କେଉଁଠି ପାହାଡ଼ ଉପରେ ତ କେଉଁଠି ମଞ୍ଚାରେ ପାଠ ପଢୁଛନ୍ତି ପିଲା ; ପିଲା ଙ୍କ ଭବିଷ୍ୟତ କୁ ନେଇ ପ୍ରଶ୍ନ…..?

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ଗାଁଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼ ଉପରେ ତ ଆଉ କେଉଁଠି ମଞ୍ଚା ତିଆରି କରି ୟୁଟ୍ଯବ ଲାଇଭରେ ପାଠ ପଢୁଛନ୍ତି ଛାତ୍ର /ଛାତ୍ରୀ । ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହୁରୁଗୁଡା , ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୮ ରୁ ଉର୍ଦ୍ଧ୍ବ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନଥିବାରୁ ଛାତ୍ର /ଛାତ୍ରୀମାନେ ବାଧ୍ୟ ହୋଇ ଗାଁଠାରୁ ପ୍ରାୟ ୫ ରୁ ୮ କିଲୋମିଟର ଦୂର ବାପିଗଣ୍ଡା ପାହାଡ଼ ଉପରକୁ ଆସି ପାଠ ପଢୁଥିବା ବେଳେ ଜିଲ୍ଲାର ରା.ଉଦୟଗିରି ବ୍ଲକ ରାମଗିରି , ମଙ୍ଗରାଜପୁର ଓ ସୁଭଲଡ଼ା ପଞ୍ଚାୟତର ଅଧିକାଂଶ ଗାଁରେ ନେଟୱାର୍କ ନଥିବାରୁ ଛାତ୍ର/ ଛାତ୍ରୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ମଙ୍ଗରାଜପୁର ପଞ୍ଚାୟତ ତରଳସିଂ ଗାଁରେ ନେଟୱାର୍କ ନ ଥିବାରୁ ବିଭିନ୍ନ ଅଞ୍ଚଳର ପିଲାମାନେ ମିଶି ଜଙ୍ଗଲରୁ କାଠ , ବାଉଁଶ ଆଣି ନେଟୱାର୍କ ଆସୁଥିବା ସ୍ଥାନରେ ଏକ ମଞ୍ଚା ତିଆରି କରି ପାଠ ପଢୁଛନ୍ତି। ବର୍ଷା , ପବନ , କାଳବୈଶାଖୀ ହେଲେ ନେଟୱାର୍କ ବନ୍ଦ ହେବା ସହ ପାଠପଢ଼ା ମଧ୍ୟ ବନ୍ଦ। ଅଧିକାଂଶ ଛାତ୍ର/ଛାତ୍ରୀଙ୍କ ପିତା ମାତା ଗରୀବ ଶ୍ରେଣୀର ହୋଇଥିବାରୁ ନିଜ ପିଲାମାନଙ୍କୁ ମୋବାଇଲ ଯୋଗାଇ ପାରୁନାହାନ୍ତି । ତେଣୁ ଗୋଟିଏ ମୋବାଇଲରେ ୪ ରୁ ୫ ଜଣ ଲେଖାଏଁ ଛାତ୍ର /ଛାତ୍ରୀ ମିଶି କରି ପାଠ ପଢୁଛନ୍ତି । ବର୍ଷା ପବନ ହେଲେ ପାଠ ପଢା ବନ୍ଦ ହୋଇଯାଉଛି ।

ଜିଲ୍ଲାପାଳ ଅନୁପମ ସାହା ଙ୍କୁ ବିଦାୟ ସମ୍ବର୍ଦ୍ଧନା …!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଗତକାଲି (ସୋମବାର ଦିନ) ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସାହା ୧୭ ଜାନୁଆରୀ ୨୦୧୮ ଠାରୁ ୨୮ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଭାବରେ ଅନେକ କାର୍ଯ୍ୟ କରିଆସୁଥିଲେ । ଆସନ୍ତା କାଲି ଯଥା୩୦-୬-୨୦୨୧ ତାରିଖରେ ରାଜ୍ୟ ନିର୍ଦ୍ଦେଶକ , OSEPA ଭାବେ ଯୋଗ ଦେବାର ସୂଚନା ଅଛି । ଗଜପତି ଜିଲ୍ଲା ପ୍ରତିଷ୍ଠା ହେବା ଠାରୁ ସର୍ବାଧିକ ଯଥା ୩ ବର୍ଷ ୫ ମାସରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ସମୟରେ ଜିଲ୍ଲାରେ ହୋଇଥିବା “ତିତିଲି” ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟକୁ ମୁକାବିଲା କରିବାସହ କରୋନା ଭଳି ମହାମାରୀକୁ ଗତ ଦେଢ଼ବର୍ଷ ହେଲା ସାମ୍ନା କରି ଜିଲ୍ଲାବାସୀଙ୍କର ଅମୂଲ୍ୟ ଜୀବନକୁ ବହୁମାତ୍ରାରେ ସୁରକ୍ଷିତ ରଖି ପାରିଥିଲେ । ଏହି ସମୟ ମଧ୍ୟରେ “ଟିଚ୍ ଗଜପତି” କାର୍ଯ୍ୟକ୍ରମ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ନୀତି ଆୟୋଗ ଦ୍ୱାରା ପୁରସ୍କୃତ ହୋଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସ୍ଥାପନ କରି ୩୦ରୁ ଅଧିକା ଅନାଥ ଏବଂ ପରିତ୍ୟକ୍ତ ଶିଶୁଙ୍କୁ ପରିବାର ଦେବାରେ ସକ୍ଷମ ହୋଇଥିଲେ । ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଚନ୍ଦ୍ରଗିରିରେ ପାର୍କ, ସେରଙ୍ଗରେ ଟ୍ରାଇବଲ୍ ମ୍ୟୁଜିଅମ୍ ପ୍ରତିଷ୍ଠା କରିବା ସହ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଅଧିକ ଧ୍ୟାନ ଦେଇଥିଲେ । ୨୦୨୦ ମସିହାରେ ଜିଲ୍ଲା ଓଡ଼ିଶା ଜୀବିକା ମିଶନ , ଜଳ ବିଭାଜିକା , ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଗଜପତି ଜିଲ୍ଲା ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିଲା । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ମୁଖ୍ୟ ରାସ୍ତା ସଂପ୍ରସାରଣ , କବି ଗୋପାଳକୃଷ୍ଣ ପାଠାଗାର , ଶିଶୁ ଉଦ୍ୟାନ , ଅମ୍ଳଜାନ ପ୍ଲାଣ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଇଣ୍ଡୋର ଷ୍ଟାଡିଅମ୍ ପ୍ରତିଷ୍ଠା ପାଇଁ ସ୍ଥାନ ନିରୁପଣ ଭଳି ବିଭିନ୍ନ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଜିଲ୍ଲାବାସୀଙ୍କର ବ୍ୟକ୍ତିଗତ ଅଭିଯୋଗ ଏବଂ ଆବଶ୍ୟକତା ଶୁଣି ତାକୁ ସମାଧାନ କରିବାରେ ମାହିର ଥିବା ଯୋଗୁଁ ଗଜପତି ଜିଲ୍ଲା ତାଙ୍କୁ ସବୁବେଳେ ମନେରଖିବ । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ତପନ କୁମାର ପଟ୍ଟନାୟକ , ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଞ୍ଜିତ , ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର , ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ସରୋଜ କୁମାର ବେହେରା ସହ ଜିଲ୍ଲାର ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଗତ ୩ ବର୍ଷ ୫ ମାସର କାର୍ଯ୍ୟକାଳକୁ ସ୍ମୃତି ଚାରଣ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତ ଜୀବନର ଶୁଭକାମନା କରିଥିଲେ ।

ବାଲି ଚୋରା ଚାଲାଣ ରୋକିବା ନେଇ ତହସିଲଦାର ଙ୍କ ଏକ ଅଭିନବ ପ୍ରୟାସ ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ଅଞ୍ଚଳ ରେ ବଂଶଧାରା ନଦୀ ପଠାରୁ ନିୟମିୟ ବାଲି ଚୋରା ଚାଲାଣ କରାଯାଉଛି ବୋଲି ଗଣ ମଧ୍ୟମରେ ଖବର ପ୍ରକାଶ ପାଇବା ସହ ବିରୋଧୀ ଭାଜପା ପକ୍ଷରୁ ଅଭଯୋଗ ହୋଇଛି । ଏପରିକି ବଢ଼ି ପାଣିର ଗତିରୋଧ କରିବା ନିମନ୍ତେ ବଂଶଧାରା କୂଳରେ ନିର୍ମିତ୍ତ ଆଦିବନ୍ଧ କୁ କାଟି ରାସ୍ତା ନିର୍ମାଣ କରି ବାଲି ମାଫିଆ ମାନେ ବଂଶଧାରା ନଦୀ ମୁହାଣ ରୁ ବାଲି ଉଠାଇ ନେଉଥିବା ଅଭଯୋଗ ହୋଇଥିଲା । ମାଫିଆଙ୍କ ରୀତିମତ ବାଲିଚୋରା ଚାଲାଣ ରାଜସ୍ୱ ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଵିଭାଗୀୟ କର୍ମଚାରୀ ମାନେ ବାଲି ଲୋଡିଙ୍ଗ ଟ୍ରାକ୍ଟର ଗୁଡିକ ଧରି ଜରିମାନା ଆଦାୟ ଜରୁଥିଲେ ମଧ୍ୟ ଚୋରା ଚାଲାଣ ଥମିବାର ନାଁ ନେଉନି ।

