ୟୁଏଇରେ ହେବ ଆଇପିଏଲ୍‌ର ବାକି ମ୍ୟାଚ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇପିଏଲ୍‌ର ଚଳିତ ସିଜନର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକି ସବୁ ମ୍ୟାଚ୍ ଖେଳାଯିବ। ଆଜି ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଂ (ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ ଗୁଡିକର ଆୟୋଜନ ଲାଗି ୟୁଏଇ ବୋର୍ଡ ରାଜି ହୋଇଛି। ଚଳିତ ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯିବା ବେଳକୁ ଆଉ ୩୧ଟି ମ୍ୟାଚ୍‌ ଖେଳାଯିବା ବାକି ଥିଲା। ସୂଚନାଯୋଗ୍ୟ, କରୋନା ଯୋଗୁ ୨୦୨୦ରେ ମଧ୍ୟ ୟୁଏଇରେ ଆଇପିଏଲ୍‌ ଅନୁଷ୍ଠିତ ହୋଇଥିଲା।

ବିଗ୍‌ବସ୍ ଫେମ୍ ଅଭିନେତ୍ରୀଙ୍କ ନାଁରେ FIR…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବିଗ୍‌ବସ୍ ଫେ୍‌ମ ତଥା ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଅଡୁଆ। ତାଙ୍କ ନାଁରେ ରୁଜୁ ହେଲା ଜାମିନ ବିହୀନ ଏଫ୍‌ଆଇଆର୍। ଜାତିସୂଚକ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। କିଛି ଦିନ ତଳେ ୟୁଭିକାଙ୍କ ଏକ ଭିଡିଓ ବ୍ଲଗ ଭାଇରାଲ ହୋଇଥିଲା। ଏଥିରେ ସେ ଦଳିତ ସମ୍ପ୍ରଦାୟଙ୍କ ପାଇଁ ଏକ ଜାତିସୂଚକ ଶବ୍ଦ ବ୍ୟବହାର କରିଥିଲେ। ଏହି କାରଣ ଯୋଗୁଁ ୟୁଭିକାଙ୍କ ବିରୋଧରେ ହରିଆଣାରେ ଏସ୍‌ସି/ଏସ୍‌ଟି ଆକ୍ଟ ଜରିଆରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ସୂଚନା ମୁତାବକ ୟୁଭିକାଙ୍କ ଭାଇରାଲ ଭିଡିଓରେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ମଧ୍ୟ ନଜର ଆସିଥିଲେ। ପ୍ରିନ୍ସ ନିଜ ଚୁଟି କାଟୁଥିବା ବେଳେ ୟୁଭିକା ତାଙ୍କ ଭିଡିଓ ତିଆରି କରୁଥିଲେ। ଏହି ସମୟରେ ୟୁଭିକା କହିଥିଲେ, ‘ଯେତେବେଳେ ବି ମୁଁ ବ୍ଲଗ ତିଆରି କରେ ସେତେବେଳେ ସର୍ବଦା ଭଙ୍ଗିଙ୍କ ଭଳି ଠିଆ ହୁଏ। ମୋତେ ନିଜକୁ ଠିକ୍ ସେ ଦେଖିବା ପାଇଁ ମଧ୍ୟ ସମୟ ମିଳେ ନାହିଁ। ୟୁଭିକାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୋରସୋର୍‌ରେ ଭାଇରାଲ ହୋଇଥିଲା। ତାଙ୍କର ଏଭଳି ଶବ୍ଦ ବ୍ୟବହାରକୁ ନେଇ ଲୋକେ ସମାଲୋଚନା କରଥିଲେ। ଏପରିକି ଟୁଇଟରରେ ହ୍ୟାସଟାଗ ଆରେଷ୍ଟ ୟୁଭିକା ଚୌଧୁରୀ ଟ୍ରେଣ୍ଡ ହୋଇଥିଲା।

ଲୋକଙ୍କ ସହଯୋଗ ଲୋଡିଲେ ବିବେକ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ମହାମାରୀ କରୋନା କାଳରେ ଲୋକଙ୍କ ସହାୟତା ମାଗିଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ । ହେଲେ ସେ ନିଜ ପାଇଁ ନୁହେଁ କ୍ୟାନ୍‌ସର ପୀଡିତ ଛୁଆଙ୍କ ପାଇଁ ଏହି ସହାୟତା ଲୋଡିଛନ୍ତି । କରୋନା ମହାମାରୀ ଭିତରେ ପୂର୍ବରୁ ଅନେକ ଲୋକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା କ୍ୟାନ୍‌ସର । ଏବେ ଏହି ରୋଗ ସହ ଳଢ଼ୁଥିବା ଛୋଟ ଛୋଟ ଛୁଆଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଭିନେତା ବିବେକ ଓବରୟ ।ନିକଟରେ ସୋଶାଲ ମଡିଆରେ ବିବେକ ଏକ ଭିଡିଓ ସେଆର କରିଛନ୍ତି । ଏଥିରେ ସେ କହିଛନ୍ତି, ‘କ୍ୟାନ୍‌ସର ସହ ଲଢ଼ୁଥିବା ୩୦୦୦ ଆବଶ୍ୟକୀୟ ପିଲାଙ୍କ ପାଇଁ ସେ ଖାଦ୍ୟ ପହଁଚାଇବାକୁ ଚାହୁଁଛନ୍ତି । ଏହି ସମୟରେ ସେ ଫଣ୍ଡରେଜ ଜରିଆରେ ଲୋକଙ୍କ ସହାୟତା ମଧ୍ୟ ମାଗିଛନ୍ତି । ଯଦି ଜଣେ ଲୋକ ୧ ହଜାର ଟଙ୍କା ବି ଦାନ କରନ୍ତି ତେବେ ସେଥିରୁ ଜଣେ କ୍ୟାନ୍‌ସର ପୀଡିତ ଶିଶୁର ମାସକର ଖାଦ୍ୟ ଯୋଗାଡ ହୋଇପାରିବ ।’ ବିବେକ ଆହୁରି କହିଛନ୍ତି, କ୍ୟାନ୍‌ସର ପେସେଣ୍ଟ ଆଡ୍ ଆସୋସିଏସନ୍ ଗତ ୫୨ ବର୍ଷ ଧରି କ୍ୟାନ୍‌ସର ଚିକିତ୍ସା ପ୍ରତି ନିଜ ଧ୍ୟାନ କେନ୍ଦ୍ରିତ କରିଆସୁଛି । ଚିକିତ୍ସା ବ୍ୟତୀତ ଏହା ସର୍ବଦା ରୋଗୀଙ୍କ ବିଷୟରେ ଚିନ୍ତା କରିଥାଏ । ଯେଉଁମାନେ କ୍ୟାନସର ରୋଗର ଚିକିତ୍ସା କରିବାରେ ଅସମର୍ଥ ସେମାନଙ୍କୁ ସହାୟତା ଯୋଗାଇବା ଏହି ସଙ୍ଗଠନର ମୂଳ ଲକ୍ଷ୍ୟ । ତେଣୁ ଆସନ୍ତା ୩ ମାସ ପାଇଁ ଆମେ କ୍ୟାନ୍‌ସର ରୋଗୀଙ୍କ ଲାଗି ଖାଦ୍ୟପେୟ ଯୋଗାଡ କରିବା ପାଇଁ ଚେଷ୍ଟା ଚାଳାଇଛୁ । କିନ୍ତୁ ଏହି କାମକୁ ଆମ ଏକା କରିପାରିବୁ ନାହିଁ । ତେଣୁ ଏଥିରେ ଆପଣଙ୍କ ସହଯୋଗ ଦରକାର ବୋଲି ବିବେକ ଲୋକଙ୍କୁ ନିବେଦନ କରିଛନ୍ତି।

