର ଓ ଜଗନ୍ନାଥପୁର୍ ପଞ୍ଚାୟତ ର ବାସନାଗୁଡ଼ା ଠାରେ ରହିଥିବା ବାଲି ରେମ୍ପ ଗୁଡିକ ରାଜସ୍ୱ ବିଭାଗ ପକ୍ଷରୁ ଜବତ କରାଗଲେ ବାଲି ଚୋରା ଚାଲାଣ ପଛରେ କେଉଁ ମାନଙ୍କ ପ୍ରଚ୍ଛଦ ହାତ ରହିଛି ଏହା ଜଣାଯିବ ଏବଂ ଏଗୁଡିକ ନିଲାମ କରାଗଲେ ରାଜ୍ୟ ସରକାରଙ୍କୁ ବହୁଳ ପରିମାଣର ରାଜସ୍ୱ ମିଳି ପାରିବ । ରାଜସ୍ୱ ବିଭାଗର କର୍ମଚାରୀ ମାନଙ୍କ ସୂଚନା ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ମାଫିଆ ମାନେ ଚୋରା ଚାଲାଣ କରିବା ଓ ଆଗୁଆ ସୂଚନା ପାଇ ଗାଡି ଚଳାଇବା ବନ୍ଦ କରି ଦେଉଚନ୍ତି ବୋଲି ଅଭଯୋଗ ଆସିଛି । ଏତତ୍ ସମ୍ପର୍କରେ ଜଣାଇବା ପରେ ଏହି ଘଟଣା ସମ୍ପର୍କରେ ତହସିଲଦାର୍ ଶ୍ରୀ. ଶରତ ଚନ୍ଦ୍ର ନାୟକ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ଅନାଥ ତିନି ଭାଇ ଭଉଣୀ ଙ୍କ ଫୋଟ ଭାଇରାଲ ପରେ ପହଞ୍ଚିଲା ଶିଶୁ ଯତ୍ନ ବିଭାଗ ଅଧିକାରୀ…!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଯୋଡ଼ା)- ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ! ଭଗବାନ ମଣିଷକୁ ଜନ୍ମ ଦେଇଛନ୍ତି କିନ୍ତୁ କେତେବେଳେ କାହାକୁ ସୁଖ ମିଳିବ ଆଉ କାହାକୁ ଦୁଃଖ ଭୋଗିବାକୁ ପଡ଼ିବ ସେକଥା ତାଙ୍କୁ ହିଁ ଜଣା ! ଏଭଳି ଏକ ଛାତି ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ରେ ଥିବା ଦବୁନା ଠାରେ ! ଦବୁନା ବସ୍ତିରେ ବାସ କରି ଦୀର୍ଘ ବର୍ଷ ଧରି ରହି ଆସୁଥିବା ଏକ ପରିବାର ଏବେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ! କାର୍ତ୍ତିକ ସେଠୀ ନାମକ ଜଣେ ସରଳ ଓ ନିରୀହ ଲୋକ ଯାହାକି ଘର ଘର ବୁଲି ଲୋକଙ୍କ ଲୁଗାପଟା ସଫା କରି ପରିବାର ପୋଷଣ କରୁଥିଲେ ! ଦୀର୍ଘ ଚାରି ପାଞ୍ଚ ବର୍ଷ ହେଲା ତାଙ୍କ ସ୍ତ୍ରୀ ତାଙ୍କୁ ସମସ୍ତଙ୍କୁ ଛାଡି ଆର ପାରିକି ଚାଲିଯାଇଥିଲେ ! ସ୍ତ୍ରୀ ଙ୍କ ଅକାଳ ମୃତ୍ୟୁ କୁ ନେଇ ଚିନ୍ତା କରି କରି ତାଙ୍କ ତିନି ଛୁଆ ଙ୍କୁ ଖୋଜି ଅଣ୍ଡାଳି ଦାନା ମୁଠାଏ ଯୋଗାଡ଼ କରି ପ୍ରତିପୋଷଣ କରି ଆସୁଥିଲେ ! କିନ୍ତୁ ଅତି ଦୁଃଖର ବିଷୟ ରାସ୍ତା କଡରେ ମାଟିଝାଟି କୁଡିଆ ଘରଟି ଥିବା ହେତୁ ଖଣି ପରିବହନ କାର୍ଯ୍ୟ ରାତି ଦିନ ଅହରହ ଚାଲିଥିବା ଯୋଗୁଁ ଧୂଳି ଧୂଆଁ ରେ ଅଣନିଃଶ୍ବାସୀ ହୋଇ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ହୋଇ ପଡି ରହିଥିଲେ, ଫଳରେ ଅର୍ଥାଭାବରୁ ଔଷଧ ଟିକିଏ ମଧ୍ୟ ନ ପାଇ ଅତି ବିକଳ ଅବସ୍ଥା ରେ ମାତ୍ର ୫୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ! ଆଜିକୁ ପ୍ରାୟ ନଅ ଦିନ ହେଲା ତାଙ୍କ ଦୁଇ ଝିଅ, ଅମ୍ବିକା ସେଠୀ ବୟସ ପାଖାପାଖି