ଆଗାମୀ ବର୍ଷା ଋତୁରେ ଦୁର୍ବଳ ଅଡିବନ୍ଧ ଦେଇ ବଢ଼ି ପାଣି ସହର ମଧ୍ୟକୁ ପ୍ରବେଶ କରିବା ଆଶଙ୍କା କରି ଏବଂ କଟା ଆଡିବନ୍ଧ ଦେଇ ବାଲି ଚୋରା ଚାଲାଣ କୁ ରୋକିବା ପାଇଁ ତହସିଲଦାର ଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ନିଜେ ଉପସ୍ଥିତ ରହି କଟା ଅଡିବନ୍ଧ ରେ ଖୋଳା ଯାଇଥିବା ରାସ୍ତାକୁ ପଥର ଓ କଂକ୍ରିଟ ପୋଲ ଦେଇ ବନ୍ଦ କରିଛନ୍ତି । ତହସିଲଦାର ଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । 

ଜଗା ପାଖକୁ ଆସିଲା ଅଣସର ଫଳଭାର…!

ଏଥର ସମ୍ଭାଳ ବ୍ୟୁରୋ(ପୁରୀ)- ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀକ୍ଷେତ୍ରରୁ ଆସି ପହଞ୍ଚିଛି ଅଣସର ଫଳଭାର। ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି। ଭାର ଯାତ୍ରୀମାନେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିଲେ। ପରେ ଭାର ସାମଗ୍ରୀକୁ ନୃସିଂହ ଚକଡ଼ାରେ ରଖିଥିଲେ। ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ, ଆମ୍ବ, ସପୁରୀ, କଦଳୀ, ପିଜୁଳି, ଖଜୁରୀ, ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ ରହିଛି। ପ୍ରାଚୀ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର ଓ ଶ୍ରୀମାଧବାନନ୍ଦ ଜିଉ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଏହାର ନେତୃତ୍ୱ ନେଇଛନ୍ତି। ବହୁ ପୁରାକାଳରେ ପୁରୀର ଦଶାବତାର ମଠ ଜରିଆରେ ପ୍ରାଚୀ କୂଳର ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା। ମାତ୍ର ପରେ ଏହି ପରମ୍ପରା ଲୁପ୍ତ ହୋଇ ଯାଇଥିଲା। ୨୦୦୦ ମସିହାଠାରୁ ତ୍ରିଲୋଚନ ମିଶ୍ରଙ୍କ ଉଦ୍ୟମରେ ପ୍ରାଚୀକ୍ଷେତ୍ରରୁ ଅଣସର ଫଳଭାର ପଠାଯାଇ ଆସୁଛନ୍ତି। ଚଳିତବର୍ଷ ଏହି ଯାତ୍ରାରେ ଶ୍ରୀମାଧବାନନ୍ଦ ଜିଉ ପୀଠ ସାମିଲ ହୋଇଛି। ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦ ଜୀଉ ପୀଠରୁ ପୋଢୁଆଁ ଭାର ମଧ୍ୟ ପଠା ଯାଉଛି।

ପୋଖରି ଦୁର୍ନୀତି ପ୍ରସଙ୍ଗ; ତଦନ୍ତ କରିବାକୁ ଦାବୀ କଲେ କଂଗ୍ରେସ ନେତା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ବ୍ରହ୍ମପୁର ସହର ମଧ୍ୟରେ ଥିବା ପୋଖରି ଗୁଡିକର ରକ୍ଷଣା ବେକ୍ଷଣ କରିବା ଓ ତାକୁ ବ୍ୟବହାର ଉପଯୋଗୀ କରିବାକୁ ୨୦୦୭ ରୁ ୨୦୨୧ ମଧ୍ୟରେ କେନ୍ଦ୍ର ସରକାର ମାନ ପର୍ଯ୍ୟାୟକ୍ରମେ ୧୪ କୋଟି ୯୯ ଲକ୍ଷ ୩୦ହଜାର ଟଙ୍କା ମହାନଗର ନିଗମକୁ ଦେଇଥିବା ସୂଚନା ଅଧିକାର ଆଇନ ଦ୍ଵାରା ଜଣାଯାଇଛି l ଏହି ବିପୁଳ ଧନ ରାଶିର ସଟିକ ବିନିଯୋଗ ହୋଇନଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏଫ.ଆଇ.ଆର(FIR) ପ୍ରଦାନ କରିଛନ୍ତି l ଅଭିଯୋଗକାରୀ କଂଗ୍ରେସ ନେତା ମାନେ କହିଛନ୍ତିଯେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏହି ବିପୁଳ ଧନ ରାଶିରେ ବ୍ୟାପକ ଅନିୟମିୟତା ହୋଇଛି l

ଗୋଶାଣୀନୁଆଗାଁ ଉତ୍ତରେସ୍ୱର ବନ୍ଦ, ବିଜିପୁର ବନ୍ଦ ଓ ପାୟଲ ସିନେମା ହଲ ପାଖରେ ଥିବା ବନ୍ଦରେ ଏକାଧିକ ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସହରର ଅନ୍ୟ ବନ୍ଦ ଗୁଡିକୁ କାହିଁକି ଅଣ ଦେଖା କରାଯାଇଥିଲା l ଏପରିକି ସହରରେ ଥିବା ୪୦ ଗୋଟି ଜଳାଶ୍ରୟ ଗୁଡିକରୁ ଠିକ ଭାବରେ ପଙ୍କ ବାହାର ନହେବା,ଦଳ ସଫା ନହେବ,ପଥର ବନ୍ଦେଇ ଓ ତାର ଜାଳି ବନ୍ଦେଇରେ ନିମ୍ନ ମାନର କାମ ହେବା କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି l ସାଧାରଣ ଲୋକଙ୍କ ଏହି ଟଙ୍କାକୁ କିଛି ଅସାଧୁ ଅଧିକାରୀ, ମାଫିଆ, ଟୀକାଦାର ଓ ରାଜନେତା ଚଳୁ କରି ଦେଇ ଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ପୀତବାସ ପଣ୍ଡା ଙ୍କ ସମେତ ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରଞ୍ଜନ ତରାଇ, ସୁଧୀର ମହାରଣା, ସାଇ ରାମ ପାତ୍ର,ପଦ୍ମ ଚରଣ ସାହୁ, ଆରତୀ ପଟ୍ଟନାୟକ, ସୁନିତା ସାହୁ,ସୌଭାଗ୍ୟ ପ୍ରଧାନ,ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର, ସଞ୍ଜୟ ନାୟକ, ଉମା ପଣ୍ଡା, ପ୍ରଫୁଲ୍ଲ ଘଡେଇ,ଜିତେନ୍ଦ୍ର ଗୌଡ଼, ସନ୍ତୋଷ ପୋଲାଇ,ବବୁଲ ବେଗ, ହୃଷିକେଶ ପାତ୍ର,ଚନ୍ଦ୍ର ଶେଖର ରାଓ,ମୁନା ଦୋରା ପ୍ରମୁଖ ଯୋଗ ଦେଇ ଥିଲେ l

ବଂଶଧାରା ନଦୀ ଜଳର ସଦ ବିନିଯୋଗ କରିବା ଓ ଏହାର ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଗୁଣପୁର ଓକିଲ ସଂଘ ପକ୍ଷରୁ ଦାବୀ …!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ଅନ୍ଧ୍ର ଓ ଓଡ଼ିଶା ନଦୀଜଳ କୁନେଇ ୨୦୦୬ ମସିହାରୁ ଲାଗି ରହିଥିବା ବିବାଦ ଉପରେ ମାନ୍ୟବର ସୁପ୍ରିମକୋର୍ଟର ଟ୍ରିବୁନାଲ ଦେଇ ଥିବା ରାୟ। ପ୍ରକାଶ ପାଇବା ପରେ ଏନେଇ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ଏହାକୁ ନେଇ ବଂଶଧାରା ନଦୀ ଅବବାହିବା ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଗୁଣପୁର ଠାରେ ସହର ର ବୁଦ୍ଧିଜୀବୀ ଓ ଯୁବ ବର୍ଗ ଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ବଂଶଧାରା ନଦୀ ଅବବହିକା ସୁରକ୍ଷା ସମିତିର ପକ୍ଷରୁ ଏନେଇ କରାଯାଇଥିବା ଦୀର୍ଘ ଦିନର ଦାବୀ ସରକାର ପୁରଣ କରିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।

ବଂଶଧାରା ନଦୀ ଜଳର ସଦ ବିନିଯୋଗ କରିବା ପାଇଁ ଏହାର ଉପର ମୁଣ୍ଡରେ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିବା ନିମନ୍ତେ ବୈଠକରେ ମତ ଗ୍ରହଣ କରା ଯାଇଥିଲା । ଏହି କ୍ରମରେ ଆଜି ଗୁଣପୁର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଏକ ସ୍ମାରକ ପାତ୍ର ଗୁଣପୁର ଉପଜିଲ୍ଲାପାଳ ଙ୍କୁ ଦେଇଛନ୍ତି।  ଏଥିରେ ଗୁଣପୁର ବାସିନ୍ଦାଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ବଂଶଧାରା ଟ୍ରିବୁନାଲ ର ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇ କଣ କରିବେ ବୋଲି ଚିନ୍ତାରେ ଥିବାବେଳେ ଆନ୍ଧ୍ର ସରକାର ଏହି ଜଳକୁ ବ୍ୟବହାର କରୁଥିବା ଜଣାପଡିଛି । ଏହି ଜଳକୁ ଉପରେ ମୁଣ୍ଡରେ ବ୍ୟବହାର କରାଯାଇ ନପାରିବାରୁ ସମ୍ପୂର୍ଣ୍ଣ ଜଳ ଆନ୍ଧ୍ର ସରକାର ନେଇଯିବେ ବୋଲି ମତ ପ୍ରକାଶ ପାଇଛି । ବଂଶଧାରା ଜଳକୁ ଦୁଇ ରାଜ୍ୟ ସମାନ ଭାବର ବ୍ୟବହାର କରିବାର ନିୟମ ଥିବାବେଳେ ବର୍ତ୍ତମାନ ଆନ୍ଧ୍ର ସରକାର ଏହି ଜଳକୁ ବ୍ୟବହାର କରୁଥିବା ଜଣାପଡିଛି । ଗତ ୫୦ ବର୍ଷ ହେବ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଏଠାକାର ଅଧିବାସୀମାନେ ପାଇପାରୁନାହାନ୍ତି ।

