ରାହାଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି, କେବେ ହେବ ଡାକ୍ତର ନିଯୁକ୍ତି ?

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡ଼l ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି ପଡିଛି ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା କୁମ୍ଭାରଗାଁ , ଅଙ୍ଗାରଗାଁ ,ତାଳସର, ଷଣ୍ଢମୂଳ ଆଦି ପଞ୍ଚାୟତ ର ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ରୋଗୀ ସେବା ପାଇବାରୁ ବଞ୍ଚିତ ହେବାକୁ ଏଡ଼ାଇ ଦିଆଯାଇ ନ ପାରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦୈନନ୍ଦିନ ଶତାଧିକ ରୋଗୀ ନିଜର ଚିକିସ୍ଥା ନିମନ୍ତେ ଆସନ୍ତି କିନ୍ତୁ ପରିତାପର ବିଷୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି ପଡିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଏମ୍ ବି ବି ଏସ୍ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସୀଷ୍ଟି, ଜଣେ ଏ ଏନ୍ ଏମ୍, ଜଣେ ଏଲ୍ ଟି କାର୍ଯ୍ୟରତ ଥିବା ବେଳେ ସୂଚନା କ୍ରମେ ଏବେ କିଛିଦିନ ହେଲା ଏଠି କାର୍ଯ୍ୟରତ ଆୟୁଷ ଡାକ୍ତର ଙ୍କ ସ୍ୱାସ୍ଥ୍ୟ ଗତ ଅସୁବିଧା ଯୋଗୁଁ ସେ କାର୍ଯ୍ୟ ରେ ଯୋଗ ଦେଉନାହାନ୍ତି । ଏଥିସହିତ ଏମ୍ ବି ବି ଏସ୍ ଡାକ୍ତର ଚାକିରି ଛାଡି ବା ରେଜିଗ୍ନେଶନ ଦେଇ ପଳାଇଛନ୍ତି । ବର୍ତ୍ତମାନ କରୋନା ସମୟରେ ଦୈନନ୍ଦିନ ଶତାଧିକ ରୋଗୀ ମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସନ୍ତି । ଏମ୍ ବି ବି ଏସ୍ ଡାକ୍ତର ନ ଥିବା ହେତୁ ବହୁ ରୋଗୀମାନେ ଏହି ସ୍ଵାସ୍ଥ୍ୟକେନ୍ଦ୍ର କୁ ଆସିବାକୁ ମଧ୍ଯ ମନ ବଳାଉ ନ ଥିବାର ମଧ୍ଯ ନଜର କୁ ଆସିଛି । ଏଥି ସହିତ ରୋଗୀ ମାନେ ଦୂର ଦୂରାନ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସୂଚନାରୁ ପ୍ରକାଶ ଯେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ରାହାଡା ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ପ୍ରଚେଷ୍ଟା କ୍ରମେ ୧୯୯୧ ମସିହାରେ ସ୍ଥାପିତ ହୋଇଥିଲା । ଏବେ ଅଳ୍ପ ଦିନ ତଳେ ଏଠି କାର୍ଯ୍ୟରତ ଏମ୍ ବି ବି ଏସ୍ ଡାକ୍ତର ଙ୍କ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାକିରୀ ନିଯୁକ୍ତି ଯୋଗୁ ସେ ଏଠାରୁ ଚାକିରି ଛାଡିଥିବା ଜଣାପଡିଛି । ଏହି ସ୍ବାସ୍ଥକେନ୍ଦ୍ର ଟି ହାଇଦ୍ରାବାଦ ର କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ବୋଲି ସୂଚନା ମିଳିଛି । ଦେଖାଯାଉ ଏଠାରେ କେବେ ଡାକ୍ତର ନିଯୁକ୍ତି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏ ଦିଗରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷ ମାନେ କଣ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ସେ ନେଇ ଜନସାଧାରଣ ମଧ୍ୟରେ ଉତ୍କଣ୍ଠା ଦେଖାଯାଇଛି । ଡାକ୍ତର ନିଯୁକ୍ତି ନେଇ ସି ଡି ଏମ୍ ଓ ଏବଂ ଟ୍ରଷ୍ଟ କର୍ତ୍ତୁପକ୍ଷ ଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।

କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ଚାଉଳ ବଣ୍ଟନ କୁ ନେଇ ଉତ୍ତେଜନା। ବସ୍ତାରେ କମୁଛି ଚାଉଳ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – କରୋନା ଯୋଗୁଁ ବିଦ୍ୟାଳୟ ଗୁଡିକ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ସରକାରଙ୍କ ଖାଦ୍ୟ ନିରାପତ୍ତା ଆଇନ ରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ ପାଇଁ ନିର୍ଦେଶ ଆସିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଜି ଅଭିଭାବକଙ୍କୁ ଚାଉଳ ଦେଉଥିବା ସମୟରେ ଚାଉଳ କମ ଦେଉଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ ଓ ଚାଉଳ ସଠିକ ପରିମାଣରେ ଦେବା ପାଇଁ ଅଡ଼ି ବସିବା ସହ ବିଦ୍ୟାଳୟକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅସୁନଥିବା ନେଇ ଅଭିଯୋଗ କରି ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗିରହିଥିଲା ଓ ପରେ ଅଭିଭାବକ ମନେ ଧାରଣାରେ ବସିଥିଲେ।ଚାଉଳ ଆସୁଥିବା ଅଖାରେ ଚାଉଳ ପରିମାଣ କମ ରହୁଥିବା ଯୋଗୁଁ ପିଲାଙ୍କୁ କମ ଦିଆଯାଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ଦାଶ ପ୍ରକାଶ କରିଥିବା ବେଳେ ସେ ପିଲାଙ୍କୁ ଏଇଥିପାଇଁ ଚାଉଳ କମାଇ ଦେଉଛନ୍ତି ବୋଲି କହିଥିଲେ ବି ଲୋକ ବୁଝିନଥିଲେ। ଠିକ ଓଜନ କରି ଚାଉଳ ନ ଦେଲେ ଆମେ ଚାଉଳ ନେବୁ ନାହିଁ ବୋଲି ଅଭିଭାବକ କହି ଧାରଣାରେ ବସିବା ସହ ଉପରିସ୍ଥ କର୍ମଚାରୀ ଙ୍କୁ ଜଣାଇ ଥିଲେ । ଖବର ପାଇ ମର୍ଦକୋଟ କ୍ଲଷ୍ଟର ସି ଆର ସି ସି ରବି ନାରାୟଣ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଓ ତାଙ୍କ ଉପସ୍ଥିତିରେ ଲୋକଙ୍କ ଆଗରେ ୫ଟି ଚାଉଳ ବସ୍ତା ଓଜନ କରାଯିବା ପରେ ପ୍ରତି ବସ୍ତାରେ ପାଖାପାଖି ୫ ରୁ ୬ କିଲୋ କମ ଥିବା ଜଣାପଡି ଥିଲା । ଏହାପରେ ଆସନ୍ତା କାଲି ଠାରୁ ସମସ୍ତଙ୍କୁ ଠିକ ଭାବରେ ଓଜନ କରି ଦେବା ଦେବା ସହ ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକ କରି ଅନ୍ୟାନ୍ୟ ବିଷୟ ଆଲୋଚନା କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ପାଳି କରି ଛୁଟି ସମୟରେ ପ୍ରତିଦିନ ଆସିବା ପାଇଁ ନିଷ୍ପତ୍ତି ପରେ ଅଭିଭାବକ ଧାରଣା ସ୍ଥଳ ରୁ ଉଠିଥିଲେ । ଚାଉଳ ବସ୍ତାରୁ ୫/୬ କିଲୋ ଚାଉଳ କମୁଥିବା ବେଳେ ବିଦ୍ୟାଳୟ କାହିଁକି କମ ପରିମାଣର ଚାଉଳ ଗ୍ରହଣ କରୁଛନ୍ତି।ଏପରିକି ଚାଉଳ ଓଜନ କରି ରଖିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶନ।ମା ଥାଇ ଠିକା ନେଇଥିବା ସଂସ୍ଥା ଚାଉଳ ଦେବା ବେଳେ ନିକିତି ସାଥିରେ ନେଇ ଓଜନ କରି ଦେବା ପାଇଁ ନିର୍ଦେଶ ଥିବା ବେଳେ ବସ୍ତାରେ ଏତେ ପରିମାଣରେ ଚାଉଳ କାହିଁକି କମୁଛି ତାହା ସନ୍ଦେହ ସୃଷ୍ଟି କରିଛି । ନଚେତ ଶିକ୍ଷକ ବଳି ପଡିବାର ଆଶଙ୍କା ରହିଛି। ଏହା ସହିତ ଚାଉଳ ଯୋଗାଣ ସମୟରେ ଓଜନ କରି ଚାଉଳ ଦେବା ପାଇଁ ଦାବୀ ହୋଇଛି।

