ଆନ୍ଦୋଳନରତ ଚାଷୀ ପାଳିବେ ‘କଳା ଦିବସ’, ସମର୍ଥନ କଲେ ବିରୋଧୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମେ ୨୬ରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଧାରଣାକୁ ୬ ମାସ ପୂରଣ ହେବ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଏହି ଚାଷୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବିରୋଧୀ। କଂଗ୍ରେସ, ଜେଡିଏସ, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନ୍ସ, ସମାଜବାଦୀ ପାର୍ଟି, ଆରଜେଡି, ଆମ୍ ଆଦମୀ ପାର୍ଟି, ସିପିଆଇ ଓ ସିପିଆଇଏମ୍ ସମର୍ଥନ କରିଛନ୍ତି। କଳା ଦିବସ ପାଳନ ପୂର୍ବରୁ ଆନ୍ଦୋଳନରତ ଚାଷୀ ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ସରକାର ଅଭିଯୋଗ କରୁଥିଲେ ଯେ ଚାଷୀମାନେ ଆଲୋଚନା କରିବାକୁ ରାଜି ହେଉ ନାହାନ୍ତି। କିନ୍ତୁ ଆମେ ଆଲୋଚନା କରିବା ପାଇଁ ଏବେ ଏକାଠି ଚିଠି ଲେଖୁଛୁ। ଯଦି ଏହାରି ଭିତରେ ଆଲୋଚନା ସଫଳ ନହେବ ତାହେଲେ ମେ ୨୬ରେ କୃଷକଙ୍କ ଆନ୍ଦୋଳନ ୬ ମାସ ପୂରଣ କରିବ। ଏହାପରେ ଚାଷୀ କଳା ଦିବସ ପାଳନ କରିବେ ବୋଲି କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି। ଗାଜିପୁର ସୀମାରେ ଥିବା ରାକେଶ ଟିକାଇତ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ବୁଝାମଣା ପାଇଁ ଗୋଟିଏ ଫୋନ୍ କଲର ଦୂରତା ରହିଛି। ଏବେ କିନ୍ତୁ ତାଙ୍କ ଆଡୁ ଆଲୋଚନା ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି ସେ କହିଛନ୍ତି। ସରକାର କିନ୍ତୁ କୌଣସି ଉତ୍ତର ଦେଇ ନାହାନ୍ତି ନାହିଁ ବୋଲି ସେ ଶନିବାର କହିଥିଲେ।

