‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ କଲେ ଜିଲ୍ଳାପାଳ, ସୁଲଭ ମୂଲ୍ୟରେ ମିଳୁଛି ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ;ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ ସହ ବଜାରୀକରଣ ବ୍ୟବସ୍ଥାର ରହିଛି ଲକ୍ଷ୍ୟ..! 

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ) – କୋଭିଡ ସୁରକ୍ଷା ନିୟମ ପାଳନ କରି ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ଆଜି ଜୁନ ୨ ବୁଧବାର ଠାରୁ ଆରମ୍ଭ ହୋଇଛି ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ‘ଗାଁ ଆମ୍ବ ପସରା’ । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଏହାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଳାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଂଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଆମ୍ବ ଦ୍ୱାରା ଜୈବିକ ପଦ୍ଧତିରେ ଆମ୍ବସୋଡା ଓ ଆମ୍ବୁଲ ଆଦି ପ୍ରସ୍ତୁତ କରି ଏହାର ଦର ନିର୍ଦ୍ଧାରଣ କରି ଜାତୀୟ ବଜାରରେ ଆଗାମୀ ଦିନରେ ବଜାରୀକରଣ ବ୍ୟବସ୍ଥା ଉପରେ ପ୍ରଶାସନର ପ୍ରୟାସ ଜାରି ରହିଛି ବୋଲି ମଧ୍ୟ କହିଥିଲେ । ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ର୍ରୟାସ କରାଯାଇଛି ।

ରାୟଗଡ ଜିଲ୍ଳାରେ ବର୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଚାଷି ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷିଭାଇମାନେ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ୍ବ ମହୋତ୍ସବରେ ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ,ହେମସାଗର,ଲେଙ୍ଗଡା,ମଲ୍ଳିକା ସମେତ ଆହୁରି ଅନେକ କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ରାୟଗଡ ବଜାରରେ ଛୋଟ ମୋଟ ଆମ୍ବ ବ୍ୟବସାୟୀମାନେ ଆମ୍ବ କେଜି ପିଛା ୫୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ଗାଁ ଆମ୍ବ ପସରାରେ ୩୦ଟଙ୍କାରୁ ୫୦ଟଙ୍କା ମଧ୍ୟରେ ବିଭିନ୍ନ କିସମର ସୁଆଦିଆ ଆମ୍ବ ମିଳୁଥିବାରୁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ଏହି ଆମ୍ବ ପସରାରେ ମୁନିଗୁଡା,କଲ୍ୟାଣସିଂହପୁର ଓ କାଶିପୁର ବ୍ଳକର ଉତ୍ପାଦକ ଗୋଷ୍ଠୀ, ଡିିଏଫପିସିଏଲ,ରାୟଗଡ,ଉଦ୍ୟାନ କୃଷି ବିଭାଗ, ମିଶନ ଶକ୍ତି,ରାୟଗଡ,ଓଡିଶା ଜୀବିକା ମିଶନ ଓ ଓରମାସ ଅଧିନରେ ଥିବା ବିଷମକଟକ ଓ ମୁନିଗୁଡାର ଡଙ୍ଗରିଆ ଚାଷୀଙ୍କ ସମେତ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରିୟ କେନ୍ଦ୍ର ଖୋଲାଯାଇଛି । ଆଜି ପ୍ରଥମ ଦିନରେ ସମସ୍ତ ଉତ୍ପାଦକ ଗୋଷ୍ଠୀ ଓ କୃଷକଙ୍କ ପକ୍ଷରୁ ୭୮କ୍ୱିଂଟାଲ ଆମ୍ବ ଅଣାଯାଇଥିବା ବେଳେ ୨୫.