ଶିକ୍ଷକ ଙ୍କ ଅଭିଯୋଗ ଉପଜିଲ୍ଲାପାଳ ଓ ବି.ଡି.ଓ ଏସି ରୁମ୍ ରେ ବସି ଅର୍ଡର କରୁଛନ୍ତି।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ସମ୍ପ୍ରତି କରୋନା ମୁକାବିଲା ନିମନ୍ତେ ଗୁଣପୁର ବ୍ଲକ ଅଧିନ ରେ ନାକା ଗେଟ ଖୋଲାଯାଇଛି । ଏଠାରେ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି । କିଛିଦିନ ତଳେ ଏହି ଗେଟ ଗୁଡିକରେ ରାତ୍ରି ସମୟରେ କେବଳ ଶିକ୍ଷକ ମାନେ ହିଁ ପହରା ଦେଉଥିବା ଅଭିଯୋଗ ଆସିଥିଲା । ଉପଜିଲ୍ଲାପାଳ ଓ ବି.ଡି.ଓ ଏସି ରୁମ୍ ରେ ବସି ଅର୍ଡର କରୁଛନ୍ତି ବୋଲି ବର୍ତ୍ତମାନ ଶିକ୍ଷକ ଙ୍କ ପକ୍ଷରୁ ଏକ ସଙ୍ଗିନ ଅଭିଯୋଗ ଆସିଛି । ଗୁଣପୁର ବ୍ଲକ ଅଧୀନରେ ୬୦୦ ଜଣ ଶିକ୍ଷକ କାର୍ଯ୍ୟ କରୁଥିବା ବେଳେ ଯେଉଁ ଶିକ୍ଷକ ମାନଙ୍କୁ ନାକା ଡ୍ୟୁଟି ପଡୁଛି ସେମାନଙ୍କୁ ହିଁ ପୁଣି ଡ୍ୟୁଟି ଦିଆଯାଇ ଅନ୍ୟ ମାନଙ୍କୁ ଛାଡି ଦିଆଯାଉଛି ଏବଂ ଯେଉଁ ସ୍ଥାନରେ ନାକା ଗେଟ କରାଯାଇଛି ସେଠାରେ ଶିକ୍ଷକ କିଭଳି ପରିସ୍ଥିତିରେ ଡ୍ୟୁଟି କରୁଛନ୍ତି ଏନେଇ କେହି ନଜର ଦେଉନାହାନ୍ତି ବୋଲି ଅଭିଯୋଗ ଉଠିଛି। ଏଥିରେ ଏହାବି ପରୋକ୍ଷରେ ଅଭିଯୋଗ ଉଠିବା ସହ ଉପଜିଲ୍ଲାପାଳ ମହୋଦୟ ଓ ବି.ଡି.ଓ ମୋହଦୟା ଏସି ରୁମରେ ବସି ଅର୍ଡର ନକରି ଥରେ ନାକା ଗେଟ ନିକଟରେ ରହି ଦୀର୍ଘ ୮ ଘଣ୍ଟା କାଳ ଏଠାରେ କିଭଳି ଏବଂ କେଉଁ ପରିସ୍ଥିତିରେ ଶିକ୍ଷକ ଡ୍ୟୁଟି କରୁଛନ୍ତି ଏହା ଦେଖିବାକୁ ଅନୁରୋଧ କରିଛନ୍ତି । ଶିକ୍ଷକଙ୍କ ଏସବୁ ପରିସ୍ଥିତି ନେଇ ସଂଘ କର୍ମକର୍ତ୍ତା କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ନେଇ ବୁଝିବାରେ ଏନେଇ ସଂଘ ପକ୍ଷରୁ ବି.ଇ.ଓ ଏବଂ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ଦିଆଯାଇଛି ବୋଲି ସଭାପତି ଶିବ ପ୍ରସାଦ ମହାପାତ୍ର ଓ ସମ୍ପାଦକ ପ୍ରବୀଣ କୁମାର ରଥ ପ୍ରକାଶ କରିଛନ୍ତି । ରାମନାଗୁଡା କାଟିକି ନାକା ଗେଟ ରେ ଚାରି ଜଣ ଶିକ୍ଷକ ଙ୍କୁ ଡ୍ୟୁଟି ଦିଆଯାଉଥିବା ବେଳେ ଗୁଣପୁରର ସମ୍ବେଦନଶୀଳ ଏହି ନାକାଗେଟ ରେ କେବଳ ଦୁଇ ଜଣ ଶିକ୍ଷକ ଙ୍କୁ କାହିଁକି ଡ୍ୟୁଟି ଦିଆଯାଉଛି ବୋଲି ପ୍ରଶ୍ନ ଉଠିଛି। ଦେଖିବାକୁ ରହିଲା ଶିକ୍ଷକ ମାନଙ୍କ ଏହି ସମସ୍ୟା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି ।

