ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ ସହିତ ଟିବି ଓ କୋଭିଡ ଚିହ୍ନଟ ଓ ନିରାକାରଣ ନିମନ୍ତେ ମିଳିତ ଅଭିଯାନ ପାଇ ଗୁଗୁଲ ବୈଠକ କଲେ ଜିଲ୍ଲାପାଳ l

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)- ଜିଲ୍ଲାରେ ଆଗକୁ ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ ସାଙ୍ଗକୁ ଯକ୍ଷ୍ମା ଓ କୋଭିଡ ଓ ରକ୍ତ ଚାପ, ସୁଗାର, ଓ ଅନ୍ୟାନ୍ୟ ରୋଗର ଚିହ୍ନଟ ନିମନ୍ତେ ମିଳିତ ଅଭିଯାନ ପାଇ ଗୁଗୁଲ ବୈଠକ କଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର l ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ସବୁ ରୋଗ ଆଗକୁ ଆଶଙ୍ଖା କରି ଏହାର ମୁକାବିଲା କରିବା ନିମନ୍ତେ ଆସନ୍ତାକାଲି ତା୨୪ମଇ ମାସରୁ ଅଗଷ୍ଟ ମାସ୨୩ତାରିଖ ଯାଏଁ ସାମ୍ମନ୍ୱିତ ଅଭିଯାନ କରାଯିବ l ଏହି ସମୟରେ ଆଶା, ଅଙ୍ଗନବାଡି ମିଳିତ ଭାବେ ସମ୍ପୃକ୍ତ ଅଂଚଳରେ ଘରକୁ ଘର ଯାଇ ବୁଲିବେ ଏବଂ ରୋଗ ସମ୍ପର୍କରେ ପଚାରି ବୁଝିବେ l ଏହିପରି ତିନିମାସ ଧରି ଦୈନିକ୨୦ ଘରକୁ ଯାଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବେ l ବିଶେଷ କରି ମ୍ୟାଲେରିଆ, ଡେଙ୍ଗୁ, ଓ ଡ଼ାଇରିଆରେ ପୀଡିତ ହେଉଛନ୍ତି କିନାହିଁ ତା ସାଙ୍ଗକୁ ଲଗାତାର ଖସୁଥିବା ବ୍ୟକ୍ତି ଓ କୋଭିଡ, ଏବଂ ରକ୍ତ ଚାପ, ସୁଗାର ପେଟ ବଥା ସମସ୍ୟା ସମ୍ପର୍କରେ ପଚାରି ବୁଝିବେ ଏବଂ ତୁରନ୍ତ RRT କୁ ଜଣାଇବେ l ଏହି RRT ଟିମ ତୁରନ୍ତ ପହଁଚି ଚିକିତ୍ସା ସେବା ଯୋଗାଇଦେବ l ଏହା ସହିତ ସାନ୍ଧ୍ୟ ସୁଦ୍ଧା ସମ୍ପୃକ୍ତ ଅଂଚଳର ମେଡିକାଲ ଅଫିସରଙ୍କୁ ଜଣାଇବେ l ମେଡିକାଲ ଅଫିସର ଜିଲ୍ଲା ଅଫିସକୁ ଜଣାଇବେ l ଏହାକୁ ଦୈନିକ ମନିଟରିଙ୍ଗ କାଟିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l  ଆଜିର ଏହି ବୈଠକରେ ପିଡି, ଦିଆରଦିଏ ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ପିଏ, ଆଇଟିଡ଼ିଏ ଗୁଣପୁର ଓ ରୟାଗଡ଼ଙ୍କ ସହିତ ଡ଼ା ଶ୍ରୀୟା ରୟା, ଡ଼ା ଏଲ ପୃଷ୍ଟି, ଡ଼ା ରାଜୁ, ଡିପିଏମ ରାଜେଶ ପଟ୍ଟନାୟକ, ବିଭିନ୍ନ ବ୍ଲକର ସ୍ୱସ୍ଥ୍ୟ ଅଧିକାରୀ, ସିଡିପିଓ ମାନେ, ଆସହ ସଂଯୋଜକ ମାନେ ଯୋଗଦାନ କରିଥିଲେ l

ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ବ୍ଲକ ଅଧୀନସ୍ଥ ସିରିଝୋଲି ଗ୍ରାମପଞ୍ଚାୟତର କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଶ୍ରୀ ସଲମାନ ରାଇକା ଙ୍କ ମନମୁଖୀ କାର୍ଯ୍ୟକୁ କେନ୍ଦ୍ରକରି ଅଭିଯୋଗ ଆସିଛି । ଏକ ଲିଖିତ ଅଭିଯୋଗ ପତ୍ରରେ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀ ଭୀମସେନ୍ ବିଡିକା ଉଲ୍ଲେଖ କରିଛନ୍ତି କି ପଞ୍ଚାୟତ ବୈଠକ ପ୍ରତି ମାସର ୧୬ ତାରିଖରେ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ବାହୀ ଅଧିକାରୀ ତାଙ୍କ ଇଚ୍ଛା ମୁତାବକ ବୈଠକ କରୁଥିବା,ବୈଠକର ସଠିକ ତାରିଖ ଜଣାକରୁନଥିବା ,ଗ୍ରାମ ପଞ୍ଚାୟତ ରେ କରାଯାଉଥିବା କାମର କୌଣସି କାର୍ଯ୍ୟ ବିବରଣୀ ତାଙ୍କୁ ଦେଉନଥିବା, ଦୀର୍ଘ ୧୫ ମାସର ମାସିକ ଭତ୍ତା ଦେଇନଥିବା ଭଳି ସଙ୍ଗିନ ଅଭିଯୋଗ ଦର୍ଶାଇଛନ୍ତି । ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏହି ଅଭିଯୋଗ ପତ୍ର ଦେବାକୁ ଯିବା ବେଳେ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଙ୍କୁ ଭେଟି ଦରଖାସ୍ତ ଦେବାକୁ ଚାହିଁ ଥିବାରୁ ଶ୍ରୀ ନିରଞ୍ଜନ ନାୟକ ଏହାକୁ ଗ୍ରହଣ ନକରି ଡାକ ମଧ୍ୟରେ ପଠାଇବାକୁ କହିବା ସହ ଅସଦ୍ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଛନ୍ତି ।

ନବୀନ ସରକାର ଲୋକଙ୍କ ଦ୍ୱାର ମୁହଁକୁ ସରକାରୀ ଦପ୍ତର ପହଞ୍ଚାଇବାର ପ୍ରୟାସ କରୁଥିବାବେଳେ ଏବଂ ମୋ ସରକାର ଭଳି ଯୋଜନା କରିଥିବା ବେଳେ ଡେପୁଟି କଲେକ୍ଟର ଙ୍କ ଏତାଦୃଶ୍ୟ ମନୋଭାଵ ପ୍ରତି କ୍ଷୋଭ ପ୍ରକାଶ କରିବା ସହ ଜଣେ ନିର୍ବାଚିତ ପ୍ରତିନିଧି ଙ୍କୁ ଏଭଳି ବ୍ୟବହାର କରାଯାଉଥିବା ବେଳେ ଏଠି ସାଧାରଣ ଜନତା କେଉଁ ଭଳି ସେବା ଆଶା କରିବେ ବୋଲି ପ୍ରଶ୍ନ ଉଠାଇ ଏଠି ରାଜ୍ଯ ସରକାର ଙ୍କ ମୋ ସରକାର ଯୋଜନା ସମ୍ପୂର୍ଣ୍ଣ ବିଫଳ ବୋଲି ମତବ୍ୟକ୍ତ କରିଛନ୍ତି । ଲିଖିତ ଅଭିଯୋଗ ପତ୍ରର ଏକ ନକଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଏହାଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ହସ୍ତଗତ କରି ଏହାର କାର୍ଯ୍ୟାନୁଷ୍ଠାନ ର ଆଶା କରିଥିବା ପ୍ରକାଶ କରିଛନ୍ତି । ସମୟ କହିବ ନାଏବ ସରପଞ୍ଚ ଙ୍କ ଏହି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ହେଉଛି ।

ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସରେ କଂଗ୍ରେସର ଶୁଖିଲା ଖାଦ୍ୟ ବଣ୍ଟନ;ଅସହାୟ ଲୋକଙ୍କୁ ଦାନା ଯୋଗାଇବା ଲାଗି କଂଗ୍ରେସର ପ୍ରୟାସ…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର) – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଆଜି ବଳିଦାନ ଦିବସ। ଏହି ଅବସରରେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଓଡିଶା କିଷାନ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶ ଓ ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ତତ୍ବାବଧାନରେ କୋଭିଡ ସମୟରେ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

