ରିସ୍କ ନେବାକୁ ଚାହୁଁ ନାହାନ୍ତି, କର୍ମଭୂମୀକୁ ଫେରିଗଲେ ମମତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ବିଜୟ ସୁନିଶ୍ଚିତ ଆକଳନ କରି ନିଜ କର୍ମଭୂମି ଛାଡ଼ି ବିଧାନସଭା ନିର୍ବାଚନ ଲଢ଼ିବାର ପରିଣାମ ଭୋଗି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦିଓ ମୁଖ୍ୟମନ୍ତ୍ରୀ ଭାବରେ ମମତା ଶପଥ ନେଇଛନ୍ତି ହେଲେ ଆସନ୍ତା ୬ ମାସ ମଧ୍ୟରେ ସେ କୌଣସି ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବ ଦରକାର। ତେଣୁ ଏବେ ସେ ପୁଣିଥରେ ନିଜ କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଆସନରୁ ନିର୍ବାଚନ ଜିତି ମନ୍ତ୍ରୀ ହୋଇଥିବା ଟିଏମସି ବିଧାୟକ ଶୋଭେନଦେବ ଚଟ୍ଟୋପାଧ୍ୟାୟ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୋଭେନଦେବ କିନ୍ତୁ କୃଷି ମନ୍ତ୍ରୀ ପଦରେ ରହିବେ। ସବୁଠୁ ବଡ଼ କଥା ହେଲା ରାଜ୍ୟରେ ୨୯୪ ବିଧାନସଭା ଆସନରୁ ୨୯୨ ଆସନରେ ନିର୍ବାଚନ ହୋଇଥିଲା। ଆଉ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଦୁଇ ନେତା ମଧ୍ୟ ଇତି ମଧ୍ୟରେ ଇସ୍ତଫା ଦେଇଛନ୍ତି। ମୋଟ୍ ଉପରେ ୪ଟି ଆସନ ଖାଲି ପଡ଼ିଛି। ହେଲେ ଏହିସବୁ ଆସନରୁ ମମତା ନିର୍ବାଚନ ଲଢିବା ଅପେକ୍ଷା ନିଜର ଗଡ଼ ତଥା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଉଚିତ୍ ମନେ କରିଛନ୍ତି। କାରଣ ଭବାନୀପୁର ଛାଡି ଆଉ କୌଣସି ଆସନରେ ନିର୍ବାଚନ ଲଢ଼ିଲେ ବିରୋଧୀ ବିଜେପିକୁ ପୁଣି କଡ଼ା ମୁକାବିଲା କରିବାକୁ ପଡ଼ିପାରେ। ଯଦିଓ ରାଜ୍ୟରେ ଟିଏମସି ଅଧିକ ଆସନରେ ନିର୍ବାଚନ ଜିତିଛି। ହେଲେ ନିର୍ବାଚନ ପରେ ହିଂସା ଆଉ ମମତା ସରକାର ଏହାକୁ ନେଇ ନିରବ ରହିଛନ୍ତି। ତେଣୁ ନିଜ ଗ଼ଡ଼ ଛାଡି ପୁଣିଥରେ ଆଉ କେଉଁଠି ନିର୍ବାଚନ ଲଢ଼ିଲେ ଅଡୁଆ ସୃଷ୍ଟି ହୋଇପାରେ ବୋଲି ଟିଏମସିର ଅନ୍ଦର ମହଲ ଚିନ୍ତାବ୍ୟକ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ବିନା କୌଣସି ରିସ୍କରେ ଏକ ନିରାପଦ ଆସନ ଭାବରେ ପୁଣିଥରେ ଭବାନୀପୁର ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଏହି ଆସନରୁ ବିଧାୟକ ଭାବରେ ଇସ୍ତଫା ଦେଇଥିବା ଶୋଭନଦେବଙ୍କୁ ଖାଲି ଥିବା ଚାରି ଆସନରୁ କୌଣସି ଆସନରୁ ଟିଏମସି ପ୍ରାର୍ଥୀ କରିବ ବୋଲି ସୂଚନା ରହିଛି। ଭବାନୀପୁର ଆସନରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଶୋଭେନଦେବ କହିଛନ୍ତି ଯେ ସେ କୌଣସି ଚାପରେ ସେ ଏହି ଇସ୍ତଫା ଦେଇ ନାହାନ୍ତି। ମମତା ବାନାର୍ଜୀ ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ଏହା ତାଙ୍କ ଆସନ, ତେଣୁ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ବୋଲି ସେ କହିଛନ୍ତି। ବାଚସ୍ପତି ଶୋଭେନଦେବଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି। ଆଉ ମନ୍ତ୍ରୀ ଶୋଭେନଦେବ ସ୍ୱେଚ୍ଛାକୃତ ଭାବରେ ବିଧାୟକ ପଦବୀରୁ ଇସ୍ତଫା ଦେଇଥିବା ସେ ସ୍ପଷ୍ଟ କରିଛନ୍ତି। ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ୧୯୫୬ ଭୋଟ୍ ବ୍ୟବଧାନରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପାଖରୁ ପରାସ୍ତ ହୋଇଥିଲେ। ହେଲେ ବିଧାନସଭାରେ ୨୯୨ଟି ଆସନରୁ ୨୧୩ଟି ଆସନରେ ଜିତି ଟିଏମସି ସରକାର ଗଢ଼ିଛି। ମମତା ବାନାର୍ଜୀ ଟିଏମସି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇ ମେ ୫ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଛନ୍ତି।