୭୫ କ୍ୱିଂଟାଲ ଆମ୍ବ ବିକ୍ରି କରାଯାଇ ୧ଲକ୍ଷ ତିନି ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ ,ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ର,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜ,ମିଶନ ଶକ୍ତିର ନିରଂଜନ ମଲ୍ଳିକ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି,ଗତବର୍ଷ ମହାମାରୀ କରୋନା ସଂକ୍ରମଣର ଭୟଭୟତାକୁ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇ ପାରି ନ ଥିଲା । ତେବେ ଚଳିତ ବର୍ଷ ଜୁନ ମାସରେ ସଂକ୍ରମଣ ସଂଖ୍ୟା ଏକ ପ୍ରକାର ନିୟନ୍ତ୍ରଣାଧୀନ ଥିବାରୁ କୋଭିଡ ନିୟମ ପାଳନ କରି ଗ୍ରାହକଙ୍କୁ ଆମ୍ବ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି ।

ହାଣ୍ଡଭଙ୍ଗା ଗ୍ରାମବାସୀ ଙ୍କ ତରଫରୁ ନିଯୁକ୍ତି ଓ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି ସିଲିଯୋଡା ଦେବବ୍ରତ ବେହେରା ଖଣି କମ୍ପାନୀ ଙ୍କୁ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର)- ସଂପ୍ରତି କରୋନା ମହାମାରୀ କାଳରେ ଏଠାକାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ନୂତନ ଖଣି ସରକାର ଙ୍କ ଠାରୁ ଅନୁମତି ପାଇଥିବା ଖଣି ମାଲିକ ବର୍ତ୍ତମାନ ସୁଦ୍ଧା ଆଗ୍ରହ ଦେଖାଇ ନାହାନ୍ତି ଆଞ୍ଚଳିକ ବିକାଶ ପାଇଁ ! ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ଆଇରନ ଓ ମାଙ୍ଗାନିଜ ଖଣି ରେ କାର୍ଯ୍ୟ କରି ଆସୁଥିବା ମାଙ୍ଗିଲାଲ ରୁଙ୍ଗଟା ଙ୍କ ବଦାନ୍ୟତା ସର୍ବ ଆଦୃତ ଅଟେ ! ଏବଂ ତାଙ୍କରି କାର୍ଯ୍ୟ କାଳରେ ଏଠାକାର ସ୍ଥାନୀୟ ଜନସାଧାରଣଙ୍କର କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ବିକାଶ ଦିଗରେ ବିଶେଷ ପ୍ରାଥମିକତା ଦେଇଥିଲେ ! ଯାହା ବର୍ତ୍ତମାନ ସରକାର ଙ୍କ ଅନୁମୋଦିତ ଦେବବ୍ରତ ବେହେରା ଖଣି ଠାରୁ ଆବଶ୍ୟକ କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଏଠାକାର ସ୍ଥାନୀୟ ଅଧିବାସୀ ଆଶା କରୁଛନ୍ତି ! ଏହି ପରିପ୍ରେକ୍ଷୀରେ ଉକ୍ତ ଖଣି କର୍ତ୍ତୃପକ୍ଷ ଙ୍କ ସହିତ ସୌଜନ୍ୟତା ମୂଳକ ସାକ୍ଷାତ ହୋଇ ସମସ୍ତ ବିଷୟ ରେ ଆଲୋଚନା ହୋଇ ସାରିଛି ! ଏବଂ ସେମାନେ ଆଶା କରୁଛନ୍ତି ଆଗାମୀ ଦିନରେ ଉକ୍ତ ଖଣି ମାଲିକ ଏଠାକାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ! କିନ୍ତୁ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଅବସ୍ଥା କୁ ଅଣଦେଖା କରି ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ପରିବହନ କାର୍ଯ୍ୟ ଟେକି ଦେଇଥିବାରୁ ତାଙ୍କର ଉଦ୍ଦେଶ୍ୟ ପ୍ରତି ଆଶଙ୍କା ମଧ୍ୟ ବ୍ୟକ୍ତ କରାଉଛି ! ତେଣୁ ଏଥିପ୍ରତି ଖଣି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏଠାକାର ଖଣି କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଜନ ସାଧାରଣ ଙ୍କ ଉନ୍ନତି ହୋଇ ପାରନ୍ତା ବୋଲି ଜନ ସାଧାରଣ ରେ ଦାବି ହେଉଛି !

ସେବା ସପ୍ତାହ ଅବସରରେ ବି. ନୂଆପଲ୍ଲୀ ରେ ମାସ୍କ ବଣ୍ଟନ…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରଦାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୃତ୍ତି ପୂରଣ ଉପଲକ୍ଷେ ଭାରତୀୟ ଜନତାପାର୍ଟି ତରଫରୁ ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ବି. ନୂଆପଲ୍ଲୀ ଗ୍ରାମରେ ସିମାଞ୍ଚଳ ମହାନ୍ତିଙ୍କ ନେତୃତ୍ବରେ ମାସ୍କ, ସାବୁନ ବଣ୍ଟନ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଅରୁଣ କୁମାର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ମିସ୍ତ୍ରୀ, ଜନସେନ ପରିଡ଼ା, ଚନ୍ଦ୍ରମୋହନ ଜେନା, ରାମକୃଷ୍ଣ ଜେନା, ପ୍ରସନ୍ନ କୁମାର ଶତପଥି, ଆଲୋକ କୁମାର ଶତପଥି, ପବିତ୍ର ମୋହନ ନାୟକ, ସୁଶାନ୍ତ କୁମାର ଜେନା ସମେତ ଅନ୍ୟମାନେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ବିବାଦକୁ ଟାଣିଲା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ? କୋଭିଡ ନିୟମ ଭାଙ୍ଗି ବିବାଦରେ କବିସୂର୍ଯ୍ୟନଗର ବିଧାୟିକା ଲାତିକା ପ୍ରଧାନ ଭାଇରଲ ହେଉଛି ଭିଡ଼ିଓ, କେବେ ହେବ କାର୍ଯ୍ୟାନୁଷ୍ଠାନ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ କଡାକଡି କରି ସରକାର ନିୟମ ଉଲ୍ଲଙ୍ଘନ ପାଇଁ ଜୋରିମାନାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେତାମାନେ ଏହି ନିୟମକୁ ଖାତିର କରୁନାହାନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ପି. ନୂଆଁଗାଁ ଠାରେ ରବିବାର କବିସୂର୍ଯ୍ଯନଗର ବିଧାୟିକା ଲତିକା ପ୍ରଧାନ ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ନେଇ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି । କିନ୍ତୁ କାହା ମୁହଁରେ ମାସ୍କ ନାହିଁ ଏବଂ ସାମାଜିକ ଦୂରତା ମଧ୍ୟ ନାହିଁ । କୋଭିଡ କଟକଣା ବଳବତର ଥିବା ବେଳେ ବିଧାୟିକାଙ୍କ ଏପରି କାର୍ଯ୍ୟକ୍ରମ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକାଠି ହୋଇଥିବାର ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ରାଜ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିଧାୟିକାଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ଏକ ଅପମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଲୋକ ପ୍ରତିନିଧି ହୋଇଥିବାରୁ ସେ କୋଭିଡ ନିୟମ ମାନି ଅନ୍ୟମାନଙ୍କୁ ପ୍ରେରଣା ଦେବା ବାହାନାରେ କୋରନା ବାଣ୍ଟୁଛନ୍ତି ବିଧାୟିକା । ଯାହାର ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ସାଧାରଣ ଜନତା ନିୟମ ଭାଙ୍ଗିଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏଠି ନିୟମ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବିଧାୟିକାଙ୍କ ବିରୋଧରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା । ଭିଡ଼ିଓକୁ ବିଜେପି ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶନୀ ଓ ବିଜେପି ଯୁବ ନେତା ପ୍ରମୋଦ କୁମାର ପଣ୍ଡା ଫେସବୁକରେ ଅପଲୋଡ଼ କରି ବିଧାୟିକାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲାଗି ବିରୋଧୀ ଦାବି କରିଛନ୍ତି ।

ରଥଯାତ୍ରା ପାଇଁ କତା ଶିଳ୍ପୀ ଯୋଗାଇଲେ ରଥ ଦଉଡ଼ି ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଆଜି କତା ନିଗମ ପକ୍ଷରୁ ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ଏଥିରେ ୧୪ଟି ରଥଟଣା ଦଉଡ଼ି ରହିଛି। ତା ମଧ୍ୟରେ ରହିଛି ୨୨୦ଫୁଟ ଲମ୍ବ ସହ ୮ଇଞ୍ଚ ଗୋଲେଇ ଦଉଡ଼ି ରହିଛି। ସେହିପରି ୩ଟି ଆଉଟର କର୍ଡନ ଦଉଡ଼ି ରହିଛି, ଯାହାର ଲମ୍ବ ୪୫୦ ଫୁଟ ଏବଂ ୪ ଇଞ୍ଚ ଗୋଲେଇ ରହିଛି। ୧୦୦ ମିଟର ଲମ୍ବର ଇନର କର୍ଡନ ୪ ଇଞ୍ଚ ଗୋଲେଇ ଦଉଡି ରହିଛି। ଏହାକୁ ପୂରା ନିଷ୍ଠାର ସହ ତିଆରି କରିଛନ୍ତି କତା ଶିଳ୍ପୀ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ। ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ କାମ ଏବେ ଜୋର ସୋରରେ ଚାଲିଛି। ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟି ଚକର କାର୍ଯ୍ୟ ଶେଷ ହୋଇଛି। ଏବେ ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ସାନ୍ନ ପୂର୍ଣ୍ଣିମା ନୀତି ବିଧିବିଧାନ ମୁତାବକ କରାଯାଇଥିଲା। ଏଥର ମଧ୍ୟ କରୋନା କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ହାତରେ କମ୍ ସମୟ ରହିଛି। ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ। ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନାର ଦ୍ୱିତୀୟ ଲହର ଯୋଗୁ ଏଥର ମଧ୍ୟ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଏହାରି ଭିତରେ ପୁରୀ ରଥଖଳାରୁ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ।

ଏକାମ୍ର କାନନ ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗ, ଷ୍ଟାଟସ୍ କୋ ଜାରି ରଖିବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀରେ ଏକାମ୍ର କାନନରୁ ୨୦ ଏକର ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗରେ ଷ୍ଟାଟସ କୋ ଜାରି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଏନଜିଟି। ଏଥିସହ ୪ ଜଣିଆ କମିଟି ଗଠନ ସହ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳ, ଉଦ୍ୟାନକୃଷି ନିର୍ଦ୍ଦେଶକ, ଚନ୍ଦକା ଡିଏଫଓ ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ କମିଟି ଗଠନ ହୋଇଛି। ପିଟିସନରେ ଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଜୁନ ୩୦ରେ ପରବର୍ତ୍ତୀ ଶୁଣାଣି ହେବ। ଗତ ବର୍ଷ ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଯାହା ପରେ ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ଉଦ୍ୟାନରେ କଙ୍କ୍ରିଟ୍ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତିରୁ ଓହରିଛି ଉଦ୍ୟାନ କୃଷି ବିଭାଗ। ଏକାମ୍ର କାନନରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ । ୨୦ ଏକର ୧୯୨ ଡିସିମିଲ୍ ଜମିକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିବାକୁ ଚିଠି ହେବା ଖବର ପ୍ରଚାରିତ ହେବା ପରେ ବିଜେପି, କଂଗ୍ରେସ, ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍ ଏହାକୁ ପ୍ରବଳ ବିରୋଧ କରିଥିଲେ ।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ । ଭଉଁରୀରେ ରଥର ଚକ ଡେରା ପରଂପରା ରହିଥିବାରୁ ଜୋର ସୋରରେ ଚାଲିଛି କାମ । ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି । ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି। ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।କୋଭିଡ୍ କଟକଣା ଭିତରେ ରୀତିନୀତି ସଂପନ୍ନ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯିବ। ଏଥିସହ ଜନ ସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ପୁରୀ ଏସ୍ପି । ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁଲିସ ପକ୍ଷରୁ ପ୍ରଥମ ବୈଠକ ହୋଇଛି । ଭଉଁରୀ ପରମ୍ପରା ଅନୁଯାୟୀ ଏହି ତିଥିରେ ତିନି ରଥର ଚକ ଅଖ ଡ଼େରା କାର୍ଯ୍ୟ ସମ୍ପନ୍ନ ହେବ। ସେଥିପାଇଁ ତିନିଟି ରଥର ତିନିଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବେଳେ ଅନ୍ୟ ଅଖ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ । ଏହା ପରେ ବିଶ୍ୱକର୍ମାମାନେ ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡ଼େରା କାର୍ଯ୍ୟ ସଂପନ୍ନ କରିବେ ।

