ବନ୍ଦ ହେବ କି ଫେସବୁକ ଓ ଟ୍ୱିଟର; ଆଜି ଶେଷ ହେଉଛି ଅବଧି….?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଫେବୃଆରୀରେ କିଛି ନିୟମ ପାଳନ କରିବାକୁ ସୋଶାଲ ମିଡିଆ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି କମ୍ପାନୀ ଗୁଡ଼ିକୁ ସରକାର ତିନି ମାସର ସମୟ ଦେଇଥିଲେ। ଯାହାର ଅବଧି ମେ ୨୬ ରେ ଶେଷ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସୋଶାଲ ମିଡିଆ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ସରକାରଙ୍କ ନିୟମ ପାଳନ କରିନାହାଁନ୍ତି। ତେଣୁ ଏହି କାରଣ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରମ ଆଦିର ସେବା ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ତରଫରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ତେଣୁ କୁହାଯାଉଛି କମ୍ପାନୀ ଯଦି ଏହି ନିୟମ ପାଳନ କରିବାରେ ବିଫଳ ହୁଏ, ତେବେ ଦେଶରେ ଏହି ସୋଶାଲ ମିଡିଆ କମ୍ପାନୀରେ ସରକାର ତାଲା ଲଗାଇ ଦେଇପାରନ୍ତି। ଏଥିସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ। ସୂଚନାଯୋଗ୍ୟ, ଫେସବୁକ ଓ ଟ୍ୱିଟରରେ ଅନେକ ସମୟରେ ହିଂସାକୁ ଉସକାଉଛି। କିଛି ୟୁଜର ମାନେ ଫେସବୁକ, ଟ୍ୱିଟର ଜରିଆରେ ଏହି ହିଂସାକୁ ଉସକାଉଛନ୍ତି। ତେଣୁ ଏହା ଉପରେ ରୋକ୍ ଲାଗିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏ ନେଇ ରାଜ୍ୟସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ବାକ୍‌ ସ୍ୱାଧୀନତା ରହିଛି। କିନ୍ତୁ ସମ୍ବିଧାନର ଧାରା ୧୯ ଏରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି। ସୋଶାଲ ମିଡିଆ ପ୍ଲାଟଫର୍ମରେ ପେକ୍‌ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ଆଇନକୁ ଯିଏ ବି ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପେବୃଆରୀ ୧୧ରେ ରାଜ୍ୟସଭାରେ କହିଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଏହାପରେ ଫେବୃଆରୀ ୨୫ରେ ଭାରତ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ସୋଶାଲ ମିଡିଆ କମ୍ପାନୀମାନଙ୍କୁ ଏକ ଗାଇଡ୍ ଲାଇନ୍ ଦେଇଥିଲେ। ଆଉ ସରକାରଙ୍କ ନିୟମ ଅନୁଯାୟୀ ସୋଶାଲ ମିଡ଼ିଆ କମ୍ପାନୀ ଭାରତରେ କାମ କରିବା ଦରକାର ବୋଲି କହିଥିଲେ।