୧୮ ଜିଲ୍ଲାରେ ହେବ ବଜ୍ରପାତ ସହ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟର ୧୮ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ହେବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ହେବ ବଜ୍ରପାତ ହେବା ସହ ବର୍ଷା ହେବ। ସଂପୃକ୍ତ ଜିଲ୍ଲାବାସୀଙ୍କୁ କାଲି ସକାଳ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।ବାତ୍ୟା ୟାସ୍‌ ଆସିବା ପୂର୍ବରୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଛି। ଶୁକ୍ରବାର ବାଲେଶ୍ୱ, କେନ୍ଦୁଝର, ଗଞ୍ଜାମ ସମେତ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ବର୍ଷା ହୋଇଛି। ଏପରିକି ବଜ୍ରପାତ ହୋଇଥିଲା। ବଜ୍ରପାତରେ କେନ୍ଦୁଝରରେ ଗୋଟିଏ ପରିବାରର ୩ ଜଣ ଯାଯାବରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆସିକା ଅଞ୍ଚଳରେ ଶୁଦ୍ଧି କ୍ରିୟା ଚାଲିଥିବା ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏହାଛଡ଼ା ଅନେକ ସ୍ଥାନରେ ବର୍ଷା ହୋଇ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।  

ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ଏସ୍‌ଆରସି

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଉତ୍ତର ଆଣ୍ଡାମାନ କ୍ଷେତ୍ରରେ ସୃଷ୍ଟ ଲଘୁଚାପ ଏବଂ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି ।  ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।  ଏହା ବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି।  ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।  ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି।  ଆଶ୍ରୟ ସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି SRC କହିଛନ୍ତି । ପ୍ରସ୍ତୁତ ଥିବା ୧୭ଟି ଏନଡ଼ିଆରଫ,୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ ପଠାଯିବ।  ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା SRC ସୂଚନା ଦେଇଛନ୍ତି ।