ଭାରତ ଅନ୍ତର୍ଜାତୀୟ ବଜାରରୁ ଟିକା ଆମଦାନୀ କରିବା ପ୍ରକ୍ରିୟାରେ ବିଳମ୍ୱ କରିଛି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତ ଅନ୍ତର୍ଜାତୀୟ ବଜାରରୁ ଟିକା ଆମଦାନୀ କରିବା ପ୍ରକ୍ରିୟାରେ ବିଳମ୍ୱ କରିଛି। ଏବେ ଦେଶରେ ଚାହିଦା ପୂରଣ କରିବା ପାଇଁ ବିଦେଶରୁ ଯଦି କିଛି କମ୍ପାନୀ ଟିକା ଦେଲେ ତାହେଲେ ମିଳିବ ନହେଲେ ନିଜ ଦେଶରେ ଟିକା ତିଆରି କରି ଚାହିଦା ପୂରଣ କରିବାକୁ ହେବ। ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ରାଜ୍ୟବାସୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଭଳି ମତ ରଖିଛନ୍ତି ଦେଶର ଟପ୍ ଭିରୋଲଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ। ଯାହାକି ଓଡ଼ିଶା, ୟୁପି, ପଞ୍ଜାବ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟର ଗ୍ଲୋବାଲ ଟେଣ୍ଡରର ସଫଳତା ଉପରେ ପ୍ରଶ୍ନ ଉଠାଇଛି।  କାଙ୍ଗ ହେଉଛନ୍ତି ଅକ୍ସିଜେନ ଯୋଗାଣ ପାଇଁ ସୁପ୍ରିମକୋର୍ଟ ତିଆରି କରିଥିବା କମିଟିର ସଦସ୍ୟ। କାଙ୍ଗ କହିଛନ୍ତି ଯେ ବିଶ୍ୱର ଅନେକ ଦେଶ ବର୍ଷେ ହେବ ରିସ୍କ ନେଇ ଟିକା କିଣିବାରେ ନିୟୋଜିତ ଥିଲେ। ଗତ ବର୍ଷ ମାର୍ଚ୍ଚରେ କରୋନାର ଲହର ଆରମ୍ଭ ହୋଇଯାଇଥିଲା। ସେବେଠାରୁ ଆମେରିକା ଟିକା ପାଇଁ ଅପରେସନ୍ ୱାର୍ପ ସ୍ପିଡ୍ ଆରମ୍ଭ କରିଥିଲା। ଅନେକ ଟିକା କମ୍ପାନୀ ଟିକାର କ୍ଲିନିକାଲ ଟ୍ରାଏଲ କରୁଥିବା ବେଳେ ଅନେକ ଦେଶ ଟିକା ନେବେ ବୋଲି ଆଗୁଆ ଅର୍ଡର କରିଦେଇଥିଲେ। ଭାରତ କିନ୍ତୁ ଆଗୁଆ ଟିକା ଆଣିବ ବୋଲି କହିନି। ଏବେ ଅଭାବ ପଡ଼ିବା ପରେ ଅନ୍ତର୍ଜାତୀୟ ବଜାରରୁ ବହୁ ପରିମାଣରେ କୋଭିଡ ଟିକା କିଣିବା ପାଇଁ ଭାରତ ପ୍ରସ୍ତୁତ ହେଉଛି। ଯାହାକି ବହୁତ ବିଳମ୍ବ ହୋଇଛି ବୋଲି କାଙ୍ଗ କହିଛନ୍ତି। ବର୍ତ୍ତମାନ ଆମ ପାଖରେ ଅଧିକରୁ ଅଧିକ ଟିକା ଆବଶ୍ୟକ ଥିବା ବେଳେ ବଜାରରେ ସେତକ ପରିମାଣରେ ଟିକା ନାହିଁ। କରୋନାର ତୃତୀୟ ଲହରରୁ ରକ୍ଷା ପାଇବା ପାଇଁ ଅନେକ ରାଜ୍ୟ ଟିକାକରଣକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଆବଶ୍ୟକ ପରିମାଣରେ ଟିକା ନଥିବାରୁ ଅନେକ ରାଜ୍ୟରେ ଏହି ଟିକା କେନ୍ଦ୍ର ବନ୍ଦ ରହିଛି। ସେ କହିଛନ୍ତି, ଏବେ ଜାଇଡସ୍ କ୍ୟାଡିଲା, ବାୟୋଲୋଜିକାଲ୍ ଇ ଭଳି କମ୍ପାନୀ ଟିକା ନେଇ କ୍ଲିନିକାଲ ପରୀକ୍ଷା କରୁଛନ୍ତି। କୁହାଯାଉଛି ଏହି କମ୍ପାନୀର ଟିକା ବର୍ଷ ଶେଷ ସୁଦ୍ଧା ଆସିଯିବ। ତେଣୁ ଏବେ ଏହି କମ୍ପାନୀ ପାଖକୁ ଯାଇ ସରକାର କହିବା ଦରକାର କ୍ସିନିକାଲ ଟ୍ରାଏଲ ଶୀଘ୍ର କରନ୍ତୁ। ଯାହା ଟିକା ଉତ୍ପାଦନ ହେବ ସବୁ କିଣିଯିବା। ଏମିତି ହେଲେ କମ୍ପାନୀ ମଧ୍ୟ ଟିକା ତିଆରି କରିବାକୁ ଆହୁରି ଅଧିକ ଉତ୍ସାହ ଦେଖାଇବ। ଏହି ଉପାୟରେ ଆମେ ଅଧିକ ଟିକା ପାଇପାରିବା। ସେ କହିଛନ୍ତି ଯଦିଓ ଟ୍ରାଏଲ ଶେଷ ହୋଇନି। କିନ୍ତୁ ଆମକୁ ରିସ୍କ ନେଇ ଏହି କମ୍ପାନୀ ଆଗରେ ଟିକା କିିଣିବା ନେଇ ତାଙ୍କ ପାଖରେ କହିବା ଦରକାର। ଏମିତି ହେଲେ ଯାଇ ଟିକା ଶୀଘ୍ର ଉତ୍ପାଦନ ହୋଇପାରିବ। ଏମିତିକି ଗବେଷଣା ଏବଂ ପୁଞ୍ଜି ନିବେଶ ପାଇଁ ସରକାର ଆଗ୍ରହ ଦେଖାଇଲେ କମ୍ପାନୀ ଟିକା ତିଆରି କରିବାକୁ ଅଧିକ ଆଗ୍ରହ ଦେଖାଇବ ବୋଲି କାଙ୍ଗ କହିଛନ୍ତି। କାଙ୍ଗ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ରୟାଲ ସୋସାଇଟିର ଫେଲୋ ହୋଇଥିଲେ।

ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିବା ମନ୍ତବ୍ୟରୁ ଓହରିଲେ ଯୋଗଗୁରୁ ରାମଦେବ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଯୋଗଗୁରୁ ବାବା ରାମଦେବ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି। ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ଆଜି କହିଥିଲେ। ପରେ ରାମଦେବ ଟ୍ୱିଟ୍ କରି ନିଜର ମନ୍ତବ୍ୟରୁ ସେ ଓହରିଛନ୍ତି ବୋଲି କହିଛନ୍ତି। ଟ୍ୱିଟ୍ କରି ରାମଦେବ କହିଛନ୍ତି, ମୋର ମତକୁ ନେଇ ଯେଉଁ ବିବାଦ ଉପୁଜିଛି ଏଥିରେ ଫୁଲଷ୍ଟାପ ପକାଇବାକୁ ଯାଇ ମୁଁ ମୋର ମନ୍ତବ୍ୟରୁ ଓହରୁଛି। ଯେଉଁ ମନ୍ତବ୍ୟ ଏଲୋପାଥି ଚିକିତ୍ସା ପାଇଁ ଦେଇଛନ୍ତି ସେଥିପାଇଁ ସେ ଅନୁତପ୍ତ ବୋଲି କହିଛନ୍ତି। ଏଥିସହ ହର୍ଷବର୍ଦ୍ଧନଙ୍କୁ ଏକ ଚିଠି ପଠାଇଛନ୍ତି ରାମଦେବ।ପତଞ୍ଜଳି ଯୋଗପୀଠର ଲେଟର ପ୍ୟାଡରେ ରାମଦେବ କହିଛନ୍ତି ଯେ ଆମେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଏବଂ ଏଲୋପାଥିକୁ ସେ ବିରୋଧ କରୁନାହାନ୍ତି। ଅସ୍ତ୍ରୋପଚାର କ୍ଷେତ୍ରରେ ଏଲୋପାଥି ବହୁତ ଅଗ୍ରଗତି କରିଛି। ଏହା ମାନବିକତା ପାଇଁ ଏକ ସେବା। ରାମଦେବ କହିଛନ୍ତି, ତାଙ୍କ ଭିଡିଓ ଯାହା ଉପସ୍ଥାପିତ ହୋଇଛି ତାହା କର୍ମଚାରୀଙ୍କ ସହ ଏକ ବୈଠକ ବେଳର। ଯେଉଁଥିରେ ସେ ହ୍ୱାଟସଆପରେ ଆସିଥିବା ଏକ ବାର୍ତ୍ତାକୁ ଉଦ୍ଦୃତ କରି ଶୁଣାଉଥିଲେ। କିନ୍ତୁ ଏହା ଯଦି କାହାର ଭାବନାକୁ ଆଘାତ ଦେଇଛି ସେଥିପାଇଁ ସେ ଅନୁତପ୍ତ ବୋଲି କହିଛନ୍ତି। ରାମଦେବଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆପତ୍ତି ଉଠାଇଥିଲା। ଏଥିସହ ତୁରନ୍ତ ସରକାର ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ଦାବି କରିଥିଲା। ଏହାପରେ ଯୋଗଗୁରୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ହସ୍ତକ୍ଷେପ କରିଥିଲେ। ଆଜ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ରାମଦେବଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଅପମାନ ଜନକ ବୋଲି କହିଥିଲେ। ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ରାମଦେବ ନିଜ ମତକୁ ନେଇ ପଶ୍ଚାତାପ କରିବା ଦରକାର। ଏପରି ମନ୍ତବ୍ୟ ଦେଶବାସୀଙ୍କ ଭାବନ ପ୍ରତି କୁଠାରଘାତ ବୋଲି ହର୍ଷବର୍ଦ୍ଧନ କହିଥିଲେ।