କାହିଁକି ବଢ଼ୁଛି ପେଟ୍ରୋଲ୍‌ ଦର…? କାରଣ କହିଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦେଶରେ ପେଟ୍ରୋଲ ଦର ବୃଦ୍ଧି ଚାଲିଛି। କେତେକ ସ୍ଥାନରେ ପେଟ୍ରୋଲ୍‌ ଲିଟର ପିଛା ୧୦୦ ଅତିକ୍ରମ କଲାଣି। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦେଶରେ କାହିଁକି ବଢ଼ୁଛି ପେଟ୍ରୋଲ୍‌ ଦର? ଏହା କାରଣ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“ଦୁଇଟି କାରଣ ପାଇଁ ଦେଶରେ ପେଟ୍ରୋଲ ଦାମ ବଢ଼ି ଚାଲିଛି। ଗୋଟିଏ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି। ଅନ୍ୟ କାରଣଟି ହେଉଛି ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାଇବାରୁ ଦାମ ବଢ଼ିଛି। ମହାମାରୀ କରୋନା ପାଇଁ ଖର୍ଚ୍ଚ ବଢ଼ିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ଟ୍ୟାକ୍ସ ଲଗାଇଛନ୍ତି। ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।” ରବିବାର ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିଲା। ସେଠାରେ ପେଟ୍ରୋଲ୍ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ଥିଲା ବେଳେ ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୨୯ ପଇସା ରହିଛି। ତେବେ ମାଲକାନଗିରି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୯ ଟଙ୍କା ୭୩ ପଇସା ଓ ଡିଜେଲ୍ ୯୭ ଟଙ୍କା ୪୦ ପଇସା ରହିଛି। ଏପଟେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪ ଟଙ୍କା ୭୨ ପଇସା ଓ ଡିଜେଲ୍ ଲିଟର୍ ପିଛା ୯୨ ଟଙ୍କା ୫୫ ପଇସାରେ ମିଳୁଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଗତ ୨ ମାସ ଭିତରେ ପେଟ୍ରୋଲ ଦର ଲିଟର ପ୍ରତି ୩ ଟଙ୍କା ୪୫ ପଇସା ଓ ଡିଜେଲ୍ ଦର ୪ ଟଙ୍କା ୪୩ ପଇସା ବଢ଼ିଛି ବୋଲି ଉତ୍କଳ ପେଟ୍ରୋଲ ପମ୍ପ ମାଲିକ ସଂଘ ସାଧାରଣ ସଂପାଦକ ସଞ୍ଜୟ ଲାଠ୍ ରବିବାର କହିଥିଲେ। ସୂଚନାଯୋଗ୍ୟ, ଶନିବାର ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର୍ ପିଛା ୨୬ ପଇସା ବୃଦ୍ଧି ପାଇଥିଲା ବେଳେ ଡିଜେଲ୍ ଦରରେ ୨୮ ପଇସା ବଢ଼ିଥିଲା। ବର୍ଦ୍ଧିତ ଦର ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ ପିଛା ୨୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୩୦ ପଇସା ବୃଦ୍ଧି ହୋଇଥିଲା। ହେଲେ ରବିବାର ପେଟ୍ରୋଲ ଓ ଡିଜେଲ୍ ଦର ଅପରିବର୍ତ୍ତିତ ରହିଛି।

