ବିଲେଇପଦା ବିପନ୍ନଙ୍କୁ ବିଜେପି ତରଫରୁ ସହାୟତା ।

!!!  କେନ୍ଦୁଝର ଜିଲ୍ଲା ଯୋଡା ରୁ ରବୀନ୍ଦ୍ର କ୍ଷମଣୀଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଯୋଡା)-ଗତ ୨୬ ତରିଖରେ ଲଗାଣ ବର୍ଷା ଯୋଗୁଁ ଯୋଡା ବ୍ଲକ ବିଲେଇପଦା ନିକଟରେ ନୂତନଭାବେ ନିର୍ମିତ ହେଉଥିବା ୫୨୦ ନମ୍ବର ଜାତୀୟ ରାଜପଥର ତ୍ରୁଟିପୂର୍ଣ୍ଣ ନିର୍ମାଣକାର୍ଯ୍ୟ ଯୋଗୁଁ ପାଣି ନିଷ୍କାଷିତ ହୋଇ ପାରିନଥିଲା । ଯାହା ଫଳରେ ଏଠାରେ ଯାଇଥିବା ମୁର୍ଗାନାଳର ଉଭୟ ପାଶ୍ୱର୍ରେ ଥିବା ଘରଗୁଡିକ ଜଳାର୍ଣ୍ଣବ ହୋଇଯାଇଥିଲା । ପାଣିରେ ଲୋକଙ୍କ ଘରର ଆସବାହାପତ୍ର ସହିତ ସହିତ ଅନେକ ଘର ଭାଙ୍ଗି ଯାଇଥିଲା । ବୁଡି ଯାଇଥିବା ସତ୍ୱେ ଆଜି ଏପର୍ଯ୍ୟନ୍ତ ଲୋକଙ୍କୁ କୌଣସି ପ୍ରଶାସନିକ ସହାୟତା ମିଳିନାହିଁ । ସେମାନେ ଛୋଟ ଛୋଟ ଛୁଆଙ୍କୁ ଧରି ହିନସ୍ତା ହେଉଛନ୍ତି । ବିପନ୍ନ ମାନଙ୍କୁ ପଲିଥିନ ଖଣ୍ଡିଏ ଖଣ୍ଡିଏ ଦେଇ ପ୍ରଶାସନ ଦାଇତ୍ୱ ସାରିଦେଥିବା ଅଭିଯୋଗ ହୋଇଛି। ହେଲେ ଏହି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଜେପିର ବରିଷ୍ଠ ନେତା ଚଥା ଚମ୍ପୁଆର ଦଳୀୟ ପ୍ରାର୍ଥୀ ଡ. ମୁରଲି ମନୋହର ଶର୍ମା । ତାଙ୍କ ସହଯୋଗ କ୍ରମେ ଦଳର ପ୍ରମୁଖ କାର୍ଯ୍ରକର୍ତାମାନେ ଏହି ବିପନ୍ନ ପରିବାରଗୁଡିକ ନିକଟରେ ପହଞ୍ଚି ସେମାନଙ୍କୁ ରାସନ ସାମଗ୍ରୀ ସହିତ କମ୍ବଳ ଯୋଗାଇ ଦେଇଥିବା ଜଣାପଡିଛି । ଗତ ୨୬ ତାରିଖରୁ ଏହି ଲୋକମାନଙ୍କର ଚୁଲି ଜଳି ନଥିବା ବେଳେ ସେମାନେ ଭୋକ ଉପାସରେ ଥିବା ସେମାନେ କହିଛନ୍ତି । ବଡବିଲ ବିଜେପି ସଭାପତି ବ୍ରଜକିଶୋର ସାହୁ , ଯୁବମୋର୍ଚ୍ଚା ଉପସଭାପତି ପରମଜିତ ସିଂହ ବିଲେଇପଦା ମଣ୍ଡଳ ସଭାପତି ଅଲେଖ ବାରିକ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାୟକ , ସମ୍ପାଦିକା ସବିତା ପାତ୍ର . ଦୀନେଶ ପୂର୍ତି , ପ୍ରଦୀପ ପଟ୍ଟନାୟକ,ଏସଟି ମୋର୍ଚ୍ଚା ସଭାପତି ମିଲନ ବେହେରା ଓ ସୁଭାଷ ଲୋହାର ପ୍ରମୁଖ ବିପନ୍ନଙ୍କୁ ଏହି ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଇଥିବା ଜଣାପଡିଛି ।

ଠିକା କମ୍ପାନିର ତ୍ରୁଟିପୂର୍ଣ୍ଣ କାମ ଓ ଖାମଖିଆଲି ପାଇଁ ଆଜି ଲୋକମାନେ ଏଭଳି ପରିସ୍ଥିତିର ଶିକାର ହୋଇଥିବା ବେଳେ ଲୋକଙ୍କ ସର୍ବସ୍ୱ ନଷ୍ଟ ହୋଇଯାଇଛି । ଏଭଳି ସମୟରେ କମ୍ପାନି କର୍ତୃପକ୍ଷ ପରିବାର ପିଛା ୬ ହଜାର ଟଙ୍କା ଦେଇ ଚୁପ ରହିବାକୁ କହୁଥିବା ଏହି ଲୋକମାନେ ଆଜି ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନର ଅମାନବିକତା ଓ ଠିକା କମ୍ପାନିର ବେପରୱା ମନୋଭାବ ସତ୍ୱେ ସେମାନଙ୍କ ଠାରୁ ଏହି ଲୋକମାନେ କୌଣସି ସହାୟତା ପାଇନଥିବା ବେଳେ ବିଜେପିର ସହୃଦୟତା ସେମାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ବିଜେପି ତରଫରୁ ଏହି ଦୁଃସମୟରେ ଏଠାକାର ଲୋକମାନଙ୍କୁ ନ୍ୟାୟ ଦେବାରେ ଦଳ ସହାୟକ ହେବ ଓ ସେମାନଙ୍କ ସୁଖଦୁଃଖରେ ସର୍ବଦା ଛିଡା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଅପରପକ୍ଷରେ କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା ନନେଇ ପ୍ରଶାସନ ତୁରନ୍ତ ପ୍ରକୃତ କ୍ଷୟକ୍ଷତିର ଆକଳନ କରି ବିପନ୍ନଙ୍କୁ କ୍ଷତିପୂରଣ ଦେଉ ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଆଶୁ ସହାୟତା ଦେଉ ବୋଲି ବରିଷ୍ଠ ବିଜେପି ନେତା ଡ଼. ମୁରଲୀ ମନୋହର ଶର୍ମା ଦାବି କରିଛନ୍ତି ।

