ନିଘୋଡ଼ ନିଦ୍ରାରେ ଗୁଣପୁର ପି.ଏଚ.ଡି ?

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହରରେ ପାଣିର ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବାସହ ପାଣିପାଇଁ ହାଣ୍ଡି ଧରି ମହିଳାଙ୍କ ଵିକ୍ଷୋଭ ପ୍ରଦର୍ଶନ ପାଣି ଫୋଟକା ପାଲଟିଛି । ଏନେଇ ଗଣମାଧ୍ୟମ ରେ ଖବର ପ୍ରସାର ହେବା ପରେ ମଧ୍ୟ ପିଏଚଡ଼ି ବିଭାଗର ନିଦ ଭାଙ୍ଗୁନି । ସମ୍ପୃକ୍ତ ଜେଇ ଜାଣି ଅଜଣା ଲୋଡୁ ଖାଇ ବସିଥିବା କୁହାଯାଉଛି । ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଶାସକଙ୍କ ନୀରବତା ସାଧାରଣ ରେ ବିସ୍ମୟ ସୃଷ୍ଟି କରୁଛି । ସହରର କେଉଁ ସ୍ଥାନରେ ପାଣି ପମ୍ପ ଅଚଳତ ଆଉ କେଉଁଠିକୁ ପାଣି ପହଞ୍ଚି ପାରୁନି । କିଛି ସ୍ଥାନକୁ ଦୁଇଦିନରେ ଥରେ ପାଣି ପହଞ୍ଚୁଛି ଅନ୍ୟକେତେକ ସ୍ଥାନରେ ପାଣି ଲିକ ହୋଇ ଗାଁ ଦାଣ୍ଡ ଭାସୁଛି । ଏଥିପ୍ରତି କାହାରି ନଜର ନାହିଁ । କଥା ଉଠିଛି ବିଭାଗୀୟ କର୍ମଚାରୀ ଏଥିପ୍ରତି ନଜର ଦେଉ ନାହାଁନ୍ତି କାହିଁକି ? ପୂର୍ବତନ ଉପଜିଲ୍ଲାପାଳ ମାନ୍ୟବର ଋତୁରାଜ ଙ୍କ ଅମଳରେ ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ଝଟକା ରୁ ଚଞ୍ଚକତା କରି ବିଭାଗୀୟ ଅଧିକାରୀ ଖସି ଯାଇଥିବା ବେଳେ, ବର୍ତ୍ତମାନ ଏସବୁର ଭୟ ନଥିବାରୁ ଏଭଳି ଖାମଖିଆଲି କାମ ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଶାସକ ଯେତେବେଳେ ନୀରବ ଦ୍ରଷ୍ଟା କାହାକୁ କହିବା କପାଳରେ ସିନା କର ମାରିବା ।

ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏସ୍ଆରସି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ। କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ। ସେମାନଙ୍କ ପାଇଁ ବି ନିୟମ ରହିବ। ଯେଉଁ ସେବାୟତମାନେ ଦୁଇ ଡୋଜ୍ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ। ସେ ଆହୁରି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ। ପୁରୀକୁ ବସ୍ ଓ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିବ। ଏସ୍ଆର୍‌ସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ। ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ। କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ। ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ ବୋଲି ଏସ୍ଆର୍‌ସି କହିଛନ୍ତି। ସେ କହିଛନ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପାରିବେ। ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ। ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଗତ ବର୍ଷ ରଥଯାତ୍ରା ବେଳେ ରାଜ୍ୟରେ କରୋନାର ପ୍ରଥମ ଲହର ଚାଲିଥିଲା। ଏବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଛି। ବିଗତ କିଛି ଦିନ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ଅଧା ହୋଇଥିଲେ ହେଁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ବି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି, ଯାହା ଜୁନ୍ ୧୭ ତାରିଖରେ ସରିବ। ତେବେ ଆଗାମୀ ସପ୍ତାହେ ମଧ୍ୟରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆକଳନ କରାଯାଉଛି। ସ୍ଥିତିକୁ ଦେଖି ସରକାର ୧୭ ତାରିଖ ପରେ ଲକ୍‌ଡାଉନ୍ ଉଠାଇବେ ନା ନାହିଁ, ସେ ସଂପର୍କରେ ନିଷ୍ପତ୍ତି ନେବେ।

