କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ପ୍ରଭାବିତଙ୍କ ଦୁଃଖ ବୁଝିଲେ ବୈଜୟନ୍ତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରାପ଼ଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଆଜି ସକାଳେ କେନ୍ଦ୍ରାପଡ଼ାରେ ପହଞ୍ଚି ପ୍ରଥମେ ରାଜନଗର ବ୍ଲକ ଗସ୍ତ କରିଥିଲେ। ୟାସରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବ୍ଲକର ଗୁପ୍ତି, ସାତଭାୟା, ପଞ୍ଚୁବରାହି ଆଦି ଅଂଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ବୈଜୟନ୍ତ। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଅପରାହ୍ନରେ  ରାଜକନିକା ବରାଡ଼ିଆ ପଂଚାୟତର ଉପୁଳାଇ ଗାଁକୁ ଯାଇ ପାଣି ଘେରରେ ଥିବା ବାତ୍ୟା ପ୍ରଭାବିତଙ୍କୁ ଭେଟି ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ବେଳେ ବୈଜୟନ୍ତଙ୍କ ସହ ସ୍ଥାନୀୟ ବିଜେପି ନେତ୍ରୀ କଳ୍ପନା ମଲ୍ଲିକ, କୃଷ୍ଣଚନ୍ଦ୍ର ପଣ୍ଡା, ସଲିମ ଖାଁ ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ପ୍ରମୁଖ ସାମିଲ ଥିଲେ।

ବାତ୍ୟା ପାଇଁ କାହିଁକି ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ସରକାର? ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନଥିଲା। ଆଉ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ। ଏଭଳି ସମୟରେ କେନ୍ଦ୍ର ଉପରେ ଆମେ ଆର୍ଥିକ ବୋଝ ଲଦିବାକୁ ଚାହୁଁନାହୁଁ। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ଆମେ ଆମ ସମ୍ବଳରେ ପରିଚାଳନା କରିବୁ। ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ଯୋଗୁ ଏହାର ଦୀର୍ଘସୂତ୍ରୀ ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି।

ବିପର୍ଯ୍ୟୟକୁ ସମ୍ଭାଳିପାରୁଥିବା ଭଳି ବିଦ୍ୟୁତ୍ ବ୍ୟବସ୍ଥା ସହିତ ଉପକୂଳକୁ ସୁରକ୍ଷା ଯୋଗାଇ ପାରୁଥିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି। ଏହା ସହିତ ବାତ୍ୟା ‘ୟାସ୍‌’ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏବଂ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିଥିଲେ। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାର ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ସେ ଆକାଶ ମାର୍ଗରୁ ବୁଲି ଦେଖିବେ।
ଏହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

ଉଛୁଳୁଛି ସୁବର୍ଣ୍ଣରେଖା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ଏହା ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଂକେତ ୪୯.୧୬ ମିଟର ଥିବା ବେଳେ ଏବେ ଏଠାରେ ୫୦.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି। ବାତ୍ୟା ‘ୟାସ୍‌’ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହା ପରେ ଝାଡ଼ଖଣ୍ଡରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି। ସେଥିପାଇଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ଲୋକଙ୍କୁ ସତର୍କ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀକୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।

୨୮ ମେ’, ଶୁକ୍ରବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିବାରର ଆବଶ୍ୟକତା ପୂରଣ କରିବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: କୌଣସି ଜରୁରୀ କାର୍ଯ୍ୟକୁ ସଂପନ୍ନ କରିବାରେ ସଫଳ ହେବେ। ଯାହାର ବେଶି ଉପକାର କରିଥିବେ ତା’ ଦ୍ୱାରା ଅଧିକ ଆଘାତ ପାଇବେ।

ମିଥୁନ: ଅସୁସ୍ଥ ଅନୁଭବ କରିବେ। ଭାଇମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଦୁଃସାହାସିକ ପଦକ୍ଷେପ ନେଇ ସଫଳ ହେବେ।

କର୍କଟ: ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୁଖସମୃଦ୍ଧି ବୃଦ୍ଧିହେବ।

ସିଂହ: ସରକାରୀ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଧର୍ମକାର୍ଯ୍ୟ ପ୍ରତି ମନ ବଳାଇ ମାନସିକ ଶାନ୍ତି ଲାଭ କରିବେ। ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

କନ୍ୟା: ନୂତନ ଦିଗଦର୍ଶନ ପାଇ ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଧନ ଉପାର୍ଜନ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି।

ତୁଳା: ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସମସ୍ତଙ୍କ ସହଯୋଗ ପ୍ରାପ୍ତି ହେବ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବିଛା: କାର୍ଯ୍ୟବ୍ୟସ୍ତ ରହିବେ। ଅଧିକ ଧାଁଦଉଡ଼ କରିବାକୁ ପଡ଼ିବ। ଅଫିସ୍‌ରେ ନିଜ କର୍ତ୍ତବ୍ୟ କରି ପ୍ରଶଂସିତ ହେବେ।

ଧନୁ: ଉଚ୍ଚ ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ।

ମକର: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସରକାରୀ କର୍ମଚାରୀ କଠିନ ପରିଶ୍ରମ କରି ସମ୍ମାନିତ ହେବେ।

କୁମ୍ଭ: ଶୁଭ ସମ୍ବାଦ ପାଇବେ। ଜମିବାଡ଼ି ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯିବ। ଘର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡ଼ିବେ।