ବାଦ୍‌ଶାହାଙ୍କ ରାପ୍‌ରେ ଝୁମିବେ ଜ୍ୟାକ୍‌ଲିନ୍‌..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ରାପର୍ କିଙ୍ଗ ବାଦ୍‌ଶାହା ଓ ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟୁଜିକ ଆଲବମ୍ ‘ଗେନ୍ଦା ଫୁଲ୍‌’ର ଏଯାଏଁ ସରିନି କ୍ରେଜ୍। ବିବାହ ହେଉ ଅବା କୌଣସି ଫଙ୍କସନ୍ ସବୁଠୁ ଛାଇ ଯାଏ “ବଡ ଲୋକର ବେଟି…”। ଏହି ଗୀତର ତାଳେ ତାଳେ ନାଚିବାକୁ ପସନ୍ଦ କରନ୍ତି ଯୁବପିଢ଼ୀ । ଗୀତରେ ଅଭିନୟ କରିଥିବା ଜ୍ୟାକ୍‌ଲିନ୍ ଓ ବାଦ୍‌ଶାହାଙ୍କ ଯୋଡିକୁ ବି ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏବେ ପୁଣିଥରେ ବାଦ୍‌ଶାହାଙ୍କ ରାପ୍‌ରେ ଝୁମିବାକୁ ଯାଉଛନ୍ତି ଜ୍ୟାକ୍‌ଲିନ୍। ଖୁବଶୀଘ୍ର ଆସିବାକୁ ଯାଉଛି ଉଭୟଙ୍କ ଆଉ ଏକ ଦମ୍‌ଦାର ମ୍ୟୁଜିକ ଆଲବମ ‘ପାନି ପାନି’। ନିକଟରେ ଏହି ମ୍ୟୁଜିକ ଆଲବମ୍‌ରେ ଫାଷ୍ଟଲୁକ୍ ରିଲିଜ ହୋଇଛି। ଏଥିରେ ବାଦ୍‌ଶାହା ଓ ଜ୍ୟାକ୍‌ଲିନଙ୍କ ରୋମାଣ୍ଟିକ୍ ଲୁକ୍ ଦେଖିବାକୁ ମିଳିଛି। ପୁରା ଦେଶୀ ଲୁକ୍‌ରେ ଜ୍ୟାକ୍‌ଲିନ୍ ନଜର ଆସିଛନ୍ତି। ଏହି ପୋଷ୍ଟରକୁ ଦେଖି ଅନୁମାନ କରାଯାଉଛି ଯେ, ବାଦ୍‌ଶାହାଙ୍କ ଏହା ରୋମାଣ୍ଟିକ ଗୀତ ହୋଇଥିବ। ଏହି ପୋଷ୍ଟରକୁ ଜ୍ୟାକ୍‌ଲିନ୍ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଆମେ ପୁଣି ଆସୁଛୁ। ସୂଚନା ମୁତାବକ ୨୦୦୧ରେ ଫିଲ୍ମ ‘ଆଲାଦିନ’ରୁ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ସେ ଆଉ ପଛକୁ ବୁଲି ଚାହିଁନାହାନ୍ତି। ଏବେ ବଲିଉଡର ସେ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ।ଲକ୍‌ଡାଉନ୍ ପରେ ସେ ତିନି ତିନିଟି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ଏବେ ଚାଲିଛି ‘ଭୂତ ପୋଲିସ’। ଏଥିରେ ଜ୍ୟାକଲିନ୍‌ଙ୍କ ବିପକ୍ଷର ନାୟକ ଅଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଏହାବ୍ୟତୀତ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସର୍କସ୍‌’ରେ ଜ୍ୟାକଲିନ୍ ରଣବୀର ସିଂହଙ୍କ ନାୟିକା ସାଜୁଛନ୍ତି। ସେମିତି ଜ୍ୟାକଲିନ୍ ଜନ୍ ଆବ୍ରାହମ୍‌ଙ୍କ ସହ ଯୋଡ଼ି ସାଜିଛନ୍ତି ନୂଆ ସିନେମା ‘ଆଟାକ୍‌ରେ’। ଅଳ୍ପଦିନର କ୍ୟାରିୟର୍ ଭିତରେ ଇଣ୍ଡଷ୍ଟ୍ରିରେ ଜ୍ୟାକ୍‌ଲିନ୍‌ଙ୍କ ଡିମାଣ୍ଡ ବେଶ୍ ବଢ଼ିଯାଇଛି।