ବିବାଦରେ ଅକ୍ଷୟଙ୍କ ‘ପୃଥ୍ୱୀରାଜ’..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)-  ବିବାଦ ଘେରରେ ବଲିଉଡ ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ପୃଥ୍ୱୀରାଜ’। ଫିଲ୍ମର ନାଁକୁ ନେଇ ଆପତ୍ତି ଉଠାଇଛି କରଣୀ ସେନା। ଫିଲ୍ମଟି ରାଜା ପୃଥ୍ୱୀରାଜ ଚୌହନଙ୍କ ଜୀବନ ଏବଂ ତାଙ୍କ ବୀରତ୍ୱ ଉପରେ ଆଧାରିତ । ତେଣୁ ଫିଲ୍ମର ନାଁକୁ ବଦଳାଇବା ପାଇଁ ସଙ୍ଗଠନ ପକ୍ଷରୁ ଦାବି ହୋଇଛି। କରଣୀ ସେନା ଶାଖାର ସଭାପତି ସୁରଜିତ ସିଂ କହିଛନ୍ତି, ଫିଲ୍ମଟି ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପହରେ ଆଧାରିତ ଥିବାବେଳେ ଫିଲ୍ମର ନାଁଟିକୁ କେବଳ ‘ପୃଥ୍ୱୀରାଜ’ କିପରି ରାଖାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଫିଲ୍ମର ନାଁଟିକୁ ବଦଳାଇ ତାଙ୍କ ସମ୍ପୂର୍ଣ୍ଣ ନାମରେ ରଖାଯିବା ସହ ରାଜା ପୃଥ୍ୱୀରାଜଙ୍କୁ ସମ୍ମାନ ଦିଆଯାଉ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଫିଲ୍ମ ରିଲିଜ ହେବା ପୂର୍ବରୁ ନାଁ ପରିବର୍ତ୍ତନ କରିନେବା ଉଚିତ। ଯଦି ଫିଲ୍ମ ନିର୍ମାତା କରଣୀ ସେନାର ପରାମର୍ଶ ନ ମାନନ୍ତି ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ସେ ଧମକ ମଧ୍ୟ ଦେଇଛନ୍ତି। ଏହାପୂର୍ବରୁ କରଣୀ ସେନା ଫିଲ୍ମ ‘ପଦ୍ମାବତ’କୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲା। ଏପରିକି ଫିଲ୍ମ ସୁଟିଂ ସେଟ୍‌ରେ ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କୁ ମାରପିଟ ମଧ୍ୟ କରିଥିଲା। ପରେ ଫିଲ୍ମର ନାଁକୁ ‘ପଦ୍ମାବତୀ’ରୁ ‘ପଦ୍ମାବତ’ରେ ପରିଣତ କରାଯାଇଥିଲା। ସୂଚନାମୁତାବକ, ୟଶ୍ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପୃଥ୍ୱୀରାଜ’ର ସୁଟିଂ ଚଳିତ ବର୍ଷ ଫେବ୍ରୁଆରୀରେ ସରିଛି। ନିର୍ଦ୍ଦେକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲ୍ଲାର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ସଞ୍ଜୟ ଦତ୍ତ, ସୋନୁ ସୁଦ ଏବଂ ଆଶୁତୋଷ ରାଣା ଅଛନ୍ତି। ଆସନ୍ତା ନଭେମ୍ବର ୫ ତାରିଖରେ ଫିଲ୍ମଟି ରିଲିଜ ହେବ।