ଗ୍ରାମାଂଚଳରେ କରୋନା ସଂକ୍ରମଣ ରୋକିବାକୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଜେପି ବିଧାୟକଗଣ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟର ଗ୍ରାମାଂଚଳ ତଥା ଆଦିବାସୀବହୁଳ ଅନୁନ୍ନତ ଅଂଚଳରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭତ୍ତିରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିଜେପି ବିଧାୟକମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଜେପି ବିଧାୟକଗଣ ଦାବି କରିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର (ସବସେଣ୍ଟରଠୁ ସିଏଚସି ପର୍ଯ୍ୟନ୍ତ)ର ଭିତ୍ତିଭୂମି ସୁଦୃଢ଼ କରି ଘରକୁ ଘର ବ୍ୟାପକ ଟେଷ୍ଟିଂ ଓ ଟ୍ରେସିଂର ବ୍ୟବସ୍ଥା କରାଯାଉଛି। ରାଜ୍ୟର ସିଏଚସି(କମ୍ୟୁନିଟି ହେଲଥ ସେଣ୍ଟର)ଗୁଡ଼ିକରେ ଗ୍ରାମାଂଚଳର କୋଭିଡ୍ ସଂକ୍ରମିତଙ୍କୁ ଜରୁରୀକାଳିନ ଚିକିତ୍ସା ଯୋଗାଇବା ପାଇଁ ଅତିକମରେ ୨୦ଟି ଶଯ୍ୟାର ବ୍ୟବସ୍ଥା କରି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ। ଜିଲ୍ଲାସ୍ତରୀୟ କୋଭିଡ୍ କେୟାର ସେଂଟର କେବଳ ବେଡ୍ କିଣାରେ ସୀମିତ ନରହି ଆବଶ୍ୟକୀୟ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ। ବିଳମ୍ବ ନକରି ଅକ୍ସିଜେନ, ଭେଂଟିଲେଟରଯୁକ୍ତ ଶଯ୍ୟା ଓ ଆଇସିୟୁ ଯୁକ୍ତ ବେଡର ବ୍ୟାପକତାକୁ ପ୍ରାଥମିକତା ଦିଆଯାଉ। ବୈଷୟିକ କର୍ମଚାରୀଙ୍କ ଅଭାବ କାରଣରୁ ମେଡିକାଲ ଯନ୍ତ୍ରପାତି ବ୍ୟବହାର ହୋଇପାରୁନାହିଁ ଏବଂ ରୋଗୀମାନେ ପ୍ରାଣ ହରାଉଛନ୍ତି। ଭେଂଟିଲେଟର ଅପରେଟର, ଅକ୍ସିଜେନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ଯନ୍ତ୍ରପାତି ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ବୈଷୟିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି କରାଯାଉ। ଗ୍ରାମାଂଚଳରେ କୋଭିଡ୍ ଭୂତାଣୁରେ ସଂକ୍ରମିତ ବହୁ ପରିବାରରେ ସଂଗରୋଧରେ ରହିବାର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପଂଚାୟତ ସ୍ତରରେ କାର୍ଯ୍ୟକ୍ଷମ ନଥିବା ଟିଏମସି ଏବଂ ସଂଗରୋଧ ଗୃହକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ତଥା ସବୁ ବର୍ଗର ଲୋକଙ୍କୁ ନେଇ ପଂଚାୟତସ୍ତରରେ କୋଭିଡ୍ କ୍ରାଇସିସ୍ ମ୍ୟାନେଜମ୍ୟାଂଟ କମିଟି ଗଠନ କରିି ଟିଏମସି / ସଂଗରୋଧ ଗୃହର ସୁପରିଚାଳନା ଦାୟିତ୍ୱ ଦିଆଯାଉ। କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟିର ତତ୍ୱାବଧାନରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପଂଚାୟତ ସ୍ତରରେ ବ୍ୟାପକ ଟିକାକରଣର ବ୍ୟବସ୍ଥା କରାଯାଉ। କୋଭିଡ୍ ସଂକ୍ରମିତ ବ୍ୟକ୍ତିର ମୃତ୍ୟୁ ସମ୍ବନ୍ଧୀୟ ପ୍ରକୃତ ତଥ୍ୟକୁ ସରକାର ଲୁଚାଉ ଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କୋଭିଡ୍ ସଫଳ ମୁକାବିଲା କରିବା ପାଇଁ ମିଥ୍ୟା ତଥ୍ୟର ଆଧାର ଉପରେ ଯୋଜନା କଲେ ତାହା କୋଭିଡ୍ ମୁକାବିଲା ପାଇଁ ଫଳପ୍ରଦ ହେବ ନାହିଁ ବୋଲି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବୋଲି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ବିଧାୟକ ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