୧୧ରେ ସବୁ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ତୈଳଦର ବୃଦ୍ଧି କରୁଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୧ ତାରିଖ ଦିନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଦଳ ପକ୍ଷରୁ ୪ଘଣ୍ଟିଆ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି କଂଗ୍ରେସ କହିଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦି ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି। ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯେଉଁଥିପାଇଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆ ହୋଇଛି। ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨୫.୭୨ ଟଙ୍କା ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲାବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ତୈଳଦରକୁ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବା ଓ ଅବିଳମ୍ବେ ତୈଳଜାତ ଦ୍ରବ୍ୟ (ଉଭୟ ପେଟ୍ରୋଲ ଓ ଡିଜେଲ)ର ଦର ହ୍ରାସ କରିବାର ଆବଶ୍ୟକ ରହିଛି। ଏଆଇସିସିିର ନିର୍ଦ୍ଦେଶରେ ଚଳିତ ମାସ ୧୧ ତାରିଖ ଶୁକ୍ରବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବାକୁ ପିସିସି ନିଷ୍ପତ୍ତି ନେଇଛି। ଏହି ଧାରଣା ଓ ବିକ୍ଷୋଭ ପାଳନବେଳେ କୋଭିଡ ଗାଇଡଲାଇନକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟରଖି କରି ବ୍ୟାନର, ପ୍ଲାକାର୍ଡରେ ‘ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା ବୃଦ୍ଧି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ମଜୁରୀ ଓ ରୋଜଗାର କମିବା’ ଉପରେ ସ୍ଲୋଗାନ ଲେଖି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି। ୧୧ତାରିଖରେ ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତିମାନେ ତୁରନ୍ତ ଜିଲ୍ଳା, ବ୍ଲକ ଓ ନଗର ସ୍ତରରେ ପ୍ରସ୍ତୁତି ବୈଠକ ଡାକିବା ସହ ଏହାକୁ ସଫଳ କରିବା ନିମନ୍ତେ ସମସ୍ତ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୦୦ଟଙ୍କାରେ ପହଂଚିବାପରେ ଏବେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ବିଜେଡି ଖୋଲାଖୋଲି ଭାବେ ରାଜରାସ୍ତାକୁ ଓହ୍ଲାଇ ବିରୋଧ କରିପାରୁନଥିବାବେଳେ କଂଗ୍ରେସ ୧୧ତାରିଖରେ ୪ଘଣ୍ଟିଆ ବିକ୍ଷୋଭ ଓ ଧାରଣା କରିବାକୁ ନିଷ୍ପତ୍ତି ନେଇଛି।

