ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ଆଜି ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି। ସୂଚନା ଅନୁସାରେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେବି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ସାପ୍ତାହିକ ଶଟଡାଉନ୍ ମଧ୍ୟ ବଳବତ୍ତର ରହିଛି। କିନ୍ତୁ ଏହା ସତ୍ତ୍ୱେ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଜି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ବାତ୍ୟା ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରେ ସମୀକ୍ଷା କରି ଓଡ଼ିଶାକୁ ତତ‌୍‍କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା  କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସହାୟତା ରାଶି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟାସ୍‌’ର ପ୍ରଭାବକୁ ହ୍ରାସ୍‌ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯିବ। ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି।” ସେ ଆହୁରି କହିଛନ୍ତି-“ବାତ୍ୟା ‘ୟାସ୍‌’ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି। ମୁଁ ଦୃଢ଼ ନିଶ୍ଚିତ ଯେ ବିସ୍ତୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ।” ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟାସ’ର ପ୍ରଭାବ ଅଞ୍ଚଳରେ ରିଲିଫ୍‌, ପୁନରୁଦ୍ଧାର ଓ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଓ ବାଲେଶ୍ୱର ପରିଦର୍ଶନ କରିବା ସହ ସ୍ଥିତି ପରଖିଥିଲେ।

୨୯ ମେ’, ଶନିବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ରାସ୍ତାରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କୌଣସି ଖୁସ ଖବର ପାଇବେ। ଋଣ ପରିଶୋଧ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ବୃତ୍ତିଗତ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।

ସିଂହ: କୌଣସି ପ୍ରସଙ୍ଗକୁ ନେଇ ଅଫିସ୍‌ରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫସିଯିବେ।

କନ୍ୟା: ଲୋକସମ୍ପର୍କ ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପାରନ୍ତି।

ତୁଳା: ମାନସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ ଓ ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ।

ବିଚ୍ଛା: ଶତ୍ରୁ ପରାଜିତ ହେବେ। ଦାମ୍ପତ୍ୟ ଜୀବନ ସୁଖରେ ଭରିଯିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି।

ଧନୁ: କୌଣସି ଶୁଭ ଖବର ପାଇ ଖୁସି ହେବେ। ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷ ମିଳିଯିବ। ପଢ଼ାପଢ଼ିରେ ମନ ଦେବେ।

ମକର: ମାନସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ଆପଣଙ୍କ ପାଖ ମାଡ଼ିବେ ନାହିଁ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକର ସମାଧାନ ହେବ।

କୁମ୍ଭ: ପୁରାତନ ରୋଗରୁ ଉପଶମ ମିଳିବ। ସୁସ୍ଥ ଅନୁଭବ କରିବେ। ଘର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଅର୍ଥପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ। ଯାତ୍ରା କରନ୍ତୁ ନାହିଁ।