୭ ବର୍ଷରେ ମୋଦି ସରକାରର ସବୁଠୁ ବଡ଼ ସଫଳତା କ’ଣ ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର କାଠଗଡ଼ାରେ ଛିଡ଼ା ହୋଇଥିବାବେଳେ କିଛି ପଦକ୍ଷେପ ପାଇଁ ଦେଶବାସୀ ପ୍ରଶଂସା ମଧ୍ୟ କରିଛନ୍ତି। କରୋନା ମହାମାରୀ ବେଳେ କିନ୍ତୁ ସରକାର ଏବେ ଅଧିକ ସମାଲୋଚନାର ଶିକାର ହେଉଛନ୍ତି। ଏହାରି ଭିତରେ ଏବିପି ନ୍ୟୁଜ ଓ ସି ଭୋଟର ଏକ ସର୍ଭେ କରିଛି। ଯେଉଁଥିରେ କେନ୍ଦ୍ରର ମୋଦି ସରକାରକୁ ନେଇ ଦେଶବାସୀ କଣ ଚିନ୍ତା କରୁଛନ୍ତି ତାହା ଜଣାପଡ଼ିଛି। ଏହି ସର୍ଭେ ବେଳେ କେନ୍ଦ୍ରର ୭ ବର୍ଷ ସରକାରର ସବୁଠୁ ବଡ଼ ଉପଲବ୍ଧ କଣ ବୋଲି ପଚରାଯାଇଥିଲା। ବିଭିନ୍ନ ଲୋକ ଏହାକୁ ନେଇ ନିଜ ନିଜର ମତ ରଖିଛନ୍ତି। ତେବେ ମୋଟ୍ ମତାମତ ଅନୁଯାୟୀ ଦେଶବାସୀ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ରାମ ମନ୍ଦିର ତିଆରି ଆରମ୍ଭ ହେବା, ସିଏଏ ଆଦି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସନ୍ତୋଷ ପ୍ରକାଶ କରିଛନ୍ତି। ୫୪ ପ୍ରତିଶତ ସହରବାସୀ ଏବଂ ୪୫ ପ୍ରତିଶତ ଗାଁ ଲୋକେ ଧାରା ୩୭୦ ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏହା ମୋଦି ସରକାରର ସବୁଠୁ ବଡ଼ ଉପଲବ୍ଧି ବୋଲି ସର୍ଭେରୁ ଜଣାପଡ଼ିଛି। ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇଛି କି ନାହିଁ ପ୍ରଶ୍ନରେ ଲୋକେ କହିଛନ୍ତି, ୬୭ ପ୍ରତିଶତ ସହରବାସୀ ଏବଂ ଗ୍ରାମାଞ୍ଚଳର ୫୬ ପ୍ରତିଶତ ଲୋକ ସ୍ୱାଭାବିକ ହୋଇଛି ବୋଲି କହିଛନ୍ତି। ସେହିପରି ୧୭ ପ୍ରତିଶତ ସହରବାସୀ ଏବଂ ୨୧ ପ୍ରତିଶତ ଗ୍ରାମାଞ୍ଚଳ ଲୋକ ଏହାକୁ ସମର୍ଥନ କରି ନାହାନ୍ତି। ୫୫ ପ୍ରତିଶତ ସହରବାସୀ ଏବଂ ୪୯ ପ୍ରତିଶତ ଗାଁ ଲୋକେ କହିଛନ୍ତି ଜମ୍ମୁ କଶ୍ମୀର ବିବାଦରେ ସମାଧାନ ହୋଇଛି। ୩୦ ପ୍ରତିଶତ ସହରବାସୀ ଏବଂ ୩୦ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ଏହାର ଓଲଟା ମତ ରଖିଛନ୍ତି। ୨୦ ପ୍ରତିଶତ ସହରବାସୀ ଏବଂ ୨୫ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ରାମ ମନ୍ଦିରକୁ ମୋଦି ସରକାରର ବଡ଼ ସଫଳତା ବୋଲି କହିଛନ୍ତି। ୫ ପ୍ରତିଶତ ସହରବାସୀ ଏବଂ ୬ ପ୍ରତିଶତ ଗ୍ରାମାଞ୍ଚଳବାସୀ ସିଏଏକୁ ବଡ଼ ସଫଳତା ବୋଲି କହିଛନ୍ତି। ସେହିପରି ୬ ପ୍ରତିଶତ ଗ୍ରାମାଞ୍ଚଳ ବାସୀ ଏବଂ ସହରବାସୀ ତିନି ତଲାକକୁ ବଡ଼ ସଫଳତା ବୋଲି ସର୍ଭେରେ ମତ ରଖିଛନ୍ତି।

ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛି। ଦୀର୍ଘ ୭ ବର୍ଷରେ ଅନେକ ସଫଳତା ହାସଲ କରିଛି ବୋଲି କେନ୍ଦ୍ରର ମୋଦି ସରକାର କହିଛନ୍ତି। ହେଲେ ବିରୋଧୀ କଂଗ୍ରେସ କିନ୍ତୁ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଦୀର୍ଘ ୭୩ ବର୍ଷରେ ସବୁଠୁ ଦୁର୍ବଳ ସରକାର ବୋଲି କହିବା ସହିତ ଦେଶ ପାଇଁ କ୍ଷତିକାରକ ବୋଲି ଦେଶର ଏହି ସର୍ବପୁରାତନ ଦଳ କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ପ୍ରେସ କନଫରେନସ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ୭ ବର୍ଷ କାର୍ଯ୍ୟକାଳ ଅବସରରେ ଏ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ, ଅଯୋଗ୍ୟ ସରକାର। ୭ ବର୍ଷରେ ବେକାରୀ ୧୧.୩ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଦେଶ ଯନ୍ତ୍ରଣା ଭୋଗୁଛି। ପେଟ୍ରୋଲ ଦର ଅନେକ ରାଜ୍ୟରେ ୧୦୦ ଟଙ୍କା ଏବଂ ସୋରିଷ ତେଲ ୨୦୦ ଟଙ୍କା ପାର ହୋଇଛି। ୭୩ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଦୁର୍ବଳ ସରକାର ବୋଲି ଏଥିରୁ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ମୋଦି ସରକାର ନେତୃତ୍ୱରେ ଦେଶର ଜିଡିପି ହ୍ରାସ ପାଇଛି, କରୋନା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଚୁପ୍ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ମଧ୍ୟ କେନ୍ଦ୍ରର ବିଫଳତକୁ ହୃଦବୋଧ କରିଛନ୍ତି ବୋଲି ସେ କହିଛନ୍ତି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଭୟ, ଶୋକ, ଭୟ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ କରୋନା ସଂକ୍ରମଣ ବଢୁଥିବା ଦେଖି ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଦେଶ ଏବେ ଉଭୟ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ସଙ୍କଟ ଦେଇ ଗତି କରୁଛି। ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଭୟଭୀତ ହେବ। ଏ ନେଇ ସମସ୍ତ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ସେହିପରି ଏହି ସରକାର ସମୟରେ ବେକାରୀ ଚରମ ସୀମାରେ ପହଞ୍ଚିଛି। ଦେଶ ପାଇଁ ଏହି ସରକାର କ୍ଷତିକାରକ ବୋଲି ସୁରଜେଓ୍ୱାଲା କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ବେଳେ ବିରୋଧୀ କଂଗ୍ରେସ କ୍ରମାଗତ ଭାବେ ମୋଦି ସରକାର ଉପରେ ଆକ୍ରମଣ କରୁଛି। ପ୍ରଥମେ ଟିକାକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ଦ୍ୱିତୀୟରେ ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠାଇଛି।

୭୦ ବର୍ଷ ବନାମ ୭ ବର୍ଷ;ସାଟେଲାଇଟରୁ ସଡକ, ସବୁଥିରେ ବଢ଼ିଛି ଦକ୍ଷତା

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଜି ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ। ଦୀର୍ଘ ୭ ବର୍ଷ ହେବ ମୋଦି ସରକାର ଦେଶରେ ସରକାରରେ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୭୦ ବର୍ଷର ସରକାରକୁ ଚଳିତ ୭ ବର୍ଷର ସରକାର ସହ ତୁଳନା କରି ନିଜ ସରକାରର ଉପଲବ୍ଧ ରଖିଛନ୍ତି ମନ୍ କି ବାତ ଜରିଆରେ। ସେ କହିଛନ୍ତି ଦେଶ ଏବେ ଅନେକ ପରିବର୍ତ୍ତନ ହୋଇଛି। ସାଟେଲାଇଟରୁ ସଡ଼କ ସବୁଥିରେ ଉପଲବ୍ଧି ହୋଇଛି। ସେ କହିଛନ୍ତି ଯେ ଏହି ୭ ବର୍ଷରେ ଯାହା କିଛି ସଫଳତା ମିଳିଛି, ତାହା ଦେଶ ଓ ଦେଶବାସୀଙ୍କର। ଏବେର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ। ଦେଶ ନିଜ ସଂକଳ୍ପ ସହିତ ଚାଲୁଛି। ଏଥିପାଇଁ ଆମେ ସମସ୍ତେ ଗର୍ବିତ। ଯେଉଁମାନେ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛି ଦେଶ। ଯାହାକି ଆମର ଆତ୍ମବିଶ୍ୱାସ ବଢ଼ାଉଛି। ଭାରତ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ। ଯେତେବେଳେ ଆମ ସେନାର ଶକ୍ତି ବଢେ ସେତେବେଳେ ଆମେ ଅନୁଭବ କରୁ ଯେ ଠିକ୍ ରାସ୍ତାରେ ଅଛୁ। ସେ କହିଛନ୍ତି ଯେ ଖୁସି ଲାଗେ ଯେତେବେଳେ ଲୋକମାନେ ଧନ୍ୟବାଦ ଦିଅନ୍ତି ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସେମାନଙ୍କ ଗାଁରେ ବିଜୁଳି ପହଞ୍ଚିଛି। ସେମାନଙ୍କ ପୁଅ ଓ ଝିଅ ପଙ୍ଖା ତଳେ ବସି ପାଠ ପଢୁଛନ୍ତି। ଗାଁର ପକ୍କା ରାସ୍ତା ସହ ସହର ସହିତ ସଂଯୁକ୍ତ ହୋଇଛି। ସ୍ୱାଧୀନତାର ସାତ ଦଶନ୍ଧିରେ କେବଳ ତିନି କୋଟି ଗାଁରେ ପାଣି ସଂଯୋଗ ହୋଇଥିଲା। କିନ୍ତୁ ଗତ ୨୧ ମାସ ମଧ୍ୟରେ ତାଙ୍କ ସରକାର ସାଢ଼େ ଚାରି କୋଟି ଘରକୁ ବିଶୁଦ୍ଧ ଜଳ ସଂଯୋଗ ଦେଇଛନ୍ତି। ଏଥିମଧ୍ୟରୁ ୧୫ ମାସ କରୋନାକାଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ‘ଆୟୁଷ୍ମାନ ଭାରତ ଯୋଜନା’ ଜରିଆରେ ଦେଶକୁ ଏକ ନୂଆ ବିଶ୍ୱାସ ଆସିଛି, ଯେତେବେଳେ ଜଣେ ଚିକିତ୍ସିତ ହୋଇ ଘରକୁ ଫେରନ୍ତି ସେତେବେଳେ ପରିବାର ଲୋକେ ଅନୁଭବ କରନ୍ତି ଯେ ଏହା ତାଙ୍କୁ ଏକ ନୂଆ ଜୀବନ ଦେଇଛି। ସେହିପରି ଏବେ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ହୋଇପାରୁଛି ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଏହି ଡିଜିଟାଲ ପେମେଣ୍ଟ ବହୁତ ଲାଭ ଦାୟକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଉତ୍ତର-ପୂର୍ବରୁ କଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଏବଂ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ଆମେ ଅନେକ ସାଟେଲାଇଟ୍ ଉତକ୍ଷେପଣ କରି ରେକର୍ଡ ତିଆରି କରିଛୁ। ଏହି ୭ ବର୍ଷ ମଧ୍ୟରେ ଦେଶର ଅନେକ ପୁରୁଣା ବିବାଦ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସହିତ ସମାଧାନ ହୋଇଛି ବୋଲି ମୋଦି ମନ୍ କୀ ବାତ୍ ଜରିଆରେ କହିଛନ୍ତି। ସେହିଭଳି କେହି କେହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଖୁସି ବାଣ୍ଟନ୍ତି। ସରକାରଙ୍କ ବିଭିନ୍ନ ସ୍କିମ୍ ଜରିଆରେ ଲୋକମାନେ ଋଣ ନେଇ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରେ ସଫଳ ହେଲେ ମଧ୍ୟ ଖୁସି ଲାଗେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ପରେ ଅନେକ ଲୋକ ଧନ୍ୟବାଦ ଦେଇଛନ୍ତି ବୋଲି ସେ କହିଛନ୍ତି। ୭ ବର୍ଷରେ ଏମିତି ଅନେକ ଖୁସି ଅଛି ଯାହାକୁ ନେଇ ଆଜି ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।

ରବି ଧାନ କିଣାରେ ଟୋକନ୍ କାମ କରୁନି, ହଜାରେ ଟଙ୍କାରେ ଚାଷୀ ବିକୁଛି ଧାନ – ପ୍ରଦୀପ ପୁରୋହିତ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପଶ୍ଚିମ ଓଡ଼ିଶାରେ ରବି ଧାନ କିଣାରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଯୋଗୁ ଚାଷୀ ବାଧ୍ୟ ହୋଇ କ୍ୱିଣ୍ଟାଲ ପିଛା ଏକ ହଜାର ଟଙ୍କାରେ ନିଜର ଧାନ ବିକ୍ରି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଚାଷୀଙ୍କୁ ଧାନର ସଠିକ୍ ସର୍ବନିମ୍ନ ମୂଲ୍ୟ ଓ ସବୁ ଚାଷୀ ଯେଭଳି ଧାନ ବିକ୍ରି କରିପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ସମୀକ୍ଷା ବୈଠକ ଡାକନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଏହି କାରଣରୁ ଅନ୍ୟ କୌଣସି ଉପାୟ ନପାଇ ଏବେ ଖୋଲା ବଜାରରେ ମାତ୍ର ୧୦୦୦ ଟଙ୍କା ପ୍ରତି କ୍ୱିଂଟାଲରେ ଧାନ ବିକ୍ର କରିବା ପାଇଁ ଚାଷୀ ବାଧ୍ୟ ହେଉଛି। ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ସେଥିରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଭାଗଚାଷୀଙ୍କ ଟୋକନ୍ ଲାପ୍ସ ହୋଇ ସାରିଲାଣି। ମିଲର୍ସମାନଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଉଛନ୍ତି ଏବଂ ପ୍ରତି କ୍ୱିଂଟାଲରେ ୫ ରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି। ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଚାଷୀକୂଳର ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି। ଡିପ୍ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ୱିଂଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ୮୦ ପ୍ରତିଶତ ଡିପ୍ ବୋରୱେଲ ଚାଷୀଙ୍କ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କ୍ୱିଂଟାଲ, ୨ କ୍ୱିଂଟାଲ, ୫ କ୍ୱିଂଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ବରଗଡ, ବଲାଙ୍ଗୀର,ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡା ଆଦି ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୟାସ୍ ବାତ୍ୟା ଟଳିଯିବା ପରେ ଏବେ ଚାଷୀମାନଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ହୋଇ ରାଜ୍ୟରେ ଠିଆ ହୋଇଛି । ଯଦି ପ୍ରକୃତରେ ଚାଷୀପ୍ରତି ଓଡ଼ିଶା ସରକାରଙ୍କ ଦରଦ ଅଛି, ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା ବୈଠକ କରନ୍ତୁ ଏବଂ ଧାନ କିଣାବିକାରେ ଶୋଷିତ ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।

ମୋଦି ସରକାରର ୭ ବର୍ଷ ପୂର୍ତ୍ତି;ଦୁଇଦିନିଆ ସେବାଦିବସ ପାଳିବ ବିଜେପି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରର ୭ବର୍ଷ ପୂରଣ କରୁଥିବାରୁ ରାଜ୍ୟ ବିଜେପି ଆସନ୍ତାକାଲିଠୁ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସେବା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ପଂଚାୟତ ଓ ସହରାଂଚଳରେ ଏହି ସେବା ଦିବସ ପାଳନ ହେବା ସହ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ ଅନୁଷ୍ଠିତ ହେବ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାର ୭ ବର୍ଷ ପୂର୍ତି ହେବ। ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାର ସଫଳ ରୂପାୟନ କାରଣରୁ ଦେଶବାସୀଙ୍କ ମଧ୍ୟରେ ମୋଦି ସରକାର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବାସହ ବିଶ୍ୱସ୍ତରରେ ଭାରତକୁ ସମ୍ମାନିତ କରାଇଛନ୍ତି। ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଅବସରରେ ଆସନ୍ତାକାଲି ୩୦ ଓ ୩୧ ତାରିଖକୁ ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରାଯିବ। ଏହି କ୍ରମରେ ରାଜ୍ୟର ସମସ୍ତ ପଂଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହେବ। କରୋନା ସଂକ୍ରମଣ କାରଣରୁ ରାଜ୍ୟବ୍ୟାପୀ ଲକ୍‌ଡାଉନ, ସଟଡାଉନ ଜାରି ରହିଛି। କରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କର୍ମକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ପଂଚାୟତ ଏବଂ ସହରାଂଚଳର ବିଭିନ୍ନ ୱାର୍ଡଗୁଡ଼ିକରେ ସେବା କାର୍ଯ୍ୟ କରିବେ । ବିଶେଷ ଭାବେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମାସ୍କ ଓ ସାନିଟାଇଜର ବଂଟନ ସମେତ ଶୁଖିଲା, ରନ୍ଧା ଖାଦ୍ୟ ବଂଟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯିବ । ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ସମସ୍ତେ ଶୁଣିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ଆସନ୍ତା ଜୁନ୍ ୨ ତାରିଖରେ ଭର୍ଚୁଆଲ ମିଟିଂ ଜରିଆରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୩୦ ମେ’, ରବିବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। ସୁ-ସମ୍ବାଦ ପାଇ ଖୁସି ହେବେ।

ବୃଷ: ପୂଜାପାଠରେ ସମୟ ବିତାଇବେ। ଉଚ୍ଚ ଆଶା ସଫଳ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପ୍ରୟାସ କରିବେ। ଶତ୍ରୁମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବା ଯୋଗୁ ପୂର୍ବ କଳହର ସମାଧାନ ହେବ।

କର୍କଟ: ସମାଜସେବା ପ୍ରତି ମନ ବଳାଇବେ। ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବେ। ଯାତ୍ରା କରନ୍ତୁ ନାହିଁ।

ସିଂହ: ମାନସିକ ଅସ୍ଥିରତା ଦେଖାଦେବ। ଆୟର ନୂଆ ପନ୍ଥା ଖୋଜିବେ। ପୂର୍ବରୁ କରିଥିବା କୌଣସି ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ।

କନ୍ୟା: ଦୃଢ଼ସଂକଳ୍ପ ଯୋଗୁ ସବୁ ସମସ୍ୟାର ସମାଧାନ ହୋଇଯିବ। ଅଟକିଥିବା ଧନ ମିଳିଯିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ତୁଳା: ଶତ୍ରୁମାନେ ଆପଣଙ୍କ ଠାରୁ ଦୂରେଇ ରହିବେ। ପୂରାତନ ରୋଗର ଉପଶମ ହେବ। ପରିବାରରେ ଶାନ୍ତି ବଜାୟ ରହିବ।

ବିଛା: ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁଯାୟୀ ସଂପନ୍ନ ହେବ। ଶରୀର ସୁସ୍ଥ ରହିବ। ଘର କାର୍ଯ୍ୟରେ ଦିନଟି ବିତିବ।

ଧନୁ: ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁଭ ଖବର ପାଇବେ।

ମକର: ଶତ୍ରୁମାନେ ପରାଜିତ ହେବେ। ନିଜର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ସବୁ କାର୍ଯ୍ୟରେ ସଫଳତା ପାଇବେ।

କୁମ୍ଭ: ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଜାୟ ରହିବ।

ମୀନ: ଶୁଭ ଫଳ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।