ଟାଇଗର ଓ ଦିଶାଙ୍କ ବିରୋଧରେ ମାମଲା ରୁଜୁ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବଲିଉଡ୍‌ ଅଭିନେତା ଟାଇଗର ଶ୍ରୋଫ୍ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା କାରଣରେ ନିୟମ ଉଲ୍ଲଂଘନ କରି ଉଭୟ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଅଭିଯୋଗ ହୋଇଛି। କଟକଣା କୋହଳ ସମୟ ପରେ ସନ୍ଧ୍ୟାରେ ଟାଇଗର ଓ ଦିଶା ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିଲା। ସେମାନେ କେଉଁ କାରଣରୁ ଘରୁ ବାହାରିଛନ୍ତି ବୋଲି ପୁଲିସ୍ ପଚାରିଥିଲା। ତେବେ ସେମାନେ କୌଣସି ସନ୍ତୋଷଜନକ କାରଣ ଦର୍ଶାଇ ପାରି ନଥିଲେ। ତା’ପରେ ପୁଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ଦୁଇ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଟିକେ ନିଆରା ଢଙ୍ଗରେ ପୁଲିସ୍ ଏହି ଟ୍ୱିଟ୍ କରିଛି। ଏଥିରେ ଦୁଇ ଷ୍ଟାରଙ୍କ ନାଁ ଉଲ୍ଲେଖ ନାହିଁ। କିନ୍ତୁ ସେମାନଙ୍କ ଫିଲ୍ମର ନାଁ ବ୍ୟବହାର କରିଛି। ଏହା ସହିତ ବିନା କାରଣରେ ବାହାରକୁ ନ ଆସିବାକୁ ମୁମ୍ବାଇବାସୀଙ୍କୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି। ପୁଲିସ୍ ପକ୍ଷରୁ ଲେଖାଯାଇଛି ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ, ଯାହା ଆପଣମାନଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ।

୩୦୦୦ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ‘କେଜିଏଫ୍‌’ ଷ୍ଟାର ୟଶ୍..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- କେଜିଏଫ୍ ସୁପରଷ୍ଟାର୍ ୟଶ୍। ତାଙ୍କ ଅଭିନୟ ଏବଂ ଷ୍ଟାଇଲ୍‌କୁ ଦେଖି ଫ୍ୟାନ୍‌ମାନେ ପାଗଳ। ୟଶ୍ ତାଙ୍କ ପ୍ରତିଟି ଫ୍ୟାନ୍‌ମାନଙ୍କର ସମ୍ମାନ କରନ୍ତି ଏବଂ ତାଙ୍କର ଯତ୍ନ ମଧ୍ୟ ନିଅନ୍ତି। କେବଳ ଫ୍ୟାନ୍‌ମାନଙ୍କ ନୁହଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକଙ୍କୁ ମଧ୍ୟ ସେ ବଶେ୍ ସମ୍ମାନ କରନ୍ତି। ଏବେ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀର କର୍ମଚାରୀଙ୍କ ପାଇଁ ଆଗେଇ ଆସିଛନ୍ତି ୟଶ୍। ସେମାନଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ।କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ୟଶ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ବନ୍ଦ ହୋଇପଡିଛି। ଏଭଳି ସ୍ଥିତିରେ ସେଠାରେ କାମ କରୁଥିବା ଦୈନିକ ଶ୍ରମିକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କ ସଙ୍କଟ ଦୂର କରିବା ପାଇଁ ସୁପରଷ୍ଟାର ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ୩ ହଜାରରୁ ଅଧିକ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ୟଶ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି, ‘କୋଭିଡ -୧୯ ଏପରି ଏକ ଅଦୃଶ୍ୟ ଶତ୍ରୁ ଯାହା ଦେଶର ଅନେକ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ମୋର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୋଭିଡ ସମୟରେ କଠିନ ସମୟ ଦେଇ ଗତି କରୁଛି । ଏହି ସମୟରେ, ମୁଁ ନିଷ୍ପତ୍ତି ନେଇଛି ଯେ ଆମ ଫିଲ୍ମ ଇଣ୍ଡଷ୍ଟ୍ରୀର ୨୧ ଟି ବିଭାଗର ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ମୁଁ ମୋର ରୋଜଗାରରୁ ପାଞ୍ଚ ହଜାର ଟଙ୍କା ଲେଖାଁଏ ସେମାନଙ୍କ ଆକାଉଣ୍ଟରେ ପଠାଇବି। ମୁଁ ଜାଣେ ଏହି କଷ୍ଟ ସମୟରେ ଆପଣମାନେ ଯେଉଁ କ୍ଷତି ସହିଛନ୍ତି, ତାହା ପୂରଣ କରିବାରେ ଏହା ସକ୍ଷମ ହେବ ନାହିଁ କିନ୍ତୁ ଏହା ଏକ ଆଶାର କିରଣ ।  ଖୁବ୍ ଶୀଘ୍ର ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୨’ରେ ୟଶ ନଜର ଆସିବେ। ଏଥିରେ ସଞ୍ଜୟ ଦତ୍ତ ମୁଖ୍ୟ ଭିଲେନ୍ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। ଆସନ୍ତା ଜୁଲାଇ ୧୬ରେ ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବ ବୋଲି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ କହିଛନ୍ତି।

ଯୋଗ କର କି ନ କର, କିନ୍ତୁ ଗୋଟିଏ କାମ ଜରୁରୀ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ଏବଂ ଫ୍ୟାନଙ୍କ ସହ ଫଟୋ ଓ ଭିଡିଓ ଶେଆର୍ କରନ୍ତି। ହରଭଜନ ସିଂହ ଅନେକ ଥର ନିଜ ଟୁଇଟ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ଏବେ କୋଭିଡ୍-୧୯ର କଠିନ ସମୟରେ ଅସହାୟଙ୍କୁ ସହାୟତା କରିବା ପାଇଁ ଅପିଲ୍ କରିଛନ୍ତି। ହରଭଜନ ଏହାକୁ ସାଧାରଣ ଜୀବନ ସହ ଯୋଡ଼ିଛନ୍ତି।ହରଭଜନ ଗୁରୁବାର ଏକ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଜୀବନ ଯେତେ ସରଳ ହେବ, ଚାପ ସେତେ କମ୍ ହେବ। ଯୋଗ କର କି ନ କର, ଆବଶ୍ୟକ ପଡ଼ିଲେ ପରସ୍ପରକୁ ସହଯୋଗ ନିଶ୍ଚିତ କରନ୍ତୁ। ହରଭଜନଙ୍କ ଏହି ଟୁଇଟକୁ ଖୁବ୍ ପ୍ରଶଂସା କରାଯାଉଛି। ଭାରତ ନାମକ ଜଣେ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହି ଦୁନିଆରେ ଲୋକେ ଏବେ ପରସ୍ପରକୁ ସହାୟତା କରିବା କଥା ଭୁଲି ଗଲେଣି। ଆଉ ଜଣେ ୟୁଜର୍ ଲେଖିଛନ୍ତି, ଯୋଗ ବି କର ଏବଂ ପରସ୍ପରକୁ ସହାୟତା ମଧ୍ୟ କରନ୍ତୁ। ଆଉ ଜଣେ ଲେଖିଛନ୍ତି, ଏହା ହିଁ ଜୀବନର ମୂଳ ଚାବି କାଠି, କିନ୍ତୁ କିଛି ଲୋକେ ଅର୍ଥ ଲାଳସାରେ ଏହାକୁ ଭୁଲି ଯାଇଛନ୍ତି। ସୂଚନାଯୋଗ୍ୟ, ହରଭଜନ ସିଂହ ଆଇପିଏଲର ୧୪ଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଖେଳୁଛନ୍ତି। କିନ୍ତୁ କୋଭିଡ୍ କାରଣରୁ ଚଳିତ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ହରଭଜନ ନିଜ କ୍ୟାରିୟରରେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୪୧୭, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୫ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ୧୭୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୮୦ ୱିକେଟ୍ ରହିଛି ।