ବିବାଦ ଭିତରେ ମୁଖ୍ୟ ସଚିବ ପଦରୁ ଅଲପନ ବନ୍ଦୋପାଧ୍ୟୟଙ୍କ ଅବସର, ପାଇଲେ ନୂଆ ଦାୟିତ୍ୱ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)- କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ହଠାତ୍‌ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଅପଲନ ବନ୍ଦୋପାଧ୍ୟୟ। ତାଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିଲେ ହେଁ ସେ ନିଜ ପଦରୁ ଅବସର ନେଇଛନ୍ତି।ଏବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦରେ ସେ ୩ ବର୍ଷ ପାଇଁ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଲପନ ଅବସର ନେଇଥିବାରୁ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାର ୧୯୮୮ ଆଇଏଏସ୍‌ ବ୍ୟାଚ୍‌ର ହରିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “କାଲିଠାରୁ ଅଲପନ ବନ୍ଦୋପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଆମେ ମହାମାରୀ ପାଇଁ ତାଙ୍କ ସେବା ଚାହୁଁଛୁ। ସମସ୍ତେ ଜାଣିଛନ୍ତି ସେ କେମିତି କଠିନ ପରିଶ୍ରମ କରୁଛନ୍ତି ଓ ଆମେ କେମିତି ତାଙ୍କ ପାଇଁ ଆଜି ସୁରକ୍ଷିତ ରହିଛୁ। ସେ ଯେମିତି ହେଲେ ବି ତାଙ୍କ ସେବା ବେଙ୍ଗଲ ଓ ଦେଶ ପାଇଁ ଜାରି ରଖିବେ।” ନିକଟରେ ବାତ୍ୟା ୟାସର କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ। ତେବେ ମୋଦିଙ୍କ ସମୀକ୍ଷା ବୈଠକରେ ବିରୋଧୀ ଦଳର ବିଧାୟକମାନେ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ଏଥିରେ ଯୋଗ ଦେଇ ନଥିଲେ। ସେମାନେ କେବଳ ମୋଦିଙ୍କୁ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘାକୁ କ୍ଷୟକ୍ଷତି ଆକଳନ କରିବାକୁ ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଶେଷରେ କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ଡକାଇବା ସହ ୩୧ ତାରିଖ ଦିନ ୧୦ଟା ସୁଦ୍ଧାଜବାବ ଦାଖଲ କରିବାକୁ କହିଥିଲେ। ହେଲେ ଅଲପନ କିଛି ବି ପ୍ରତିକ୍ରିୟା ଦେଇ ନଥିଲେ। ଆଜି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏସବୁ ବାଦବିବାଦ ମଧ୍ୟରେ ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