ସତର, ଶ୍ରାବଣୀ ବୟସ ପାଖାପାଖି ପନ୍ଦର ବର୍ଷ ଏବଂ ସବା ସାନ ପୁଅ ଶ୍ରବଣ କୁମାର ସେଠୀ ବୟସ ପାଖାପାଖି ଆଠ ବର୍ଷ, ଏ ତିନି ଛୁଆ ଙ୍କୁ ସବୁ ଦିନ ପାଇଁ ଛାଡ଼ି ଚାଲିଗଲା ତାଙ୍କ ବାପା କାର୍ତ୍ତିକ ସେଠୀ ! ତାଙ୍କ ଜୀବନ କାଳ ମଧ୍ୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କରି ଜୀବନ ଯୁଦ୍ଧରେ ହାରି ଗଲେ ପଛେ ସରକାରଙ୍କ ତରଫରୁ ପକ୍କାଘର ଟିଏ ପାଇପାରି ନଥିଲେ,ସତରେ କ’ଣ ଭଗବାନ ଏତେ ନିଷ୍ଠୁର ? ନା ଜିଲ୍ଲା ପ୍ରଶାସନ ର ଅପାରଗତା ? ତାଙ୍କ ଭାଗ୍ୟ ରେ କ’ଣ ସରକାରୀ ଯୋଜନା ମିଳିବାର ନ ଥିଲା ? ଏମିତି ଅନେକ ପ୍ରଶ୍ନ ଉଠୁଛି ଏବେ ଜନ ସାଧାରଣ ରେ ! ଏବେ ଏ ତିନି ଭାଇ ଭଉଣୀ ପୁରା ପୁରି ବେସାହାରା ହୋଇ ପଡ଼ି ରହିଥିବା ବେଳେ ଜଣେ ଅଞ୍ଚଳର ଯୁବକ ତାଙ୍କ ଫୋଟ ଉଠାଇ ଫେସବୁକ ରେ ଭାଇରାଲ କରିଥିଲେ ! ଫଳରେ କିଛି ସମାଜସେବୀ ସେହି ଅନାଥ ତିନି ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼ାଇଥିଲେ ! ଏବଂ ସେମାନଙ୍କ ଫୋଟ ମଧ୍ୟ ଭାଇରାଲ କରିଥିଲେ ସେହି ଯୁବକ ଜଣକ ଫଳରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡ଼ିବା ପରେ ଆଜି ଚାଇଲ୍ଡ ଲାଇନ ବିଭାଗ ଅଧିକାରୀ ଆସି ପହଁଚିଲେ ! ତାଙ୍କ ସହିତ ଆଲୋଚନା କରି ସେମାନଙ୍କୁ କେମିତି ସହଯୋଗ କରିପାରିବେ ଓ ତାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରି ଯଥାଶୀଘ୍ର ସମ୍ଭବ ପଦକ୍ଷେପ ନେବାକୁ ଲକ୍ଷ ରଖିଥିବା ଜଣାପଡିଛି ! ତାଙ୍କ ପ୍ରତି ନିହାତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ !

ସହାୟତା ଯୋଗାଇଦେବା ଆଶା ରେ ତିନି ଅନାଥ ଶିଶୁ ; ସାହାଯ୍ୟର ହାତ ବଢାଇବାକୁ ଅନୁରୋଧ ।

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଯୋଡ଼ା)- ପାଞ୍ଚ ବର୍ଷ ହେଲା ମା ଚାଲି ଯାଇଥିଲେ ।ଏବେ ବାପା ମଧ୍ୟ ଏ ଦୁଇ ଝିଅ ଓ କୁନି ପୁଅ ଟିକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲା ଆରପରିକୁ ! କୋହ ଭରା ଆଖି ଚାହିଁ ରହିଛି କିଛି ସହାୟତାର ଆଶାନେଇ ଝାଟିମାଟି କୁଡ଼ିଆ ଘରେ । ଯେତେ ଖବର ପ୍ରସାରଣ ହେଲା ପରେବି ସରକାରୀ ଘର ଖଣ୍ଡିଏ ମିଳି ପାରିଲା ନାହିଁ ଏହି ଅସହାୟ ପରିବାରକୁ । ଭଗବାନ ଭରସା ରେ ରହି ଆସୁଥିଲେ ତିନି ଛୁଆ ଓ ତାଙ୍କ ବାପା ! ହେଲେ ବର୍ତ୍ତମାନ ବେସାହାରା ତିନି ଭାଇ ଭଉଣୀ ତାଙ୍କ ବାପା ଙ୍କ ସୁଦ୍ଧକ୍ରିୟା କର୍ମ କେମିତି କରିବେ ତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ! ଏହି ଛାତିଥରା ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ସ୍ଥିତ ସ୍ବର୍ଗତ କାର୍ତ୍ତିକା ସେଠୀ ଙ୍କ ପରିବାର ଠାରେ । ହୃଦୟ ବାନ ସମାଜସେବୀ ଏମାନଙ୍କ ପାଇଁ କିଛି ସ୍ବଇଛାରେ ପାରୁପର୍ଯ୍ୟନ୍ତ ସାହାଯ୍ୟ କଲେ ତାଙ୍କ ବାପା ଙ୍କ ସୁଦ୍ଧକ୍ରିୟା କର୍ମ କରି ପାରନ୍ତେ ବୋଲି ଅନାଥ ଶିଶୁ ହାତ ପତେଇ ବସିଛନ୍ତି ! ଜିଲ୍ଲା ପ୍ରଶାସନ ଏ ତିନି ଭାଇ ଭଉଣୀ ଙ୍କୁ ଥଇଥାନ କରିବା ପାଇଁ ଶିଘ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ଆସିକାରେ ଗଞ୍ଜେଇ ଚୋରାଚାଲଣ ବେଳେ ୧୦୨କିଲୋ ଗଞ୍ଜେଇ ସମେତ ୪ ଗୀରଫ ।

!!!  ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଆସିକା ପୋଲିସ ଙ୍କୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ କାର ସମେତ ୧୦୨ କିଲୋଗ୍ରାମର ଗଞ୍ଜେଇ ଏବଂ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆସିକା ପୋଲିସ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଲୁହୁଡି ଗ୍ରାମର ନିତ୍ୟାନନ୍ଦ ବେହେରା ,ବରଗାଁ ଗ୍ରାମର ସୁନିଲ ନାହକ, ଜୟପୁର ଗ୍ରାମର ଗୋପାଳ ସୁଅଂଶିଆ,ଆସିକା ସୁନାମ ସାହି ର ସୁରଜ୍ ପତ୍ର।
ଆଜି ମଧ୍ୟାହ୍ନ ସମୟରେ ଆସିକା ପୋଲିସ ବିଜୁପଟ୍ଟନାୟକ ଛକ ଠାରେ ଜଗି ରହି ଯାଞ୍ଚ କାର୍ଯ୍ୟ ଚାଲୁ ରଖିଥିବା ବେଳେ ନମ୍ବର ପ୍ଲେଟ୍ ବିହୀନ ଏକ ଧଳା ରଙ୍ଗର ସୁଜିକି କାର ଭଞ୍ଜନଗର ପଟୁ ଆସୁଥିବାର ଲକ୍ଷ୍ୟ କରିଥିଲେ।ଗାଡ଼ିରେ ଚାଳକ ଙ୍କ ସମେତ ଅନ୍ୟ ତିନି ଜଣ ବ୍ୟକ୍ତି ବସିଥିଲେ।ନମ୍ବର ପ୍ଲେଟ୍ ବିହୀନ ଅନ୍ୟ ଏକ ମୋଟର ସାଇକଲ ରେ ତିନି ଜଣ ଯୁବକ କାର ଗଡ଼ିଟିର ନିକରେ ନିକଟରେ ଯାଉଥିଲା।ଯାତ୍ରା ସମୟରେ ଦୁଇ ଯାନ ର ଚାଳକ ନିଜ ନିଜ ଗାଡ଼ି କୁ କଇଁଫୁଲିଆ ଛକ ଆଡ଼କୁ ଭୁଲାଇନେଇଥିଲେ।ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିଥିଲେ ପୋଲିସ ବାହିନୀ।ହେଲେ ବାଇକ୍ ଚାଳକ କୌଣସି ପ୍ରକାରେ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଅନେକ ପ୍ରକାରରେ ଚେଷ୍ଟା କରିଥିଲେ।କିନ୍ତୁ ପୋଲିସ ଗଡ଼ିଟିକୁ ରୋକି ଯାଞ୍ଚ କରିଥିଲେ ଏବଂ ଗାଡ଼ିରେ ଲୋଡ୍ ହୋଇଥିବା ଗଞ୍ଜେଇ ସହ ଦୁର୍ଦ୍ଦାନ୍ତ ମାନଙ୍କୁ ଧରି କୋର୍ଟ ଚାଲାଣ କରିଛିସୂଚନାଯୋଗ୍ୟ କି ସୁନୀଲ ନାହାକଙ୍କ ନାମରେ ବିଭିନ୍ନ ସ୍ଥାନାରେ୨୭ଗୋଟି ମାମଲା ରୁଜୁ ହୋଇଥିବା ବେଳେ ସୁନୀଲ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ଟେଣ୍ଡର ଫିକ୍ସିଂ ମାମଲାରେ ୫ଗୋଟି ଥାନାରେ କେସ ରୁଜୁ ହୋଇଥିବା କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ବିଜୟ କୁମାର ମଲ୍ଲିକ।ଆସିକା ପୋଲିସ ଉକ୍ତ ମକଦମାର ତଦନ୍ତ ଜାରି ରଖିଛି।

ଫଟା ପାଇପରେ ଜଳଯୋଗାଣ…!

!!!  ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଜନସ୍ବାସ୍ଥ୍ୟ ବିଭାଗର ଅପରାଗତା ଯୋଗୁ ବ୍ରହ୍ମପୁର ସହରରେ ପାନୀୟ ଜଳ ଯୋଗାଣ ଏକ ପ୍ରକାର ବାଟମଣା ହୋଇଛି । ସହରର ବିଭିନ୍ନ ସ୍ଥାନରେ ପାଇପ୍‌ଗୁଡ଼ିକ ଫାଟି ଗଲାଣି । ସେଗୁଡ଼ିକ ମରାମତି କରାଯାଉ ନ ଥିବା ଯୋଗୁ ପିଇବା ପାଣି ନଷ୍ଟ ହେଉଛି । ଗୋଟିଏ ପଟେ ଲୋକଙ୍କୁ ପିଇବାକୁ ପାଣି ମିଳୁନଥିବା ବେଳେ ଅପରକ୍ଷେ ଶହ ଶହ ଲିଟର ପାଣି ନିୟମିତ ନାଳରେ ଚାଲିଯାଉଛି । ବ୍ରହ୍ମପୁର ମହାନଗର ନିଗମର ୪ ନମ୍ବର ୱାର୍ଡର ବ୍ରଜରାଜ ନଗର ପ୍ରଥମ ଲେନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ । ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସାହିରେ ବିଭିନ୍ନ କମ୍ପାନିର ଗୋଦାମ ରହିଛି । ସବୁଦିନ ବଡ଼ ବଡ଼ ଟ୍ରକରେ ଏହି ଗୋଦାମକୁ ସାମଗ୍ରୀ ଆସିଥାଏ । ତେବେ ଅଧିକାଂଶ ସମୟ ଟ୍ରକଗୁଡ଼ିକ ଧକ୍କାରେ ଅନେକ ନଷ୍ଟ ହୁଏ । ସାହିରେ ଥିବା ଏକମାତ୍ର ଷ୍ଟାଣ୍ଡପୋଷ୍ଟଟି ଟ୍ରକ ଧକ୍କାରେ ଭାଙ୍ଗି ଯାଇଛି । ସବୁବେଳେ ପାଣି ବୋହି ଚାଲିଛି । ରାସ୍ତାରେ ପିଇବା ପାଣି ଭାସୁଛି । ଯେଉଁମାନେ ଘରକୁ ସଂଯୋଗ ନେଇଛନ୍ତି ସେମାନଙ୍କ ଘରକୁ ପାଣି ଯାଉନି । ଗୋଟିଏ ପଟେ ପିଇବା ପାଇଁ ପାଣି ମିଳୁନି । କିନ୍ତୁ ଏଠି ନଷ୍ଟ ହେଉଛି । ଏନେଇ ସାହିବାସୀଙ୍କ ତରଫରୁ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀମାନେ ଷ୍ଟାଣ୍ଡପୋଷ୍ଟ ମରାମତି ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ନିୟମିତ ପାଣି ନଷ୍ଟ ଏବଂ ଲୋକଙ୍କୁ ପିଇବାକୁ ପାଣି ମିଳୁନଥିବା ଯୋଗୁ ଷ୍ଟାଣ୍ଡପୋଷ୍ଟର ମରାମତି ପାଇଁ ସାହିବାସୀ ଦାବି କରିଛନ୍ତି ।

ସଫେଇ କର୍ମଚାରୀ ନାମରେ ହରିଲୁଟ ।

!!!  ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ କୁ ସଫା ରଖିବା ପାଇଁ ଠିକା ସଂସ୍ଥା ମାଧ୍ୟମରେ ସଫେଇ କର୍ମଚାରୀ ନିଯୁକ୍ତି କରାଯାଉଛି । କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଟଙ୍କା କୁ ଠିକା ସଂସ୍ଥା ମାଧ୍ୟମରେ ହରିଲୁଟ କରାଯାଉଥିବାର ଏବେ ସାମ୍ନାକୁ ଆସିଛି । ତେବେ ଏହି ଠିକା ସଂସ୍ଥା ସଫେଇ ନାମରେ ସରକାରୀ ଟଙ୍କା ହରିଲୁଟ କରୁଥିବାର ସୂଚନା ତଥ୍ୟ ଆଇନ ବଳରେ ଜଣାପଡିଛି । ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ପାଇଁ ସଂପୃକ୍ତ ଠିକା ସଂସ୍ଥା ଖଲ୍ଲିକୋଟ ଅଞ୍ଚଳର ହରିଜନ ଜାତିର କିଛି ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ଦରମା ହାରାହାରି ୭୫୦୦ ଟଙ୍କା ରହିଛି । ତେବେ ସୂଚନା ତଥ୍ୟ ଅଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସଫେଇ କର୍ମଚାରୀ ଭାବେ କିଛି ହରିଜନ ଲୋକଙ୍କ ସହ ଖଲ୍ଲିକୋଟ କିଛି ବଡ ବଡ଼ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକଙ୍କ ନାମ ରହିଛି । ଯାହା ଏବେ ଖଲ୍ଲିକୋଟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବ୍ୟବସାୟୀ ମାନେ ପ୍ରତିମାସରେ ସମ୍ପୃକ୍ତ ସଂସ୍ଥା ଠାରୁ ଦସ୍ତଖତ କରି ଟଙ୍କା ଉଠାଉଥିବାର ମଧ୍ୟ ସୂଚନା ତଥ୍ୟ ରେ ଉପଲବ୍ଧ ଅଛି । ତେବେ ଆଶ୍ଚର୍ଯ୍ୟର କଥା ଯେଉଁ ମାନଙ୍କ ନାମରେ ଟଙ୍କା ଉଠା ଯାଉଛି ସେମାନେ କିଏ ବେକେରୀ ସପ କରିଛିତ ଆଉ କିଏ ଷ୍ଟେସନାରୀ ଦୋକାନ ଏବଂ ଆଉ କିଏ ଗ୍ରୋସରୀ ଦୋକାନ କରିଛି ।

