ଉନ୍ନତି ମୂଳକ କାର୍ଯ୍ୟରେ ବଡ଼ବାବୁ ଙ୍କ ଗୋଡ଼ାଣିଆ କିନ୍ତୁ କରୋନା ସମୟରେ ସରପଞ୍ଚ ହେବେ ଜିଲ୍ଲାପାଳ; ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଏକ ଧୂଆଁ ବାଣ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କରୋନା ମହାମାରୀ ରୁ ରକ୍ଷା ପାଇବା ନିମନ୍ତେ ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କ ରେ ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ବିଭିନ୍ନ ପ୍ରତିକ୍ରିୟା ମାନ ସାମ୍ନାକୁ ଆସୁଛି । ଏଭଳି ଗୁଣପୁର ପଞ୍ଚାୟତ ସମିତି ର ଜଗନ୍ନାଥପୁର ପଞ୍ଚାୟତରେ ଦୁଇ ଦୁଇ ଥର ନିର୍ବାଚନ ରେ ଜିତିଥିବା ସରପଞ୍ଚ ଗୌରୀ ଗମାଙ୍ଗ ଏକ ସଙ୍ଗୀନ ଅଭିଯୋଗ ଆଣି ଉନ୍ନତି ମୂଳକ କାର୍ଯ୍ୟରେ ବଡ଼ବାବୁ ଙ୍କ ଗୋଡ଼ାଣିଆ କିନ୍ତୁ କରୋନା ସମୟରେ ସରପଞ୍ଚ ହେବେ ଜିଲ୍ଲାପାଳ ; ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଏକ ଧୂଆଁ ବାଣ କି…? ବୋଲି ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରି ଜଗନ୍ନାଥପୁର ପଞ୍ଚାୟତ ସରକାରଙ୍କ ପିଠା ଭଳି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପରେ ମଧ୍ୟ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ଓ ସରକାରୀ ପତ୍ରାଳାପ , ନିର୍ଦ୍ଦେଶାନାମା ଲାଗୁକରିବା ଇତ୍ୟାଦି ରେ ସବୁବେଳେ ସରପଞ୍ଚ ଙ୍କୁ ହତାଦର କରାଯାଇଛି । ସମିତି ଓ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ପଞ୍ଚାୟତ ଓ ସମିତି ମଧ୍ୟରେ ସମନ୍ବୟ ରଖାଯାଇ ପାରୁନାହିଁ କିମ୍ବା ସରପଞ୍ଚ ଙ୍କ କୌଣସି କଥାକୁ ଗୁରୁତ୍ୱ ଦିଆଯାଉନାହିଁ । ସରକାରୀ ହାକିମ ବାବୁ ମାନେ ପିଇଓ ,ଜେଇ,ଜିଆରଏସ୍ ଙ୍କୁ ଗୁରୁତ୍ୱ ଦେଇ ସରପଞ୍ଚ ଙ୍କୁ ନାମ ମାତ୍ର କୁ ମୋହର ମାରିବାକୁ ରଖାଯାଇଥିବା ଭଳି କାର୍ଯ୍ୟ କରନ୍ତି ।

କୌଣସି ଏକ୍ସନ ପ୍ଲାନ ପି.ଏମ୍.ଜି.ଏସ୍.ୟାଇ ,ବିଜୁ ପକ୍କାଘର ଯୋଜନା ,ଏମ୍.ଜି.ଏନ.ଆର. ଇ .ଜି .ଏ , ବି.ଆର.ଜି.ଏଫ,ବିଜୁ ସଡକ ଯୋଜନା ଭଳି ଅନେକ କାମରେ ସରପଞ୍ଚ ଙ୍କ କୌଣସି କଥାକୁ ଗୁରୁତ୍ୱ ନଦେଇ ଜେଇ,ପିଇଓ,ବିଡ଼ିଓ ନିଜେ ନିଷ୍ପତି ନିଅନ୍ତି । ସରପଞ୍ଚ ଲୋକ ପ୍ରତିନିଧି ହେଲେ କଣ ହେବ…? ସରକାର ତାଙ୍କ ବ୍ୟବସ୍ଥା ମଧ୍ୟରେ ଚାଲିବ ବୋଲି ମଧ୍ୟ ସରକାରୀ ବାବୁ ମାନେ ବାହସ୍ପଟ ମାରନ୍ତି । ଏଭଳିକି ବର୍ତ୍ତମାନ କାର୍ଯ୍ୟରତ ବିଡ଼ିଓ ମହୋଦୟା ଶ୍ରୀମତି ଶାନ୍ତିପ୍ରଭା ଦେବୀ ପଞ୍ଚାୟତରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କୁ ଦରମା ଯେତେ ବେଳେ ବ୍ଲକ ଦେଉଛି ବ୍ଲକ ଅଧିକାରୀଙ୍କ କଥା ଶୁଣିବାକୁ ବାଧ୍ୟ ବୋଲି ତାଗିଦ୍ ମଧ୍ୟ କରନ୍ତି । ସମସ୍ତ ସରକାରୀ ଯୋଜନାରେ ସରକାରୀ ବାବୁ ମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ ତୁଲାଉଥିବା ଏବଂ ନିଜକୁ ସୁହାଇବା ଭଳି କାର୍ଯ୍ୟ ପଦ୍ଧତି ତିଆରି କରୁଥିବା ବେଳେ ପଞ୍ଚାୟତ ରେ ସରପଞ୍ଚ ଙ୍କ କ୍ଷମତା ଏକ ବିରାଟ ଶୂନ୍ ହୋଇପଡିଛି । ବର୍ତ୍ତମାନର ଏହି ମହାମାରୀର ପରିସ୍ଥିତି ରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା କୁ ବୁଝିପାରି ମୁଖ୍ୟମନ୍ତ୍ରୀ ମହୋଦୟ ସରପଞ୍ଚ ଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ସ୍ୱାଗତ ଯୋଗ୍ୟ ହୋଇଥିଲେ ମଧ୍ୟ ଯେଉଁଠି ପଞ୍ଚାୟତ ମଧ୍ୟରେ ସରପଞ୍ଚ ଙ୍କ କୌଣସି ସରକାରୀ କ୍ଷମତା ନାହିଁ ତେବେ ଏହି ମହାମାରୀ ବେଳେ ଏହି ଜିଲ୍ଲାପାଳ କ୍ଷମତା କେବଳ ହାସ୍ୟସ୍ପଦ ବୋଲି ମତ ଦେଇଛନ୍ତି ଜଗନ୍ନାଥପୁର ସରପଞ୍ଚ ଗୌରୀ ଗମାଙ୍ଗ ।

 

ସେ ଆହୁରି କହିଛନ୍ତି ଯେ ମହାମାରୀ କୁ ନେଇ ଗ୍ରାମଞ୍ଚଳ ମାନଙ୍କ ରେ ଅନେକ ଭୁଲ ଧାରଣା ,ସାମାଜିକ ବାସନ୍ଦ ଭଳି ପରିସ୍ଥିତି ରହିଥିବା ବେଳେ କଣ୍ଟେନମେଣ୍ଟ ଜୋନ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଓ ରୋଗୀଙ୍କୁ ଆଇସୋଲେସନ୍ ଭଳି ଵ୍ୟଵସ୍ଥା ନିଜେ ବିଡିଓ ମହୋଦୟା ଏହି ପରିପ୍ରେକ୍ଷୀରେ ମଧ୍ଯ ସରପଞ୍ଚ ଙ୍କ ସହ ବିନା ଯୋଗାଯୋଗ କରି କ୍ଷମତା ବ୍ଯବହାର କରୁଛନ୍ତି। ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରେ ପଞ୍ଚାୟତର ସରପଞ୍ଚ ଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଳି ବ୍ୟବହାର କରାଯାଉଥିବା ବେଳେ ମହାମାରୀ ପରିସ୍ଥିତି ରେ ଜିଲ୍ଲାପାଳ କ୍ଷମତା କାହାପାଇଁ ବୋଲି ସରପଞ୍ଚ କହିବା ସହ ମୋ ଭଳି ଅନେକ ନିଜର ବେଦନା କୁ ସରକାରୀ ଭୟ ଯୋଗୁଁ ଆଗକୁ ଆଣିପାରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି ।

“ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏସବିଆଇ ପକ୍ଷରୁ ୫ଟି ୱାଟର ଡିସପେନ୍ସର ପ୍ରଦାନ ଉପକୃତ ହେବେ ଚିକିତ୍ସାଧୀନ କୋଭିଡ୍ ରୋଗୀ”…!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) ମହାମାରୀ କରୋନା ମୁକାବିଲାରେ ରାୟଗଡ ଜିଲ୍ଳା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଆବଶ୍ୟକ ପଡୁଥିବା ଭଳି କିଛି ଉପକରଣ ପ୍ରଦାନ କରି ସହଯୋଗର ହାତ ବଢେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଫାଉଣ୍ଡେସନ । ରାୟଗଡ ସହରରେ ଥିବା ଏସବିଆଇ ମୁଖ୍ୟ ଶାଖା ଏବଂ ଏସବିଆଇ ଫାଉଣ୍ଡେସନ ପକ୍ଷରୁ ୮ଲିଟର କ୍ଷମତା ବିଶିଷ୍ଠ ୫ଟି ୱାଟର ଡିସପେନ୍ସର,୪୦ଗୋଟି ଡକ୍ଟର କ୍ୟାପ୍ ଏବଂ ୨ଗୋଟି ଆଲୁମିନିୟମ ସଡି ମୋଟ ୧ଲକ୍ଷ ୬୭ହଜାର ଟଙ୍କାର ଉପକରଣଗୁଡିକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆଜି ପ୍ରଶାସନକୁ ପ୍ରଦାନ କରାଯାଇଛି । ଫଳରେ ଚିକିତ୍ସାଧୀନ ରୋଗୀମାନେ ବହୁତ ଉପକୃତ ହୋଇପାରିବେ ।

ଏସବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଉପକରଣ ରୋଗୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବାରୁ ଜିଲ୍ଳାପାଳ ଶ୍ରୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ଏସବିଆଇ କର୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଳାରେ ଥିବା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ ରୋଗୀମାନଙ୍କୁ ଗରମ ପାନୀୟ ଜଳର ଆବଶ୍ୟକତା ରହୁଥିବାରୁ ଏହାକୁ ହୃଦୟଙ୍ଗମ କରି ଏସବିଆଇ ପକ୍ଷରୁ ଦାନ କରିଛନ୍ତି । ଏହି ଉପକରଣ ପ୍ରଦାନ ବେଳେ ରାୟଗଡ ଏସବିଆଇ’ର ତତ୍କାଳନୀ ଆଂଚଳିକ ପ୍ରବନ୍ଧକ ମାନସ ରଂଜନ ପ୍ରଧାନ,ଏଜିଏମ ସିଦ୍ଧାର୍ଥ ମାଇତି,ନୂତନ ଆଂଚଳିକ ପ୍ରବନ୍ଧକ ଶଶାଙ୍କ ଶେଖର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

“ରାୟଗଡ଼ା ରେଳ ଷ୍ଟେସନରେ ଅଭାବନୀୟ ଘଟଣା”…!

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା) – ଅକ୍ସିଜେନ୍ ନେଇ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନର ଏକ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା। ଆରପିଏଫ୍ କର୍ତ୍ତୃପକ୍ଷ ଘଟଣା ସଂପର୍କରେ ଅବଗତ ହେବା ପରେ ଦମକଳ ବାହିନୀ, ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ। ରେଳ ବିଭାଗର କ୍ୟାରିଙ୍ଗ୍ ଆଣ୍ଡ ଫରୱାର୍ଡିଙ୍ଗ୍ ଟେକ୍ନିସିଆନଙ୍କ ସମେତ ରାୟଗଡ଼ା ଅକ୍ସିଜେନ୍ ଡିପୋ ଟେକ୍ନିସିଆନ୍ ଷ୍ଟେସନରେ ପହଞ୍ଚି ଲିକ୍ ଟ୍ୟାଙ୍କରର ମରାମତି କରିବା ପରେ ମାଲବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ରାଉରକେଲାରୁ ବେଙ୍ଗାଲୁରୁ ଅଭିମୁଖେ ୬ଟି ଅକ୍ସିଜେନ୍ ଟ୍ୟାଙ୍କର ନେଇ ଯାଉଥିବା ମାଲବାହୀ ଟ୍ରେନ୍ ସକାଳ ୬ଟାରେ ରାୟଗଡ଼ା ଷ୍ଟେସନରେ ପହଞ୍ଚିଥିଲା। ଲାଇନ୍ କ୍ଲିଅର୍ ନଥିବାରୁ ମାଲବାହୀ ଟ୍ରେନଟି ଷ୍ଟେସନ୍ ମାଷ୍ଟରଙ୍କ ସିଗନାଲକୁ ଅପେକ୍ଷା କରି ରହିଥିଲା। ସକାଳ ୭ଟାରେ ଷ୍ଟେସନରେ ପେଟ୍ରୋଲିଂ କରୁଥିବା ଆରପିଏଫ୍ ଷ୍ଟାଫ୍ ଏକ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଏ ସଂପର୍କରେ ଷ୍ଟେସନ ମ୍ୟାନେଜରଙ୍କ ସମେତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥି ସହିତ ଟ୍ରେନଟି ଆସିଥିବା ରାଉରକେଲାର ସଂପୃକ୍ତ କଂପାନିକୁ ମଧ୍ୟ ଅବଗତ କରାଯାଇଥିଲା। ସାଢ଼େ ୭ଟାରେ ଅଗ୍ନିଶମ ବାହିନୀ, ରେଳ ବିଭାଗ
ଟେକ୍ନିସିଆନ୍ ଓ ସ୍ଥାନୀୟ ଗ୍ୟାସ୍ ଡିପୋ ଟେକ୍ନିସିଆନଙ୍କ ଜରିଆରେ ଲିକର ମରାମତି କରାଯାଇଥିଲା । ପ୍ରାୟ ୯୯ ପ୍ରତିଶତ ଲିକର ମରାମତି ପରେ ଟ୍ରେନ୍ ରାୟଗଡ଼ା ଷ୍ଟେସନ ଛାଡ଼ିଥିଲା। ଟ୍ୟାଙ୍କରରେ ଅକ୍ସିଜେନ୍ ଥିବା ବେଳେ ଲିକ୍ ଅକ୍ସିଜେନ୍ ଯୋଗୁ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି।

ତାଳସର ଏ ଏନ୍ ଏମ୍ ଙ୍କ ଅଜବ ନୀତି;ଟଙ୍କା ଦିଅ ମମତା କାର୍ଡ ନିଅ

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାହାଡ଼ା ସେକ୍ଟର ତାଳସର କେନ୍ଦ୍ର ର କାର୍ଯ୍ୟରତ ଏ ଏନ୍ ଏମ୍ ରାଜ୍ କୁମାରୀ ପାତ୍ର ଙ୍କ ଅଜବ ନୀତି, ଗର୍ଭବତୀ ମହିଳା ଙ୍କ ମମତା କାର୍ଡ ପ୍ରଦାନ କରିବା ପାଇଁ ୨୦୦ – ୩୦୦ ଟଙ୍କା ହାତ ଗୁଞ୍ଜା ମାଗୁଛନ୍ତି ଏଥି ସହିତ ମଧ୍ଯ ପ୍ରଥମ ଥର ଟୀକାକରଣ ନିମନ୍ତେ ୧୦୦ ଟଙ୍କା ମାଗୁଛନ୍ତି । ଏକଥା ଆମେ କହୁନୁ କହୁଛନ୍ତି ତାଳସର ପଞ୍ଚାୟତ ହଂସତୁଳି ଗ୍ରାମର କିଛି ସ୍ଥାନୀୟ ବାସିନ୍ଦା । ସରକାର ଗର୍ଭବତୀ ମହିଳା ଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ଏହାର ଅପ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।ଏଥିସହିତ ସରକାର ବିଭିନ୍ନ କାର୍ଯ୍ୟାଳୟ ରେ ଲାଞ୍ଚ କାରବାର ବନ୍ଦ ର ଡିଣ୍ଡିମ ପିଟୁଥିବା ବେଳେ ଖୋଲା ଖୋଲି କିଛି ସରକାରୀ କର୍ମଚାରୀ ଓ ଅଧିକାରୀ ଏହି ନିୟମକୁ ଫୁ କରି ଉଡ଼ାଇ ଖୁଲମ୍ ଖୁଲା ଲାଞ୍ଚ କାରବାର କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଏହି ଏ ଏନ୍ ଏମ୍ କର୍ମୀ ଙ୍କ କାର୍ଯ୍ୟକଳାପ ।

ସ୍ଥାନୀୟ ବାସିନ୍ଦା ଙ୍କ କହିବା ମୁତାବକ ଏହି ଏ ଏନ୍ ଏମ୍ ଜଣ ଙ୍କ ବିନା ଲାଞ୍ଚ ରେ କୌଣସି କାମ କରନ୍ତି ନାହିଁ, ମମତା କାର୍ଡ ନିମନ୍ତେ ୨୦୦-୩୦୦ ଟଙ୍କା ଏବଂ ପ୍ରଥମ ଥର ଟୀକାକରଣ ନିମନ୍ତେ ୧୦୦ ଟଙ୍କା ଲାଞ୍ଚ ମାଗନ୍ତି ଯିଏ ଲାଞ୍ଚ ଦେଲା ତା କାମ ଶୀଘ୍ର କରନ୍ତି ଏବଂ ଯିଏ ଲାଞ୍ଚ ନ ଦେଲା ତା କାମରେ ବିଳମ୍ବ କରିବା ସହିତ ବାରମ୍ବାର ଦୌଡଉଥାନ୍ତି। ଆଗାମୀ ଦିନରେ ଏଥିପ୍ରତି କେଉଁଭଳି ପଦକ୍ଷେପ ଗ୍ରହଣ କରାଯାଉଛି ଓ ଏଥିସହ ଜିଲ୍ଲା ପ୍ରଶାସନ ସମେତ ମେଡିକାଲ ଅଫିସର କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏ ନେଇ ଏ ଏନ୍ ଏମ୍ ଜଣ ଙ୍କ ଆମ କ୍ୟାମେରା ସାମ୍ନାରେ କିଛି କହିବେ ନାହିଁ ବୋଲି ରୋକ୍ ଠୋକ୍ ମନା କଲେ । ଏ ନେଇ ମେଡିକାଲ୍ ଅଫିସର ଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ତାହା ସମ୍ଭବପର ହୋଇନଥିଲା ।

ଆସିକା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେଲେ ଶ୍ରୀ ଉମା ଶଙ୍କର ସିଂ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ ( ଏସ ଡି ପି ଓ ) ଭାବେ ଆଜି ଉମା ଶଙ୍କର ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି । କାର୍ଯ୍ୟରତ ଆସିକା ଏସ ଡି ପି ଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କୁ ଇତିମଧ୍ୟରେ ପୁରୁଷୋତ୍ତମପୁର ପୋଲିସ୍ ଉପଖଣ୍ଡକୁ ବଦଳି ହେଲାପରେ ଆସିକା ଏସ ଡି ପି ଓ ଭାବେ ଶ୍ରୀ ସିଂଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆଜି ଏକ ସୈାହାର୍ଯ୍ୟପୂର୍ଣ୍ଣ ଅବସରରେ ନୂତନ ଉପଖଣ୍ଡ ଅଧିକାରୀ ଭାବରେ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।ନୂତନ ଅଧିକାରୀଙ୍କୁ ସ୍ଵାଗତ ଅଭିବାଦନ ପାଇଁ ଉପଖଣ୍ଡ ଅଧିନରେ ଥିବା ପାଟପୁର , ଶେରଗଡ଼ , ହିଞ୍ଜିଳି , ଧରାକୋଟ , ଆସିକା ଆଦି ସାତଗୋଟି ଥାନା ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରାକ୍ତନ ଅଧିକାରୀ ଶ୍ରୀ ପ୍ରଧାନଙ୍କ କର୍ତ୍ତବ୍ୟ ଜନିତ ଶୃଙ୍ଖଳା , ସୁସଂଗଠିତ ଚିନ୍ତାଧାରାକୁ ନେଇ ନିଜନିଜର ଅନୁଭୂତି ପ୍ରକାଶ କରିଥିଲେ । ଆସିକା ଉପଖଣ୍ଡର ନୂତନ ଉପ ଆରକ୍ଷୀ ଅଧିକ୍ଷକ ଭାବରେ ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ସହିତ କରୋନା ଦ୍ଵିତୀୟ ଲହର ଜନିତ ଦୁର୍ବିସହ ସଂକ୍ରମଣ ସମୟରେ ସାଧାରଣଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ଅବୈଧ ଅସାମାଜିକ କାରବାର ବନ୍ଦ କରିବାକୁ ନିଷ୍ଠାପର ଭାବରେ ଯଥାସାଧ୍ୟ ଉଦ୍ୟମ ଯାରି ରଖିବାକୁ ଶ୍ରୀ ସିଂ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ମମତାଙ୍କୁ ୩୦ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟପାଳ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ବାତ୍ୟା ୟାସର ସମୀକ୍ଷା କରିବାକୁ ଦିଲ୍ଲୀରୁ ଓଡ଼ିଶା ଦେଇ ବେଙ୍ଗଲ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୩୦ ମିନିଟ୍‌ କାଳ ସମୀକ୍ଷା ଗୃହରେ ଅପେକ୍ଷା କରିବାକୁ ପଡ଼ିଛି। ସେ ବେଙ୍ଗଲରେ ବାତ୍ୟା ୟାସର ସମୀକ୍ଷା କରିବାକୁ ଯାଇଥିଲେ। ହେଲେ ତାଙ୍କ ସହ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀର୍ଘ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। ଏହି ୩୦ ମିନିଟ୍‌ କାଳ ମୋଦିଙ୍କ ସହ ରାଜ୍ୟପାଳ ଓ କିଛି ବିଜେପି ନେତା ଦିଦିଙ୍କୁ କନଫରେନ୍ସ ହଲରେ ଅପେକ୍ଷା କରି ବସି ରହିଥିଲେ। ଏହାପରେ ଦିଦି ଗୋଟିଏ ରୁମ୍‌ରେ ମୋଦିଙ୍କୁ ସାକ୍ଷାତ କରି କ୍ଷୟକ୍ଷତିର ରିପୋର୍ଟ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମମତା ୩୦ ମିନିଟ୍ ବିଳମ୍ବରେ ଆସିବା ପରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ସେ ତୁରନ୍ତ ଆଉ ଏକ ବୈଠକକୁ ଚାଲି ଯାଇଥିଲେ। ମୋଦି, ରାଜ୍ୟପାଳ ଜଗଦୀପ ଧାନକର ଓ ବିଜେପି ନେତାମାନେ ସମୀକ୍ଷା କରିବା ପାଇଁ ମମତା ଓ ତାଙ୍କ ସରକାରର ଅଧିକାରୀଙ୍କୁ ଅପେକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ରାଜ୍ୟପାଳ ଜଗଦୀପ ଟ୍ୱିଟ କରି କହିଛନ୍ତି, “ରାଜ୍ୟର ସ୍ୱାର୍ଥ ଓ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗଦେବା କଥା। ଟକରାଟକରି ଭଳି ଆଭିମୁଖ୍ୟ ପୋଷଣ କରିବା ରାଜ୍ୟର ସ୍ୱାର୍ଥ ଓ ଗଣତନ୍ତ୍ର ପାଇଁ ଆଦୌ ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ବୈଠକରେ ଯୋଗ ନଦେବା ଆଇନ କିମ୍ବା ସମ୍ବିଧାନ ଅନୁସାରେ ଠିକ ନୁହେଁ।” ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩୦ ମିନିଟ୍ କାଳ ବସାଇ ରଖିବା ଉପରେ ମମତା କହିଛନ୍ତି, ସେ ଆଦୌ ବୈଠକର ସମୟ ସମ୍ପର୍କରେ ଅବଗତ ନଥିଲେ। ତେବେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ଜାଣି ସେ ତାଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଥିଲେ ଓ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ବୋଲି କହିଛନ୍ତି। ମୋଦିଙ୍କୁ ସେ ଯେଉଁ ରୁମରେ ଏକାକୀ ଭେଟିଥିଲେ ସେଠାରେ ଆଉ କେହି ବି ଉପସ୍ଥିତ ନଥିଲେ। ସେ ମୋଦିଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆକଳନ ହୋଇଥିବା କ୍ଷୟକ୍ଷତି ରିପୋର୍ଟକୁ ହସ୍ତାନ୍ତର କରିଥିଲେ ଓ ୨୦ ହଜାର କୋଟି ଟଙ୍କାର ସହାୟତା ମାଗିଥିଲେ।ଏହାପରେ ସେ ମୁଖ୍ୟ ଶାସନ ସଚିବଙ୍କ ସହ ଦୀଘାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ସେଠାକୁ ଚାଲି ଯାଇଥିଲେ। ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୨.୩୦ରୁ ୩.୩୦ ମଧ୍ୟରେ ସୀମକ୍ଷା ବୈଠକ ପଶ୍ଚିମ ମେଦିନିପୁରର କଲାଇକୁଣ୍ଡା ଠାରେ ହେବାର ଥିଲା। କିନ୍ତୁ ସମୀକ୍ଷା ପାଇଁ ମମତା ଠିକଣା ସମୟରେ ପହଞ୍ଚି ନଥିଲେ।

ଶୁଭେନ୍ଦୁଙ୍କ ନାଁ ଦେଖି ଚିହିଁକି ଉଠିଲେ ଦିଦି, ବିନା ମମତାରେ ହେବ ବଙ୍ଗର ବାତ୍ୟା ସମୀକ୍ଷା …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ବାତ୍ୟା ୟାସରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାକୁ ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ରାଜ୍ୟପାଳ ଜଗଦୀପ ଧନଖେର ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ ପ୍ରଥମ ଥର ପାଇଁ ମୋଦି ଏବଂ ମମତା ମୁହାଁମୁହିଁ ହେବାର ଥିଲା। କିନ୍ତୁ ବୈଠକକୁ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ବିଜେପି ସାଂସଦ ଦବୋଶ୍ରୀ ଚୌଧୁରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡକାଯାଇଥିବା ଜଣାପଡ଼ିଛି। ତେଣୁ ମମତା ଏହି ବୈଠକରେ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହି ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତ୍ତି ଉଠାଇଛନ୍ତି। ବନ୍ଧୁର ବଇରୀ ସାଜିଥିବା ଶୁଭେନ୍ଦୁଙ୍କୁ ନେଇ ସେ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳର ନେତା କାହିଁକି ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏହି ବୈଠକରେ ସେ, ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟପାଳ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଥିଲା। ହେଲେ ବୈଠକ ତାଲିକାରେ ଶୁଭେନ୍ଦୁଙ୍କୁ ଦେଖି ଚିହିଁକି ଉଠିଛନ୍ତି ମମତା। ତେଣୁ ସେ କାଲାଇକୁଣ୍ଡା ଠାରେ ହେବାକୁ ଥିବା ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ତେବେ ମୋଦି ଆକାଶ ମାର୍ଗରେ ଓଡ଼ିଶାରେ ବାତ୍ୟାର ସମୀକ୍ଷା କରୁଥିବା ବେଳେ ମମତା ବାନାର୍ଜୀ ଦକ୍ଷିଣ ୨୪ ପାରଗାନାର ବାତ୍ୟା ଅଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ମମତା। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଯୋଗେ ଅବତରଣ କରିଥିଲେ। ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି। ଏହାପରେ ହେଲିକପ୍ଟର ଯୋଗେ ଭଦ୍ରକ ଓ ବାଲେଶ୍ୱରର ବାତ୍ୟା ସମୀକ୍ଷା କରି ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି।

୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରୁଛ, ୨୦ବର୍ଷ ଶାସନରେ ପକ୍କାଘର ଗଲା କୁଆଡ଼େ: ବିରୋଧୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ଓଡ଼ିଶା ଛାଡ଼ିବାର କିଛି ଘଣ୍ଟା ନପୁରୁଣୁ ସରକାରଙ୍କ ପଦକ୍ଷେପକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ବାତ୍ୟା ପାଇଁ ୭ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ ନେଇ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି କଡ଼ା ଭାଷାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ୨୦ବର୍ଷ ଧରି ଶାସନରେ ରହି ବି ଲୋକଙ୍କୁ କାହିଁକି ପକ୍କାଘର ଯୋଗାଇ ପାରୁନ ଓ ବିଭିନ୍ନ ଯୋଜନାରେ ଆସୁଥିବା ପକ୍କାଘର ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,୧୯୯୯ ମହାବାତ୍ୟା ପରେ ‘ୟାସ’କୁ ମିଶାଇ ୮ଟି ବାତ୍ୟାକୁ ଓଡ଼ିଶା ସାମନା କଲାଣି। କିନ୍ତୁ ପ୍ରତିଥର ବାତ୍ୟା ଆସିଲେ ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ଏହାର ଅର୍ଥ କ’ଣ ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲାର ତଳୁଆ ଅଂଚଳମାନଙ୍କରେ କଚ୍ଚା ଘର ବା ଟିଣ ଛପର ଘର କରି ରହିଥିବା ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବାରେ ସରକାର ସକ୍ଷମ ହୋଇନାହାନ୍ତି । ଦୀର୍ଘ ୨୦ବର୍ଷ ଭିତରେ ଏ ସରକାରଙ୍କର ସଫଳତା କ’ଣ ଏ ବାତ୍ୟାକୁ ମୁକାବିଲା ଓ ପରିଚାଳନା କରିବାରେ ଧରି ନିଆଯିବ କି? ୨୦୨୨ ମସିହା ସୁଦ୍ଧା ଗ୍ରାମାଂଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ୨୦୨୨ ମସିହା ହେବାକୁ ଆଉ ମାତ୍ର ଅଳ୍ପ କିଛି ମାସ ଅଛି ଯଦି ‘ୟାସ’ ବାତ୍ୟା ଯୋଗୁ ୪ଟି ଜିଲ୍ଳାରେ ୭ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ତାହାହେଲେ ଯଦି ଏ ବାତ୍ୟାର ପ୍ରକୋପ ୧୦ରୁ ୧୨ ଟି ଜିଲ୍ଲାକୁ ପଡ଼ିଥାନ୍ତା ତାହାହେଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥାନ୍ତା ? ସରକାରୀ ତଥ୍ୟ ଅନୁସାରେ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲାର ୧ଲକ୍ଷ ୯୦ହଜାର ଲୋକଙ୍କ ସମେତ ମୋଟ ୭ଲକ୍ଷ ୩ ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ତାହାହେଲେ ଏହି ଅଳ୍ପ କିଛି ମାସ ଭିତରେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଂଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦେଇପାରିବେ ତ ? ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ଓଡ଼ିଶାରେ ୨୧ବର୍ଷ ଧରି କ୍ରମାଗତ ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ କାହିଁକି? କେବଳ ଗଣମାଧ୍ୟମରେ ବାହାବା ନେବା ଏବଂ କିଭଳି ଏବଂ କେଉଁ ଉପାୟରେ ପୁରସ୍କାର ମିଳିବ ସେଥିପାଇଁ ଯଦି ସରକାର ସର୍ବଦା ଚେଷ୍ଟିତ ରହିବେ ତା’ହେଲେ ରାଜ୍ୟର ସଂକଟର ସ୍ଥାୟୀ ସମାଧାନ ହେବ କେମିତି? ଦୀର୍ଘ ୨୦ବର୍ଷ ଭିତରେ ରାଜ୍ୟ ସରକାର କେତେ ଲୋକ ବିଜୁ ପକ୍କାଘର ଯୋଜନାରେ ଘର ପାଇଛନ୍ତି, କେତେଲୋକ ଇନ୍ଦିରା ଆବାସ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ କେତେଲୋକଙ୍କୁ ଘର ମିଳିଛି ଏହାର ଏକ ସବିଶେଷ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରନ୍ତୁ। କେବଳ କାଗଜ କଲମରେ ଲୋକଙ୍କୁ ଘର ବଂଟା ଯାଇଛି ନା ଘର ପ୍ରକୃତରେ ତିଆରି ହୋଇନି।  ୨୦୦୦ ରୁ ୨୦୨୧ ମସିହା ଭିତରେ ରାଜ୍ୟର ଏ ବୃହତ୍ତର ସ୍ୱାର୍ଥକୁ ରକ୍ଷା କରିବା ଦିଗରେ ଏବଂ ସ୍ଥାୟୀ ସମାଧାନ ଦିଗରେ ସରକାର କ’ଣ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ୟାସ୍‌ ପାଇଁ ମୋଟ୍‌ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିରୁ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଘୋଷଣା କରାଯାଇଛି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି। ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି। ବାତ୍ୟା ୟାସ୍‌ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିଲା। ଆଜି କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିଥିଲେ। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାର ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ବୋଲି ଏସ୍‌ଆର୍‌ସି କହିଥିଲେ।

ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ବାତ୍ୟା ‘ୟାସ୍‌’ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିବା ବେଳେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଛନ୍ତି। ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମୀକ୍ଷା ବୈଠକରେ ଓଡ଼ିଶା ବାତ୍ୟାର ଦୀର୍ଘସୂତ୍ରୀ ସମାଧାନ ଚାହିଁଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରାଗଲା। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରାଗଲା। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରାଗଲା। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଗଲା। ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାର ସହାୟତା କରନ୍ତୁ ବୋଲି ଦାବି କରାଗଲା। ଏସ୍‌ଆର୍‌ସି କହିଛନ୍ତି, ବାତ୍ୟା ନେଇ ରାଜ୍ୟ ସରକାର ବର୍ତ୍ତମାନ ଆଉ କିଛି ଦାବି କରି ନାହାନ୍ତି। ଏବେ ଯାହା ଦରକାର ଆମେ ତାକୁ ମ୍ୟାନେଜ କରିନେବୁ। ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଜଣାଇଛୁ। ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଦାବି କରିଥିଲେ। ସରକାର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାକୁ ଦାବି କରିଥିଲେ। ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି। ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।