୧୪ ଦିନିଆ ଲକଡାଉନ୍ ରେ କ’ଣ ଖୋଲା ରହିବ ଆଉ ବନ୍ଦ ରହିବ ଜାଣନ୍ତୁ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ । ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ । ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶରେ ଭୟଙ୍କର ରୂପ ନେଇ କରୋନା ଭାଇରସର ଦ୍ୱିତୀୟ ଲହର। ଚାରିଆଡେ ବଢ଼ି ଚାଲିଛି ସଂକ୍ରମଣ ମାମଲା। ଫଳରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ଗୁଡିକରେ ବେଡ୍‌ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ କରୋନା ରୋଗୀ ହସ୍ପିଟାଲ ନଯାଇ ମଧ୍ୟ ଘରେ ରହି ଚିକିତ୍ସିତ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ହୋମ ଆଇସୋଲେସନରେ ରହି କିଭଳି ଭଲ ହେବେ ଅନ୍ୟକୁ ସଂକ୍ରମିତ ନକରି କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବ।

  • କରୋନା ରୋଗୀ ସେଲ୍ଫ ଆଇସୋଲେସନରେ ରହିବା ବେଳେ ଏକା ରହିବା ଉଚିତ। ଘର ଲୋକଙ୍କଠାରୁ ଅଲଗା ରହି ଅଲଗା ଶୌଚାଳୟ ମଧ୍ୟ ବ୍ୟବହାର କରିବା ଉଚିତ। ଥଣ୍ଡା ଜ୍ୱର ସମୟରେ ଯେପରି ନିଜର ଯତ୍ନ ନିଅନ୍ତି ସେହି ଭଳି ନିଜର ଯତ୍ନ ନେବା ଆବଶ୍ୟକ। ଖୋଲା ଏବଂ ପର୍ଯ୍ୟାପ୍ତ ଝରକା କବାଟ ଥିବା ରୁମରେ ରୁହନ୍ତୁ।
  • ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ ତେବେ ସମସ୍ତେ ବ୍ୟବହାର କରିବା ପରେ ତାକୁ ଶେଷରେ ବ୍ୟବହାର କରନ୍ତୁ। ଏଥିସହ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ଶୌଚାଳୟ ବ୍ୟବହାର କରିବା ପରେ ତାକୁ ଭଲଭାବେ ସାନିଟାଇଜ୍‌ ସିଞ୍ଚନ୍ତୁ।
  • ଯଦି ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ଏବଂ ଆପଣଙ୍କ ଅମ୍ଳଜାନ ଲେଭେଲ ୯୪ ତଳକୁ ରହୁଛି ତେବେ ପେଟ ମାଡ଼ି ଶୋଇ ଜୋରରେ ନିଃଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ପ୍ରତି ଦୁଇ ଘଣ୍ଟାରେ ୩ ଥର ଏଭଳି କରିବା ଦ୍ୱାରା ଅକ୍ସିଜେନ ଲେଭେଲ ବଢ଼ିବ ବୋଲି  ଡାକ୍ତର ବେଦ୍‌ ଚତୁର୍ବେଦୀ କହିଛନ୍ତି।
  • କରୋନା ରୋଗୀ ଯଥା ସମ୍ଭବ ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ ପରିସ୍ରା ହଳଦିଆ ହୁଏ ନାହିଁ ପେଟ ଥଣ୍ଡା ରୁହେ। ଧୂମପାନ କି ମଦ୍ୟପାନ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍ କରିବ। ଆପଣଙ୍କର ଯକୃତକୁ ପ୍ରଭାବିତ କରୁଥିବା କୌଣସି କାମ କରନ୍ତୁ ନାହିଁ  ବୋଲି ମେଡିସିନ୍‌ ବିଭାଗର ଡାକ୍ତର ବିକ୍ରମଜିତ ସିଂହ ପରାମର୍ଶ ଦେଇଛନ୍ତି।
  • କିଛି ଲୋକଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଅଧିକ ଭୟଙ୍କର ଦେଖାଯାଏ। ଯଦି ଏହି ଲକ୍ଷଣ ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଛି କିମ୍ବା ଯନ୍ତ୍ରଣା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍। କୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ସିଟି ସ୍କାନ କରନ୍ତୁ।
  • ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି ତେବେ ଭୟ କରନ୍ତୁ ନାହିଁ। ଅଧିକାଂଶ ଲୋକେ ଭୟଭୀତ ହୋଇ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଫଲରେ ସେମାନଙ୍କ ରକ୍ତଚାପ ବୃଦ୍ଧି ପାଉଛି, ଏଥିସହ ଅକ୍ସିଜେନ୍‌ ଲେଭେଲ ମଧ୍ୟ କମୁଛି। ତେଣୁ ଭୟ ନ କରି ଘରେ ରହି କରୋନା ସହ ଲଢ଼ନ୍ତୁ ବୋଲି ଡାକ୍ତର ସିଂହ କହିଛନ୍ତି।
ତାମିଲନାଡୁରେ ଡିଏମକେ, ଆସାମରେ ବିଜେପି ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭୋଟ ଗଣତି ଆଗକୁ ବଢ଼ିବା ସହ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବ, ତା’ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ତାମିଲନାଡୁରେ ବହୁମତ ସହ ଡିଏମକେ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ସମସ୍ତ ସ୍ଥାନରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସୁଦ୍ଧା ଡିଏମକେ-କଂଗ୍ରେସ ମେଣ୍ଟ ୧୩୮ଟି ଆସନରେ ଆଗରେ ରହିଥିବା ବେଳେ ଶାସକ ଏଆଇଏଡିଏମକେ ୯୪ଟି ଆସନରେ ଲିଡ୍‌ କରୁଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮। ତେଣୁ ଏହାଠାରୁ ଯଥେଷ୍ଟ ଆଗରେ ଡିଏମକେ ମେଣ୍ଟ ରହିଛି। ଆଉ କିଛି ରାଉଣ୍ଡ ଗଣତି ବାକି ରହିଥିବାରୁ ଷ୍ଟାଲିନ ଓ କଂଗ୍ରେସ ମେଣ୍ଟ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ସେହିପରି ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରିବ। ଆସାମର ୧୨୬ଟି ବିଧାନସଭା ଆସନରୁ ୧୨୧ଟି ସ୍ଥାନରେ ଇଭିଏମ ଖୋଲି ସାରିଛି। ବିଜେପି ମେଣ୍ଟ ରାଜ୍ୟରେ ୮୧ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ମେଣ୍ଟ ୩୭ଟିରେ ଲିଡ୍‌ କରୁଛି। ଏଠାରେ ମ୍ୟାଜିକ ନମ୍ବର ୬୪ ଥିବାରୁ ବିଜେପି ମେଣ୍ଟ ଆରାମରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟରେ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ଆଗୁଆ ରହିଛନ୍ତି। ପୁଡୁଚେରୀରେ ମଧ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଏଠାରେ ଥିବା ୩୦ଟି ବିଧାନସଭା ଆସନରୁ ୧୭ଟି ସ୍ଥାନରେ ଇଭିଏମ ଖୋଲିଛି। ବିଜେପି ମେଣ୍ଟ ୧୨ଟି ସ୍ଥାନରେ ଆଗରେ ରହିଥିବା ବେଳେ କଂଗ୍ରେସ ମେଣ୍ଟ ୪ଟି ସ୍ଥାନରେ ଆଗୁଆ ରହିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୬ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।

କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶରେ କରୋନା ମହାମାରୀ ମାରତ୍ମକ ଢଙ୍ଗରେ ମାଡ଼ି ଚାଲିଥିବା ବେଳେ ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କିଛି ସମୟ ଅର୍ଥାତ ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ। ସଂକ୍ରମଣ ବଢ଼ୁଥିବା ବେଳେ ଦେଶର ଅକ୍ସିଜେନ ଓ ଔଷଧ ଉପଲବ୍ଧି ସମ୍ପର୍କରେ ମୋଦି ଯାଞ୍ଚ କରିବେ। ଏଥିସହ ମେଡିକାଲରେ ହୋଇଥିବା ବ୍ୟବସ୍ଥା ଓ ବେଡ୍‌ ସଂଖ୍ୟା ବିଷୟରେ ବି ମୋଦି ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସଂକ୍ରମଣ ଉପରେ ବ୍ରେକ ଲଗାଇବା ପାଇଁ ଆଗକୁ କ’ଣ ପଦକ୍ଷେପ ନିଆଯିବ ଓ ଲୋକଙ୍କ ପାଖରେ କେମିତି ସମସ୍ତ ମେଡିକାଲ ସୁବିଧା ପହଞ୍ଚି ପାରିବ, ତା’ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଏବେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରି ଯାଇଛି। ସେହିପରି ପ୍ରତିଦିନ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛି। ଆଗକୁ କରୋନା ତା’ର ପିକ୍‌ ଦେଖାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି, ଏସବୁ ଭିତରେ ମୋଦି ସୀମକ୍ଷା ବୈଠକ କରିବେ।

୩ ମାସର ଟିକସ ଛାଡ ଦାବି କଲା ବସ ମାଲିକ ସଂଘ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ମହାମାରୀ ମାଡରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ଘରୋଇ ବସ ମାଲିକ ୩ ମାସର ଟିକସ ଛାଡ ପାଇଁ ଦାବି କରିଛନ୍ତି।  ବସ ଋଣ କିସ୍ତି ଛାଡ ଏବଂ ବୀମା ସମୟ ସୀମା ବୃଦ୍ଧି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ  ଦାବି ହୋଇଛି।ସେହିପରି କରୋନା ସମୟରେ  ରାଜ୍ୟ ସରକାର ଆନ୍ତଃ ରାଜ୍ୟ ବସ ଚଳାଚଳକୁ ବନ୍ଦ  କରିଛନ୍ତି । କରୋନାର ଦୃତ ସଂକ୍ରମଣ ଯୋଗୁ ବସରେ ଯାତ୍ରୀ ମଧ୍ୟ ହେଉନାହାନ୍ତି । ଫଳରେ ବସ ମାଲିକ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ ଏପ୍ରିଲ, ମେ ଓ ଜୁନ ୩ ମାସର ମୋଟରଯାନ ଟିକସ ଛାଡ କରିବାକୁ  ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ବସ ପାଇଁ ଋଣ କରିଥିବା କିସ୍ତି ଅବଧି ୩ ମାସ ପର୍ଯ୍ୟନ୍ତ ଛାଡ କରିବାକୁ ମଧ୍ୟ ଦାବି କରାଯାଇଛି । ସେହିପରି ବୀମା କଭରେଜ ସମୟ ଅବଧିକୁ ୩ ମାସ  ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରାଯାଇଛି। ପୂର୍ବରୁ କେବଳ ଛତିଶଗଡରୁ ବସ୍ ଚଳାଚଳା ବନ୍ଦ ରଖାଯାଇଥିଲା ବେଳେ ଏବେ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ତେବେ ରାଜ୍ୟ ଭିତରେ ଚାଲୁଥିବା ବସ୍ ଗୁଡିକରେ ଲୋକମାନେ କେବଳ ସିଟିଂରେ ଯିବେ। ଏହା ସହିତ ବିଭିନ୍ନ ପାସେଞ୍ଜର ଅଟୋ ଏବଂ ଟ୍ୟାକ୍ସିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାତ୍ରା କରିପାରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଥିଲା।

ଗର୍ଭବତୀ ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ଅଫିସ୍ ମନା, ଶନିବାର ବନ୍ଦ ରହିବ ସବୁ ଅଫିସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହିତ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ କର୍ମଚାରୀମାନେ ମେ’ ୩୧ତାରିଖ ପର୍ଯ୍ୟନ୍ତ ଘରୁ ରହି କାମ କରିବାକୁ କୁହାଯାଇଛି। ଯଦି ଅଫିସରେ ଅତ୍ୟନ୍ତ ଜରୁରୀ କାମ ଥିବ ତା’ହେଲେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଭୁବନେଶ୍ୱର ଓ କଟକ ସହରରେ ଥିବା ନିଜର ଅଫିସଗୁଡ଼ିକରେ ଅତିକମରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଜାରି ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ବିଭାଗଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ଅଫିସଗୁଡ଼ିକର କେତେ କର୍ମଚାରୀଙ୍କୁ କାମ କରିହେବ ତା’ର ନିଷ୍ପତ୍ତି ନେଇପାରିବେ ବୋଲି ସଂଶୋଧିତ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଅବଶ୍ୟ ଉପସଚିବଠୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ।ଯେଉଁ ଅଫିସରମାନେ ଭିପିଏନ୍ ନେଇଛନ୍ତି ସେମାନେ ଘରୁ ରହି ଅଫିସ୍ କାର୍ଯ୍ୟ କରିବେ। ଆଉ ଆବଶ୍ୟକ ପଡ଼ିଲେ ସ୍ୱଳ୍ପ ନୋଟିସରେ ଅଫିସ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବିଭାଗ ଯଥା ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା କାର୍ଯାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ମ୍ୟୁନିସପାଲ ସେବାର କର୍ମଚାରୀମାନେ କାର୍ଯ କରୁଥିବା ଅଫିସଗୁଡ଼ିକ ସମ୍ପୂର୍ଣ୍ଣ ଷ୍ଟାଫରେ ଚାଲିବ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨ ମେ’, ରବିବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ପାରିବାରିକ ଜୀବନ ଭଲ ରହିବ। ପୂର୍ବରୁ ଥିବା ମତାନ୍ତର ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ବୃଷ: ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ। ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅର୍ପଣ କରନ୍ତୁ।

ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। ସହକର୍ମୀ ଓ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

କର୍କଟ: ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ମନ ଅସ୍ଥିର ରହିବ। ତେବେ କର୍ମକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ଆଜି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

କନ୍ୟା: ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।

ତୁଳା: ଅର୍ଥଲାଭ ହେବ। କୌଣସି ସମସ୍ୟାର ସମାଧାନ ହୋଇଯାଇପାରେ। ସନ୍ତାନସନ୍ତତିଙ୍କ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ବିଛା: କୌଣସି ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଅଧିକ କଥା ନ କହି ଚୁପ୍ ରହିଲେ ଭଲ ହେବ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିବ। କିନ୍ତୁ ଚତୁରତାର ସହ ତା’ର ସାମ୍ନା କରିପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆତ୍ମୀୟଙ୍କ ଗହଣରେ ଦିନଟିକୁ ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବା ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରତିକାର- ମା’ କାଳୀଙ୍କୁ ଦର୍ଶନ କରନ୍ତୁ ଓ ତାଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢ଼ାନ୍ତୁ।

ମୀନ: ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ। ବସ୍ତ୍ର ଓ ସୁନା ଅଳଙ୍କାର ପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରେ ବାଧା ଦେଇପାରିବେ ନାହିଁ।

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଅଧିକ ୫କିଲୋ ଚାଉଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଅତିରିକ୍ତ ୫କିଲୋ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିକାର ଅନ୍ତର୍ଗତ ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫କିଲୋ ଚାଉଳ ଦେବା ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମେ’ ମାସରୁ ଅତିରିକ୍ତ ୫କିଲୋ ଚାଉଳ ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହିତାଧିକାରୀମାନେ ମେ’ ଓ ଜୁନ୍ ମାସରେ ମାଗଣାରେ ମାସିକ ଅତିରିକ୍ତ ୫କିଲୋ ଚାଉଳ ପାଇବେ। ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ ଓ ଏବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛଦିନ ତଳେ କେନ୍ଦ୍ର ସରକାର ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମାଗଣାରେ ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରାୟ ୩.୨୦କୋଟି ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି।

ମହାମାରୀ ସମୟରେ ଆଗେଇ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏପରି ସମୟରେ ଆଗକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋଭିଡ୍‌ ଗାଇଡଲାଇନ୍‌ ଭିତରେ ବର୍ଷା ଅସହାୟ ଓ ଗରିବ ଲୋକଙ୍କୁ ସହାୟତା କରୁଛନ୍ତି। କୋଭିଡ୍‌ ସମୟରେ ଭୁବନେଶ୍ୱର ସୁନ୍ଦରପଦାର ଅଭିରାମ ବସ୍ତିବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଖବର ପାଇ ବର୍ଷା ସେମାନଙ୍କୁ ସହାଯ୍ୟ କରିବା ପାଇଁ ଅଭିରାମ ବସ୍ତିରେ ପହଞ୍ଚି ଥିଲେ।

ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସାହି ଲୋକଙ୍କୁ ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ କାଳିନ ସାମଗ୍ରୀ ଥିବା ପୁଡିଆ ବାଣ୍ଟିଥିଲେ । ବର୍ଷା ୩୦ରୁ ଊର୍ଦ୍ଧ୍ୱ ପରିବାରକୁ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ଏପରିକି ପିଲାମାନଙ୍କୁ ବିସ୍କୁଟ ମଧ୍ୟ ବାଣ୍ଟିଥିଲେ। କିଛି ଅସୁବିଧା ହେଲେ ସହାୟତା କରିବେ ବୋଲି ବର୍ଷା ଗଲା ବସ୍ତି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ।

ହାଇକୋର୍ଟରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ  । ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ, ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ମେ ୨୪ରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ମେ ୨୨ରୁ  ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ ଖୋଲା ହେବ । ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ  ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି  । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରୀ କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି  ।