ବଂଶଧାରା ନଦୀର ଜଳ କୁ ନିୟନ୍ତ୍ରଣ କରାଯାଇ ପାରୁ ନଥିବା ଫଳରେ ଗୁଣପୁର ଅଞ୍ଚଳବାସୀ ବଂଶଧାରା ନଦୀରେ ଆସିଥିବା ବିପଦପୂର୍ଣ୍ଣ ବଢ଼ିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବଂଶଧାରା ର ଉପରମୁଣ୍ଡରେ ଏଭଳି ଅପୂର୍ବଘାଟନ ଅନୁଭୁଗ ହେଉଛି ।ଏଭଳି ପରିସ୍ଥିତିରେ ନବୀନ ସରକାର ଙ୍କ ଶାସନ କାଳରେ ତାରିଖ ୧୮/୦୮/୨୦୦୫  ରିଖରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ମାନ୍ୟବର ରବି ନନ୍ଦ ବଂଶଧାରା ନଦୀ ରେ ଦେଖା ଯାଉଥିବା ବନ୍ୟା ଜଳର ଗତିରୋଧ କରିବା ନିମନ୍ତେ ଏଜ ପ୍ରକଳ୍ପର ଶୁଭଦେଇ ଏହାର ପର୍ଯ୍ୟବେକ୍ଷଣ କରିବାନିମନ୍ତେ ଗୁଡାରି ଠାରେ ଏଜ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ ।କିନ୍ତୁ ଏହି ପ୍ରକଳ୍ପର କୌଣସି କ୍ରମୋନ୍ନତି ନହୋଇ ନିଦ୍ରା ଅବସ୍ଥାରେ ପଡିରହିଲା ବଂଶଧାରା ନଦୀ ଜଳର ନିୟମିତ କରଣ ନିମନ୍ତେ କେବକ କଲମ ଓ କାଗଜ ରେ ସୀମିତ ହୋଇ ଉଚ୍ଚ ତମ ଓ ନିମ୍ନ ତମ ବଂଶଧାରା ପ୍ରକଳ୍ପ ରହିଥିବା ଅଭିଯୋଗ ହୋଇଛି । ଏହା ବର୍ତ୍ତନନ ସୁଦ୍ଧା ଜନସଧାରଙ୍କ କୃଷି ର ଉନ୍ନତି ଦିଗରେ କାର୍ଯ୍ୟ କରୁନଥିବା କୁହାଯାଉଛି । ଅଞ୍ଚଳ ବାସୀ ଙ୍କ ଏହି ସମସ୍ୟା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ୟାସୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । 

ସି॰ପି॰ଆଇ ଲିବେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବୀପତ୍ର ପ୍ରଦାନ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ଗୁଣପୁର ବଂଶଧାରା ନଦୀରେ ଆନ୍ଧ୍ର ସରକାର ଙ୍କ ପ୍ରକଳ୍ପ ନିର୍ମିତ ହେଲେ ନଦୀ କୁଳରେ ଥିବା ଅନେକ ଗାଁ ଓ ଜମି ସବୁ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ପ୍ରକଟ କରି ଅଖିଳ ଭାରତୀୟ କୃଷକ ମହାସଭା ଏବଂ ସି ପି ଆଇ ଲିବେରେସନ ପକ୍ଷରୁ ୫ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ଏଥିରେ ସେମାନେ ଗୁଡାରି ଅନର୍ଗତ ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ କରି କେନ୍ଦୁଗୁଡ଼ା ଗ୍ରାମକୁ ଜଳ ରିଜର୍ଭ କରି ଗଞ୍ଜାମ ଓ ଗଜପତିକୁ ଜଳ ଯୋଗାଇ ଦିଆଯିବା , ନଦୀର ଦୁଇ ପାର୍ଶ୍ଵରେ ରହିଥିବା ଗ୍ରାମ ଏବଂ ଜମିକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ଶ୍ୱେତ ପତ୍ର ଘୋଷଣା କରାଯିବା, ଚାଷୀଙ୍କ ଠାରୁ ଜଳକର ନେବା ବନ୍ଦକରିବା, ଗୁଣପୁର ଉପଖଣ୍ଡରେ ବୋହି ଯାଉଥିବା ଛୋଟ ବଡ଼ ନାଳ ଉପରେ ଚେକ ଡ୍ୟାମ ନିର୍ମାଣ କରି କୃଷକ ଙ୍କୁ ଜଳ ଯୋଗାଇବା ନିମନ୍ତେ ଦାବୀ କରଛନ୍ତିି । ଏହି ସଂକ୍ରାନ୍ତ ରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଦ୍ୟାରେ ଗୁଣପୁର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିବା ନିମନ୍ତେ ସଂଗଠନର କର୍ମକର୍ତ୍ତା ମାନେ କମ୍ରେଡ଼ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱରେ ଯାଇଥିଲେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଉପଜିଲ୍ଲାପାଳ ବାହାରକୁ ଆସି ନଥିବାରୁ ସାକ୍ଷାତ କରିବାକୁ ଆସିଥିବା କୃଷକ ମାନେ ଉପଜିଲ୍ଲାପାଳ ବାହାରକୁ ଆସନ୍ତୁ ବୋଲି ନାରା ଦେଇଥିଲେ । ତଥାପି ଉପଜିଲ୍ଲାପାଳ ଆସିନଥିବାରୁ ଡେପୁଟି କଲେକ୍ଟର ଙ୍କୁ ସଙ୍ଗଠନ କର୍ମକର୍ତ୍ତା ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହାର କିଛି ସମୟ ପରେ ଏହି ସଂକ୍ରାନ୍ତରେ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରିବାକୁ ସଂଘ କର୍ମକର୍ତ୍ତା ପହଞ୍ଚି ଥିଲେ । ଏମାନଙ୍କ ଦାବିପତ୍ର ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ଆସିଥିଲେ । ଏହାକୁ ନେଇ କୃଷକ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଉପଜିଲ୍ଲାପାଳ କେବଳ ବଡ଼ବାଡ଼ିଆଙ୍କ ପାଇଁ କି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି ।

ବଳଦେବଜୀଉଙ୍କ ରଥଯାତ୍ରା ଅନୁମତି ଦାବିରେ ସର୍ବୋଚ୍ଚ କୋର୍ଟରେ ଆବେଦନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍ । ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମଦନମୋହନ ପତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଭିଡ୍ ଗାଇଡଲାଇନ୍ସ ଅନୁସାରେ, କେନ୍ଦ୍ରାପଡ଼ାରେ ରଥଯାତ୍ରା ଲାଗି ଅନୁମତି ଦେବାକୁ ପିଟିସନରେ ଆବେଦନ କରାଯାଇଛି । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଲାଗି ହାଇକୋର୍ଟରେ ବି ଆବେଦନ ହୋଇଥିଲା । ତେବେ କରୋନା ସଂକ୍ରମଣ ସମୟରେ କେବଳ ପୁରୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ।କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।  କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍‌ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି। ଚଳିତ ବର୍ଷ ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରି ଆସୁଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କୋଭିଡ୍‌ କଟକଣା ଭିତରେ କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ।  ଶ୍ରୀକ୍ଷେତ୍ର ଭଳି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ମଧ୍ୟ ବିନାଭକ୍ତରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ମନ୍ଦିରର ୫ଜଣ ସେବାୟତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବାକୁ  ହାଇକୋର୍ଟ ମନା କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ ମଦନମୋହନ ପତ୍ରୀ ।

ଜିଲ୍ଲାସ୍ତରରେ ପ୍ରତିଷ୍ଠା ହେବ ଡିଆଇପିଏ, ଅଗଷ୍ଟରୁ ପାଇଲଟ୍ ପ୍ରୋଜେକ୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗ୍ରାମାଂଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅର୍ଥନୀତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଡିଆଇପିଏ) ସ୍ଥାପନ କରିବେ। ପାଇଲଟ୍ ପ୍ରୋଜେକ୍ଟ ଭାବେ ଆସନ୍ତା ଅଗଷ୍ଟ ମାସରେ ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହେବ । ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଜିଲ୍ଲାସ୍ତରରେ ଇପିକଲ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ସେବା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଡିଆଇପିଏ କାର୍ଯ୍ୟ କରିବ। ୩ଜଣ ପ୍ରଫେସନାଲଙ୍କ ଦ୍ୱାରା ଏହା ପରିଚାଳିତ ହେବ । ୩ଟି ଜିଲ୍ଲାରେ ଅଗଷ୍ଟରୁ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହା ଅନୁଗୁଳ, ବାଲେଶ୍ୱର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାକୁ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ସମ୍ପ୍ରସାରିତ ହେବ। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଡିଆଇପିଏ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏମଏସଏମଇ ଉଦ୍ୟୋଗୀମାନଙ୍କୁ ଏହି ଏଜେନ୍ସୀ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ରାଜ୍ୟ କାର୍ଯ୍ୟକାରିଣୀରେ ୧୦ ପ୍ରସ୍ତାବ ଗୃହୀତ, ଲୋକଙ୍କ ପାଖକୁ ଯିବ ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତା’ର ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଇଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୧୦ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି । ବିଶେଷକରି କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ନିଜର ଅପାରଗପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଅପାରଗତା ଓ କେଳେଙ୍କାରୀକୁ ଲୋକଙ୍କ ପାଖକୁ ଆଣି ବିଜେପି ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଭର୍ଚୁଆଲ ବୈଠକରେ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କରୋନା ସଂକ୍ରମଣ ଭଳି ଏକ ବଡ ବିପତ୍ତିର ଶିକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ ପରିଚାଳନା ପାଇଁ ହାତଖୋଲା ସହାୟତା ଦେବା, କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ସମସ୍ତ ଆର୍ଥିକ ସହାୟତା ଦେବା ସତ୍ୱେ ରାଜ୍ୟ ସରକାର ନିଜର ଅପାରଗ ପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନିକ ବିଭାଗ ଗୁଡିକର ସ୍ଥାଣୁତା ପାଇଁ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଚରମସୀମାରେ ପହଂଚିଲା। ବିଜେପିର ବାରମ୍ବାର ଦାବି ସତ୍ୱେ ସରକାର ଟେଷ୍ଟିଂର ସଂଖ୍ୟା ବୃଦ୍ଧି ନକରିବା, ଟ୍ରେସିଂ ଅଭାବ ଏବଂ ଟିଏମସି ଖୋଲା ନଯିବା କାରଣରୁ ବହୁ ବ୍ୟକ୍ତି ବିଳମ୍ବିତ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କଲେ। ମେଡିକାଲ କଲେଜରେ ଗୋଟିଏ ବି ଅତ୍ୟାଧୁନିକ ଇକୋମୋ ମେସିନ୍ ଉପଲବ୍ଧ ନଥିଲା। ରାଜ୍ୟରେ କୌଣସି ଗ୍ରାମାଂଚଳରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ନଥିବା କାରଣରୁ ଗ୍ରାମାଂଚଳବାସୀ ବହୁ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି, ଡାକ୍ତରଙ୍କର