ବଡ଼ ଘୋଷଣା କଲା ଟାଟା ଷ୍ଟିଲ୍, କରୋନା ମୃତକଙ୍କ ପରିବାରକୁ ୬୦ ବର୍ଷ ଯାଏ ମିଳିବ ଦରମା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ମହାମାରୀ କାରଣରୁ ଭାରତରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି କଠିନ ସମୟରେ ଅନେକ ପରିବାର ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। କରୋନାରେ ଜୀବନ ହରାଉଥିବା ଲୋକଙ୍କର ପତି କିମ୍ବା ପତ୍ନୀ ଏଭଳି ସମୟରେ ବେସାହାର ଓ ଏକାକୀ ପଡ଼ି ଯାଉଛନ୍ତି। ଏଭଳି ସ୍ଥିତିରେ ଅନେକ କର୍ପୋରେଟ୍ କମ୍ପାନୀ ନିଜ ନିଜର କର୍ମଚାରୀଙ୍କ ପରିବାର ପାଇଁ କିଛି ନା କିଛି ସହାୟତା କରୁଛନ୍ତି। କିନ୍ତୁ ଭାରତର ସବୁଠାରୁ ବଡ଼ କମ୍ପାନୀ ଟାଟା ଷ୍ଟିଲ୍ ପ୍ରତିଥର ଭଳି ତା’ର କର୍ମଚାରୀଙ୍କ ସହିତ ଏହି ବିପଦ ସମୟରେ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛି। କରୋନାରେ ଟାଟା ଷ୍ଟିଲର ଅନେକ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଆଉ ସେହି କର୍ମଚାରୀଙ୍କ ପରିବାର ପାଇଁ ଟାଟା ଷ୍ଟିଲ୍ ବଡ଼ ଘୋଷଣା କରିଛି। ଟାଟା ଷ୍ଟିଲ୍ ସୋଶାଲ ସିକ୍ୟୁରିଟି ସ୍କିମର ଘୋଷଣା କରିଛି। ଏହି ସ୍କିମ୍ ଆଧାରରେ ଯଦି କରୋନାଭାଇରସ ଯୋଗୁ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ, ତାହେଲେ କମ୍ପାନୀ ମୃତ କର୍ମଚାରୀ କିମ୍ବା ତାଙ୍କ ନୋମିନୀଙ୍କୁ ୬୦ ବର୍ଷ ଯାଏ ଦରମା ଦେବ। ଏହାସହ ମୃତ କର୍ମଚାରୀଙ୍କ ପିଲାଙ୍କର ପାଠପଢ଼ା ଖର୍ଚ୍ଚ, ପରିବାରକୁ ମେଡିକାଲ୍ ଏବଂ ଘରର ସୁବିଧା ମଧ୍ୟ ବହନ କରିବାକୁ ଟାଟା ଷ୍ଟିଲ୍ ଘୋଷଣା କରିଛି। ଟାଟା ଷ୍ଟିଲ୍ ତା’ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲରେ ଏକ ସର୍କୁଲାର ଜାରି କରିଛି, ଯେଉଁଥିରେ ସୋଶାଲ ସିକ୍ୟୁରିଟି ସ୍କିମ୍ ସମ୍ବନ୍ଧରେ ପୂରା ସୂଚନା ଦିଆଯାଇଛି। କମ୍ପାନୀ ଟୁଇଟ୍ କରି ଲେଖିଛି, ଟାଟା ଷ୍ଟିଲ୍ କୋଭିଡ୍-୧୯ରେ ପ୍ରଭାବିତ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଆଧାରରେ ଏଜିଲିଟି ୱିଥ୍ କେୟାରର ବାଟ ଆପଣାଇଛି। ଏହି କଠିନ ସମୟରୁ ବାହାରିବା ପାଇଁ ଆମେ ପୂରା ଶକ୍ତିର ସହ ଲୋକଙ୍କୁ ସହାୟତା କରୁଛୁ। ଟାଟା ଷ୍ଟିଲ୍ ଘୋଷଣା କରିଛି ଯେ, କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ ଯେମିତି ଦରମା ମିଳେ, ସେତିକି ଦରମା ତାଙ୍କର ପରିବାରକୁ ମିଳିବ। ଏହି ଦରମା ମୃତ କର୍ମଚାରୀ କିମ୍ବା ନୋମିନୀଙ୍କୁ ୬୦ ବର୍ଷ ପୂରଣ ହେବା ଯାଏ ପ୍ରଦାନ କରାଯିବ। ଏହାସହ କର୍ମଚାରୀଙ୍କ ପରିବାରକୁ ରହିବା ପାଇଁ କ୍ୱାର୍ଟର ଦିଆଯିବ ଓ ଏହାସହ ମେଡିକାଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ସେହିପରି କର୍ମଚାରୀଙ୍କ ପିଲାଙ୍କର ଗ୍ରାଜୁଏସନ୍ ଶେଷ ହେବା ପର‌୍ୟ୍ୟନ୍ତ ଭାରତରେ ପାଠପଢ଼ାର ପୂରା ଖର୍ଚ୍ଚ କମ୍ପାନୀ ବହନ କରିବ। ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ ଏହିଭଳି କିଛି ଘୋଷଣା କରିଛି। ଏମ ଆଣ୍ଡ ଏମ ଅନୁଯାୟୀ, ଯେଉଁ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି, ସେମାନଙ୍କୁ କମ୍ପାନୀ ପକ୍ଷରୁ ପରିବାର ସହାୟତା କାର୍ଯ୍ୟକ୍ରମ ଆଧାରରେ ନୋମିନୀଙ୍କୁ ୫ ବର୍ଷ ଯାଏ ପେନସନ୍ ଓ ବାର୍ଷିକ ଆୟର ଦୁଇଗୁଣା ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ପ୍ରତି ପିଲା ପିଛା ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ଯୋଗାଇ ଦିଆଯିବ।

ଟୁଲକିଟ୍ ମାମଲା, ଟ୍ୱିଟର ଅଫିସରେ ନୋଟିସ୍ ମାରିଲା ଦିଲ୍ଲୀ ପୁଲିସ…..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସୋମବାର ସଂଧ୍ୟାରେ ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ଏକ ନୋଟିସ୍ ମାରିଛି। ଦିଲ୍ଲୀର ଲୋଡା ସରାୟ ଏବଂ ଗୁରୁଗ୍ରାମ ସ୍ଥିତ ଟ୍ୱିଟର ଅଫିସରେ ଦିଲ୍ଲୀ ପୁଲିସ ରେଡ୍ ମାରିଥିବା କୁହାଯାଉଥିବା ବେଳେ ଦିଲ୍ଲୀ ପୁଲିସ କିନ୍ତୁ ଏହାକୁ ଖାରଜ କରିଛି। କେବଳ ନୋଟିସ ମାରିଛି ବୋଲି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ସ୍ପଷ୍ଟ କରିଛି। ନିକଟରେ ବିଜେପି ନେତା ସମ୍ୱିତ ପାତ୍ରଙ୍କର ଏକ ଟ୍ୱିଟକୁ ଟ୍ୱିଟର ‘ମାନିପୁଲେଟଡ୍ ମିଡିଆ’ ବୋଲି ବର୍ଗୀକରଣ କରିଥିଲା। ଏବେ ଟ୍ୱିଟର କେଉଁ ଆଧାରରେ ‘ମାନିପୁଲେଟଡ୍ ମିଡିଆ’ ବୋଲି ଦର୍ଶାଇଲା ସେ ନେଇ ଜବାବ ତଲବ କରିଛି ଦିଲ୍ଲୀ ପୁଲିସ। ପୁଲିସ କହିଛି ଯେ ଟ୍ୱିଟର ଇଣ୍ଡିଆର ସେହି ଅଧିକାରୀଙ୍କୁ ଖୋଜୁଥିଲେ ଯିଏକି ନୋଟିସ୍ ଗ୍ରହଣ କରିବା ପାଇଁ ଯୋଗ୍ୟ। ତେଣୁ ସେମାନେ ଅଫିସର ବିଭିନ୍ନ ସ୍ଥାନ ବୁଲି ଖୋଜୁଥିଲେ ସେହି ଅଫିସରଙ୍କୁ। ଖବର ଅନୁଯାୟୀ ସୋମବାର ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟ୍ୱିଟର ଇଣ୍ଡିଆକୁ ନୋଟିସ୍ ଜାରି କରି ମାନିପୁଲେଟଡ୍ ମିଡିଆ’ର ଆଧାର ଜାଣିବାକୁ ଚେଷ୍ଟା କରିଥିଲା। ଯାହାର ଜବାବରେ ଟ୍ୱିଟର କହିଛି ଯେ ସେ ଆଧାର ଜଣାଇବାକୁ ବାଧ୍ୟତାମୂଳକ ନୁହେଁ। ଟ୍ୱିଟର ପାଖରୁ ଏଭଳି ଉତ୍ତର ପାଇବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଟ୍ୱିଟର ଇଣ୍ଡିଆର ଅଫିସରେ ପହଞ୍ଚିଥିଲା। ଏହି ଟିମ୍ ପ୍ରାୟ ଘଣ୍ଟାଏ ପାଇଁ ଅଫିସ ବାହାରେ ଥିଲା। ଏହି ସମୟ ମଧ୍ୟରେ ସ୍ପେଶାଲ୍ ସେଲ୍ ମଧ୍ୟ ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ଅଫିସ ବନ୍ଦ ହୋଇଯାଇଥିଲା।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ବିଜେପି ନେତା ସମ୍ୱିତ ପାତ୍ର ଏକ କଂଗ୍ରେସର ଏକ ଟୁଲକିଟକୁ ଟ୍ୱିଟ୍ କରିଥିଲେ। ହେଲେ ଏହା ଜାଲ୍ ବୋଲି କଂଗ୍ରେସ କହିଥିଲା। ପରେ ଟ୍ୱିଟର ସମ୍ୱିତଙ୍କ ସେହି ଟ୍ୱିଟକୁ ‘ମାନିପୁଲେଟଡ୍ ମିଡିଆ’ ବୋଲି ଦର୍ଶାଇଛି। ପୂର୍ବରୁ କିନ୍ତୁ ଟ୍ୱିଟର ଏଭଳି କୌଣସି ଟ୍ୱିଟକୁ ‘ମାନିପୁଲେଟଡ୍ ମିଡିଆ’ ବୋଲି କହିନଥିଲା।