୫ଜି ନେଟୱର୍କ ବିରୋଧରେ ଜୁହି ଚାୱଲା, କୋର୍ଟରେ ଦାଖଲ କଲେ ଆବେଦନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପୂରା ବିଶ୍ୱ ୫ଜି ୱେରଲେସ୍‌ ନେଟୱର୍କର ବ୍ୟବହାର କରିବାକୁ ଜୋରଦାର ପ୍ରସ୍ତୁତ କରୁଛି। ବିଶ୍ୱରେ ଥିବା ଟେଲିକମ୍ୟୁନିକେସନ କମ୍ପାନୀଗୁଡ଼ିକ ୫ଜି ନେଟୱର୍କ ଆରମ୍ଭ କରିବାକୁ ଯାଉଛନ୍ତି। ଭାରତ ମଧ୍ୟ ଏହି ରେସ୍‌ରେ ରହିଛି। ତେବେ ୫ଜି ନେଟୱର୍କ ଉଭୟ ମଣିଷ ଓ ପଶୁପକ୍ଷୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି କିଛି ଲୋକ କହୁଛନ୍ତି। ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ୫ଜି ନେଟୱର୍କ ବିରୋଧରେ ନିଜର ସ୍ୱର ଉଠାଇଛନ୍ତି। ଦୀର୍ଘ ଦିନ ଧରି ମୋବାଇଲ୍ ଟାୱାରରୁ ବାହାରୁଥିବା କ୍ଷତିକାରକ ବିକିରଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ଜୁହି ଏବେ ୫ଜି ଟେକ୍ନୋଲୋଜି ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି। ଏହି ଅତ୍ୟାଧିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ଏଥିପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ ମଧ୍ୟ କରିଛନ୍ତି। ଜୁହି କହିଛନ୍ତି, ଆମେ କୌଣସି ପ୍ରକାରରେ ଟେକ୍ନୋଲଜିକାଲ ବିକାଶ ବିରୋଧରେ ମତ ଦେଉନାହୁଁ। ବରଂ ଅତ୍ୟାଧୁନିକ ଉତ୍ପାଦକୁ ବ୍ୟବହାର କରିବା ସହ ଏହାର ଉପଭୋଗ କରୁଛୁ। କିନ୍ତୁ ଏହି ଉତ୍ପାଦଗୁଡ଼ିକ ବ୍ୟବହାର କରିବାବେଳେ ଏହାର କୁପରିଣାମକୁ ମଧ୍ୟ ବୁଝିବା ଦରକାର। ମୋବାଇଲ୍ ଟାୱାରରୁ ବାହାରୁଥିବା ଆରଏଫ୍ ବିକିରଣ ବିଷୟରେ ଗବେଷଣା କରାଯାଇଥିଲା। ଏଗୁଡ଼ିକ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ଗବେଷଣାରୁ ଜଣାପଡ଼ିଛି। ଆବେଦନରେ ଜୁହି କହିଛନ୍ତି, ଭାରତରେ ୫ଜି ଟେକ୍ନୋଲୋଜି ଦ୍ୱାରା ୨୪ ଘଣ୍ଟା ଓ ୩୬୫ ଦିନ ଲୋକମାନେ ପ୍ରଭାବିତ ହେବେ। ଏହା ନେଟୱର୍କ କ୍ଷମତାକୁ ବୃଦ୍ଧି କରିବ ହେଲେ ଏଥିରୁ ନିର୍ଗତ ବିକିରଣ ମାନବଜାତି ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଉପରେ କୁ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।ଏହାପୂର୍ବରୁ ୨୦୧୮ରେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ମୋବାଇଲ୍ ଟାୱାରରୁ ବାହାରୁଥିବା ବିକିରଣ ଓ ୱାଇଫାଇ ହଟସ୍ପଟ୍ ଲୋକଙ୍କ ସ୍ୱାସ୍ଥ୍ୟ ସହ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ତେଣୁ ଏହା ଉପରେ ଚିନ୍ତା କରିବା ଦରକାର। ୫ଜି ନେଟୱର୍କ ପରିବେଶ ପାଇଁ ସୁରକ୍ଷିତ କି ନୁହେଁ, ତା’ର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେବାକୁ ଜୁହି ନିବେଦନ କରିଛନ୍ତି।

 

କେନ୍ଦ୍ରର ନାଲି ଆଖି ଦେଖି ମୁଣ୍ଡ ନୁଆଁଇଲା ଟ୍ୱିଟର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ତେଜିଛି। ଏହାରି ଭିତରେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହି ଆମେରିକାନ କମ୍ପାନୀ କହିଛି ସେ ଭାରତ ସରକାରଙ୍କ ନିୟମକୁ ମାନିବେ। ଗତ ସପ୍ତାହରେ ଟ୍ୱିଟର କେନ୍ଦ୍ରର ନିୟମ ନମାନିବା ପରେ ସରକାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ କେନ୍ଦ୍ରର ନୂଆ ଆଇଟି ନିୟମ ମାନିବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଥିଲା। ଏହାପରେ ସୋମବାର ହାଇକୋର୍ଟରେ ଟ୍ୱିଟର କହିଛି ଯେ ଆମେ କେନ୍ଦ୍ରର ନିୟମ ମାନୁଛୁ। କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁଯାୟୀ ମେ ୨୮ ସୁଦ୍ଧା ସେ ସମସ୍ତ ନିଯୁକ୍ତି କରିଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟରେ କହିଛି ଟ୍ୱିଟର। ସରକାର କିନ୍ତୁ କହିଛନ୍ତି ଟ୍ୱିଟର ଯେଉଁ ପକ୍ଷ ରଖିଛି ତାର କୌଣସି ସତ୍ୟତା ନାହିଁ। ଆଡଭୋକେଟ୍ ଅମିତ ଆଚାର୍ଯ୍ୟ କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀ ୨୫ରେ ଟ୍ୱିଟର ସମେତ ସମସ୍ତ ସୋଶାଲ ମିଡିଆ ନେଟୱର୍କକୁ ନୂଆ ଡିଜିଟାଲ ନିୟମ ଜାରି କରାଯାଇଛି। ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ମେ ୨୫ରେ ସମୟ ସୀମା ସମାପ୍ତ ହେବା ପରେ ମଧ୍ୟ ଟ୍ୱିଟର ନିୟମ ମାନିନାହିଁ। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଛି। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ଯାହାକୁ ନେଇ ବିବାଦ ଉପୁଜିଛି। ବିଭିନ୍ନ ସମୟରେ ଫେକ୍ ନ୍ୟୁଜ ଏବଂ ହିଂସାକୁ ଉସକାଇବା ଭଳି ଖବର ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଫେବୃଆରୀ ୨୫ରେ ଏହି ଆଇଟି ବା ଡିଜିଟାଲ ମିଡିଆ ନିୟମ କରି ସୋଶାଲ ମିଡିଆ କମ୍ପାନୀକୁ ତିନି ମାସ ମଧ୍ୟରେ ନିୟମ ପାଳନ କରିବାକୁ କହିଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଫେସବୁକ, ହ୍ୱାଟସଆପ ଓ ଗୁଗୁଲ କେନ୍ଦ୍ରର ନିୟମ ମାନିବାକୁ ରାଜି ହୋଇଛନ୍ତି।