ଟିଏମସି ଘରକୁ ଫେରିବେ କି ମୁକୁଲ ରୟ…?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ହ୍ୟାଟ୍ରିକ ବିଜୟ ଲାଭ କରିଛି। ଏହାପରେ ରାଜ୍ୟ ରାଜନୀତି ପୁଣିଥରେ କଡ଼ ଲେଉଟୁଥିବା ଦେଖିବାକୁ ମିଳିଛି। ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅନେକ ନେତା ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ତେବେ ଟିଏମସି ମଧ୍ୟ ଏହି ସବୁ ନେତାଙ୍କୁ ଗ୍ରହଣ କରିବ କି ନାହିଁ ସେ ନେଇ ମାନସ ମନ୍ଥନ କରୁଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ମମତା ନେବେ। ଏହାରି ଭିତରେ ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ମୁକୁଲ ରୟ ଟିଏମସିକୁ ଫେରିବେ। ଯାହାଫଳରେ ରାଜ୍ୟ ରାଜନୀତିର ସମୀକରଣ ପୁଣିଥରେ ବଦଳିବ ବୋଲି କୁହାଯାଉଛି। ହେଲେ ଉଭୟ ଟିଏମସି ଏବଂ ବିଜେପି ଏହାକୁ ନେଇ ନିରବ ରହିଛନ୍ତି। ବିରୋଧୀ ଦଳର ନେତା କିଏ ହେବେ ସେ ନେଇ ବିଜେପିର ଏକ ବୈଠକ ମାସେ ତଳେ ବସିଥିଲା। ଏହି ବୈଠକରେ ମୁକୁଲ ରୟ ଯୋଗ ଦେଇନଥିଲେ। ଏହାପରେ ପରେ ମୁକୁଲ ଟିଏମସି ମୁହାଁ ବୋଲି ଚର୍ଚ୍ଚା ହେଉଛି। ଟିଏମସି ସାସଂଦ ସୌଗତ ରୟ ଏନଡିଟିଭିକୁ ସାକ୍ଷାତକାର ଜରିଆରେ କହିଛନ୍ତି, ମୁକୁଲ ଟିଏମସିକୁ ଫେରିବେ। କିଛି ବିଜେପି ନେତା ଅଭିଷେକ ବାନାର୍ଜୀଙ୍କ ସହ ସଂପର୍କରେ ରହିଥିବା ବେଳେ ଆଉ କିଛି ଅନ୍ୟ ଟିଏମସି ନେତାଙ୍କ ସହ ସମ୍ପର୍କରେ ଅଛନ୍ତି। ଟିଏମସି ଯେଉଁ ନେତାମାନଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି ସେଥିପାଇଁ ଦୁଇଟି ଶ୍ରେଣୀ ତିଆରି କରିଛି। ଗୋଟିଏ ସଫ୍ଟଲାଇନର ଆଉ ଗୋଟିଏ ହାର୍ଡ ଲାଇନର ବା କଟ୍ଟରପନ୍ଥୀ। ଏହାର ଅର୍ଥ ହେଲା ସଫ୍ଟଲାଇନର ନେତା ସେହିମାନେ ଯେଉଁମାନେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଦଳ ଛାଡ଼ିବା ପରେ କେବେ ମମତାଙ୍କୁ ସାର୍ବଜନୀନ ସ୍ତରରେ ଗାଳିଗୁଲଜ କରି ନାହାନ୍ତି। ସେହିପରି କଟ୍ଟରପନ୍ଥୀ ହେଲେ ସେହି ମାନେ ଯେଉଁମାନେ ଟିଏମସି ଛାଡ଼ିବା ପରେ ମମତାଙ୍କୁ ସର୍ବସମ୍ମୁଖରେ ଗାଳି ଗୁଲଜ କରିଛନ୍ତି। ମୁକୁଲ ରୟ ଟିଏମସି ଛାଡି ବିଜେପିରେ ସାମିଲ ହେବା ପରେ କେବେ ମମତାଙ୍କୁ ଗାଳି ଗୁଲଜ କରି ନାହାନ୍ତି। ସେହିପରି ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡିବା ପରେ ସର୍ବସମ୍ମୁଖରେ ଟିଏମସି ଓ ମମତାଙ୍କୁ ଗାଳି ଗୁଲଜ କରିଛନ୍ତି। ତେଣୁ ଏହି ଗେରୁଆ ପାର୍ଟିର ନେତାକୁ ଟିଏମସି ଗ୍ରହଣ କରିବାକୁ ଏକ ପ୍ରକାର ରାଜି ଥିବା କୁହାଯାଉଛି। ନିକଟରେ ମୁକୁଲ ରୟଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଅଭିଷେକ ବାନାର୍ଜୀ ମୁକୁଲଙ୍କୁ ଭେଟିଥିଲେ। ତେଣୁ ଏହି ହାବଭାବ ବିଜେପି ପାଇଁ ଆଉ ଟିକିଏ ଚିନ୍ତାର ବିଷୟ ପାଲଟିଛି। ଅଭିଷେକ ଓ ମୁକୁଲ ଭେଟଘାଟ ସମୟରେ କ’ଣ କଥା ହୋଇଥିଲେ ତାହା ଦୁହେଁ ଜାଣିଛନ୍ତି। ହେଲେ ମୁକୁଲଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ବୁଝିବାକୁ ଆସିଥିଲେ ବୋଲି ଅଭିଷେକ କହିଥିଲେ। ଏହାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକୁଲଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ଏହି ସମୟରେ ମୁକୁଲଙ୍କ ସହ ପ୍ରଧାନମନ୍ତ୍ରୀ ରାଜନୀତିକ ଚର୍ଚ୍ଚା କରିଥିବା କୁହାଯାଉଛି। ଏହାପରେ ପରେ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ବିଜେପି ସାଂସଦ ଦିଲ୍ଲୀ ଆସିଛନ୍ତି। ହେଲେ ମୁକୁଲ ଦିଲ୍ଲୀ ଆସି ନାହାନ୍ତି। ଶୁଭେନ୍ଦୁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ସହିତ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଯଦିଓ ଶୁଭେନ୍ଦୁ କହିଛନ୍ତି ବିରୋଧୀ ଦଳର ଆସନରେ ବସିବା ପରେ ଏହି ବଡ ନେତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ହେଲେ ଅନ୍ୟ ବିଜେପି ନେତା ଦିଲ୍ଲୀ ଆସିବା ପଶ୍ଚିମବଙ୍ଗ ବିଜେପି ଆଗକୁ ଦୁଇ ଭାଗ ହୋଇପାରେ ବୋଲି କୁହାଯାଉଛି।

କାହିଁକି କଂଗ୍ରେସ ଛାଡ଼ିଲେ ଜିତିନ ପ୍ରସାଦ, ପଦ୍ମ ଧରିବା ପଛରେ କିଛି ଡିଲ ହୋଇଛି କି…?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କଂଗ୍ରେସର ବରିଷ୍ଠ ନେତା ତଥା ବ୍ରାହ୍ମଣ ଚେହେରା ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ବୁଧବାର ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଥିଲେ। ଏଥିସହ ସେ ପରବର୍ତ୍ତୀ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦଳରେ ମିଶିବାର ସୁଯୋଗ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ କାହିଁକି କଂଗ୍ରେସ ଛାଡ଼ିଲେ? ବିଜେପିରେ ମିଶିବା ପାଇଁ କେବେ ଠାରୁ ଅପେକ୍ଷା କରିଥିଲେ? କ’ଣ ବିଜେପି ସହ ସେ କିଛି ଡିଲ କରିଛନ୍ତି କି? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠିବା ଆରମ୍ଭ ହୋଇଛି। ଏସବୁର ଉତ୍ତର ନିଜେ ଜିତିପ ପ୍ରସାଦ ଦେଇଛନ୍ତି। ସେ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ କହିଛନ୍ତି, କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପାଇଁ ସେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କୌଣସି ପ୍ରକାରର ଡିଲ କରିନାହାନ୍ତି। ବିଜେପିରେ ସାମିଲ ହେବାକୁ ସେ ହଠାତ୍‌ ନିଷ୍ପତ୍ତି ନେଇନାହାନ୍ତି। ଦୀର୍ଘ ଦିନରୁ ସେ ଏହି ଦିନକୁ ଅପେକ୍ଷା କରି ବସିଥିଲେ। ତାଙ୍କ ପରିବାରର ୩ ପିଢ଼ି କଂଗ୍ରେସ ଦଳର ସେବା କରିଥିଲେ। କିନ୍ତୁ କଂଗ୍ରେସରେ ରହି କାମ କରିବା ଧୀରେଧୀରେ ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଥିଲା। ଏହି କାରଣରୁ ସେ ଦଳ ବଦଳ କରିଛନ୍ତି। ଜିତିନ କହିଛନ୍ତି, “ମୋତେ ଲାଗିଲା ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛନ୍ତି। ତେଣୁ ବିଜେପିରେ ରହି ମୁଁ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ପାଇପାରିବି। ଆମେ ସବୁବେଳେ ଜନତାଙ୍କ ସହ ରହିଥାଉ। ତେଣୁ ଆମେ ଜାଣିଛୁ ଲୋକମାନେ କ’ଣ ଚାହୁଁଛନ୍ତି।” ଜିତିନ ପ୍ରସାଦ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କିମ୍ବା ଦଳର କୌଣସି ନେତାଙ୍କ ସମ୍ପର୍କରେ ବିଶେଷ କିଛି କହିନାହାନ୍ତି। ସେ କହିଛନ୍ତି, “ଯୋଗୀ ଆଦିତ୍ୟନାଥଜୀଙ୍କ ସହ ରହି ଅଧିକ କାମ କରିପାରିବି। ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତା’କୁ ଠିକ ଭାବେ କରିବି। ବିଶେଷ କରି ବ୍ରାହ୍ମଣ ଚେତନା ମଞ୍ଚରେ ଅଧିକ କାମ ହେବ।” କ’ଣ କଂଗ୍ରେସ କିଛି କାମ କରିନି ବୋଲି ପ୍ରଶ୍ନରେ ଜିତିନ କହିଛନ୍ତି, “ମୁଁ କେବେ ହେଲେ କଂଗ୍ରେସ କିଛି କରିନାହିଁ ବୋଲି କହିନାହିଁ। ମୋତେ କଂଗ୍ରେସ ସରକାର ବେଳେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ସେତେବେଳେ ମୁଁ କାମ କରିଛି। କିନ୍ତୁ ମୋତେ ଲାଗୁଛି ବିଜେପି ଗୋଟିଏ ସଂଗଠିତ ଦଳ। ଅନ୍ୟ ଦଳଗୁଡ଼ିକରେ ବ୍ୟକ୍ତିବିଶେଷଙ୍କ ଦବଦବା ରହିଛି। ବ୍ୟକ୍ତିବିଶେଷଙ୍କ ଦବଦବା ଚାଲୁଥିବା ଦଳ ଠିକ ନୁହେଁ।”

ଆଜି ଶାହଙ୍କୁ ଭେଟିଲେ, କାଲି ମୋଦିଙ୍କୁ ଭେଟିବେ ଯୋଗୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଉତ୍ତର ପ୍ରଦେଶ ବିଜେପି ରାଜନୀତିରେ ସବୁ କିଛି ଠିକ ଠାକ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା କରିବାରେ ବିଫଳ ହୋଇଥିବାରୁ ତାଙ୍କ ଛବି ମଳିନ ହୋଇପଡ଼ିଛି। ବିଜେପି ଭିତରୁ ବି ଯୋଗୀଙ୍କ ବିରୋଧରେ ସ୍ୱର ଉଠୁଛି। ଏସବୁ ଭିତରେ ଆସନ୍ତାବର୍ଷ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦଳରେ ଚାଲିଥିବା କନ୍ଦଳକୁ ଦୂର କରିବାକୁ ବିଜେପି ନେତୃବୃନ୍ଦ ଲାଗି ପଡ଼ିଛନ୍ତି। ଖାସ ଏହି କାରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ସେ ରାଜ୍ୟର ସ୍ଥିତି ଓ ବିଜେପିର ରଣନୀତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜଣାଇବେ। ଗସ୍ତର ପ୍ରଥମ ଦିନରେ ଯୋଗୀ ଆଜି ଶାହଙ୍କ ବାସଭବନରେ ପହଞ୍ଚି ବୈଠକ କରିଛନ୍ତି। ଆସନ୍ତାକାଲି ସେ ମୋଦିଙ୍କୁ ଭେଟିବେ। ଯୋଗୀଙ୍କ କାର୍ଯ୍ୟ ଶୈଳୀକୁ ନେଇ ବିଜେପି ନେତୃବୃନ୍ଦ ଖୁସି ନଥିବା କୁହାଯାଉଛି। ଖାସ୍‌ ଏହି କାରଣ ପାଇଁ ଯୋଗୀଙ୍କ ଜୁନ୍‌ ୫ ତାରିଖ ଜନ୍ମଦିନରେ ମୋଦି, ଶାହ କିମ୍ବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭଳି ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଘଟଣାକୁ ନେଇ ରାଜନୀତିକ ପଣ୍ଡିତମାନେ ଭିନ୍ନଭିନ୍ନ ଆକଳନ କରୁଥିବା ବେଳେ ବିଜେପି କିନ୍ତୁ ଦଳୀୟ କନ୍ଦଳକୁ ଲୁଚାଇ ରଖିବାକୁ ଭରପୂର ଚେଷ୍ଟା କରିଛି। ଗତକାଲି ଉତ୍ତର ପ୍ରଦେଶର ବ୍ରାହ୍ମଣ ଚେହେରା ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ମିଶିଥିଲେ। ବ୍ରାହ୍ମଣ ସମାଜର ଲୋକ ଯୋଗୀଙ୍କ ଉପରେ ସନ୍ତୁଷ୍ଟ ନଥିବାରୁ ବିଜେପି ଜିତିନଙ୍କୁ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରିବ ବୋଲି କୁହାଯାଉଛି। ଏହି କାରଣରୁ ଯୋଗୀଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଥିବା ଜଣାପଡ଼ିଛି। ସେହିପରି ଆପନା ଦଳର ସାଂସଦ ଅନୁପ୍ରିୟା ପଟେଲ ମଧ୍ୟ ଆଜି ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଉତ୍ତର ପ୍ରଦେଶରେ ବିଜେପି କେମିତି କ୍ଷମତା ବଜାୟୀ ରଖିବ, ସେଥିପାଇଁ ସବୁ ପ୍ରକାରର ଚେଷ୍ଟା ଏବେଠାରୁ ଆରମ୍ଭ କରିଦେଇଥିବା କୁହାଯାଉଛି। ଦିଲ୍ଲୀ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ରାଜ୍ୟ ମହାସଚିବ ଇନ ଚାର୍ଜ ସୁନୀଲ ବଂଶଲଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ହେଲିକପ୍ଟରରେ ବଂଶଲ ଲକ୍ଷ୍ନୌରେ ପହଞ୍ଚିଥିଲେ। ତେଣୁ ବିଜେପି ମଧ୍ୟରେ ସବୁ କିଛି ଠିକଠାକ ଚାଲି ନଥିବା ଚର୍ଚ୍ଚା ହେଉଛି।

ଦର ବୃଦ୍ଧିକୁ ନେଇ ପ୍ରତିବାଦ: ମୋଦି, ଶାହ ଓ ଧର୍ମେନ୍ଦ୍ରଙ୍କ ପାଖକୁ ପଠାଗଲା ସାଇକେଲ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାଭୁ ଭିନ୍ନ ଶୈଳୀରେ ବିରୋଧ କରିଛି ଯୁବ କଂଗ୍ରେସ। ତୈଳଦର ବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ଅମିତ ଶାହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନୂଆ ବାଇସେଇକେଲ୍‌ କୋରିୟର କରାଯାଇଛି। ଏଥିସହ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବିଭିଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି। ମୋଦି, ଶାହ ଓ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଯୁବ କଂଗ୍ରେସର ସଦସ୍ୟମାନେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖକୁ ନୂଆ ସାଇକେଲ ପଠାଯାଇଛି। ଶ୍ରୀନିବାସ କହିଛନ୍ତି, ସରକାରଙ୍କୁ ଉପଯୁକ୍ତ ଆଇନା ଦେଖାଇବାକୁ ସାଇକେଲ ପଠାଯାଇଛି। ଭାରତ ସରକାର କ୍ରମାଗତ ଭାବେ ଦେଶବାସୀଙ୍କୁ ଝଟକା ପରେ ଝଟକା ଦେଇ ଚାଲିଛନ୍ତି। ବର୍ତ୍ତମାନ ସମୟରେ ବିଶ୍ୱର କୌଣସି ରାଷ୍ଟ୍ର ମୋଦି ସରକାରଙ୍କ ଭଳି ଲୋକଙ୍କ ଉପରେ ଅତ୍ୟାଚାର କରୁନାହାନ୍ତି। ଗତ ୫ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୪୩ ଥର ବୃଦ୍ଧି ପାଇଲାଣି। ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା ସେତେବେଳେ ପେଟ୍ରୋଲ ଓ ଡିଜେଲ ଦର ୫ ଟଙ୍କା ବୃଦ୍ଧି ଘଟିଲେ ରାଜରାସ୍ତାକୁ ଓହ୍ଲାଉଥିଲା। ହେଲେ ଏବେ ସବୁ କ୍ଷେତ୍ରରେ ଇନଫ୍ଲାସନ ଦେଖାଯାଉଥିଲେ ହେଁ ସମସ୍ତେ ଚୁପ ଅଛନ୍ତି। ନିଦରେ ଶୋଇଥିବା ସରକାରଙ୍କୁ ଆଜି ଯୁବ କଂଗ୍ରେସ ଉଠାଇବାକୁ ଚେଷ୍ଟା କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର କରିଗଲାଣି। ଡିଜେଲର ଲିଟର ପିଛା ଦାମ ୯୦ ଟଙ୍କା ଡେଇଁଛି। ବିଜେପି ସରକାର ଖୋଲାଖୋଲି ଲୁଟ କରୁଥିବା ବେଳେ ପୁଣିଥରେ ଦର ବୃଦ୍ଧି ପାଇଁ କଂଗ୍ରେସକୁ ଦାୟୀ କରୁଛି। ମୋଦି ସରକାରଙ୍କ ଲୋକଙ୍କ ବଜେଟ ଉପରେ ପ୍ରହାର କରିଛନ୍ତି। ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ୨୫.୭୨ ଟଙ୍କା ଓ ଡିଜେଲ ୨୩.୯୩ ଟଙ୍କା ମହଙ୍ଗା ହେଲାଣି। ତଥାପି ମୋଦି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଚାଷୀଙ୍କ ଠାରୁ ଯୁବକମାନେ ମାନ୍ଦାବସ୍ଥା ଯୋଗୁ ପ୍ରଭାବିତ। ଅଚ୍ଛେଦିନ ପାଇଁ ଲୋକମାନେ ମୋଦି ଓ ତାଙ୍କ ମନ୍ତ୍ରୀମାନଙ୍କୁ ଚୟନ କରିଥିଲେ। ହେଲେ ଲୋକଙ୍କ ବିଶ୍ୱାସକୁ ସରକାର ଭାଙ୍ଗି ଦେଇଛନ୍ତି। ମୋଦି ସରକାର ଏବେ ତୈଳ ଦର ଉପରେ ଲାଗୁଥିବା ସୀମା ଶ୍ଳୁକ ହ୍ରାସ କରିବା ସହ ବର୍ଦ୍ଧିତ ଦରକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