ଅଭାବ ରାଜ୍ୟର ସାଧାରଣ ଜନତାଙ୍କର ପାଇଁ ଏକ ବିରାଟ ବିପତ୍ତି ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ବ୍ୟକ୍ତ କରାଯାଇଛି। ସେହିପରି ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ନେବାପରେ ଡିସକମ ଫ୍ରାଂଚାଇଜ ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ପାଖାପାଖି ୪୫୦୦ ଯୁବକ ଯୁବତୀଙ୍କୁ ବିନା କାରଣରେ ଛଟେଇ କରିଦିଆଗଲା। ପୂର୍ବରୁ କୋଭିଡ୍ ସେଣ୍ଟରରେ କାମ କରିଥିବା ଶହ ଶହ ସଂଖ୍ୟାର ନର୍ସିଂ ଟ୍ରେନିଂ ପ୍ରାପ୍ତ ଝିଅମାନଙ୍କୁ, ସ୍କୁଲ କଲେଜ ମାନଙ୍କର କଳା ଶିକ୍ଷକ ଓ କମ୍ପୁଟ୍‌ର ଶିକ୍ଷକଙ୍କର ଛଟେଇର ବହୁ ଇତିହାସ ଏହି ସରକାରଙ୍କୁ ଏକ ଦାୟିତ୍ୱହୀନ ତଥା ହୃଦୟହୀନ ସରକାରରେ ପରିଚିତ ଦେଇଛି। ଏବେ ପୁଣି ପୁଲିସ ସବ୍ ଇନିସ୍ପେକ୍ଟର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ସରକାର ଆବେଦନ ଆହ୍ୱାନ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। ରାଜ୍ୟର ପାଖାପାଖି ୧୨ଟି ଜିଲ୍ଲା ଅଲଗା ରାଜ୍ୟମାନଙ୍କର ସୀମା ସଂଲଗ୍ନ ଏବଂ ଏହାକୁ ନେଇ ଦୀର୍ଘ ଦିନଧରି ବହୁ ବିବାଦ ଦେଖାଦେଇଛି । ସୀମା ବିବାଦକୁ ନେଇ ଅଧ୍ୟୟନ କରିବାକୁ ଓ ସମାଧାନର ସୂତ୍ର ପାଇଁ ଦଳ ଏକ କମିଟି ମଧ୍ୟ ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ କରିଛି ।ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରାକର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାସଲ ହୋଇପାରୁ ନାହିଁ। ବଂଶଧାରା ନଦୀ ଟ୍ରିବ୍ୟୁନାଲର ରାୟ ଆମ ବିପକ୍ଷରେ ଯାଇଛି। ରାଜ୍ୟ ସରକାରଙ୍କର ଅପାରଗତା ଓ ପ୍ରାମାଣିକ ତଥ୍ୟ ଭିତିକ ନଥିପତ୍ର ଦେଇ ନପାରିବାର କାରଣରୁ ଏହା ଆମ ବିରୁଦ୍ଧରେ ଗଲା। ଆନ୍ଧ୍ରପ୍ରଦେଶ ବଂଶଧାରାର ତଳ ମୁଣ୍ଡରେ ୪ଟି ପ୍ରକଳ୍ପ ଏକଚାଟିଆ ଭାବେ ନିର୍ମାଣ କରିସାରିଥିବାବେଳେ ଓଡିଶା ସରକାର ଗୋଟିଏ ବି ପ୍ରକଳ୍ପ ଆରମ୍ଭ କରିନାହାନ୍ତି। ପାଣିଡଙ୍ଗର ପ୍ରକଳ୍ପ ହେଉ କି ବଂଶଧାରା-ଋଷିକୁଲ୍ୟାର ସଂଯୋଗୀକରଣ ହେଉ, ଉଭୟ ଆଜି ଦିବା ସ୍ୱପ୍ନ ପାଲଟିଛି। ଏହା ଆମ ପାଇଁ ଦୁର୍ଭାଗ୍ୟର କଥା ଏବଂ ରାଜ୍ୟ ସରକାର ଏଥିପାଇଁ ଓଡିଶା ଲୋକଙ୍କ ଆଗରେ ସ୍ପଷ୍ଟୀକରଣ ଦେବା ଦରକାର। ଆଇଏମଏମଟିର ଜମିକୁ ଜବରଦସ୍ତ ନେଇ ଯାଇ ଜମି ଦଲାଲୀ କରିବାର ପ୍ରଚେଷ୍ଟା କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରିସର୍ଚ ଲାବ୍ରୋଟୋରୀକୁ ୧୯୬୦ ମସିହାରେ ଯେଉଁ ଜମି ଦିଆଯାଇଥିଲା, ତାକୁ ପୁଣି ଫେରାଇ ନେବାକୁ ରାଜ୍ୟ ସରକାର ହୀନ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ମନମୋହନ ସାମଲ ଓ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ଡ.ଗିରିଧର ଗମାଙ୍ଗୋ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିହାର, ରବି ନାଏକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ବିରଂଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣ ଉପସ୍ଥିତ ଥିଲେ।