ଏଣିକି ପ୍ରତି ୫ବର୍ଷରେ ସୋସାଇଟି ନବୀକରଣ, ବାର୍ଷିକ ଅଡିଟ୍ ରିପୋର୍ଟ ନଦେଲେ ରଦ୍ଦ ହେବ ପଞ୍ଜିକରଣ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ସୋସାଇଟି ଆକ୍ଟ ବଳରେ ପଞ୍ଜିକୃତ ହୋଇ ଅନେକ ଚିଟଫଣ୍ଡ ସଂସ୍ଥା ଲୋକଙ୍କଠୁ କୋଟି କୋଟି ଟଙ୍କା ଲୁଟ୍ କରିବାର ଦୀର୍ଘ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଆଜିଠୁ ସଂଶୋଧିତ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୨୦୨୧ କାର୍ଯ୍ୟକାରୀ ହୋଇଛି। ଏହି ସଂଶୋଧିତ ଆଇନ ଅନୁଯାୟୀ ଏଣିକି ସରକାର ସଦସ୍ୟ ନଥିବା ପ୍ରତ୍ୟେକ ସୋସାଇଟିକୁ ପ୍ରତି ୫ବର୍ଷରେ ନବୀକରଣ କରିବାକୁ ପଡ଼ିବ। ଆଉ ବାର୍ଷିକ ଅଡିଟ୍ ରିପୋର୍ଟ ଦାଖଲ କରୁନଥିବା ସୋସାଇଟିର ପଞ୍ଜିକରଣ ମଧ୍ୟ ରଦ୍ଦ ହୋଇଯିବ। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ଓ ଜିଲ୍ଲାସ୍ତରରେ ସୋସାଇଟିଗୁଡ଼ିକର ଗତିବିଧିର ଉତ୍ତମ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ରେ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ରେଜିଷ୍ଟ୍ରେସନ୍ (ଓଡ଼ିଶା ସଂଶୋଧନ) ଆକ୍ଟ-୨୦୨୧ ଆଜିଠୁ ସମଗ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି। ସୋସାଇଟି ଆକ୍ଟରେ ପଞ୍ଜିକୃତ ହୋଇଥିବା ସୋସାଇଟିଗୁଡ଼ିକର ବୈଧତା ଏଣିକି ୫ବର୍ଷ ରହିବ। ପ୍ରତି ୫ବର୍ଷରେ ଏହି ସୋସାଇଟିକୁ ନବୀକରଣ କରିବାକୁ ପଡ଼ିବ। ଯେଉଁ ସୋସାଇଟିରେ ସରକାର ସଦସ୍ୟ ଥିବେ ସେହି ସୋସାଇଟି ପଞ୍ଜିକୃତ ହେବାପରେ ଆଉ ତା’ର ରେଜିଷ୍ଟ୍ରେସନ ନବୀକରଣର ଆବଶ୍ୟକତା ନାହିଁ। ସୋସାଇଟିଗୁଡ଼ିକୁ ଉତ୍ତରଦାୟୀ କରିବା ନିମନ୍ତେ ସୋସାଇଟିର ଆୟବ୍ୟୟର ଅଡିଟ୍ କରାଯିବ। ଆଉ ବାଲାନ୍ସ ସିଟ୍ ସହ ବାର୍ଷିକ ଅଡିଟ୍ ରିପୋର୍ଟକୁ ସମ୍ପୃକ୍ତ ସୋସାଇଟି ପକ୍ଷରୁ ସମବାୟ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଅବଶ୍ୟ ଯେଉଁ ସୋସାଇଟିର ବାର୍ଷିକ ଆୟ ଗତ ୩ବର୍ଷ ମଧ୍ୟରେ ହାରାହାରି ୧ଲକ୍ଷ ଟଙ୍କାରୁ କମ୍ ଥିବ ସେହି ସୋସାଇଟି ପାଇଁ ବାର୍ଷିକ ଅଡିଟ୍ ରିପୋର୍ଟ କିମ୍ବା ବାଲାନ୍ସ ସିଟ୍ ଦାଖଲ କରିବା ଅନାବଶ୍ୟକ।ସେହିପରି ସଂଶୋଧିତ ନିୟମ ଅନୁସାରେ ଏହି ଆଇନ ବଳରେ ପଞ୍ଜିକୃତ ସୋସାଇଟି ନିଜର ପରିଚାଳନା ସଦସ୍ୟ କିମ୍ବା ସାଧାରଣ ସଦସ୍ୟଙ୍କୁ କୌଣସି ପ୍ରକାରର ଆର୍ଥିକ କିମ୍ବା ସାମଗ୍ରୀ ଭାବେ ଫାଇଦା ଦେଇପାରିବେ ନାହିଁ। ସେହିପରି ଯେଉଁ ସୋସାଇଟି ବାଲାନ୍ସ ସିଟ୍ ସହ ନିଜର ବାର୍ଷିକ ଅଡିଟ୍ ରିପୋର୍ଟ ଦାଖଲ ନକରିବେ ତାଙ୍କର ପଞ୍ଜିକରଣ ରଦ୍ଦ ହୋଇଯିବ। ସୋସାଇଟି ଭିତରେ କୌଣସି ବିବାଦ ଥିଲେ ସୋସାଇଟିର ଯେକୌଣସି ସଦସ୍ୟ ସୋସାଇଟି କାର୍ଯ୍ୟାଳୟ ରହିଥିବା ଅଂଚଳର ସିନିୟର ସିଭିଲ୍ ଜଜ୍ କୋର୍ଟରେ ପିଟିସନ୍ ଦାଖଲ କରିପାରିବେ। ଏହି ବହୁପ୍ରତୀକ୍ଷିତ ସଂଶୋଧିତ ଆଇନ ଫଳରେ ରାଜ୍ୟ ସରକାର ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ରୁଲ୍ ପ୍ରଣୟନ କରିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଦୀର୍ଘବର୍ଷ ୧୦-୧୨ ବର୍ଷ ପୂର୍ବରୁ ସୋସାଇଟି ଆକ୍ଟରେ ପଞ୍ଜିକୃତ ହୋଇଥିବା ଅନେକ ସଂସ୍ଥା ରାଜ୍ୟର ଗରିବ ଲୋକଙ୍କଠୁ ଚିଟଫଣ୍ଡ ନାଁରେ ଅର୍ଥ ସଂଗ୍ରହ କରି ପରବର୍ତ୍ତୀ ଅବସ୍ଥାରେ ଫାଙ୍କି ଦେଇଥିଲେ। ସୋସାଇଟି ଆକ୍ଟରେ ରହିଥିବା ଗଳା ବାଟର ସୁଯୋଗ ନେଇ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଏଭଳି ଜାଲସାଦି କରିବାରେ ସକ୍ଷମ ହୋଇଥିଲେ। ତେବେ ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହୋଇଛି ଓ ନୂଆ ସଂଶୋଧିତ ସୋସାଇଟି ପଞ୍ଜିକରଣ ଆଇନକୁ ଆଜିଠୁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି।

