ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କଂଗ୍ରେସ ଗଢ଼ିଲା ‘ୟାସ୍‌’ ଟାସ୍କଫୋର୍ସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା କ୍ଷୟକ୍ଷତି ଆକଳନ ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ଜଣିଆ ‘ୟାସ ଟାସ୍କଫୋର୍ସ’ କମିଟି ଗଠନ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟି ଗଠନକୁ ଅନୁମୋଦନ କରିଛନ୍ତି। ଏହି କମିଟି ଆସନ୍ତାକାଲି ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମେ’ ୨୮ତାରିଖ ସକାଳ ୮ଟାରେ କଂଗ୍ରେସ ଭବନରୁ ବାହାରି ସାଢ଼େ ୧୦ଟାରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ସେଠୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ସମେତ କଂଗ୍ରେସର ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ‘ୟାସ୍‌’ ଟାସ୍କଫୋର୍ସ ସଂଯୋଜକ ଓ ସଦସ୍ୟମାନଙ୍କ ସହ ମିଶି ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତକରିବେ। ଏହାସହିତ କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି ଲୋକଙ୍କ ସୁବିଧା,ଅସୁବିଧା ବିଷୟରେ ପଚାରି ବୁଝିବେ। ତା’ରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ବାଲେଶ୍ୱରଠାରେ ରାତ୍ରିଯାପନ କରିବେ। ମେ’ ୨୯ତାରିଖ ଶନିବାର ଦିନ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ ଓ ସଦସ୍ୟମାନଙ୍କ ସହ ମିଶି ‘ୟାସ’ ପ୍ରଭାବିତ ଅଂଚଳ ଗସ୍ତକରି ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମାଝୀଙ୍କ ସମେତ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଶୁଭେନ୍ଦୁ ମହାନ୍ତି, ଶମ୍ଭୁ ପାଣିଗ୍ରାହୀ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେବେ ବୋଲି ପିସିସ ପକ୍ଷରୁ ସୂଚନା ଦିଆଯାଇଛି।

ବିପିୟୁଟିର ଅଡ୍‌ ସେମିଷ୍ଟାର ପରୀକ୍ଷା ତାରିଖ ଘୋଷଣା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ପାଇଁ ମେ’ ୨୯, ୩୧ ଜୁନ୍‌ ୧ ଓ ୨ ତାରିଖରେ ବିଜୁ ପଟ୍ଟନାୟକ ଟେକ୍ଟିକାଲ୍‌ ୟୁନିଭର୍ସିଟି(ବିପିୟୁଟି) ଅଧୀନରେ ହେବାକୁ ଥିବା ସମସ୍ତ କଲେଜର ପରୀକ୍ଷା ସ୍ଥଗିତ ରହିଛି। ସେହିପରି ଅଡ୍‌ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ପାଇଁ ନୂଆ ତାରିଖ ଘୋଷଣା ହୋଇଛି। ବିପିୟୁଟି ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ରେଗୁଲାର/ବ୍ୟାକ ଅଡ୍‌ ସେମିଷ୍ଟାର ପରୀକ୍ଷା ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୭ ତାରିଖରେ ଶେଷ ହେବ। ବିପିୟୁଟି ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ମେ’ ୨୪ ତାରିଖରେ ହେବାକୁ ଥିବା ପରୀକ୍ଷା ୪ ଜୁନ୍‌ରେ ହେବ। ମେ’ ୨୫ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ ୫ ତାରିଖରେ ହେବ। ମେ’ ୨୬ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୭ ତାରିଖରେ ହେବ। ମେ’ ୨୭ ତାରିଖରେ ହେବାକୁ ଥିବା ଜୁନ୍‌ ୮ ତାରିଖରେ ହେବ। ମେ’ ୨୮ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୯ ତାରିଖରେ ହେବ। ମେ’ ୨୯ ତାରିଖରେ ହେବାର ଥିବା ପରୀକ୍ଷା ଜୁନ୍‌ ୧୧ରେ ହେବ। ମେ’ ୩୧ ତାରିଖରେ ହେବାକୁ ଥିବା ଜୁନ୍‌ ୧୨ ତାରିଖରେ କରିବାକୁ ନିର୍ଦ୍ଧାରିତ କରାଯାଇଛି। ଜୁନ୍‌ ୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୬ ତାରିଖରେ ହେବ। ଜୁନ୍‌ ୨ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୭ ତାରିଖରେ ହେବ। ଏନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ପରୀକ୍ଷା କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଅନ୍‌ଲାଇନ୍‌ରେ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସୂଚନାରୁ ପ୍ରକାଶ, ବାତ୍ୟା ୟାସ୍‌ ପାଇଁ ବିପିୟୁଟି ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ବାତ୍ୟା ଗଲେ ପରେ ମେ’ ୨୯, ୩୧ ଜୁନ୍‌ ୧ ଓ ୨ ତାରିଖରେ ହେବାକୁ ଥିବା ସମସ୍ତ କଲେଜର ପରୀକ୍ଷା ସ୍ଥଗିତ ରହିଛି। ଅଡ୍‌ ସେମିଷ୍ଟାର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି।

ସପ୍ତାହକ ସୁଦ୍ଧା ଘରଭଙ୍ଗା କ୍ଷୟକ୍ଷତି ଆକଳନ କର : ମୁଖ୍ୟମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହିତ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନକେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି । ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି। ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେ କହିଥିଲେ ଯେ ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଥିଲେ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍‌ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି। ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି । ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ । ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ ବନ୍ୟାଞ୍ଚଳ ବୁଲିବେ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ତା’ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ। ଏହା ପରେ ଦୁଇ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରିବେ ପ୍ରଧାନମନ୍ତ୍ରୀ। ବାତ୍ୟା ପ୍ରତି କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିବମଙ୍ଗ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବାତ୍ୟାର ମୁକାବିଲା କେମିତି କରାଯାଉଛି, ତାହା ଉପରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମୀତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହିତ ବାତ୍ୟା ମୁକାବିଲା ନେଇ ଆଲୋଚନା କରିଥିଲେ। ବାତ୍ୟା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ। ତା’ପରେ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

୨୭ ମେ’, ଗୁରୁବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ଦୃଢ଼ ରହିବ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କଠିନ ପରିଶ୍ରମ କରିବେ। ସାମାଜିକ ପତିଆରା ବଜାୟ ରହିବ।

ମିଥୁନ: ପରୋକ୍ଷରେ ଶତ୍ରୁମାନଙ୍କୁ ପ୍ରତିହତ କରିବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ଆଶା କରିଥିବା କାମ ସମ୍ପନ୍ନ ହେବ।

କର୍କଟ: ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ସିଂହ: ପରିବାରଜନଙ୍କ ଉନ୍ନତିରେ ଖୁସି ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କନ୍ୟା: ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ। ମନୋକାମନା ପୂରଣ ହେବ। କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।

ତୁଳା: ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ପ୍ରଶଂସିତ ହେବେ। କୌଣସି ଯୋଜନା କରିବା ପୂର୍ବରୁ ଗଭୀରଚିନ୍ତା କରିବା ନିହାତି ଆବଶ୍ୟକ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବିଚ୍ଛା: ସମସ୍ତ ଜରୁରୀ କାର୍ଯ୍ୟ ଠିକ୍‌ ଭାବେ ସଂପନ୍ନ ହେବ। କାମ କରିବା ପାଇଁ ଭଲ ବାତାବରଣ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ଧନୁ: କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ମକର: ଶରୀର ସୁସ୍ଥ ରହିବ। କାର୍ଯ୍ୟଭାର ବଢ଼ିପାରେ। ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ: ଦିନଟି ଭଲରେ କଟିବ। ଆୟର ନୂଆ ପନ୍ଥା ମିଳିପାରେ। ବିଦେଶରୁ ଶୁଭ ଖବର ପାଇବେ।

ମୀନ: ଜମିବାଡ଼ି ଅବା ଘରକୁ ନେଇ ଭାଇମାନଙ୍କ ସହିତ ବିବାଦ ଲାଗି ରହିଥିଲେ, ଆଜି ତା’ର ସମାଧାନ ହୋଇଯାଇପାରେ। କାହାକୁ ଉପହାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦିଅନ୍ତୁ।