ବାତ୍ୟା ‘ୟାସ୍‌’ ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌‍’ର ମୁକାବିଲା ନେଇ ସୋମବାର ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀ ଯୋଗଦେଇ ବାତ୍ୟା ୟାସ୍‌ର ମୁକାବିଲା ନେଇ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ‌୍‍ ଲେଖିଛନ୍ତି-“ଓଡ଼ିଶାରେ ‘ୟାସ୍‌’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି। ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ୫୨ଟି ଟିମ‌୍‍ ସମେତ ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ୯୯ଟି ଟିମ୍‌ ଏନଡ଼ିଆରଏଫ୍‌ ମୁତୟନ ହୋଇଛନ୍ତି। ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ ଯାଜପୁରରେ ଏହି ଟିମ‌୍‍ ଗୁଡ଼ିକୁ ନିୟୋଜିତ କରାଯାଇଛି।” ସେ ଆହୁରି କହିଛନ୍ତି-“ବାତ୍ୟା ୟାସ୍‌ ମୁକାବିଲା କରିବା ପାଇଁ ତୈଳ, ଗ୍ୟାସ ଓ ଇସ୍ପାତ ଶିଳ୍ପ ପ୍ରସ୍ତୁତ ଅଛି। ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ମେଡ଼ିକାଲ ଅକ୍ସିଜେନ୍‌ର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ପ୍ରସ୍ତୁତ ଅଛନ୍ତି । ମେଡ଼ିକାଲ ଅକ୍ସିଜେନର ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ। ବାତ୍ୟାର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଇସ୍ପାତ ଶିଳ୍ପ ହସ୍ପିଟାଲ ଗୁଡ଼ିକୁ ମେଡ଼ିକାଲ ଅକ୍ସିଜେନ୍‌ ଯୋଗାଇବ।” ଶ୍ରୀ ପ୍ରଧାନ କହିଛନ୍ତି-“ଆସନ୍ତା ୨ -୩ ଦିନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପସ୍ୱରୂପ ପୂର୍ବତଟରେ ଥିବା ସମସ୍ତ ବଡ ଶିଳ୍ପାନୁଷ୍ଠାନ ତଥା ଭାରତ ସରକାରଙ୍କ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟରେ ଥିବା ଶିଳ୍ପସଂସ୍ଥାରୁ ସ୍ୱଳ୍ପ ମାନବସମ୍ୱଳରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସମୁଦ୍ରରେ ଥିବା ସମସ୍ତ ଆସେଟ୍‌ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।” ଆଜିର ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହାଛଡ଼ା ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷା ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ, ପୂର୍ବତଟର ଉଦ୍ୟୋଗସମୂହ, ବ୍ୟବସାୟ ସଂଘର ପ୍ରତିନିଧି ଯଥା ଏଫସିସିଆଇ ଏବଂ ଆସୋଚାମ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

୨୫ ମେ’, ମଙ୍ଗଳବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ  ମନ ଭଲ ରହିବ। ସନ୍ତାନଙ୍କ ଦିଗରୁ ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 

ବୃଷ:  ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ।ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପାରିବାରିକ ସମସ୍ୟା ଆପୋଷ ସମାଧାନର ରାସ୍ତା ଖୋଲିଯିବ।

କର୍କଟ: ପାରିବାରିକ ବ୍ୟବସ୍ଥା  ପରିବର୍ତ୍ତନ ସାଙ୍ଗକୁ  ଅର୍ଥ ସଂକଟରୁ ମୁକ୍ତି ମିଳିବ। କମ ପରିଶ୍ରମରେ ଆଶାଜନକ  ଫଳପ୍ରାପ୍ତି ହେବ। ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ: ବ୍ୟବସାୟରେ ଆଶାଜନକ  ସଫଳତା ହାସଲ କରିବେ। ଅଧିକାରୀଙ୍କ ଠାରୁ  ସହଯୋଗ ମିଳିବ। ଦୁଃଖୀ ଲୋକଙ୍କୁ ସାହାଯ୍ୟ  କରିବା ଫଳରେ ପ୍ରଶଂସିତ ହେବେ।

କନ୍ୟା: ସମାଜ ସେବାରେ ସ୍ୱନାମ ଅର୍ଜନ କରି ପାରିବେ। ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ସମସ୍ତ ବ୍ୟବସାୟରେ ପ୍ରଚୁର  ଲାଭ ପାଇବେ।

ତୁଳା: ଶାରୀରିକ ଓ ମାନସିକ ଅସ୍ଥିରତା  ଦେଖାଦେବ। ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା: ସାମ୍ବାଦିକମାନେ ପ୍ରଶଂସିତ ହେବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ  ସମ୍ମାନ ମିଳିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ।

ଧନୁ: ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ  ଚେଷ୍ଟା ଜାରି ରଖିବେ। ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ।

ମକର:  ସାମାଜିକ  ପତିଆରା ଅମଳିନ ରହିବ। ସ୍ୱାସ୍ଥ୍ୟ ସମସ୍ୟା  ଦୂର ହୋଇ  ଦୈନିକ  କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ସାମ୍ବାଦିକମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ।

କୁମ୍ଭ: ସଂପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ। ପୁରାତନ ରୋଗ ପୀଡାରୁ ଉପଶମ ପାଇବେ।

ମୀନ: ସାମାଜିକ ପତିଆରା ଅମଳିନ ରହିବ। ସାମ୍ବାଦିକମାନଙ୍କର ପଦମର୍ଯ୍ୟଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟ ମାମଲାରେ କର୍ମଚାରୀମାନଙ୍କ ଦ୍ୱାରା ଲାଭବାନ ହେବେ।