ବିଭ୍ରାନ୍ତିକର ତଥ୍ୟ ପାଇଁ ମାମଲା ରୁଜୁ;ଗିରଫ ହେବେ କି କମଲନାଥ….?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଭାଇରସକୁ ଇଣ୍ଡିଆନ୍ ଭେରିଆଣ୍ଟ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଏଭଳି ମନ୍ତବ୍ୟ ଦେଇ କମଲନାଥ ବିବାଦୀୟ ପରିସ୍ଥିତିକୁ ଉସକାଉଛନ୍ତି ବୋଲି ଅଭିଯୋଗ ରହିଛି। ତେଣୁ ତାଙ୍କ ବିରୋଧରେ ଧାରା ୧୮୮ ଏବଂ ୫୪ ଆଧାରରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ସେହିପରି ମଧ୍ୟପ୍ରଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେରୁ ଅଧିକ ରହିଥିବା ବେଳେ ରାଜ୍ୟ ସରକାର ଭୁଲ୍ ସଂଖ୍ୟା ଦେଖାଉଛନ୍ତି ବୋଲି କମଲନାଥ କହିଥିଲେ। ଏହାକୁ ନେଇ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି କମଲନାଥ। ଯଦି ପ୍ରମାଣ କରିଦେବେ ତାହାଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶୁକ୍ରବାର ଭରଚୁଆଲ ମୋଡରେ ବୈଠକ କରୁଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସରକାରକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ଇଣ୍ଡିଆନ୍ ଭେରିଆଣ୍ଟ ଚାରିଆଡେ ବ୍ୟାପିଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଭେରିଆଣ୍ଟକୁ ଡରୁଛନ୍ତି। ସେହିପରି ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କମଲନାଥ କହିଥିଲେ ମେରା ଭାରତ ମହାନ କହିବା ବଦଳରେ ମୋ ଭାରତକୁ କୋଭିଡ ହୋଇଯାଇଛି ବୋଲି କହିବା ଦରକାର। ସରକାର କୋଭିଡର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ଭାରତ ଏବେ ବ୍ଲାକ ଫଙ୍ଗସର ରାଜଧାନୀ ପାଲଟିଛି ବୋଲି କମଲନାଥ କହିଥିଲେ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଭାରତରେ ବିକଶିତ ହୋଇଥିବା ଭେରିଆଣ୍ଟକୁ B.1.617 କୁହାଯିବ। ଇଣ୍ଡିଆନ୍ ଭେରିଆଣ୍ଟ ନୁହେଁ। କୌଣସି ଦେଶ ନାଁରେ ଭେରିଆଣ୍ଟ ନାମକାରଣ କରାଯାଇନି।ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ କମଲନାଥଙ୍କୁ ସମାଲୋଚନା କରୁଥିଲେ। ଦେଶକୁ ବଦନାମ କରିବା ପାଇଁ ଏଭଳି ଶବ୍ଦ ବ୍ୟବହାର କଣ ବ୍ୟବହାର କରିବା ନିହାତି ଦରକାର ବୋଲି ସେ ପ୍ରଶ୍ନ କରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଏଲୋପାଥି ଚିକିତ୍ସା ଉପରେ ରାମଦେବ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନିକଟରେ ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ କଟୂଭାଷାରେ ସମାଲୋଚନା କରିଥିଲେ। ଏହାକୁ ନେଇ ଆପତ୍ତି ଉଠାଇଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ତୁରନ୍ତ ସରକାର ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ଦାବି କରିଥିଲା। ଏହାପରେ ଯୋଗଗୁରୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି ରାମଦେବଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଅପମାନ ଜନକ। ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ରାମଦେବ ନିଜ ମତକୁ ନେଇ ପଶ୍ଚାତାପ କରିବା ଦରକାର। ଏପରି ମନ୍ତବ୍ୟ ଦେଶବାସୀଙ୍କ ଭାବନ ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହେଉଥିବାଏକ ଭିଡିରେ ରାମଦେବ ଏଲୋପାଥି ଚିକିତ୍ସା ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲା ଯେ ମହାମାରୀ ଆକ୍ଟ ଅନୁଯାୟୀ ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର। ରାମଦେବ ତାଙ୍କ ବିବୃତ୍ତିରେ କହିଥିଲେ ଯେ ‘ଏଲୋପାଥି ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। କରୋନା ବିରୋଧରେ ଭାରତ ସମେତ ସାରା ବିଶ୍ୱର ବହୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଜ ଜୀବନ ବଳିଦାନ ଦେଇ ସାରିଛନ୍ତି। ତେଣୁ କରୋନା ଚିକିତ୍ସାରେ ଏଲୋପାଥି ଚିକିତ୍ସାକୁ ‘ତମାଶା’, ‘ବେକାର’ କହିବା ଦୁର୍ଭାଗ୍ୟଜନକ। ଲକ୍ଷ ଲକ୍ଷ ଲୋକ ଏଲୋପାଥିକ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଏଥିପାଇଁ ଏଲୋପାଥି ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ରହିଛି। ଚିଠିର ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଏଭଳି ଆପତ୍ତିଜନକ ଏବଂ ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ନେଇ ରାମଦେବା ପଶ୍ଚାତାପ କରିବା ଦରକାର ନହେଲେ ଏହା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଅପମାନ ହେବ ବୋଲି ସେ କହିଛନ୍ତି।

୨୪ ମେ’, ସୋମବାର- ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁଜନଙ୍କ ଠାରୁ ନୂଆ ଦିଗଦର୍ଶନ ପାଇବେ।

ବୃଷ: ସହକର୍ମୀଙ୍କ ସାହାଯ୍ୟ ମିଳିବ। ନିଜ ବୃତ୍ତିଗତ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ।

ମିଥୁନ: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଗାଡ଼ିରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଦୀର୍ଘ ଦିନରୁ ହୋଇପାରୁ ନଥିବା କାର୍ଯ୍ୟଟି ଆଜି ସଂପନ୍ନ ହୋଇଯାଇପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇପାରେ।

ସିଂହ: ଶତ୍ରୁବାଧା ଦୂରେଇ ଯିବ। ଆୟବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

କନ୍ୟା: କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନୂତନପନ୍ଥା ଅନୁସରଣ କରି ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ତୁଳା: ଧନପ୍ରାପ୍ତି ସମ୍ଭାବନା ଅଛି। ପୁରାତନ ରୋଗରୁ ଉପଶମ ମିଳିପାରେ। ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ।

ବିଚ୍ଛା: କର୍ମକ୍ଷେତ୍ରରେ ଅପ୍ରୀତିକର ସ୍ଥିତି ଦେଖାଯାଇପାରେ। ତେବେ କୌଶଳ କରି ତା’ର ସମାଧାନ କରିପାରିବେ। ବ୍ୟବସାୟରେ ସଂଘର୍ଷ କରିବାକୁ ପଡ଼ିପାରେ।

ଧନୁ: ଉତ୍ତମ ରୋଜଗାର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କଥାରେ ଅଯଥାରେ ମୁଣ୍ଡ ଭର୍ତ୍ତି କରନ୍ତୁ ନାହିଁ।

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ। ଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ପରିବାରରେ ଶାନ୍ତି ବିରାଜମାନ କରିବ।

କୁମ୍ଭ: କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପୂର୍ବ ଯୋଜନାରେ ସଫଳତା ଲାଭ କରିବେ। ଆଜି ଆମିଷ ସେବନ କରନ୍ତୁ ନାହିଁ।

ମୀନ: ଘରେ କୌଣସି ସମସ୍ୟା ଥିଲେ, ଆଜି ତାହା ଦୂର ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଯାତ୍ରା କରନ୍ତୁ ନାହିଁ।