ଅଲପନଙ୍କୁ ଦିଲ୍ଲୀ ପଠାଇପାରିବୁନି, ପ୍ରଧାନମନ୍ତ୍ରୀଙ୍କୁ କହିଲେ ମମତା ବାନାର୍ଜୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)- ଯାହା ଆକଳନ କରାଯାଉଥିଲା ତାହା ହେଲା। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଛାଡ଼ିବାକୁ ନାରାଜ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଅଲପନଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରିବେନି। ତେଣୁ କେନ୍ଦ୍ର ସରକାର ତାଙ୍କ ବଦଳି ଆଦେଶର ପୁନର୍ବିଚାର କରନ୍ତୁ ବୋଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଜି ଶାସନ ସଚିବ ଅଲପନଙ୍କୁ ଦିଲ୍ଲୀରେ ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗରେ ରିପୋର୍ଟ କରିବାକୁ କହିଥିଲା ଗୃହ ମନ୍ତ୍ରାଳୟ। ମମତା ବାନାର୍ଜୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଆପଣ କିଛି ଦିନ ପୂର୍ବରୁ ଅଲପନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏବେ ହଠାତ୍ ତାଙ୍କୁ ଦିଲ୍ଲୀ ଡକାଯାଇଛି। ହେଲେ ଦିଲ୍ଲୀ ଡାକିବାର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ତାଙ୍କ ଚିଠିରେ ପଚାରିଛନ୍ତି ଯେ ମେ ୨୮ରେ କାଲାଇକୁଣ୍ଡାରେ ଅନୁଷ୍ଠିତ ବୈଠକ ସହିତ ଏହି ନିଷ୍ପତ୍ତିର କିଛି ସମ୍ପର୍କ ଅଛି କି? ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ଆଶା କରୁଛି ଯେ କାଲାଇକୁଣ୍ଡା ବୈଠକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ଏହିପରି କିଛି ଅଛି ତେବେ ଏହା ଦୁର୍ଭାଗ୍ୟଜନକ। ମମତା ବାନାର୍ଜୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସହିତ ପରାମର୍ଶ କରି ନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ଏବଂ ଅପ୍ରତ୍ୟାଶିତ ନିଷ୍ପତ୍ତି। ଗୋଟିଏ ପଟେ କରୋନା ସଙ୍କଟ ଏବଂ ଅନ୍ୟ ପଟେ ୟାସ ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗ ପାଇଁ ଏହା ଏକ କଷ୍ଟକର ସମୟ। ଏଭଳି ପରିସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳରେ ତିନିମାସ ବୃଦ୍ଧି ହେବାର ଏକ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପାରସ୍ପରିକ ପରାମର୍ଶ ପରେ ହିଁ ନିଆଯାଇଛି। ଅନ୍ୟପଟେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ରୋକିବାକୁ ହୋଇଥିବା ଆବେଦନ ଖାରଜ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଥିସହ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କରୋନା ପାଇଁ ଦିଲ୍ଲୀ ଲକଡାଉନ ରହିଥିବା ବେଳେ ଏହି ପ୍ରକଳ୍ପ କାମ କିନ୍ତୁ ଚାଲିଥିଲା। ଯାହାକୁ ବିରୋଧ କରି ଅନ୍ୟ ମଲହୋତ୍ରା ଏବଂ ସୋହିଲ ହାସମି ପିଆଇଏଲ ଦାଖଲ କରିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ଏହି ବେଞ୍ଚ କହିଛନ୍ତି ଯେ ଏହା ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏକ ଅପରିହାର୍ଯ୍ୟ ପ୍ରକଳ୍ପ। ଆବେଦନକାରୀ ଯେଉଁ ଆଧାର ଦର୍ଶାଇ ପିଆଇଏଲ ଦାଖଲ କରିଛନ୍ତି ତାହା ଉଦ୍ଦେଶ୍ୟ ପ୍ରଣୋଦିତ। ଏହାକୁ ଜନସ୍ୱାର୍ଥ ମାମଲା କୁହାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏଥିସହ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ସୁପ୍ରିମକୋର୍ଟ ଏହି ଭିଷ୍ଟା ପ୍ରକଳ୍ପର କାମକୁ ଗ୍ରୀନ ସିଗନାଲ ଦେଇ ସାରିଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ଗୋଟିଏ ସ୍ଥାନରେ ରହୁଛନ୍ତି। ତେଣୁ ନିର୍ମାଣ କାମ ବନ୍ଦ କରିବାର କୌଣସି ଯଥାର୍ଥତା ନାହିଁ। ଏହା ଡିଡିଏମଏ ନିର୍ଦ୍ଦେଶର ନିର୍ମାଣରେ ଉଲ୍ଲଂଘନ ହେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ୧୦ ଡିସେମ୍ବରରେ ଏହି ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ କାମ ଟାଟା ପ୍ରୋଜେକ୍ଟ ଲିମିଟେଡ୍ କରୁଛି। ଏହି ପ୍ରକଳ୍ପ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ନୂଆ ସଂସଦ ଭବନ ତ୍ରିକୋଣୀୟ ଆକୃତିର ହେବ। ୨୦୨୨ ମସିହାରେ ଦେଶର ୭୫ ତମ ସ୍ୱାଧୀନତା ଦିବସ ସୁଦ୍ଧା ଏହା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।