ରାୟଗଡ଼ା ରେ କରୋନା ଯୋଦ୍ଧା ପାଲଟିଛନ୍ତି କଲ୍ୟାଣ ମନ୍ତ୍ରୀ ; ଡଙ୍ଗର ଉପରେ ଯାଇ ମାସ୍କ ଓ ଖାଦ୍ୟ ପୁଡା ବାଣ୍ଟି ସଚେତନ କଲେ ଡଙ୍ଗରିଆ ଜନଜାତିଙ୍କୁ ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ମହାମାରୀ କରୋନାର କରାଳ ରୂପ ଆଜି ଦେଶ ରାଜ୍ୟ ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଶଙ୍କଟ ପରିସ୍ଥିତି କୁ ନେଇ ଜନତା ଗତି କରି ଚାଲୁଛନ୍ତି। ଆମ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କରୋନାକୁ ମୁକାବିଲା କରି ଚାଲିଥିବାଵେଳେ ପ୍ରଭୁ ଜଗନ୍ନାଥ କେବେ ଏ ଦାରୁଣ କରୋନା କଵଳରୁ ରାଜ୍ୟ ବାସୀଙ୍କୁ କେବେ ମୁକ୍ତ କରାଇଵେ ସେହି କାମନା କରି ନିଜର ଚେଷ୍ଠା ବଳବତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାର ଜଣେ ସଚ୍ଚୋଟ, ସରଳ, ଦରଦୀ ମଣିଷ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜର ନିର୍ବାଚନ ମଣ୍ଡଳୀରୁ ଲୋକମାନେ କରୋନା ଆକ୍ରାନ୍ତ ଠାରୁ କିପରି ଦୂରେଇ ରହି ସରକାରଙ୍କର କୋଭିଡି ନିୟମକୁ କଡାକଡି ପାଳନ କରି କରୋନାକୁ ପରାସ୍ତ କରିବା ଆଶା ନେଇ ଗତକାଲି କଲ୍ୟାଣସିଙ୍ଗପୁରର ନିୟମଗିରି ପାହାଡ ର ପାର୍ସାଲି ଗ୍ରାମ ଯାଇ କରୋନା ପରିସ୍ଥିତି ଅନୁଧ୍ୟାନ କରି ମାସ୍କ ଓ ଖାଦ୍ୟ ପୁଡା ଦେଇ ସଚେତନତା କରାଇଥିଲେ।

ସେହିପରି ଆଜି ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଡଙ୍ଗର ଉପରେ ଥିବା ଶକଟା, ମେରକାମଣ୍ଡଳୀ, ସେରକାପାଡୁ ଆଦି ଗ୍ରାମକୁ ଯାଇ ମନ୍ତ୍ରୀ ଶ୍ରୀ ସାରକା ସେଠାରେ ଡଙ୍ଗରିଆ ଜନଜାତିଙ୍କୁ ମାସ୍କ, ଓ ଖାଦ୍ୟ ପୁଡା ବାଣ୍ଟିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଅମଙ୍ଗ ହେଉଥିବା କିଛି ଲୋକଙ୍କୁ ଟିକା ନେବାକୁ ଵୁଝାଇବା ସହ ନିୟମିତ ମାସ ଵ୍ୟବହାର କରିଵା ସାବୁନରେ ହାତ ଧୋଇଵା, ଦୂରତା ରକ୍ଷା କରିବା ଆଦି ଵିଭିନ୍ନ ଉପାୟରେ ମନ୍ତ୍ରୀ ସେମାନଙ୍କୁ ବୁଝାଇ ସଚେତନତା ସୃଷ୍ଟି କରିପାରିଥିଲେ। ମନ୍ତୀଙ୍କ ସହିତ ଜିଲ୍ଲା ବିଜେଡ଼ି ସମ୍ପାଦକ ତଥା ସମାଜସେବୀ ଶ୍ରୀ ପୂର୍ଣଚନ୍ଦ୍ର ଗୌଡ, ବ୍ଲକ ସଭାପତି ଶ୍ରୀ ରତନ ଲାଲ ଜୈନ, ବରିଷ୍ଠ ବିଜେଡି ନେତା ଶ୍ରୀ ଧୀରୁ ପାଣିଗ୍ରାହୀ, ଏବଂ ପୂର୍ବତନ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନୁଣ୍ଡୃକା, ଵିଜେଡିର ନାରୀ ନେତ୍ରୀ ଶକୁନ୍ତଳା ନୁଣ୍ଡୃକା,ଵୃନ୍ଦାବନ ପାଢୀ ପ୍ରମୁଖ ମନ୍ତୀଙ୍କ ସହିତ ଯାଇଥିବାଵେଳେ, ଵିଡିଓ, ସ୍ଥାନୀୟ ସରପଞ୍ଚ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ, ଓ ଅନ୍ୟାନ୍ୟ ଵିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ମନ୍ତୀଙ୍କର ଏହି ଗସ୍ତ ଓ ସଚେତନତା ଡଙ୍ଗରୀଆ ଜନଜାତି ମାନଙ୍କୁ ଟିକାଦେଵାକୁ ସହଜ ହୋଇପାରିବ ବୋଲି ଵିଭାଗିୟ ଆଶାପ୍ରକାଶ କରିଛନ୍ତି।

ନିରବ ଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ ; ମାଫିଆ ଙ୍କ କବଜାରେ ଭଞ୍ଜନଗର ତହସିଲ …!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭଞ୍ଜନଗର) – କୋରନା ର ଦ୍ଵିତୀୟ ଲହର ସାରା ଭାରତ ରେ ଚାଲିଥିବା ବେଳେ ଏହାର ପ୍ରଭାବ ଓଡ଼ିଆ ରେ ମଧ୍ୟ ପଡ଼ିଛି। ଯାହା ଫଳରେ ସଂକ୍ରମଣ କୁ ଆଖି ଆଗରେ ରଖି ଓଡିଶା ସରକାର ଗତ ୫ ତାରିଖ ରୁ ଲକଡାଉନ ଘୋଷଣା କରିଛନ୍ତି। ଏବଂ କୋଭିଡି ଗାଇଡ ଲାଇନ ଅନୁସାରେ ପ୍ରତ୍ୟେକ ଅଫିସରେ ୧୦% କର୍ମଚାରୀ ଙ୍କୁ ନେଇ ଚାଲିଛି। ଏହାର ସୁଯୋଗ ନେଇ କିଛି ଅସାଧୁ ଟ୍ରାକ୍ଟର ମାଲିକ ଏହାର ଫାଇଦା ଉଠାଉଛନ୍ତି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ଏବଂ ଜଗନ୍ନାଥପ୍ରସାଦ ତହସିଲ ଅଧୀନରେ ଥିବା ନଦୀ ଘାଟ ଓ ପାହାଡ ର ଟେଣ୍ଡର ସରିଯାଇଛି କିଛି ଜାଗାରେ ପ୍ରକ୍ରିୟା ଚାଲି ଥିବା ରୁ ବନ୍ଦ ଅଛି। ଫଳରେ ଭଞ୍ଜନଗର ତହସିଲ ର କୁଲାଡ଼, କମଳାବାରି , ଏବଂ ଭେରେଡା ଘାଟରୁ ଅନବରତ ବାଲି ଚୋରା ଚାଲାଣ ହେଉଛି ।ଅସାଧୁ ଟ୍ରାକ୍ଟର ମାଲିକ ମାନେ ସଙ୍ଘ ହୋଇ ବିଭିନ୍ନ ରାସ୍ତାରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଗି ରାତି ୧୧ଟା ରୁ ସକଳ ୫ଟା ପର୍ଯ୍ୟନ୍ତ ଏଭଳି ଚୋରା ଚାଲାଣ ହେଉଥିବାର ଶୁଣିବାକୁ ମିଳୁଛି । ସେହିପରି ବେଲଗୁଣ୍ଠା ତହସିଲ ର ନୂଆଗାଁ ବାଲି ଘାଟ ଓ ଜଗନ୍ନାଥପ୍ରସାଦ ତହସିଲର ବଣିଆପଲ୍ଲୀ ପାହାଡ଼ ରୁ ଅନବରତ ଚୋରାଚାଲାଣ ଚାଲିଛି। ପ୍ରକାଶ ଥାଉକି ବଣିଆପଲ୍ଲୀ ପାହାଡ଼ ର ଟେଣ୍ଡର ସରିଥିଲା ବେଳେ କାଗଜପତ୍ର ହୋଇନଥିବା ସ୍ୱତେ ପଥର ଉତ୍ତୋଳନ ଚାଲିଛି । ଫଳରେ ରାଜ୍ୟର ରାଜସ୍ବ ହାନି ହେଉଛି। ଏବଂ ଚଢା ଦରରେ ବିକ୍ରି ହେବା ଫଳରେ ଘର ତିଆରି କରୁଥିବା ଲୋକ ହଇରାଣ ହରକତ ହେଉଛନ୍ତି। ଏପଟେ ଅସାଧୁ ଟ୍ରାକ୍ଟର ମାଲିକ ମାଲାମାଲ ହେଉଛି।ଏଥିପ୍ରତି ସମ୍ପୃକ୍ତ ଅଞ୍ଚଳ ର ତହସିଲଦାର, ଭଂଜନଗର ଉପଜିଲ୍ଲାପାଳ ଏବଂ ଗଞ୍ଜାମ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ଟିକା ନେବା ପରେ ଖା’ନ୍ତୁ ଏହି ସବୁ ଖାଦ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଚାରିଆଡେ ସୁନାମି ଭଳି ମାଡି ଚାଲିଛି ମହାମାରୀ । କୋରନାର ଦ୍ୱିତୀୟ ଲହର ଠାରୁ ବଂଚିବା ପାଇଁ ଦେଶରେ ଟିକା କରଣ ଜାରି ରହିଛି । ତେବେ ଟିକା ନେବା ପରେ ଅନେକ ବ୍ୟକ୍ତିଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, ଦେହ ହାତ ଯନ୍ତ୍ରଣା ତଥା ଥକାପଣ ଭଳି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ସବୁ ପାଶ୍ୱର୍ପ୍ରତିକ୍ରିୟାକୁ ନିଜ ଖାଦ୍ୟ ଏବଂ ଦିନଚର୍ଯ୍ୟା ଉପରେ ଧ୍ୟାନ ଦେଇ କମ୍ କରାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ଟିକା ନେବା ପରେ କେଉଁ ସବୁ ଖାଦ୍ୟ ଖାଇଲେ ଇମ୍ୟୁନିଟି ମଜଭୁତ ହେବା ସହ ଟିକାର ସାଇଡିଫିକେ କମ୍ ହେବ ଆସନ୍ତୁ ଜାଣିବା । 

ପିଆଜି ଓ ରସୁୁଣ: ଉଭୟ ପିଆଜ ଏବଂ ରସୁଣ ଭଲ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରେ । ଟିକା ନେବା ପରେ ଖାଦ୍ୟରେ ପିଆଜ ଓ ରସୁଣ ବ୍ୟବହାର କରନ୍ତୁ । କଞ୍ଚା ରସୁଣରେ ମାଙ୍ଗାନିଜ୍, ଭିଟାମିନ୍ ବି୬, ଫାଇବର, ସେଲେନିୟମ୍, ଭିଟାମିନ୍ ସି ଏବଂ କିଛି ପରିମାଣର କ୍ୟାଲସିୟମ୍, କପର, ପୋଟାସିୟମ୍, ଆଇରନ୍ ଏବଂ ଫସଫରସ୍ ଥାଏ । ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏଥି ସହିତ ପିଆଜରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ ।

ଫଳ: ଟିକା ନେବା ପରେ ପ୍ରଚୁର ମାତ୍ରାରେ ଫଳ ଖା’ନ୍ତୁ । ଯେଉଁ ଫଳରେ ପାଣିର ପରିମାଣ ଅଧିକ ରହିଛି ସେହି ଫଳ ଖାଇବା ଉଚିତ । ଏହା ଟିକାର ପାଶ୍ୱର୍ପ୍ରତିକ୍ରିୟା କମ୍ କରିବାରେ ସହାୟକ ହୁଏ । ତରଭୁଜ, ଖରଭୁଜ, ଡାଳିମ୍ବ, ଆମ୍ବ, କଦଳୀ, ସାପେଟା, ଜାମୁନ ଆଦି ଖାଇବା ଉଚିତ । ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାଯ୍ୟ କରେ । ଏଥିସହ ଏହା ଇମ୍ୟୁନିଟି ମଧ୍ୟ ବଢ଼ାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଟିକା ନେବା ପୂର୍ବରୁ ଏବଂ ପରେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ ।

ସବୁଜ ପନିପରିବା: ଯେକୌଣସି ବି ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ଠାରୁ ଦୂରେଇ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ । ସବୁଜ ପନିପରିବା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିକର ତତ୍ତ୍ୱ ଥାଏ । ଯଦି ଆପଣ ଟିକା ନେଇଛନ୍ତି ତେବେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । ଆପଣ ଚାହିଁଲେ ସବୁଜ ପନିପରିବାକୁ ରୋଷେଇ କରି ଅବା ସାଲାଡ ରୂପେ ମଧ୍ୟ ଖାଇପାରିବେ ।

ହଳଦୀ: ହଳଦୀକୁ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ବୋଲି ବିଶ୍ୱାସ କରାଯାଏ । ଏହା ଅବସାଦ ଦୂର କରିବାରେ ସହାୟକ ହୁଏ । ଏଥିସହ ହଜମ ଶକ୍ତି ଏବଂ ଦେହ ହାତ ଯନ୍ତ୍ରଣା ମଧ୍ୟ ଦୂର କରେ ହଳଦୀ । ତେଣୁ ଆପଣ ଦିନରେ ଥରେ କିମ୍ବା ଦୁଇଥର କାଢ଼ାରେ ହଳଦୀ ପକାଇ ପିଇପାରିବେ । ଏଥିସହ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ ।

ପାଣି: ଟିକା ନେବା ପରେ ସବୁଠାରୁ ଜରୁରୀ ହେଲା ଶରୀରକୁ ହାଇଡ୍ରେଟ ରଖିବା । ଏହାଦ୍ୱାରା ଆପଣଙ୍କ ଶରୀର ଆକ୍ଟିଭ ରୁହେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଟିକା ନେବାର ଦିନକ ପୂର୍ବରୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । ତେବେ ଥଣ୍ଡା ନୁହେଁ ଉଷୁମ ପାଣି ପଇବା ଉଚିତ । ପାଣି ବ୍ୟତୀତ ଆପଣ ଚାହିଁଲେ ସୁପ୍‌, ହର୍ବାଲ ଚା’, କାଢ଼ା, ଜୁସ୍ ବା ମିଲ୍ପ ସେକ୍ ଆଦି ପିଇପାରିବେ ।

ଫାଇବର ଯୁକ୍ତ ଖାଦ୍ୟ: ଟିକା ନେବା ପରେ ଫାଇବରରେ ଭରପୁର ଖାଦ୍ୟ ଖାଇବା ଉଚିତ । ଏହା ଟିକାର ସାଇଡ ଇଫେକ୍ଟ କମ କରିବାରେ ସହାୟକ ହୁଏ । ଏଥିସହ ଇମ୍ୟୁନିଟି ମଧ୍ୟ ବଢ଼ାଏ । ତେଣୁ ଆପଣ ବ୍ରାଉନ ରାଇସ, ମକା, ବାଜରା, ମାଣ୍ଡି, ଓଟସ୍‌, ବୁଟ, ସତୁ ଆଦି ନିଜ ଡାଏଟ ସାମିଲ କରନ୍ତୁ ।

ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ ପାଇଁ ଗୃହ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନିୟମ ଅନୁଯାୟୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇଁ ଶୁକ୍ରବାର ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀ ହିଁ ଭାରତରେ ନାଗରିକତା ପାଇଁ ଆବେଦନ କରିପାରିବେ। ଯେଉଁମାନେ କି ଗୁଜରାଟ, ରାଜସ୍ଥାନ, ଛତିଶଗଡ, ହରିଆଣା ଏବଂ ପଞ୍ଜାବର ୧୩ଟି ଜିଲ୍ଲାରେ ରହୁଛନ୍ତି। ଗୃହ ମନ୍ତ୍ରାଳୟ ଅଧିନିୟମ ୧୯୯୫ ଏବଂ ସଂଶୋଧିତ ଅଧିନିୟମ ୨୦୦୯ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଅନ୍ ଲାଇନ ରହିଛି। ୨୦୧୯ରେ କେନ୍ଦ୍ର ସରକାର ଏହି ସିଏଏ ଆଣିଥିଲେ। ଅଣ ବିଜେପି ଶାସିତ ରାଜ୍ୟରେ ଏହି ନିୟମକୁ ବିରୋଧ କରାଯାଇଥିଲା। ଯଦିଓ ଏପର୍ଯ୍ୟନ୍ତ ନିୟମ ସ୍ଥିର ହୋଇନାହିଁ ତଥାପି କେନ୍ଦ୍ର ସରକାର ମେ ୨୮ରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସିଏଏ ଲାଗୁ ହେବ। ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସିଏଏ-୧୯୯୫ର ଧାରା ୧୬ରେ ଦିଆଯାଇଥିବା ଅଧିକାରକୁ ବ୍ୟବହାର କରି କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭାରତୀୟ ନାଗରିକ ଭାବରେ ଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରଣାଳୟ କହିଛି ଯେ ଶରଣାର୍ଥୀଙ୍କ ଆବେଦନକୁ ରାଜ୍ୟ ସଚିବ କିମ୍ବା ଜିଲ୍ଲାପାଳ ଯାଞ୍ଚ କରିପାରିବେ। ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ରହିବ। ଏହା ବ୍ୟତୀତ ଜିଲ୍ଲାପାଳ କିମ୍ବା ରାଜ୍ୟ ଗୃହ ସଚିବ କେନ୍ଦ୍ରର ନିୟମ ଅନୁଯାୟୀ ଏକ ଅନଲାଇନ୍ ଏବଂ ଲିଖିତ ରେଜିଷ୍ଟର ତିଆରି କରିବେ। ଯେଉଁଥିରେ ଶରଣାର୍ଥୀଙ୍କୁ ଭାରତର ନାଗରିକ ଭାବରେ ପଞ୍ଜୀକରଣ ବିଷୟରେ ସୂଚନା ରହିବ। ଏହାର ଏକ ନକଲ ସାତ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ପଡ଼ିବ। ୨୦୧୯ରେ କେନ୍ଦ୍ରର ମୋଦି ସରକାର ଏହି ସିଏଏ ଆଣିଥିଲେ। ସେତେବେଳେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା। ଏହି ବିରୋଧ ରାଜଧାନୀ ଦିଲ୍ଲୀରେ ଅଧିକ ଦେଖିବାକୁ ମିଳିଥିଲା। ୨୦୨୦ରେ ଏହାକୁ ନେଇ ଦିଲ୍ଲୀରେ ଦଙ୍ଗା ମଧ୍ୟ ହୋଇଥିଲା। ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ବର୍ଗର ଲୋକେ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇ ଦୀର୍ଘ ଦିନ ହେବ ଭାରତରେ ରହୁଛନ୍ତି। ସେମାନଙ୍କୁ ସିଏଏ ଜରିଆରେ କେନ୍ଦ୍ର ନାଗରିକତ୍ୱ ଦେବ ବୋଲି କହିଛି।

ଆଇଟି ନିୟମ ଓ ‘ଟୁଲକିଟ’କୁ ନେଇ ତେଜୁଛି ଟ୍ୱିଟର ଓ କେନ୍ଦ୍ର ସରକାର କଳି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ନୂଆ ନିୟମ କାହିଁକି ପାଳନ କରୁନାହାନ୍ତି ବୋଲି ତାଗିଦ କରିବା ପରେ ଏବେ ଫେସବୁକ, ହ୍ୱାଟସଆପ ସମେତ ଅନ୍ୟ ସୋଶାଲ ମିଡିଆ କମ୍ପାନୀ ନିୟମ ମାନିବେ ବୋଲି କହିଛନ୍ତି। କିନ୍ତୁ ଟ୍ୱିଟର କୌଣସି ମତ ରଖିନି। ବରଂ ଟୁଲକିଟ ମାମଲାରେ ଇଣ୍ଡିଆରେ ଥିବା ଟ୍ୱିଟର ଅଫିସକୁ ଦିଲ୍ଲୀ ପୁଲିସ ସମନ କରିବା ପରେ ଟ୍ୱିଟରର ଭାରତ ମୁଖ୍ୟ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରୁ ଜଣାପଡ଼ୁଛି ଆଗକୁ ଟ୍ୱିଟର ଓ କେନ୍ଦ୍ର ସରକାର ମୁହାଁମୁହିଁ ହେବେ।ଶୁକ୍ରବାର ଟ୍ୱିଟର ଇଣ୍ଡିଆର ମେନେଜିଂ ଡିରେକ୍ଟର ମନୀଷ ମାହେଶ୍ୱରୀ ପ୍ରଥମେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ସ୍ଥିତି କଠିନ ହେଉଛି କିନ୍ତୁ ଏହାର ଅର୍ଥ ନୁହେଁ ଅସମ୍ଭବ। ଗୁରୁବାର ଦିଲ୍ଲୀ ପୁଲିସ ‘ଟୁଲକିଟ୍’ ମାମଲାରେ ମନୀଷଙ୍କୁ ଜେରା କରିଥିଲା। ଏହି ସମୟରେ ସେ କହିଥିଲେ ସେ କେବଳ ସେଲସ ବୁଝନ୍ତି। କେଣ୍ଟେଣ୍ଟ ତାଙ୍କ ଦାୟିତ୍ୱ ନୁହେଁ। ଏଭଳି କହି ଟୁଲକିଟ ମାମଲାରେ ନିଜର ଭୂମିକା ନାହିଁ ବୋଲି ମନୀଷ ଚେଷ୍ଟା କରିଛନ୍ତି। ଏହାପରେ ଶୁକ୍ରବାର ମନୀଷଙ୍କ ଉପରୋକ୍ତ ମତରୁ ଆକଳନ କରାଯାଉଛି ଯେ ଆଗାମୀ ଦିନରେ ଟ୍ୱିଟର ସହ କେନ୍ଦ୍ରର ଏକ ବଡ଼ ବିବାଦ ଉପୁଜିବାକୁ ଯାଉଛି।

ମନୀଷଙ୍କ ଏହି ଟ୍ୱିଟକୁ ନେଇ ବିଭିନ୍ନ ମିଡିଆ ହାଉସରେ ବିତର୍କ ଆରମ୍ଭ ହେବାକୁ ଯାଉଥିବା ଦେଖି ସଙ୍ଗେସଙ୍ଗେ ମନୀଷ ସେହି ଟ୍ୱିଟ ଉପରେ ଆଉ ଏକ ରିପୋଷ୍ଟ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେହି ଟ୍ୱିଟର ଉଦ୍ଦେଶ୍ୟ ଲେଖିଛନ୍ତି। ସେ କହିଛନ୍ତି ସ୍ଥିତି କଠିନ ହେବାର ଅର୍ଥ ମୁଁ ସପ୍ତାହନ୍ତ କଟାଉଛି। ହେଲେ ଇଣ୍ଟରନେଟ ନାହିଁ। ଘରେ ଥିବା ବ୍ରଡବ୍ରାଣ୍ଡ ଏବେ ଡାଉନ ରହିଛି। ଆଉ କିଛି ବିକଳ୍ପ ଅଛି କହି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକକୁ ଟାଗ କରିଛନ୍ତି ମନୀଷ। ନିକଟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସର ଏକ ଡକ୍ୟୁମେଣ୍ଟ ଦେଖାଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦେଶର ଭାବମୂର୍ତ୍ତିକୁ ଅପମାନିତ କରିବା ପାଇଁ କଂଗ୍ରେସ ଏହି ‘ଟୁଲକିଟ୍’ ତିଆରି କରିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ମଧ୍ୟ ଏହି ଟୁଲକିଟରେ ଲେଖାହୋଇଥିବା ଅନେକ କଥା ପୂର୍ବରୁ ମୋଦିଙ୍କ ବାବଦରେ ଟ୍ୱିଟ୍ କରିଛନ୍ତି। ତେବେ କଂଗ୍ରେସ ଏହାକୁ ନକଲି ‘ଟୁଲକିଟ୍’ ବୋଲି କହିଛି। ଏହା ପରେ ଟ୍ୱିଟର ସମ୍ବିତ ପାତ୍ରଙ୍କ ଟ୍ୱିଟକୁ ‘ମାନିପୁଲେଟିଡ୍ ମିଡିଆ’ ବୋଲି ବର୍ଗୀକରଣ କରିଛି। ଯାହାକି ପୂର୍ବରୁ ଟ୍ୱିଟର କେବେ କରିଥିବାର ନଜିର ନାହିଁ। ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଟ୍ୱିଟର କିଭଳି ତଦନ୍ତକାରୀ ସଂସ୍ଥା ଭଳିଆ ବ୍ୟବହାର କରୁଛି? ସୋଶାଲ ମିଡିଆ କମ୍ପାନୀ କେବେଠୁ ତଦନ୍ତକାରୀ ସଂସ୍ଥା ହୋଇଗଲାନି ବୋଲି କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ଏହା ପଚାରିଥିଲା। ପରେ ଦିଲ୍ଲୀ ପୁଲିସ ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆ ଅଫିସ ଯାଇ ଜାଣିବାକୁ ଚେଷ୍ଟା କରିଥିଲା କେଉଁ ଆଧାରରେ ଟ୍ୱିଟର ‘ମାନିପୁଲେଟିଡ୍ ମିଡିଆ’ ବୋଲି ବର୍ଗୀକରଣ କରିଛି। ଯାହାର ଜବାବ ଦେବା ପାଇଁ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ସମନ କରିଥିଲା। ଏହାପରେ ଟ୍ୱିଟରର ମୁଖ୍ୟ ଜାକ୍ ଡୋରସି କହିଥିଲେ ସେ ଭାରତରେ ଥିବା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତିତ। ଅନ୍ୟପଟେ ଏହି ସମୟରେ ନୂଆ ଆଇଟି ନିୟମ କାହିଁକି କେହି ପାଳନ କରିନାହାନ୍ତି ବୋଲି କେନ୍ଦ୍ର ସରକାର ତାଗିଦ କରିଛନ୍ତି। ଯଦିଓ ପ୍ରଥମେ କେହି ରାଜି ହୋଇନଥିଲେ ଏବେ କିନ୍ତୁ ଗୁଗୁଲ ମାନିବ ବୋଲି କହିବା ପରେ ଫେସବୁକ, ହ୍ୱାଟସଆପ୍ ମାନିବାକୁ ରାଜି ହୋଇଛନ୍ତି। ନୂଆ ନିୟମ ଅନୁଯାୟୀ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଛି। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ଯାହାକୁ ନେଇ ବିବାଦ ଉପୁଜିଛି।

 

‘ଅହଂକାରୀ’ କହି ମମତାଙ୍କ ଉପରେ ବର୍ଷିଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍ ବାତ୍ୟାର ସମୀକ୍ଷା କରିବାକୁ ଯାଇଥିଲେ। ବାତ୍ୟାର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ମମତା କେବଳ ମୋଦିଙ୍କ ପାଖକୁ ଆସି କ୍ଷୟକ୍ଷତିର ରିପୋର୍ଟ ଦେଇ ଅନ୍ୟ ଏକ ଜାଗାରେ ବୈଠକ ଅଛି କହି ପଳାଇଥିଲେ ମମତା। ଏବେ ଏହାକୁ ନେଇ ବଙ୍ଗରୁ ଦିଲ୍ଲୀ ତେଜିଛି ରାଜନୀତି। ଶାସକ ବିଜେପି ଏହାକୁ ନେଇ ମମତାଙ୍କ ବିରୋଧରେ ବର୍ଷିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ମମତାଙ୍କ ବ୍ୟବହାର ଦୁର୍ଭାଗ୍ୟଜନକ। ପିଏମଙ୍କ ପ୍ରତି ଏହା ଅପମାନ୍ ବୋଲି ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ଓ ନୀତୀନ ଗଡ଼କରୀ ଏହି ପ୍ରସଙ୍ଗରେ ମମତାଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ପ୍ରଧାନମନ୍ତ୍ରୀ ବାତ୍ୟାରେ ପ୍ରଭାବିତ ଲୋକଙ୍କ ସ୍ଥିତି ଜାଣିବାକୁ ଯାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଭାବରେ ତାହା ନକହି ପଳାଇବା ଦୁର୍ଭାଗ୍ୟଜନକ। ଏହା ସଂଘୀୟ ସରକାର ପ୍ରତି ଘୋର ଅପମାନ। ମମତାଙ୍କ ଏପରି ବ୍ୟବହାର ଅହଂକାରର ପ୍ରତିଫଳନ। ରାଜ୍ୟପାଳ ଜଗଦୀପ ଧନଖର ସିଧାସଳଖ କହିଛନ୍ତି ମମତା ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଜାଣିଶୁଣି ବୟକଟ କରିଛନ୍ତି। ସମୀକ୍ଷା ବୈଠକ ପୂର୍ବରୁ ମମତା ବାନାର୍ଜୀ କହିଥିଲେ, “ମୁଁ ସେହି ବୈଠକରେ ମାତ୍ର ୧୫ ମିନିଟ୍ ରହିବି। କ୍ଷୟକ୍ଷତିର ବିବରଣୀ ସହିତ ମୁଁ ଏକ ରିପୋର୍ଟ ଦେବି’। ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ ହିଙ୍ଗାଲଗଞ୍ଜ ଏବଂ ସାଗରରେ ଏକ ସମୀକ୍ଷା ବୈଠକ କରିବା ପରେ ମୁଁ କାଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ବାତ୍ୟା ବାବଦରେ ଅବଗତ କରାଇଥିଲି। ଏହାପରେ ମୁଁ ଦିଘାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିଲି। ବାତ୍ୟା ସମୀକ୍ଷା ବୈଠକରେ ଯଦିଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ୱା ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଯୋଗ ଦେଇନଥିଲେ। କିନ୍ତୁ ଏହି ବୈଠକରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଦିକାରୀ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁ ମମତା ବାନାର୍ଜୀଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ଆକଶ ମାର୍ଗରେ ଏକ ସର୍ଭେ କରିଥିଲେ। ଦକ୍ଷିଣ ଏବଂ ଉତ୍ତର ୨୪ ପାରଗାନା, ଦିଘା, ପୂର୍ବ ମେଦିନୀପୁର ଏବଂ ନନ୍ଦିଗ୍ରାମକୁ ଆକାଶମାର୍ଗରେ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଭେଟଘାଟ ଥିଲା। ନିର୍ବାଚନ ପୂର୍ବରୁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଜାନୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମମତା ବାନାର୍ଜୀଙ୍କ ଶେଷ ବୈଠକ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ଭାଷଣ ମଧ୍ୟରେ “ଜୟ ଶ୍ରୀ ରାମ”ର ସ୍ଲୋଗାନ ଆରମ୍ଭ ହୋଇଥିଲା। ତା’ପରେ ମମତା ରାଗିଯାଇ ମଞ୍ଚ ଛାଡି ପଳାଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଡକାଇଲା କେନ୍ଦ୍ର ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଯୋଗ ନଦେବା ଏବଂ ତାଙ୍କୁ ୩୦ ମିନିଟ୍ ଅପେକ୍ଷା କରିବା ମହଙ୍ଗା ପଡ଼ିଛି ପଶ୍ଚିମବଙ୍ଗର ଆଇଏଏସ ଅଲପନ ବନ୍ଦୋପାଧ୍ୟାୟଙ୍କୁ। ଶୁକ୍ରବାର କେନ୍ଦ୍ର ସରକାର ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଅଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି। ଆଇଏଏସ ନିୟମ ୧୯୫୪ର ନିୟମ ୬ (୧) ଅନୁଯାୟୀ ଏହି ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ର କହିଛି। ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ। ଏହାପରେ କେନ୍ଦ୍ର ସରକାର ସଂପୃକ୍ତ ଆଇଏଏସଙ୍କୁ ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ତିନି ଦିନ ତଳେ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ହେଲେ ମମତା ବାନାର୍ଜୀ ଅଲପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବଢ଼ାଇଛନ୍ତି। ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତମ ବ୍ୟକ୍ତି। ଯଦିଓ ଅଲପନ ବନ୍ଦୋପାଧ୍ୟାୟ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି, ତଥାପି ମୁଖ୍ୟମନ୍ତ୍ରୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ମମତା ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ବାନ୍ଦୋପାଧ୍ୟାୟଙ୍କୁ ମୁକ୍ତ କରାଇବେନି ବୋଲି ସୂଚନା ରହିଛି।ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଘଟଣା। କେନ୍ଦ୍ରୀୟ ଡେପୁଟେସନ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବକୁ ବାଧ୍ୟ କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇବା ଠିକ୍ ହୋଇନି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ପିଏମ୍ ଓ ସିଏମ ଦୁଇ ଜଣ ସାମ୍ଵିଧାନିକ ସଂସ୍ଥା। ବାତ୍ୟା ବେଳେ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ରାଜନାଥ ସିଂହ କହିଛନ୍ତି ଏହା ଦୁର୍ଭାଗ୍ୟଜନକ। ମମତାଙ୍କ ବ୍ୟବହାର ଗ୍ରହଣୀୟ ନୁହେଁ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ମମତାଙ୍କ ବ୍ୟବହାର କେବେ ବି ଗ୍ରହଣୀୟ ନୁହେଁ। ମୋଦି ଦେଶର ପ୍ରଧାନମନ୍ତ୍ରୀ। ମମତା ଯେଉଁ ବ୍ୟବହାର ତାଙ୍କୁ ଦେଖାଇଛନ୍ତି ତାହା ବେଙ୍ଗଲବାସୀଙ୍କ ପାଇଁ ଅପମାନ।

କରୋନାର ତୃତୀୟ ଲହର ରୋକିବାକୁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହରରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ତୃତୀୟ ପର୍ଯ୍ୟାୟ ଲହରକୁ ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। କୋଭିଡ୍ ଟିକାକରଣ ପରାମର୍ଶଦାତା କମିଟିର ଆଜି ପ୍ରଥମ ବୈଠକରେ ଅଧ୍ୟକ୍ଷତାରେ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ କରୋନା ମହାମାରୀର ପରବର୍ତ୍ତୀ ସଂକ୍ରମଣକୁ କିଭଳି ରୋକିହେବ ଓ ଏନେଇ ସ୍ୱାସ୍ଥ୍ୟସେବାକୁ କିଭଳି ସୁଦୃଢ଼ କରିହେବ, ସେ ସମ୍ପର୍କରେ ପରାମର୍ଶ ଲୋଡ଼ିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶରେ କରୋନା ମହାମାରୀକୁ ହରାଇବା ପାଇଁ ରାଜ୍ୟକୁ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ୍ ଟିକାକରଣ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଲଳିତ କାନ୍ତ, ଡାକ୍ତର ମୃଦୁଳା ଫାଡକେ, ଡାକ୍ତର ଦତ୍ତ୍ୱେଶ୍ୱର ହୋତା, ଡାକ୍ତର ଇ.ଭେଙ୍କଟ ରାଓ, ଡାକ୍ତର ସଂଘମିତ୍ରା ପତି, ଡାକ୍ତର ଏମଆର ପଟ୍ଟନାୟକ, ଡାକ୍ତର ଅଜୟ ପରିଡ଼ା ଓ ଡାକ୍ତର ସିବିକେ ମହାନ୍ତି ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଭର୍ଚୁଆଲ ବୈଠକରେ ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କରୋନା ମହାମାରୀର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ଠିକ୍ ସମୟରେ କରୋନା ସଂକ୍ରମିତ ରୋଗୀଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବହୁମାତ୍ରାରେ ସଫଳ ହୋଇଛି। ନିଜର ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ସହ ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ୍ ଯୋଗାଣ କରିବାରେ ଓଡ଼ିଶା ସକ୍ଷମ ହୋଇପାରିଛି। ରାଜ୍ୟର କେତେକ ଜିଲ୍ଲାକୁ ଛାଡ଼ିଦେଲେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏବେ ରାଜ୍ୟ ସରକାର କୋଭିଡ୍ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ଏବେ ନିଜର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। କରୋନାର ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ବ୍ୟକ୍ତ କରିବା ସହ ଯଦି ତାହା ଆମର ଶିଶୁମାନଙ୍କୁ ସଂକ୍ରମଣ କରେ ଏବଂ ଏହା ଯଦି ସତ ହୋଇଥାଏ ତା’ହେଲେ ଆମକୁ ଏବେଠୁ ଉତ୍ତମ ପ୍ରସ୍ତୁତି କରିବାକୁ ପଡ଼ିବ । ଯଦିଓ ହସ୍ପିଟାଲରେ ଶିଶୁଙ୍କ ଯତ୍ନ ନେବା ଏବେବି ଏକ ବଡ଼ ଚ୍ୟାଲେଞ୍ଜ। କମିଟିର ପରାମର୍ଶକୁ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତି ଓ କମିଟିର ସୁପାରିସକୁ ମଧ୍ୟ ସରକାର କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ସହାୟତା କରାଯିବ ବୋଲି ସେ ଆଶ୍ୱସ୍ତ କରିଥିଲେ। ସେହିପରି ବୈଠକରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀନାଥ ରେଡ୍ଡୀ କହିଥିଲେ ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶରେ ବିଭିନ୍ନ କ୍ଷେତ୍ରରେ ଆଗୁଆ ଯୋଜନା କରାଯାଇପାରିବ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିହେବ ବୋଲି ସେ କହିଛନ୍ତି। ଅନ୍ୟ ଡାକ୍ତରମାନେ ମଧ୍ୟ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ହ୍ରାସ ଓ ଭବିଷ୍ୟତ ଲହରକୁ ମୁକାବିଲା କରିବା ଦିଗରେ ନିଜର ମତାମତ ବ୍ୟକ୍ତ କରିଥିଲେ।

‘କରୋନା’ ଓ ‘ୟାସ୍‌’ ପାଇଁ ଓଡ଼ିଶାକୁ ୨୬୭୩ କୋଟି ଦେଲେଣି ମୋଦି ସରକାର: ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍‌’ ଏବଂ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନରେନ୍ଦ୍ର ମୋଦି ସରକାର ଓଡ଼ିଶାକୁ ମୋଟ ୨୬୭୩.୪୦ କୋଟି ଟଙ୍କା ସମେତ ଗ୍ରାମୀଣ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କାଘର ପାଇଁ ମଧ୍ୟ ଅର୍ଥ ବ୍ୟୟବରାଦ କରିଛନ୍ତି ବୋଲି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଯେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି। ବିଗତ ଦିନରେ ବିର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୯୮ କୋଟି ଟଙ୍କାର ଅନୁଦାନ ରାଶି ଓଡ଼ିଶାର ଏସଡ଼ିଆରଏଫ୍ ପାଣ୍ଠିରେ ମହଜୁଦ ରହିଛି । ଗତ ମଇ ୧ରେ କେନ୍ଦ୍ର ସରକାର ଏସଡ଼ିଆରଏଫ୍ ପାଣ୍ଠିକୁ ଅଗ୍ରୀମ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହି ରାଶି ଏସଡ଼ିଆରଏଫ୍ ପାଣ୍ଠିରେ ମିଶିବା ପରେ ରାଜ୍ୟ ସରକାରଙ୍କ ପାଖରେ ମୋଟ ୧୮୩୯.୬୦ କୋଟି ଟଙ୍କା ଉପଲବ୍ଧ ଅଛି। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଆକାଶ ମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ଓଡ଼ିଶାକୁ ତତ୍କାଳ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିରି ବାତ୍ୟା ‘ୟାସ୍‌’ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି। ମେ’ ୯ ତାରିଖରେ କୋଭିଡ଼ -୧୯ର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୩୩୩.୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଭଳି କରୋନା ଏବଂ ପ୍ରାକୃତିକ ବିର୍ଯ୍ୟୟ ଭଳି ଘଡ଼ିସନ୍ଧି ମୁହର୍ତ୍ତରେ ମୋଦି ସରକାର ଓଡ଼ିଶାକୁ ମୋଟ ୨,୬୭୩.୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ସବୁଠୁ ବଡ଼ ଭିତ୍ତିଭୂମି। ଏହି ଆଧାରରେ ମେ’ ୨୩ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାକୁ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ଯୋଗାଇ ଦେବା ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆଧାରରେ ଉତ୍ତମ ଭିତ୍ତିଭୂମି ହିଁ ସ୍ଥାୟୀ ସମାଧାନ ହୋଇପାରିବ। ଓଡିଶାର ଏହି ଦୀର୍ଘଦିନର ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦି ସରକାର ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ନିଶ୍ଚିତ ଭାବରେ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।