ନନ୍ଦନକାନନ ନଆସି ଭର୍ଚୁଆଲ୍‌ରେ ମଜା ନେଉଛନ୍ତି ଦର୍ଶକ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭର୍ଚୁଆଲ୍‌ରେ ନନ୍ଦନକାନନ ପରିଭ୍ରମଣ। କଥାଟି ଅଡ୍‌ ଲାଗୁଥିଲେ ମଧ୍ୟ ସତ। କରୋନା ମହାମାରୀ ବେଳେ ନନ୍ଦନକାନନ ନଆସି ଜୀବଯନ୍ତୁଙ୍କ ମଜାଦାର ଭିଡିଓ ଦେଖିପାରୁଛନ୍ତି ଦର୍ଶକ। ନନ୍ଦନକାନନ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ଏପରି ଉଦ୍ୟମ କରିବାରେ ସଫଳ ହୋଇଛନ୍ତି। ନନ୍ଦନକାନନ ୱେବସାଇଟ୍‌ ଓ ସୋଶାଲ୍‌ ମିଡ଼ିଆ ଟ୍ୱିଟ୍‌ରରେ ଜୀବଯନ୍ତୁଙ୍କ ମଜାଦାର ଭିଡ଼ିଓ ଦେଖିବାକୁ ମିଳିଛି। ଲୋକମାନେ ଘରେ ବସି ନନ୍ଦନକାନନର ପରିଭ୍ରମଣର ମଜା ନେଇପାରିବେ। ଗରମରୁ ତ୍ରାହି ପାଇବା ପାଇଁ ପାଣି ଟବ୍‌ରେ ଭାଲୁ ଛୁଆ ଖେଳୁଛନ୍ତି। କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡ଼ାଳରେ ଝୁଲି ମସ୍ତି କରୁଛି। ସେପଟେ ଗଛ ମୂଳରେ ଶୋଇଛି ଧଳାବାଘର। ତା’ ପାଖରେ ବାଘଛୁଆମାନେ ଖେଳୁଛନ୍ତି। ଖାଲି ସେତିକି ନୁହେଁ, ହରିଣପଲଙ୍କ ଧାଁ ଦୌଡ଼ ହେଉ ବା ଘଡ଼ିଆଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ, ସମସ୍ତଙ୍କୁ ଭର୍ଚୁଆଲ୍‌ରେ ଦେଖିପାରିବେ ଦର୍ଶକ।