ବ୍ରହ୍ମପୁର ବଡ଼ ବଜାର ଅନ୍ତର୍ଗତ ଶଙ୍କରପୁର ସାହି ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ନିଜସ୍ୱ ବାସ ଭବନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ କର୍ମୀ ମାନେ ଏକାଠି ହୋଇ କୋଭିଡ କଟକଣା ନିୟମ ପାଳନ କରି ଚିହ୍ନଟ ହୋଇଥିବା ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। କଂଗ୍ରେସ ପକ୍ଷରୁ ଦୀର୍ଘ ୧୫ ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ସ୍ତରରେ ଥିବା ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଜାରି ରହିଛି। ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଜାରି ରହିବ ବୋଲି ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ ମତ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀ ଏସ. ଦଣ୍ଡପାଣି ପାତ୍ର, ବିକାଶ ନାୟକ, ଶିଶିର ଆଚାର୍ଯ୍ୟ, ଏ. ଆପା ରାଓ, ଭୂଷି ବାବୁ, ବସନ୍ତ ପଟ୍ଟନାୟକ, ପ୍ରହଲ୍ଲାଦ ଗୌଡ଼, ଜିତେନ ବାଡ଼ତ୍ୟା, ସୁଦର୍ଶନ ପାତ୍ରଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

ମର୍ଦକୋଟ ଠାରେ ବାହାଘର ଭୋଜିରେ ପ୍ରଶାସନର ଚଢ଼ାଉ, ୮୦୦୦ ଟଙ୍କା ଜରିମାନା ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ କୋଦଳା ତହସିଲ ପ୍ରଶାସନ ଚଢ଼ାଉ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ବଧି ସାହିରେ ଦୁଖୀଶ୍ୟାମ ସ୍ବାଇଁଙ୍କ ପୁଅ ବାହାଘର ଭୋଜି ଚାଲିଥିବା ବେଳେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କ ଠାରୁ ୮୦୦୦/-ଜରିମାନା ଆଦାୟ କରିଛନ୍ତି। ଅପର ପକ୍ଷରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଏକ ବିଜ୍ଞାପ୍ତି ପ୍ରକାଶ କରି ଦର୍ଶାଇଛନ୍ତି ଯେ ବାହାଘର ପୁର୍ବରୁ ବର ଓ କନ୍ୟାଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ। ଓ ଏହା ଦୁଇ ଦିନ ପୂର୍ବରୁ କରାଯିବ। ଆବଶ୍ୟକ ବୋଲି ସେ ଦର୍ଶାଇବା ସହ ଭୋଜି ନକରିବା ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି।

ମୁକୁନ୍ଦପୁର ପଞ୍ଚାୟତକୁ ୭ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ…!

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଲନରା) – କୋରନା ସଂକ୍ରମଣ କୁ ନଜରରେ ରଖି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି। ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରି ଏ ସଟଡ଼ାଉନ ଘୋଷଣା କରିଛନ୍ତି। ଏହି ସଟଡ଼ାଉନ ୨୧ତା ରୁ ୨୮ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ପଞ୍ଚାୟତବାସୀଙ୍କ ସୁରକ୍ଷା ଓ କୋରନା ସଂକ୍ରମଣ ରୋକିବା ଉଦ୍ଧେଶ୍ୟରେ ଏ ସଟଡ଼ାଉନ ଜାରି କରାଯାଇଛି।ଏହି ସମୟରେ କେବଳ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି।ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ। 

 

ଅଧିକରୁ ଅଧିକ ବ୍ଲାକ ଫଙ୍ଗସ ଔଷଧ ତିଆରି କରିବା ପାଇଁ କେନ୍ଦ୍ର ନେଲା ପଦକ୍ଷେପ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ସହିତ ଦେଶରେ ଏବେ ବ୍ଲାକ ଫଙ୍ଗସ ଚିନ୍ତାର କାରଣ ବଢ଼ାଇଛି। ବିହାର, ଗୁଜରାଟ ଏବଂ ମୁମ୍ୱାଇରେ ଏହି ବ୍ଲାକ ଫଙ୍ଗସ ମାରାତ୍ମକ ହେବାରେ ଲାଗିଛି। ଏହି ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆମ୍ଫୋଟେରିସିନ୍ ବି (Amphotericin B) ଔଷଧ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଔଷଧ କିଭଳି ଅଧିକରୁ ଅଧିକ ତିଆରି କରିହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ଆଜି ଏହି ଔଷଧ ଦେଶରେ ଏତେ ନଥିବାରୁ କିଭଳି ଏହି ଔଷଧ ଅଧିକରୁ ଅଧିକ ତିଆରି କରିହେବ ସେ ନେଇ ଗୁରୁତ୍ୱ ଦେବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଥିଲେ। ଦେଶରେ ଏହି ଔଷଧ ସୀମିତ ରହିଛି। ତେଣୁ ଆମ୍ଫୋଟେରିସିନ୍ ବିକୁ ଅଧିକ ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ୍ସ ବିଭାଗ 5 ଔଷଧ ତିଆରି କରୁଥିବା କମ୍ପାନୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଆଉ ଏହି ଔଷଧ ତିଆରି ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଔଷଧ କମ୍ପାନୀ ମାନଙ୍କ ସହ ଯୋଗାଯୋଗରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି।

ଇଣ୍ଡିଆନ୍ ଭେରିଆଣ୍ଟ କହି କଂଗ୍ରେସ ଦେଶକୁ ବଦନାମ କରୁଛି: ଜାଭଡେକର

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଭାଇରସର ବିଭିନ୍ନ ରୂପ ଏବେ ଦେଖିବାକୁ ମିଳୁଛି। ଏହି ରୂପ ପରିବର୍ତ୍ତନକୁ ମେଡିକାଲ ଭାଷାରେ ଭେରିଆଣ୍ଟ ବୋଲି କୁହାଯାଏ। ଏହାର ଚିହ୍ନଟ କୋଡ ଓ୍ୱାର୍ଡ ଜରିଆରେ କରାଯାଉଛି। ଯେଉଁ ଦେଶରେ କରୋନା ଯେପରି ବିକଶିତ ହେଉଛି ସେହି ଅନୁସାରେ ବୈଜ୍ଞାନିକମାନେ କୋଡ ଓ୍ୱାର୍ଡ ରଖୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଭାରତରେ ବିକଶିତ ହୋଇଥିବା ଭେରିଆଣ୍ଟକୁ B.1.617 କୁହାଯିବ। ଇଣ୍ଡିଆନ୍ ଭେରିଆଣ୍ଟ ନୁହେଁ। ନିକଟରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଥିଲେ ସିଙ୍ଗାପୋର ଭେରିଆଣ୍ଟ। ଯାହାକୁ ନେଇ ସିଙ୍ଗାପୋର ଆପତ୍ତି ଉଠାଇଥିଲା। ତେବେ ଏହାପରେ ବି ଦେଶରେ କଂଗ୍ରେସ ନେତା B.1.617 ପରିବର୍ତ୍ତେ ଇଣ୍ଡିଆନ୍ ଭେରିଆଣ୍ଟ କହିବା ଜାରି ରଖିଛନ୍ତି। ଶୁକ୍ରବାର ଭରଚୁଆଲ ମୋଡରେ ବୈଠକ କରୁଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସରକାରକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ଇଣ୍ଡିଆନ୍ ଭେରିଆଣ୍ଟ ଚାରିଆଡେ ବ୍ୟାପିଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଭେରିଆଣ୍ଟକୁ ଡରୁଛନ୍ତି। ସେହିପରି ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କମଲନାଥ କହିଥିଲେ ମେରା ଭାରତ ମହାନ କହିବା ବଦଳରେ ମୋ ଭାରତକୁ କୋଭିଡ ହୋଇଯାଇଛି ବୋଲି କହିବା ଦରକାର। ସରକାର କୋଭିଡର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ଭାରତ ଏବେ ବ୍ଲାକ ଫଙ୍ଗସର ରାଜଧାନୀ ପାଲଟିଛି ବୋଲି କମଲନାଥ କହିଥିଲେ। ଏବେ ଏହି କଂଗ୍ରେସ ନେତାଙ୍କ ଇଣ୍ଡିଆନ୍ ଭେରିଆଣ୍ଟ ମତକୁ ନେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ସେ କମଲ ନାଥ ଏବଂ କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ନିଜର ରାଜନୀତିକ ଫାଇଦା ପାଇଁ ଦେଶର ନାଁକୁ ବଦନାମ କରିବାକୁ ଓହ୍ଲାଇ ଆସିଛନ୍ତି। ଜାଭଡେକର କହିଛନ୍ତି ଯେ କମଲନାଥ କରୋନାକୁ ଇଣ୍ଡିଆନ୍ ଭେରିଆଣ୍ଟ ବୋଲି କହିଛନ୍ତି। ଏହା ଭାରତ ପାଇଁ ଅପମାନ ଏବଂ ଅନେକ କଂଗ୍ରେସ ନେତା ମଧ୍ୟ ଏହା କହୁଛନ୍ତି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ କୌଣସି ଦେଶର ନାମ କୌଣସି ପ୍ରକାରର ନାମକରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି। ତେଣୁ କମଲ ନାଥ ନିଜ ବିବୃତ୍ତି ପାଇଁ କ୍ଷମା ମାଗିବା ଦରକାର। ସେ ଆହୁରି କହିଛନ୍ତି ଯେ ପ୍ରଥମେ କୋଭାକ୍ସିନକୁ ବିଜେପି ଟିକା କୁହାଯାଉଥିଲା। କିନ୍ତୁ ଏହି ଟିକା ସବୁଠାରୁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି। ସେହିପରି କଂଗ୍ରେସ ନେତା କହୁଛନ୍ତି କୋଭାକ୍ସିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାରେ ନାହିଁ ତେଣୁ ଜଣେ ବିଦେଶ ଯାତ୍ରା କରିପାରିବନି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି କିଛି ନିଷ୍ପତ୍ତି ନେଇନି ବୋଲି ଜାଭଡେକର କହିଛନ୍ତି। ଜାଭଡେକର କହିଛନ୍ତି କଂଗ୍ରେସ ବିଭିନ୍ନ ସମୟରେ କରୋନା ଓ ଟିକାକୁ ନେଇ ବ୍ୟକ୍ତିଗତ ମତ ଜରିଆରେ ଦେଶବାସୀଙ୍କୁ କନଫ୍ୟୁଜନରେ ରଖିବାକୁ ଚେଷ୍ଟା କରୁଛନ୍ତି। ଯାହାକି କରୋମା ଲଢ଼େଇକୁ ଦୁର୍ବଳ କରୁଛି। କଂଗ୍ରେସ କାହିଁକି ଏଭଳି ନକରାତ୍ମକ ରାଜନୀତି କରୁଛି ସେ ନେଇ ଜବାବ ଦେବା ଦରକାର ବୋଲି ଜାଭଡେକର କହିଛନ୍ତି।

ସର୍ବନିମ୍ନ ମଜୁରୀ ଦର ସଂଶୋଧନ କଲେ ମୋଦି ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ସର୍ବନିମ୍ନ ମଜୁରୀ ଦରକୁ ସରକାର ସଂଶୋଧନ କରିଛନ୍ତି। ଏହାଦ୍ୱାରା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ୧.୫ କୋଟି ଶ୍ରମିକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ହାରରେ ପରିବର୍ତ୍ତନ କରି ନୂଆ ବିଜ୍ଞପ୍ତି ଜାରି କରିଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସାନ୍ତୋଷ ଗଙ୍ଗୱାର କହିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର ପ୍ରାୟ ୧.୫ କୋଟି ଶ୍ରମିକ ଉପକୃତ ହେବେ। ଯେଉଁମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିର୍ଦ୍ଧାରିତ ନିଯୁକ୍ତି ସହ ଜଡିତ  ସେମାନେ ଉପକୃତ ହେବେ। ସଂଶୋଧିତ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ଏହି ବର୍ଗର ଲୋକଙ୍କୁ ମହାମାରୀ ସମୟରେ ସହାୟକ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାସ୍ତା, ନିର୍ମାଣ କାମ, ମରାମତି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଯଥାକ୍ରମେ ଏ, ବି ଏବଂ ସି ବର୍ଗରେ ୬୪୫, ୫୩୯ ଏବଂ ୪୩୧ ଟଙ୍କା ପାଇବେ। ଏଥି ସହିତ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କୁ ୭୧୪, ୬୦୯, ୫୦୫ଟଙ୍କା ପାଇବାକୁ ଥିବାବେଳେ କୁଶଳୀ ଶ୍ରମିକମାନଙ୍କୁ ୭୮୪, ୭୧୪, ୬୦୯ ଟଙ୍କା ମିଳିବ। ସେହିପରି କୁଶୀଳଠୁ ଉନ୍ନତ ଶ୍ରେଣୀର ଶ୍ରମିକ ୮୫୩, ୭୮୪, ୭୧୪ ଟଙ୍କା ପାଇବେ। ସେହିପରି ସଫେଇ କର୍ମଚାରୀ ଯଥାକ୍ରମେ ଏ, ବି ଏବଂ ସି ବର୍ଗରେ ୬୪୫, ୫୩୯, ୪୩୧ ଟଙ୍କା ପାଇବେ। ଏଥି ସହିତ ସୁରକ୍ଷା ଏବଂ ସେବା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ୭୮୪, ୭୧୪ ଏବଂ ୬୦୯ ଟଙ୍କା ପାଇବାକୁ ଥିବାବେଳେ ଉନ୍ନତ କୁଶଳୀ ଶ୍ରେଣୀର ଶ୍ରମିକମାନେ ୮୫୩, ୭୮୪ ଏବଂ ୭୧୪ ଟଙ୍କା ପାଇବେ। ଖଣି, କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରୀ ଦର ମଧ୍ୟ ଏହାଦ୍ୱାରା ସଂଶୋଧିତ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ନିଯୁକ୍ତି ସହ ଜଡ଼ିତ ଥିବା କାମ ହେଲା ରେଳ, ପ୍ରଶାସନ, ଖଣି, ତୈଳ କ୍ଷେତ୍ର, ପ୍ରମୁଖ ବନ୍ଦର। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କୌଣସି ନିଗମର ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ଏହି ସଂଶୋାଧିତ ନିୟମ ପ୍ରଯୁଜ୍ୟ। ଏହି ହାର ଉଭୟ ଚୁକ୍ତିଭିତ୍ତିକ ଏବଂ କାଜୁଆଲ୍ କର୍ମଚାରୀଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ ବୋଲି ସରକାର କହିଛନ୍ତି।

ଡରାଇଲାଣି ବ୍ଲାକ ଫଙ୍ଗସ: ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ଇଞ୍ଜେକସନ ପଠାଇଲା କେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହମାରୀ କରୋନା ସଂକ୍ରମଣ ଭିତରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ ନଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ୨୩ ହଜାରରୁ ଅଧିକ ବ୍ଲାକ ଫଙ୍ଗସ ଇଞ୍ଜେକସନ ପଠାଇଛନ୍ତି। ଏଯାଏ ଦେଶରେ ୮୮୪୮ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସଦେନ୍ଦ ଗୌଡ଼ା କହିଛନ୍ତି, ବ୍ଲାକ ପଙ୍ଗସ ବା ମ୍ୟୁକ୍ରୋମାଇକୋସିସି ରୋଗୀଙ୍କ ସଂଖ୍ୟା ସାରା ଦେଶରେ ବଢ଼ୁଥିବାରୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଅତିରିକ୍ତ ୨୩,୬୮୦ Amphotericin- B ଇଞ୍ଜେକସନର ଭିଆଲ୍ସ ପଠାଇଛନ୍ତି। ଏହି Amphotericin- B ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ। ଏଥିସହ ସେ କେଉଁ ରାଜ୍ୟକୁ କେତେ ଭିଆଲ Amphotericin- B ଦିଆଯାଇଛି, ତା’ର ତାଲିକା ମଧ୍ୟ କେନ୍ଦ୍ରମନ୍ତ୍ରୀ ଜାରି କରିଛନ୍ତି। ତାଙ୍କ ତାଲିକା ଅନୁଯାୟୀ, ଗୁଜରାଟରେ ସର୍ବାଧିକ ୨,୨୮୧ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାରୁ ସେଠାରୁ ସର୍ବାଧିକ ୫,୮୦୦ ଭିଆଲ୍ସ ପଠାଯାଇଛି। ଏହା ପଛକୁ ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ୫୦୯୦ ଭିଆଲ୍ସ ଓ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସର୍ବାଧିକ ୨୩୧୦ ଭିଆଲ୍ସ Amphotericin- B ପଠାଯାଇଛି। ଆନ୍ଧ୍ରରେ ୯୧୦ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏଯାଏ ୧୫ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ସରକାରର ମାତ୍ର ୫୦ ଭିଆଲ୍ସ Amphotericin- B ପଠାଇଛନ୍ତି। ପଶ୍ଚିମବଙ୍ଗରେ ମାତ୍ର ଜଣେ ବ୍ଲାକ ଫଙ୍ଗସ ଓ ଉତ୍ତରାଖଣ୍ଡରେ ୨ ଜଣ ରୋଗୀ ଚିହ୍ନଟ ହୋଇଥିଲେ ହେଁ ଉକ୍ତ ଦୁଇ ରାଜ୍ୟକୁ ମଧ୍ୟ ଓଡ଼ିଶା ଭଳି ସମାନ ୫୦ ଭିଆଲ୍ସ Amphotericin- B ପଠାଯାଇଛି। ତେଲେଙ୍ଗାକୁ ୮୯୦ ଭିଆଲ୍ସ, ଦିଲ୍ଲୀକୁ ୬୭୦ ଭିଆଲ୍ସ, ହରିଆଣାକୁ ୬୪୦, କର୍ଣ୍ଣାଟକା ୧୨୭୦, ମଧ୍ୟପ୍ରଦେଶକୁ ୧୮୩୦, ରାଜସ୍ଥାନକୁ ୧୭୮୦ ଓ ଉତ୍ତର ପ୍ରଦେଶକୁ ୩୮୦ ଭିଆଲ୍ସ Amphotericin- B କେନ୍ଦ୍ର ସରକାର ଆଜି ପଠାଇଛନ୍ତି। ବିଭିନ୍ନ ରାଜ୍ୟ ବ୍ୟତୀତ କେନ୍ଦ୍ରୀୟ ଇନଷ୍ଟିଚ୍ୟୁସନରେ ୪୪୨ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କେନ୍ଦ୍ର ଇନଷ୍ଟିଚ୍ୟୁସନଗୁଡ଼ିକୁ Amphotericin- Bର ୧୫ଶହ ଭିଆଲ୍ସ  ଦିଆଯାଇଛି। ଆସାମ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ସିକ୍କିମ, ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର, ଲଦାଖ, ଲାକ୍ଷାଦ୍ୱୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ ଓ ପୁଡୁଚେରୀକୁ କେନ୍ଦ୍ର ପକ୍ଷରୁ କୌଣସି ଭିଆଲ୍ସ Amphotericin- B ପଠାଯାଇନାହିଁ। ଦିନକୁ ଦିନ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଦେଶର ୧୧ଟି ଔଷଧ ନିର୍ମାଣକାରୀ ସଂସ୍ଥାକୁ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ ଉତ୍ପାଦନ କରିବାକୁ କହିଛନ୍ତି।

ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର କ୍ଲିନଚିଟ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶର ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଡିଏଲଏଫ ଲାଞ୍ଚ କାରବାର ମାମଲାରେ କ୍ଲିନଚିଟ୍‌ ଦେଇଥିବା ଜଣାପଡ଼ିଛି। ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଏନଡିଟିଭିରେ ରିପୋର୍ଟ ପ୍ରକାଶ ପାଇଛି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଏପ୍ରିଲ ମାସରେ ଜାମିନ ପାଇଥିଲେ। ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା। ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏବେ ଲାଲୁଙ୍କୁ ତଦନ୍ତକାରୀ ସଂସ୍ଥା କ୍ଲିନଚିଟ୍‌ ଦେଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ସିବିଆଇର ଅର୍ଥନୀତି ଅପରାଧ ଶାଖା ୨୦୧୮ ଜାନୁଆରୀ ମାସରୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଲାଲୁ ଓ ରିୟଲ ଷ୍ଟେଟ ଗ୍ରୁପ୍‌ ଡିଏଲଏଫ ଗ୍ରୁପ୍‌ ମଧ୍ୟରେ କ’ଣ ସବୁ କାରବାର ହୋଇଥିଲା, ତା’ର ଲିଙ୍କ ଖୋଜିଥିଲା। ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତୀକରଣ କାମ ହାତେଇବାକୁ ଡିଏଲଏଫ ଲାଲୁଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ୨୦୦୭ ଡିସେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ ନାମକ ଗୋଟିଏ ଶେଲ କମ୍ପାନୀ ୫ କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା। ଲେକ୍ସିସ ଇନଫୋଟେକ ପ୍ରାଇଭେଟ ଲିଃ ଓ ଅନ୍ୟ ଶେଲ କମ୍ପାନୀ ଜରିଆରେ ଡିଏଲଏଫ ହୋମ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ଜମିର ମୂଲ୍ୟ ସେହି ସମୟରେ ୩୦ କୋଟି ଟଙ୍କା ଥିବା ବେଳେ ଏହା କେମିତି ୫ କୋଟି ଟଙ୍କାରେ କିଣା ଗଲା, ତା’କୁ ନେଇ ପ୍ରଶ୍ନ ଉଠିଥିଲା।