ଇଂଲଣ୍ଡ ଯିବା ପୂର୍ବରୁ କ’ଣ କହିଲେ କ୍ୟାପଟେନ୍ କୋହଲି…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ରାତିରେ ତିନିମାସର ଇଂଲଣ୍ଡ ଗସ୍ତ ପାଇଁ ବାହାରିବ। ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। ଗସ୍ତ କରିବା ପୂର୍ବରୁ ମୁମ୍ବାଇରେ କ୍ୟାପଟେନ୍ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମିଡିଆ ସହ ଆଲୋଚନା କରିଛନ୍ତି। କ୍ୟାପଟେନ୍ କୋହଲି ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବା ନେଇ କହିଛନ୍ତି ଯେ ଭାରତୀୟ ଟିମ୍ ଗତ ୪-୬ ବର୍ଷର ପରିଶ୍ରମର ଫଳ ପାଇଛି। ଅନ୍ୟପକ୍ଷରେ କୋଚ୍ ରବି ଶାସ୍ତ୍ରୀ ଏହି ଫର୍ମାଟର ଫାଇନାଲକୁ ଗୋଟିଏ ବଦଳରେ ୩ଟି ମ୍ୟାଚ୍ କରାଯିବା କଥା କହିଛନ୍ତି। କୋହଲି ମଧ୍ୟ ଇଂଲଣ୍ଡ ଗସ୍ତରେ କୌଣସି ପ୍ରକାରର ଚାପକୁ ଖାରଜ କରିଛନ୍ତି। କୋହଲିଙ୍କ ମତରେ ଏହି ଟାଇଟଲ୍ ମୁକାବିଲା ସହଜ ହେବନି ଏବଂ ଉଭୟ ଦଳ ପାଇଁ ଚ୍ୟାଲେଞ୍ଜିଂ ହେବ। ସେଠାକାର ପାଣିପାଗ ଅଲଗା, କିନ୍ତୁ ପେସାଦାର ଟିମ୍ ଭାବେ ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୋହଲି କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପରେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଲମ୍ବା ଟେଷ୍ଟ ସିରିଜ୍ ଖେଳିବ। ହେଲେ ଏହି ସିରିଜ୍ ପାଇଁ ଭାରତକୁ ଲମ୍ବା ବିରତି ମିଳିବ। ଏହି ସମୟ ମଧ୍ୟରେ ଟିମ୍ ଖେଳ ଉପରେ ଏକାଗ୍ରତା ସହ ଆରାମ କରିବା ଏବଂ ସ୍ୱତନ୍ତ୍ର ଭାବେ ବୁଲିବା ପାଇଁ ଉପଯୁକ୍ତ ହେବ ବୋଲି କୋହଲି କହିଛନ୍ତି। କୋହଲି ଆହୁରି କହିଛନ୍ତି, ଇଂଲଣ୍ଡ ବିପକ୍ଷ ସିରିଜ୍ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଆମକୁ ପୁଣିଥରେ ଏକଜୁଟ୍ ହେବାକୁ ସମୟ ମିଳିବ। ଭାରତୀୟ ଟିମ୍ ମୁମ୍ବାଇରେ ୧୪ ଦିନର କ୍ୱାରେଣ୍ଟାଇନ୍ ଅବଧି ପରେ ୟୁକେରେ ପହଞ୍ଚିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆଜିଠାରୁ ଇଂଲଣ୍ଡ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ଆରମ୍ଭ କରିଦେଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଇଂଲଣ୍ଡରେ ମୋଟ ୬ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଅଗଷ୍ଟ ମାସରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ନଟ୍ଟିଂହାମରେ ଅଗଷ୍ଟ ୪ରୁ ୮, ଦ୍ୱିତୀୟ ଟେଷ୍ଟ ଲର୍ଡସରେ ଅଗଷ୍ଟ ୧୨ରୁ ୧୬, ତୃତୀୟ ଟେଷ୍ଟ ଲିଡ୍ସରେ ଅଗଷ୍ଟ ୨୫ରୁ ୨୯, ଚତୁର୍ଥ ଟେଷ୍ଟ ଓଭାଲରେ ସେପ୍ଟେମ୍ବର ୨ରୁ ୬, ପଞ୍ଚମ ଟେଷ୍ଟ ମାଞ୍ଚେଷ୍ଟରରେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଯାଏ ଖେଳାଯିବ।