କଥା ରଖିଲେ ସଲମାନ୍‌ ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – କଥା ଦେଇ କଥା ରଖିଲେ ବଲିଉଡର ଭାଇଜାନ୍ ସଲମାନ୍  ପୂରଣ କଲେ ଦେଇଥିବା ପ୍ରତିଶ୍ରୁତି। ସେ ଯାହା କହନ୍ତି, ତାହା କରି ଦେଖାନ୍ତି । ଥରେ କମିଟମେଣ୍ଟ କରିଛନ୍ତି ମାନେ ତା’ପରେ ସେ ନିଜ କଥା ବି ଶୁଣନ୍ତି ନାହିଁ। ଏବେ ମଧ୍ୟ ସେମିତି କିଛି ଦେଇଥିବା କଥା ରଖିଛନ୍ତି ସଲମାନ। କରୋନା ସମୟରେ ସଲମାନଙ୍କ ଉଦାର ହୃଦୟ ଓ ପ୍ରତିଶ୍ରୁତି ପାଳନ ବଲିଉଡର ଅନ୍ୟ ଷ୍ଟାରମାନଙ୍କ ପାଇଁ ଉଦାହରଣ ପାଲଟିଛି। ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଲମ୍ଫ ମାରି ଚାଲିଛି। ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ୍ ଜାରି ରହିଛି। ମାୟାନଗରୀ ମୁମ୍ବାଇରେ ମଧ୍ୟ ଲାଗି ରହିଛି ସମାନ ସ୍ଥିତି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଲକ୍‌ଡାଉନ୍ ଲଗାଇଛନ୍ତି ଠାକରେ ସରକାର। ଏଭଳି ସ୍ଥିତିରେ କୋଭିଡ କଟକଣା ଯୋଗୁଁ ବନ୍ଦ ହୋଇପଡିଛି ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ। ସୁଟିଂ ବନ୍ଦ ରହିିଛି, ଆଉ ହାତ ବାନ୍ଧି ବସିଛନ୍ତି କଳାକାର। କେବଳ କଳାକାର ନୁହନ୍ତି, ସୋମନାଙ୍କ ଟେକ୍‌ନ୍‌ସିଆନ୍‌, ମେକ୍‌ଅପ୍ ଆର୍ଟିଷ୍ଟ ଓ ୟୁନିଟ୍‌ର ପ୍ରାୟ ସମସ୍ତ କର୍ମଚାରୀଙ୍କ ରୋଜଗାର ଠପ୍ ହୋଇଯାଇଛି। ସିନେ ଇଣ୍ଡଷ୍ଟ୍ରୀର ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସେମାନଙ୍କ ବଜରଙ୍ଗୀ ଭାଇଜାନ। କିଛି ଦିନ ତଳେ ୨୫ ହଜାର ସିନେ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସଲମାନ । ଦେଇଥିବା ପ୍ରତିଶ୍ରୁତିକୁ ଏବେ ପାଳନ କରିଛନ୍ତି ସେ। ସମସ୍ତ ୨୫ ହଜାର କର୍ମଚାରୀଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏଁ ପଠାଇଛନ୍ତି ସଲମାନ୍। ଏନେଇ ସ୍ପଷ୍ଟ କରିଛନ୍ତି FWICE ପ୍ରେସିଡେଣ୍ଟ ବି.ଏନ୍ ତିୱାରୀ।

ଭାରତ ଉପରକୁ ଉଠୁଛି, ଖସୁଛି ପାକିସ୍ତାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପାକିସ୍ତାନର ପୂର୍ବତନ କ୍ରିକେଟର୍ ରଶିଦ୍ ଲତିଫ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ସଲାମ୍ କରିଛନ୍ତି। ବିସିସିଆଇର ରଣନୀତି କାରଣରୁ ଆଜି ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏପରିକି ୨୦୧୦ ପରଠାରୁ ଟିମ୍ ଇଣ୍ଡିଆ ଉପରକୁ ଉଠି ଚାଲିଥିବା ବେଳେ ପାକିସ୍ତାନ କ୍ରିକେଟର ସ୍ତର ଖସିବାରେ ଲାଗିଥିବା ଲତିଫ୍ କହିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲରେ ରଶିଦ୍ ଲତିଫ୍ କହିଛନ୍ତି ଯେ କାହିଁକି ଟିମ୍ ଇଣ୍ଡିଆ ଏତେ ସଫଳ ହୋଇ ପାରିଛି ଏବଂ ପାକିସ୍ତାନରେ ଏମିତି କ’ଣ ଅଭାବ ରହିଛି, ଯେଉଁକାରଣରୁ ସେମାନଙ୍କର ସ୍ତର ଲଗାତର ଖସୁଛି। ମାଇଁ ମାଷ୍ଟର୍ କ୍ରିକେଟ୍ କୋଚ୍ ନାମକ ୟୁଟ୍ୟୁବ୍ ଚାନେଲରେ ଲତିଫ୍ କହିଛନ୍ତି, ୨୦୧୦ ପରେ ଭାରତୀୟ ଟିମ୍ ଅନେକ ଉପରକୁ ଯାଇଛି, କିନ୍ତୁ ପାକିସ୍ତାନ ତଳକୁ ତଳକୁ ଖସୁଛି। ଆମର କୋଚମାନେ ଟେକନୋଲୋଜି ସହାୟତାରେ ଖେଳାଳି ଖୋଜିଲେ ନାହିଁ ବରଂ ଆମେ ସେମାନଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରୁଛୁ। ଆଇପିଏଲ୍ ସମ୍ପୂର୍ଣ୍ଣ ପରିସଂଖ୍ୟାନ ଆଧାରରେ ଚାଲୁଛି ଏବଂ ଏହି କାରଣରୁ ଭାରତରେ ପ୍ରତିଭା ଭରପୂର ବାହାରୁଛନ୍ତି। ଏହାବ୍ୟତୀତ ବିଦେଶୀ କୋଚ୍ ମଧ୍ୟ ଭାରତୀୟ ଖେଳାଳିଙ୍କର ଖୁବ୍ ସହାୟତା କରିଛନ୍ତି। ଲତିଫ୍ ଆଇପିଏଲକୁ ନେଇ ବିସିସିଆଇକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆଇପିଏଲ୍ ଭାରତୀୟ କ୍ରିକେଟ୍ ଟିମକୁ ଏକ ଅଲଗା ସ୍ତରରେ ପହଞ୍ଚାଇଛି। ଭାରତର ପୂର୍ବତନ ଖେଳାଳି ଓ ବିଦେଶୀ କୋଚଙ୍କଠାରୁ ଭାରତୀୟ ଖେଳାଳିମାନେ ବହୁତ କିଛି ଶିଖିଛନ୍ତି। ଯାହାକି ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ତଫାତ୍। ଆମେ ପୂର୍ବତନ ପାକିସ୍ତାନୀ ଖେଳାଳିଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଉଛୁ, ଯେଉଁମାନଙ୍କୁ ପିଏସଏଲର ଟିମ୍ ନିଜ ସହ ରଖୁ ନାହାନ୍ତି। ଏହାହିଁ ବଡ଼ ସମସ୍ୟା। ସୂଚନାଯୋଗ୍ୟ, ଭାରତୀୟ ଟିମ୍ ପାଖରେ ପ୍ରତିଭାର ଭଣ୍ଡାର ରହିଛି ଏବଂ ସେମାନେ ଏକାସାଙ୍ଗରେ ଦୁଇ ଦେଶ ସହ ସିରିଜ୍ ଖେଳିବାକୁ ଯାଉଛି। ଭାରତର ଏକ ଟିମ୍ ଇଂଲଣ୍ଡ ଗସ୍ତରେ ଅଛି। ଅନ୍ୟପକ୍ଷରେ ସେମାନଙ୍କର ଆଉ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବ। ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ତା’ର ବେଞ୍ଚ୍ ଷ୍ଟ୍ରେନ୍ଥର ଦମ୍ ଦେଖାଇଛି। ଆଗଧାଡ଼ିର ଖେଳାଳି ଆହତ ହେବା ସତ୍ତ୍ୱେ ଟିମ୍ ଇଣ୍ଡିଆ ୨-୧ରେ ଟେଷ୍ଟ ସିରିଜ୍ ଜିତିଲା। ଅଷ୍ଟ୍ରେଲିଆ ଗସ୍ତରେ ଶୁବମନ୍ ଗିଲ୍, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ୍ ଓ ଟି. ନଟରାଜନଙ୍କ ଭଳି ଖେଳାଳି ନିଜର ଦମ୍ ଦେଖାଇଛନ୍ତି ।

୨୦୨୦ ତୁଳନାରେ ୬୫% ଅଧିକ ଜିଏସ୍‌ଟି ସଂଗ୍ରହ, ମେ’ ମାସର ତଥ୍ୟ ଜାଣନ୍ତୁ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ  ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି । ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଆଇଜିଏସଟି ବାବଦରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ସଂଗୃହୀତ ୨୬,୦୦୨ କୋଟିର ଆଇଜିଏସ୍‌ଟି ରହିଛି। କେନ୍ଦ୍ରୀୟ ଜିଏସଟି ଏହି ସମୟସୀମା ମଧ୍ୟରେ ୧୭,୫୯୨ କୋଟି ରହିଛି। ରାଜ୍ୟର ଜିଏସଟି ପରିମାଣ ୨୨,୬୫୩ କୋଟି । ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ମାସରେ ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୮୬୮ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି ।

ଜୁନ ୧୦ରେ ସୂର୍ଯ୍ୟ ପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବନି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜୁନ ୧୦ ତାରିଖରେ ହେବାକୁ ଯାଉଛି ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ। ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଦିଶିବ। ତେବେ ଓଡ଼ିଶାରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଇଛି।  ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ପରାଗ ହେବ। ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍‌ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍‌ ନୁହେଁ। ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ। ମନ୍ଦିର ମଧ୍ୟ ବନ୍ଦ ରୁହେ । ଏହି ସୂର୍ଯ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ। ଭାରତରେ ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ । ସୂର୍ଯ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ। ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ। ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ ।

ଏଣିକି ଘରେ ଯୋଗାଇ ଦିଆଯିବ ଅକ୍ସିଜେନ୍ କନସେଣ୍ଟ୍ରେଟର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ସଂକଟ ଦେଖା ଦେଇଛି। ତେବେ ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ଉଠାଇଛି । ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବିଏମସି। ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇ ଦେଇଛନ୍ତି। ଅକ୍ସିଜେନ୍ କନସେଣ୍ଟ୍ରେଟର ନେଇ ଲୋକଙ୍କୁ ବୁଝାଇବା ପାଇଁ କଲସେଣ୍ଟର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବିଏମସି ପକ୍ଷରୁ ୧୫ ଦିନ ହେଲା ସ୍ୱତନ୍ତ୍ର ଅଭିଯାନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ଚାଲିଥିବା ବେଳେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ତ୍ୱରାନ୍ୱିତ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୩୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭.୨୪ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି। ବିଏମସିରୁ ଗତକାଲି ୭୫୩ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ବିଜେପିରେ ମିଶିଥିବା ନେତା ଏବେ ଟିଏମସିକୁ ଫେରିବାକୁ ବିକଳ, ନିଷ୍ପତ୍ତି ନେବେ ମମତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଅଧିକାଂଶ ନେତା ଏବେ ଘରାବାହୁଡ଼ା ପାଇଁ ଉଦ୍ୟମ କରୁଛନ୍ତି। ସେମାନେ ଟିଏମସିରେ ମିଶିବାକୁ ବିକଳ ହେଉଥିବା ବେଳେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ତେବେ ଟିଏମସି ସୁପ୍ରିମୋ କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ଦଳରେ ପୁନଃ ସାମିଲ କରିବାକୁ ଚାହୁଁଛନ୍ତି। କାରଣ ୨୦୨୪ ଲୋକସଭା ନିର୍ବାଚନ ବେଳେ ଏହାର ପ୍ରଭାବ କ୍ୟାଡରଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେଣୁ ମମତା ଭାବିଛିନ୍ତି ଗୋଟି ଚାଳନା କରୁଛନ୍ତି। ଜଣେ ବରିଷ୍ଠ ଟିଏମସି ନେତା ନିଜ ନାଁ ଗୋପନରଖି କହିଛନ୍ତି, ନେତାଙ୍କ ଘର ବାହୁଡ଼ା ଉପରେ ନିଷ୍ପତ୍ତି କେବଳ ଟିଏମସି ସୁପ୍ରିମୋ ନେବେ। ବର୍ତ୍ତମାନ ଆମେ କୋଭିଡ-୧୯ ମହାମାରୀ ଓ ବାତ୍ୟା ୟାସର କ୍ଷୟକ୍ଷତିରେ ପ୍ରଭାବିତଙ୍କୁ ଥଇଥାନ କରିବାରେ ଲାଗିଛୁ। ଏହି କାମ ସରିବା ପରେ ବିଜେପିରୁ ଟିଏମସିକୁ ଆସିବାକୁ ଚାହୁଁଥିବା ନେତାଙ୍କ ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ଏକାଧିକ ବିଧାୟକ ଏବେ ଟିଏମସି ଛାଡ଼ିବା ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି। ଏମାନଙ୍କ ମଧ୍ୟରେ ଦୀପେନ୍ଦୁ ବିଶ୍ୱାସ ଓ ସୋନାଲି ଗୁହା ମଧ୍ୟ ରହିଛନ୍ତି। ସେମାନେ ଟିଏମସିକୁ ଚିଠି ଲେଖି ପୁଣି ଦଳକୁ ଫେରିବାକୁ ଚାହୁଁଥିବା କହିଛନ୍ତି। ଏକଦା ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଗୁହା କ୍ୟାମେରା ଆଗରେ ବିଜେପିରେ ମିଶିଥିବାରୁ ଅନୁତାପ କରିଥିଲେ। ଏଥିସହ ଦିଦି ତାଙ୍କୁ କ୍ଷମା କରି ଦିଅନ୍ତୁ ବୋଲି କହିଥିଲେ। ଦକ୍ଷିଣ ୨୪ ପ୍ରଗଣାର ସନ୍ତଗାଛିରୁ ୪ଥର ବିଧାୟକ ହୋଇଥିବା ଗୁହା ଚିଠି ଲେଖି ଦିଦିଙ୍କ ବିନା ସେ ବଞ୍ଚିପାରିବେନି ବୋଲି କହିଥିଲେ। ଅନ୍ୟପକ୍ଷରେ ଟିଏମସିର ଅନ୍ୟତମ ପ୍ରତିଷ୍ଠାତା ମୁକଲ ରୟ ମଧ୍ୟ ବିଜେପି ଛାଡ଼ି ଦଳକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହସ୍ପିଟାଲରେ ଥିବା ମୁକଲ ରୟଙ୍କ ପତ୍ନୀଙ୍କୁ ଭେଟିବା ସହ ତାଙ୍କ ପୁଅ ସହ ମଧ୍ୟ କଥା ହୋଇଥିଲେ। ତେଣୁ ସେ ମଧ୍ୟ ଟିଏମସିକୁ ଫେରିବାର ସମ୍ଭାବନା ରହିଛି।

ରାମ ମନ୍ଦିର ସହ ରାଷ୍ଟ୍ରବାଦକୁ ମିକ୍ସ କରି ଲୋକଙ୍କୁ ନିଜ ଆଡ଼କୁ ଆଣିବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବା ବେଳେ ଦଳ ଉତ୍ତର ପ୍ରଦେଶରେ କେମିତି କ୍ଷମତା ପୁଣି ଦଖଲ କରିବ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥର ନିର୍ବାଚନରେ ବିଜେପି ପୂର୍ବଭଳି ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦକୁ ହିଁ ଗୁରୁତ୍ୱ ଦେବ। ରାଷ୍ଟ୍ରବାଦ ସହ ଅଯୋଧ୍ୟରେ ହେବାକୁ ଥିବା ରାମ ମନ୍ଦିର କଥାକୁ ମଧ୍ୟ ଦଳ ମିକ୍ସି କରି ଲୋକଙ୍କ ମନରୁ କରୋନାର ଭୟ ଦୂର କରିବାକୁ ଚେଷ୍ଟା କରିବ। ଏଥିସହ କରୋନା ଯୋଗୁ ଖରାପ ହୋଇଥିବା ଦଳର ଛବିକୁ ସୁଧାରିବାକୁ ଚେଷ୍ଟା କରିବ। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଏଥିରୁ ଲୋକଙ୍କୁ ଡାଇଭର୍ଟ କରିବା ପାଇଁ ଦଳ ରାମନ୍ଦିର ଓ ବିକାଶକୁ ପାଥେୟ କରିବ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ ଦଳ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଜେପିର ସବୁଠାରୁ ବଡ଼ ଉପଲବ୍ଧି ବୋଲି ଦର୍ଶାଇବ। ସେହିପରି ଯୋଗୀ ଆଦିତ୍ୟନାଥ ସରକାର ପବିତ୍ର ଅଯୋଧ୍ୟାର ବିକାଶ ପାଇଁ କରିଥିବା ମାଷ୍ଟରପ୍ଲାନ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ସୂତ୍ର ଅନୁସାରେ, ବିଜେପି କର୍ମକର୍ତ୍ତା ଓ ନେତାମାନେ ‘ଅଯୋଧ୍ୟା କେବଳ ଗୋଟିଏ ଝଲକ। କାଶୀ ଓ ମଥୁରା ବାକି ଅଛି’ ବୋଲି ନାରା ଦେଇ ହିନ୍ଦୁ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିବେ। ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି, “କାଶୀରେ ଗୋଟିଏ ସ୍ଥାନୀୟ କୋର୍ଟ ଉଚ୍ଛେଦ ପାଇଁ ଅନୁମତି ଦେଇ ସାରିଛନ୍ତି। ବହୁପ୍ରତିକ୍ଷୀତ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ୨୦୨୧ ନଭେମ୍ବର ସୁଦ୍ଧା ରେଡ୍ଡୀ ହୋଇଯିବ। ଏହା ବିଶ୍ୱରେ ଥିବା ସମସ୍ତ ହିନ୍ଦୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ମନ୍ଦିର କମ୍ଲେକ୍ସର ଦୃଶ୍ୟ ଏମିତି ପ୍ରସ୍ତୁତ କରାଯିବ ଯେ ତା’କୁ ଦେଖିବା ପରେ ଲୋକମାନେ ମହାମାରୀର କଷ୍ଟ ଭୁଲିଯିବେ।” ବର୍ତ୍ତମାନ ସ୍ଥିତିରେ ବିଜେପି କର୍ମକର୍ତ୍ତାମାନଙ୍କୁ ‘ସେବା ହିଁ ସଂଗଠନ’ ଅଭିଯାନ ଉପରେ ଫୋକସ କରିବାକୁ କୁହାଯାଇଛି। ଏହି ଅଭିଯାନ ଜରିଆରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଖରେ ବିଜେପି ନେତା ପହଞ୍ଚିବେ ଓ ବିରୋଧୀ ଯୋଗୀ ସରକାରଙ୍କ ଉପରେ କରୁଥିବା ହମଲାକୁ ପ୍ରଶମିତ କରିବେ। ଏହାବାଦ ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ରାଷ୍ଟ୍ରବାଦ କାର୍ଡ ମଧ୍ୟ ବିଜେପି ଖେଳିବ। ପୂର୍ବରୁ ମଧ୍ୟ ରାଷ୍ଟ୍ରବାଦ କାର୍ଡ ଖେଳି ବିଜେପି ସଫଳତା ହାସଲ କରିବାର ନଜିର ରହିଛି। ତେଣୁ ଦଳ ୟୁପିରେ ମଧ୍ୟ ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ କାର୍ଡ ଚଳାଇ ସଫଳ ହେବ ବୋଲି ଆଶା ରଖିଛି।

ନିର୍ବାଚନ ପାଇଁ ବିଜେପିର କସରତ, ଗୁରୁ ଦାୟିତ୍ୱ ନେବେ ମୋଦିଙ୍କ ଘନିଷ୍ଠ ସହଯୋଗୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଠିକ୍‌ ଭାବେ କରୋନାକୁ ନିୟନ୍ତ୍ରଣ କରିପାରି ନଥିବାରୁ ଦଳ ମଧ୍ୟରୁ ତାଙ୍କ ବିରୋଧରେ ସ୍ୱର ଉଠୁଛି। ଲୋକମାନେ ମଧ୍ୟ ବିଜେପିକୁ ବିରୋଧ କରୁଛନ୍ତି। ଏହା ବିଜେପିର ରଣନୀତି ଉପରେ ମଧ୍ୟ ପ୍ରଭାବ ପକାଉଥିବାରୁ ନିର୍ବାଚନ ପୂର୍ବରୁ ଦଳର ସାଂଗଠିନ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କୁହାଯାଉଥିଲା। ହେଲେ ବିଜେପି କୌଣସି ପରିବର୍ତ୍ତନ ସପକ୍ଷରେ ନାହିଁ। କିନ୍ତୁ ଯୋଗୀଙ୍କ କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ଖୁବଶୀଘ୍ର ହେବ ବୋଲି ଜଣାପଡ଼ିଛି। ଦଳର ବିଦ୍ରୋହୀଙ୍କୁ ମନାଇବାକୁ ବିଜେପି ଏପରି କରିବାକୁ ଯାଉଥିବା କୁହାଯାଉଛି। ସେହିପରି ବିଦ୍ରୋହୀଙ୍କୁ ଚେକ୍‌ ଦେବା ପାଇଁ ପୂର୍ବତନ ପ୍ରଶାସନିକ ଅଧିକାରୀ ଏକେ ଶର୍ମାଙ୍କୁ ଉତ୍ତର ପ୍ରଦେଶ ସରକାରରେ ଗୁରୁତ୍ୱ ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏକେ ଶର୍ମା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ। ତାଙ୍କୁ ଗୁରୁଦାୟିତ୍ୱ ଦେଇ ବିଜେପି ଦଳରେ ଥିବା ମତପାର୍ଥକ୍ୟରେ ତାଳି ପକାଇବାକୁ ଲକ୍ଷ୍ୟ ରଖିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ନେତୃତ୍ୱରେ ଲଢ଼ିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଦୁଇ ଦିନ କାଳ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜାତୀୟ ନେତା ଓ ରାଜ୍ୟସ୍ତରୀୟ ନେତାଙ୍କ ମଧ୍ୟରେ ମାରଥନ ବୈଠକ ଚାଲିଥିଲା। ଶେଷରେ ସାଂଗଠନିକ ସ୍ଥିତିରେ କୌଣସି ପରବର୍ତ୍ତନ ନ କରିବାକୁ ସମସ୍ତେ ରାଜି ହୋଇଛନ୍ତି। ତେବେ ଚଳିତ ମାସରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଜାତି ଓ ଆଞ୍ଚଳିକବାଦ ଢାଞ୍ଚାରେ କିଛି ନୂଆ ମୁହଁ ସାମିଲ ହେବେ। ସେହିପରି ପଞ୍ଚାୟନ ନିର୍ବାଚନରେ ବିଜେପି ତା’ର ଗଡ଼ରେ ହାରିଥିବାରୁ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପଞ୍ଚାୟତ ନିର୍ବାଚନରେ କେଉଁଠି ଭୁଲ ରହିଲା, ସେ ବିଷୟରେ ଦିଲ୍ଲୀରୁ ଯାଇଥିବା ନେତାମାନେ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। କେବଳ ବିଜେପି ନୁହେଁ, ଆରଏସଏସ ମଧ୍ୟ ନିର୍ବାଚନ ପୂର୍ବରୁ ଫିଡବ୍ୟାକ ନେବା ଆରମ୍ଭ କରିଛି। ଗତ ସପ୍ତାହରେ ଆରଏସଏସ୍ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବୋଲେ ଲକ୍ଷ୍ନୌ ଯାଇଥିଲେ। ସେ ଏହି ସମୟରେ ବିଜେପି ଓ ଆରଏସଏସ କର୍ମକର୍ତ୍ତାଙ୍କ ଠାରୁ ଗ୍ରାଉଣ୍ଡ ରିପୋର୍ଟ ମଧ୍ୟ ଆଣିଛନ୍ତି। ଆସନ୍ତା ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉତ୍ତର ପ୍ରଦେଶ ଯାଇ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ।