ଜୁନ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ ସମୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍‌ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍‌ ନୁହେଁ। ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ। ମନ୍ଦିର ମଧ୍ୟ ବନ୍ଦ ରୁହେ। ଏହି ସୂର୍ଯ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ। ଭାରତରେ ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ। ସୂର୍ଯ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ। ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ। ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ। ଜୁନ୍‌ ୧୦ ତାରିଖ ଦିନ ୧.୪୨ରୁ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବ। ଏହା ସନ୍ଧ୍ୟା ୬.୪୧ ଯାଏ ଚାଲିବ। ଏହି ସମୟ ପାକ ନିଷେଧ କରିବକୁ ହେବ।

ନବୀନଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ୍ ଟିକା ପାଇଁ ଏକଜୁଟ ହେବେ କି ଅଣବିଜେପି ଶାସିତ ରାଜ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାମୁହିକ ଟିକାକରଣ ମାଧ୍ୟମରେ କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ କୋଭିଡ୍ ଟିକା ଅଭାବ ଏବେ ଚିନ୍ତାରେ ପକାଇଛନ୍ତି। ଏଭଳି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ମାଗଣା କୋଭିଡ୍ ଟିକା ଯୋଗାଇ ଦେବା ନିମନ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ବିଜୟନ୍ ଦୁଇ ପୃଷ୍ଠାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ମାଗଣା ଟିକାକରଣ ନିମନ୍ତେ କୋଭିଡ୍ ଟିକା କ୍ରୟ କରିବାର ନିଜର ଦାୟିତ୍ୱ ଓ ସଂଘୀୟ ସହଭାଗିତାର ଭାବନାରୁ କେନ୍ଦ୍ର ସରକାର ଓହରି ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର କିଭଳି ତୁରନ୍ତ ଟିକା କ୍ରୟ କରି ସମସ୍ତ ରାଜ୍ୟକୁ ଦେବେ ସେ ନେଇ ମିଳିତ ଭାବେ ଚାପ ପକାଇବାର ସମୟ ଏବେ ଆସିଛି । କେନ୍ଦ୍ର ସରକାର ନିଜେ କୋଭିଡ୍ ଟିକା କ୍ରୟ କରି ସେଗୁଡ଼ିକ ମାଗଣାରେ ରାଜ୍ୟଗୁଡ଼ିକ ଯୋଗାଇ ଦିଅନ୍ତୁ, ଯାହାଫଳରେ ତାହା କମ୍ ଖର୍ଚ୍ଚରେ ସମ୍ଭବପରହେବ ବୋଲି ଶ୍ରୀ ବିଜୟନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ଟିକା କ୍ରୟ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମିଳିତ ଚାପ ପକାଇବାର ଆବଶ୍ୟକତା ରହିଛି । ଏବେ କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ନିଜର ଆର୍ଥିକ ଫାଇଦା ପାଇଁ ଟିକା ଯୋଗାଣର ଅଭାବ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କୋଭିଡ୍ ଟିକା ଯୋଗାଣ ନେଇ ରାଜ୍ୟଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁନାହାନ୍ତି । ତେଣୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ବିକଳ୍ପକୁ ଚୟନ କରିବାର ଆବଶ୍ୟକତା ରହିଛି । ଯଦି ରାଜ୍ୟଗୁଡ଼ିକ ଉପରେ କୋଭିଡ୍ ଟିକା କ୍ରୟର ସମସ୍ତ ଆର୍ଥିକ ବୋଝ ରୁହେ ତା’ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯିବ । ଏବେ ମାତ୍ର ଦେଶର ୩.୧ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି । ତେଣୁ ଅଧିକ ସଂଖ୍ୟାରେ ସାମୁହିକ ଟିକାକରଣ ନହେବା ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି ଓ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଚିତ୍ । ଯାହାଫଳରେ କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ପାରିବେ ଓ ଏହି ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ।

ଭୂମିହୀନଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ହେବା ଦରକାର: ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ବିଶେଷ ଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସାମୁଦ୍ରିକ ବାତ୍ୟା ‘ୟାସ୍’ ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗାଁ, ସାରଥା ପଞ୍ଚାୟତର ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହାସହ ବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାର ଚାରିଗୋଛିଆ ଅଂଚଳରେ ସମାନ୍ୟ ଜୁଆର ହେଲେ ଏଠାରେ ଲୁଣି ପାଣି ମାଡ଼ିଯାଏ। ବାତ୍ୟା ପରେ ଏବେ ବି ଲୋକମାନେ ଲୁଣି ପାଣି ଘେରରେ ଅଛନ୍ତି। ଅଧିକାଂଶ ହେନ୍ତାଳ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି। ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହାର ଅଧିକ ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଛି। ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଂଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା।ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଏହାର ସିଧା ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ପଡ଼ିଛି। କିଛି ଅଂଚଳରେ ପିଇବା ପାଣି ସମସ୍ୟା ଦେଖାଯାଇଛି। ସେଠାରେ ଅନେକ ଭୂମିହୀନ ବସବାସ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପଟ୍ଟା ମିଳିଛି କିନ୍ତୁ ଜମି ମିଳିନାହିଁ। ଏହାର ସ୍ଥାୟୀ ପ୍ରତିକାର ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ଖୁବଶୀଘ୍ର ନଦୀବନ୍ଧର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଂଚଳ କିପରି ସ୍ୱାଭାବିକ ହେବ ଏନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାଲେଶ୍ୱର ଅଂଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାୟୀ ଭାବେ ଉପକୂଳବର୍ତ୍ତୀ ଅଂଚଳକୁ କିପରି ଭାବରେ ସୁରକ୍ଷିତ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷ ଭାବରେ ପରିବେଶକୁ ଧ୍ୟାନରେ ରଖି ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ଉପଯୋଗ କରି ଲମ୍ବା ସମୟ ପର୍ଯ୍ୟନ୍ତ ଉପକୂଳ ଅଂଚଳର ଜନବସତି ଏବଂ ଜୀବନଜୀବିକାର ସୁରକ୍ଷା କିପରି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଏଥିରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳରେ ଏ ଯାଏଁ ବିଜୁଳି ଆସିନାହିଁ। ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର। ଏହାବ୍ୟତୀତ ବାତ୍ୟା ଏବଂ ବନ୍ୟାକୁ ପ୍ରତିକାର ମୂଳକ ପଦକ୍ଷେପ ନେବା ତଥା ଆଶ୍ରୟସ୍ଥଳ ଠାରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଜଭୁତ୍ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହେବ, ସେ ନେଇ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ କରାଯାଇ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଗତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ସାନ୍ନ ପୂର୍ଣ୍ଣିମା ନୀତି ବିଧିବିଧାନ ମୁତାବକ କରାଯାଇଥିଲା। ଏଥର ମଧ୍ୟ କରୋନା କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ହାତରେ କମ୍ ସମୟ ରହିଛି। ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ।ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ପୁରୀ ରଥଖଳାରୁ ଆଉ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଜିଲ୍ଲାପାଳ ଓ ଏସପି ଆଜି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

୧ ଜୁନ’, ମଙ୍ଗଳବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବ୍ୟବସାୟରେ ଉନ୍ନତି ହେବ।

ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାଜନକ ହୋଇପାରେ। କୌଣସି ଉତ୍ତମ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: ଶରୀରର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ସଉଦା କିଣିବା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କୌଣସି କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଯାଇଥିବା କାମଟିକୁ ସଂପୂର୍ଣ୍ଣ କରିବେ।

କନ୍ୟା: ପାରିବାରିକ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହିବ। ନକାରାତ୍ମକ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ।

ତୁଳା: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା ସୁଯୋଗଟି ଆସିବ, କିନ୍ତୁ ଆପଣ ତା’ର ସଦ୍‌ ଉପଯୋଗ କରିପାରିବେ ନାହିଁ।

ବିଛା: ସମାଲୋଚନାର ଶିକାର ହେବେ। ଅସାବଧାନତା କାରଣରୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି।

ଧନୁ: କାହାରି ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରରେ ସମସ୍ତଙ୍କ ସହ ଉତ୍ତମ ବୁଝାମଣା ରଖନ୍ତୁ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଭାଇ ମାନଙ୍କ ସହିତ ବିବାଦ ହୋଇପାରେ। ଆର୍ଥିକ କ୍ଷେତ୍ରଟି ସୁଦୃଢ଼ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁଫଳ ପାଇବେ। ଆଶା ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି ହେବ।

ମୀନ: କୌଣସି ବନ୍ଧୁଙ୍କ ସହିତ ସଂପର୍କରେ ତିକ୍ତତା ଦେଖାଦେଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।