କେନ୍ଦ୍ରର ନୋଟିସକୁ ନେଇ ମୁହଁ ଖୋଲିଲେ ଅଲପନ ବନ୍ଦୋପାଧ୍ୟୟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ କଳିରେ ଫିସିଥିବା ପ୍ରଶାସନିକ ଅଧିକାରୀ ଅଲପନ ବନ୍ଦୋପାଧ୍ୟୟ ଶେଷରେ ମୁହଁ ଖୋଲିଛନ୍ତି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟାସ ବାତ୍ୟାର ସମୀକ୍ଷା ବୈଠକରେ ସେ ଯୋଗ ଦେଇ ନଥିବାରୁ ତାଙ୍କୁ କେନ୍ଦ୍ର ସରକାର ନୋଟିସ୍‌ କରିଥିଲେ। ଏବେ ବେଙ୍ଗଲର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟୟ ଏହାର ଜବାବ ଦେଇଛନ୍ତି। ସେ କେନ୍ଦ୍ରକୁ ଚିଠି ଲେଖି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ୟାସ ସମୀକ୍ଷା ବୈଠକରେ ଆଦୌ ଅନୁପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ଥିବା ଯାଏ ସେ ସେଠାରେ ଉପସ୍ଥିତ ରହିଥିଲେ। ଅଲପନ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ସେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଛାଡ଼ିଥିଲେ। ଏହାପରେ ଦିଘା ସହରକୁ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ। କେନ୍ଦ୍ରରୁ ଅଲପନ ପଠାଇଥିବା ଚିଠିରେ ସେ ଏକଥା ଲେଖିଥିବା ପିଟିଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଶୁକ୍ରବାର ବୈଠକରେ ଅଲପନ ଯୋଗ ନଦେବାରୁ ତାଙ୍କୁ କେନ୍ଦ୍ରକୁ ବଦଳି କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ସେ ଅବସର ନେବାର ଥିଲା। କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ମମତା ବାନାର୍ଜୀ ବ୍ୟୁରୋକ୍ରାଟ ଅଲପନଙ୍କୁ ରିଲିଜ୍‌ କରିବାକୁ ମନା କରିଥିଲେ। ଏଥିସହ ସେ ୩୧ ତାରିଖରେ ଅବସର ନେବା ପରେ ତାଙ୍କୁ ମମତା ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ତାଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ। କାହିଁକି ସେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ, ତା’ର କାରଣ କହିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଲପନଙ୍କୁ ନୋଟିସ କରିଥିଲା।

କମଳା ହାରିସଙ୍କ ସହ ଫୋନରେ କଥା ହେଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଉପ ରାଷ୍ଟ୍ରପତି କମଳା ହାରସିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। କରୋନା ଟିକା ସପ୍ଲାଏକୁ ନେଇ ସେ କମଳାଙ୍କ ସହ କଥା ହୋଇଛନ୍ତି। ଆମେରିକା ସରକାର ଭାରତକୁ ସବୁ ପ୍ରକାରର ସହାୟତା ଦେଇଥିବାରୁ ମୋଦି ଆଜି କମଳାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପିଏମଓ ପକ୍ଷରୁ ଜାରି ବିବୃତି ଅନୁସାରେ, ଉପ ରାଷ୍ଟ୍ରପତି କମଳା ହାରିସ ଆମେରିକା ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ଟିକାକରଣ ସମ୍ପର୍କରେ କରାଯାଇଥିବା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। ଆମେରିକା ବନ୍ଧୁ ଭାରତ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ଯୋଗାଇ ଦେବାକୁ Strategy for Global Vaccine Sharing ବ୍ୟବସ୍ଥା କରିଛି। ଆମେରିକାର ଏପରି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିବା ସହ ବିଭିନ୍ନ ସହାୟତା ପାଇଁ କମଳା ହାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତକୁ ନିକଟରେ ଆମେରିକା ପଠାଇଥିବା ବିଭିନ୍ନ ସହାୟତା ଓ ଆମେରିକାରେ ଥିବା ଭାରତୀୟଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ପ୍ରଶଂସା ମଧ୍ୟ କରିଥିଲେ। ଦୁଇ ନେତା ସ୍ୱାସ୍ଥ୍ୟ ସପ୍ଲାଏ ଚେନ୍‌କୁ ମଜଭୁତ କରିବା ପାଇଁ ମଧ୍ୟ କଥା ହୋଇଛନ୍ତି। ବିଶେଷ କରି ଟିକା ଉତ୍ପାଦନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଦି ମଧ୍ୟ ଟ୍ୱିଟ କରି କମଳା ହାରିସଙ୍କ ସହ ଆଲୋଚନା ସକାରାତ୍ମକ ରହିଥିବା କଥା କହିଛନ୍ତି। ଭାରତକୁ ଟିକା ପଠାଇବାକୁ କମଳା ହାରିସ ପ୍ରତିଶ୍ରୁତି ଦେଇଥିବାରୁ ମୋଦି ଏହାକୁ ସ୍ୱାଗତ କରିଥିବା କଥା କହିଛନ୍ତି।

ପୁଣି ଲୋକଙ୍କ ସମସ୍ୟାର ସମାଧାନ କରିବେ ସାଂସଦ ଅପରାଜିତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପୁଣି ଆରମ୍ଭ ହେଲା ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କ ସଂସଦୀୟ କାର୍ଯ୍ୟାଳୟରେ ଜନସାଧାରଣଙ୍କ ସମସ୍ୟା ଏବଂ ଅଭିଯୋଗ ଶୁଣିଛନ୍ତି। ସେସବୁ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ପ୍ରୟାସ କରିଛନ୍ତି ସାଂସଦ। ଆଗାମୀ ଦିନରେ ଏହି ଜନ ଅଭିଯୋଗ ଶୁଣାଣି ନିୟମିତ ଭାବେ ଜାରି ରହିବ ବୋଲି କହିଛନ୍ତି ଅପରାଜିତା। କରୋନା କଟକଣା ଯୋଗୁଁ ଗତ କିଛି ଦିନ ଧରି ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲା। କୋଭିଡ୍‌ ଆଇନ୍‌ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଗତବର୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ସିଲ କରିଥିଲା। ଏହା ପରେ ଅପରାଜିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଅଫିସ ସିଲ୍ ହେବା ପରେ ସାଂସଦ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମକଦ୍ଦମା ଧମକ ଦେବା ପରେ ସପ୍ତାହକ ପରେ ଅପରାଜିତାଙ୍କ ଅଫିସ୍‌‌ ଖୋଲିଥିଲା ବିଏମ୍‌ସି।