୩୧ ମେ’, ସୋମବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)

ମେଷ: ଶତ୍ରୁ ପରାଜିତ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ଅଯଥା ବାଦବିବାଦରେ ପଶନ୍ତୁ ନାହିଁ।

ବୃଷ: ପୁରୁଣା ରୋଗରୁ ଉପଶମ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ମିଥୁନ: ବୁଝାମଣା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି।

କର୍କଟ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ। ନିଜର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ। ଘରର କୌଣସି କାର୍ଯ୍ୟରେ ଅଧିକ ସମୟ ଦେବେ।

କନ୍ୟା: ସବୁ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ କରିବାକୁ ପ୍ରୟାସ କରିବେ। ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ।

ତୁଳା: ଶରୀର ସୁସ୍ଥ ରହିବ। କୌଣସି ବିବାଦୀୟ ପ୍ରସଙ୍ଗରେ କାହା ଠାରୁ ଆଶ୍ୱାସନା ପାଇ ଶାନ୍ତି ଅନୁଭବ କରିବେ। ସମାଜରେ ଥିବା ମାନସମ୍ମାନ ବଜାୟ ରହିବ।

ବିଚ୍ଛା: କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ନୂତନ ସମ୍ପତ୍ତି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି।

ଧନୁ: ବ୍ୟବସାୟରେ ଅଟକିଥିବା ଧନ ମିଳିଯିବ। ଯାତ୍ରା କରନ୍ତୁ ନାହିଁ। ଘରେ କାହା ସହ ଝଗଡ଼ା ହୋଇପାରେ।

ମକର: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜାଗା ଓ ଘର ଆଦି କିଣିବା ପାଇଁ ପ୍ରସ୍ତାବ ମିଳିପାରେ।

କୁମ୍ଭ: ଆୟ ବୃଦ୍ଧି ପାଇବ। ଅଟକିଥିବା କାର୍ଯ୍ୟକୁ ପୁଣି ଚାଲୁ କରିବେ। କୌଣସି ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପରିବାର ଲୋକଙ୍କ ସହ ହସଖୁସିରେ ଦିନଟି ବିତିବ।