ଖଲ୍ଲିକୋଟ ର ସାମାଜିକ କର୍ମୀ ରାଜୀବ ଖାଡଙ୍ଗା ଖଲ୍ଲିକୋଟ ଏନଏସି ରେ ସଫେଇ ବାବଦରେ ମାସକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ । ଏନଏସି କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସଫେଇ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ମାସକୁ ସଫେଇ ପାଇଁ ୫ ଲକ୍ଷ ୧୭ ହଜାର ୫୮୦ ଟଙ୍କା ନେଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଝାଡୁଦାର ତାଲିକାରେ ହରିଜନ ବ୍ୟକ୍ତିଙ୍କ ସହ ୧୫ ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ନାମ ରହିଛି । ଝାଡୁଦାର ତାଲିକାରେ ବହୁ ବ୍ୟବସାୟୀଙ୍କ ନାମ ଯୋଡ଼ି ସଫେଇ କାମ ନେଇ ଥିବା ଠିକା ସଂସ୍ଥା ପ୍ରତି ମାସରେ ଲକ୍ଷାଧିକ ଟଙ୍କା ହେରଫେର କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ରୁ ଜଣାପଡିଥିଲା । ଏ ନେଇ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ସମ୍ପୃକ୍ତ ଠିକା ସଂସ୍ଥାକୁ ନୋଟିସ ଜାରି କରିଛନ୍ତି । ଖଲ୍ଲିକୋଟ ପରିଦର୍ଶନରେ ଆସିଥିବା ଛତ୍ରପୁର ଏଡିଏମ ଲିନା କୁମାରୀ ଖେସ୍ ଙ୍କୁ ପଚାରିବାରୁ ସେ ସରକାରୀ ଅର୍ଥ ହଡପ କରିଥିବା ପ୍ରମାଣ ମିଳିଲେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେପଟେ ଘଟଣାର ଖୁଲାସା ପରେ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଖଲ୍ଲିକୋଟ ବାସିନ୍ଦା ଦାବି କରିଛନ୍ତି ।

ଜଜ୍‌ଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ଅଭିଜିତ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ସୋନି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ’ ଲଗାତାର ଚର୍ଚ୍ଚାରେ ରହି ଆସୁଛି। କିଛି ଦିନ ପୂର୍ବେ ଶୋ’କୁ ଜଜ୍ ହୋଇଆସିଥିବା ସ୍ୱର୍ଗତ କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ବୟାନ ପରେ ଏହି ଶୋ’ ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଳେ ଏବେ ବଲିଉଡ୍‌ର ଆଉ ଜଣେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବୟାନ ଏହାକୁ ନୂଆ ବିବାଦ ମଧ୍ୟକୁ ଠେଲି ଦେଇଛି। ନିକଟରେ ଏହି ଶୋ’କୁ ଅତିଥି ହୋଇ ଆସିଥିବା ଅଭିଜିତ ସିଧାସଳଖ ଏହାର ଜଜ୍‌ଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ବିଶେଷ କରି ସେ ନେହା କକ୍କରଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି। ଏନେଇ ଏକ ସାକ୍ଷାତକାରରେ ଅଭିଜିତ କହିଛନ୍ତି, ମୁଁ ଏଭଳି କୌଣସି ଶୋ’ରେ କାମ ମାଗୁନାହିଁ । କିନ୍ତୁ ଆମ ପରି ଗାୟକ ଏଭଳି ଶୋ’ ଗୁଡ଼ିକରେ ଜଜ୍ ସିଟ୍‌ରେ ବସିବାକୁ ହକଦାର। ଯେଉଁମାନେ ନିଜ କ୍ୟାରିୟରରେ ସମୁଦାୟ ୪ଟି ଗୀତ ଵି ଗାଇ ନାହାନ୍ତି, ସେମାନେ ଏବେ ଜଜ୍‌ ହେଉଛନ୍ତି। ଏପରି ଲୋକଙ୍କୁ ମୁଁ କାମ ଦେଇଥିଲି। ଦିନେ ମୋ ପାଖରେ ଏମାନେ କାମ କରୁଥିଲେ। ସେ ଆହୁରି କହିଛନ୍ତି, ଏପରି ଲୋକ କିଛି ହିଟ୍‌ ଗୀତ ଦେଇଛନ୍ତି, ହେଲେ ସଂଗୀତର ସାଧନା କରି ଶିଖି ନାହାନ୍ତି। ସେମାନେ କେବଳ ନିଜ ପ୍ରଚାର କରି ଶିଖିଛନ୍ତି। ଆଜି ଆର ଡି ବର୍ମନ ବଞ୍ଚିଥିଲେ ବି ଏଭଳି ରିଆଲିଟି ଶୋ’ର ନିର୍ମାତାମାନେ ତାଙ୍କୁ ପଚାରି ନଥା’ନ୍ତେ। ମୋତେ ନଜର ଅନ୍ଦାଜ କରି ସେମାନେ କେତେ ବୋକା ତାହାର ପ୍ରମାଣ ଦେଇଛନ୍ତି। ଏହା ପୂର୍ବରୁ ଏହି ଶୋ’ରେ ପସନ୍ଦ ନ ଆସିଲେ ବି ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବାକୁ ଆଗତୁରା ଅତିଥିମାନଙ୍କୁ କୁହାଯାଇଥାଏ ବୋଲି ଗାୟକ ଅମିତ କୁମାର କହିଥିଲେ। ଏହା ପରେ ଶୋ’ଟି ବେଶ୍ ବିବାଦ ମଧ୍ୟରେ ରହିଥିଲା। ଅନ୍ୟପକ୍ଷରେ ଏପରି ବିବାଦ ଯୋଗୁ ‘ଇଣ୍ଡିଆନ୍ ଆଇଡଲ୍’ ଏବେ ଟିଆରପି ଲିଷ୍ଟରୁ ଆଉଟ୍ ହୋଇଛି। ବାର୍କ ଇଣ୍ଡିଆ ପକ୍ଷରୁ ୨୨ତମ ସପ୍ତାହର ଟିଆରପି ରେଟିଂ ତାଲିକା ଜାରି ହୋଇଛି। ଗତ କିଛି ସପ୍ତାହ ଧରି ଇଣ୍ଡିଆନ୍ ଆଇଡଲ୍-୧୨ ଟିଆରପି ଲିଷ୍ଟରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଚଳିତ ସପ୍ତାହରେ ତାଲିକାରୁ ବାଦ୍ ପଡ଼ିଛି।

ଇଣ୍ଡିଆନ୍ ଆଇଡଲକୁ ବଡ଼ ଝଟକା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଲଗାତର ବିବାଦରେ ରହିଥିବା ସିଙ୍ଗିଙ୍ଗ୍ ରିଏଲିଟି ଶୋ’ ଇଣ୍ଡିଆନ୍ ଆଇଡଲକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ୍ ଆଇଡଲ୍ ଏବେ ଟିଆରପି ଲିଷ୍ଟରୁ ଆଉଟ୍ ହୋଇଛି। ବାର୍କ ଇଣ୍ଡିଆ ପକ୍ଷରୁ ୨୨ତମ ସପ୍ତାହର ଟିଆରପି ରେଟିଂ ତାଲିକା ଜାରି ହୋଇଛି। ଗତ କିଛି ସପ୍ତାହ ଧରି ଇଣ୍ଡିଆନ୍ ଆଇଡଲ୍-୧୨ ଟିଆରପି ଲିଷ୍ଟରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଚଳିତ ସପ୍ତାହରେ ତାଲିକାରୁ ବାଦ୍ ପଡ଼ିଛି। ଇଣ୍ଡିଆନ୍ ଆଇଡଲ୍ ସ୍ଥାନ ଆଉଏକ ରିଏଲିଟି ଶୋ’ ସୁପର୍ ଡାନ୍ସର-୪ ନେଇଛି। ସୁପର୍ ଡାନ୍ସର-୪ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଶୋ’ ଏବେ ପଞ୍ଚମ ସ୍ଥାନକୁ ଉଠିଛି। ଏହି ଶୋ’ରେ ଶିଳ୍ପା ସେଟ୍ଟୀ, ଗୀତା କପୁର ଓ ଅନୁରାଗ ବସୁ ଜଜ୍ ଭୂମିକାରେ ନଜର ଆସନ୍ତି। ତେବେ ଟିଆରପି ତାଲିକାରେ ସବୁଠାରୁ ଆଗରେ ରହିଛି ‘ଅନୁପମା’। ଏହି ସିରିଏଲ୍ ପୁଣିଥରେ ଦର୍ଶକଙ୍କ ମନକୁ ଜିଣିବାରେ ସଫଳ ହୋଇଛି। ଦ୍ୱିତୀୟ ସ୍ଥାନରେ ଥିବା ଅନୁପମା ଏଥର ଟପକୁ ଫେରିଛି। ଏଥିରେ ରୂପାଲି ଗାଙ୍ଗୁଲି ଓ ସୁଧାଂଶୁ ପାଣ୍ଡେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ପୂର୍ବରୁ ‘ଗୁମ୍ ହେ କିସି କେ ପ୍ୟାର୍ ମେ’ ସିରିଏଲ୍ ପ୍ରଥମ ସ୍ଥାନରେ ଥିଲା, କିନ୍ତୁ ଚଳିତ ସପ୍ତାହରେ ଏହାର ରେଟିଂ ୧ ନମ୍ବରରୁ ଖସି ଆସିଛି। ଏହି ସିରିଏଲ୍ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ନିଲ୍, ଐଶ୍ଚର୍ଯ୍ୟା ଷ୍ଟାରର୍ ଏହି ଶୋ’ ହିଟ୍ ସାବ୍ୟସ୍ତ ହୋଇଛି। ଷ୍ଟାର୍ ପ୍ଲସରେ ଆଉଏକ ସିରିଏଲ୍ ‘ଇମଲୀ’ ଚଳିତ ସପ୍ତାହରେ ତୃତୀୟ ସ୍ଥାନରେ ରହିଛି । ଏହି ଶୋ’ ଦର୍ଶକଙ୍କୁ ଲମ୍ବା ସମୟ ଧରି ଆକୃଷ୍ଟ କରିଆସିଛି। ଲୋକପ୍ରିୟ ଟିଭି ସିରିଏଲ୍ ‘ତାରକ ମେହେତା କା ଉଲଟା ଚଷମା’ ମଧ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଏହି ସିରିଏଲ୍ ଏବେ ଚତୁର୍ଥ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, ଗତ ମାସେ- ଦୁଇ ମାସ ଧରି ଇଣ୍ଡିଆନ୍ ଆଇଡଲ୍ ବିବାଦରେ ରହି ଆସିଛି। ସୋଶାଲ ମିଡିଆରେ ଏହି ରିଏଲିଟି ଶୋ’କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଶୋ’କୁ ଅତିଥି ହୋଇ ଆସିଥିବା କିମ୍ବଦନ୍ତୀ କିଶୋର କୁମାରଙ୍କ ପୁଅ ଅମିତ୍ କୁମାର ଏହି ଶୋ’ ସମ୍ବନ୍ଧରେ କିଛି ରୋଚକ କଥା କହିଥିଲେ। ଯାହା ପରଠାରୁ ଶୋ’ ଲଗାତର ବିବାଦରେ ରହିଆସୁଛି।

ରିଆଙ୍କୁ ମିଳିଲା ବଡ଼ ପ୍ରୋଜେକ୍ଟ, ଦ୍ରୌପଦୀ ଭୂମିକାରେ ନଜର ଆସିବେ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଲଗାତର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ ଡ୍ରଗ୍ସ ମାମଲା ଏବଂ ଏବେ ନିଜର ବଡ଼ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଆଙ୍କୁ ଏକ ବଡ଼ ପ୍ରୋଜେକ୍ଟର ଫିଲ୍ମ ଅଫର୍ ମିଳିଛି। ଯେଉଁଥିରେ ସେ ଦ୍ରୌପଦୀ ଭୂମିକା ତୁଲାଇବେ। ରିଆ ଶେଷଥର ଲାଗି ୨୦୧୮ରେ ରିଲିଜ୍ ହୋଇଥିବା ‘ଜଲେବୀ’ରେ ନଜର୍ ଆସିଥିଲେ। ଏହା ପରେ ରିଆଙ୍କୁ କୌଣସି କାମ ମିଳିନଥିଲା। କିନ୍ତୁ ଏବେ ରିଆ ନିଜର ଏହି ବଡ଼ ପ୍ରୋଜେକ୍ଟକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ ଏହା ବହୁତ ବଡ଼ ପ୍ରୋଜେକ୍ଟ, ଯେଉଁଥିରେ ମହାଭାରତ ଓ ଦ୍ରୌପଦୀ ଭୂମିକାକୁ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ଆଜିର ସମୟ ଅନୁସାରେ ନିର୍ମାଣ କରାଯିବ। ଏଥିପାଇଁ ଏହି ଫିଲ୍ମଟି ମଡର୍ଣ୍ଣ ଓ କଣ୍ଟେମ୍ପରାରୀ ହେବ। ଫିଲ୍ମରେ ଦ୍ରୌପଦୀଙ୍କର ଭୂମିକା ରିଆଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ରିଆ ବଲିଉଡର ବଡ଼ ବଡ଼ କଳାକାରଙ୍କ ସହ ପୁଣିଥରେ ବଡ଼ ପରଦାରେ ଧୂମ ମଚାଇବେ। ରିଆ ନିଜର ଆଗାମୀ ଫିଲ୍ମ ’ଚେହରେ’ରେ ନଜର ଆସିବେ। ରୁମୀ ଜାଫରୀଙ୍କ ବହୁଚର୍ଚ୍ଚିତ ‘ଚେହରେ’ରେ ମହାନାୟକ ଅମିତାଭ ବଚ୍ଚନ, ଇମ୍ରାନ୍ ହାସମୀ, ଅନୁ କପୁର ଓ କ୍ରିଷ୍ଟଲ୍ ଡିସୌଜା ମଧ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି। ରିଆ ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଅଛନ୍ତି। ତେଲୁଗୁ ଫିଲ୍ମ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ରିଆ ବଲିଉଡରେ ବ୍ୟାଙ୍କ୍ ଚୋର୍, ହାଫ୍‌ ଗାର୍ଲଫ୍ରେଣ୍ଡ, ମେରେ ଡ୍ୟାଡ୍ କି ମାରୁତୀ ଏବଂ ଜଲେବୀରେ କାମ କରିଛନ୍ତି। ସୁଶାନ୍ତଙ୍କ ମାମଲାରୁ ମୁକୁଳିବା ପରେ ରିଆ ଏବେ ଇନଷ୍ଟାଗ୍ରାମରେ ମୋଟିଭେସନାଲ୍ କୋଟ୍‌ ଲେଖୁଛନ୍ତି। ନିକଟରେ ଏକ ପୋଷ୍ଟରେ ସେ ଲେଖିଥିଲେ, ଦୁଃଖ ଯେତେବେଳେ ଆସେ, ଏଥିରୁ ଆମକୁ ବହୁତ ଶକ୍ତି ମିଳେ। ଏଥିପାଇଁ ଆପଣଙ୍କୁ ମୋ ଉପରେ ଭରସା କରିବାକୁ ପଡ଼ିବ।

ଏହି ଅଭିନେତାଙ୍କ ସହ ରିଲେସନଶିପରେ ଅଛନ୍ତି କ୍ୟାଟ୍ରିନା କୈଫ୍..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା ଓ ଭିକି କୌଶଲଙ୍କ ଡେଟିଂକୁ ନେଇ ଅନେକ ଚର୍ଚ୍ଚା ହୁଏ। ତେବେ ଦୁହେଁ ନିଜର ସମ୍ପର୍କକୁ ନେଇ ସାର୍ବଜନୀନ ସ୍ତରରେ ସ୍ୱୀକାର କରିନାହାନ୍ତି। କିନ୍ତୁ ଅନେକ ସମୟରେ ଦୁହିଁଙ୍କୁ ପରସ୍ପର ଘର ବାହାରେ ଦେଖିବାକୁ ମିଳେ। କରଣ ଜୋହରଙ୍କ ‘କଫି ୱିଥ୍ କରଣ’ ଶୋ’ ପରେ ପରେ ହିଁ କ୍ୟାଟ୍ରିନା ଓ ଭିକିଙ୍କ ଡେଟିଂ ଗୁଜଜ ଆରମ୍ଭ ହୋଇଛି। ଶୋ’ରେ କରଣ ଜୋହର ଖୁଲାସା କରିଛନ୍ତି ଯେ କ୍ୟାଟ୍ରିନା କୈଫ୍ ଭିକିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଏବଂ ଦୁହେଁ ଏକାଠି ମଧ୍ୟ ସ୍କ୍ରିନରେ ଭଲ ଦେଖାଯିବେ। ଏହି କଥାରେ ‘ଉରି’ ଅଭିନେତା ବେହୋଶ ହେବାର ବାହାନା କରିଥିଲେ। କିନ୍ତୁ ଏବେ ହର୍ଷବର୍ଦ୍ଧନ କପୁର ଦୁହିଁଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର କହିଛନ୍ତି ଯେ ଭିକି ଓ କ୍ୟାଟ୍ରିନା ଏକାଠି ଅଛନ୍ତି। ଜୁମରେ ‘By Invite Only Season 2’ରେ କଥାବାର୍ତ୍ତା ବେଳେ ହର୍ଷବର୍ଦ୍ଧନଙ୍କୁ ପଚରା ଯାଇଥିଲା ଯେ ସେ କେଉଁ ଇଣ୍ଡଷ୍ଟ୍ରୀର ରିଲେସନଶିପକୁ ସତ ମାନନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ଭିକି ଓ କ୍ୟାଟ୍ରିନା ଏକାଠି ଅଛନ୍ତି, ଏହା ସତ ମଧ୍ୟ। ହର୍ଷବର୍ଦ୍ଧନ କପୁର ବର୍ତ୍ତମାନ ନିଜର ଆଗାମୀ ସିରିଜ୍ ‘ରେ’ର ପ୍ରମୋସନ କରୁଛନ୍ତି। ନିକଟରେ ଏହି ୱେବ୍ ସିରିଜର ଟ୍ରେଲର୍ ରିଲିଜ୍ ହୋଇଛି। ଅଭିଷେକ ଚୌବେ, ଶ୍ରୀଜିତ୍ ମୁଖାର୍ଜୀ ଓ ବାସନା ବାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜ୍ ଜୁନ୍ ୨୫ ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏହି ସିରିଜରେ ମନୋଜ ବାଜପେୟୀ, କେକେ ମେନନ୍, ହର୍ଷବର୍ଦ୍ଧନ କପୁର, ରାଧିକା ମେନନ୍, ବସୁ ପ୍ରସାଦ, ଅନିନ୍ଦିତା ବୋସ, ଗଜରାଜ ରାଓ ଓ ବିଦିତା ବାଗ ନଜର୍ ଆସିବେ। ଅନ୍ୟପଟରେ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ଏକ ରୋମାଣ୍ଟିକ ଫିଲ୍ମରେ ଏକାଠି ନଜର ଆସିବେ। କ୍ୟାଟ୍ରିନା କୈଫ୍ ଶେଷଥର ପାଇଁ ଇଂରାଜୀ ମିଡିୟମର ଗୀତ ‘କୁଡି ନୁ ନଚନେ’ରେ ଦେଖିବାକୁ ମିଳିଥିଲା । ତାଙ୍କ ହାତରେ ଏବେ ସୂର୍ଯ୍ୟବଂଶୀ, ଫୋନ୍ ଭୂତ ଓ ଟାଇଗର୍-3 ସମେତ ଅନେକ ପ୍ରୋଜେକ୍ଟ ରହିଛି। ଭିକି ଶେଷଥର ଲାଗି ଭୂତ୍ ଫିଲ୍ମରେ ନଜର ଆସିଥିଲେ। ଏହା ପରେ ତାଙ୍କ ପାଖରେ ସର୍ଦ୍ଦାର ଉଦ୍ଧମ ସିଂହ, ସାମ ବାହାଦୁର ଓ ‘ମିଷ୍ଟର୍ ଲେଲେ୍’ ଆଦି ଫିଲ୍ମ ଅଛି।