୪ ନୁହେଁ, ପୃଥିବୀରେ ଏଣିକି ୫ ମହାସାଗର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସମସ୍ତେ ଜାଣିଛନ୍ତି ପୃଥିବୀରେ ୭୧% ଜଳ ରହିଛି। ଭୂଗୋଳ ସଂପର୍କରେ ଜ୍ଞାନଥିବା ଲୋକମାନେ ପୃଥିବୀରେ ୪ଟି ମହାସାଗର ରହିଛି ବୋଲି ଭଲ ଭାବେ ଜାଣିଛନ୍ତି। ପିଲାଟି ବେଳକୁ ମଧ୍ୟ ସମସ୍ତେ ୪ଟି ମହାସାଗର କଥା ପଢ଼ିଛନ୍ତି। କିନ୍ତୁ ଏବେ ପୃଥିବୀ ପୃଷ୍ଠରେ ଆଉ ଗୋଟିଏ ମହାସାଗରର ପତ୍ତା ମିଳିଛି। ତେଣୁ ଏଣିକି ୪ ବଦଳରେ ପୃଥିବୀରେ ୫ ମହାସାଗର ହୋଇଯାଇଛି। ଦି ନ୍ୟାଶନାଲ ଜିଓଗ୍ରାଫି କାରଟୋଗ୍ରାଫର୍ସ ଏବେ ୫ମ ମହାସାଗର ଚିହ୍ନଟ କରିଛନ୍ତି। ଏହାର ନାଁ ଦକ୍ଷିଣ ମହାସାଗର। ଜୁନ୍‌ ୮ରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଇଥାଏ। ଏହି ଦିନ ହିଁ ନ୍ୟାଶନାଲ ଜିଓଗ୍ରାଫି ସୋସାଇଟି ନୂଆ ମହାସାଗର ସମ୍ପର୍କରେ କହିଛି। ୧୯୧୫ରୁ ନ୍ୟାଶନାଲ ଜିଓଗ୍ରାଫି ପୃଥିବୀର ମ୍ୟାପ ପ୍ରସ୍ତୁତ କରିଚାଲିଛି। ଏଯାଏ ଆମେ ଜାଣିଥିଲେ ଯେ ପୃଥିବୀରେ ଆଣ୍ଟଶର୍କଟିକା ମହାସାଗର, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର ଓ ଆର୍କଟିକ୍‌ ମହାସାଗର ରହିଛି। କିନ୍ତୁ ଏଣିକି ଏହି ତାଲିକାରେ ଦକ୍ଷିଣ ମହାସାଗର ଯୋଡ଼ି ହୋଇଯାଇଛି। ଏହି ଦକ୍ଷିଣ ମହାସାଗରକୁ ଆମେରିକା ଜିଓଗ୍ରାଫି ବୋର୍ଡ ଅନୁମୋଦନ କରିଛି। ଆଣ୍ଟାର୍କଟିକା ମହାସାଗରୁ ପାଣି ଅକ୍ଷାଂଶର ୬୦ ଡିଗ୍ରୀ ଦକ୍ଷିଣକୁ ଯାଇ ନୂଆ ମହାସାଗର ସୃଷ୍ଟି କରିଛି। ବୈଜ୍ଞାନିକମାନେ କହିଛନ୍ତି, ଦକ୍ଷିଣ ମହାସାଗର ହେଉଛି ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଥିବା ମହାସାଗର।ଦକ୍ଷିଣ ମହାସାଗର ୬୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ରେଖା ଉପରେ ପ୍ରବାହିତ ହୋଇଥାଏ। ଦକ୍ଷିଣ ମହାସାଗରର ଅଧିକାଂଶ ଅଂଶ ବରଫ ଆକାରରେ ରହିଥିଲା। କିନ୍ତୁ ଆଣ୍ଟାର୍କଟିକାରେ ଜଳବାୟୁ ପରବିର୍ତ୍ତନ ଯୋଗୁ ଏହାର ପ୍ରଭାବ ଦକ୍ଷିଣ ମହାସାଗର ଉପରେ ପଡ଼ିବା ଆରମ୍ଭ ହୋଇଛି।ଆଣ୍ଟାର୍କଟିକାର ଜଳ ପ୍ରବାହ ୩୪ ନିୟୁତ ବର୍ଷ ପୂର୍ବରୁ ପଶ୍ଚିମରୁ ପୂର୍ବରୁ ହେଉଥିଲା। ଏହା ଅକ୍ଷାଂଶର ୬୦ ଡିଗ୍ରୀ ଦକ୍ଷିଣରେ ରହୁଥିଲା। ଏହି ଅକ୍ଷାଂଶ ଏବେ ଦକ୍ଷିଣ ମହାସାଗରର ସୀମା ଭାବେ ବିବେଚନା କରାଯାଉଛି। ଏଠାରେ ପାଣି ବହୁତ ଥଣ୍ଡା ଓ କମ ଲୁଣିଆ।

ନିର୍ବାଚନୀ ଟ୍ରଷ୍ଟରୁ ବିଜେପି ପାଇଛି ୨୭୬ କୋଟି ଟଙ୍କା, ବିଜେଡିର ଆୟ କେତେ ଜାଣନ୍ତୁ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନିର୍ବାଚନୀ ଟ୍ରଷ୍ଟରୁ ବିଜେପି ଦାନ ଆକାରରେ ଅନ୍ୟାନ୍ୟ ସମସ୍ତ ରାଜନୀତିକ ଦଳଠାରୁ ସର୍ବାଧିକ ଆୟ କରିଛି। ଭାରତୀ ଏୟାରଟେଲ ଗ୍ରୁପ ଓ ଡିଏଲଏଫ ଲିଃର ପ୍ର୍ୟୁଡେଣ୍ଟ ନିର୍ବାଚନୀ ଟ୍ରଷ୍ଟ ୨୦୧୯-୨୦ରେ ବିଭିନ୍ନ ରାଜନୀତିକ ଦଳକୁ ମୋଟ ୨୭୧.୫ କୋଟି ଟଙ୍କା ଦେଇଛି। ଏହା ମଧ୍ୟରୁ କେବଳ ବିଜେପି ୮୦% ଅର୍ଥ ପାଇଛି। ଆର୍ଥିକ ବର୍ଷ ୨୦୧୯-୨୦୨୦ରେ ବିଭିନ୍ନ ରାଜନୀତି ଦଳ ସେମାନଙ୍କର ନିର୍ବାଚନ ଟ୍ରଷ୍ଟରୁ କେତେ ଟଙ୍କା ଆୟ କରିଛନ୍ତି, ତା’ର ତର୍ଜମା କରାଯାଇଥିଲା। ଏହାପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ବିଜେପି ୨୭୬.୪୫ କୋଟି ଟଙ୍କା ଆୟ କରିଛି। ଏହି ଅର୍ଥରୁ କେବଳ ପ୍ର୍ୟୁଡେଣ୍ଟ ନିର୍ବାଚନୀ ଟ୍ରଷ୍ଟ ବିଜେପିକୁ ୨୧୭.୭୫ କୋଟି ଟଙ୍କା ଦେଇଥିବା ବେଳେ ଜନ କଲ୍ୟାଣ ଟ୍ରଷ୍ଟ ୪୫.୯୫ କୋଟି, ଏବି ଜେନେରାଲ ନିର୍ବାଚନୀ ଟ୍ରଷ୍ଟ ୯ କୋଟି ଓ ୩.୭୫ କୋଟି ଟଙ୍କା ସମାଜ ନିର୍ବାଚନୀ ଟ୍ରଷ୍ଟ ଦେଇଛି। ଏହା ବିଜେପିର କେବଳ ନିର୍ବାଚନୀ ଟ୍ରଷ୍ଟରୁ ହୋଇଥିବା ଆୟ। ଏହା ବାଦ ବିଭିନ୍ନ ସୂତ୍ରରୁ ମଧ୍ୟ ଦଳ ଆୟ କରିଛି। ହେଲେ ଏହାର ତଥ୍ୟ ମିଳିନାହିଁ। କଂଗ୍ରେସ ତା’ର ନିର୍ବାଚନୀ ଟ୍ରଷ୍ଟରୁ ମାତ୍ର ୫୮ କୋଟି ଟଙ୍କା ପାଇଛି। ଏହା ମଧ୍ୟରୁ ପ୍ର୍ୟୁଡେଣ୍ଟ ଟ୍ରଷ୍ଟ ୩୧ କୋଟି ଟଙ୍କା ଦେଇଥିବା ବେଳେ ଜନକଲ୍ୟାଣ ୨୫ କୋଟି ଓ ସମାନ ନିର୍ବାଚନୀ ଟ୍ରଷ୍ଟ ୨ କୋଟି ଟଙ୍କା ଦାନ ଆକାରରେ ଦେଇଛି। ୨୦୧୯-୨୦ରେ ରାଜ୍ୟ ସ୍ତରରେ ସକ୍ରିୟ ଥିବା ୩୫ଟି ଅନୁମୋଦନ ପ୍ରାପ୍ତ ରାଜନୀତିକ ଦଳ ସେମାନଙ୍କ ବାର୍ଷିକ ଅଡିଟ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖରେ ଏବେ ସୁଦ୍ଧା ଦାଖଲ କରିଛନ୍ତି। ଏଥିରେ ସେମାନଙ୍କ ମୋଟ ଆୟ ସମ୍ପର୍କରେ ତଥ୍ୟ ରହିଛି। ଟିଆରଏସ୍‌ ସର୍ବାଧିକ ୧୩୦.୪୫ କୋଟି ଆୟ କରିଥିବା ବେଳେ ଏହା ପଛକୁ ଶିବସେନା ୧୧୧.୪ କୋଟି, ୱାଇଏସ୍‌ଆରସିପି ୯୨.୭ କୋଟି, ଓଡ଼ିଶାରେ କ୍ଷମତାସୀନ ବିଜେଡି ୯୦.୩୫ କୋଟି, ଏଆଇଏଡିଏମକେ ୮୯.୬ କୋଟି, ଡିଏମକେ ୬୪.୯୦ କୋଟି ଓ ଆପ ୪୯.୬୫ କୋଟି ଆୟ କରିଛି। ଏହି ଦଳଗୁଡ଼ିକ ୨୦୧୯-୨୦ରେ ନିର୍ବାଚନୀ ବଣ୍ଡରୁ ମଧ୍ୟ ଆୟ କରିଛନ୍ତି। ଟିଆରଏସ୍ ନିର୍ବାଚନୀ ବଣ୍ଡରୁ ୮୯ କୋଟି, ୱାଇଏସ୍‌ଆରସିପି ୭୪ କୋଟି, ବିଜେଡି ୫୦.୫ କୋଟି, ଡିଏମକେ ୪୫.୫ କୋଟି, ଶିବସେନା ୪୧ କୋଟି, ଆପ ୧୮ କୋଟି ଓ ସମାଜବାଦୀ ପାର୍ଟି ୧୧ କୋଟି ଟଙ୍କା ପାଇଛି। ଅନ୍ୟପକ୍ଷରେ ପ୍ରୋଗ୍ରେସିଭ ନିର୍ବାଚନୀ ଟ୍ରଷ୍ଟ କେଉଁ ଦଳକୁ କେତେ ଟଙ୍କା ଦେଇଛି ଜଣାପଡ଼ିଛି। ୨୦୧୮-୧୯ରେ ଏହି ଟ୍ରଷ୍ଟ ସର୍ବାଧିକ ଅର୍ଥ ଦାନ କରିଥିଲା।

୧୦ ଜୁନ୍‌, ଗୁରୁବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ନୂଆ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟର ହାତ ବଢ଼ାଇବେ।

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ବନ୍ଧୁମାନେ ଅପମାନିତ କରିପାରନ୍ତି।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ।

କର୍କଟ: ସୁସମାଚାର ଶୁଣି ଆନନ୍ଦିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ।

କନ୍ୟା: ଜଗରଖି ଚଳନ୍ତୁ। ବାଦବିବାଦରେ ଛନ୍ଦି ହୋଇପାରନ୍ତି। ସନ୍ତାନସନ୍ତତିଙ୍କ କର୍ମକୁ ନେଇ ଚିନ୍ତିତ ହେବେ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆୟ ମଧ୍ୟମ ଧରଣର ହେବ। ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

ବିଛା: ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ଧନୁ: ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଧନକୁ ନେଇ ପରିବାରରେ ବିବାଦ ଦେଖା ଦେଇପାରେ।

ମକର: ବହୁଦିନର ଆଶା ପୂରଣ ହେବ। ମାନସମ୍ମାନ ବଢ଼ିବ। ମହିଳାମାନେ ଆଦର ପାଇବେ।

କୁମ୍ଭ: ଅଟକି ଥିବା କାମକୁ ପୁଣି ଆରମ୍ଭ କରିବେ। ବ୍ୟବସାୟରେ ଆୟ ବଢ଼ିବ। ପୂର୍ବ ଯୋଜନାକୁ ପରିବର୍ତ୍ତନ କରି ପ୍ରଶଂସିତ ହେବେ।

ମୀନ: ଧନଲାଭ ଯୋଗ ରହିଛି। ସୁସ୍ଥ ରହିବେ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଯୋଜନା କରିବେ।