କେନ୍ଦ୍ରକୁ ଚିଠି ଲେଖି ଜିଭିଭି ଶର୍ମାଙ୍କୁ ଫେରାଇ ଆଣିଲେ, ଦେଲେ ପୁରୁଣା ଦାୟିତ୍ୱ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ତଥା ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ମଧ୍ୟରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଦୀର୍ଘ ପ୍ରାୟ ଏକ ବର୍ଷ ଧରି ସ୍ଥାଣୁ ହୋଇ ପଡ଼ି ରହିଥିବା ରାଜସ୍ୱ ପର୍ଷଦ ଅଫିସକୁ ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଏହି ବଦଳି କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେହିପରି ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚର ଆଇଏଏସ୍ ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି । ଶ୍ରୀ ବେଣୁଗୋପାଳ ମଧ୍ୟ ପୂର୍ବଭଳି ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚର ଆଇଏଏସ୍ ସୁଦର୍ଶନ ପାଲ ଠାକୁର ଏଣିକି କେବଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ ଆଇଏଏସ୍ ଜିଭିଭି ଶର୍ମା ନ୍ୟାସନାଲ ଅଥରିଟି ଅଫ୍ କେମିକାଲ ୱିପନ୍ସ କନଭେନସନ ନ୍ୟାସନାଲ ଅଥରିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶ୍ରୀ ଶର୍ମାଙ୍କୁ ଫେରାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଚଳିତମାସ ପ୍ରଥମ ସପ୍ତାହରେ ଶ୍ରୀ ଶର୍ମାଙ୍କୁ କେନ୍ଦ୍ର ସରକାର ଫେରାଇ ଦେଇଥିଲେ। ଶ୍ରୀ ଶର୍ମା ୨୦୧୯ ଜୁଲାଇ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶା ସରକାରଙ୍କ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ୨୦୧୯ ମସିହାରୁ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ସିଜେ ବେଣୁଗୋପାଳ ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ପରଠୁ କାଁ ଭାଁ ଅଫିସ୍ ଯାଇଥିବା ଚର୍ଚ୍ଚା। ଯେଉଁଥିପାଇଁ ରାଜ୍ୟ ସରକାର ଏହି ବୋର୍ଡ ଅଫ ରେଭନ୍ୟୁ କାର୍ଯ୍ୟାଳୟକୁ ସକ୍ରିୟ କରିବା ନିମନ୍ତେ ସେଠାରେ ଶ୍ରୀ ଶର୍ମାଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

୨୨ ମେ’, ଶନିବାର – ଆଜିର ରାଶିଫଳ

ମେଷ: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ଠିକ୍ ରହିବ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ପରିବାରରେ ହସଖୁସିର ପରିବେଶ ରହିବ।

ବୃଷ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ଆଜି ପ୍ରଶଂସା ପାଇବେ। ଅନ୍ୟମାନଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ। ଯାତ୍ରା କରନ୍ତୁ ନାହିଁ।

ମିଥୁନ: ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ମାନସମ୍ମାନ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ନଦେଇ ଅଯଥାରେ ସମୟ ନଷ୍ଟ କରିବେ।

କର୍କଟ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ସୁସ୍ୱାଦୁ ଭୋଜନ କରିବେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ସିଂହ: ମିତ୍ରମାନଙ୍କ ପରାମର୍ଶରୁ ଫାଇଦା ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ।

କନ୍ୟା: ସମ୍ପର୍କୀୟଙ୍କ ସଂପର୍କରେ ଶୁଭ ସୂଚନା ଶୁଣି ଖୁସି ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।

ତୁଳା: ମିତ୍ରଙ୍କଠାରୁ ସାହାଯ୍ୟ ପାଇବେ। ସୁସ୍ଥ ରହିବେ। ଘରେ ରହି ପଢ଼ାପଢ଼ିରେ ମନ ଦେବେ।

ବିଛା: ମାନସିକ ଦୁଶ୍ଚିନ୍ତା ଦୂର ହେବ। ସୁଖସମୃଦ୍ଧି ଓ ମାନସମ୍ମାନ ବୃଦ୍ଧିହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

ଧନୁ: ଆୟର ବିକଳ୍ପ ପନ୍ଥା ଖୋଜିବେ। ନିର୍ମାଣାଧୀନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବ।

ମକର: ଧନପ୍ରାପ୍ତି ହେବ। ମାନସମ୍ମାନ ବୃଦ୍ଧି ହେବ। ଭାଇ, ବନ୍ଧୁ ଓ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ।

କୁମ୍ଭ: କୌଣସି ପ୍ରକାର ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମୀନ: ଶାରୀରିକ ଅସୁସ୍ଥତା ଦୂର ହେବ। ସାମାଜିକ ପତିଆରା ବଜାୟ ରହିବ। କୌଣସି ନୂଆ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିବେ।