ଏକାମ୍ର କ୍ଷେତ୍ର ପାଇଁ ଏକାମ୍ର ପ୍ଲାନ୍‌: ସବୁ ନିଷ୍ପତ୍ତି ନେବ ପ୍ରକଳ୍ପ ପରାମର୍ଶଦାତା କମିଟି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଶ୍ୱର୍ ୮୦ଏକର ବିଶିଷ୍ଟ ଏକାମ୍ର କ୍ଷେତ୍ରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର, ଭିତ୍ତିଭୂମି ବିକାଶ ଓ ତୀର୍ଥ ଯାତ୍ରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଆଜି ଏକ ପ୍ରକଳ୍ପ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ରାଜ୍ୟ ସରକାର ପୁରୁଣା ଭୁବନେଶ୍ୱରସ୍ଥିତ ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ଓ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ‘ଏକାମ୍ର ପ୍ଲାନ’ ଅନ୍ତର୍ଗତ ଏହି କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏକାମ୍ର କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏକାମ୍ର ପ୍ଲାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ, ତଦାରଖ ଓ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସରକାର ଏକ ପ୍ରକଳ୍ପ ପରାମର୍ଶଦାତା କମିଟି ଗଠନ କରିଛନ୍ତି। କମିଟିରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ତଥା ବିର୍ଲା କାର୍ବନର ସିଇଓ ସନ୍ତୃପ୍ତ ମିଶ୍ର ଅଧ୍ୟକ୍ଷ ଥିବାବେଳେ ପୂର୍ତ୍ତ ସଚିବ, କେନ୍ଦ୍ରାଚଂଳ ଆରଡିସି, ବିଏମସି କମିଶନର, ଦେବୋତ୍ତର କମିଶନର,ଏଏସଆଇ ଭୁବନେଶ୍ୱର ସର୍କଲର ଅଧୀକ୍ଷକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଇନଚାର୍ଜ, ଭୁବନେଶ୍ୱର ଡିସିପି, ସଂସ୍କୃତି ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ, ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁ, ସରକାରଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ୩ଜଣ ସେବାୟତ ଏବଂ ଐତିହ୍ୟ ଓ ସଂସ୍କୃତି କ୍ଷେତ୍ରର ୨ଜଣ ବିଶେଷଜ୍ଞ, କୀର୍ତ୍ତିରାଜିର ସଂରକ୍ଷଣରେ ଅଭିଜ୍ଞତା ଥିବା ୨ଜଣଙ୍କୁ ଏହି କମିଟିରେ ସଦସ୍ୟ ରଖାଯିବ। ଏହି କମିଟିର ସଦସ୍ୟ ଆବାହକ ଭାବେ ଓବିସିସି ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ କରିବେ। କମିଟିର ଅଧ୍ୟକ୍ଷ ଚାହିଁଲେ ଯେକୌଣସି ଅଧିକାରୀ, ବିଶେଷଜ୍ଞ କିମ୍ବା ସାଧାରଣ ଲୋକଙ୍କୁ ଡାକି ପ୍ରକଳ୍ପ ସଂକ୍ରାନ୍ତ ପ୍ରସଙ୍ଗରେ ଆଲୋଚନା କରିପାରିବେ। କିମ୍ବା ବୈଠକରେ ଭାଗ ନେବାକୁ ଡାକିପାରିବେ। ସରକାରଙ୍କ ଦ୍ୱାରା କମିଟିକୁ ମନୋନୀତ ହେବାକୁ ଥିବା ସଦସ୍ୟଙ୍କ ନାଁ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଜାରି କରାଯିବ। ଏହି ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ନିୟମିତ ବ୍ୟବଧାନରେ ବସି ପ୍ରକଳ୍ପ ଅଂଚଳର ବିକାଶ ସଂକ୍ରାନ୍ତ ପ୍ରସଙ୍ଗକୁ ଚୂଡ଼ାନ୍ତ କରିବେ। ଏହି ପ୍ରକଳ୍ପ ଅଂଚଳରେ ସମସ୍ତ ଯୋଜନା, ପ୍ରକଳ୍ପ, ପଦକ୍ଷେପ ମଧ୍ୟ ଉକ୍ତ ପ୍ରକଳ୍ପ ପରାମର୍ଶଦାତା କମିଟି ଦ୍ୱାରା ଅନୁମୋଦନ ହେବା ଜରୁରୀ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ କରିବା ସହ ଘରୋଇ ଲୋକମାନଙ୍କ ଜମିକୁ ଏବେ ଅଧିଗ୍ରହଣ କରୁଛନ୍ତି। ତେବେ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ମୋଦିଙ୍କୁ ପ୍ରଶଂସା କଲେ ନବୀନ, ଦେଲେ ଧନ୍ୟବାଦ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କେନ୍ଦ୍ର ସରକାର କୋଭିଡ୍ ଟିକା ଦେବେ ବୋଲି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଆସନ୍ତା ଜୁନ ୨୧ରୁ ରାଜ୍ୟଗୁଡ଼ିକୁ ମାଗଣା ଟିକା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କୋଭିଡ୍ ଟିକାକରଣକୁ ଏକ ଜାତୀୟ ମିଶନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ। ସମସ୍ତଙ୍କର ଟିକାକରଣ ନହେବା ପର୍ଯ୍ୟନ୍ତ କେହି ନିରାପଦ ନୁହଁନ୍ତି। କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ ଦେଶ ପାଇଁ ଆମେ ସମସ୍ତେ ଏକଜୁଟ ହୋଇଛେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାକୁ ୨ଘଣ୍ଟା ନପୁୁରୁଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶଂସାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ସପ୍ତାହରେ ଦେଶର ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଜେ ଟିକା କ୍ରୟ କରନ୍ତୁ ବୋଲି ଦାବି କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମେତ ରାଜସ୍ଥାନ ସରକାର ମଧ୍ୟ କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡ଼ିକୁ ଦିଅନ୍ତୁ ବୋଲି ଦାବି କରିଥିଲେ। ଏପରିକି ଓଡ଼ିଶା ସରକାର ମଧ୍ୟ ରାଜ୍ୟ ପାଇଁ ଆବଶ୍ୟକ ହେଉଥିବା ଟିକା କ୍ରୟ ବାବଦ ଅର୍ଥ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ। ଅବଶ୍ୟ ଏବେ କେନ୍ଦ୍ର ସରକାର ନିଜ ଆଡ଼ୁ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବାରୁ ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ବୋଝ ହ୍ରାସ ପାଇବ ଓ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି।

କେବଳ ମିଡିଆରେ ମିଛ କଥା କହି ବାହାସ୍ଫୋଟ ମାରିଲେ ହେବନାହିଁ…..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଟିକା ନାଁରେ ବିଜେଡି ଭ୍ରାନ୍ତ ତଥ୍ୟ ଦେଇ ମିଥ୍ୟା ବାହାସ୍ଫୋଟ ମାରୁଥିବା ଅଭିଯୋଗ ଆସିଛି। ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ। ଟିକାକରଣ ଆରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାବାସୀଙ୍କ ପାଇଁ ଟିକା ସମସ୍ୟା ରହିବ ନାହିଁ। ଗତ ଏପ୍ରିଲରେ ଖୋଲା ବଜାରରେ ଟିକା ମିଳୁ ବୋଲି ଚିଠି ଲେଖିଥିଲେ। ତାପରେ ୨ ହଜାର କୋଟି ଖର୍ଚ୍ଚ କରି ଟିକା ଆଣିବାକୁ ଟୁଇଟ କରିଥିଲେ। ୧୮ରୁ୪୪ ବର୍ଷ ପାଇଁ ଟିକା ଅଭାବ ରହିବ ନାହିଁ ବୋଲି କହିଥିଲେ। ଏହା ପରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ବିଜେପି ଯୁବ ମୋର୍ଚ୍ଚା ଦାବି କରିଥିଲା ମାତ୍ର ଏ ଯାଏ କିଛି ବ୍ୟବସ୍ଥା କରାଯାଇ ନଥିବା ଇରାଶିଷ ଅଭିଯୋଗ କରିଛନ୍ତି। କେବଳ ମିଡିଆରେ ମିଛ କଥା କହି ବାହାସ୍ଫୋଟ ମାରିଲେ ହେବନାହିଁ। ସମସ୍ତଙ୍କୁ ଟିକାକରଣ କରିବାର ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ଇରାଶିଷ କହିଛନ୍ତି। ସେହିପରି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କଥା କହି କାହିଁକି ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

୮ ଜୁନ୍, ମଙ୍ଗଳବାର – ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଯେକୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ମିଳିବ।

ବୃଷ: ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ଓ ଆୟ ବୃଦ୍ଧି ପାଇବ।

ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବେ। ମାନସମ୍ମାନ ବଢ଼ିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ।

କର୍କଟ: ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ମିତ୍ର ଭଳି ଆଚରଣ କରିବେ।

ସିଂହ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଯାତ୍ରା କରନ୍ତୁ ନାହିଁ। ସମସ୍ତଙ୍କ ସହିତ ସୁସଂପର୍କ ରକ୍ଷା କରିବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ଘର କିଣିବାକୁ ସୁଯୋଗ ଆସିପାରେ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳିବ।

ତୁଳା: ବିଦେଶରୁ ଶୁଭ ଖବର ମିଳିପାରେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।

ବିଛା: ସୁସ୍ଥ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

ଧନୁ: ଦିନଟି ଭଲରେ କଟିବ। ମାନସମ୍ମାନବୃଦ୍ଧି ହେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ବିବାଦର ସମାଧାନ ହେବ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ମହିଳାମାନେ ସବୁଠି ଆଦର ଓ ସମ୍ମାନ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

କୁମ୍ଭ: ବ୍ୟବସାୟରେ ନୂତନ ଯୋଜନା ପ୍ରୟୋଗ କରି ଭଲ ଲାଭ କରିବେ। ସୁସମ୍ବାଦ ମିଳିପାରେ। କାହା ସହିତ ଝଗଡ଼ା ହୋଇପାରେ।

ମୀନ: ଅଳସୁଆ ଲାଗିବ। କିଛି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପରିବାରରେ କାହାସହ ଯୁକ୍ତିତର୍କ ହୋଇପାରେ।