ରାଜ୍ୟ ସରକାରଙ୍କ ଟିକା ଟେଣ୍ଡର ଫେଲ ପରେ ଏମିତି କହିଲେ ଅପରାଜିତା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିବା ଏକ ଅପରିପକ୍ୱ ନିଷ୍ପତ୍ତି।  ଖୋର୍ଦ୍ଧାରେ ଏକ ରକ୍ତଦାନ ଶିବିର ଉଦ୍‌ଘାଟନ ଅବସରରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କରୋନା ଟିକାର ଖୋଲା ବଜାର ବ୍ୟବସ୍ଥା କରାଗଲା । ହେଲେ ବର୍ତ୍ତମାନ କହୁଛନ୍ତି କେନ୍ଦ୍ର ସରକାର ଏହା କରନ୍ତୁ । ତାମାନେ ରାଜ୍ୟ ସରକାରଙ୍କ ଅପାରଗତା ରହିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଚିଠି ଉପରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ ତାହା ଆଗକୁ ଜଣାପଡିବ ବୋଲି କହିଛନ୍ତି ଅପରାଜିତା । ତେବେ ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି। ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ୱ୍ୟ ମନ୍ତ୍ରୀ ଡଃ ହର୍ଷବଦ୍ଧନଙ୍କୁ ଚିଠି ଲେଖି ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡରରେ ଶିରମ ଇନଷ୍ଟିଚ୍ୟୁଟ(କୋଭିଶିଲଡ) ଓ ଭାରତ ବାୟୋଟେକ(କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି ବୋଲି ଜଣାଇଛନ୍ତି। ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହୋଇ ନାହାନ୍ତି। ତା’ଛଡ଼ା ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ତେଣୁ କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋଭିଡ୍ ଟିକା କ୍ରୟ କଲେ ତାହା ତ୍ୱରିତ୍ ଓ ଅପେକ୍ଷାକୃତ କମ୍ ଦରରେ ସମ୍ଭବପର ହୋଇପାରିବ। ଓଡ଼ିଶା ସରକାର ଏହି ଟିକାବାବଦ ଖର୍ଚ୍ଚ ନିଜ ସମ୍ବଳରୁ ଦେବାକୁ ରାଜି ଅଛନ୍ତି । ତେଣୁ ଟିକା ଦାନ ନୀତିରେ ରାଜ୍ୟକୁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଢଙ୍ଗରେ ଟିକାକରଣ କରିବାକୁ ସୁଯୋଗ ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ରାଜ୍ୟର ଅଧିକାଂଶ ପାହାଡ଼ିଆ ଅଂଚଳ ହୋଇଥିବାରୁ ସେଠାରେ ଇଣ୍ଟରନେଟ ନଥିବାରୁ ବାଧ୍ୟତାମୂଳକ ଅନଲାଇନ ପଞ୍ଜିକରଣ ନିୟମକୁ କୋହଳ କରିବା ସହ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଟିକାକରଣରେ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ସରକାରୀ ସ୍କୁଲ ଜମିରେ ନିର୍ମାଣ ହେବ ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସରକାରୀ ସ୍କୁଲ ଖେଳ ପଡ଼ିଆ ଉପରେ ପଡ଼ିଛି ଆଇଏଏସ୍ ଅଫିସର ସଂଘର ନଜର। ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣ ପାଇଁ ସ୍କୁଲ ହତାକୁ ଚଞ୍ଚକତା କରି ହଡ଼ପ ଉଦ୍ୟମ ଚିତ୍ର ସାମ୍ନାକୁ ଆସିଛି। ରାଜଧାନୀରେ ଥିବା ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ହତାର ପ୍ରାୟ ଦେଢ଼ ଏକର ଜାଗାକୁ ଅଦରକାରୀ ଦର୍ଶାଇ ଏଠି ପାଚେରି ଗଢୁଛି ବିଡିଏ। ଏହି ହତାର ପ୍ରାୟ ଦେଢ଼ ଏକର ଜାଗାରେ ନିର୍ମାଣ ହେବ ଆଇଏଏସ୍ ଅଫିସର ଟ୍ରାନଜିଟ୍ ହାଉସ୍। ଯାହାକୁ ନେଇ ସ୍କୁଲର ଆଲମୁନି ସଂଘ ସହ ଓଡ଼ିଶା ଅଭିଭାବକ ମହାସଂଘ କଡ଼ା ଆପତ୍ତି ଉଠାଇଛି। ଏମିତିକି ଉଭୟ ସଂଘ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ତୀବ୍ର ବିରୋଧ କରିବା ସହ ତୁରନ୍ତ କାମ ବନ୍ଦ ଲାଗି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ବି ନେଇଛନ୍ତି। ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ସ୍କୁଲ ହତାରେ ବିଡିଏ ପାଚେରୀ ନିର୍ମାଣ ଆରମ୍ଭ କରିଥିଲା। ସ୍କୁଲର ପୁରାତନ ଛାତ୍ର ସଂଘ ତତକ୍ଷଣାତ ତାକୁ ବିରୋଧ କରିଥିଲା। ଏମିତିକି ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପୁରାତନ ସରକାରୀ ସ୍କୁଲ ଜମିରେ କୌଣସି ପ୍ରକାର ନିର୍ମାଣ ବନ୍ଦ ରଖିବାକୁ ବି ନିବେଦନ କରିଥିଲା। କୋର୍ଟ ମାମଲାକୁ ଗ୍ରହଣ କରି ସଂପୃକ୍ତ ଜମି ଉପରେ ଷ୍ଟାଟସ୍-କୋ ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏଭଳି ଅର୍ଡର ସତ୍ତ୍ୱେ ବିଡିଏର କାମ ଅଟକିନଥିଲା। ଏମିତିକି ୟୁନିଟ୍-୬ ବାଳକ ବିଦ୍ୟାଳୟ ନାଁ ଛାଡ଼ି ସେ ସ୍ଥାନକୁ ୟୁନିଟ୍-୬ ବାଳିକା ସ୍କୁଲର ଅବ୍ୟବହୃତ ଜମି ବୋଲି ଦର୍ଶାଇ ପୁଣି ପାଚେରି କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ୟୁନିଟ୍-୬ ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘ ମଧ୍ୟ ସାଂଘାତିକ ଷଡ଼ଯନ୍ତ୍ର ବୋଲି ଦର୍ଶାଇବା ସହ ସିଧା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରାଜଧାନୀରେ ଷ୍ଟେଟ୍ ଗେଷ୍ଟ ହାଉସ୍ ଓ ସ୍ପେଶାଲ୍ ସର୍କିଟ୍ ହାଉସ୍ ଭଳି ଅନେକ ଅତିଥି ଭବନ ରହିଥିବାବେଳେ, ଏକ ପୁରାତନ ସ୍କୁଲର ଖେଳ ପଡ଼ିଆକୁ ଅବ୍ୟବହୃତ ଜମି ଦର୍ଶାଇ କାହିଁକି ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣରେ ଏତେ ତତ୍ପରତା ଦେଖାଉଛି ବିଏମସି? ଏନେଇ ବିଡିଏ ଉପାଧ୍ୟକ୍ଷ ପରୋକ୍ଷରେ କହିଛନ୍ତି, ମୁଁ ଭାବିପାରୁନି, ସେ କାମ ଏବେ ବି ଚାଲିଛି। ତେଣେ ପୂର୍ବତନ ପ୍ରଶାସକ ମଧ୍ୟ କହିଛନ୍ତି, ଆଇନର ରକ୍ଷକ ହୋଇ ଆଇଏଏସ୍ ଅଫିସର୍ସ ସଂଘ ଆଇନକୁ ଏଭଳି ହାତକୁ ନେବା ଠିକ୍ ନୁହେଁ।

ମୋଦି ସରକାରଙ୍କ ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି ଶିଳ୍ପପତି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍‌ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି। ସହରାଞ୍ଚଳର ୬୧% ଲୋକ ଏଥିରେ ଏକମତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗ୍ରାମାଞ୍ଚଳର ୬୫.୯% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା କର୍ପୋରେଟ ହାଉସ ଗୁଡ଼ିକ ଲାଭବାନ ହେଉଥିବା କଥା କହିଛନ୍ତି।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧୬.୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛୋଟଛୋଟ ବ୍ୟବସାୟୀମାନେ ଲାଭାନ୍ୱିତ ହେଉଥିବା ମତଦେଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ୭.୪% ଲୋକ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦ୍ୱାରା ଦରମାପ୍ରାପ୍ତ କର୍ମଚାରୀମାନେ ଆର୍ଥିକ ସ୍ତରରେ ଲାଭ ପାଉଥିବା କଥା କହିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୮.୬% ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୮% ରହିଛି। ଯାହା ଅତ୍ୟନ୍ତ ନିରାଶାଜନକ। କେବଳ ୧୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀ ଓ ଶ୍ରମିକ ଗୋଷ୍ଠୀର ସଦସ୍ୟମାନେ ଲାଭବାନ ହେଉଥିବା କଥା କହିଛନ୍ତି। ସହରାଞ୍ଚଳରେ ରହୁଥିବା ୧୪.୨% ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀ ଓ ଶ୍ରମିକଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଥିବା କଥା କହୁଥିବା ବେଳେ ଗ୍ରାମାଞ୍ଚଳର ୧୧.୧% ଲୋକ ସମାନ କଥା କହିଛନ୍ତି। ଏବିପି-ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ସର୍ଭେ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି।