ସିବିଆଇ ମୁଖ୍ୟ ହେଲେ ସୁବୋଧ କୁମାର ଜୈସୱାଲ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ କମିଟିର ନିଷ୍ପତ୍ତି କ୍ରମେ ଆଇପିଏସ୍‌ ସୁବୋଧ କୁମାର ଜୈସୱାଲ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଛି। ସେ ଏହି ପଦରେ ୨ ବର୍ଷ ପାଇଁ କାର୍ଯ୍ୟ କରିବେ।  ବର୍ତ୍ତମାନ ଶ୍ରୀ ଜୈସଲୱାଲ ସିଆଇଏସଏଫ ମୁଖ୍ୟ ଭାବେ କାମ କରୁଛନ୍ତି। ୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ଶ୍ରୀ ଜୈସୱାଲ। ଆଜି ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବଜ୍ଞପ୍ତି ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟିରେ ଥିବା ସିଜେଆଇ ଜଷ୍ଟିସ ଏନଭି ରମନା ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏକାଧିକ ବୈଠକ କରିଥିଲେ। ସିବିଆଇ ମୁଖ୍ୟ ଦୌଡ଼ରେ ସୁବୋଧ କୁମାରଙ୍କ ବ୍ୟତୀତ ସଶସ୍ତ୍ର ସୀମା ବଳର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦି ରହିଥିଲେ। ହେଲେ ୩ ଜଣିଆ କମିଟି ସୁବୋଧଙ୍କ ନାଁ ଉପରେ ମୋହର ମାରିଛି। ସିଆଇଏସଫ ମୁଖ୍ୟ ହେବା ପୂର୍ବରୁ ଆଇପିଏସ ଜୈସଲୱାଲ ମୁମ୍ବାଇ ପୁଲିସ କମିଶନ ଓ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିଥିଲେ। ସେ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ବେଳେ ବହୁ ଚର୍ଚ୍ଚିତ ତେଲଗି ଦୁର୍ନୀତିର ତଦନ୍ତ କରିଥିଲେ। ଏହାପରେ ଏହି ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା। ଏହି ସମୟରେ ସେ ଏସ୍‌ଆରପିଏଫ ମୁଖ୍ୟ ଥିଲେ।ଏହାପରେ ସେ ମହାରାଷ୍ଟ୍ର ଏଟିଏସ୍‌ ଓ ଦୀର୍ଘ ଦଶନ୍ଧି ଧରି ର’ରେ କାମ କରିଥିଲେ। ସେଠାରୁ ସେ ୨୦୧୮ ମସିହା ଜୁନ୍‌ ମାସରେ ମହାରାଷ୍ଟ୍ରକୁ ଫେରିଥିଲେ ଓ ମୁମ୍ବାଇ ସିପି ଭାବେ ନିଯୁକ୍ତି ପାଇଥିଲେ। ଏହି ସମୟରେ ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁମ୍ବାଇ ସିପି ପଦରେ ରହିବା ପରେ ତାଙ୍କୁ ମହାରାଷ୍ଟ୍ର ଡିଜିପି ଭାବେ ନିଯୁକ୍ତି ମିଳିଥିଲା। ଏଲଗାର ପରିଷଦ ଓ ଭୀମା କୋରେଗାଓଁ ହିଂସାର ତଦନ୍ତ ପ୍ରଥମେ ଜୈସୱାଲ କରିଥିଲେ। ତା’ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ସୋମବାର ୯୦ ମିନିଟ ଧରି ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ରମନା ଓ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲ, ସଶସ୍ତ୍ର ସୀମା ବଳର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦିଙ୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ଉପରେ ଆଲୋଚନା ହୋଇଥିଲା। ତେଣୁ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ସିବିଆଇ ମୁଖ୍ୟ ହେବେ ବୋଲି କୁହାଯାଉଥିଲା। ସୂତ୍ର ଅନୁସାରେ, ଆଲୋଚନା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ରାମନା ୬ ମାସିଆ ନିୟମର ଉଲ୍ଲେଖ କରିଥିଲେ। ପୂର୍ବରୁ ସିବିଆଇ ମୁଖ୍ୟ ଚୟନ ବେଳେ ଏହି ନିୟମକୁ ଅଣଦେଖା କରାଯାଉଥିଲା। ଜଷ୍ଟିସ ରାମନା ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଲ୍ଲେଖ କରିଥିଲେ। ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁ ଅଧିକାରୀମାନଙ୍କ କାର୍ଯ୍ୟକାଳ ୬ମାସରୁ କମ ରହିଛି, ସେମାନଙ୍କୁ ପୁଲିସ୍‌ ମୁଖ୍ୟ ପଦ ପାଇଁ ବିଚାର କରାଯାଇ ପାରିବ ନାହିଁ। ସିବିଆଇ ମୁଖ୍ୟଙ୍କ ଚୟନ ବେଳେ ମଧ୍ୟ କମିଟି ଏହି ନିୟମ ପାଳନ କରିବା ଉଚିତ ବୋଲି ସେ କହିଥିଲେ। ପ୍ୟାନେଲରେ ଥିବା ଅଧୀର ରଞ୍ଜନ ଏହି ନିୟମକୁ ସମର୍ଥନ କରିଥିଲେ। ଏହି ନିୟମ ଯୋଗୁ ୩୧ ଅଗଷ୍ଟରେ ଅବସର ନେବାକୁ ଥିବା ବିଏସଏଫର ଡିଜି ରାକେଶ ଆସ୍ଥାନା ଓ ୩୧ ମେ’ରେ ଅବସର ନେବାକୁ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ମୁଖ୍ୟ ୱାଇସି ମୋଦି ସିବିଆଇ ମୁଖ୍ୟ ପଦ ଦୌଡ଼ରୁ ବାଦ ପଡ଼ିଥିଲେ। ଉଭୟ କେନ୍ଦ୍ର ସରକାରଙ୍କ ଗୁଡ଼ବୁକ୍‌ରେ ରହିଥିଲେ।

ବାତ୍ୟା ମୁକାବିଲା ପାଇଁ ବାୟୁସେନାର ୧୧ ପରିବହନ ବିମାନ ଓ ୨୫ ହେଲିକପ୍ଟର ପ୍ରସ୍ତୁତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଅତି ଭୀଷଣ ରୂପ ଧାରଣ କରି ବାତ୍ୟା ୟାସ ଓଡ଼ିଶାର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଆଉ କିଛି ସମୟ ପରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣରେ ଏହା ଉପକୂଳ ଅତିକ୍ରମ କରିବ। ବାତ୍ୟା ପରେ ଲୋକଙ୍କୁ ସହାୟତା ଓ ରିଲିଫ ପଠାଇବା ପାଇଁ ବାୟୁସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଲୋକଙ୍କ ସହାୟତା ପାଇଁ ବାୟୁସେନା ପକ୍ଷରୁ ୧୧ଟି ପରିବହନ ବିମାନ ଓ ୨୫ଟି ହେଲିକପ୍ଟରକୁ ଷ୍ଟାଣ୍ଡବାଏରେ ରଖାଯାଇଛି। ବାୟୁସେନା ପକ୍ଷରୁ ଷ୍ଟାଣ୍ଡବାଏରେ ରହିଥିବା ୧୧ ପରିବହନ ବିମାନ ମଧ୍ୟରେ ୩ଟି ସି-୧୩୦, ୪ଟି ଏଏନ୍‌-୩୨ ଓ ୨ଟି ଡ୍ରୋନିୟର ଏୟାରକ୍ରାଫ୍ଟ ରହିଛି। ସେହିପରି ଅତିରିକ୍ତ ୨୫ଟି ହେଲିକପ୍ଟର ମଧ୍ୟରେ ୧୧ଟି ଏମଆଇ-୧୭ଭି୫, ଦୁଇଟି ଚେତକ, ୩ଟି ଚିତା ଓ ୭ଟି ଏମଆଇ-୧୭ ରହିଛି। ଦରକାର ପଡ଼ିଲେ ଲୋକଙ୍କୁ ଉଦ୍ଧାର ଓ ରିଲିଫ ସାମଗ୍ରୀ ବାୟୁସେନା ପକ୍ଷରୁ ଏହି ବିମାନ ଜରିଆରେ କରାଯିବ। ସବୁ ପ୍ରକାରର ପରିସ୍ଥିତି ପାଇଁ ବାୟୁସେନା ପ୍ରସ୍ତୁତ ଥିବା କହିଛି। କେବଳ ବାୟୁସେନା ନୁହେଁ ନୌସେନା ମଧ୍ୟ ୪ଟି ଯୁଦ୍ଧ ଜାହାଜ ସହ ଏକାଧିକ ହେଲିକପ୍ଟର ବାତ୍ୟା ୟାସରେ ସହାୟତା କରିବାକୁ ଷ୍ଟାଣ୍ଡବାଏରେ ରଖିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ନୌସେନାର ୮ଟି ଫୁଡ ରିଲିଫ ଟିମ ଓ ୪ଟି ଡାଇଭିଂ ଟିମ୍‌ ମୁତୟନ ହୋଇଛନ୍ତି।

ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ – ଏସ୍‌ଆର୍‌ସି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯାହା ଜଣାପଡୁଛି ବୁଧବାର ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୮୫ କିମି ଯାଏ ଯାଇପାରେ। ଏବେ ପାରାଦୀପ ଓ ଅସ୍ତରଙ୍ଗରେ ୬୦/୭୦ କିମି ବେଗରେ ପବନ ବୋହୁଛି। ରାତିରେ ପବନ ବଢ଼ିବ। ସକାଳେ ସର୍ବାଧିକ ପବନ ହେବ। ତେଣୁ ଆମ ପାଇଁ ଏହି ୮ରୁ ୧୦ ଘଣ୍ଟା ବେଶୀ ଗୁରୁତ୍ୱପୂର୍ଣ୍ଣ।” ସ୍ଥାନାନ୍ତର ନେଇ ଶ୍ରୀ ଜେନା କହିଛନ୍ତି-“ଏଯାବତ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ବାଲେଶ୍ୱରରେ ସର୍ବାଧିକ ୧ ଲକ୍ଷ ୪୩ ହଜାର ଲୋକ ସ୍ଥାନାନ୍ତର କରାଯାଇଛି। ସେହିପରି କେନ୍ଦ୍ରାପଡ଼ାରୁ ୧ ଲକ୍ଷ ୫ ହଜାର, ଭଦ୍ରକରୁ ୯୪ ହଜାର, ଜଗତସିଂହପୁରରୁ ୨୧ ହଜାର, ମୟୂରଭଂଜରୁ ୪୩୫୦୦, ପୁରୀରୁ ୧୪ ହଜାର, କଟକରୁ ୧୫୫୦୦ ଓ କେନ୍ଦୁଝରରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ବି ଲୋକଙ୍କୁ ଅଣାଯାଉଛି, ସଂଖ୍ୟା ବଢ଼ିବ। କାଳେ କେହି ଘରେ ରହିଯାଇଥିବେ, ଗାଁ ଗାଁ ବୁଲି ଯାଞ୍ଚ କରୁଛି ଟିମ୍।” କଟକ ଓ ଭୁବନେଶ୍ୱରରେ ବାତ୍ୟା ପ୍ରଭାବ ନେଇ SRC ପ୍ରଦୀପ ଜେନା କହିଛନ୍ତି-“ବାତ୍ୟା ଗ୍ରାଫ୍‌ରେ ଭୁବନେଶ୍ୱର ଓ କଟକ ଭାଓଲେଟ ଜୋନରେ ଆସୁଛି। ଭାଓଲେଟ ଜୋନରେ ପବନ ୬୦ରୁ ୯୦ କିମି ମଧ୍ୟରେ ହୋଇଥାଏ। ଏହି ଦୁଇ ସହରରେ ୬୦ରୁ ୭୦ କିମି ବେଗରେ ପବନ ହୋଇପାରେ। ଏତିକି ପବନ ହେଲେ କିଛି ପୁରୁଣା ବା ଅଧା ଭଙ୍ଗା ଗଛ ଭାଙ୍ଗିପାରେ। କଟକ ଓ ଭୁବନେଶ୍ୱରକୁ ବେଶୀ ପ୍ରଭାବ ପଡ଼ିବ ନାହିଁ।” ସୂଚନାରୁ ପ୍ରକାଶ, ବୁଧବାର ସକାଳେ ବାତ୍ୟା ୟାନ୍‌ ଧାମରା ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ। ବାତ୍ୟା ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅର୍ଥାତ ଆଜି ରାତିରୁ ପ୍ରବଳ ବର୍ଷା ହେବା ସହିତ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ ରହିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିବ।